Unknown

 

 

 

 

 

 

 

 

 

 

 

ନଖ ଦର୍ପଣେନ

ଚିତ୍ତରଞ୍ଜନ ଦାସ

 

ଉତ୍ସର୍ଗ

 

ସିଏ ଓଡ଼ିଶାର ରାଜନୀତି ଏବଂ ଶାସନ ଭିତରେ ଆସି ପ୍ରବେଶ କରିବା ପୂର୍ବରୁ ତାଙ୍କ ସହିତ ମୋ’ର ଯାହା କିଛି ପରିଚୟ ହୋଇଥିଲା, ସମ୍ପୂର୍ଣ୍ଣ ଭାବରେ ତାଙ୍କଆଡ଼ୁ । ପେର ସିଏ ରାଜ୍ୟରେ ଏକାଧିକ ଭୂମିକାରେ ରହିଲେ, ଏବେ ମଧ୍ୟ ରହିଛନ୍ତି, କିନ୍ତୁ ଆଉ ଭେଟ ମୋଟେ ହୋନାହିଁ । ତଥାପି, ସେଇ ମୂଳର ଭାବନାଟି ମୋ’ଭିତରେ ବଳବତ୍ତର ରହିଛି ଯେ, ସିଏ ଯେତେବେଳେ ଯେଉଁ ମେଳରେ ଥିଲେ ମଧ୍ୟ ଭାରି ନିଆରା । ସେହି ନିଆରା ଦେଖାଯିବାଟା ହିଁ ମୋତେ ଏବେ ମଧ୍ୟ ତାଙ୍କ ସହିତ ଖିଅ ଯୋଡ଼ାଇ ରଖିଛି । ସିଏ ହେଉଛନ୍ତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ ।

 

‘ନଖଦର୍ପଣେନ’ର ଏହି ଦ୍ୱିତୀୟ ସଂସ୍କରଣଟିକୁ ମୁଁ ତାଙ୍କରି ହାତରେ ଅର୍ପଣ କରୁଛି ।

☆☆☆

 

ମୂଳ ସଂସ୍କରଣର ଭୂମିକା

 

ଆମର ସାମୂହିକ ଜୀବନରେ ଯାହାକିଛି ଘଟୁଛି, ତାହା ସବୁକିଛି ଗୋଟିଏ ଦର୍ପଣ ଉପରେ ଘଟୁଛି—ଶୂନ୍ୟରେ ଘଟୁନାହିଁ କିମ୍ବା ଭଗବାନଙ୍କ ଇଚ୍ଛାରେ ବି ଘଟୁନାହିଁ । ଆମ ଭିତରୁ ଯେଉଁମାନେ ଭୀରୁ, ଯେଉଁମାନେ ଅସମ୍ମତ, ଘରେ ଥାଇ ମଧ୍ୟ ଯେଉଁମାନେ ପରବାସୀ ହୋଇ ରହିଛନ୍ତି, ସେମାନେ ଘଟଣାଗୁଡ଼ିକୁ ଆଦୌ କୌଣସି ଦର୍ପଣ ଭିତରେ ଦେଖନ୍ତି ନାହିଁ । ଦର୍ପଣଟା ଭିତରେ କାଳେ ସେହିମାନଙ୍କର ମୁହଁଟି ହିଁ ସବା ଆଗ ଦିଶିଯିବ, ସେମାନେ କହିଥିଲାଗି ଦର୍ପଣକୁ ଡରୁଥାନ୍ତି । ସାହସୀ ମଣିଷ ଦର୍ପଣକୁ ଲୋଡ଼େ, ସେହି ଦର୍ପଣ ଉପରେ ଘଟଣାଗୁଡ଼ିକୁ ବୁଝିବାକୁ ଚେଷ୍ଟା କରେ, ଆପଣାକୁ ବି ବୁଝିବାକୁ ଚେଷ୍ଟାକରେ ।

 

ଏହି ସାନ ଦର୍ପଣଦେଖାଗୁଡ଼ିକୁ ଏକାଠି ଗୋଟିଏ ବହି କରି ଛାପିବା, ଏହା ମୁଁ ଆଗ ଭାବିନଥିଲି; ପ୍ରକାଶକ ବନ୍ଧୁ ଶ୍ରୀ ଅଭିରାମ ମହାପାତ୍ର କେଡ଼େ ଖୁସି ହୋଇ ମୋ’ ଆଗରେ ସେହି ପ୍ରସ୍ତାବଟିକୁ ଆସି ବାଢ଼ିଲେ । ଭଣ୍ଡାରି ଦେଖି ମୋର ବି ନଖ କଅଁଳି ଆସିଲା । ମୁଁ ଅଭିରାମବାବୁଙ୍କୁ କୃତଜ୍ଞତା ଜଣାଉଛି ।

 

ଲେଖାଗୁଡ଼ିକ ଦୈନିକ ‘ପ୍ରଗତିବାଦୀ’ରେ ନିୟମିତ ଭାବରେ ପ୍ରକାଶ ପାଇଥିଲା । କାଗଜର ସମ୍ପାଦକ ଶ୍ରୀ ପ୍ରଦ୍ୟୁମ୍ନ ବଳଙ୍କୁ ମଧ୍ୟ ମୁଁ ଏହି ଅବସରରେ ସ୍ମରଣ କରୁଛି ।

 

ଚିତ୍ତରଞ୍ଜନ ଦାସ

☆☆☆

 

ସୂଚୀପତ୍ର

 

କ୍ର.ନଂ

ବିଷୟ

୧.

ଅନ୍ଧଙ୍କ ପାଇଁ ଅନ୍ଧ

୨.

ଲୁଣମରାର ସ୍ମୃତିରେ

୩.

ସେମାନେ ଏବେ ବି ପିଲା

୪.

ମୁଣ୍ଡିଆମାରି ଭିତରକୁ ଯିବା

୫.

କୁଳପତି କହିଲେ

୬.

ଗୁପ୍ତେଶ୍ୱରଙ୍କ ଗୁପ୍ତକଥା

୭.

ପୂଜ୍ୟପୂଜାର ଘୋର ଅଭାବ

୮.

ଦୁର୍ବଳକୁ ରକ୍ଷାକରନ୍ତୁ

୯.

ବିକ୍ଷୋଭ ହାଣ୍ଡିରୁ କେତୋଟି ଭାତ

୧୦.

ଏକ ବିରୁଦ୍ଧରେ ଏକ

୧୧.

ସାନ ମୁଣ୍ଡରେ ବଡ଼ ବୁଦ୍ଧି

୧୨.

ଅସୁରଗଡ଼ ଅନେକ

୧୩.

ସମସ୍ତଙ୍କର ହାତୀ

୧୪.

ମୁଁ ସଭାପତି

୧୫.

ଅବୈଧ ପରିଣୟ

୧୬.

ଅବତାର ବରିଷ୍ଠାୟ

୧୭.

ଭାରତବର୍ଷ

୧୮.

ରଙ୍ଗବତୀର ସନ୍ଦର୍ଭରେ

୧୯.

ସରକାରଙ୍କ ସାହିତ୍ୟ

୨୦.

ଫୁଲ ଓ ପାରବୋଉ କ’ଣ କରିବେ ?

୨୧.

ଇଂଲଣ୍ଡ ଓ ଅଲମ୍ପିକ୍ ଖେଳ

୨୨.

ଏହାହିଁ ପ୍ରାର୍ଥନା

୨୩.

ମିଳିତଭାବରେ ଲଢ଼ିବେ

୨୪.

ସହଜତମ, ନିର୍ବୋଧତମ

୨୫.

ଦୁଇଟି ସତ କଥା

୨୬.

ବାଳ-ଅପରାଧୀଙ୍କ ସଂଖ୍ୟା

୨୭.

ଶ୍ରମିକ ଓ ନାଗରିକ

୨୮.

ଶାନ୍ତି ଫେରିଆସିଲା

୨୯.

ଆମ ହାଣ୍ଡି କଳାହାଣ୍ଡି

୩୦.

ମନେପକାଇଦେବା ନିମନ୍ତେ

୩୧.

ଅସାଧୁ ସାବଧାନ

୩୨.

ତେନେଦଂ ବର୍ତ୍ତତେ ଜଗତ୍

୩୩.

କେବଳ ଯୁବକମାନଙ୍କର

୩୪.

ଗେଜେଟେଡ଼୍ ଅଣ୍ଡାପ୍ରେମୀ

୩୫.

ହରିଜନ ବର

୩୬.

ଯଦି ସତବାଘ ହୋଇଥାନ୍ତେ

୩୭.

ସମ୍ବାଦପତ୍ର ଜରିଆରେ

୩୮.

ମହାତ୍ମାଗାନ୍ଧୀଙ୍କ ମାର୍ଗ

୩୯.

ସିସିଲିର ରାଷ୍ଟ୍ରପତି

୪୦.

ଝିଅମାନେ ବି ପାରିଲେ

୪୧.

ସତ ଉପୁଜିବ ଛବିଶିକୁ

୪୨.

ସବୁ ଭଲ ଯାର ଶେଷ ଭଲ

୪୩.

ଚାଳିଶହଜାର ବାଘ

୪୪.

ଆମ କୁଟୁମ୍ବ ଆମ ବସୁଧା

୪୫.

ଉନ୍ନତଧରଣର ସାରୁଚାଷ

୪୬.

ମହାପ୍ରସାଦ ପୁରୀରୁ ଆସେ

୪୭.

ସମସ୍ତେ ଫାଷ୍ଟକ୍ଳାସ୍‍

୪୮.

ସାହିତ୍ୟ ଓ ଏକାଡେମୀ

୪୯.

ଅଣ୍ଡାରେ ବିଶ୍ୱରେକର୍ଡ଼

୫୦.

ଟେକାମାରି ଜୀବନ ନେବା

୫୧.

ଏ ଶିଳ୍ପ ବୁଢ଼ାହୋଇଗଲାଣି

୫୨.

ସାର୍‌ କାନ୍ଦିପକାଇଲେ

୫୩.

ଆମ ସଂସ୍କୃତି ଆମ ରକ୍ତରେ

୫୪.

ଅଖଣ୍ଡ ଭାରତ ଅନେକ ଖଣ୍ଡ

୫୫.

ପାଶବିକ ସହିଷ୍ଣୁତା

୫୬.

ଶିକ୍ଷାର ମାନବୃଦ୍ଧି

୫୭.

ସତକଥା କିଏ କହିବ ?

୫୮.

ନିଜର ଶକ୍ତି ଉପଲବ୍‌ଧି କରିବା

୫୯.

ଚାକିରି ଓ ଚାଲେଞ୍ଜ

୬୦.

ପ୍ରଚୁର ତୈଳର ସନ୍ଧାନ

୬୧.

ଆମଠାରୁ କ’ଣ ବେଶି

୬୨.

ସୁଖ-ପରିବର୍ତ୍ତନ

୬୩.

ସ୍ୱୟଂ ଓ ସମ୍ପୂର୍ଣ୍ଣ

୬୪.

ଆମକୁ ଅନେକ ଦୂର

୬୫.

ଷୋଳଶହ କୋଟିର ଶାହ

୬୬.

ମୁଁ ଭଲରେ ରହିବି

୬୭.

ମନ୍ତ୍ରୀ ହେବି କାହିଁକି ?

୬୮.

ଠାକୁରେ କ’ଣ ହୋଇଥିବେ ?

୬୯.

ରାଜନାରାୟଣଙ୍କ ଭୁଲ

୭୦.

ବ୍ୟାପକ କ୍ରୀଡ଼ା ଯୋଜନା

୭୧.

ସବୁଜ ବିପ୍ଳବ ଓ ଦାରିଦ୍ର୍ୟ

୭୨.

ଶନିଗ୍ରହର ଜୟନ୍ତୀ

୭୩.

ମତ୍ୟୁର ନୂଆ ନୂଆ କାରଣ

୭୪.

ମନୋଭାବ ବଦଳିଲେ

୭୫.

ପୁଣି ଏକତ୍ର ହେବେ

୭୬.

ବିରିଡ଼ି ଆମ ମାମୁଘର ଗାଆଁ

୭୭.

ତେଲ ଓ ଝୋଟ

୭୮.

ତୈଳଦମ୍ଭରେ ଗଳଦ୍‍ଘର୍ମ

୭୯.

ସାମାନ୍ୟ ଘଟଣାକୁ କେନ୍ଦ୍ର କରି

୮୦.

ସରକାର ବଦ୍ଧପରିକର

୮୧.

ଆଲଜିରିଆର ହିରୋ

୮୨.

ମହାଜନ-ସମାଶ୍ରିତ

୮୩.

ପ୍ରଳୟ-ପୟୋଧି-ଜଳେ

୮୪.

ସହଜ ସମୀକରଣ

୮୫.

ସବୁ ଯୋଡ଼ିଯାଡ଼ି ହୋଇ ରହିଛି

୮୬.

ଡର ଆଉ ଦୁଷ୍ଟାମି

୮୭.

ଅଧ୍ୟାପକ ଏକ ଯୋଗାରୂଢ଼ ପଦ

୮୮.

ଲେଖକଙ୍କର ନିଜ ଭାଷାରେ

୮୯.

କାରଣ କାହାଣ କାହାଣ

୯୦.

ଗୋ-ସମ୍ବର୍ଦ୍ଧନା ସପ୍ତାହ

୯୧.

ଆମେ ସବୁ ଅନ୍ଧ ହେବା ପରେ

୯୨.

କ୍ରୋଧ ପ୍ରକାଶ ଓ କାର୍ଯ୍ୟସାଧନ

୯୩.

ଦେବୀ ଅଚେତ ହୋଇଗଲା ପରେ

୯୪.

ସର୍ବୋଚ୍ଚ ସମ୍ମାନିତ ବ୍ୟକ୍ତି

୯୫.

ହିଂସାକାଣ୍ଡ ବିରୁଦ୍ଧରେ

୯୬.

ସଦିଚ୍ଛା ଓ ସାହସ

୯୭.

ରାତିକୁ ନିଶା କହନ୍ତି

୯୮.

କହିବା ଆଉ ଲେଖିବାର ଦ୍ୱନ୍ଦ

୯୯.

ବଞ୍ଚିବା ଭାରି କଷ୍ଟ

୧୦୦.

ସତ୍ୟ ଓ ସାଂଘାତିକ

୧୦୧.

ଅହେତୁକୀ ହେତୁବାଦିତା

୧୦୨.

ଜଗବନ୍ଧୁ ପରି ଜଣେ ସାମନ୍ତ

୧୦୩.

ଅର୍ଥହୀନ ଆନ୍ଦୋଳନ

୧୦୪.

ମାଳା ଜପି ହେଲା କ’ଣ ?

୧୦୫.

ଆଚାର୍ଯ୍ୟକୁଳରେ ଆଚାର୍ଯ୍ୟ ନାହାନ୍ତି

୧୦୬.

ସାହିତ୍ୟଲାଗି ଘର

୧୦୭.

ପୁତ୍ର ପ୍ରୀତି ଆତ୍ମପ୍ରୀତି

୧୦୮.

ରାଜା ଓ ଶୂଦ୍ରମୁନି

୧୦୯.

ଏଇଟା କାହା ଯୁଗ ?

୧୧୦.

ପୁଅ କୁହଛି

୧୧୧.

ମୁଁ ଯିବି କେମିତି ?

୧୧୨.

ବାପୀର ବିଷାଦଯୋଗ

୧୧୩.

ଫଗୁଖେଳ ଓ ସଂସ୍କୃତି

୧୧୪.

ନେତୃତ୍ୱହୀନ ଅବସ୍ଥା

୧୧୫.

ପାଠ କୋଉଠି ପଢ଼ାହେଉଛି ?

୧୧୬.

ପଚାଶହଜାର ପରମାଣୁବୋମା

୧୧୭.

ଭବିଷ୍ୟତ ଉଜ୍ଜ୍ୱଳ

୧୧୮.

ରାଜନୀତି ବ୍ୟବସାୟ ହେଲାଣି

୧୧୯.

ସାନ ପରିବାର, ସୁଖୀ ପରିବାର

୧୨୦.

ରାମାୟଣ ବିନା

୧୨୧.

ବିଧାନସଭା ଓ ଯୋଗ

୧୨୨.

ଅତ୍ୟାଧୁନିକ ସହର

୧୨୩.

ରଜାମାନେ ଅମର ରହିବେ

୧୨୪.

ଆମକୁ କିଏ ପଚାରେ ?

୧୨୫.

ଗୀତା ଓ ସାମ୍ୟବାଦ

୧୨୬.

ପିତାମାତାଙ୍କ ସମ୍ମତି ବିନା

୧୨୭.

ସତେଇଶି ହଜାର ଗାଆଁ

୧୨୮.

ପୃଥିବୀରେ ରେକର୍ଡ଼ ରହିବ

୧୨୯.

ତୁମେ ଯେଉଁ ଦଳର ହୁଅ ପଛକେ

୧୩୦.

ଓଡ଼ିଆରେ କହି ଆସେନାହିଁ

୧୩୧.

ସ୍ଥାୟୀ ସାମରିକ ଶାସନ

୧୩୨.

ବାଳକେ ଯେସନେ କ୍ରୀଡ଼ନକ ପାଇଁ

୧୩୩.

ଛାତ୍ରାବାସର ଆବାସିକତା

୧୩୪.

ଶରଣାଗତି-ରହସ୍ୟମ୍

୧୩୫.

ଦୁଇଟି ପୁରୁଷର କଥା

୧୩୬.

ଧନୀ ଦରିଦ୍ର ସମ୍ମିଳନୀ

୧୩୭.

ହସ ହିଁ ମହୌଷଧ

୧୩୮.

କାଞ୍ଜି ପଶିଲା ସବୁରି ଘରେ

୧୩୯.

ଶୋଭନୀୟ ଅଶୋଭନୀୟ

୧୪୦.

ନିଆଁ ଲଗାଇଦିଅନ୍ତି

୧୪୧.

ମଣିଷର କାମ କିଏ କରୁଛି ?

୧୪୨.

ଆବାସିକ ଆଦିବାସୀ ସ୍କୁଲ

୧୪୩.

ଲାଙ୍ଗୁଳ ଓ ନାହୁଡ଼

୧୪୪.

ହିନ୍ଦୁଧର୍ମ ଯାଉ, ଧର୍ମ ରହୁ

୧୪୫.

ତ୍ରୁଟିଶୂନ୍ୟ ଇତିହାସ

୧୪୬.

ନବାବ୍‌ ଓ ତାଙ୍କ ବେଗମ୍‌ମାନେ

୧୪୭.

ଅକ୍ତିଆରହୀନ

୧୪୮.

ପ୍ରଭାବ ରୋକିବା ଲାଗି

୧୪୯.

ଗାଆଁ ଲୋକ ଗାଆଁରେ ରହନ୍ତୁ

୧୫୦.

ନଖଦର୍ପଣେନ

☆☆☆

 

ଅନ୍ଧଙ୍କ ପାଇଁ ଅନ୍ଧ

 

ଦିଲ୍ଲୀରେ ଅନ୍ଧମାନେ ପିଟାଖାଇଲେ, ଯାହାର ଆଘାତ ଯାଇ ଚଣ୍ଡୀଗଡ଼ରେ ବାଜିଲା । ସେଠାରେ କେତେଜଣ ଅନ୍ଧ ଦିଲ୍ଲୀ ସହରରେ ହୋଇଥିବା ମାଡ଼ର ପ୍ରତିବାଦ କରି ଶୋଭାଯାତ୍ରାରେ ବାହାରିଲେ । ଆଖିଥିବା ଲୋକମାନେ ସେଠି ମଧ୍ୟ ସେମାନଙ୍କ ଉପରେ ଚଢ଼ାଉକଲେ, ସେମାନଙ୍କୁ ମାଡ଼ଦେଲେ ।

 

ଆମ ଦେଶର ରାଜନୀତିକୁ ଚଳାଉଥିବା ଅନ୍ଧମାନେ ଏହି ଘଟଣାଗୁଡ଼ିକ ବିଷୟରେ କେତେ ବିବୃତି ଦେଇସାରିଲେଣି । କେତେ କେତେ ନେତା ଏହି ଘଟଣାକୁ ନିଜର ମୁଖରୋଚକରୂପେ ବ୍ୟବହାର କଲେଣି । ତଥାପି ଅନ୍ଧମାନଙ୍କର ଶୋଭାଯାତ୍ରାରେ କେବଳ ଅନ୍ଧମାନେ ହିଁ ବାହାରୁଛନ୍ତି, କେବଳ ଅନ୍ଧମାନେ ହିଁ ଅନ୍ଧମାନଙ୍କ ଉପରେ ହୋଇଥିବା ନୃଶଂସତାର ସକ୍ରିୟ ପ୍ରତିବାଦ କରୁଛନ୍ତି ।

 

ଯେତେବେଳେ ଉପରେ ଅନ୍ଧମାନେ ହିଁ ସକଳ ଆସନକୁ ମାଡ଼ିକରି ବସିଥାନ୍ତି, ଯେତେବେଳେ ଅଧିକାଂଶ ମଣିଷ ଭୀରୁ ହୋଇ ବସିଥାନ୍ତି, ପ୍ରାୟ ସେତିକିବେଳେ ହିଁ ଦୁର୍ବଳ ଉପରେ ସବୁଯାକ ଅତ୍ୟାଚାର ହୁଏ । ସେତେବେଳେ ଉତ୍ତମ ଗୁଣୀଜନମାନେ ବିବୃତ୍ତି ଦେଇ ପ୍ରତିବାଦ କରନ୍ତି; ମାତ୍ର କେହିହେଲେ ରାସ୍ତା ଉପରକୁ ବାହାରନ୍ତି ନାହିଁ, କେହି ଧରାପଡ଼ନ୍ତି ନାହିଁ ।

 

ଗୋଟିଏ ପାଖରେ ଅତି ପ୍ରବଳ ଲୋକମାନଙ୍କର ଅନ୍ଧତା ଓ ଆଉ ଗୋଟାଏ ପାଖରେ ଭୀରୁମାନଙ୍କର ସିଆଣିଆ ସହାନୁଭୂତିର କାନ୍ଦଣା—ଏଥିରେ ଦୁର୍ବଳମାନଙ୍କର ଦୁଃଖ ଯିବ ବା କିମିତି ? ରାଜନୀତି ନାମରେ ଭଳିଭଳି ସାଆନ୍ତମାନଙ୍କର ବୋହୂଚୋରି ଖେଳ ଲାଗିଥିବା ପର୍ଯ୍ୟନ୍ତ ଆଖି ହରାଇ ବସିଥିବା ଲୋକମାନେ ଯେ ଏ ଦେଶର ଜଣେ ଜଣେ ନାଗରିକ ଓ ଜଣେ ଜଣେ ନାଗରିକ ହିସାବରେ ସେମାନଙ୍କର ଯେ ଏହି ଦେଶର ଶାସନ ପାଖରେ ମଣିଷସୁଲଭ କିଛି କିଛି ଦାବୀ ରହିଛି, ସେକଥା ଶୁଣିବାକୁ ଖବରକାଗଜ କରିଆରେ ଦମ୍ ନେଉଥିବା ବଡ଼ବଡ଼ମାନଙ୍କର ସମୟ ବା କୁଆଡ଼ୁ ଆସିବ ?

 

ଆମ ଦେଶର କୁଳୀନ ଧର୍ମ ଅନୁସାରେ ଅନ୍ଧ ହେଉଛି ଦୟାର ପାତ୍ର । ତାକୁ ଯେତିକି ଦୟା ଦେଖାଯାଇପାରିଲା, ସେତିକି ଯଥେଷ୍ଟ । ସେତିକିରେ ହିଁ ତାର ଆଖି ଥିବା ଅର୍ଥାତ ଦଣ୍ଡା ଥିବା ମଣିଷମାନଙ୍କ ପାଖରେ କୃତଜ୍ଞ ହୋଇ ରହିବା ଉଚିତ ! ଆମ ଦେଶର ସମ୍ପନ୍ନ ଅଳପମାନେ ହିଁ ଏହିପରିଭାବରେ ଅସମ୍ପନ୍ନ ଓ ଅକିଞ୍ଚନ ଅନେକଙ୍କ ଉପରେ ଦୟା ଦେଖାଇ ଆସିଛନ୍ତି । ରାଜାମାନେ ପ୍ରଜାମାନଙ୍କୁ ଦୟା ଦେଖାଇଆସିଛନ୍ତି । ମଣିଷ ବୋଲି କାହାକୁ ହେଲେ ସବୁରି ସମକକ୍ଷ ହିସାବରେ ସ୍ୱୀକାର କରିନିଆଯାଇ ନାହିଁ । ନୂଆ ଗଣତନ୍ତ୍ରର କାଗଜ ଉପରେ ଯାହା ଲେଖା ହୋଇ ରହିଥାଉ ନା କାହିଁକି, ଏଠି ଦୟାରେ ହିଁ ଶାସନ ଚାଲୁଛି । ଦୁଷ୍ଟ ଅନ୍ଧମାନେ ଯଦି ନିଜକୁ ମଣିଷ ବୋଲି ଭାବିଲେ ଓ ସମକକ୍ଷ ହେବାର ଦାବୀ କଲେ, ତେବେ ତାହାର ପରିଣାମ ସେହିମାନେ ହିଁ ଭୋଗନ୍ତୁ ।

 

୨୫ । ୦୩ । ୮୦

☆☆☆

 

ଲୁଣମରାର ସ୍ମୃତିରେ

 

ସ୍ଵାଧୀନତା ସଂଗ୍ରାମ ଚାଲିଥିବା ସମୟରେ ଯେଉଁମାନେ ଲୁଣ ମାରିଥିଲେ, ସେମାନେ ଏବେ ପୂରା ଗୋଟାଏ ବର୍ଷଲାଗି ସେହି ଘଟଣାର ଜୟନ୍ତୀ ପାଳନ କରିବେ । ସେମାନେ ସତେ ଅବା ନିଜର ହିଁ ଜୟନ୍ତୀ ପାଳନ କରିବେ !

 

ଲୁଣମରା ଗୋଟାଏ ଘଟଣା ନୁହେଁ, ଏହା ଏକ ପ୍ରତୀକ; ଅତ୍ୟାଚାର ବିରୁଦ୍ଧରେ ଓ ଅନ୍ୟାୟ ବିରୁଦ୍ଧରେ ଏକ ପ୍ରତୀକ । ଦୁର୍ବଳ ଯେ ତଥାପି ଦୁର୍ବଳ ନୁହେଁ, ଜଣେ ମଣିଷ ହେବାକୁ ସଂକଳ୍ପ କରି ବସିବା ଯେ ମଣିଷର ଅସଲ ବଳ, ଲୁଣମରା ସେହି ଘୋଷଣାର ପ୍ରତୀକ । ଏବର୍ଷ ଲୁଣମରାକୁ ଏକ ଘଟଣା ବୋଲି ଘୋଷଣା କରି ସେତେବେଳେ ଲୁଣ ମାରିଥିବା ବର୍ତ୍ତମାନର ବୁଢ଼ାବୁଢ଼ୀମାନେ ତାହାର ଅଭିନୟ ଦେଖାଇବେ । ସେମାନେ ଖେଳୁଆଡ଼ ସାଜିବେ । ପଚାଶବର୍ଷର ମାଟିକୁ ପୁନର୍ବାର ଥାପି ଚଉରା ବସାଇବାକୁ ଚେଷ୍ଟା କରିବେ । ସେଥିପାଇଁ ଅନେକ ପଇସା ଖରଚ ହେବ, ଅନେକ ସଭା ଓ ବକ୍ତୃତା ହେବ । ଏହି ବୁଢ଼ାମାନେ ଯେ ଦିନେ ଟୋକା ଥିଲେ, ଏହି ଦନ୍ଥଡ଼ାମାନେ ଯେ ଦିନେ ଦାଢ଼ୁଆ ଥିଲେ ଓ ଏହି ଖତରାମାନେ ଯେ କେବେ ସ୍ଵପ୍ନ ଦେଖିଥିଲେ, ଆମ ସମସ୍ତଙ୍କୁ ତାହାରି ପ୍ରତ୍ୟୟ ଦିଆଯିବ । ଗୋଟାଏ ହଇଚଇ ହେବ ।

 

ଗତ ପଚାଶ ବର୍ଷର ଇତିହାସ ହୁଏତ ଲୁଣମରାଠାରୁ ଆରମ୍ଭ କରି ପଟିମରା ପର୍ଯ୍ୟନ୍ତ ଲମ୍ବି ରହିଥିବା ଗୋଟାଏ ଦାରୁଣ ଇତିହାସ । ଲୁଣମରାବେଳର ନାୟକମାନେ ଦେଶକୁ ଗଢ଼ୁ ଗଢ଼ୁ ଓ ପର୍ବତଗୁଡ଼ାକୁ ତାଡୁ ତାଡ଼ୁ ପଟିମରା ପର୍ଯ୍ୟନ୍ତ ଆସିଲେ ଓ ଆମ ସମସ୍ତଙ୍କୁ ବୋକା ବନାଇଲେ—ଏହା ହେଉଛି ତାହାରି ଏକ ଇତିହାସ । ଏହି ନାୟକମାନଙ୍କର ତଥାପି ଯେ ଏହି ଦେଶରେ ଏକ ରଙ୍ଗମଞ୍ଚ ରହିଛି, ତାହାହିଁ ସବୁଠାରୁ ବଡ଼ ଅପାରଗତାର କଥା ।

 

ଏହି ନାୟକମାନେ ସେଇ ଲୁଣମରାରେ ହିଁ ବୁଢ଼ା ହୋଇଗଲେ । ମାତ୍ର ଯେଉଁମାନେ ଏପର୍ଯ୍ୟନ୍ତ ବି ବୁଢ଼ା ହୋଇନାହାନ୍ତି, ଏହି ଦେଶର ଇତିହାସ କହିଲେ ଯେଉଁମାନେ ସ୍ମୃତିଗୁଡ଼ାକୁ ନବୁଝି ମଣିଷଦ୍ୱାରା ମଣିଷକୁ ପ୍ରବଞ୍ଚନା କରାଯାଇଥିବାର ଏକ ଦୟନୀୟ କାହାଣୀକୁ ହିଁ ବୁଝୁଛନ୍ତି, ସେମାନେ ଏହି ଜୟନ୍ତୀର ନାୟକମାନଙ୍କୁ କେବଳ ଦୟାର ଚକ୍ଷୁରେ ହିଁ ଦେଖିବେ । ଆସନ ଉପରେ ବସି ବିଫଳତା ଯେ କେଡ଼େ ଉଗ୍ରଭାବରେ ଦମ୍ଭ କରିପାରେ, ସେମାନେ ଜୟନ୍ତୀର ଅଭିନୟ ଓ ଉତ୍ସାହଗୁଡ଼ାକ ଭିତରେ ସେଇଗୁଡ଼ାକୁ ହିଁ ଦେଖିବେ ଓ ସତର୍କ ହେବେ । ଲୁଣମରାର ପ୍ରତୀକଟିକୁ ସେମାନେ ତା’ର ଉପଯୁକ୍ତ ମୂଲ୍ୟ ଦେଇ ଅନୁଭବ କରିବା ଲାଗି ପଣ କରିବେ । ଯେଉଁମାନେ ପ୍ରତୀକଟାକୁ ବି ପଟି ମାରି ଆତ୍ମସାତ କରିବାକୁ ବାହାରିଛନ୍ତି, ଏମାନେ ସେମାନଙ୍କର ବଡ଼ବୋଲା ଖବରକାଗଜ ଭିତରୁ ସେମାନଙ୍କର ସମଗ୍ର ନିଷ୍ପଳତାଟିକୁ ଚିହ୍ନି ରଖିବାକୁ ବି ଚେଷ୍ଟା କରିବେ ।

 

୦୫ । ୦୪ । ୮୦

☆☆☆

 

ସେମାନେ ଏବେ ବି ପିଲା

 

ଅନୁଗୁଳର ବାଜିରାଉତ ଛାତ୍ରାବାସ ପ୍ରାୟ ୩୬ ବର୍ଷ ତଳେ ଆରମ୍ଭ କରାଯାଇଥିଲା । ଗଡ଼ଜାତ ଆନ୍ଦୋଳନରେ ଯେଉଁମାନେ ଜେଲ ଗଲେ, କଷ୍ଟ ସହିଲେ, ସେହିମାନଙ୍କର କେତେଜଣ ପିଲାଙ୍କୁ ନେଇ ଆହୁରି ଅନେକ ଆଗରୁ ଶ୍ରୀମତୀ ମାଳତୀ ଚୌଧୁରୀ ଓ ଶ୍ରୀ ନବକୃଷ୍ଣ ଚୌଧୁରୀ ସାନକରି ଘରଖଣ୍ଡିଏ ତିଆରି କରିଥିଲେ । ପରେ ତାହା ଢେଙ୍କାନାଳର ଶିଶୁଶହୀଦ ବାଜିରାଉତ ନାମରେ ‘ବାଜିରାଉତ ଛାତ୍ରାବାସ’ ବୋଲି ନାମିତ ହେଲା ।

 

ଏବେ ତାହାରି ବାର୍ଷିକ ଉତ୍ସବରେ ମୁଁ ସେଠାକୁ ଯାଇଥିଲି । ଛାତ୍ରାବାସରେ ବର୍ତ୍ତମାନ ଦେଢ଼ଶହରୁ ଅଧିକ ପିଲା । ତା’ସହିତ ନବଜୀବନ ମଣ୍ଡଳର ମହିଳା ଶିବିର । ଏହି ଶିବିରରୁ ତାଲିମ ପାଇ କେତେ କେତେ ଭଉଣୀ କୋରାପୁଟ ଓ ଫୁଲବାଣୀର ମାଳ ଅଞ୍ଚଳରେ ଯେପରି ଭାବରେ ମଣିଷ ଉପରେ ମଣିଷର ଅତ୍ୟାଚାର ବିରୁଦ୍ଧରେ ଲଢ଼ିଛନ୍ତି, ସେଠି ଦୁର୍ବଳ ଆଦିବାସୀର ମନରେ ବଳ ଦେଇ ତା’ପାଖରେ ଠିଆହୋଇଛନ୍ତି, ତାହା ଏକ ସ୍ୱତନ୍ତ୍ର କାହାଣୀ ହେବ । ।

 

ହଁ, ମଣିଷକୁ ମଣିଷପରି ଠିଆହୋଇ ଶିଖିବାକୁ ହେବ, ଏହାହିଁ ତା’ର ପ୍ରକୃତ ଶିକ୍ଷା ଓ ଏହି ଶିକ୍ଷା ହିଁ ଏହି ପୁରୁଣା ଗନ୍ଧିଆ ସଂସାରର ଅନେକ ଅସମତାକୁ ବଦଳାଇ ଦେଇ ପାରିବ । ବାଜିରାଉତ ଛାତ୍ରାବାସ ବର୍ତ୍ତମାନ ମଧ୍ୟ ତାହାରି ପ୍ରତୀକ ହୋଇ ଠିଆହୋଇଛି । ଏଠି ପିଲାଏ ପାଠ ପଢ଼ୁଛନ୍ତି, ଗୀତ ବୋଲୁଛନ୍ତି, ନିଜର ଅନେକ କାମ ସେମାନେ ନିଜ ହାତରେ କରୁଛନ୍ତି । ଏଗୁଡ଼ାକ ବାହାର କଥା । ମାତ୍ର ଏହି ସବୁ କିଛିର ମାଧ୍ୟମରେ ସେମାନେ ମଣିଷ ହୋଇ ତିଆରି ହେଉଛନ୍ତି; ସାହସୀ, ଉନ୍ନତ ଓ ସମ୍ମାନଯୋଗ୍ୟ ମଣିଷ ହୋଇ ତିଆରିହେଉଛନ୍ତି । ଆଗାମୀ ସମାଜରେ ମଣିଷର ଆଖି ଯେମିତି ହେବା ଉଚିତ, ଏମାନେ ଏଠାରେ ସେହିପରି ଏକ ଆଖିର କର୍ଷଣ କରୁଛନ୍ତି ।

 

ସେଦିନ ଭାବୁଥିଲି, ନବବାବୁ ଓ ମାଳତୀ ଦେବୀ କାହିଁକି ରାଜନୀତିରେ ପଶିଥିଲେ କେଜାଣି ? ଓଡ଼ିଶାର ରାଜନୀତିରେ ଅନେକ ବୁଢ଼ାଙ୍କ ଭିତରେ ଏହି ଦୁଇଜଣ ପିଲା ହୁଏତ କେବେହେଲେ ଖାପଖାଇ ପାରିନାହାନ୍ତି । ସେମାନଙ୍କର ଅସଲ ଘର ଏଇଠି; ଏଇ ବାଜିରାଉତ ଛାତ୍ରାବାସରେ । ଯେତେବେଳେ ଛାତ୍ରାବାସ ଆରମ୍ଭ ହେଲା, ସେତେବେଳେ ଦୁଇଜଣ ପିଲା ଏହାକୁ ଆରମ୍ଭ କରିଥିଲେ । ସେହି ଦୁଇଜଣଯାକ ପିଲା ଏବେ ବି ଏଠି ଅଛନ୍ତି । ବୟସ ଅନେକ ହୋଇଗଲାଣି, ଶରୀର ପାଚିଲା ଫଳ ପରି ହୋଇଆସିଲାଣି; ତଥାପି ସେମାନେ ପିଲାହୋଇ ରହିଛନ୍ତି, ପିଲାଙ୍କ ସହିତ ଗୀତ ଗାଉଛନ୍ତି, ନାଚୁଛନ୍ତି, ସେମାନେ ପିଲାଙ୍କ ସହିତ ପିଲା ହୋଇ ରହିଛନ୍ତି । ଭୁବନେଶ୍ୱରରେ ଅନେକ ବୁଢ଼ା ସବୁ ଉଜୁଡ଼ିଯାଉଥିବା ସମୟରେ ନିଜପାଇଁ କୋଉଠି ଆସନଟିଏ କି ଜାଗା ଅରାଏ କାମୁଡ଼ି ରଖିବାକୁ ବିକଳ ହୋଇ ଧାଉଁଥିବାବେଳେ ଏମାନେ ତଥାପି ପିଲାଟିପରି ଭବିଷ୍ୟତ ଭିତରେ ଅଛନ୍ତି । ସେମାନେ ନିଜ ଘରେ ରହିଛନ୍ତି ।

 

୨୭ । ୦୩ । ୮୦

☆☆☆

 

ମୁଣ୍ଡିଆମାରି ଭିତରକୁ ଯିବା

 

ସେଦିନ ଗୁପ୍ତେଶ୍ୱର ଯିବା ବାଟରେ ଆମେ ବଇପାରିଗୁଡ଼ାଠାରେ ଜିପ୍ ଅଟକାଇ ରହିଥିଲୁ । ସଂଯୋଗବଶତଃ ଆମ ଜିପ୍ ଠିକ୍ ଡାକ୍ତରଖାନା ଆଗରେ ହିଁ ଠିଆହୋଇଥାଏ । ସାଇନ୍‌ବୋର୍ଡଟା ଲାଗିଥିବାରୁ ହିଁ ଯାହା ସେଇଟାକୁ ଡାକ୍ତରଖାନା ବୋଲି ଚିହ୍ନିବା କଥା; ନହେଲେ ହତା ଭିତରୁ ଡାକ୍ତରଖାନା ବୋଲି ଦେଖାଯାଉଥିବା ଘରଟା ବଇପାରିଗୁଡ଼ାର ଅନ୍ୟ ଯେ କୌଣସି ସରକାରୀ ଘର ପରି ଦେଖାଯାଉଛି । ସାଇନବୋର୍ଡଗୁଡ଼ାକ ନଥିଲେ କିଏ ଥାନା କିଏ ଡାକ୍ତରଖାନା ସେ କଥା ଚିହ୍ନିବାର ହୁଏତ କୌଣସି ଉପାୟ ନଥାନ୍ତା ।

 

ଡାକ୍ତରଖାନାରେ ଏତେ ବଡ଼ ଗୋଟାଏ କାଠର ଫାଟକ । ଦୁଇଟା କେଡ଼େ ଉଚ୍ଚ କାଠ ଖୁଣ୍ଟ, ସେଇଥିରେ କାଠଫାଟକ ଲାଗିଛି । ଏତିକିବେଳେ ଜଣେ ଆଗନ୍ତୁକ ସେହି ଫାଟକ ଭିତରେ ପ୍ରବେଶ କଲେ । ମୁଣ୍ଡରେ ଜୁଡ଼ା ପରାହୋଇଛି, କାନରେ ପିକା ଖୋସାହୋଇଛି । ବାଆଁ ହାତରେ ଡୋର ବନ୍ଧାହୋଇ ଲଟକିଥିବା ଶିଶିଟିଏ ଓ ଆର ହାତରେ ବାଡ଼ିଖଣ୍ଡ । ଆଗନ୍ତୁକ ଜଣେ ଆଦିବାସୀ; ଡାକ୍ତରଖାନାରୁ ଓଷୁଅ ନେବାକୁ ଆସିଛନ୍ତି । ଭିତରକୁ ପ୍ରବେଶ କରିବା ପୂର୍ବରୁ ସିଏ ଆଗ ବାଡ଼ିଟିକୁ ଓ ଶିଶିଟିକୁ ତଳେ ଥୋଇଲେ । ତା’ପରେ ନିଜର ଦୁଇ ହାତରେ ଖୁଣ୍ଟଟିକୁ ଆବୋରି ଧରି ସେଇ ଖୁଣ୍ଟଟି ଉପରେ ମୁଣ୍ଡିଆଟିଏ ମାରିଲେ । ତାପରେ ବାଡ଼ି ଓ ଶିଶିକୁ ହାତରେ ଧରି ଭିତରକୁ ଗଲେ ।

 

ପାଖରେ ବସିଥିବା ଦେଖଣାହାରୀ ବନ୍ଧୁମାନେ କହିଲେ, ସବୁ ଆଦିବାସୀ ଠିକ୍ ଏହିପରି କରନ୍ତି । ଡାକ୍ତରଖାନାରୁ ସେ ଯେଉଁ ଔଷଧ ନେବାକୁ ଆସିଛି, ତାକୁ ଖାଇ ତା ଘରେ ପଡ଼ିଥିବା ରୋଗୀ ଆହୁରି ତେଣିକି ତେଣିକି ନଯାଇ ପୁନର୍ବାର ଏ ପାଖକୁ ଫେରିଆସୁ—ଔଷଧକୁ, ଡାକ୍ତରକୁ ଓ ଡାକ୍ତରଖାନାକୁ ଭୟ କରୁଥିବା ଆଦିବାସୀ ଫାଟକପାଖରେ ମୁଣ୍ଡିଆ ମାରି ତାର ଚିହ୍ନା ଡୁମ୍ବାକୁ ସେହି କଥାଟି ଜଣାଇଥାଏ । ଆଗ ମାଗୁଣି ଜଣାଇ ତା’ପରେ ଭିତରକୁ ଯାଏ ।

 

ଏଠି କଟକରେ ଆଉ ଭୁବନେଶ୍ୱରରେ ବି ଆମେ ସମସ୍ତେ ସେମିତି ମୁଣ୍ଡିଆ ମାରି ଡାକ୍ତରଖାନା ଭିତରକୁ ଯାଉଥାନ୍ତେ । ତେବେ ଡାକ୍ତର ବା ଡାକ୍ତରଖାନା କେହି ଆମର ସହାୟ ନହେଲେ ମଧ୍ୟ ହୁଏତ ସ୍ଵୟଂ ଠାକୁର ଆମ ଉପରେ ଟିକିଏ ଦୃଷ୍ଟି ରଖି ପାରୁଥାନ୍ତେ ।

 

୦୭ । ୦୫ । ୮୦

☆☆☆

 

କୁଳପତି କହିଲେ

 

କୁଳପତି କହିଲେ, ବିଶ୍ୱବିଦ୍ୟାଳୟର ଅଧିକାଂଶ ପିଲା ହେଉଛନ୍ତି ଭଲପିଲା । ସେମାନଙ୍କର ମନ ଭଲମନ, ସେମାନଙ୍କର ଦୃଷ୍ଟି ସୁସ୍ଥ-ଦୃଷ୍ଟି । ସେମାନେ ପ୍ରକୃତରେ ପାଠପଢ଼ି କିଛି ସମ୍ପଦ ହାସଲ କରିବାକୁ ଚାହାନ୍ତି, ସେମାନେ ଆପଣା ଆପଣାର ଜୀବନକୁ କ’ଣ ବା କ’ଣ ଗୋଟାଏ କରି ଗଢ଼ିବାକୁ ଚାହାନ୍ତି । କିନ୍ତୁ ଏହି କୁଳରେ ଅଳ୍ପ କେତେଜଣ ଏମିତି ଖରାପ ପିଲା ଅଛନ୍ତି, ଯେଉଁମାନଙ୍କର ଦୁର୍ବୃତ୍ତି ଫଳରେ ହିଁ ବିଶ୍ୱବିଦ୍ୟାଳୟର ହାଉଆ ଖରାପ ହୋଇଯାଉଛି, ସବୁକିଛି ବିଗିଡ଼ିଯାଉଛି ।’’ କୁଳପତି କୁଳରେ ବସିଥିବା ସମୟରେ ହିଁ ଏହି କଥାଗୁଡ଼ିକୁ କହୁଥିଲେ ।

 

ଆମ ସମାଜରେ ଶିକ୍ଷିତମାନଙ୍କ ଭିତରେ ସତର୍କ ମଣିଷ ଅନେକ ସଂଖ୍ୟାରେ ଅଛନ୍ତି । ହୁଏତ ଭିତରେ ଭୀରୁ ହୋଇଥିବାରୁ ହିଁ ସେମାନେ ଉପରେ ସତର୍କ ହୋଇ ରହିବାକୁ ଏକ ଧର୍ମଗତ ଆବଶ୍ୟକତା ବୋଲି ଗ୍ରହଣ କରିନେଇଛନ୍ତି । ଭୀରୁ ମଣିଷମାନେ ଆଗ ନିଜ କଥା ଭାବନ୍ତି, ଅଥବା ଯେଉଁମାନେ ଏକ ସ୍ୱତନ୍ତ୍ର ପ୍ରଭାବର ବଶବର୍ତ୍ତୀ ହୋଇ କେବଳ ନିଜ କଥା ଭାବନ୍ତି, ସେମାନେ ଏକ ସହଜ ବିଧାନର କବଳରେ ପଡ଼ି କ୍ରମଶଃ ଭାରି ଭୀରୁ ହୋଇଯାଆନ୍ତି । ଭୀରୁ ମଣିଷ ଆପଣାର ସବୁ ବିଶ୍ୱାସକୁ ବିଦାରି ଖାଇପକାଇଥାଏ । ଭଲ ଉପରେ ଆଉ କୌଣସି ବିଶ୍ୱାସ ରହେ ନାହିଁ । ଅବିଶ୍ଵାସୀ ସଂସାରରେ କେବଳ ଆପଣାଟିକୁ ଜଗି କରି ନେଲେ ପାରିହୋଇଯିବାଟା ହିଁ ସେତେବେଳେ ଶାସ୍ତ୍ରାନୁମୋଦିତ ବୋଲି ମନେହୁଏ ।

 

କୁଳପତି ଭଲ ଉପରେ ବିଶ୍ୱାସ ରଖିଛନ୍ତି । ବିଶ୍ଵବିଦ୍ୟାଳୟର ଅଧିକାଂଶ ପିଲାଙ୍କର ମନ ଭଲ ବୋଲି କହୁଛନ୍ତି । ଆମ ମରୁବିହାରମାନଙ୍କରେ ସେତିକି ବି କମ୍ ଆଶାର କଥା ନୁହେଁ । ଏଡ଼େ ବଡ଼ ବଡ଼ କୋଠା, ଏଡ଼େ ବଡ଼ ବଡ଼ ପିଚୁ ରାସ୍ତା, ପିଲାମାନଙ୍କର ଆବାସ ବୋଲି କହି ତିଆରି ହୋଇଥିବା ଏଡ଼େ ବଡ଼ ବଡ଼ ପିଞ୍ଜରା, ଗ୍ରନ୍ଥାଗାର ବୋଲି କୁହାଯାଉଥିବା ବହି ଗୁଡ଼ାକର ଏଡ଼େ ବଡ଼ ବଡ଼ ଗଦା ଓ ଅଧ୍ୟାପକ ବା ସାର୍‍ ବୋଲି କୁହାଯାଉଥିବା ଏଡ଼େ ବଡ଼ ବଡ଼ ବାବୁ, ଏଠି ହୁଏତ ସବୁ ଅଛି । ମାତ୍ର ମଣିଷସୁଲଭ ବିଶ୍ୱାସ ନାହିଁ । ଏଠି ହୁଏତ କେହିହେଲେ ମଣିଷକୁ ତାର ଅତ୍ୟାବଶ୍ୟକ ଅସଲ ସଂଖ୍ୟାଗୁଡ଼ିକୁ ଯୋଗାଇଦେବାକୁ ମୋଟେ ରାଜି ନୁହଁନ୍ତି । ସେଇଥିଲାଗି କୋଠାଗୁଡ଼ାକ ପଡ଼ିଆ ପଡ଼ିଛି, ସମ୍ବନ୍ଧଗୁଡ଼ାକ ଗୋଟା ସୁଦ୍ଧା ପଡ଼ିଆ ହୋଇଗଲା । ପାଠଗୁଡ଼ାକ ତାରୁଣ୍ୟ ହରାଇ ତୁଚ୍ଛା ଆଡ଼ମ୍ବର ଭିତରେ କୋଉଦିନ ପଡ଼ିଆ ହୋଇସାରିଲେଣି । ସମସ୍ତେ ହାଉଆଗୁଡ଼ାକୁ ଦୋଷ ଦେଉଛନ୍ତି; କିନ୍ତୁ ଶିକ୍ଷାଦ୍ୱାରା ଯେ ହାଉଆ ବି ବଦଳିଯାଏ, ଶ୍ରଦ୍ଧାଦ୍ୱାରା ଯେ ପଡ଼ିଆଗୁଡ଼ାକ ନୂତନ ଶ୍ୟାମଳତା ଓ ସଜୀବତାରେ କଅଁଳିଉଠେ, ସେହି ପାଠଟିକୁ ଆମକୁ କିଏ କେଉଁଦିନ ଯାଇ ପଢ଼ାଇବାକୁ ଆସିବ ? ସେଦିନ କୁଳପତିଙ୍କର ଜୁଳୁଜୁଳୁ ସାନ ଆଖିଗୁଡ଼ିକ ଆଡ଼କୁ ଅନାଉଁ ଅନାଉଁ ମୋର ତାଙ୍କୁ ଏହି ପ୍ରଶ୍ନଟି ପଚାରିବାକୁ ଭାରି ମନହେଉଥିଲା ।

 

୨୮ । ୦୩ । ୮୦

☆☆☆

 

ଗୁପ୍ତେଶ୍ଵରଙ୍କ ଗୁପ୍ତକଥା

 

କୋରାପୁଟର ବଇପାରିଗୁଡ଼ାଠାରୁ ପ୍ରାୟ କୋଡ଼ିଏ ମାଇଲ ଅଖାଡ଼ୁଆ ରାସ୍ତା ପାରହୋଇଯିବା ପରେ ଆମର ଜିପ୍ ହଠାତ୍ ଗୋଟାଏ ଜାଗାକୁ ଆସି ଅଟକିଗଲା । ଆଗକୁ ରାସ୍ତା ନାହିଁ, ଅର୍ଥାତ୍ ପାହାଡ଼ କଟାହୋଇ ରାସ୍ତାକୁ ଚଉଡ଼ା କରାଯାଇଛି । ଆମେ ପ୍ରାୟ ଅଧଘଣ୍ଟାଏ ବାଟ ଚାଲିକରି ଶେଷରେ ଗୁପ୍ତେଶ୍ଵରଙ୍କ ପାହାଚ ପାଖରେ ଯାଇ ପହଞ୍ଚିଲୁ ।

 

ଘଞ୍ଚ ଜଙ୍ଗଲ ଭିତରେ ଗୁପ୍ତେଶ୍ୱରଙ୍କର ଆସ୍ଥାନଟି ପାଖରେ ଆସି ପହଞ୍ଚିଲାବେଳକୁ କ୍ଳାନ୍ତ ଦେହ ତତ୍‌କ୍ଷଣାତ ଶୀତଳ ହୋଇଗଲା । ‘ଗୁପ୍ତେଶ୍ୱର’ କହିଲେ ଗୋଟାଏ ଗୁମ୍ଫା, ନାନା ଓସାରିଆ ଓ ଅଣଓସାରିଆ ଗଳି ଓ ଫାଙ୍କ ଦେଇ ତାହା ଭିତର ଆଡ଼କୁ କେତେ କୁଆଡ଼େ ବିସ୍ତୁତ ହୋଇ ରହିଛି । ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ କାରଣରୁ ଅନେକ ସ୍ଥାନରେ ଯାହା ହୋଇଥାଏ, ନୀରସ ପଥରଗୁଡ଼ାକ କ୍ଷୟ ହୋଇଯାଇଥିବାରୁ ଶକ୍ତ ପଥରଗୁଡ଼ିକ କୋଉଠି ତଳୁ ଗୋବ ହୋଇ ବାହାରିଛି ଅଥବା ଉପରୁ ଗୋବ ହୋଇ ଓହଳିରହିଛି । ସେଇଥିରୁ ଗୋଟିଏ ଟାପୁକୁ ଶିବଲିଙ୍ଗ ବୋଲି କୁହାଯାଉଛି ଏବଂ ତାଙ୍କୁ ସଖ୍ୟ ଯୋଗାଇଦେବାଲାଗି ପୂଜାରୀମାନେ ପାର୍ବତୀ ଓ ବୃଷଭ ସମେତ ଶିବଙ୍କ ସାହିର ଆଉ ସମସ୍ତଙ୍କୁ ସେଠାରେ ଆଣି ଜମାକରି ରଖିଛନ୍ତି । ଭକ୍ତମନକୁ ତାହା ପ୍ରକୃତରେ କେଡ଼େ ଘଟଣ ଲାଗୁଛି । ସିଏ କୋଉଠି ହାତୀଖୋଜ ଦେଖୁଛି ତ କେଉଁଠି କପିଳା ଗାଈର ଚୀରଗୁଡ଼ିକୁ ବି ଦେଖୁଛି-

 

ସବୁଟି ପଛକୁ ଗୋଟିଏ କାହାଣୀ ଖଞ୍ଜିଦିଆଯାଇ ତୀର୍ଥୋପନ୍ୟାସର ରଚନା ହୋଇଛି; ଜଣେ ସାଧୁ ତପସ୍ୟା କରୁଥିଲେ, ତାଙ୍କୁ ଗାଈଆଳ ପିଲାମାନେ ଦେଖିଲେ, ଦଉଡ଼ିଯାଇ ରାଜାଙ୍କୁ କହିଲେ, ତା’ପରେ ରାଜା ଆସିଲେ ଓ ସେଇ ମାଣ ସବୁ ପୂରାଇ ତୀର୍ଥଟିଏ ଥାପନା କଲେ । ଏବେ ସେଠି ଶିବରାତ୍ରି ମେଳା ବସୁଛି; ଜୟପୁରଠାରୁ ସରକାରୀ ବସ୍ କରିବାର ବି ବ୍ୟବସ୍ଥା ହେଉଛି ।

 

ଆହୁରି ଖୋଜେ ଆଗକୁ ଗଲେ ଓଡ଼ିଶା ସରିଛି; ମଧ୍ୟପ୍ରଦେଶ ଆରମ୍ଭ ହୋଇଛି । ମଝିରେ ତମସା ନଦୀ ଦଣ୍ଡକାରଣ୍ୟର ରୁଦ୍ର-କାନ୍ତ ଭୂଇଁକୁ ଘୁ-ଘୁ କମ୍ପାଇ ପ୍ରପାତଟିଏ ହୋଇ ବହିଯାଉଛି । ଏଇ ଚଳନ୍ତା ପାଣିରେ ଲମ୍ବା ହୋଇ ଶୋଇପଡ଼ି ମନର ସବୁ ସନ୍ତାପକୁ ଧୋଇଦେବାବେଳକୁ ଗୁପ୍ତଶ୍ୱେର ଆଉ ମୋଟେ ମନେପଡ଼ୁନଥିଲେ । ଜନନୀର ଅଞ୍ଚଳସ୍ପର୍ଶ ସବୁ ଭୂତଙ୍କୁ ଯେପରି କୁଆଡ଼େ ଝାଡ଼ିନେଇ ଧନ୍ୟ କରିଦେଇଯାଉଥିଲା ।

 

୦୩ । ୦୫ । ୮୦

☆☆☆

 

ପୂଜ୍ୟପୂଜାର ଘୋର ଅଭାବ

 

ସେଦିନ ବକ୍ତା ଭାରି ଦୁଃଖ କରି କହିଲେ, ବର୍ତ୍ତମାନ ଓଡ଼ିଶାରେ ପୂଜ୍ୟପୂଜାର ଘୋର ଅଭାବ ପରିଲକ୍ଷିତ ହେଉଛି । ସିଏ ଭାବୁଥିଲେ, ଏହି ଅଭାବଟିକୁ ଦୂର କରିବା ନିମନ୍ତେ ସାହିତ୍ୟିକମାନଙ୍କର ଏକ ସ୍ୱତନ୍ତ୍ର କର୍ତ୍ତବ୍ୟ ରହିଛି ।

 

ଆଗେ ପୂଜାମାନେ ଥିଲେ, ପୂଜା ନ ଥିଲା । କାରଣ ସେତେବେଳେ ଖବରକାଗଜମାନେ ବି ନଥିଲେ । ଏବେ ଖବରକାଗଜରେ ଯେତେ ଯେତେ ପୂଜାର ପୃଥୁଳ ସମ୍ବାଦମାନ ବାହାରୁଛି, ସେ ସବୁ ସତ୍ତ୍ୱେ ବକ୍ତା ପୂଜ୍ୟପୂଜାର ଏଠି ଘୋର ଅଭାବ ରହିଛି ବୋଲି କାହିଁକି ଯେ କହିଲେ, କିଛି ବୁଝିହେଉନାହିଁ । ।

 

ଏବେ ତ ଉତ୍ସାହୀ ପୂଜାକାରୀମାନେ ଖୋଜିକରି ମଧ୍ୟ ପୂଜ୍ୟମାନଙ୍କୁ ଆବିଷ୍କାର କରିବାରେ ଲାଗିଛନ୍ତି । ଜୟନ୍ତୀମାନ ପାଳନ କରାଯାଉଛି, ଆମେମାନେ ଯେଉଁ ମହାନ୍‌ ବ୍ୟକ୍ତିଙ୍କୁ ଆବିଷ୍କାର କରି ଆସନ ଉପରେ ଥାପିଛୁ, ସିଏ ଯେ କାହିଁକି ପୂଜ୍ୟ ଓ ଏପରିକି ଅନ୍ୟାନ୍ୟ ଅନେକଙ୍କଠାରୁ ସିଏ କାହିଁକି ଯେ ଆଗ ପୂଜ୍ୟ ନ ହେବେ, ଆମେ ସେଗୁଡ଼ାକର ଗାନ କରୁ କରୁ ରାତି ପାହିଯାଉଛି । ହଁ, ଏବେ ଆମ ସରକାରମାନେ ମଧ୍ୟ ଖୋଜି ଖୋଜି ଜନମତ ସଂଗ୍ରହ କରି ପୂଜ୍ୟମାନଙ୍କର ବାର୍ଷିକ ତାଲିକାମାନ ପ୍ରସ୍ତୁତ କଲେଣି ଓ ସେମାନଙ୍କୁ ଉପାୟମାନ ପ୍ରଦାନ କଲେଣି-। ଉପାୟନ ପ୍ରଦାନ କରିବାର ଉତ୍ସବଗୁଡ଼ାକ ମଧ୍ୟ ଏବେ କମ୍ ମନୋଲୋଭା ହେଉନାହିଁ ।

 

ବେଳେବେଳେ ଆମେ ନିଜେ ମଧ୍ୟ ପୂଜା ତାଲିକାରେ ଅନ୍ତର୍ଭୁକ୍ତ ହେବାକୁ କିଛି କମ୍ ଉଦ୍ୟମ କରୁନାହୁଁ । ବାର୍ଷିକ ପାରିତୋଷିକମାନ ଆମେ କାହିଁକି ନ ପାଇବୁ, ସେଥିଲାଗି ଆମେ ଭୁବନେଶ୍ୱରଠାରୁ ଦିଲ୍ଲୀଯାଏ ବି ଦଉଡ଼ିଯିବାକୁ ମନକଲୁଣି । ଆମ ଭିତରୁ ଯେଉଁମାନେ ଚତୁର, ସେମାନେ ହୁଏତ ଅଧିକ ମନ କଲେଣି । ପୂଜାକରୁଥିବା ଲୋକଗୁଡ଼ାକ ମଧ୍ୟ ଏହିସବୁ କଥାକଥିତ ପୂଜ୍ୟପୂଜାର ଆୟୋଜନ କରି ଆପଣାକୁ ପୂଜ୍ୟ ରୂପେ ଉପସ୍ଥାପିତ କରାଯାଇପାରିବ ବୋଲି ଅଳ୍ପ-ବହୁତ ବୁଝିପାରିଲେଣି ।

 

ପୂଜାଗୁଡ଼ାକ ବନ୍ଦହୋଇଗଲେ ପୂଜ୍ୟମାନେ ବୋଧହୁଏ ବଳେବଳେ ବାରିହୋଇପଡ଼ନ୍ତେ । ଫଟୋଗୁଡ଼ାକ ନ ବାହାରିଲେ ବୋଧହୁଏ ଫଟୋରୁ ହିଁ ମଣିଷକୁ ଚିହ୍ନିବାର ଆମର ଯାବତୀୟ ବ୍ୟାଧି ଭଲହୋଇଯାଆନ୍ତା ଏବଂ ଯେଉଁମାନେ ଆପଣାର ଫଟୋଦ୍ୱାରା ନିଜକୁ ହିଁ ଚିହ୍ନାଇବାର କେତେ ଶ୍ରମ କରିବାରେ ଲାଗିଛନ୍ତି ବା ଆୟୋଜିତ ପୂଜାଗୁଡ଼ାକରୁ ଆପଣାକୁ ପୂଜ୍ୟ ବୋଲି ମନେକରିବାର ଭ୍ରମରେ ପଡ଼ିଯାଇଛନ୍ତି, ସେମାନେ ବି ଭାରି ପରିଷ୍କାର ଭାବରେ ଜଣାପଡ଼ିଯାଆନ୍ତେ । ହୁଏତ ତା’ପରେ ଯାଇ ଆନ୍ତରିକତାରୁ ହିଁ ପୂଜା ବୋଲି କୁହାଯାଆନ୍ତା, ଆତ୍ମୀୟତାକୁ ହିଁ ଧର୍ମାଚରଣ ବୋଲି କୁହାଯାଆନ୍ତା ଏବଂ ସେତେବେଳେ ଟିକିଏ ପ୍ରଶଂସା ପାଇବାଲାଗି ଜଣେ ଜଣେ ମଣିଷ ଏମିତି ଝାଳଲାଳ ହୋଇଯାଆନ୍ତେ ନାହଁ । ସେତେବେଳେ ବୁଢ଼ାମାନେ ଭାରି ସହଜରେ ଧରାପଡ଼ିଯାଆନ୍ତେ, ଭାବପ୍ରବଣତାର ଯାବତୀୟ କଉଶଳ ଧରାପଡ଼ିଯାଆନ୍ତା ।

 

ତା.୩୦ । ୦୩ । ୮୦

☆☆☆

 

ଦୁର୍ବଳକୁ ରକ୍ଷାକରନ୍ତୁ

 

ଦୁର୍ବଳକୁ ରକ୍ଷା କରନ୍ତୁ, ସାହାଯ୍ୟ କରନ୍ତୁ । ହରିଜନ ଓ ଅନ୍ୟାନ୍ୟ ଶ୍ରେଣୀ ଉପରେ ଆକ୍ରମଣ ଆମର ସମାଜ ପ୍ରତି କଳଙ୍କ ଅଟେ । ଏସବୁ ଘଟଣା ଆମର ପ୍ରଗତିପଥରେ ବାଧା ସୃଷ୍ଟି କରେ—ଖବରକାଗଜରେ ଏସବୁ ଯେଉଁ କଥା ଏବେ ପ୍ରତିଦିନ ବାହାରୁଛି, ଏଗୁଡ଼ାକ ବିଜ୍ଞାପନ; ଏଗୁଡ଼ାକ ହେଉଛି ସବଳମାନଙ୍କର କଥା ।

 

ଭାରତବର୍ଷରେ ଏସବୁ କଥା ଇତିହାସର ଆଦିକାଳରୁ କୁହାହୋଇଆସିଛି । ଏସବୁ କଥା ସବଳମାନେ କହିଆସିଛନ୍ତି ଏବଂ ହୁଏତ ସେଇଥିଲାଗି ଏହି ଦେଶରେ ଯୁଗେ ଯୁଗେ ଦୁର୍ବଳମାନଙ୍କ ଉପରେ ସବଳମାନେ ଅତ୍ୟାଚାର କରିଆସିଛନ୍ତି; ଏବେ ମଧ୍ୟ କରୁଛନ୍ତି । ଦୁର୍ବଳମାନଙ୍କୁ ସବଳମାନେ କଦାପି ରକ୍ଷାକରନ୍ତି ନାହିଁ । ଯେଉଁ ସମାଜରେ କେତେ ମଣିଷ ଯେକୌଣସି ଉପାୟରେ ସବଳ ହୋଇ ରହିବାକୁ ଇଚ୍ଛା କରୁଥାନ୍ତି, ସେଠି ସେମାନେ ଯେତେ ଯାହା ଦୟା ଦେଖାଇଲେ ବା ଯେତେ ଯାହା ରକ୍ଷାକରି ବାହାରିଲେ ମଧ୍ୟ ତଥାପି ଦୁର୍ବଳର ଦୁର୍ଗତି ଯାଏନାହିଁ ।

 

କାରଣ ଦୁର୍ବଳ ଯେ ଜଣେ ମଣିଷ, ସେ କଥା ତାକୁ କେହି କେବେ କହନ୍ତି ନାହିଁ । ତାକୁ ସେପରି କହିବାକୁ ସଂପୃକ୍ତ ସମସ୍ତେ ଭୟକରନ୍ତି । ତେଣୁ ଟଙ୍କା ଖରଚ କର ଖବରକାଗଜରେ ଅନ୍ୟ ବିଜ୍ଞାପନମାନ ଦିଅନ୍ତି । ଇତିହାସର ଅସଲ ମୁହୂର୍ତ୍ତଗୁଡ଼ାକ ଟାଳିଦେବାରେ ଲାଗିଥାନ୍ତି । ଦୟା ଦେଖାଇବାର ଫନ୍ଦାଗୁଡ଼ାକ ଲାଗିରହିଥିବା ପର୍ଯ୍ୟନ୍ତ ସବଳ ଆହୁରି ଅଧିକ ଭୟାଳୁ ଓ ତେଣୁ ଆହୁରି ଅଧିକ ଅବିବେକ ହେବାରେ ଲାଗିଥାଏ । ଦୁର୍ବଳ ଅଧିକ ଅକିଞ୍ଚନ ଓ ତେଣୁ ଅଧିକ ଦୟାର ହକ୍‌ଦାର ବି ହେବାରେ ଲାଗିଥାଏ । ଗୋଟାଏ ପାଖ ନଖେ ଛାଡ଼େନାହିଁ; ଆର ପାଖରେ ନିଦ ବି ଭାଙ୍ଗେନାହିଁ ।

 

ମହାତ୍ମା ଗାନ୍ଧୀ କହିଥିଲେ, ସମାଜରେ ଗୁଣ୍ଡାମୀ ସହିବା ଲାଗି ଲୋକମାନେ ରହିଥାନ୍ତି ବୋଲି ସମାଜରେ ଗୁଣ୍ଡା ରହିଥାନ୍ତି । ଏହି ଗୁଣ୍ଡାମାନେ କଦାପି ଦୁବର୍ଳର ରକ୍ଷା କରନ୍ତି ନାହିଁ । ସେମାନଙ୍କର ହୃଦୟ ପରିବର୍ତ୍ତନ ହେଲେ ସମାଜରୁ କେବେହେଲେ ଗୁଣ୍ଡାମୀ ଯାଏନାହିଁ । ଗୁଣ୍ଡାମୀ ସହୁଥିବା ଦୁର୍ବଳ ମଣିଷ ଆପଣାକୁ ମଣିଷ ବୋଲି ଆବିଷ୍କାର କରିପାରିଲେ ତା’ର ଯଥାର୍ଥ ଦୁଃଖ ଯାଏ, ଯଥାର୍ଥ ଆଖି ଫିଟେ । ସବଳ ହୁଏତ ସେଇଥିରୁହିଁ ଆପଣାକୁ ମଣିଷ ବୋଲି ଅନୁଭବ କରିବାର ଜ୍ଞାନ ପାଏ । ସବଳ ଦୁର୍ବଳ ଉଭୟଙ୍କର ଲୋପ ହୁଏ ।

 

୨୯ । ୦୪ । ୮୦

☆☆☆

 

ବିକ୍ଷୋଭ ହାଣ୍ଡିରୁ କେତୋଟି ଭାତ

 

ରାଜଧାନୀରେ ଅସଲ ମାର୍ଗରେ ଅସଲ ଫାଟକଟିର ସାମନାରେ ବିରାଟ ବିକ୍ଷୋଭର ପ୍ରଦର୍ଶନ ହେବ ବୋଲି ଓଡ଼ିଶାର ଚାରିଆକୁ ଚଢ଼େଇମାନ ଅଡ଼ା ହୋଇ ଆସିଥିଲେ । ସେମାନେ ଅନେକ ଦିନରୁ ବରାଦ ହୋଇ ଅଣାହୋଇଥିଲେ । ସେଦିନ ରାଜଧାନୀରୁ ପୁରୀ ଯାଉଥିବାବେଳେ ବସ୍‌ରେ ମୁଁ ସେହିମାନଙ୍କ ମଧ୍ୟରୁ ପାଞ୍ଚଜଣଙ୍କର ଭେଟ ପାଇଲି ।

 

ଗପ ଜମିବା ପରେ ଯାଇ ସେମାନଙ୍କୁ ଜାଣିଲି । ଉତ୍ତରଓଡ଼ିଶାର ଏକ କଲେଜରୁ ସେମାନେ ରାଜଧାନୀକୁ ବିକ୍ଷୋଭରେ ଭାଗ ନେବାକୁ ଆସିଛନ୍ତି । ଠିକାଦାରମାନେ ସ୍ୱୟଂ ଯାଇ ଆଗରୁ ସେମାନଙ୍କୁ ଏହି ଦାଦନ-ଅଭିଯାନ ସକାଶେ ତାଲିକାଭୁକ୍ତ କରି ଆସିଥିଲେ । ବିକ୍ଷୋଭ ସେଇଦିନ ଦି’ପହରେ ହେବାକୁ ଆଏ । ଆଉ ଆମେ ସକାଳ ନଅଟାବେଳେ ପୁରୀ ଯାଉଥାଉ । ସାଙ୍ଗ ବାଟୋଇ ଏହି ପାଞ୍ଚଜଣଙ୍କ ଭିତରୁ ଦୁଇଜଣ ଏକ ବର୍ଷ କଲେକ ମାଡ଼ିଛନ୍ତି; ଆଉ ତିନିଜଣ ଦୁଇବର୍ଷ ହେଲା କଲେଜରେ ପାଠ ପଢିଲେଣି । ଏବେ ବି ଗାଉଁଲି ହାବଭାବ ଯାଇନାହିଁ । ଜଣେ ତ କଲେଜର ପିଲା ହାଇ ମଧ୍ୟ ହାଫ୍‌ପ୍ୟାଣ୍ଟ ପିନ୍ଧିଛନ୍ତି; କିନ୍ତୁ ରାଜଧାନୀକୁ ବିକ୍ଷୋଭ ପ୍ରଦର୍ଶନରେ ଭାଗନେବାକୁ ଆସିଛନ୍ତି, ଅଡ଼ା ହୋଇ ଆସିଛନ୍ତି । କଲେଜ ନିର୍ବାଚନରେ ସେମାନେ ଯେଉଁମାନଙ୍କୁ ଭୋଟ ଦେଇଥିଲେ ସେହିମାନେ ହିଁ ରାଜଧାନୀରୁ ଯାଇଥିବା ବରାଦ ଅନୁସାରେ ଏମାନଙ୍କୁ ଅଡ଼ାଇଆଣିଛନ୍ତି ।

 

ସେମାନଙ୍କଠାରୁ ଆହୁରି ଶୁଣିଲି, ସେମାନେ ବଡ଼ିଭୋରରୁ ଭୁବନେଶ୍ୱର ଷ୍ଟେସନରେ ଗାଡ଼ିରୁ ଓହ୍ଲାଇଲେ ଓ ସିଧା କେଦାରଗୋରୀ ଗଲେ । ନାଇଁ ନାଇଁ, ଡବାରୁ ଓହ୍ଲାଇ ଏମାନେ ଆଗ ଗୋଟାଏ ପଲରେ ଗୋଟାଏ ଜାଗାରେ ରୁଣ୍ଡହେଲେ । ଗୋଟିଏ ସ୍ୱରରେ ସ୍ଳୋଗାନ ଦେଲେ ଓ ବାହାରକୁ ବାହାରିଆସିଲେ । ଅର୍ଥାତ ଏମାନେ ଯେ ମୋଟେ ସାଧାରଣ ଯାତ୍ରୀ ନୁହନ୍ତି, ତାହାର ଘୋଷଣା କଲେ ଏବଂ ତେଣୁ କର୍ତ୍ତୃପକ୍ଷ ଏମାନଙ୍କୁ ଆଉ ଟିକେଟ ମାଗିଲେ ନାହିଁ ।

 

ଲିଙ୍ଗରାଜ ମନ୍ଦିର ଦର୍ଶନ କରିସାରି ଏମାନେ ବର୍ତ୍ତମାନ ପୁରୀ ଯାଉଛନ୍ତି । ସେଠି ଆଗ ସମୁଦ୍ରରେ ଯାଇ ଗାଧୋଇବେ, ତା’ପରେ ବଡ଼ଦେଉଳ ଦେଖିବେ, ବଡ଼ଦାଣ୍ଡରେ ବୁଲିବେ । ସାନ ସାନ ପୀଠଗୁଡ଼ିକୁ ବି ଯିବେ । ଅବଢ଼ା ଖାଇ ରାତିକୁ ଭୁବନେଶ୍ୱର ଫେରି ପଲରେ ମିଶିବେ ଓ ରାତିଗାଡ଼ି ଧରି ଗୃହାଭିମୁଖରେ ବାହୁଡ଼ିବେ । ମୋତେ ସ୍ପଷ୍ଟ କରି ବୁଝାଇଦେଲାପରି ତାଙ୍କରି ଭିତରୁ ଜଣେ ଉଜ୍ଜ୍ୱଳ ମୁହଁଟିଏ କରି କହିଲେ, ଆଜି ତ ବିକ୍ଷୋଭରେ ହଜାର ହଜାର କଲେଜ ଛାତ୍ର ଭାଗନେବେ । ତେଣୁ ଆମେ ସେଠାରେ ନାହୁଁ ବୋଲି ଜଣାପଡ଼ିବ କାହିଁକି ?

 

ମୋତେ ଅଜବ ଲାଗୁଥାଏ । ମୁଁ ପଚାରିଲି—ଆଜି କଣ ଆପଣମାନଙ୍କର କଲେଜ ବନ୍ଦ ହୋଇଥିବ ? କହିଲେ ପରା ଆପଣମାନେ ପ୍ରାୟ ଦୁଇ ଶହ ପିଲା ଏଣେ ଚାଲିଆସିଛନ୍ତି ! ଉତ୍ତର ମିଳିଲା—କଲେଜ ବନ୍ଦ ହେବ କାହିଁକି ? ଯୋଉମାନେ ଅଛନ୍ତି, ସେମାନଙ୍କୁ ନେଇ କଲେଜ ହେବ-। ହେଲେ, ଯେତେବେଳେ ଏତେ ପିଲା ଅନୁପସ୍ଥିତ ଅଛନ୍ତି, ସାର୍‌ମାନେ ଆଜି କ୍ଳାସରେ କୌଣସି ପାଠ ପଢ଼ାଇବେ ନାହିଁ ।

 

୦୨ । ୦୪୮ । ୮୦

☆☆☆

 

ଏକ ବିରୁଦ୍ଧରେ ଏକ

 

ଏଥର ଆଣ୍ଠୁଗଣ୍ଡି ଭାଙ୍ଗିଯାଇଥିବା ସମସ୍ତେ ଆଗାମୀ ନିର୍ବାଚନରେ ସେପଟର ଜଣକ ସାଙ୍ଗରେ ଲଢ଼ିବାଲାଗି ଏପଟରୁ କେବଳ ଜଣକୁ ଠିଆକରାଇବେ ବୋଲି ଫିକର ବିଚାର କଲେଣି । ଆମ ପୁରାଣରେ ଲେଖାଅଛି, ମହିଷାସୁରର ମାଡ଼ରେ ଆଣ୍ଠୁଗଣ୍ଠି ଭାଙ୍ଗିଯାଇଥିବା ଦେବତାମାନେ କୁଆଡ଼େ ଏକାଠି ମିଶି ଏକାବେଳକେ ଦଶଭୁଜା କରି ଆପଣା ପଟରୁ ଜଣକୁ ଠିଆକରାଇଥିଲେ । ତାଙ୍କୁ ନିଜ ନିଜର ଅସ୍ତ୍ରଶସ୍ତ୍ରରେ ଭୂଷିତ କରେ ରାକ୍ଷସ ପାଖକୁ ପଠାଇଥିଲେ । ସେହିମାନଙ୍କର ପୁରାଣରେ ଲେଖାହୋଇଛି ଯେ ତାହା ଫଳରେ ମହିଷାସୁର ମଲା; ସମସ୍ତଙ୍କର ମହତ ରହିଲା ।

 

ଏଥର ଜଖମ ହୋଇଯାଇଥିବା ଯେଉଁ ହାତ, ଗୋଡ଼, ପିଚା ଓ ଫଡ଼ିଆମାନେ ଏକାଠି ଗୋଟାଏ ଜୀବ ହୋଇ ସଂଗ୍ରାମ ଲଢ଼ିବାପାଇଁ ବାହାରିଛନ୍ତି, ସେମାନଙ୍କୁ କେବଳ ଦଶଭୁଜା ହିଁ ସାହା ହୋଇଥାନ୍ତୁ । ସେମାନେ ଯେତେ ଥର ପରାସ୍ତ ହେଲେ ମଧ୍ୟ ତଥାପି ଯେପରି ସେମାନଙ୍କର ବଳବହପ ନିତାନ୍ତ ଅଦମ୍ୟ ହୋଇ ରହିଥାଉ । ସେମାନେ ବାରବାର ଛିନ୍ନଛତ୍ର ହୋଇପଡ଼ିଲେ ମଧ୍ୟ ତଥାପି ବାରବାର ଗଅଁଠା–ଗଅଁଠି ହୋଇ ଏକ ବିରୁଦ୍ଧରେ ଏକ ହୋଇ ଠିଆହେବାର ଧୈର୍ଯ୍ୟ ଅଲବତ୍ ରଖିଥାନ୍ତୁ ।

 

ଭାରତବର୍ଷରେ ବର୍ତ୍ତମାନ ଯେଉଁମାନେ ଭୋଟ ଲଢ଼ୁଛନ୍ତି, ସେମାନେ ମୋଟେ ଦୁଇପଟ ନୁହନ୍ତି । ସେମାନେ ସେହି ଗୋଟାଏ ପଟର ଦୁଇଟା ଭେଶ । ଗୋଟାଏ ଗୀତାଭିନୟରେ ଇଏ ରାମ ଓ ସିଏ ମାରୀଚ ସାଜୁଛି ତ ଆଉ ଗୋଟାଏ ଗୀତାଭିନୟରେ ଇଏ ମାରୀଚ ଓ ସିଏ ରାମ ସାଜୁଛି । କେତେବେଳେ ଯେ କିଏ କୋଉ ପିଢ଼ା ଉପରୁ ରଙ୍ଗମଞ୍ଚ ଉପରକୁ ଲମ୍ପ ମାରି ଅବତରଣ କରୁଛି, ସେଗୁଡ଼ାକ ସାହି-ନୀତି ଅନୁସାରେ ହିସାବ କରି କହିହେଉଛି ସତ; ମାତ୍ର ରାଜନୀତିର ଓଳମ ଦ୍ୱାରା ମୋଟେ ବୁଝିହେଉନାହିଁ ।

 

ଆମେ ଏମାନଙ୍କୁ ନାନା ଭେଶ ହୋଇ ଲଢ଼ିବାପାଇଁ ଛାଡ଼ିଦେବା । ଏମାନେ ପିଇଥିବା ପଙ୍କଗୁଡ଼ାକ ସେମାନଙ୍କର ପେଟରୁ ସଂପୂର୍ଣ୍ଣ ଭାବରେ ବାହାରି ସବୁ ଜଣାପଡ଼ିବା ପର୍ଯ୍ୟନ୍ତ ଏମାନେ ଏମିତି ଲଢ଼ୁଥାନ୍ତୁ । କାଳର ବିଷଗୁଡ଼ାକ ଏମିତି କଟି କଟି ଯାଉଥାଉ ।

 

୨୫ । ୦୪ । ୮o

☆☆☆

 

ସାନ ମୁଣ୍ଡରେ ବଡ଼ ବୁଦ୍ଧି

 

ଆଗେ ପିଲାଏ ଖାଲି ଭିକ ମାଗୁଥିଲେ । ଦାନ୍ତକୁ ଦେଖାଇ, ପେଟକୁ ବାହାର କରି ଖାଲି ମାଗୁଥିଲେ, ଦୁଆର ଦୁଆର ବୁଲି ମାଗୁଥିଲେ, ରେଳ ମଟରରେ ବି ମାଗୁଥିଲେ । ଆମେ କହୁଥିଲୁ, ସେମାନଙ୍କ ବାପ ମାଆ ସେମାନଙ୍କୁ ଏହି ପିଲାଦିନରୁ ଭିକମଗା ଶିଖାଇ ସେମାନଙ୍କୁ ପ୍ରକୃତରେ ଭାରି ଖରାପ କରିଦେଉଛନ୍ତି ।

 

ଏବେ ବି ପିଲା ଭିକ ମାଗୁଛନ୍ତି । ଆମକୁ ଦୟା ଦେଖାଇବା ବା ନଦେଖାଇବାର ସମ୍ମୁଖୀନ କରାଉଛନ୍ତି । ତଥାପି ଏବେ ବ୍ୟତିକ୍ରମ ବାହାରିଲେଣି । ପାହାନ୍ତା ଗାଡ଼ିମାନଙ୍କରେ ଭଦ୍ରଖଠାରୁ ଜଟଣୀ ପର୍ଯ୍ୟନ୍ତ ଯେଉଁମାନେ କେଡ଼େ ଫୂର୍ତ୍ତିରେ ଦାନ୍ତକାଠି ଆଉ ଗୁଡ଼ାଖୁ ବିକ୍ରି କରନ୍ତି, ସେମାନେ ସମସ୍ତେ ପିଲା । ସେମାନେ ଏପରି କରି କୌଣସି ବ୍ୟବସାୟ କରୁଛନ୍ତି ବୋଲି କଦାପି କୁହାଯାଇପାରିବନାହିଁ । କିନ୍ତୁ ଅନ୍ୟ ପକ୍ଷରେ ସେମାନେ ଭିକ ମାଗୁଛନ୍ତି ବୋଲି ବି କୁହାଯିବନାହିଁ-

 

ଏବେ ଜଣେ ଜଣେ ପିଲା ରେଳଗାଡ଼ିରେ ଡବାଗୁଡ଼ିକୁ ସଫା କରି ଯାତ୍ରୀମାନଙ୍କଠାରୁ ପଇସା ମାଗୁଛନ୍ତି । ବେଶଗୁଡ଼ାକ ଗୋଟାସୁଦ୍ଧା ଭିକାରିର ବେଶ । ଜୀବନଗୁଡ଼ାକ ଗୋଟାସୁଦ୍ଧା ଅରକ୍ଷିତ ଜୀବନ । ମୋଟେ ଦଶବର୍ଷ, ତଳେ ଏହି ବୟସର ପିଲାମାନେ ହୁଏତ ଖାଲି ଭିକ ମାଗୁଥିଲେ; ଭିକ ମାଗିବାକୁ ହିଁ ଭାଗ୍ୟ ମାନୁଥିଲେ । ମାତ୍ର ଏବେ କେତେକ ପିଲା ଆଉ ପିଲା ଯାତ୍ରୀଡବାର ଏପାଖରୁ ସେପାଖଯାଏ ଆଗ ଅଳିଆ ସଫା କରୁଛନ୍ତି । ଏକାବେଳେକେ ଘୁଷୁରି ଘୁଷୁରି କନାରେ ଘଷି ଯାବତୀୟ ମଇଳାକୁ ବାବୁମାନଙ୍କର ଗୋଡ଼ ପାଖରୁ କେଡ଼େ ନିଜ କରି ଅଥଚ କେଡ଼େ ନିର୍ବିକାର ଭାବରେ ପୋଛି ନେଉଛନ୍ତି ଏବଂ ତା’ପରେ ହାତ ପତାଇ ଯାତ୍ରୀମାନଙ୍କର ବଦାନ୍ୟତା ଭିକ୍ଷା କରୁଛନ୍ତି । ମାଡ୍ରାସ ମେଲ୍‌ରେ ଆପଣା କେବେ ମାଡ୍ରାସ ପର୍ଯ୍ୟନ୍ତ ଯାଆନ୍ତୁ, ନିଶ୍ଚୟ ଏମାନଙ୍କର ଭେଟ ପାଇବେ ।

 

ଏହା ଏକ ବ୍ୟତିକ୍ରମ । ସବୁ ବ୍ୟତିକ୍ରମ ପରି ଏଇଟା ମଧ୍ୟ ଆଶାର କଥା । ମଣିଷ ଭିତରେ, ଅରକ୍ଷିତ ଭିତରେ ଏପରି କୋଉଠି ଗୋଟିଏ କିଏ ରହିଛି, ଯାହାର କି ସମ୍ମାନ ରହିଛି, ନିଜ ମେରୁଦଣ୍ଡକୁ ଅନୁଭବ କରିବାର ସାହସ ରହିଛି, ମଇଳା ଫଟା ପିନ୍ଧି ଆମ ଜୋତାଗୁଡ଼ାକର ଚାରିପାଖରୁ ମଇଳା ପୋଛି ଆମ ଯାତ୍ରାବୋଇତଟିର ଚଟାଣକୁ ତୋରା କରିପକାଉଥିବା ପିଲାମାନେ ଆମକୁ ବୋଧହୁଏ ସେହିପରି ଗୋଟାଏ କ’ଣ କହିବାକୁ ଇଚ୍ଛା କରୁଛନ୍ତି । ଆମ ପୁରୁଣା ଚତୁର ମନର ଦମ୍ଭଗୁଡ଼ାକୁ ଭାଙ୍ଗି ସେମାନଙ୍କୁ ମଧ୍ୟ ଆମ ସହିତ ସାମିଲ କରିନେବାକୁ ସେମାନେ ଆମକୁ ଆଉ କ’ଣ ଏକ ଇଙ୍ଗିତ କରୁଛନ୍ତି କି ?

 

୦୪ ।୦୪ । ୮୦

☆☆☆

 

ଅସୁରଗଡ଼ ଅନେକ

 

ଅସୁରଗଡ଼ ପ୍ରକୃତରେ ଅନେକ । ଆମ ଖେଳାଳିମାନଙ୍କର ଘୋର ଅନୁସନ୍ଧାନ ଫଳରେ ଏବେ ସେଗୁଡ଼ାକ ଗୋଟି ଗୋଟି କରି ନଦୀଗର୍ଭରୁ ବାହାରୁଛି । ସେ କାଳରେ ଯେ ସୁର ଏବଂ ଅସୁର ଉଭୟ ଥିଲେ, ତାହାର ଭୂରିଭୂରି ପ୍ରମାଣ ମିଳୁଛି । ସେତେବେଳେ ହୁଏତ ପ୍ରତ୍ୟେକ ଗୋଷ୍ଠୀ ନିଜକୁ ସୁର ବୋଲି ଭାବୁଥିଲେ ଏବଂ ତେଣୁ ଅନ୍ୟମାନଙ୍କୁ ବିଶେଷ କରି ପ୍ରତିପକ୍ଷୀମାନଙ୍କୁ ଅସୁର ବୋଲି କହୁଥିଲେ । ସେପାଖରେ ସୁବର୍ଣ୍ଣପୁରୀ ଥିବା ପରି ନଈର ଉତ୍ତର ପାର୍ଶ୍ଵରେ ହୁଏତ ହୀରକପୁରୀ ଥିଲା; ହୁଏତ ଆର୍ଯ୍ୟପୁରୀଟାଏ ଥିଲା । ଉତ୍ତର ପାର୍ଶ୍ଵରେ ସୁର ଥିଲେ, ଦକ୍ଷିଣ ପାଖରେ ଅସୁରମାନେ ଥିଲେ ଏବଂ ସେମାନଙ୍କର ଗଡ଼କୁ ଅସୁରଗଡ଼ କହିବା ବ୍ୟତୀତ ରାଜପଣ୍ଡିତମାନଙ୍କର କୋଷରେ ହୁଏତ ଅନ୍ୟ କୌଣସି ଶବ୍ଦ ହିଁ ନଥିଲା । ଏପାଖରୁ ସୁରମାନେ ସେପାଖରେ ଥିବା ଅସୁରମାନଙ୍କୁ ଆକ୍ରମଣ କଲେ ସୀତାଚୋରି ଭଳି ହୁଏତ କୌଣସି ଏକ ଉପାଖ୍ୟାନକୁ କାରଣ କରି ସେମାନେ ଅସୁରଗଡ଼ ଉପରେ ଚଢ଼ାଉ କଲେ । ସେପଟରେ ଥିବା ରାଜଧାନୀଟାକୁ ଲଙ୍କା ବୋଲି କହିଲେ । ମଝିରେ ଥିବା ମହାନଦୀ ସମୁଦ୍ର ହେଲା । ଭେଳାଗୁଡ଼ାକ ଧାଡ଼ି ହୋଇ କେଡ଼େ ସୁନ୍ଦରଭାବରେ ସେତୁବନ୍ଧ ପରି ଦିଶିଲେ ।

 

ଉପମାଗୁଡ଼ିକୁ ଆଣିବାଲାଗି ରାମାୟଣ ନାମକ ଏକ ମହାକାବ୍ୟ ଆଗରୁ ମହଜୁଦ ହୋଇ ରହିଥିଲା । ସ୍ଥାନୀୟ ବାଲ୍ମୀକି ଓ ବେଦବ୍ୟାସମାନେ ଏଠି ବି ଘଟଣାଗୁଡ଼ାକୁ ପୁରାଣସ୍ଥ ଆଖ୍ୟାୟିକାଗୁଡ଼ାକର ମଞ୍ଜଦେଇ ରାମାୟଣ ଓ ମହାଭାରତମାନ ଖଞ୍ଜି ଦେଲେ । ସେମାନେ ନିଜ ରାଜାଙ୍କର ପଟଟାକୁ ରାମଙ୍କର ପଟ କହି ଅପର ପଟକୁ ଅସୁରପଟ ବୋଲି କହିଲେ । ତା’ପରେ କିଂବଦନ୍ତୀରୂପକ ଅଲିଖିତ କାବ୍ୟରେ ଜାଗାଗୁଡ଼ିକର ନୂଆ ନାମକରଣ ହୋଇଗଲା । ସ୍ଥାନୀୟ ବିଜେତାଙ୍କର ମହିମା ବଢ଼ାଇବା ଲାଗି ତାଙ୍କୁ ରାମାୟଣର ରଘୁକୁଳତିଳକ ରୂପେ ବର୍ଣ୍ଣନା କରାଗଲା ଓ ତା’ପରେ ଏକ ସହଜ ଅନୁକରଣର ଉଲ୍ଲସିତ ପରିପାଟୀରେ ତାଙ୍କର ଶତ୍ରୁଜୟ ସହିତ ସବୁକିଛି ଯୋଡ଼ିଦିଆଗଲା । ତାପରେ ହୁଏତ ରାଜାଙ୍କ ଦେଶରେ ଲଙ୍କାପୋଡ଼ିର ବାର୍ଷିକ ପର୍ବର ପ୍ରଚଳନ ହେଲା; ରାମନବମୀ ପର୍ବର ସ୍ଥାନୀୟ ସଂସ୍କରଣ ବି ହେଲା । ଏଗୁଡ଼ାକ ହେବା ସକାଶେ ଆଉ ଥରେ ସଂସ୍କୃତରେ ରାମାୟଣ କିମ୍ବା ମହାଭାରତ ଲେଖିବାକୁ ପଡ଼ିଲା ନାହିଁ । ଘରପାଖରେ ସେଗୁଡ଼ାକ ଅନୁସାରେ କେବଳ ନାମକରଣଗୁଡ଼ିକ ହିଁ ହୋଇଗଲା । ସେଥିରୁ ଏକ ପ୍ରସାର ବି ମିଳିଲା । ସଂସ୍କୃତିର ଇତିହାସରେ ଏଇଟାର ମୂଲ୍ୟ ବି ଆଦୌ କୌଣସି ଗୁଣରେ କମ୍ ନୁହେଁ । ।

 

ଏସବୁ ହୁଏତ ଏହିପରି ଭାବରେ ହୋଇଥିଲା । କିଂବଦନ୍ତୀଗୁଡ଼ିକ ମାଟି ଭିତରେ ପୋତିହୋଇ ରହିଥିଲା; କିନ୍ତୁ ଆମ ଏକାଳର ଇଟା, କାନ୍ଥ ଓ ଖପରା ଚିହ୍ନାଳିମାନଙ୍କୁ ଭେଳିକିରେ ପକାଇଦେବାଲାଗି କ’ଣ ଏଗୁଡ଼ାକ ହୋଇଥିଲା କି ?

 

୨୭ । ୦୪ । ୮୦

☆☆☆

 

ସମସ୍ତଙ୍କର ହାତୀ

 

ଆମ ଦେଶର ଜଙ୍ଗଲଗୁଡ଼ାକ ପ୍ରକୃତରେ ସମସ୍ତଙ୍କର ହାତୀ । ଆଗେ ହାତୀମାନେ କେବଳ ରାଜାଙ୍କର ଥିଲେ । ସେମାନେ ଜଙ୍ଗଲରେ ରହନ୍ତୁ ଅଥବା ଉଆସ ଭିତରେ ରହନ୍ତୁ, ସେମାନେ ରାଜାଙ୍କର ହୋଇ ରହିଥିଲେ । ଆମ ଦେଶରେ ଏବେ ଯେଉଁମାନେ ରଜା ବୋଲାଉଛନ୍ତି, ରାଜାପରି କାରବାର ଓ ଆଚରଣ କରୁଛନ୍ତି, ବର୍ତ୍ତମାନ ହାତୀମାନେ ପ୍ରକୃତରେ ସେଇମାନଙ୍କର ।

 

ଜଙ୍ଗଲଗୁଡ଼ାକର ତତ୍ତ୍ୱ ନେବା ସକାଶେ ଆମ ରାଷ୍ଟ୍ରରେ ଗୋଟାଏ ଜଙ୍ଗଲ ବିଭାଗ ରହିଛି । ମୋଟା ଦରମା ଭୁଞ୍ଜୁଥିବା ବଡ଼ ବଡ଼ ହାକିମ ସେଥିରେ ମୁତୟନ ହୋଇ ରହିଛନ୍ତି । ଜଙ୍ଗଲ ବିଭାଗରେ ରହିଥିଲେ ମଧ୍ୟ ଏମାନେ ସମସ୍ତେ ଭଦ୍ର—ଏମାନଙ୍କ ଭିତରୁ କାହାରି ଘର ଜଙ୍ଗଲରେ ନୁହେଁ, ଏମାନଙ୍କ ଘର ସହରମାନଙ୍କରେ । ସେହି ଘରଗୁଡ଼ାକରୁ ହିଁ ସେମାନଙ୍କ ଜୀବନର ସବୁ ପରିମଳ ଧରାପଡ଼ିଯିବ । ତଥାପି ଏତେ ବିଜ୍ଞ ବ୍ୟକ୍ତିମାନେ ଥାଉ ଥାଉ ଜଙ୍ଗଲରୁ କୋଟି କୋଟି ଟଙ୍କାର କାଠ ହରଣଚାଳ ହୋଇଯାଉଛି । ଜଙ୍ଗଲ ଲଣ୍ଡା ହୋଇଯାଉଛି । ଜଙ୍ଗଲ ଲଣ୍ଡା ହେଲେ ଦେଶର ଜଳବାୟୁରେ ଯେ କି କ୍ଷତିକାରକ ପରିବର୍ତ୍ତନମାନ ଘଟେ, ହୁଏତ ଜଙ୍ଗଲରୁ ହରଣଚାଳ ହୋଇ ଶସ୍ତାରେ ବିକ୍ରି ହେଉଥିବା କାଠର ପଲଙ୍କ ଓ ମେଜଗୁଡ଼ାକରେ ବସି ବୈଜ୍ଞାନିକମାନେ ସେହିସବୁ ତତ୍ତ୍ୱକୁ ଘାଣ୍ଟିବାରେ ଲାଗିଛନ୍ତି । ସାଧୁମାନେ ‘କଣ ହେଲା’ ‘କଣ ହେଲା’ ବୋଲି କହୁଛନ୍ତି-। ଯେଉଁ କଥାଗୁଡ଼ାକ ସବୁଦିନେ ହେଉଥିଲା, ଯେଉଁ କଥା ହେଉଛି ବୋଲି ହାକିମ ଓ ହାକିମଙ୍କ ଇଙ୍ଗିତରେ ଚାଲୁଥିବା ଜଗୁଆଳମାନଙ୍କଠାରୁ ଆରମ୍ଭ କରି ଖଟ-ପଲଙ୍କରେ ଶୋଉଥିବା ଭାଗ୍ୟବାନ୍‌ମାନଙ୍କ ପର୍ଯ୍ୟନ୍ତ ସବୁ ସାହିରେ ସମସ୍ତେ ଜାଣିଥିଲେ, ଆଜି ଅଚାନକ ତଦାରଖ ହୋଇ କରଞ୍ଜିଆ ଜଙ୍ଗଲର କଣେ କାରବାରର ହିସାବଟା କାଗଜରେ ବାହାରିପଡ଼ିବାରୁ ଚେଇଁଶୋଇଥିବା ସମସ୍ତେ ସତେ ଅବା ଭାରି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

 

ଆମ ଦେଶରେ ଏମିତି କେତେ ଲୋକ ଅଛନ୍ତି ଯେଉଁମାନେ କି ସମସ୍ତ ଦେଶଟାକୁ ହିଁ ସତେଅବା ଗୋଟାଏ ସ୍ଵଗୃହପାଳିତ ପଶୁ ବୋଲି ଭାବନ୍ତି, ତାକୁ ସେମାନେ ତୁଚ୍ଛା ନିଜର ହାତୀ ବୋଲି ଭାବନ୍ତି । ସେହି ହାତୀକୁ ସେମାନେ ରାଜାମାନଙ୍କ ପରି ଭୋଗକରନ୍ତି । ଦାଣ୍ଡରେ ଶାସନ କରନ୍ତି, ବାରିପଟେ ଭୋଗକରନ୍ତି । ସଭାମାନଙ୍କରେ ତା’ପାଇଁ କେତେ ଯୋଜନାର ଅଳଙ୍କାର ଗଢ଼ାନ୍ତି ଏବଂ ସଭା ସରିଲେ ଶିଖାଶିଖି ହେଲାପରି ତାକୁ ସମସ୍ତେ ମିଶି ଉପଭୋଗ କରନ୍ତି । ରାଜନୀତିର ସଂକୀର୍ତ୍ତନଗୁଡ଼ାକ ଯେତେବେଳେ ଯାହା ବି ହେଉ ପଛକେ, ସେମାନେ ବୀର ପରି ଏହି ବସୁନ୍ଧରାକୁ ଭୋଗକରୁଥାନ୍ତି; ତାକୁ ସତେଅବା ନିଜର ହାତୀ ପରି ହିଁ ଭୋଗକରନ୍ତି ।

 

ତଥାପି ତଦାରଖ ହୁଏ, ତଦନ୍ତ ହୁଏ, ଗୋଟାଏ ଦିଇଟାଙ୍କ ଉପରେ କୋରଡ଼ା ବି ପଡ଼େ; ତଥାପି ଭୋଗକରିବା ବନ୍ଦ ହୁଏନାହିଁ । ଗୋଟାଏ ଦେଶକୁ ଯେ ନିଜର ସମ୍ପତ୍ତି ବ୍ୟତୀତ ଆଉ ଅନ୍ୟ ପ୍ରକାର ଆଖିରେ ଦେଖାଯାଇପାରେ, ସେକଥା ଏହି ହାତୀଚଢ଼ା, ଲହୁଣିଖିଆ କାଳିଆ ହାତୀମାନଙ୍କୁ କିଏ ବୁଝାଇ କହିବ ? ନିକ ଦେଶଟା ଯେ ନିଜର ଅତି ଆପଣାର ହୋଇପାରେ, ଦେଶକୁ କୁତରେ ଧରିଥିବା ଅତି ବୀରମାନଙ୍କୁ କିଏ ସେକଥା ବୁଝାଇଦେଇପାରିବ ?

 

୦୭ । ୦୪ । ୧୯୮୦

☆☆☆

 

ମୁଁ ସଭାପତି

 

ମୁଁ କେବଳ ସଭାପତି ହେବି, ଆଉ କିଛି ହେବି ନାହିଁ । ମୋ ରଥର ଚକଗୁଡ଼ାକ ଖସିଯାଇ ଗଡ଼ିଆ ଭିତରେ ଯାଇ ପଡ଼ୁ ପଛକେ, ସେହି ଗଡ଼ିଆ ଭିତରେ ମଧ୍ୟ ମୁଁ ସେହି ସଭାପତି ହୋଇ ରହିବି । ଅର୍ଥାତ୍, ହାରିବା ଲୋକଙ୍କ ଭିତରେ ଶିଶୁପାଳ ହୋଇ ରହିଥିବି ଓ ମରିବା ଲୋକଙ୍କ ଭିତରେ ଜରାସନ୍ଧ ହୋଇ ରହିଥିବ । ଟହଟହ ଦିଶୁଥିବି । ଘର ଗୋଟାକର ଇଜ୍ଜତ୍ ଗଲାବେଳକୁ ମଧ୍ୟ ମତେ ସମସ୍ତେ କେବଳ ହିରୋ ବୋଲି ହିଁ କହୁଥିବେ ।

 

ଭାରତବର୍ଷ ସ୍ଵାଧୀନ ହେବା ପୂର୍ବରୁ ଏଠି ରାଜନୀତି କହିଲେ କେବଳ ଗୋଟିଏ ଶିବିରକୁ ବୁଝାଉଥିଲା । ସ୍ଵାଧୀନତା ପରେ ଆମେ ଯେଉଁମାନେ ପ୍ରଧାନତଃ ଆମ ଲୋଭର ଲାଙ୍ଗୁଡ଼ଗୁଡ଼ାକୁ ମୁଛ କରି ବାନ୍ଧି ରାଜନୀତିରେ ପଶିଲେ ଓ ରାଜନୀତି କଲେ, ସେମାନେ କେବଳ ସଭାପତି ହୋଇ ରହିବା ବ୍ୟତୀତ ଆଉ ଅଧିକ କୌଣସି ସ୍ୱପ୍ନ ହିଁ ଦେଖିପାରିଲେ ନାହିଁ । ଦେଶ ଗାଧୋଇଗଲା, ଆଦର୍ଶଗୁଡ଼ାକ ବଳି ପଡ଼ିଲା । ଆମର ଲୋଭରୂପିଣୀ ଜ୍ୟେଷ୍ଠା ଦେବୀଙ୍କ ଆଗରେ ପବିତ୍ର ରକ୍ତର ନୈବେଦ୍ୟ ଦିଆଗଲା । ଗୋଟାଏ ଘରେ ଆମ ସମସ୍ତଙ୍କୁ ଏକାଠି ସମ୍ଭାଳି ହୋଇ ନପାରିବାରୁ ଆମ ଘରଟାକୁ । ଆମର ସଂଖ୍ୟା ଅନୁସାରେ ସେତିକି ଭାଗ କରି ଆମେ ଆପଣା–ଆପଣାର ଖଣ୍ଡଟିରେ ଖଣ୍ଡମଣ୍ଡଳାଧୀଶ ହୋଇ ବସିଲୁ ଓ ସଭାପତି ବୋଲାଇଲୁ । ଅହଙ୍କାରଗୁଡ଼ାକ ସବୁଠାରେ ଠିକ ଏହିପରି । ସମସ୍ତ ଘର ବୁଡ଼ିଯାଉଥିଲାବେଳେ ଅହଙ୍କାର ଆଗ ସଭାପତି ହୋଇ ରହିବ ବୋଲି ଘରକୁ ଭାଙ୍ଗେ ଓ ତା’ପରେ ଛତ୍ର ଓ ଚାମରକୁ କାନ୍ଧରେ ବାନ୍ଧି ସମ୍ମାନର ସହିତ ବୁଡ଼ିବାକୁ ଯାଏ ।

 

ଆମେ ସମସ୍ତେ ସଭାପତି ହେବାକୁ ବିକଳ; ତେଣୁ ଆମରି ନାଆଁର ମୂଳ ଅକ୍ଷରଟି ଅନୁସାରେ ଆମ ଗଡ଼ିଆଖଣ୍ଡିକର ନାମକରଣ ହେବା ବ୍ୟତୀତ ଆଉ ଅନ୍ୟ କୌଣସି ଉପାୟ ନାହିଁ-। ଏହି ରାଜନୀତି ପ୍ରକୃତରେ ଭାରି କଉତୁକିଆ ରାଜନୀତି; ବ୍ୟାକୁଳ ବାଳକମାନଙ୍କର ରାଜନୀତି-। ଆମେ ସେହି ବାଳକମାନଙ୍କର ମର୍ମଦହନଟିକୁ ବୁଝିବାକୁ ଚେଷ୍ଟା କରିବା ।

 

୦୫ । ୦୫ । ୧୯୮୦

☆☆☆

 

ଅବୈଧ ପରିଣୟ

 

ଭାରତର ରାଜନୀତିରେ ଆଜି ତୁଚ୍ଛା ଅବୈଧ ପରିଣୟ ଚାଲିଛି । ଆଖିବୁଜା ଅବେଧ ତ୍ୟାଗପତ୍ର ପରେ ଏପରି ଅବୈଧ ପରିଣୟର ଏକ ଦ୍ଵିତୀୟ ଅଭିନୟ ଆସିବା ଯେ ପ୍ରାୟ ଅବଶ୍ୟମ୍ଭାବୀ, ଅବୈଧତାର ଇତିହାସରେ ଏହା ଏକ ଭାରି ଜଣାଶୁଣା କଥା ।

 

ସେମାନେ ଦିନେ ଆମର ପ୍ରତିନିଧି ହୋଇ ଯାଇଥିଲେ । ଆମେ ଭାବୁଥିଲେ ଆମ ପ୍ରତି ସେମାନଙ୍କର ନିଶ୍ଚୟ ଏକ ଶ୍ରଦ୍ଧା ରହିଛି । ଏହି ଦେଶପ୍ରତି ସେମାନଙ୍କର ଏକ ଶ୍ରଦ୍ଧା ବି ରହିଛି । ସେମାନଙ୍କର ଶ୍ରଦ୍ଧା ପଛରେ ଏକ ବିଶ୍ୱାସ ହୁଏତ ରହିଛି । ଏକ ଆଦର୍ଶ ଉପରେ, ଏକ ଭବିଷ୍ୟ ଉପରେ ବା ଏପରିକି ଏକ ରାଜନୀତିକ ମାର୍ଗ ଉପରେ ସେମାନଙ୍କର ନିଶ୍ଚୟ କିଛି ନା କିଛି ବିଶ୍ଵାସ ରହିଛି । କିନ୍ତୁ ସେମାନେ ଯେତେବେଳେ ମନମୁଖି ହୋଇ ଫକଫକ ଡେଇଁବାକୁ ଆରମ୍ଭ କରିଦେଲେ, ସେତେବେଳେ ସେମାନଙ୍କର ଏହି ଅବେଭାର ଦେଖି ଆମେସବୁ ଭାରି ଆଶ୍ଚର୍ଯ୍ୟ ହୋଇଗଲୁ । ସେମାନେ କେତେବେଳେ ଏପଟ ହେଲେ ତ କେତେବେଳେ ସେପଟ ହେଲେ । ଯୋଉ ପଟକୁ ଲକ୍ଷ୍ମୀ ଢଳିଲେ ସେମାନେ ନିର୍ଭୁଲ ଭାବରେ ସେହି ପଟ ହୋଇ ରହିବାକୁ ଆପଣାର ଧର୍ମ ବୋଲି ଧରିନେଲେ । ତଦ୍ଦ୍ୱାରା ଗାଲଗୁଡ଼ାକରେ ଚୂନ ଲାଗିଲା ନା କଳା ଲାଗିଲା, ସେ ବିଷୟରେ ସେମାନଙ୍କର ଆଉ କୌଣସି ହୋସ୍ ରହିଲା ନାହିଁ ।

 

ଭାରତବର୍ଷର ଭୋଟଦାତାମାନେ ହିଁ ସେମାନଙ୍କୁ ଏପରି ନଚାଇଲେ ଓ ଏପରି ଶୋଚନୀୟ ଭାବରେ ଧରାପକାଇଦେଲେ । ସେମାନଙ୍କ ଭୋଟ ଦ୍ୱାରା ପଲେ ଜିତିଲେ ଓ ଆଉ ପଲେ ହାରିଲେ । ହାରିବା ପଲ ରାତି ନ ପାହୁଣୁ ସ୍ଵଗୃହ ଛାଢ଼ି କୁକଟା ହେଲେ, ପରସ୍ ହେବାଲାଗି ଧାଇଁଲେ । ସେମାନଙ୍କର ସନ୍ତକଗୁଡ଼ାକ ଘଡ଼ିଘଡ଼ିକେ ବଦଳିଯିବାରେ ଲାଗିଲା । ସେମାନେ ଯେ ପ୍ରକୃତରେ କିଏ କାହାର, ସେମାନେ ଯେ ପ୍ରକୃତରେ ଆଦୌ କାହାର କି ନାହିଁ, ଏଗୁଡ଼ାକ ବିଷୟରେ ଦେଶସାରା ସଂଶୟ ଖେଳିଗଲା । ଶେଷକୁ ଜଣାପଡ଼ିଲା, ଏମାନେ କାହାରି ନୁହନ୍ତି, ଏମାନଙ୍କୁ ଯିଏ ଯେତେବେଳେ କିଣିନେଇପାରିଲା ଏମାନେ ତାହାରି । ଏମାନେ ଲାଭାନ୍ୱେଷୀ । ଲାଭାନ୍ୱେଷୀର ଜୀବନରେ କେବେହେଲେ କୌଣସି ପରିଣୟ ସମ୍ଭବ ହୁଏ ନାହିଁ, ହୁଏତ ଖାଲି ଅବୈଧତା ହିଁ ସମ୍ଭବ ହୁଏ ।

 

ଏମାନେ ଗୋଟି ଗୋଟି କରି ଯିବେ, ତଥାପି ଏ ଦେଶ ରହିବ । ଏମାନେ ଗୋଟି ଗୋଟି କରି ନାଆଁ ପକାଇବେ, ତଥାପି ରାଜନୀତିର ଅସଲ ଶ୍ରଦ୍ଧାସ୍ଥାନଗୁଡ଼ାକ ପ୍ରକୃତରେ ଯୋଗ୍ୟ ଆଉ ଏକ ନେତୃତ୍ୱ ଲାଗି ଅପେକ୍ଷା କରି ରହିଥିବ । ଏମାନେ ବାହାରକୁ ଯେତେ ଯାହା ଅଲଗା ଅଲଗା କରଧୂନି ପିନ୍ଧିଥିଲେ ବା ତାବିଜ ଲଗାଇଥିଲେ ବି ଏମାନେ ସେଇ ଗୋଟାଏ ଗୁହାଳର ଗୋବର, ଗୋଟାଏ ରୋଗର ମଳୁ । ଏ ଗୁହାଳ ଭାଙ୍ଗିବାକୁ ଆରମ୍ଭ କରୁଛି । ଏଥିଲାଗି ସେମାନେ ଭାରି ବିକଳରେ ପରସ୍ପରକୁ କୁଣ୍ଢାକୁଣ୍ଢି ହୋଇ ଧରି ଯେକୌଣସି ପ୍ରକାରେ ତିଷ୍ଠିଯିବାକୁ ଚେଷ୍ଟା କରୁଛନ୍ତି । ଏମାନେ କେବଳ ନିଜ ବ୍ୟତୀତ ଆଉ କିଛି ହେଲେ ଦେଖିପାରୁନାହାନ୍ତି । ତେଣୁ ଆଦୌ କୌଣସି ପରିଣୟ କରିବାକୁ ବି ଏମାନଙ୍କର ଛାତି ଆସିବ କୁଆଡ଼ୁ ?

 

୦୮ । ୦୪ । ୮୦

☆☆☆

 

ଅବତାର-ବରିଷ୍ଠାୟ

 

ଶାସ୍ତ୍ରର କଥା ଅନୁସାରେ ଭଗବାନ ଏହି ସଂସାରକୁ ଅବତାର ହୋଇ ଆସନ୍ତି । ଅବତାରମାନେ ଭଗବାନଙ୍କର କାମ କରିବାକୁ ଆସନ୍ତି । ଆମେ ଯେଉଁମାନେ ଏହି ଅବତାରମାନଙ୍କର ପ୍ରେମରେ ପଡ଼ିଯାଉ, ସେମାନେ ସେହି ମୋହର କାଚଟା ଭିତରେ ବାନ୍ଧି ହୋଇଯାଇ ଆପେ ମାନୁଥିବା ଅବତାରଟିକୁ ହିଁ ସବୁଠାରୁ ବଡ଼ ଅବତାର ବୋଲି କହୁ ଓ ସେହି ଅନୁସାରେ ନୂଆ ଶାସ, ନୂଆ ମଠ ଓ ନୂଆ ଘଣ୍ଟାଗୁଡ଼ିକର ବରାଦ ହୁଏ । ସାଧୁଭାଷାରେ ଏହି ମଠକୁ ସଂପ୍ରଦାୟ ବୋଲି କୁହାଯାଏ । ହୁଏତ ଭଗବାନ ଚୁଲିକୁ ଯାଆନ୍ତି, ଘଣ୍ଟାଗୁଡ଼ାକ ଆହୁରି ଜବର ହୋଇ ବାଜେ ।

 

ଖ୍ରୀଷ୍ଟଆନ୍‌ ଧର୍ମରେ ଏହିପରି ଗୋଟିଏ ଉପନ୍ୟାସର ରଚନା କରାହୋଇଛି ଯେ, ଅନ୍ୟ ଅବତାରମାନେ ଈଶ୍ଵରଙ୍କର ନିଜ ପୁଅ ନୁହନ୍ତି; କେବଳ ଯୀଶୁ ହେଉଛନ୍ତି ଏକମାତ୍ର ପୁଅ । ଭଗବାନଙ୍କ ରାଜ୍ୟଟା ଭିତରେ ସିଏ ହେଉଛନ୍ତି ଟିକାଏତ । ତେଣୁ ସମ୍ପତ୍ତିଭୋଗରେ ତାଙ୍କର ଅଂଶ ଏକ ଗରିଷ୍ଠ ଅଂଶ । ଏଠାରେ ମଣିଷମାନେ ତାଙ୍କୁ ଫାଶୀରେ ଲଟକାଇ ଦେବା ପରେ ମଧ୍ୟ ସେ ସ୍ୱର୍ଗକୁ ଫେରିଯାଇ ଭଗବାନଙ୍କର ଡାହାଣ ପଟରେ ଅଧିଷ୍ଠିତ ରହିଛନ୍ତି । ଆଉ ଅନ୍ୟ ସନ୍ଦେଶବାହକମାନେ ହୁଏତ ବାଆଁ ପଟେ ଅଛନ୍ତି । ଆମ ଅବରାର ଅବତାର-ବରିଷ୍ଠ ହୋଇ ରହିଛନ୍ତି । ।

 

ଭଗବାନଙ୍କୁ ଛାଡ଼ି ଆମେ ଯେଉଁମାନେ ଅବତାରଟାକୁ ହିଁ ସର୍ବମୂଲ୍ୟ କରି ଧରିବାକୁ ଚେଷ୍ଟା କରୁ ଏବଂ ଆମେ ସ୍ୱୀକାର କରିନେଇଛୁ ବୋଲି ତାଙ୍କୁ ଅବତାରୀ ବୋଲି କହୁ ଅଥବା ଅବତାର-ବରିଷ୍ଠ ବୋଲି କହୁ, ସକଳ ନିଷ୍ଠା ଓ ସଦିଚ୍ଛା ସତ୍ତ୍ୱେ ଆମେ ତଥାପି ଅଫିମ ଖାଇ ରହିଯାଉ । ଅଫିମ ଖାଇଥିବା ମଣିଷ ସମ୍ଭବତଃ ନିଜ ଛଡ଼ା ଆଉ କିଛିହେଲେ ଦେଖିପାରେ ନାହିଁ । ତା’ର ଦୁଆର ଆଉ ମୋଟେ ଖୋଲିପାରେ ନାହିଁ । ଏକ ସ୍ପର୍ଶକାତର ଅଳ୍ପତାକୁ ହିଁ ସିଏ ଗୋଟାସୁଦ୍ଧା ସବୁ ବୋଲି ଆବୋରି ଧରି ଭାରି ଗରିମା ଦେଖାଇବାରେ ଲାଗିଥାଏ । ଅସଲ ବିଷକୁ ଧାରଣ କରିଥିବାର ଦମ୍ଭରେ ସିଏ ସତେ ଅବା ଗୋଟାଏ ବିଷଧର ସର୍ପ ପରି ଫଅଁ-ଫଅଁ ହେବାରେ ଲାଗିଥାଏ ।

 

ଅବତାର ଭିତରେ କେହି ବରିଷ୍ଠ ନାହାନ୍ତି; ଗରିଷ୍ଠ ମଧ୍ୟ ନାହାନ୍ତି । କେହି ସାଆନ୍ତ ନାହାନ୍ତି, କେହି ଦୁର୍ଦ୍ଦାନ୍ତ ନାହାନ୍ତି । ଆମର ଦୁର୍ଦ୍ଦାନ୍ତପଣିଆଗୁଡ଼ାକ ହିଁ ସେମାନଙ୍କ ଭିତରେ ଦାନ୍ତର ସାନ ଓ ବଡ଼ ଆକାର ବିଷୟରେ ଗବେଷଣା କରି ବୁଲିବାରେ ଲାଗିଥାଏ ।

 

୦୯ ।୦୫ । ୮୦

☆☆☆

 

ଭାରତ ବର୍ଷ

 

ପ୍ରାୟ ସାତବର୍ଷ ତଳେ ସରକାରଙ୍କ ଦ୍ୱାରା କରାଯାଇଥିବା ଗୋଟାଏ ହିସାବରୁ ଆମେ ଏବେ ଜାଣିବାକୁ ପାଉଛୁ ଯେ, ଓଡ଼ିଶାର ଗ୍ରାମାଞ୍ଚଳରେ ଶହେରେ ଏକସ୍ତରୀ ଜଣ ହେଉଛନ୍ତି ଗରିବ-। ଗରିବ କହିଲେ ନିଜ ଶାସ୍ତ୍ରହିସାବର ଖାତାଗୁଡ଼ାକ ପକାଇ ବଡ଼ ଓ ବୁଦ୍ଧିଆମାନେ ଯାହା ବୁଝନ୍ତି, ଏଠାରେ ଗରିବ କହିଲେ ଅବଶ୍ୟ ତାହାହିଁ ବୁଝିବା ଉଚିତ । ଏହି ହିସାବରେ ଲାଗୁଥିବା ସଂଖ୍ୟାଗୁଡ଼ାକୁ ସେମାନଙ୍କର ଦରମାଖିଆ ଡଗରମାନେ ଦାଣ୍ଡରୁ ଓ ବଜାରରୁ ସଂଗ୍ରହ କରି ଆଣିଥାନ୍ତି; ତଥାପି ସେଇଗୁଡ଼ାକ ହିଁ ଆମ ଭାଗ୍ୟର ବିଶାକାଠିରେ ନିର୍ଣ୍ଣାୟକ ଗାର ହୋଇ ରହେ ଓ ତାହାକୁ ହିଁ ସମସ୍ତେ ତଥ୍ୟ ବୋଲି ମାନିନିଅନ୍ତି ।

 

ଗରିବଙ୍କର ଖୁଆଡ଼ଗୁଡ଼ାକରେ ଆମ ଓଡ଼ିଶା ସବା ଆଗ ରହିଛି । ଏହି ଓଡ଼ିଶାରେ ସହରାଞ୍ଚଳ ବୋଲି ପ୍ରାୟ କିଛି ନାହିଁ । ତେଣୁ ପ୍ରାପ୍ତ ହିସାବଟାକୁ ଗାଆଁ ଓ ସହର ସମଗ୍ର ଓଡ଼ିଶାର ହିସାବ ବୋଲି ବି ମାନିନିଆଯାଇପାରିବ । ଭାରତବର୍ଷର ସମଗ୍ର ଚିତ୍ରଟି ମଧ୍ୟ ପ୍ରାୟ ସେହିପରି । ଏଠି ଗରିବ ଦେଶୀ, ଧନୀ ଅଳପ । ବଞ୍ଚିତ ବେଶି, ଭୋଗୀ ଅଳପ । ଗଣତନ୍ତ୍ରରେ ଯେଉଁଠି ଅଳପ ଆଉ ଅଧିକ ସଂଖ୍ୟାର ସୁମାରିରେ ରାଜନୀତି ଚାଲେ ଓ ଶାସନ ବି ଚାଲେ, ସେଠି ସଂଖ୍ୟାଧିକ ଗରିବମାନଙ୍କର କଥାଗୁଡ଼ାକ ହିଁ ଆଗ ଶୁଣାଯାଉଥାନ୍ତା । ଯୋଜନାଗୁଡ଼ାକରେ ଆଗ ସେହିମାନଙ୍କର କଥାକୁ ବିଚାରକୁ ନିଆଯାଉଥାନ୍ତା; ମାତ୍ର ସ୍ୱାଧୀନ ଭାରତରେ ସେ କଥା ହୁଏ ନାହିଁ-। ଗରିବମାନେ ଏଠି ଅନ୍ୟ ପକ୍ଷର ଶାସ୍ତ୍ରଗୁଡ଼ାକର ବୋଲ ମାନି ଭାଗ୍ୟ ଆଦରି ରହନ୍ତି । ସେମାନଙ୍କ ଛାତି ଉପରେ କେତେ ମାର୍କାର କେତେ ନାଆ ଚାଲିଯାଉଥାନ୍ତି । ଅ, ଇ, କ, ମ ଆଉ କ’ର ଘୋଷରା ଓଟରା ଲାଗିଥାଏ । ସେମାନେ ସମସ୍ତେ ଦିଲ୍ଲୀ ଆଉ ଭୁବନେଶ୍ୱରରେ ବସି ଦେଶକୁ ଶାସନ କରିବା ନାଆଁରେ ଓ ନିର୍ମାଣ କରିବା ନାଆଁରେ ନିଜ ଦେହରୁ ପୁରୁଣା ଗହଣା ଓହ୍ଲାଇ ନୂଆ ଗହଣା ଲଗାଇବାରେ ଲାଗିଥାନ୍ତି । ହିସାବଗୁଡ଼ାକ ଠିକ୍ ଥାଏ; ମଣିଷମାନେ ପାସୋର ହୋଇ ରହିଥାନ୍ତି ।

 

ଭାରତବର୍ଷର ବି ଗୋଟାଏ ହୃଦୟ ଅଛି । ସେହି ହୃଦୟକୁ ଆଜିପର୍ଯ୍ୟନ୍ତ ଗଦ ଶୁଙ୍ଘାଇ କାବୁ କରି ରଖାଯାଇଛି । ଗରିବମାନେ ଦିନରେ ଉପାସ ରହି ରାତିରେ ନାଟ ଦେଖିବାର ମୋହରେ ପଡ଼ି ନିଜ ଜୀବନ-ସଉଦାର ଦାୟିତ୍ୱଗୁଡ଼ାକ ସିଆଣିଆମାନଙ୍କ ହାତରେ ସମର୍ପି ଦେଇଛନ୍ତି । ବିଚାର, ବିବେକ, ଠାକୁର ଓ ବାବାଜି ସମସ୍ତେ ପ୍ରାୟ ସେହି ସିଆଣିଆମାନଙ୍କ ବରଗଛ ତଳେ ଚକବନ୍ଦୀ କ୍ୟାମ୍ପ ପକାଇ ଖାନାପୁରି କରିବାରେ ଲାଗିଛନ୍ତି । ବାହାରେ ଏହି ସାହିତ୍ୟ, ସଂସ୍କୃତି, ସିନେମା ଆଉ ଟେଲିଭିଜନଗୁଡ଼ାକୁ ଦେଖି ଦେଶରେ କୋଉଠି ଗରିବମାନେ ଅଛନ୍ତି ବୋଲି ମୋଟେ ମନେହେଉନାହିଁ । ସେମାନେ ଆମ କାଗଜପତ୍ରର ହିସାବରେ ଅଛନ୍ତି । ଆମର ଅସଲ ହିସାବଗୁଡ଼ିକ ଭିତରେ ମୋଟେ ନାହାନ୍ତି ।

 

ଆଗାମୀ ନେତୃତ୍ୱ ବର୍ତ୍ତମାନର ଯାବତୀୟ ବିସ୍ମରଣଗୁଡ଼ାକୁ ବିଦାରଣ କରି ମାଟିତଳୁ ମଣିଷମାନଙ୍କୁ ବାହାର କରିବ । ସେଇ ମଣିଷମାନେ ଯେକୌଣସି ଦେଶର ଅସଲ ସମ୍ପଦ । ସେହିମାନଙ୍କୁ ସମ୍ମୁଖରେ ରଖି ତିଆରି ହେଉଥିବା ଯାବତୀୟ ନୀତି ହେଉଛି ଅସଲ ରାଜନୀତି । ସେହି ନେତୃତ୍ଵର ବେଳ ଆସୁଛି ।

 

୦୯ । ୦୪ । ୧୯୮୦

☆☆☆

 

ରଙ୍ଗବତୀର ସନ୍ଦର୍ଭରେ

 

‘ରଙ୍ଗବତୀ’ ସମ୍ବଲପୁରର ଗୀତ । ସେହି ଗୀତ ଏବେ ଆମର ଏଠାରେ ମଧ୍ୟ ଚହଳ ପକାଇଦେଲାଣି । ଏବେ ଏ ଗୀତ ଆମ ସମସ୍ତଙ୍କର ଗୀତ ବୋଲି ଲାଗୁଛି ।

 

ଆଗେ ଉପକୂଳିଆ ଆମ ସମସ୍ତଙ୍କୁ ପଶ୍ଚିମ-ଓଡ଼ିଶାର ଲୋକମାନେ ମଧୁରସମ୍ପର୍କ ଯୋଡ଼ି ‘ଶଲେ’ ବୋଲି କହୁଥିଲେ । ସେତେବେଳେ ଆମେ ଯେଉଁମାନେ ଚାକିରି-ଦଉଡ଼ିରେ ବନ୍ଧା ହୋଇ ତେଣେ ଯିବାକୁ ବାଧ୍ୟହେଉଥିଲୁ, ସେମାନେ ସେଠି ଭାବ ଓ ଭାବନା ଉଭୟ କ୍ଷେତ୍ରରେ ପ୍ରବାସୀ ହୋଇ ରହିଥିଲୁ । ପାଠୁଆ ମଣିଷଙ୍କ ପରି ସେଠାରେ ଆମର ସବୁ ଶାଠକୁ କାମରେ ଲଗାଇ ଆମେ ମଣିଷଙ୍କୁ ଠକୁଥିଲୁ । ସେଠୁ ଭଲ ଦରବ ଆଣି ଏଣେ ଆମର ଘର ଭର୍ତ୍ତିକରି ଦେଉଥିଲୁ ।

 

ତେଣୁ ଯେଉଁମାନେ ପ୍ରଥମେ ଆମର ଆଧୁନିକ ପାଠକୁ ପଢ଼ିଲେ, ସେମାନେ ଭିତରେ ଆମକୁ ଶଲେ ବୋଲି କହିଲେ ମଧ୍ୟ ବାହାରେ ପ୍ରାୟ ଆମରିପରି ହେବାକୁ ଚେଷ୍ଟାକଲେ । ‘ଲ’ ଗୁଡ଼ାକୁ ଲାଜରେ ‘ଳ’ ବୋଲି କହିବାକୁ ଚେଷ୍ଟା କଲେ । ‘ଚାଉଲ’କୁ ‘ଚାଉଳ’ କହୁ କହୁ ‘ଗଲା’କୁ ବି ‘ଗଳା’ ବୋଲି କହିଲେ । ଆମେ ଭାରି ଖୁସି ହେଲୁ । ଆମର ସାମ୍ରାଜ୍ୟ ବଢ଼ିଲା ପରି ମନେହେଲା ।

 

ତା’ ପରେ ସତେ ଅବା କୃତଜ୍ଞତା ଜଣାଇବା ସକାଶେ ଆମେ ବି ଉତ୍ସାହ ବାଛି ସମ୍ବଲପୁର ଓ ବଲାଙ୍ଗିରକୁ ଆବିଷ୍କାର କରିବାକୁ ବାହାରିଲୁ । ସେମାନଙ୍କର ଗୀତକୁ ଓ ନାଚକୁ ଆମର ପିଲାମାନଙ୍କୁ ଶିଖାଇଲୁ । ଆମ ନୃତ୍ୟଗୁରୁମାନେ ଯେତିକି ଉତ୍ସାହରେ ଆମର ପିଲାଙ୍କୁ ଓଡ଼ିଶୀ ନାଚ ଶିଖାଉଥିଲେ, ପ୍ରାୟ ଯେତିକି ଉତ୍ସାହରେ ସେମାନଙ୍କୁ ଆଦିବାସୀ ନୃତ୍ୟ ଶିଖାଉଥିଲେ, ସେତିକି ଉତ୍ସାହରେ ସମ୍ବଲପୁରୀ ନାଚ ବି ଶିଖାଇଲେ । ଆମ ପିଲାଏ ଗୁଲୁ ଗୁଲୁ ପାଟିରେ ଡାଲଖାଇ ଆଉ ରସରକେଲୀ ଗାଇବାବେଳକୁ ଆମ ବାପ-ମାଆଙ୍କୁ ବି କେଡ଼େ ସୁଲୁସୁଲୁ ଲାଗିଲା; କେଡ଼େ ଉଷତ ଲାଗିଲା; ଏବଂ ସବା ଶେଷକୁ ରଙ୍ଗବତୀ ଆସି ଆମର ପ୍ରୀତିର ମହୁଡ଼ଟାକୁ ଗୋଟାସୁଦ୍ଧା ମାଡ଼ିବସିଲା ।

 

ଏଗୁଡ଼ାକ ଅସଲ ସମ୍ପର୍କ ନୁହେଁ । ଅସଲ ସମ୍ପର୍କ ମଣିଷ ମଣିଷ ଭିତରେ । ସେହି ସମ୍ପର୍କ ପ୍ରତିଷ୍ଠିତ ହେବାକୁ ହୁଏତ ଆହୁରି ଗୁଡ଼ାଏ ଦିନ ବାକୀ ଅଛି ।

 

୧୧ । ୦୫ । ୮୦

☆☆☆

 

ସରକାରଙ୍କ ସାହିତ୍ୟ

 

ସରକାର ସାହିତ୍ୟ ଲେଖନ୍ତି ନାହିଁ, ଲେଖାନ୍ତି । ସରକାର ନିଜେ କିଛି କରନ୍ତି ନାହିଁ, କରାନ୍ତି । ସରକାର ନିଜେ କରନ୍ତି ନାହିଁ, ଚରାନ୍ତି ।

 

ସାହିତ୍ୟିକମାନେ ସାହିତ୍ୟ ଲେଖନ୍ତି । ସାହିତ୍ୟର ହାଣ୍ଡି ଭିତରେ ବେଳେବେଳେ ପଢ଼ି ଏପରି ଲଟରପଟର ହୋଇଯାନ୍ତି ଯେ, ସେମାନଙ୍କର ଆଉ ବାଟ ଅବାଟର ହୋସ ରହେନାହିଁ । ସେମାନେ ପ୍ରାୟ ସେତିକିବେଳେ ପଶୁ ପଶୁ କେତେବେଳେ ଯାଇ ସରକାରଙ୍କ ଘରଭିତରେ ପଶିଯାନ୍ତି । ସରକାରୀ ହୋଇଯାଆନ୍ତି, ସେତେବେଳେ ସେମାନେ ଆସନରେ ଯାଇ ବସନ୍ତି ଓ ଫୁଲ ଶୁଙ୍ଘ ସେହି ଆସନଟାକୁ ହିଁ ଯୋଗିନୀ-ହୃଦୟର ତନ୍ତ୍ର ବୋଲି ଗ୍ରହଣ କରିନିଅନ୍ତି ।

 

ସରକାର ସ୍ୱୀକୃତି ଦିଅନ୍ତି, ସରକାର ପ୍ରଶଂସା କରନ୍ତି, ସରକାର ପଇସା ବିଞ୍ଚନ୍ତି । ପଇସା ନଥିଲେ ମଧ୍ୟ ପଇସା ବିଞ୍ଚିଲାପରି ଉଚ୍ଚ ମୁହଁ ଦେଖାଉଥାନ୍ତି । ହାଟଲୋଭୀ ସାହିତ୍ୟିକ କେତେବେଳେ ଯେ ଯାଇ ସେଠି ଖନ୍ଦରେ ପଡ଼ିଯାଏ ଓ ଗର୍ଭରେ ପଶିଯାଏ, ସେତେବେଳେ ସିଏ ନିଜେ ମଧ୍ୟ କିଛି ଠଉର କରିପାରେନାହିଁ । ଜୀବନରେ ଗୋଟାଏ ଗୋଟାଏ ବେଳ ଆସେ, ଯେତେବେଳେ କି ଖଞ୍ଜରେ ଯାଇ ପଡ଼ିଯିବାକୁ ଭାରି ଭଲଲାଗେ, ଗର୍ଭରେ ପଶିବାକୁ ବି ଭାରି ଭଲଲାଗେ । ଚେତନା ହେଲାବେଳକୁ ଆଉ ବେଳ ନଥାଏ । ତେଣୁ ଦ୍ୱିତୀୟ ଭର୍ତ୍ତା କରିବାକୁ ହିଁ ପଡ଼େ । କ୍ରମେ ତାହାହିଁ ସଂସାର ହୋଇଯାଏ ।

 

ସାହିତ୍ୟ ଯେତେବେଳେ ଯାଇ ସରକାରଙ୍କ ଘରେ ପଶେ, ସେତେବେଳେ ସାହିତ୍ୟ ବି ସରକାରଙ୍କ ପରି ଦେଖାଯାଏ । ସାହିତ୍ୟ ବାବୁ ପରି ଦିଶେ, ହାକିମ ପରି ଦିଶେ; କେଡ଼େ ବଡ଼ ଦିଶେ । ସେତେବେଳେ ଖାଲି କାଗଜ-ପତରରେ କାମ ଚାଲେ । ହୃଦୟର କାମଗୁଡ଼ାକୁ ବି ସେହି କାଗଜପତର କରିପାରେ । ଏତେ ଟିକିଏ ଦୟା ପାଇବାପାଇଁ ଲାଙ୍ଗୁଡ଼ଗୁଡ଼ାକ ଭାରି ସଲସଲ ହୁଅନ୍ତି । ଇଜ୍ଜତ ଗଲା ବୋଲି ମୋଟେ ଜାଣିହୁଏନାହିଁ ।

 

ସାହିତ୍ୟ ଯାଇ ସରକାରଙ୍କ ଘରେ ପଶିଲେ ଭାରି ଦେଖାଇହୁଏ, ଭାରି କଥା କହେ, କଥାରେ କଥାକୁ କାଟିଦିଏ । ଯୁକ୍ତିରେ ପରାସ୍ତ କରି ସତେ ଅବା ପରମପଦ ଲାଭ କରେ । ପେଟେଣ୍ଟ ମେଡ଼ିସିନର ବାବୁ ଉସ୍‍ମାନତାରା ଘରେ ବୋଧହୁଏ ଏମିତି ଦେଖାଇହେଉଥିଲେ, ଏମିତି ମହତ ସାରୁଥିଲେ ।

 

ଯେଉଁଠି ସରକାର ସାହିତ୍ୟ କରାଇବାକୁ ମନ କରନ୍ତି, ଯେଉଁଠି ସରକାର ଯଜମାନ ସାଜି ସାହିତ୍ୟିକକୁ ତିଳସୁବର୍ଣ୍ଣ ଦାନ କରିବାକୁ ମନକରନ୍ତି ସେଠି ସାହିତ୍ୟର ଓଠଗୁଡ଼ାକ ହୁଏତ ଭାରି ଆପ୍ୟାୟିତ ହୋଇ ରହିଥିବା ପରି ଦେଖାଯାଉଥାଏ ସିନା, ମାତ୍ର ତଦ୍ୱାରା ତା’ର ମହତ ଯାଏ-। ବେଳେବେଳେ ସାହିତ୍ୟ ପୋକ କାମୁଡ଼ିଦେବା ପରି ଯେତେବେଳେ ସରକାରଙ୍କ ଘରେ ବସି ତାଙ୍କ ସହିତ ଖୁସ୍ ଥାଏ, ତାଙ୍କ କଥାରେ କଥା କହେ, ଆପଣାକୁ ଆଦୌ କୌଣସି ଗୁଣରେ କମ୍ ବାବୁ ନୁହେଁ ବୋଲି ଇଂରାଜୀରେ ପ୍ରମାଣ କରିବାର ହଠଯୋଗ ଆରମ୍ଭ କରେ, କହିବା ବାହୁଲ୍ୟ, ସେତେବେଳେ ସାହିତ୍ୟ ଉପରେ ସେଇ ବାବୁ ହିଁ ସବାର ହୋଇଯାଏ । ସାହିତ୍ୟିକ ଅଧିକାର-ଚ୍ୟୁତ ହୁଏ । ସାହିତ୍ୟ ଭିତରେ ତା’ ଲଜ୍ଜାର ଏକ ସ୍ୱକୀୟ ମହିମା ରହିଛି, ଏକ ସ୍ଵକୀୟ ଗାରିମା ରହିଛି । ସେହି ଲଜ୍ଜାବଳରେ ହିଁ ସାହିତ୍ୟ ଆପଣାକୁ ପ୍ରତିଷ୍ଠିତ କରି ରଖିଥାଏ; ଆଉ ଅନ୍ୟ କୌଣସି ବଳରେ ନୁହେଁ-

 

୧୨ । ୦୪ । ୮୦

☆☆☆

 

ଫୁଲ ଓ ପାରବୋଉ କ’ଣ କରିବେ ?

 

ଆଗେ ସପ୍ତାହର ସାତଦିନଯାକ ମାଉଁସ କଟାହେଉଥିଲା । ସେତେବେଳେ ଆମ ଦେଶରେ ହିନ୍ଦୁମାନେ ଅବଶ୍ୟ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ଯେଉଁମାନେ ଗୁରୁବାର ବା ସୋମବାର କରୁଥିଲେ, ସେମାନେ ସେସବୁ ଦିନରେ ମାଂସ ଖାଉନଥିଲେ; ମାତ୍ର ଅନ୍ୟମାନେ ଖାଉଥିଲେ । ସେଥିରେ କାହାର ଆଖିକୁ ଗନ୍ଧାଉ ନଥିଲା ଅଥବା କାହାରି ନାକକୁ ମୋଟେ ବାନ୍ତି ମାଡ଼ୁନଥିଲା । ଦେବତାମାନେ ମୋଟେ ରୁଷ୍ଟ ହେଉନଥିଲେ ।

 

ଭାରତ ସ୍ୱାଧୀନ ହେଲା, ଆମେ ବି ଅଧିକ ପରିପକ୍ୱ ହେଲୁ । ଆମରି ଉତ୍ସାହରେ ସରକାରୀ ନିୟମ ହୋଇଗଲା ଯେ ଗୁରୁବାର, ସୋମବାର ଓ ଅନ୍ୟାନ୍ୟ ପର୍ବଦିନମାନଙ୍କରେ ସହରରେ ମାଂସ କଟା ହେବ ନାହିଁ । ଯେଉଁମାନେ ମାଂସ କାଟି ମାଂସ ବିକି ପେଟ ପୋଷୁଥିଲେ, ସେମାନେ ସଂଖ୍ୟାଲଘୁ ଥିବାରୁ ନିୟମଟାକୁ ସର୍ବସମ୍ମତ ବୋଲି ମାନିନିଆଗଲା । ଏବେ ଯେଉଁ ଚୈତ୍ରପୂର୍ଣ୍ଣିମା ଗଲା, ସେଦିନ ଏକାବେଳେକେ ସୋମବାର ପଡ଼ିଲା ଓ ପୂର୍ଣ୍ଣିମା ପଡ଼ିଲା । ତେଣୁ ଆମର ଧର୍ମପ୍ରାଣମାନଙ୍କର ମୁଣ୍ଡରୁ ବାହାରିଲା ଯେ ସେଦିନ ସହରରେ ମାଛବିକା ବି ବନ୍ଦ ରହିବ; ସେଦିନ ଆମେ ସମସ୍ତେ ନିରାମିଷ ରହିବା । ତଦ୍ୱାରା ହୁଏତ ଆମର ଧର୍ମନିଷ୍ଠା ଅଧିକ ବଳ ପାଇବ-। କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସେହି କଥା ହେଲା ।

 

ସହରରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ପ୍ରତ୍ୟେକ ଦିନ ବେପାରୀଙ୍କଠାରୁ ମାଛ କିଣନ୍ତି, ତାକୁ ପସରାରେ ମୁଣ୍ଡାଇ ଦ୍ୱାର ଦ୍ଵାର ହୋଇ ବୁଲନ୍ତି ଏବଂ ସେଥିରୁ ଯାହା ଉପାୟ ହୁଏ ସେଇଥିରେ ସେମାନଙ୍କର ଘର ଚଳେ । ଦାଣ୍ଡରୁ ପଇସା ଆସିଲେ ଚୁଲି ଜଳେ । ଏମାନଙ୍କ ଭିତରେ ଫୁଲ ଓ ପାରବୋଉଙ୍କ ସମେତ ଆହୁରି କେତେ ଲୋକ ଅଛନ୍ତି । ଆମର ଧର୍ମନିଷ୍ଠାଗୁଡ଼ାକ ଏହିପରି ପ୍ରଚଣ୍ଡ ଭାବରେ ମଣିଷକାତର ହେବାକୁ ଆରମ୍ଭ କଲେ ସେମାନେ ପୁଣି ଚଳିବେ କେମିତି-?

 

ଆଗେ ସପ୍ତାହରେ ସାତଦିନ ମାଂସ କାରବାର ହେଉଥିଲା; ଏବେ ପାଞ୍ଚଦିନ ହେଉଛି । ଏହାଛଡ଼ା ଅନ୍ୟ ବାରଣଦିନଗୁଡ଼ିକ ବି ରହିଛି । ମାଂସବିକାଳିମାନଙ୍କର ସଂସାର ଆଗେ ସାତଦିନର ଆୟରେ ଚଳୁଥିଲା, ଏବେ ପାଞ୍ଚଦିନର ଆୟରେ ଚଳୁଛି । ହୁଏତ ସେଥିସକାଶେ ହିଁ ସେମାନେ ମାଂସର ଦରବୃଦ୍ଧି କରିବାକୁ ବାଧ୍ୟ ହେଉନାହାନ୍ତି କି ? ଅନ୍ୟ ପକ୍ଷରେ ମାଂସାହାରୀ ଅଥଚ ଧର୍ମ ଉପରେ ଭରସା ରଖିଥିବା ଆମ ହିନ୍ଦୁମାନେ ବି ଏହାଦ୍ୱାରା ଅଧିକ ମାଂସଟକଳା ହେବାକୁ ଉତ୍ସାହ ପାଉଛନ୍ତି କି ?

 

୨୦ । ୦୪ । ୧୯୮୦

☆☆☆

 

ଇଂଲଣ୍ଡ ଓ ଅଲମ୍ପିକ୍ ଖେଳ

 

ଏ ବର୍ଷ ମସ୍କୋରେ ହେଉଥିବା ଅଲମ୍ପିକ କ୍ରୀଡ଼ା-ପ୍ରତିଯୋଗିତାକୁ ବୟକଟ୍ କରିବାଲାଗି ଇଂଲଣ୍ଡ ସରକାର କେତେଦିନ ତଳେ ଠିକ୍ କରିଥିଲେ । ପଶ୍ଚିମ ୟୁରୋପୀୟ ଦେଶଗୋଷ୍ଠୀର ଏକ ବୈଠକରେ ସିଏ ଏହି ପରି ଗୋଟାଏ ପ୍ରସ୍ତାବ ମଧ୍ୟ ପାସ୍ କରାଇନେଇଥିଲେ । ଏବେ ଏହି ସପ୍ତାହରେ ଇଂଲଣ୍ଡର ଅଲମ୍ପିକ ସମିତି ମସ୍କୋ ଅଲମ୍ପିକରେ ଯୋଗଦେବେ ବୋଲି ସ୍ଥିର କରିଛି ।

 

ସରକାରମାନେ ଆଦୌ କୌଣସି ଖେଳ ଖେଳନ୍ତି ନାହିଁ । ମାତ୍ର ପ୍ରାୟ ଏକ ସ୍ୱ-ଅଭିମାନ ଦ୍ୱାରା ପରିଚାଳିତ ହୋଇ ସେମାନେ ପ୍ରାୟ ସବୁ ଖେଳରେ ଯାଇ ଅମ୍ପାୟାରୀ କରିବାକୁ ମନ କରନ୍ତି । ଗୋଟାଏ ଗୋଟାଏ ଦେଶରେ ନାନା କାରଣରୁ ଖେଳୁଆଡ଼ମାନେ ସରକାର ବୋଲାଉଥିବା ଅଖେଳୁଆଡ଼ମାନଙ୍କ ହାତରେ ହିଁ ପ୍ରାୟ ଖେଳନା ପରି ହୋଇ ରହିଥାନ୍ତି । ଅତି ଅନ୍ୟ ସ୍ତରର ଗୁଡ଼ାଏ ବିଦ୍ୱେଷ ଓ ଗୁଡ଼ାଏ କଣ୍ଡୁକରତା ରାଜନୀତିକ କ୍ଷମତାରେ ରହିଥିବା ଅଶୋଭାବନ୍ତ ଅତିମଣିଷମାନଙ୍କୁ ଏପରି ଜ୍ୱରଗ୍ରସ୍ତ କରି ରଖିଥାଏ ଯେ ସେମାନେ ସଂସାରର ଯାବତୀୟ ଖେଳକୁ ସେମାନଙ୍କ ରାଜନୀତିକ ଖେଳଗୁଡ଼ାକର ଗୋଟାଏ ଜମିଦାରୀ ବୋଲି ବିଚାରକରନ୍ତି ଓ ତେଣୁ ସବୁଆଡ଼କୁ ହିଁ ଆପଣାର ଛିଦ୍ର ବୃଦ୍ଧିର ମଇଗୁଡ଼ାକୁ ଚଳାଇ ଦେବାକୁ ମନକରନ୍ତି । ଇଂଲଣ୍ଡର ସରକାର ସେଇଆ କରିଥିଲେ । ଇଂଲଣ୍ଡର ଖେଳାଳିମାନେ ସେମାନଙ୍କର ସେଇ ଅନଧିକାର ପ୍ରବେଶକୁ ଚଇତନ ମାରିଲେ ।

 

ଖେଳାଳିମାନେ କୌଣସି ସରକାରଙ୍କର ନୁହନ୍ତି, କୌଣସି ଦେଶର ବି ନୁହନ୍ତି, ସେମାନେ ଖେଳର । ଖେଳର ପରିଧି ଯେକୌଣସି ଦେଶର ଓ ଯେକୌଣସି ସରକାରର ପରିଧିଠାରୁ ଅନେକ ବଡ଼ ଆପଣାର ଆଦୌ କୌଣସି ପରିଧି ନଥିବା ଅଣଆୟତ୍ତ ଉଗ୍ରମାନେ ସେହି କଥାଟିକୁ ମୋଟେ ମନେରଖିପାରନ୍ତି ନାହିଁ । ଦେଶର ଖେଳାଳିମାନଙ୍କୁ ସେହି ଦେଶର ସରକାର ଭିତରେ ପଶିଥିବା ମାମଲତକାରମାନେ ଦେଶର ସମ୍ପତ୍ତି ବୋଲି ଭାବନ୍ତି । ସର୍କସ-ମାଷ୍ଟର ସର୍କସରେ ଖେଳ ଦେଖାଉଥିବା ଜନ୍ତୁମାନଙ୍କୁ ଯେପରି ନିଜର ସମ୍ପତ୍ତି ବୋଲି ଭାବେ, ପ୍ରାୟ ସେହିପରି । ଏହି ଫେଶନଗୁଡ଼ାକ ଯେ କ୍ରମେ ପୁରୁଣା ହୋଇଯାଇଛି, ଆମ ସମସ୍ତଙ୍କ ସକାଶେ ତାହାହିଁ ଏକ ଭାଗ୍ୟର କଥା ।

 

ପୃଥିବୀର ଆଉ ଯେତେ ଯେତେ ଦେଶର ସରକାର ମସ୍କୋ ଖେଳକୁ ବର୍ଜନ କରିବାକୁ ସ୍ଥିର କରିଛନ୍ତି, ସେଠି ସେସବୁ ଦେଶର ଖେଳାଳିମାନଙ୍କୁ ହିଁ ଏହି ବିଷୟରେ ଅସଲ କରିଟିକୁ କରିବାଲାଗି ଛାଡ଼ିଦିଆଯାଉ । ରାଜାମାନେ ରାଜ୍ୟଲୋକଙ୍କ ଜୀବନରେ ଯେ ମୋଟେ ଏତେଗୁଡ଼ାଏ ଅଧିକାରୀ ନୁହନ୍ତି, ଆମ ପୃଥିବୀରେ କ୍ରମେ ସେହି କଥାଟି ପ୍ରମାଣିତ ହୋଇଯାଉ । ଯିଏ ଅସଲ ଖେଳାଳି ସିଏ କାହାରି ଭୃତ୍ୟ ନୁହେଁ, ସିଏ ରାଜନୀତିର ଯାବତୀୟ ଘୃଣା ଓ ବର୍ଜନନୀତିର ବାହାରେ-। ଏ ବର୍ଷ ମସ୍କୋ ଅଲମ୍ପିକ୍‍ ପଡ଼ିଆରେ ଅନ୍ତତଃ ତାହାହିଁ ପ୍ରମାଣିତ ହୋଇଯାଉ । ସରକାର ମଣିଷଙ୍କ ପାଇଁ ଚଳେ । ସରକାରଗୁଡ଼ାଙ୍କ ପାଇଁ ଯେ ମଣିଷଙ୍କୁ ଚଳାଯିବା ଅନ୍ୟାୟ, ଆମ ପୃଥିବୀରେ ଏ ବର୍ଷ ତାହାହିଁ ପ୍ରମାଣିତ ହୋଇଯାଉ ।

 

୧୩ । ୦୪ । ୧୯୮୦

☆☆☆

 

ଏହାହିଁ ପ୍ରାର୍ଥନା

 

“ଆପଣ ଜାଦୁ, କାଛୁ ଓ କୁଣ୍ଡିଆରୁ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ; ଭଗବାନଙ୍କଠାରେ ଆମର ଏହାହିଁ ପ୍ରାର୍ଥନା... । ଏବେ ଖବରକାଗଜମାନଙ୍କରେ ଏହିପରି ଏକ ଲୋମହର୍ଷଣକାରୀ ବିଜ୍ଞାପନ ବାହାରୁଛି । ବିଜ୍ଞାପନର ଉପରିଭାଗରେ ଗୋଟିଏ କଣକୁ ଜଗନ୍ନାଥଙ୍କର ଛବି ରହିଛି । କହିବା ବାହୁଲ୍ୟ, ଏହାଦ୍ୱାରା କୌଣସି ଏକ ଚର୍ମରୋଗନାଶକ ଔଷଧ କିଣିବା ଲାଗି ସଂପୃକ୍ତ ସମସ୍ତଙ୍କୁ ଆବେଦନ କରାଯାଇଛି । ଓଡ଼ିଶାରେ ଏହି ଆବେଦନ ଆମ ଅନେକଙ୍କୁ ନିଶ୍ଚୟ ଭାରି କାଟୁଥିବ । ତାହା ସିଧା ଯାଇ ଆମର ପ୍ରାଣକୁ ସ୍ପର୍ଶ କରିପକାଉଥିବ । ଆମର ଅବିଶ୍ଵାସଗୁଡ଼ାକୁ ତାହା ଏକାବେଳକେ ବିଚଳିତ କରିଦେଉଥିବ ଏବଂ ଏହିପରି ଏକ ପ୍ରଖର ଫଳଦାୟକ ବିଜ୍ଞାପନରୁ ପ୍ରକୃତରେ ଅନେକ ଉପକାର ହେବ ବୋଲି ଔଷଧ କମ୍ପାନୀ ବି କମ୍‍ ବିଶ୍ୱାସ କରୁନଥିବେ । ଜାଦୁ, କାଛୁ ଓ କୁଣ୍ଡିଆ ଯାହାର କୃପାରୁ ଭଲ ହେଉ ବା ମୋଟେ ଭଲ ନହେଉ ପଛକେ, ଏପରି ଏକ ଅନ୍ତରଙ୍ଗ ଆବେଦନ ଦ୍ୱାରା ଔଷଧର କାଟତିରୁ ଯେ ଅଧିକ ପଇସା ନିଶ୍ଚୟ ମିଳିବ, ସେଥିସକାଶେ କମ୍ପାନୀ ଭାରୀ ଖୁସିଟାଏ ହୋଇ ଜଗନ୍ନାଥଙ୍କୁ ଆଣି ବିଜ୍ଞାପନରେ ଥୋଇବାର ସେହି ବୁଦ୍ଧିଟାକୁ ଦେଖିଲା ମାତ୍ରକେ ଯାଇ ମାଡ଼ିବସିଥିବେ ।

 

ଓଡ଼ିଶାରେ ଯେଉଁ ପ୍ରବୀଣମାନେ ଜଗନ୍ନାଥଙ୍କୁ ଖବରକାଗଜଯାଏ ଆଣିଲେଣି, ସେମାନଙ୍କର ଦୁର୍ଦ୍ଧର୍ଷତାକୁ ଆମେ ପ୍ରକୃତରେ ଧନ୍ୟ ବୋଲି କହିବା । ଜଗନ୍ନାଥ ଏଠି ଅର୍ଥାତ୍ ଆମ ଓଡ଼ିଶାରେ ସବୁକିଛି କରିପାରିବେ । ସିଏ ଆମର ନେତା ହେବେ, ଆମକୁ ଅଧିକରୁ ଅଧିକ ହୁଣ୍ଡା କରିବେ, ଆମ ସିଂହାସନଗୁଡ଼ାକୁ ଜଗିବେ, ଏଠାରେ ଆମକୁ ଅଧିକରୁ ଅଧିକ ପାଷଣ୍ଡ ହେବାକୁ ବାଟ ଛାଡ଼ିଦେବେ । ଶେଷକୁ ତାଙ୍କରି କୃପାରୁ ଅମୁକ ତୈଳଟିକୁ ମାଲିସ କରି ଆମର ଜାଦୁ, କାଛୁ ଓ କୁଣ୍ଡିଆ ସବୁ ନିର୍ମଳ ହୋଇଯିବ । ଭିତରେ ସେଗୁଡ଼ାକ ଦଶଗୁଣ ଅଧିକ ହୋଇ ମାଡ଼ିଯାଉ ପଛକେ, ବାହାରେ ସେଗୁଡ଼ାକ ଆଦୌ କିଛିହେଲେ ଦେଖାଯିବ ନାହିଁ ।

 

ଏବଂ ତା’ବଦଳରେ ଆମେ ଜଗନ୍ନାଥଙ୍କୁ ଖାଲି ପ୍ରାର୍ଥନା କରିବୁ; ତାଙ୍କ ସିଂହଦ୍ୱାରରେ ଆସନ ଥାପି ଜଣାଣ-ସଭା କରିବୁ । ଏହି ଦେଶରେ ଅର୍ଥାତ୍ ଜଳାଶୟରେ ସାମ୍ୟ, ମୈତ୍ରୀ ଓ ଆହୁରି କେତେ କ’ଣ ପ୍ରତିଷ୍ଠା କରିବାର ସବୁଯାକ ଦାୟିତ୍ୱକୁ ନେଇ ତାଙ୍କରି ଉପରେ ଲଦିଦେଇ ଆସୁଥିବୁ ଏବଂ ସଂସାରରୂପକ ଏହି ବନରେ ମର୍କଟ ହୋଇ ତୋଟା ଭାଙ୍ଗିବାରେ ଲାଗିଥିବୁ । ଭାଗ୍ୟକୁ ଜଗନ୍ନାଥ ଆମର ବକ୍ତୃତା ଶୁଣୁନାହାନ୍ତି, ନହେଲେ ଏଗୁଡ଼ାକ ଶୁଣି ସେ ଫେଁ କରି ନିହସି ମୋଟେ ରହିପାରନ୍ତେନାହିଁ ।

 

୨୨ । ୦୪ । ୧୯୮୦

☆☆☆

 

ମିଳିତଭାବରେ ଲଢ଼ିବେ

 

ଏମାନେ ଏଥର ମିଳିତ ଭାବରେ ଲଢ଼ିବେ ବୋଲି ଖବରକାଗଜରେ କୁହାକୁହି ହେଲେଣି । ମାତ୍ର ଅଳ୍ପ ଦିନ ପୂର୍ବରୁ ଏମାନେ ମିଳିତ ଭାବରେ ଥିଲେ, ଆସନରେ ବସିଥିଲେ ଓ ଦେଶଟାକୁ ଭୋଗକରୁଥିଲେ । ଆମ ସମସ୍ତଙ୍କୁ ଭୋଗକରୁଥିଲେ । ଆମର ରାଜନୀତି, ଆମର ଭାଗ୍ୟ, ଆମର ସାହିତ୍ୟ ଓ ଆମର ସଂସ୍କୃତିକୁ ଘୋଡ଼ା ପରି ବ୍ୟବହାର କରୁଥିଲେ । ଏହିପରି ଭୋଗ କରୁ କରୁ ଉଦଣ୍ଡ ହେଲେ । ଏମାନଙ୍କର ପ୍ରତ୍ୟେକଙ୍କ ମୁଣ୍ଡରୁ ଗୋଟାଏ ଲେଖାଏଁ ଶିଙ୍ଗ ଉଠିଲା । ସେହି ଶିଙ୍ଗଗୁଡ଼ାକ ଦିନକୁ ଦିନ ବଢ଼ିଲା ଓ ପରସ୍ପର ସହିତ ବାଜିବାକୁ ଆରମ୍ଭ କଲା । ତାପରେ ସେମାନେ ଆପଣା ଘରକୁ ଆପେ ତାଡ଼ିଲେ ।

 

ଏମାନେ ପରସ୍ପର ସହିତ ଖୁରି ଖାଇଲେ, ପରସ୍ପରର ନାକ ଭିତରୁ ଗୁହ ବାହାର କରି ସେଗୁଡ଼ାକୁ ବିବୃତ୍ତ ଆକାରରେ ବିଞ୍ଚିଲେ । ଏମାନେ ସମସ୍ତେ ଧରାପଡ଼ିଲେ; ଏମାନେ ଯେ କେହି ସ୍ଵୟମ୍ବରସଭାର ଯୋଗ୍ୟ ନୁହନ୍ତି, ସେହି କଥାଟାକୁ ଧରାପକାଇଦେଲେ । ଶିଶୁପାଳ ହେଲେ । କାନନାକକଟା ହୋଇ ନିଜନିଜର ଏକୁଟିଆ ଡିହଗୁଡ଼ିକୁ ଫେରିଲେ, ଝଜ୍‌ମାରି ରହିଲେ ।

 

ଏଥର ଏମାନେ ପୁଣି ମିଳିତ ଭାବରେ ଲଢ଼ିବେ ବୋଲି ବାହାରିଲେଣି । ପଣିଥରେ ବାହା ହେବାକୁ ମନକଲେଣି । ପୁଣି ଏକାଠି ବିବୃତିମାନ ଦେଲେଣି । ନାହାକ ଡାକି କୋଷ୍ଠୀ ସୁଝାଇବାକୁ ବି ଆଉ ମୋଟେ ବେଳ ନଥିଲା ପରି ମନେହେଉଛି । ବାହାତିଥିଟା ପାଖେଇଆସିଲାଣି ଯେତେବେଳେ, ସେତେବେଳେ ଆଉ ସେଗୁଡ଼ାକ ଲାଗି ବେଳ କାହିଁ ? ନିଜର ମଳ, ମୂତ୍ର, ରକ୍ତ ଆଉ ଧାତୁକୁ ପରୀକ୍ଷା କରିବାକୁ ବି ବେଳ କାହିଁ ? ବର୍ତ୍ତମାନ ଅବସ୍ଥାରେ କେବଳ ଶୀଘ୍ରଟା ହିଁ ଶୁଭ ବୋଲି ବିବେଚିତ ହେବ; ନଚେତ୍ ଆତ୍ମନିରୀକ୍ଷଣ କରୁ କରୁ ତେଣେ କଚେରି ବରଖାସ୍ତ ହୋଇଯିବ ।

 

ସବୁଠାରୁ ବଡ଼ ବିଡ଼ମ୍ବନାର କଥା ହେଉଛି ଯେ ଏମାନେ ମିଳିତ ଭାବରେ ଦାରିଦ୍ର୍ୟ ବିରୁଦ୍ଧରେ ଲଢ଼ିବେ ନାହିଁ କିମ୍ବା ଅନ୍ୟାୟ ବିରୁଦ୍ଧରେ ବି ଲଢ଼ିବେ ନାହିଁ । ଏମାନେ ଆସନରେ ବସିବା ଲାଗି ଲଢ଼ିବେ, ଆପଣାର ପୁନର୍ବାସ ଲାଗି ଲଢ଼ିବେ । ଶତ୍ରୁକୁ ବାସଚ୍ୟୁତ କରିବେ । ଶତ୍ରୁକୁ ତଡ଼ି ନିଜେ ଭୋଗର ଅଧିକାରୀ ହେବେ । ଅବିକଳ ଶତ୍ରୁପରି ହିଁ ଯାବତୀୟ ଅନ୍ୟାୟ କରିବେ ଓ ଯାବତୀୟ ଦାରିଦ୍ର୍ୟର କାରଣ ହୋଇରହିବେ । ଆମ ଭାଗ୍ୟର ଚକୁଳିପିଠାଗୁଡ଼ାକ ଖାଲି ଏମିତି ଲେଉଟିବାରେ ହିଁ ଲାଗିଥିବ । ଗୋଟିଏ ମାଉଁସପିଣ୍ଡୁଳାରୁ ଜାତ ହୋଇଥିବା ଦୁଃଶାସନମାନେ ଏପଟ । ସେପଟ ଦୁଇପଟ ହୋଇ ଆମକୁ ଘର ବୁଲାଇବାରେ ଲାଗିଥିବେ । ଏମାନଙ୍କର ବେଳ ସରିଯିବାପର୍ଯ୍ୟନ୍ତ ଆମ ଦେଶରେ ଏହି ତାମସାଟା ହିଁ ଲାଗିଥିବ ।

 

୧୮ । ୪ । ୮୦

☆☆☆

 

ସହଜତମ, ନିର୍ବୋଧତମ

 

ପିଲାଙ୍କୁ କୁହାଗଲା—‘ବାହାରକୁ ଯାଇ ଧାଡ଼ିବାନ୍ଧି ଠିଆହୁଅ’, ତାପରେ ଆଦେଶ ପାଇଲେ ସେମିତି ଧାଡ଼ିବାନ୍ଧି ପଡ଼ିଆକୁ ଯିବ । ସେଦିନ ଇସ୍କୁଲର ବାର୍ଷିକ ଖେଳର ଦିନ । ପିଲାଙ୍କର ପାଠପଢ଼ା ନାହିଁ । ସେମାନେ ଧାଡ଼ିବାନ୍ଧି ପଡ଼ିଆକୁ ଯିବେ ଏବଂ ଖେଳ ଦେଖିବେ ।

 

ପିଲାମାନେ ଧାଡ଼ିବାନ୍ଧି ଦୁଆରେ ଠିଆହୋଇଥାନ୍ତି । ଆଦେଶ ଅନୁସାରେ ଗୋଟିଏ କ୍ଲାସ୍ ପରେ ଆଉ ଗୋଟିଏ କ୍ଲାସ୍ ପଡ଼ିଆ ଉଦ୍ଦେଶ୍ୟରେ ଚାଲିଯାଉଥାନ୍ତି । ଆଦେଶ ହୋଇଥାଏ—ପାଟି କରିବ ନାହିଁ, ଶାନ୍ତ ହୋଇ ଠିଆହୋଇଥିବ, ଆଦେଶ ପାଇଲେ ଯିବ । ଗୋଟାଏ ଧାଡ଼ିରେ ପାଟି ହେଲା । ଶୃଙ୍ଖଳା ଭଙ୍ଗ ହୋଇଗଲା । ପାଖରେ କଣା ଶିକ୍ଷୟିତ୍ରୀ ଠିଆହୋଇଥିଲେ । ସାଙ୍ଗେ ସାଙ୍ଗେ ସେମାନଙ୍କୁ ଆଦେଶ ଦେଲେ—ତୁମେମାନେ ପାଟି କଲ, ତେଣୁ ନିଲ୍‍ଡାଉନ୍‍ ହୋଇଯାଅ । ପିଲାଗୁଡ଼ାକ ଭାରି ବାଧ୍ୟ । ନଥ୍‍ ନଥ୍‍ ସମସ୍ତେ ସେଇ ବାଲିଉପରେ ନିଲ୍‍ଡାଉନ ହୋଇଗଲେ, କିନ୍ତୁ ଏତିକିରେ କି ସରିଲାନାହିଁ ।

 

ଅନତିଦୂରରେ ଆଉ ଜଣେ ଶିକ୍ଷକଙ୍କ ଆଖିରେ ସେହି କଥାଟି ପଡ଼ିଲା । ସିଏ ପିଲାମାନଙ୍କୁ ଆଉ କିଛି ଶିକ୍ଷା ଦେବାକୁ ମନସ୍ଥ କଲେ । କହିଲେ—ପିଲାମାନେ, ଆଗାମୀ ସୋମବାର ଭିତରେ ପ୍ରତ୍ୟେକେ ନିଜ ନିଜ ଖାତାରେ ଦୁଇଶହ ଥର ଲେଖି କରି ମୋତେ ଦେଖାଇବ ଯେ ଏପରି ବ୍ୟବହାର କରିଥିବା ଯୋଗୁଁ ତୁମେମାନେ ଅତ୍ୟନ୍ତ ଦୁଃଖିତ ଆଉ କେବେହେଲେ ଭବିଷ୍ୟତରେ ଏହାର ପୁନରାବୃତ୍ତି ହେବନାହିଁ । ଯିଏ ସେଦିନ ଲେଖି ନଆଣିଥିବ ବା ମୋତେ ନ ଦେଖାଇବ ତାକୁ ଦୁଇ ଶହ ଜାଗାରେ ପାଞ୍ଚଶହ ଥର ଲେଖିବାକୁ ପଡ଼ିବ । କହିବା ବାହୁଲ୍ୟ, ଆଜ୍ଞା ଯେମିତି ଇଚ୍ଛା କରିଥିଲେ, ବାଳୁତ ଆଜ୍ଞାବହମାନେ ତାହାହିଁ କଲେ । ବିଶୃଙ୍ଖଳା ପୁନର୍ବାର ଶୃଙ୍ଖଳା ରେ ପରିଣତ ହେଲା । ଆଜ୍ଞାଙ୍କର ମାନରକ୍ଷା ହେଲା ।

 

ଏଗୁଡ଼ାକ ସେଇ ପୁରୁଣା ଇତିହାସର ପୁନରାବୃତ୍ତ । ସାନବେଳେ ବାଧ୍ୟ ହୋଇ ବଡ଼ ହୋଇ ଦୁର୍ବୃତ୍ତ ଓ ଦୁରାତୃ ହେବାର ଶିକ୍ଷା । ସ୍ଵୟଂ ଶିକ୍ଷକ ହୁଏତ ତାଙ୍କ ପିଲାଦିନ ଏହିପରି ବାଧ୍ୟ ହୋଇଥିଲେ । ତେଣୁ ଈର୍ଷାଗୁଡ଼ାକୁ ପିଲାଙ୍କ ଉପରେ ଶୁଝିବାକୁ ମନ କଲେ, ଦୌରାତ୍ମ୍ୟର ପରିଚୟ ଦେଲେ ।

 

ପିଲାଏ ବହିରେ କ୍ଷମା ବିଷୟରେ ପଢ଼ନ୍ତି, ଶ୍ରଦ୍ଧା ବିଷୟରେ ପଢ଼ନ୍ତି; ମାତ୍ର ପ୍ରକୃତ ବ୍ୟବହାରରେ କିନ୍ତୁ ପରି ଆଚରଣର ସମ୍ମୁଖୀନ ହୁଅନ୍ତି । ସେତେବେଳେ ଶୃଙ୍ଖଳାର ରାକ୍ଷସ ଶିକ୍ଷକ ହୋଇ ଦାନ୍ତ ରଗଡ଼େ, ନିଶକୁ ମୋଡ଼ି ଆଦେଶ ଦେବାକୁ ଆସେ, ବାଧ୍ୟକରି କେଡ଼େ ଖୁସି ପାଏ । କାଳଟା କର୍କଶ, ଦାରୁଣ ଓ ଦୁରାତ୍ମା ହୋଇ କହିବାକୁ ଭାରି ବଳ ପାଏ । ମଣିଷଠାରୁ ମଣିଷ ଦୂରକୁ ଚାଲିଯାଏ । ବୟସମାନେ ପରସ୍ପର ସହିତ ଲଢ଼ାଲଢ଼ି ହୁଅନ୍ତି । ଦୁର୍ବଳକୁ ବାଧ୍ୟ କରି ରଖି ହିଁ ସବଳ ନିଜ ବଳର ପରିଚୟ ପାଏ ।

 

୧୧ । ୦୪ । ୧୯୮୦

☆☆☆

 

ଦୁଇଟି ସତ କଥା

 

କୌରବ ଓ ପାଣ୍ଡବ ଦୁଇପକ୍ଷଯାକ ପୁରାଣର ପ୍ରମାଣ ଅନୁସାରେ ସେଇ ଗୋଟିଏ ପକ୍ଷର ମଣିଷ । ସେମାନେ ଗୋଟିଏ ବଂଶରୁ ସମ୍ଭୂତ, ସେଇ ଗୋଟିଏ ଗଡ଼ିଆର ମଳ, ଗୋଟିଏ ଗାଈର ଗୋବର । କୌରବ ଓ ପାଣ୍ଡବଙ୍କ ମଧ୍ୟରେ ଯେତେବେଳେ ଯୁଦ୍ଧ ଲାଗିଲା, ସେତେବେଳେ ନ୍ୟାୟ କେଉଁ ପଟେ ଥିଲା ଓ ଅନ୍ୟାୟ କେଉଁ ପଟେ ଥିଲା, ସେକଥା କହିବା ଆଦୌ ସହଜ ନୁହେଁ-। ମାତ୍ର ଏକଥାଟା ଗୋଟା ସୁଦ୍ଧା ସତ ଯେ, ଯେଉଁ ପଟେ କୃଷ୍ଣ ରହିଥିଲେ ସେହି ପଟର ହିଁ ଜିତାପଟ ହେଲା । କୃଷ୍ଣ ଯେଉଁ ପଟେ ଥିଲେ, ଶାସ୍ତ୍ରକାର ବେଦବ୍ୟାସ ବି ସେଇ ପଟଟାକୁ ନ୍ୟାୟର ପଟ ଓ ଧର୍ମର ପଟ ବୋଲି କହିଲେ । କୃଷ୍ଣ କହିଲେ ଆମେ ଆଧୁନିକ ଅର୍ଥରେ ଅଧିକ କ୍ଷମତା, ଅଧିକ ସାମର୍ଥ୍ୟକୁ ହିଁ ବୁଝିବା ।

 

ଦୁଇ ବା ତିନିବର୍ଷ ତଳେ ତିନି ତୁଣ୍ଡରେ ଯେଉଁ ଛେଳିମାନେ କୁକୁର ବୋଲି ଘୋଷିତ ହୋଇଥିଲେ, ଏବେ ସେହି ଛେଳିମାନେ ବାଘ ବୋଲି ଘୋଷିତ ହେଲେ । ଯେଉଁ ମକଦ୍ଦମାଗୁଡ଼ାକ କେତେ ଟଙ୍କା ଖରଚ ହୋଇ କେଡ଼େ ତାଉ ବୋଲି ଆମ ସମସ୍ତଙ୍କ ଆଗରେ ଦେଖାଇଦିଆଯାଉଥିଲା, ସେଗୁଡ଼ାକ କେଡ଼େ ସହଜରେ ଫଟ କରି ଛିଡ଼ିଗଲା । ମିଆଁ ବିବି ଫଟ୍ କରି ରାଜିହୋଇଗଲେ; ତେଣୁ କାଜିମାନେ ହାତକଡ଼ିଗୁଡ଼ାକୁ ସଙ୍ଗେ ସଙ୍ଗେ ରଥଦଉଡ଼ିରେ ପରିଣତ କରିଦେଲେ । ଖାନ୍ଦାନ୍‍ମାନଙ୍କର ମହତ ରହିଲା ।

 

ଏସବୁ ଯାହା ଘଟିଲା ସେଥିରେ ଦୁଇଟି କଥା ପ୍ରକୃତରେ ସତ । ତୁମ ହାତରେ ଯଦି କ୍ଷମତା ଅଛି, ତେବେ ତୁମ ହାତରେ ସବୁ ଅଛି । ତେଣୁ ତୁମେ ଯାହା କିଛି କରିବ, କ୍ଷମତାରେ ଥିଲାବେଳେ ଚାହୁଁ ଚାହୁଁ କରିଯିବ; ମୋଟେ ମଠ କରିବ ନାହିଁ । ତୁମେ କ୍ଷମତାରେ ଥିଲାବେଳେ ମୋଟା ମୋଟା କୋଠାଘରଗୁଡ଼ାକ ତୁଚ୍ଛାଟାରେ ଗୋଟାସୁଦ୍ଧା ତୁମର ହୋଇଯିବେ । ତୁମେ କ୍ଷମତାରେ ଥିଲାବେଳେ ଖୋଦ୍ ଯମର ବି ଖୋସଣି ଫିଟିଯିବ । ସିଏ ଅଲବତ୍ ତୁମର ମନ ଅନୁସାରେ କାମଗୁଡ଼ାକୁ କରି ଥୋଇଦେବ ।

 

ଦ୍ୱିତୀୟ ସତ କଥାଟି ହେଉଛି, ଯେତେବେଳେ ଏହି ରଙ୍ଗଗୁଡ଼ାକ ଭାଙ୍ଗିବା ସେତିକିବେଳେ ଯାଇ ଅସଲ ନ୍ୟାୟ ମୁହଁ ଖୋଲି କଥା କହିବ । କୌରବ, ପାଣ୍ଡବ କେହି ରହିବେ ନାହିଁ, ମଣିଷ ରହିବେ । ଆଉ ସେମାନଙ୍କର ସାଥୀ ହୋଇ ସାହସ ରହିଥିବ ।

 

୧୩ । ୦୫ । ୮୦

☆☆☆

 

ବାଳ-ଅପରାଧୀଙ୍କ ସଂଖ୍ୟା

 

ଓଡ଼ିଶାରେ ବାଳ-ଅପରାଧୀମାନଙ୍କର ସଂଖ୍ୟା ଆରବର୍ଷ ଅପେକ୍ଷା ଏବର୍ଷ ଅଧିକ ହେଉଛି ବୋଲି ଅପରାଧୀମାନଙ୍କର ସୁମାରି କରୁଥିବା ଏକ ଜନକଲ୍ୟାଣ ବିଭାଗ ଏବେ ଖସଡ଼ାଟିଏ ବାହାର କରି କହିଛନ୍ତି । କୋଉ ସମାଜରେ ଅପରାଧୀଙ୍କ ସଂଖ୍ୟା କାହିଁକି ବଢ଼େ, ତାହାର ଏକାଧିକ କାରଣ ରହିଛି । ପୁଣି, କେଉଁ ସମାଜରେ ସାଧାରଣତଃ କେଉଁଭଳି ଅପରାଧମାନ ହେଉଥିବାର ଦେଖିବାକୁ ମିଳେ, ତାହାର ମଧ୍ୟ କାରଣ ରହିଛି । ଗୋଟିଏ ସମାଜରେ ଆଚରିତ ହେଉଥିବା ଅପରାଧଗୁଡ଼ିକରୁ ଆମକୁ ଅନେକ ସମୟରେ ସେହି ସମାଜର ଅନ୍ତଃଜଳବାୟୁ ବିଷୟରେ ମଧ୍ୟ ଏକ ଚିତ୍ର ମିଳିଯାଇଥାଏ । ଯେଉଁମାନେ ଖାଲି ଅପରାଧୀମାନଙ୍କୁ ଧରିବା ପାଇଁ ଚାକିରି କରିଥାନ୍ତି, ସେମାନେ କେବେହେଲେ ଏସବୁ ତୋଟାର ମୂଲ କରିବାକୁ ଯାଆନ୍ତି ନାହିଁ । ଅସଲ କଥା ହେଉଛି, ଆମ ଦେଶରେ ଅପରାଧର ସଂଖ୍ୟା ବଢ଼ୁଛି; ତେଣୁ ବାଳଅପରାଧର ସଂଖ୍ୟା ବି ବଢ଼ୁଛି । ଯେଉଁଭଳି ମାଟି ଅପରାଧଗୁଡ଼ାକ ପାଇଁ, ଅର୍ଥାତ୍ ଲୋଭଗୁଡ଼ାକ ପାଇଁ, ଈର୍ଷାଗୁଡ଼ାକ ପାଇଁ ଓ ଉତ୍ତେଜନାଗୁଡ଼ାକ ପାଇଁ ଉର୍ବର ଭୂମି ଯୋଗାଇଦିଏ, ଆମ ଦେଶରେ ସେହି ମାଟିର ଏବେ ଅଧିକରୁ ଅଧିକ କର୍ଷଣ ହେଉଛି । ଆମେ ଯେଉଁମାନେ ଉପରେ ବସି ଖାଲି ଅପରାଧର ସଂଖ୍ୟା ଗଣିବାରେ ଲାଗିଛୁ ଅଥବା ଅପରାଧୀକୁ ବେତଦ୍ୱାରା ଶାସନ କରିବାଲାଗି ରହିଚୁ, ସେହି ମାଟିରୁ ଆମମାନଙ୍କର ବି କମ୍ ଫସଲ ଫଳୁନାହିଁ; ସେହି ମାଟି ଆମକୁ ବି କମ୍ ସୁହାଉନାହିଁ । ଆମେ ସମସ୍ତେ ସେଇ ଗୋଟିଏ ଅପରାଧ-ନାବ ଉପରେ ବସି ଚୋର-ପୁଲିସ ଖେଳିବାରେ ଲାଗିଛୁ । ।

 

ଆଉ ଗୋଟିଏ କଥା ହେଉଛି ଯେ, ଆମ ଛୋଟ ଗୋଦାମମାନଙ୍କରେ ଯେତିକି ଅପରାଧର ହିସାବ ରହିଛି, ଆମ ଦେଶରେ ଅପରାଧ କହିଲେ ଯେ କେବଳ ସେତିକିକୁ ବୁଝାଉଛି, ସେ କଥା କଦାପି ନୁହେଁ । ଅପରାଧ କେତେ ଛଟକରେ ଆମ ଗୋପପୁରମାନଙ୍କରେ ବି ବଢ଼ୁଛି, ସେତିକି ହିଁ ଷୋଳସହସ୍ର ନାୟିକା ଓ ନଉକାର ଉପଚାରରେ କେଳି କରିବାରେ ଲାଗିଛି । ଆମ ଅପରାଧ ଧରିବା ଲୋକଙ୍କୁ ପୁଣି କିଏ ଧରିବାକୁ ଆସିବ ? ଅପରାଧ-ବିଜ୍ଞାନର ଏହି କଥାଟି ହିଁ ଚିରଦିନ ଏକ ପ୍ରହେଳିକା ପରି ହୋଇ ରହିଛି ।

 

୧୫ । ୦୫ । ୮୦

☆☆☆

 

ଶ୍ରମିକ ଓ ନାଗରିକ

 

ଆପଣାକୁ ଜଣେ ଶ୍ରମିକ ବୋଲି ଅନୁଭବ କରିବା ଆଗରୁ ଯେଉଁମାନେ ନିଜକୁ । ଆଗରୁ କୌଣସି ଏକ ଦେଶର ନାଗରିକ ବୋଲି କହି ବାହାଦୁରୀ କରନ୍ତି, ସେମାନେ ଅଧିକାଂଶ କ୍ଷେତ୍ରରେ ଦେଶଟାକୁ ନିଜର ଗୋଟାଏ ଜମିଦାରୀ ପରି ଭାବୁଥାନ୍ତି ଏବଂ ସେହି ଜମିଦାରୀଟାକୁ ସେମାନେ ସ୍ୱୟଂ ଭୋଗକରୁଥାନ୍ତି । ଦେଶ ମଧ୍ୟଦେଇ ସେହି ଜମିଦାରୀର ସରହଦଗୁଡ଼ାକ ସାହିତ୍ୟ, ଧର୍ମ, ସଂସ୍କୃତି ଓ ଆହୁରି କେତେ କୁଆଡ଼କୁ ବିସ୍ତୁତ ହୋଇ ଯାଇଥାଏ । । ଆଗ ଶ୍ରମିକ; ତାପରେ ନାଗରିକ । ଯେଉଁ ଦେଶରେ ବା ଯେଉଁ ଅକଲ ଅନୁସାରେ । ଆଗ ନାଗରିକକୁ ଆସନ ଯୋଗାଇଦିଆଯାଏ, ସେ ଦେଶରେ ଶ୍ରମିକ ଘୃଣାର ପାତ୍ର ହୋଇ ରହି ଥାଏ । ସେ ଦେଶର ମନ ଭିତରେ ଶ୍ରମଲାଜ ଭର୍ତ୍ତିହୋଇ ରହିଥାଏ । ସେଠି ସମସ୍ତେ ବାବୁ ହେବାକୁ ଚାହୁଥାନ୍ତି; ବାବୁହୋଇ ଉପରେ ରହିବାକୁ ସବୁବେଳେ ଇଚ୍ଛା କରୁଥାନ୍ତି । ସେଠି ଶାସ୍ତ୍ରରେ ଶ୍ରମକୁ ହିଁ ଭାରି ମର୍ଯ୍ୟାଦା ଦିଆହୋଇ ରହିଥାଏ; ମାତ୍ର ସମସ୍ତେ ବାଧ୍ୟହୋଇ ଅର୍ଥାତ ଅସରରେ ପଡ଼ିଲେ ଯାଇ ଶ୍ରମ କରୁଥାନ୍ତି-। ସେଠି ରାଜନୀତିରେ କପଟ ପଶେ, ସେହି ଭୂଇଁର ସରାଗ ଓ ଅନୁରାଗଗୁଡ଼ାକୁ ନୃଶଂସତା ଖାଇଯିବାରେ ଲାଗିଥାଏ । ସେଠି ଅସଲ ଶ୍ରମ କଲା ଲୋକକୁ ସମସ୍ତେ ବୋକା ବୋଲି ଭାବନ୍ତି, ଶୂଦ୍ର ବୋଲି ଭାବନ୍ତି, ତାହାର ହାଡ଼କୁ ଚୂନାକରି ରାଷ୍ଟ୍ରୀୟତାର ମହୁଡ଼ମାନ ତୋଳାଯାଏ; ତା’ରି ଛାତି ଉପରେ ଚଲାଖମାନଙ୍କର ଶଗଡ଼ ଚାଲିଯାଉଥାଏ ଏବଂ ସେତେବେଳେ ବ୍ରାହ୍ମଣମାନେ ସ୍ଵସ୍ତିମନ୍ତ୍ର ଗାନକରିବାରେ ଲାଗିଥାନ୍ତି ।

 

ଆଗାମୀ ପୃଥିବୀରେ ନାଗରିକ ଯିବ, ଶ୍ରମିକ ରହିବ; ବାବୁମାନେ ଯିବେ, ମଣିଷ ରହିବ-। ନିର୍ଭିକ ମଣିଷ, ଗତିଶୀଳ ମଣିଷ, ଯାବତୀୟ କୃତ୍ରିମତା ଏବଂ କପଟତାକୁ ଅଧର୍ମ ବୋଲି କହୁଥିବା ସିଧା ଓ ସରଳ ମଣିଷ । ସେଇ ମଣିଷ ହେଉଛି ଶ୍ରମିକ । ତାକୁ ନେଇ ବାବୁମାନଙ୍କର ଟ୍ରେଡ୍ ଇଉନିଅନ ଗାଡ଼ି ରାଜନୀତି କରିବାର ସବୁଯାକ ଫିସାଦ କରିବା ଦିନେ ପଦାରେ ପଡ଼ିଯିବ । ନାଗରିକମାନେ ବି ଆପଣା ଭିତରକୁ ଅନାଇ ଆଗ ଶ୍ରମକୁ ଦେଖିବେ, ତା’ପରେ ଦେଶକୁ ଦେଖିବେ । ମଇ-ଦିବସର ସବୁ କୋଳାହଳ ଭିତରେ ଆମେ ଆଜି ସେହି ଅନ୍ୟ ଯୁଗଟିର ସ୍ଵପ୍ନ ଦେଖିବା ।

 

୧୭ । ୦୫ । ୮୦

☆☆☆

 

ଶାନ୍ତି ଫେରିଆସିଲା

 

ଶାନ୍ତି ଫେରିଆସିଲା । ଶାନ୍ତି ଫେରିଆସିଲା ବୋଲି ସମସ୍ତେ ବିବୃତ୍ତି ଦେଲେ । ସେହି ବିବୃତ୍ତିଗୁଡ଼ାକ ଖବରକାଗଜରେ ବାହାରିଲା । ସ୍ଵାଭାବିକ ଅବସ୍ଥା ଫେରିଆସିଲା; ଅର୍ଥାତ ଦୋକାନଗୁଡ଼ାକ ଫିଟିଲା, ବିକାକିଣା ଚାଲିଲା । ପବିତ୍ର ଶିକ୍ଷାପୀଠ ବିଲକର ପବିତ୍ର ବୋଲି ମନେହେଲା । ସବୁଦିନ ପରି ମନେହେଲା ।

 

କିନ୍ତୁ ଶାନ୍ତି କୁଆଡ଼େ ଯାଇଥିଲା କେଜାଣି ? କାହିଁକି କୁଆଡ଼େ ଯାଉଥିଲା କେଜାଣି ! ସେକଥା କେହି କହିଲେ ନାହିଁ । ତାହାର ମୁଣିଟାକୁ କେହି ବାହାର କଲେ ନାହିଁ । ସେଥିଲାଗି ସେଠି କେବେ କାହାର ସାହସ ହୁଏ ନାହିଁ । ମୁଣିଟାକୁ କାଢ଼ୁ କାଢ଼ୁ ଅସଲ ମୁଣା ବା ଅସଲ କଣାଗୁଡ଼ାକ କାଳେ ବାହାରକୁ ଦୁଶାପଡ଼ିଯିବ ବୋଲି ବିଜ୍ଞମାନେ ଓ ନଗରରକ୍ଷୀମାନେ କେବେହେଲେ ସେହି ସାହସଟିକୁ କରିପାରନ୍ତି ନାହିଁ । ତେଣୁ ଶାନ୍ତି ଏମିତି ଯାଉଥାଏ, ପୁଣି ଫେରିଆସୁଥାଏ । ସେଇଟା ଦିହସୁହା ବି ହୋଇଯାଏ । ଯୁଦ୍ଧଗୁଡ଼ାକ ଏକାବେଳକେ ଚିହ୍ନା-ଯୁଦ୍ଧ ହୋଇ ରହିଥାନ୍ତି । ତେଣୁ ଯୁଦ୍ଧ ହେଉଥିଲାବେଳେ ବି ବେଶ୍ ନିଧଡ଼କ ଲାଗେ ।

 

ହୁଏତ ଶାନ୍ତି କେତେବେଳେ ହେଲେ ନଥିଲା । ଭିତରେ ଶାନ୍ତି ନଥିଲା କି ବାହାରେ ଶାନ୍ତି ନଥିଲା । ଉଚ୍ଚ ଉଚ୍ଚ କୋଠାଗୁଡ଼ାକ ଯାହା ମୁର୍ଦ୍ଦାରର ଆଖିଗୁଡ଼ିକ ପରି ଜୁକୁଜୁକୁ ହୋଇ ଠିଆହୋଇରହିଥିଲେ ଏବଂ ତାହାରି ଭିତରେ ବିଦ୍ୟାନଗରୀର ସଂସାରୀମାନେ ସଂସାର କରିବାରେ ଲାଗିଥିଲେ । ସେମାନେ ନିଜ ନିଜର ଦୁଃଖଗୁଡ଼ାକୁ ବେଶ୍‍ ଭଲକରି ଜାଣିଥିଲେ ସତ; ମାତ୍ର କେହି କାହାରି ଆଗରେ ମୁକୁଳା ହୋଇ ପାରୁନଥିଲେ । ନାନା ପ୍ରକାରର ଅଶ୍ରଦ୍ଧା ଓ ଉଦାସୀନତା ଗୋଟାଏ ଗୋଟାଏ ଗଣ୍ଠି ହୋଇ ଅସଲ ଭୋକ ଓ ଅସଲ ଶୋଷଗୁଡ଼ାକୁ କେଡ଼େ ବାଗରେ ଲୁଚାଇ କରି ରଖିଥିଲେ । ତେଣୁ ବାହାରକୁ ସବୁ ଶାନ୍ତ ଥିବା ପରି ଲାଗୁଥିଲା । ସବୁଦିନ କବାଟ ଫିଟୁଥିଲା-। ସମସ୍ତେ ଦରମା ପାଉଥିଲେ; ତେଣୁ ଶାନ୍ତି ଥିଲା ।

 

ଅସଲ ଶାନ୍ତି ଏବେ ବି ଅନେକ ଦୂରରେ । ଅସଲ ଭୋକ ମଧ୍ୟ ଅନେକ ଦୂରରେ । ଗ୍ରହଣ ଏବଂ ବିତରଣର ଅସଲ ବେଭାରରୁ ଯେଉଁ ଜୀବନ ସମ୍ଭବ ହୁଏ, ଆମ ପୀଠଗୁଡ଼ାକରେ ଏବେ ମଧ୍ୟ ସେହି କୀବନ ସପନ ପରି ହୋଇ ରହିଛି; ବିଡ଼ମ୍ବିତ ହୋଇ ରହିଛି ।

 

୨୧ । ୦୫ । ୮୦

☆☆☆

 

ଆମ ହାଣ୍ଡି କଳାହାଣ୍ଡି

 

ଆମ ସମସ୍ତଙ୍କର ହାଣ୍ଡି ହେଉଛି କଳାହାଣ୍ଡି । ଯେଉଁମାନେ ଓଡ଼ିଶା ମାନଚିତ୍ରର କଳାହାଣ୍ଡି ଜିଲ୍ଲାରେ ବାସକରୁଛନ୍ତି, ଖାଲି ସେହିମାନଙ୍କର ହାଣ୍ଡି କଳାହାଣ୍ଡି ନୁହେଁ । ଯେଉଁମାନେ ଭବାନୀପାଟଣା ଡାକବଙ୍ଗଳାର ଗମ୍ଭୀରା ଭିତରେ ବସି କଳାହାଣ୍ଡିଟା ଗୋଟିଏ ଅନଗ୍ରସର ଜିଲ୍ଲା ବୋଲି କହି ଆଲୋଚନା କରୁଥାନ୍ତି ଓ କାନ୍ଥରେ ଟଙ୍ଗା ହୋଇଥିବା କମନୀୟ ଏଡ଼େବଡ଼ ନକ୍‍ସାଟାକୁ ଅନାଇ ଆପଣା ଗସ୍ତକର୍ମର ଚିଠା ତିଆରି କରୁଥାନ୍ତି, ସେମାନଙ୍କର ହାଣ୍ଡି ମଧ୍ୟ ତୁଚ୍ଛା କଳାହାଣ୍ଡି ।

 

କଳାହାଣ୍ଡିର ପାହାଡ଼ଗୁଡ଼ାକୁ ଅନାଇଲେ ପୁରାତନ ପ୍ରସ୍ତରଯୁଗର ଅନ୍ୟ କେଉଁ ଗ୍ରହରେ ଆସି ପହଞ୍ଚିଗଲା ପରି ଲାଗେ । ଇତିହାସରେ ସେହି ଅଞ୍ଚଳଟାକୁ ଯେତେବେଳେ ମହାକାନ୍ତାର ବୋଲି କୁହାଯାଉଥିଲା, ସେତେବେଳେ ମଧ୍ୟ ଏଇ ପାହାଡ଼ଗୁଡ଼ାକ ଠିକ୍ ସେହି ବାଗର ଦେଖାଯାଉଥିଲା । ମଣିଷଗୁଡ଼ାକ ସେତେବେଳେ ମଧ୍ୟ ଠିକ୍ ଏହି ଅବସ୍ଥାରେ ଥିବେ । ମୁଣ୍ଡଫଟା ଖରାରେ ପତର ତୋଳିବାକୁ ଜଙ୍ଗଲରେ ବୁଲୁଥିବେ । ବୋଟେ କାଳେଣି କାଠ ସଜିଲ କରିବାରେ ଦିନଟାଯାକ ବିତାଇ ଦେଉଥିବେ । ସେତେବେଳେ ବି ହୁଏତ ଜୀବନଟା ଏମିତି ଲକ୍ଷ୍ମୀଛଡ଼ା ହୋଇ ରହିଥିବ । ହାଣ୍ଡିଗୁଡ଼ାକ ତୁଚ୍ଛା କଳା ହୋଇ ରହିଥିବ ।

 

ଅଫିସରମାନଙ୍କୁ ପଚାରିଲେ ସେଠି ଆପଣଙ୍କୁ ନିଶ୍ଚୟ ଉତ୍ତର ମିଳିବ ଯେ ସରକାରଙ୍କର କଳାହାଣ୍ଡି ଲାଗି ଏବେ କେତେ ଯୋଜନା ରହିଛି । ଯୋଜନାଗୁଡ଼ାକ ଭବାନୀପାଟଣାରୁ ଥୁଆମୂଳ—ରାମପୁରଯାଏ ଗଲାଣି । ସିନାପାଲି ଓ ନୂଆପଡ଼ାକୁ । ସ୍ଥାୟୀ ମରୁଡ଼ି କରି ସରକାର ସ୍ଥାୟୀ ମରୁଡ଼ି-ଅଫିସରମାନଙ୍କୁ ଖଞ୍ଜିକରି ରଖିଛନ୍ତି । । କୋରାପୁଟ ଜଙ୍ଗଲରେ ଚନ୍ଦନ ପରି ଏଠି ବି ସାଗୁଆନ ଲାଗିଲାଣି । ଏଗୁଡ଼ାକୁ କିଏ ଭୋଗ କରିବ କେଜାଣି ? ଯେଉଁମାନେ ମୋଟା ବପୁ ଧାରଣ କରି ଓ ମୋଟା କ୍ଷମତା । ନେଇ କଳାହାଣ୍ଡିର ଭବିଷ୍ୟହାଣ୍ଡିକୁ ସବୁଦିନ ଲାଗି କଳା କରି ରଖିବା ପାଇଁ ଏଠାକୁ । ଆସନ୍ତି, ଏସବୁ ସେହିମାନଙ୍କର ଭୋଗ ପାଇଁ ପାକଳ ହେଉଛି । ଆଉ ଏଠିକାର ନୂଆ । ପାଠୁଆମାନେ ସେହିମାନଙ୍କୁ ଅନୁକରଣ କରି ସେହିମାନଙ୍କ ପରି ସିଆଣିଆ ହୋଇ ତିଆରି ହେଉଛନ୍ତି—କଳାହାଣ୍ଡିର ଏତିକି ଯାହା ଲାଭ ହେଉଛି ।

 

୨୩ ।୦୫ । ୮୦

☆☆☆

 

ମନେପକାଇଦେବା ନିମନ୍ତେ

 

ଏସବୁ ଯାହାକିଛି କରାଗଲା, ସେଗୁଡ଼ାକ କୁଆଡ଼େ ଖାଲି ମନେପକାଇଦେବା ଲାଗି କରାଗଲା ବୋଲି କଚେରିରୁ କୁହାଗଲା । ସମୁଦ୍ର-କାନ୍ତାରରୁ ମାଟି ଆସିଲା । ସେମାନେ ସେହି ମାଟିକୁ ନେଇ ଦଉଡ଼ା ଦଉଡ଼ି ହୋଇ କଟକଯାଏ ଆସିଲେ । ଏଠି କଟକରେ କୋଠାଘରେ ହୁଳହୁଳି ଦିଆଯାଇ ଲୁଣ ମରାଗଲା ଓ ଫଟୋ ଉଠାଗଲା । । ଆମ ଦେଶରେ କେବେ ଏକ ସଂଗ୍ରାମ ଲାଗିଥିଲା । ସେହି ସଂଗ୍ରାମରେ ଏସବୁ ଘଟିଥିଲା । ଏ କାଳର ଲୋକଙ୍କୁ ଅନ୍ୟ ଯୁଗର ସେହି କାହାଣୀକୁ, ମନେପକାଇଦେବା ଲାଗି ପ୍ରାୟ ଏକ ପୁନରଭିନୟ କରି ଦେଖାଇଦେବାକୁ ପଡ଼ିଲା ବୋଲି କୁଳଶ୍ରେଷ୍ଠମାନେ ବୟାନ ଦେଇ କହିଲେ ।

 

ଅନେକ ସମୟରେ ନିକ ଝିଅଦିନର କଥା ବୋହୂଦିନକୁ ମନେ ରହେନାହିଁ । ସଂଗ୍ରାମଦିନର କଥା ଗେହ୍ଲା ହେବା ଦିନକୁ ମନେ ନଥାଏ ଏବଂ ବୟସ ଗଡ଼ିଯିବାବେଳକୁ ସେଗୁଡ଼ାକ ଆଉ ଥରେ ଦେଖିବା ଲାଗି ମନହୁଏ, ଅଙ୍ଗେ ନିଭାଇବା ଲାଗି ମନହୁଏ । ଅଭିନୟ ଦ୍ୱାରା ଅଙ୍ଗେ ନିଭାଉଥିବା ସମୟରେ ମଞ୍ଚସ୍ଥ ସେହି କେତୋଟି ମୁହୂର୍ତ୍ତ ଲାଗି ଧ୍ଵଜଭଙ୍ଗ—ରୋଗୀର ଧ୍ୱଜ—ଭଙ୍ଗ ଭୁଲି ହୋଇଆସିବା ପରି ଲାଗେ । ଥୁଣ୍ଟା ଗଛ ଗଜା ହୋଇ ଠିଆହୁଏ; ଏବଂ ଅଭିନୟ ପରେ ପୁନର୍ବାର ଥୁଣ୍ଟା ହୋଇଯାଏ ।

 

ଆମେ ଏବେ ଏଇ କଥାଗୁଡ଼ାକ ଦେଖିଲେ ଏବଂ ଦେଖୁ ଦେଖୁ ଆମର ସବୁକଥା । ପ୍ରକୃତରେ ମନେପଡ଼ିଗଲା । ଏହି ଅଭିନେତାମାନେ କେତେ କେତେ ଦାଣ୍ଡରେ ନେତା ହୋଇ ବାହାରିଥିଲେ । ଦେଶଟାକୁ ଏମିତିକା ବା ସେମିତିକା କରିଦେବେ ବୋଲି । ସେମାନଙ୍କର କଥା ଶୁଣି ଆମେ ସେଦିନ ତାଙ୍କୁ କଦମ୍ବଫୁଲ ମଣ୍ଡାଇ କେତେ ପୂଜା କରିଥିଲୁ । ସେମାନଙ୍କର କେଳି ସରିଲା; ତଥାପି ବଉଳଗୁଡ଼ାକ କଷି ଧରିଲା ନାହିଁ । ସେହିମାନେ ହିଁ ହୁଏତ ଅଧିକ ଚତୁର ହେଲେ, ଅଧିକ ଧୂର୍ତ୍ତ ହେଲେ ଓ ଆପଣାର । ଅଲଗା ଅଲଗା ଭାଗ୍ୟଗୁଡ଼ାକୁ ତିଆରି କରିବାରେ ଉନ୍ମତ୍ତପ୍ରାୟ ହୋଇ ରହିଲେ, ଏବଂ ଏହି ପରି ଭାବରେ କ୍ରମେ ବୁଢ଼ା ହେଲେ ।

 

ଏଗୁଡ଼ାକ ଆମେ କଦାପି ଭୁଲିବା ନାହିଁ ।

 

୨୬ ।୦୫ । ୮୦

☆☆☆

 

ଅସାଧୁ ସାବଧାନ

 

କୌଣସି ଏକ ମେଡ଼ିକାଲ କଲେଜର କେତେକ ଛାତ୍ର କଲେଜରେ ପଢ଼ୁଥିବା ଛାତ୍ରମାନଙ୍କ ଉଦେଶ୍ୟରେ ସାନ କାଗଜଖଣ୍ଡ ଛାପି ସମସ୍ତଙ୍କ ଘରେ ନେଇ ପକାଇ ଦେଇଆସିଛନ୍ତି-। ସେହି କାଗଜଟିର ଶୀର୍ଷକରେ ଛାତ୍ରମାନେ, “ସତ୍ୟ କଥାର ବିଚାର କର’’ ବୋଲି ଲେଖାଯାଇଛି, ଏବଂ ତା’ ତଳକୁ ଲେଖାଯାଇଛି—ଆପଣାର ବ୍ୟକ୍ତିଗତ ରୋଜଗାରରେ ମାତି ତୁମ ଅଧ୍ୟାପକମାନେ ତୁମର ଅଧ୍ୟୟନକୁ ଅବହେଳା କରିବାରେ ଲାଗିଛନ୍ତି । ତୁମ ଅଧ୍ୟାପକମାନେ ତୁମ ପରୀକ୍ଷାରେ ଅସତ୍‍ ଉପାୟ ଅବଲମ୍ବନ କରୁଛନ୍ତି । ତୁମ ଅଧ୍ୟାପକମାନେ ସରକାରଙ୍କର ଏଜେଣ୍ଟ ପରି କାମ କରିଛନ୍ତି ଏବଂ ତୁମ ଲାଗି ଅନେକ ଦୁଃଖର କାରଣ ହୋଇ ରହିଛନ୍ତି-। ତୁମ ଅଧ୍ୟାପକମାନେ ସ୍ନାତକୋତ୍ତର ଛାତ୍ରମାନଙ୍କ ପ୍ରତି ନିଜ ପିଅନ ଓ ଚପରାଶୀ ପରି ବ୍ୟବହାର ଦେଖାଉଛନ୍ତି । ତୁମର ଅଧ୍ୟାପକମାନେ କଲେଜ ଆଉ ଡାକ୍ତରଖାନାକୁ ଗୋଟାଏ ଜଙ୍ଗଲରେ ପରିଣତ କରିସାରିଲେଣି ।

 

ଏହି ଲେଖାଗୁଡ଼ିକ ତଳେ ଏକ ବିପ୍ଳବୀ କମିଟି ତରଫରୁ ଏଗୁଡ଼ିକର ପ୍ରଚାର କରାଯାଇଛି ବୋଲି ଉଲ୍ଲେଖ ରହିଛି । ଏପରି ହେବା ଏକାବେଳକେ ନୂଆ କଥା । ପାରମ୍ପରିକ ଭାବରେ ସାଧାରଣତଃ ଯେଉଁ ଦାବୀମାନ କରାଯାଏ, ସେଥିରେ ଝଗଡ଼ା ରହିଥାଏ, ଜିଦ୍‍ ରହିଥାଏ-। ହୁଏତ ରାଜନୀତି ବି ରହିଥାଏ । ବାହାରୁ ରାଜନୀତିବାଲାଏ ଆସି ନାନା ଅରାଜକତାକୁ ପିଲାମାନଙ୍କର ତୁଣ୍ଡରେ ଦାବୀ ବୋଲି ଘୋଷଣା କରାନ୍ତି ଓ ନିଆଁ ଲଗାଇ ଦେଇ ମଜା ଦେଖୁଥାନ୍ତି-। କିନ୍ତୁ ସେଥିରେ ଅସଲ ଅରଣ୍ୟଗୁଡ଼ାକୁ ଅରଣ୍ୟ ବୋଲି କହିବାର ଆଦୌ କୌଣସି ସାହସ ନଥାଏ । କ୍ରୀଡ଼ନକମାନେ ଭାରି ଶୋଚନୀୟ ଭାବରେ ଧରାପଡ଼ିଯାଉଥାନ୍ତି ।

 

ପ୍ରତ୍ୟେକ ଛାତ୍ରର ତାର ଅଧ୍ୟୟନ ବିଷୟରେ ଯେ କିଛି କହିବାର ଅଛି ଓ ତେଣୁ ଅଧ୍ୟାପକମାନଙ୍କର ଏହି କ୍ଷେତ୍ରରେ ଯେ ଅବଶ୍ୟ କେତେକ କର୍ତ୍ତବ୍ୟ ରହିଛି, କୌଣସି ଶିକ୍ଷାଗଡ଼ରେ ସମ୍ଭବତଃ ପ୍ରଥମଥର ପାଇଁ ଏପରି ଶୁଣା ଗଲା । ଅଭିପ୍ରାୟଗୁଡ଼ାକ ଯଦି ପ୍ରକୃତରେ ସତ ହୋଇଥାଏ ତେବେ ଏହାକୁ ଏକ ଶୁଭ ସୂଚନା ବୋଲି କୁହାଯାଇପାରିବ । ଏହାରି ଦ୍ୱାରା ପ୍ରକୃତ ବଦଳିବା ଆରମ୍ଭ ହେବ, ଜଙ୍ଗଲଗୁଡ଼ାକ ସଫା ବି ହେବ, ଭଦ୍ରଲୋକମାନେ ସାଧୁ ହେବେ, ବାବୁମାନେ ସାଙ୍ଗକୁ ଆସିବେ ।

 

୨୮ । ୦୫ । ୮୦

☆☆☆

 

ତେନେଦଂ ବର୍ତ୍ତତେ ଜଗତ୍

 

ସେଦିନ ଶୁଣିଥିଲି ଗୋଟିଏ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କ କଥା । ଜାଗାଟିରେ ସାନ ହାଇସ୍କୁଲଟିଏ । ସେଇଟି କାହାର ବାଟରେ ପଡ଼େନାହିଁ: କାହାରି ଆଖିରେ ବି ପଡ଼େନାହିଁ । ଶିକ୍ଷା ବିଭାଗର ହାକିମମାନେ ଯେବେ ସେଠାକୁ ଯାଆନ୍ତି, ସେତେବେଳେ ସେମାନେ ଆହୁରି ଅଠରପୁଞ୍ଜା ହାଇସ୍କୁଲ ଦେଖିଲାଣି ସେଇଟିକୁ ବି ଦେଖନ୍ତି; କିଛି ଚିହ୍ନିପାରନ୍ତି ନାହିଁ; କିଛି ଫରକ୍ ବାରିପାରନ୍ତି ନାହିଁ ।

 

ସେହି ହାଇସ୍କୁଲର ପ୍ରଧାନଶିକ୍ଷକ ଶିକ୍ଷକତା କରିବା ସଙ୍ଗେ ସଙ୍ଗେ ଆପଣାର ଫୁରସତ୍‍ ସମୟରେ ହୋମିଓପାଥି ଔଷଧ ବି ଦିଅନ୍ତି । ପାଖରେ ସାନ ବାକ୍‍ସଟିଏ ରଖିଛନ୍ତି । ଯେଉଁମାନେ ବିଲାତୀ ଡାକ୍ତରଙ୍କ ପାଖକୁ ଯିବାର ବଳ କିମ୍ବା ଅର୍ଥବଳ ପାଆନ୍ତି ନାହିଁ, ସେମାନେ ତାଙ୍କରି ପାଖକୁ ଆସନ୍ତି । ପ୍ରଧାନଶିକ୍ଷକଙ୍କର ବେଶ୍‍ ଲାଭ ହୁଏ । ଆପଣାର ଖରଚ ଯାଇ ସେହି ବାବତକୁ ଯେତେ ପଇସା ତାଙ୍କର ପକେଟକ ଆସେ, ସେଥିରୁ ସିଏ ଟଙ୍କା କରେ କୋଡ଼ିଏ ପଇସା ଗୋଟିଏ ଅଲଗା ପାଣ୍ଠିରେ ସାଇତି ରଖନ୍ତି । ସେହି ପାଣ୍ଠିକୁ ସିଏ ହାଇସ୍କୁଲ ପାଇଁ ଖରଚ କରନ୍ତି । ଏହିପରି ଭାବରେ ସେ ହାଇସ୍କୁଲ ଚାରିପାଖରେ ପକ୍କା ପାଚେରି ବୁଲାଇପାରିଛନ୍ତି, ହାଇସ୍କୁଲ ହତାରେ କେତୋଟି ନଡ଼ିଆ ଗଛ ଲଗାଇପାରିଛନ୍ତି, ଆହୁରି କେତେ କ’ଣ କରିଛନ୍ତି ଏବଂ ସେଇଥିରୁ ଆନନ୍ଦ ପାଇଛନ୍ତି । ସେହି ଆନନ୍ଦକୁ ହିଁ ଆପଣାର ଅସଲ ଲାଭ ବୋଲି ଗ୍ରହଣ କରିନେଇଛନ୍ତି ।

 

ଯେଉଁମାନେ କହନ୍ତି ନାହିଁ, କିଛି କରନ୍ତି, ଯେଉଁମାନେ ଆପଣାର କରୁଥିବା କାମଗୁଡ଼ାକ ସକାଶେ ବାହାରୁ କୌଣସି ସ୍ତ୍ରୀକୃତିର ଅପେକ୍ଷା ରଖନ୍ତି ନାହିଁ, ସେମାନେ ହେଉଛନ୍ତି ପ୍ରାୟ ସ୍ୱଭାବତଃ ସ୍ଵାଭିମାନୀ ମଣିଷ । ସେମାନେ ରାସ୍ତାରେ ଯାଇ ନାଚିବାକୁ ଭଲପାଆନ୍ତି ନାହିଁ । ସେମାନେ କଦାପି ମଣିଷମାନଙ୍କୁ ଡକାଇ ହନୁ ସାଜନ୍ତି ନାହିଁ । ମହତ ସାରନ୍ତି ନାହିଁ । କିନ୍ତୁ ହୁଏତ ଆଗ ସେଇମାନଙ୍କ ଦ୍ୱାରା ହିଁ ଜଗତର ମହତ ରହେ, ଜଗତ ଚାଲେ ।

 

ଆମେ ଯେଉଁମାନେ ଖାଲି ନାଆଁ କରି ବାହାରିଛୁ, କିଛି ଦେବାକୁ ମୋଟେ ସମ୍ମତ ହେଉନାହୁଁ, ଆମ ଛଡ଼ା ଏହି ପୃଥିବୀରେ ଅନ୍ୟ ପ୍ରକାରର ବି ଅନେକ ମଣିଷ ଅଛନ୍ତି । ଆମ ଦୋକାନଗୁଡ଼ାକ ଠିକ ରାସ୍ତା ଉପରେ ଧାଡ଼ି ହୋଇ ବସିଥିଲେ ମଧ୍ୟ ହୁଏତ ସେହି ଅନ୍ୟମାନଙ୍କ ସକାଶେ ହିଁ ସଂସାର ରହିଛି । ସେହିମାନଙ୍କ ସକାଶେ ହିଁ ଇନ୍ଦ୍ର ବର୍ଷା କରୁଛି; ସୂର୍ଯ୍ୟ ଜଗତ୍‍ ପାଳୁଛି ।

 

୩୦ । ୦୫ । ୮୦

☆☆☆

 

କେବଳ ଯୁବକମାନଙ୍କର

 

ବର୍ତ୍ତମାନର ସମାଜ କେବଳ ଯୁବକମାନଙ୍କର ବୋଲି ଏକ ମନ୍ତବ୍ୟ ପ୍ରକାଶ ପାଇଛି । ଜଣେ ବୃଦ୍ଧ ଏହି ମନ୍ତବ୍ୟଟିକୁ ପ୍ରକାଶ କରିଛନ୍ତି । ଯୁବକମାନଙ୍କର ଏକ ସମାଗମରେ ଏହି ମନ୍ତବ୍ୟଟିକୁ ବ୍ୟକ୍ତ କରାଯାଇଛି ।

 

ଆଗାମୀ ଶତାବ୍ଦୀର ଆରମ୍ଭ ବେଳକୁ ଏହି ଶିକ୍ଷିତ ଯୁବକଙ୍କର ସଂଖ୍ୟା କୁଆଡ଼େ ଏତେ ପ୍ରବଳ ଭାବରେ ବଢ଼ିଯିବ ଯେ ତାକୁ ସମ୍ଭାଳିବା ବର୍ତ୍ତମାନ ଆମ ସଂସାରର ବୃଦ୍ଧ ଅର୍ଥନୀତିଟା ଲାଗି ଏକ ବିକରାଳ ସମସ୍ୟା ହୋଇଉଠିବ । ଆଗାମୀ ସଂସାରଟା ବିଷୟରେ ବୃଦ୍ଧମାନେ ଆପଣାର ସେହି ପୁରୁଣା ଆଖି ଓ ପୁରୁଣା ଫିତାଗୁଡ଼ାକୁ ଦେଇ ଯେଉଁ ଅଟକଳ କରୁଛନ୍ତି, ଭବିଷ୍ୟତର କୌଣସି ସ୍ଥିତିକୁ ମଧ୍ୟ ସେମାନଙ୍କର ମୋଟେ କଳ ପାଉନାହିଁ । ଭାଗ୍ୟର କଥା, ସେହି ଭବିଷ୍ୟତ ଯେତେବେଳେ ଆସିବ, ସେତେବେଳେ ଏହି ବୃଦ୍ଧମାନେ ଏଠି ନଥିବେ । ସେମାନଙ୍କର ବୃଦ୍ଧ ପରିମାପକଗୁଡ଼ାକ ଅଚଳନ୍ତି ହୋଇଯାଇଥିବ । ସେତେବେଳେ ଏକ ଅନ୍ୟ ଭୂମିରେ ଓ ଅନ୍ୟ ପ୍ରସ୍ଥରେ ମଣିଷ ଆପଣାର ସାମୂହିକ ଭାଗ୍ୟଗୁଡ଼ିକର କଳନା କରି ଶିଖିଥିବ ।

 

ସେତେବେଳେ ଯୁବକ’ କହିଲେ କେବଳ ତଥାକଥିତ ଶିକ୍ଷିତ ବେକାରମାନଙ୍କୁ ବୁଝାଇବ ନାହିଁ; ଯୁବକ କହିଲେ ଯୁବକମାନଙ୍କୁ ସମସ୍ତଙ୍କୁ ବୁଝାଇବ । ବର୍ତ୍ତମାନ ପୃଥିବୀର ତଥାକଥିତ ଶିକ୍ଷିତ ଯୁବକମାନଙ୍କ ସଂଖ୍ୟା ସମୁଦାୟ ଯୁବକମାନଙ୍କର ସଂଖ୍ୟାନୁପାତରେ ଅନେକ କମ୍ । ବର୍ତ୍ତମାନର ଶିକ୍ଷିତ ଯୁବକମାନେ ଠିକ୍ ସେହିମାନଙ୍କ ପରି ଦିନେ ଶିକ୍ଷିତ ଯୁବକ ହୋଇ ରହିଥିବା ବର୍ତ୍ତମାନର ଉଗ୍ର ବୃଦ୍ଧମାନଙ୍କର ଅନୁଜ୍ଞାଗୁଡ଼ାକ ଅନୁସାରେ ହିଁ ଆପଣାର ଭାଗ୍ୟଗୁଡ଼ାକର କଳ୍ପନା କରୁଛନ୍ତି । ସେଇଥିଲାଗି ହତାଶ ହେଉଛନ୍ତି । ଯେତେବେଳେ ସେମାନେ ସବୁ ଯୁବକଙ୍କର ଭାଗ୍ୟ ସହିତ ଆପଣାର ଭାଗ୍ୟକୁ ଏକାଠି ମିଳାଇ ଭବିଷ୍ୟତ ଆଡ଼କୁ ଦୃଷ୍ଟିପାତ କରି ଶିଖିବେ, ସେତେବେଳେ ପ୍ରସ୍ଥଗୁଡ଼ାକ ହିଁ ବଦଳିଯିବ । ସେତେବେଳେ ନୂଆ ଶାସ୍ତ୍ର ଲେଖାହେବ, ଯୁଗକୁ ଗଠନ କରିବାର ନୂଆ ସୂତ୍ରମାନ ଦିଶିଯିବ ଏବଂ ବୃଦ୍ଧ ହେଲେ ମଧ୍ୟ ଯେଉଁମାନେ ନିଜକୁ ତଥାପି ଯୁବକ ବୋଲି ଭାବୁଛନ୍ତି, ଗୋହରୀଗୁଡ଼ାକୁ ଆବୋରି ରହିଛନ୍ତି, ରାଜା ସାନ୍ତନୁଙ୍କ ପରି ଏବେ ବି ଯେଉଁମାନଙ୍କର ତୁଣ୍ଡରୁ ଲାଳ ବୋହୁଛି, ସେମାନେ ସେତେବେଳକୁ କେଉଁ ମିଉଜିଅମ୍‌ର ମମି ହୋଇ ରହିଥିବେ କେଜାଣି ?

 

୦୩ । ୦୬ । ୧୯୮୦

☆☆☆

 

ଗେଜେଟେଡ଼୍‌ ଅଣ୍ଡାପ୍ରେମୀ

 

ଆଗେ ଆମମାନଙ୍କ ଘରେ କୁକୁଡ଼ା ପଶୁ ନଥିଲା । ଅଣ୍ଡାକୁ ଏକ ଅତି ନିକୃଷ୍ଟ ପଦାର୍ଥ ବୋଲି ଗଣାଯାଉଥିଲା । ଏବେ ସହରକୁ ଆସି ଆମର ଦୃଷ୍ଟି ବଦଳିଗଲାଣି । ଅନେକ ଅଧିକ ଆଡ଼କୁ ଆଖିପାଇଗଲାଣି । ଆମେ ବି ଘରେ କୁକୁଡ଼ା ରଖିଲୁଣି, ଅଣ୍ଡା ଖାଇଲୁଣି, ବେପାର ବି କଲୁଣି ।

 

ଆମେ ଏଗୁଡ଼ାକ ଖୁସିରେ କରୁଛୁ । ଧନୀଘର ପୁଅ କେବଳ ଖୁସିରେ ଯେମିତି ଚାଉଳ ଚୋବାଏ, ଠିକ୍ ସେମିତି । ତଥାପି ଆମ ଭିତରେ ସେଇ ପୁରୁଣା ସବର୍ଣ୍ଣତ୍ୱ ବା ଉଚ୍ଚବର୍ଣ୍ଣତ୍ୱଗୁଡ଼ାକ ଆମକୁ ଏବେ ମଧ୍ୟ ଭାରି କାମୁଡ଼ି ଧରିଛି । ଆମେ ବେପାରୀ ହେଲୁଣି ସତ; କିନ୍ତୁ ମୋଟେ ତଳକୁ ଖସିଆସିନାହୁଁ । ମହତକୁ ମାନି ଚଳୁଛୁ । ତେଣୁ ଯେଡ଼ିକି ବଡ଼ ସେଡ଼ିକି ବଡ଼ ହୋଇ ରହିଛୁ; ଅର୍ଥାତ୍ ଯେଡ଼ିକି ସାନ ସେଡ଼ିକି ସାନ ହୋଇ ରହିଛୁ ।

 

ଆମ ଘର ପାଖର ଜଣେ ଗେଜେଟେଡ଼୍‍ ଅଣ୍ଡାପ୍ରେମୀଙ୍କ କଥା ଭାବୁ ଭାବୁ ଏଗୁଡ଼ାକ ଲେଖି ହୋଇଗଲା । ସିଏ ସରକାରଙ୍କ ଘରେ ସେକ୍ରେଟେରୀ ବା ସେହିପରି ଗୋଟାଏ କ’ଣ ହୋଇ ରହିଥିଲେ; ଅର୍ଥାତ୍ ଗେଜେଟେଡ଼ ଅଫିସର ଥିଲେ । ସେଇଟାକୁ ଜୀବନର ପ୍ରିୟତମ ସମ୍ମାନ ବୋଲି ମାନୁଥିଲେ । ଏବେ ସିଏ ଅବସର ଗ୍ରହଣ କରିବାପରେ ଘରେ କୁକୁଡ଼ା ରଖିଛନ୍ତି, ଅଣ୍ଡା ବିକୁଛନ୍ତି; କିନ୍ତୁ ତଥାପି ଧର୍ମପାଳନ କରୁଛନ୍ତି । ତାଙ୍କ ଘର ଅଣ୍ଡାକୁ ସେ କେବଳ ତାଙ୍କରି ସମାନ ପାହିଆର ଗେଜେଟେଡ଼ ହାକିମମାନଙ୍କୁ ବିକୁଛନ୍ତି । ତଳକୁ ଖସିବା ଏକାନ୍ତ ଅପମାନଜନକ ଭାବି ନିଷ୍ଠାପର ଭାବରେ ଉପରେ ରହିଛନ୍ତି ।

 

ଗେଜେଟେଡ଼୍‍ମାନଙ୍କର ସବୁ ଗେଜେଟେଡ଼୍‍ । ସେମାନଙ୍କର କ୍ଲବ୍‍ ଗେଜେଟେଡ଼୍, ପାଇକ ଓ ପିଆଦାମାନେ ଗେଜେଟେଡ଼୍‍ ଏବଂ ଗୃହ-ଦୁଲାଳୀ ମାନେ ବି ଗେଜେଟେଡ଼୍‍ । ଅବସର ଗ୍ରହଣ କରିବା ପୂର୍ବରୁ ଯାହା, ଅବସର ଗ୍ରହଣ କରିବା ପରେ ମଧ୍ୟ ଠିକ୍ ସେଇଆ । ଏଗୁଡ଼ାକ ନିଷ୍ଠାର କଥା । ଆଉ ମଣିଷମାନେ ଏକଥା ମୋଟେ ବୁଝିପାରିବେ ନାହିଁ । ଯେଉଁମାନେ ମଣିଷଙ୍କ ଉପରୁ ଆହୁରି ଚାଖଣ୍ଡ ଉପରେ ଥାଇ ପଡ଼ିଆ ଚରନ୍ତି, ହାକିମ ହୁଅନ୍ତି ବା କୁକୁଡ଼ା ରଖନ୍ତି, କେବଳ ସେହିମାନେ ହିଁ ବୁଝିବେ ।

 

ସେମାନେ ସେହିପରି ଗେଜେଟେଡ଼୍‍ ହୋଇ ରହିଥାନ୍ତୁ; ଚାଲ, ଆମର ସେମାନଙ୍କୁ ବାଦ୍ ଦେଇ ସ୍ଵପ୍ନ ଦେଖିବା । ସେମାନଙ୍କର ଅଣ୍ଡାଗୁଡ଼ାକୁ ଆମେ ଜମା ମନକରିବା ନାହିଁ ।

 

୫ । ୧୬ । ୮୦

☆☆☆

 

ହରିଜନ ବର

 

ହରିଜନ ବର ଆର ବର; ତା’ପରେ ଯାଇ ହରିଜନ । ତେଣୁ, ଜଣେ ହରିଜନ ବର ପ୍ରଚାରିରେ ବଢ଼ି ବାହାହେବାକୁ ଯାଉଥିଲା ବୋଲି ଯେଉଁମାନେ ତାଙ୍କୁ ପିଟିଲେ, ସେମାନେ ପ୍ରକୃତରେ ଭାରି ରସିକ ହୋଇଥିବେ । ସେମାନେ ନିଜେ ଯେତେବେଳେ ବର ହୋଇଥିଲେ, ସେତେବେଳେ କ’ଣ ନିଜକୁ ଆଗ ସବ ବା ଅମୁକ ବର୍ଣ୍ଣ ବୋଲି ଭାବିଥିବେ ଓ ତା’ପରେ ଯାଇ ବର ବୋଲି ଭାବିଥିବେ ?

 

ଭାରତବର୍ଷର କୌଣସି ଏକ ସ୍ଥାନରେ ଉଚ୍ଚବର୍ଣ୍ଣର କେତେକ ଲୋକ ଜଣେ ହରିଜନ ବର ବାରି ଚଢ଼ି ବାଜା ବଜାଇ ଯାଉଥିବାର ଦୃଶ୍ୟଟିକୁ ସହିପାରିଲେ ନାହିଁ । ସେମାନେ ଶୋଭାଯାତ୍ରାକୁ ଅଟକାଇଲେ, ବରକୁ ପିଟିଲେ ଓ ତା’ପରେ ତାକୁ ଚାଲିଚାଲି ଯିବାଲାଗି ବାଧ୍ୟ କଲେ । ଗୋଟାଏ ବଡ଼ ଗଡ଼ଜୟ କଲେ ବୋଲି ଅନୁଭବ କଲେ । ସେମାନେ ହୁଏତ ଭାବୁଥିଲେ ହରିଜନ ଯଦି ବାହା ହେବ, ତେବେ ସେମାନଙ୍କ ଆଖିରେ ହରିଜନମାନେ ସେମିତି ଦିଶନ୍ତି, ସିଏ ଠିକ୍ ସେହିପରି ଦିଶିବ । ଅର୍ଥାତ୍ ଫୁଲେଇହେଲା ପରି ଯିବନାହିଁ, କିମ୍ବା ଫୁଲେଇ ହେଲାପରି ଦିଶିବନାହିଁ । ସମସ୍ତେ ଯଦି ଫୁଲେଇହେବାକୁ ବାହାରିବେ, ତେବେ ପୁରୁଷ-ପୁରୁଷଧରି ଫୁଲେଇ ହୋଇ ଆସିଥିବା ସାମନ୍ତମାନେ ପୁଣି ଯିବେ କୁଆଡ଼େ ?

 

ଏହିପରି କେତେ ନା କେତେ ଅହଙ୍କାରୀ ଅପସଂସ୍କାର ଦ୍ଵାରା ଆମେ ଜାଣିଶୁଣି ଏହି ସମାଜରେ ନିଜକୁ କେତେ କେତେ ଖୁସିରୁ ବଞ୍ଚିତ କରି ରଖିଛୁ । ଆଉ ଜଣକୁ ଖୁସି ଦେଖିଲେ ଜଣେ ସ୍ୱାଭାବିକ ମଣିଷକୁ ଖୁସି ଲାଗିବା କଥା । ଆଉ ଜଣକୁ ବରବେଶ ହୋଇ ଯାଉଥିବାର ଦେଖିଲେ ଆଗ ନିଜର ଏକଦା ବର ହୋଇ ବାହାରିଥିବାର ସୁନ୍ଦର ବେଶଟି ଦିଶିଯିବା କଥା ଏବଂ ତାହାଫଳରେ ଏକ ନିବିଡ଼ ଆତ୍ମୀୟତା ଅନୁଭୂତ ହେବା କଥା । ମାତ୍ର ଯେଉଁମାନେ ଗୋଟାଏ ମିଛ ସମାଜର ସଂସ୍କାରଗତ ଗ୍ରାସ ଭିତରେ ପଡ଼ି ନିଜର ସବୁ ସରସତାକୁ ହରାଇବସିଥାନ୍ତି, ସେମାନେ ବର ଦେଖିଲେ ଆଗ ତା’ର ଜାତି ପଚାରନ୍ତି । ଠେଙ୍ଗା ଧରି ବାହାରନ୍ତି । ସେମାନେ ନିଜେ ଅଛୁଆଁ ହୋଇ ରହିଥାନ୍ତି ।

 

୦୭ ।୦୭ । ୮୦

☆☆☆

 

ଯଦି ସତବାଘ ହୋଇଥାନ୍ତେ

 

ଏମାନେ ଯଦି ସତବାଘ ହୋଇଥାଆନ୍ତେ, ତେବେ ସଂଗ୍ରାମଗୁଡ଼ାକ ଏବେ ମଧ୍ୟ ଚାଲିଥାଆନ୍ତା; ଭୋକଗୁଡ଼ାକ ଏବେ ମଧ୍ୟ ମନେରହିଥାନ୍ତା । ଜୀବନଟାକୁ ଯେ ସେଇ ଲାଗି ବଞ୍ଚିହୁଏ, ଆଦର୍ଶ ଲାଗି ବହୁଏ, ଭଗବାନଙ୍କ ଲାଗି ବହୁଏ, ସେ କଥାଟା ଏହି ବକ୍ତୃତାଗୁଡ଼ାକର ବିନା ସାହାଯ୍ୟରେ ମଧ୍ୟ ପ୍ରମାଣିତ ହୋଇଯାଉଥାନ୍ତା ।

 

ଏମାନେ ଯେତେବେଳେ କୁଜଙ୍ଗଠାରୁ କଟକଯାଏ ଦଉଡ଼ିଲେ, ସେତେବେଳେ ସତେ ଅବା ଅଲମ୍ପିକ୍ ଖେଳାଳିମାନେ ଅସଲ ନିଆଁଟିକୁ ନେଇ ଦଉଡ଼ିବା ପରି ଲାଗିଲା । କିନ୍ତୁ ନିଆଁଗୁଡ଼ାକୁ ଯେ ତୁଚ୍ଛା ମାଟିରେ ପରିଣତ କରିଦିଆଯାଇପାରେ, ଏମାନଙ୍କର ସରାଗଗୁଡ଼ାକର ନାଡ଼ୀ ପରୀକ୍ଷା କରିବା ମାତ୍ରକେ ସେହି ସଫା କଥାଟା ଏକାବେଳକେ ଧରାପଡ଼ିଗଲା । ଭୋଗୀମାନେ, ଚତୁରମାନେ ଓ ହତବଳମାନେ ଯେତେବେଳେ ନିଆଁକୁ ଧରନ୍ତି, ସେତେବେଳେ ନିଆଁଗୁଡ଼ାକ ବି ମାଟି ହୋଇଯାଏ ।

 

ଏହି ଦଉଡ଼ରେ ପୁରୋଧାପଣ କରିବାକୁ କଟକରୁ ବଡ଼ମାନଙ୍କୁ ବରାଦ କରି ନିଆଯାଇଥିଲା । ଯୋଉମାନେ ନିଜ ପାଖରେ କୋଉ ଦିନରୁ ହାରିସାରିଥିଲେ, କୋଉଦିନୁ ପାକୁଆ ହୋଇ ବସିସାରିଥିଲେ, ସେମାନଙ୍କୁ ଛକଜାଗାମାନଙ୍କରେ ବାଟବରଣି କରାଇବା ଲାଗି ଧରିନିଆଯାଇଥିଲା । ସେହିସବୁ ଉତ୍ସାହଗୁଡ଼ାକ ଯେତେବେଳେ ନାନାଭଳି ଫଟୋ ହୋଇ ଖବରକାଗଜମାନଙ୍କରେ ବାହାରିଲେ, ସେତେବେଳେ ସେମାନଙ୍କୁ ଅନାଇଁ ଏହି ଦେଶର ଆତ୍ମା-ଅପହୃତା, ଦ୍ରୌପଦୀପରି ଆର୍ତ୍ତନାଦ କରି ଉଠୁଥିଲା । ଏମାନେ ଜୀବନଯାକ ଚେଇଁ ଶୋଇଲେ, ଦେଉଳଗୁଡ଼ାକୁ ମାରା କଲେ, ଐତିହ୍ୟଗୁଡ଼ାକୁ କାଞ୍ଜିଆ କଲେ, ଶେଷକୁ ଏହି ପ୍ରତୀକଗୁଡ଼ାକୁ ବି ମାରା କରିବାର ଦୁଷ୍ଟ ବୁଦ୍ଧି କାହିଁକି ଯେ ଏମାନଙ୍କ ଭିତରେ ଆସି ପଶିଲା, ଏହି ଦେଶର ଗୋଟାଯାକ ଆକାଶ ସେମାନଙ୍କୁ ସମ୍ଭବତଃ ଏହି ପ୍ରଶ୍ନ କରୁଥିଲା ।

 

ମିଛ ବାଘମାନଙ୍କର ଉତ୍ସାହଗୁଡ଼ାକ ଏହି ଦଉଡ଼ିବାରେ, ସଭା କରିବାରେ ଓ ଫଟୋ ଉଠାଇବାରେ ହିଁ ଶେଷ ହୋଇଯାଉ । କାଳପୁରୁଷ ଏମାନଙ୍କୁ ହୁଏତ କେବଳ ଏତିକି ସକାଶେ ଯୋଗ୍ୟ କରି ଆମର ଏଠିକି ପଠାଇଥିଲା । ସତବାଘମାନେ ସେମାନଙ୍କୁ ନିଶ୍ଚୟ କ୍ଷମା କରିବେ ।

 

୧୦ । ୦୬ । ୮୦

☆☆☆

 

Unknown

ସମ୍ବାଦପତ୍ର ଜରିଆରେ

 

ସମ୍ବାଦପତ୍ର ଜରିଆରେ ସର୍ବପ୍ରଥମେ ଘୋଷଣା କରାଯିବ ଯେ ଆମ ଭିତରୁ ଅମୁକ ବୀରଙ୍କର ଷାଠିଏ ବା ସତୁରି ବର୍ଷ ପୂରିଯାଉଥିବାରୁ ତାଙ୍କୁ ଏକ ସାର୍ବଜନୀନ ବନ୍ଧୁମିଳନରେ ଅଭିନନ୍ଦନ ଜ୍ଞାପନ କରାଯିବ । ସେଥିଲାଗି ହୁଏତ ଗୋଟାଏ ଅଭ୍ୟର୍ଥନା ସମିତି ଗଠନ କରାଯାଇଥିବ କିମ୍ବା ଗୋଟାଏ ମକବୁତିଆ ନିବେଦକ-ମଣ୍ଡଳୀ ଏହି ପବିତ୍ର ଉଦ୍ୟମଟିକୁ ସାଫଲ୍ୟମଣ୍ଡିତ କରିବା ଲାଗି ସାଧାରଣ ସମସ୍ତଙ୍କୁ ନିବେଦନ କରି କହିଥିବେ ।

 

ତା’ପରେ ନିର୍ଦ୍ଧାରିତ ଦିବସଟିର ସନ୍ଧ୍ୟାରେ ଅଭିଳଷିତ ସଭାଟି ଅନୁଷ୍ଠିତ ହେବ । ଫୁଲଚନ୍ଦନ ହୋଇସାରିବା ପରେ ବସ୍ତୁତାକାରୀମାନେ ବକ୍ତୃତା କରିବେ । ଯିଏ ଯାହା ପାରିବ କହିବ; ଯିଏ ଯାହା ନପାରିବ, ତାକୁ ମଧ୍ୟ କହିବ । ସବାଶେଷରେ ଏହି ଯାବତୀୟ ଆନୁଷ୍ଠାନିକ ପ୍ରଶଂସାର ବିନମ୍ର ଶରବ୍ୟ ମଧ୍ୟ ଆପଣାର ବକ୍ତବ୍ୟ ଦେବେ । ସିଏ ପ୍ରକୃତରେ ଏତେଗୁଡ଼ାଏ ପ୍ରଶଂସାର ଯୋଗ୍ୟ ନୁହନ୍ତି ବୋଲି ନାନା ଯୁକ୍ତି ଦେଖାଇ ପ୍ରମାଣିତ କରିବାକୁ ଚେଷ୍ଟା କରିବେ ଓ ତଥାପି ଏହିସବୁ ଆୟୋଜନ କରିଥିବାରୁ ଶ୍ରଦ୍ଧାଳୁ ବନ୍ଧୁମାନଙ୍କୁ ଧନ୍ୟବାଦ ଦେବେ ଓ କୃତଜ୍ଞତା ଜଣାଇବେ । ଦେ’ଦେଉଣି ସମସ୍ତଙ୍କୁ ଧନ୍ୟବାଦ ଦିଆଯିବା ପରେ ସଭା ଭଙ୍ଗ ହେବ ଏବଂ ତା ପରଦିନ ସନ୍ଧ୍ୟାରେ ସମ୍ବାଦଟି ସମ୍ବାଦପତ୍ରରେ ସ୍ତମ୍ଭ ଉଛୁଳାଇ ବାହାରିଥିବ । ଟିକିଏ ବୁଦ୍ଧି କରି ଉଚିତ ଶୁଭାକାଂକ୍ଷୀମାନଙ୍କୁ ଲୋଡ଼ିପାରିଥିଲେ ତାହା ସଚିତ୍ର ବି ବାହାରିପାରିବ ।

 

ତା’ପରେ ଆଉଦିନେ, ସମସ୍ତେ ହୁଏତ ସଭାଦିନର କଥାଟିକୁ ଭୁଲିଆସୁଥିବାବେଳକୁ, ସେଦିନର ଅଭିନନ୍ଦିତ ବୀର ଆଉଥରେ ସମ୍ବାଦପତ୍ର ଜରିଆରେ ତାଙ୍କପରି ଜଣେ ସାମାନ୍ୟ ବା ନଗଣ୍ୟଙ୍କ ଲାଗି ଏତେଗୁଡ଼ାଏ କରିଥିବାରୁ ସମସ୍ତଙ୍କୁ ଲିଖିତ ଧନ୍ୟବାଦ ଦେବେ ।

 

ସମ୍ବାଦପତ୍ର ପ୍ରକୃତରେ ଏକ ବହୁମୁଖୀ ଧନ୍ଦା ଏବଂ ତାହାକୁ ନେଇ-ଆଣି ଥୋଇ ଜାଣିବା ଲାଗି ପ୍ରକୃତରେ ଏକ ବହୁମୁଖୀ ପ୍ରତିଭା ଆବଶ୍ୟକ ରହିଛି । ଭଗବାନଙ୍କ ଆଖିରେ ଆମେ ଯେଡ଼ିକି ସାନ ବା ଯେଡ଼ିକି ବଡ଼ ହୋଇ ବଢ଼ୁଛୁ, ସେହି ପ୍ରତିଭା ଅନୁଗ୍ରହ କଲେ ଆମେ ତା’ଠାରୁ ଆହୁରି ଅଧିକ ବଡ଼ ହୋଇ ଦିଶିପାରିବା; ଆହୁରି ଅଧିକ ସାନ ବୋଲି ହୁଏତ ଧରା ବି ପଡ଼ିଯିବା ।

 

୧୨ । ୧୬ । ୮୦

☆☆☆

 

ମହାତ୍ମାଗାନ୍ଧୀଙ୍କ ମାର୍ଗ

 

ଲୁଣମରାର ଶୋଭନ କଳାକୁଞ୍ଜ ଭିତରେ ଯେତେବେଳେ ସମସ୍ତେ ପରସ୍ପରକୁ କାନ୍ଧରେ ବସାଇ ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଥିଲେ, ସେତେବେଳେ ରାଜ୍ୟପାଳ କହିଲେ ଯେ କେବଳ ମହାତ୍ମାଗାନ୍ଧୀଙ୍କର ମାର୍ଗ ହିଁ ବର୍ତ୍ତମାନର ଅନ୍ଧକାର ମଧ୍ୟରେ ଦୀପଶିଖା ପରି କାର୍ଯ୍ୟ କରିବ । କହିବା ଅନାବଶ୍ୟକ ଯେ, ଯେଉଁଠି କେତେ ଉତ୍ସାହର ଦରବାର ବସାଇ ଏହି କଥାଟିକୁ କୁହାଯାଉଥିଲା, ସେଠାରେ ଚାରିଆଡ଼େ ଆଲୁଆ ଜଳୁଥିଲା; କେଉଁଠି ହେଲେ କୌଣସି ଅନ୍ଧାର ନଥିଲା । ପରସ୍ପର ମୁହଁକୁ ଚିହ୍ନିବା ଭଳି ଦେଖିପାରିବା ଲାଗି ଯେତିକି ଆଲୁଅ ଦରକାର, ସେଠାରେ ହୁଏତ ତାହାର କୋଡ଼ିଏ ଗୁଣ ଅଧିକ ଆଲୁଅ ଜଳୁଥିଲା ଓ ଅସଲ ଆଖିଗୁଡ଼ାକୁ ସତେଅବା ଭାରି ଜଳକା କରି ପକାଉଥିଲା ।

 

ଏମାନେ ଆଜିଯାଏ ଠିକ୍‍ ଏହିପରି ଭାବରେ ଆଲୁଅ ଭିତରେ ରହି ଅନ୍ଧାରକୁ ଦୂର କରିବାକୁ କଥା କହିଆସିଲେ । ଅନ୍ଧାରଗୁଡ଼ାକୁ ଅନ୍ଧାର ବୋଲି ଚିହ୍ନିବାରେ ଭାରି ଅନ୍ତରାୟ ହୋଇ ରହିଲେ । ଶିଙ୍କୁଳିଗୁଡ଼ାକୁ ସୁନାର ପୁଟ ଦେଇ ଆମକୁ ବନ୍ଦୀ କରି ରଖିଲେ, ବୋକା ବନାଇଲେ ।

 

ମହାତ୍ମା ଗାନ୍ଧୀଙ୍କର ମାର୍ଗ ରାଜ୍ୟପାଳମାନଙ୍କ ପାଇଁ ନୁହେଁ, ମନ୍ତ୍ରୀମାନଙ୍କ ପାଇଁ ନୁହେଁ, କିମ୍ବା ଆଲୁଅ ଭିତରେ ଜଳକା ହୋଇ ବସି ଏକଦା ହରାଇଆସିଥିବା ଯୌବନର ରୋମନ୍ଥନ କରୁଥିବା ଅବସନ୍ନ ଓ ହତବୀର୍ଯ୍ୟ ବୃଦ୍ଧମାନଙ୍କ ପାଇଁ ମଧ୍ୟ ନୁହେଁ । ତାହା ସାହସୀମାନଙ୍କ ପାଇଁ, ସଂଗ୍ରାମୀମାନଙ୍କ ପାଇଁ । ଗାନ୍ଧିଙ୍କ ନିଜ କଥାରେ କହିଲେ, ସତ୍ୟାଗ୍ରହୀ ମାନଙ୍କ ପାଇଁ । ଅସତ୍ୟଗୁଡ଼ାକୁ ଆବୋରି ଧରି ଯୋଉମାନେ ନିଜର ଉତ୍ସାହର କାୟାଟିକୁ ଖାଲି ବିଣ୍ଡିରେ ଭର୍ତ୍ତି କରି ରଖିଛନ୍ତି, ଗାନ୍ଧୀର ମାର୍ଗ ସେମାନଙ୍କ ପାଇଁ ମୋଟେ ନୁହେଁ । ଏମାନଙ୍କର ଗାନ୍ଧୀ କେବଳ ଗୋଟାଏ ମୂର୍ତ୍ତି, କେବଳ ଗୋଟାଏ ଠାକୁର, ଗୋଟାଏ ପାଳଭୂତ ଓ ଗୋଟାଏ ଭୂଷଣ । ଅସଲ ଗାନ୍ଧୀକୁ ଅନୁଭବ କରିବାମାତ୍ରକେ ଏମାନେ ମୋଟେ ସହିପାରିବେ ନାହିଁ । ହୁଏତ ପଥର ପାଲଟିଯିବେ ବା ନିଜ ନିଜ ଆସନରୁ ତଳକୁ ଗଡ଼ିପଡ଼ିବେ । ମିଛ ଗାନ୍ଧୀର ସମୟ ଖତମ୍ ହୋଇଯାଉଛି—ସତ ଗାନ୍ଧୀର ବେଳ ଆସୁଛି ।

 

୧୬ । ୦୬ । ୮o

☆☆☆

 

ସିସିଲିର ରାଷ୍ଟ୍ରପତି

 

ସିସିଲି ଆଗେ ଯେଉଁଠାରେ ଥିଲା, ଏବେ ମଧ୍ୟ ଠିକ୍‍ ସେଇଠାରେ ରହିଛି । ସିସିଲି ଭୂମଧ୍ୟସାଗର ଭିତରେ ଗୋଟିଏ ଦ୍ୱୀପ ଏବଂ ସେଚିଲିସ୍‍ ପ୍ରଶାନ୍ତ ମହାସାଗର ଭିତରେ ଏକ ଦ୍ଵୀପପୁଞ୍ଜ । ଦୁହେଁ ଦ୍ୱୀପ ସତ, ମାତ୍ର ସିସିଲି ଏକ ଦେଶ ନୁହେଁ, ତାହା ଇଟାଲୀ ଦେଶର ଗୋଟିଏ ଅଂଶ, ଏକ ପ୍ରଦେଶ । ତେଣୁ ସିସିଲିର ଯେ କୌଣସି ରାଷ୍ଟ୍ରପତି କେବେହେଲେ ନ ଥିବେ, ଆମ ଖବରକାଗଜମାନେ ସେକଥା ମୋଟେ ଠଉରାଇ ପାରିଲେ ନାହିଁ ।

 

ସେଚିଲିସ ଦ୍ୱୀପପୁଞ୍ଜ ଆଗେ ଏକ ଇଉରୋପୀୟ ଶକ୍ତିର ଉପନିବେଶ ହୋଇ ରହିଥିଲା; ଏବେ ସ୍ଵାଧୀନ ହେଲା । ବର୍ତ୍ତମାନ ମିଳିତ ଜାତିସଂଘର ସଦସ୍ୟ ଦେଶମାନଙ୍କ ଭିତରେ ସେଚିଲିସ୍ ଅନ୍ୟତମ । ସେହି ଦେଶର ରାଷ୍ଟ୍ରପତି ଏବେ ଭାରତବର୍ଷକୁ ଆସିଥିଲେ ଭାରତ ସରକାରଙ୍କର ଅତିଥି ହୋଇ । ତାଙ୍କରି କଥା ଛାପିଲାବେଳେ ଆମ ଖବରକାଗଜମାନେ ସେଚିଲିସ୍ ଜାଗାରେ ସିସିଲି କରିଦେଲେ । ଆମ ଏପଟର ଏକାଧିକ ଦୈନିକ କାଗଜରେ ସେହି କଥା ବାହାରିଥିଲା । ଅବଶ୍ୟ ଏକଥା ସତ ଯେ ପଛରେ ଯଦି ବାର୍ତ୍ତାସମ୍ପାଦକମାନେ ଏହି ଭୁଲଟା ହୋଇଯାଇଛି । ବୋଲି ଜାଣିବାକୁ ବି ପାଇଥିବେ, ତେବେ ତଦ୍ୱାରା ଯେ କଦାପି କାହାରି କୌଣସି କ୍ଷତି । ହୋଇନାହିଁ, ସେକଥା ଅନୁମାନ କରି ସେମାନେ ଭାରି ଆଶ୍ୱସ୍ତ ହୋଇଥିବେ ।

 

ଆମ ଓଡ଼ିଶା ଲାଗି ସିସିଲି ଯାହା, ସେଚିଲିସ ବି ସେଇଆ । କାରଣ ଆମ ଲାଗି । ସେଗୁଡ଼ାକର ମୋଟେ ମୂଲ୍ୟ ବା ମହତ୍ତ୍ୱ ନାହିଁ । ଆମ ଲାଗି କେବଳ ଆମ ନିଜର ହିଁ ମହତ୍ତ୍ୱ ରହିଛି-। ଯେତେ ମହତ ଗଲେ ମଧ୍ୟ ଆମେ ରହିଥିବା ପର୍ଯ୍ୟନ୍ତ ଆମର ମହତ୍ତ୍ୱ ଅବଶ୍ୟ ରହିଛି । ଆମ ଘରେ ଆମେ ରାଜା ହୋଇ ବସିଥିବା ପର୍ଯ୍ୟନ୍ତ ଆମର ଆଉ କିଏ କ’ଣ କରିପାରିବ ?

 

ତେଣୁ ଆମେ ଆଦୌ ବ୍ୟସ୍ତ ହେବାନାହିଁ । ଉଦାସୀନତାକୁ ଏହି ସାନ ସାନ ସ୍ଖଳନଗୁଡ଼ାକ କଦାପି ସ୍ପର୍ଶ କରିପାରିବନାହିଁ । ସ୍ପର୍ଶକଲେ ମଧ୍ୟ ତଥାପି ବାବୁମାନେ ବସିଥିବେ । ଚକ ଗଡ଼ି ଗଡ଼ି ଯାଉଥିବ । ସିସିଲି କିଛି କରିପାରିବନାହିଁ କି ସେଚିଲିସ୍ ମଧ୍ୟ କିଛି କରିପାରିବ ନାହିଁ-

 

୧୮ । ୦୬ । ୮୦

☆☆☆

 

ଝିଅମାନେ ବି ପାରିଲେ

 

ଏପର୍ଯ୍ୟନ୍ତ କେବଳ ପୁଅମାନେ ହିଁ ପାରୁଥିଲେ; ଏବେ ଝିଅମାନେ ବି ପାରିଲେ । ଭାରତବର୍ଷର କୌଣସି ଶିକ୍ଷାନୁଷ୍ଠାନର ଝିଅମାନେ ରାସ୍ତାରେ ଝିଅମାନଙ୍କର ପରୀକ୍ଷା-ଗୃହରେ ପହରା ଦେଉଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ମାଡ଼ ଦେଲେ । ଶିକ୍ଷୟିତ୍ରୀ ସେମାନଙ୍କର କପି ଧରିଥିବାରୁ ସେମାନଙ୍କର ତାଙ୍କ ଉପରେ ରାଗ ଥିଲା । ସେଇ ରାଗକୁ ସେମାନେ ରାସ୍ତା ଉପରେ ଶୁଝାଇଲେ ।

 

ଯେଉଁମାନେ ଯାଉଣୁ ଆସୁଣୁ ଆଖି ଆଗରେ କେବଳ ପତନ ହିଁ ଦେଖୁଥାନ୍ତି, ଭିତରର ଅନ୍ଧାରଗୁଡ଼ାକୁ ପିଇ ମୋଟା ହୋଇ ରହିଥିବା ଯେଉଁମାନେ କେବଳ ବାହାରେ ହିଁ ଅନ୍ଧାରଗୁଡ଼ାକୁ ଦେଖାଇଦେବାରେ ଲାଗିଥାନ୍ତି, ସେମାନେ ଏହିପରି ଏକ ଘଟଣାକୁ ହୁଏତ ଘୋର ପତନର ଏକ ସଙ୍କେତ ବୋଲି ମାନିବେ । ପୁଅମାନେ ସେମାନଙ୍କର କପି ଧରିବା ଲୋକମାନଙ୍କୁ ମାଡ଼ ମାରୁଥିଲେ, ସେକଥା ସହି ହେଉଥିଲା । ମାତ୍ର ଝିଅମାନେ ସେହି କାଣ୍ଡଗୁଡ଼ାକୁ କଲେ ସେମାନଙ୍କର ପୁରୁଷୋଚିତ ଗୁରୁଜନ-ବିବେକ ମୋଟେ ସହିପାରିବ ନାହିଁ ।

 

ହଁ, ଝିଅମାନେ ବି ପାରିଲେ, ଝିଅମାନେ ବି ସାହସ କଲେ । ସେମାନେ ନିଜକୁ କେବଳ ଗୋଟିଏ ଗୋଟିଏ ଝିଅ ବୋଲି ଭାବିଲେ ନାହିଁ । ଯେଉଁ ସମାଜରେ ପୁଅମାନେ ନିଜକୁ କେବଳ ପୁଅ ବୋଲି ଭାବି ଦୁର୍ଦ୍ଧର୍ଷ ହୋଇ ରହିଥାନ୍ତି, ସେଠାରେ ଶାସ୍ତ୍ରମତ ଅନୁସାରେ ଝିଅମାନଙ୍କର ଝିଅ ହୋଇ ରହିବାକୁ ହିଁ ଧର୍ମ ବୋଲି କୁହାଯାଏ । ଝିଅମାନେ ତଦ୍ଦ୍ୱାରା ଅବଳା ହୁଅନ୍ତି । ମହାପ୍ରଭୁମାନଙ୍କ ବାମପାର୍ଶ୍ୱରେ ଲକ୍ଷ୍ମୀ-ଠାକୁରାଣୀ ହୋଇ ରହନ୍ତି ସତ; କିନ୍ତୁ ମଣିଷ ହୋଇପାରନ୍ତି ନାହିଁ ।

 

ଝିଅମାନେ ଏଥର ଅଧିକ ପାରିବେ । ପୁଅମାନେ ଯେ ଆଗ ମଣିଷ ଓ ତା ପରେ ଯାଇ ପୁଅ, ସେମାନେ ସେମାନଙ୍କୁ ଏହି ପାଠଟାକୁ ପଢ଼ାଇଦେବାରେ ବି ନିମିତ୍ତ ପରି ବ୍ୟବହୃତ ହେବେ । ସେମାନେ ଏହାପରେ ଯୌତୁକ ସହିତ ବିଦାହେବାକୁ ସିଧା ମନାକରିଦେବେ; ଯୌତୁକଲୋଭୀ ପୁଅମାନଙ୍କୁ ବାହା ହେବାକୁ ବି ମନା କରିଦେବେ । ସେମାନେ କଣ୍ଢେଇ ହୋଇ ରହିବାର ଯାବତୀୟ ପାଠକୁ ସିଧା ଅସ୍ୱୀକାର କରିବେ । ଯୋଉମାନଙ୍କର ରସିକ ଓ ଲୋଲୁପ ଆଖି ସେମାନଙ୍କୁ ଶରୀରାକୃତିରେ ଥାପି ଦିଆଯାଇଥିବା କେବଳ ପୁଳାଏ ସୁନ୍ଦର ମାଉଁସ ପରି ଦେଖୁଛି, ସେମାନେ ସେମାନଙ୍କର ନିଶା ଭଙ୍ଗାଇଦେବେ । ତା’ପରେ ଯାଇ ପୁଅ ଓ ଝିଅ ଉଭୟଙ୍କ ଭିତରେ ଅସଲ ବିବେକ କଥା କହିବ ଓ ଅସଲ ସମ୍ମାନ ଅନୁଭୂତ ହେବ । ଅସଲ ଇଜ୍ଜତ ସେତିକିବେଳେ ରହିବ ।

 

୨୦ । ୦୬ । ୮୦

☆☆☆

 

ସତ ଉପୁଜିବ ଛବିଶିକୁ

 

ସତ ଯାଇ ସତଦ୍ୱାରା ଉପୁଜିବ । ଯେଉଁମାନେ ଲୋକ ଭଣ୍ଡିବା ପାଇଁ କୋଡ଼ିଏ, ପଚିଶି ଅଥବା ଛବିଶିଟା ଦଫା ଉପରେ ଭରାଦେଇ ଭୋଟ—ଜଙ୍ଗଲରେ ପାରିଧି କରି ବାହାରନ୍ତି, ସେମାନେ ଗୋଟାସୁଦ୍ଧା ମିଛ ଭିତରେ ପାଚିକରି ରହିଥାନ୍ତି । ଏହିସବୁ ଦଫାକୁ ସଜାଇ ରଞ୍ଜାଇ ଦଫା ଦଫା କରି ଭଣିତା କରିବାରେ ଓ ତା’ପରେ ସେଗୁଡ଼ାକୁ ପାସୋରି ନିଶା ଖାଇ ବାଇଆ ହେବାରେ ଏମାନଙ୍କର ଯେତିକି ସମୟ ଓ ଶକ୍ତି ସରୁଛି, ଯଦି ସେହି ଶକ୍ତି ଓ ସମୟକୁ ସେମାନେ ସତ ପାଇଁ ଦେଇପାରୁଥାନ୍ତେ । ତେବେ ସେମାନେ ଅବଶ୍ୟ ରକ୍ଷାପାଇଯାଆନ୍ତେ । ତାଙ୍କର କବଳରେ ପଡ଼ିଥିବା ଏହି ଦେଶଟା ମଧ୍ୟ ଅନେକ ପରିମାଣରେ ଉଶ୍ୱାସ ହୋଇଯା’ନ୍ତା ।

 

ଏମାନେ ଘଡ଼ିକୁ ଘଡ଼ି ପଇତା ବଦଳାଉଛନ୍ତି । ବାପା, ମାଆ ବଦଳାଉଛନ୍ତି—ଅନେକ ସମୟରେ ନିଜର ଅନ୍ତବୁଜୁଳାଗୁଡ଼ାକୁ ମଧ୍ୟ ବଦଳାଇଦେଉଛନ୍ତି । ଗୋଟାଏ ବିବୃତ୍ତରେ ହିଁ ଆପଣାର ଗୋତ୍ର ଓ ସାଙ୍ଗିଆଗୁଡ଼ାକୁ ବଦଳାଇଦେଉଛନ୍ତି । ତଥାପି ବିଶ୍ବାସ କରୁଛନ୍ତି ଯେ କୋଡ଼ିଏ, ପଚିଶି ଅଥବା ଛବିଶି ଦଫାରେ ସେମାନେ ଆମ ସମସ୍ତଙ୍କର ଦୁର୍ଭାଗ୍ୟଗୁଡ଼ାକୁ ବଦଳାଇଦେଇପାରିବେ । ସେହିମାନେ ହିଁ ଯେ ଆମର ଅନେକ ଦୁର୍ଭାଗ୍ୟର ଅସଲ କାରଣ ହୋଇ ରହିଛନ୍ତି, ସେ କଥାଟିକୁ ସେମାନଙ୍କର ହୃଦୟଙ୍ଗମ କରାଇବା ଲାଗି କ’ଣ ଭଗବାନଙ୍କୁ ଆଉ ଥରେ ଅବତାର ଗ୍ରହଣ କରିବାକୁ ପଡ଼ିବ ?

 

ଜୀବନ କହିଲେ ଏମାନେ କ୍ଷମତାକୁ ବୁଝନ୍ତି । କ୍ଷମତାକୁ ଆସିଲେ ଏମାନଙ୍କର । ଚର୍ବି ବଢ଼ିଯାଏ । ଯେଉଁ ଭୋଟ୍‍ ଲଢ଼ି ଏମାନେ କ୍ଷମତାକୁ ଆସିବେ ବୋଲି ମନ କରୁଥାନ୍ତି, ସେହି ଭୋଟକୁ ସେମାନେ ସତେଅବା ନିଜର ଗୋଟାଏ ଗୋଟାଏ ଖାସମାହାଲ ପରି ଦେଖୁଥାନ୍ତି । ରାଜନୀତି ଶିମିଳିତୁଳା ପରି ଲାଜରା ହୋଇ ପବନରେ ଉଡ଼ୁଥାଏ । କେବଳ ଏହିମାନେହିଁ ଶିଳଶିଳୁପୁଆ ପରି ତଳେ ପଡ଼ିରହିଥାନ୍ତି । ଭୋଟ ଆସୁଥାଏ ଓ ଯାଉଥାଏ । ଇଜ୍ଜତ ଯାଉଥାଏ ଓ ଅକଲ ସରୁଥାଏ । ତଥାପି ସେମାନେ ଆଦୌ କୌଣସି ସତର ଯୋଗ୍ୟ ହୋଇପାରନ୍ତି ନାହିଁ । ସତକୁ ଗୋଟିଏ ସ୍ଳୋଗାନରେ ପରିଣତ କରି ଏମାନେ ବାରବାର ବାଉଳା ହେଉଥାନ୍ତି ।

 

—ହଁ, ସତ କେବଳ ସତରେ ଉପୁଜିବ ।

 

୨୩ । ୦୬ । ୮୦

☆☆☆

 

ସବୁ ଭଲ ଯା’ର ଶେଷ ଭଲ

 

ଏଥର ଆମ ଗାଁରେ ଭାରି ଗଣ୍ଡଗୋଳ ଲାଗିଲା । ଅଳପ କଥା ବଢ଼ି ବଢ଼ି ଝାମେଲାରେ ପରିଣତ ହେଲା । ଭାଗ୍ୟକୁ ଭଲ ମଣିଷମାନେ ରହିଥିଲେ; ନହେଲେ ଆହୁରି କେତେ କଣ ହୋଇଥାନ୍ତା ।

 

ଗାଆଁରେ ଭୋଟରମାନଙ୍କୁ ଦେବାଲାଗି ଗାଆଁ ଟୋକାଏ ଭୋଟ ଲଢ଼ୁଥିବା କର୍ତ୍ତାମାନଙ୍କଠାରୁ କିଛି ଟଙ୍କା ପାଇଥିଲେ । ଭୋଟ ନିଆଯିବାର ବେଶ୍‍ କେତେଦିନ ପୂର୍ବରୁ ସେମାନେ ସେହି ଟଙ୍କା ପାଇଥିଲେ । ମାତ୍ର ଭୋଟ ଦିନ ଆସି ଚାଲିଗଲାପରେ ମଧ୍ୟ ସେହି ଟଙ୍କାତକ ହାତରେ ଲାଖି ରହିଗଲା; ଯେଉଁମାନଙ୍କ ହାତକୁ ଯିବାର କଥା ଯାଇପାରିଲାନାହିଁ । ଭୋଟ ସରିବା ଉତ୍ତାରୁ କଥା ପଡ଼ିଲା ଯେ ସେହି ଟଙ୍କାକୁ ସେ ବର୍ଷ ଗାଁରେ ହେଉଥିବା ନାଟକରେ ଖର୍ଚ୍ଚ କରାଯିବ । ଆମ ଗାଁରେ ପ୍ରତିବର୍ଷ କରଣସାହିର ପିଲାମାନେ ନାଟକ କରନ୍ତି । ଟଙ୍କାଗୁଡ଼ାକ ସେଇଥିରେ ଖର୍ଚ୍ଚ ହେବ ବୋଲି ଧନଲାଭ କରିଥିବା ବୁଦ୍ଧିବନ୍ତମାନେ ସ୍ଥିରକଲେ ।

 

ଆଉ ଗୋଟାଏ ପାଖରୁ ଆପତ୍ତି ଉଠିଲା । ସେମାନଙ୍କ ଭିତରୁ ଯିଏ ପାର୍ଟି ତରଫରୁ ଭୋଟରମାନଙ୍କୁ ଫୁସଲାଇ ଭୋଟ୍‍ଘର ପର୍ଯ୍ୟନ୍ତ ଆଣିଥିଲା, ସିଏ ଆଗ ନିଜର ଭାଗ ଦାବୀ କରିବସିଲା । ସେଇଥିରୁ କଳି ଉପୁଜିଲା । କଳିରୁ ଗାଳିମନ୍ଦ ହେଲା । ଗାଳିମନ୍ଦରୁ ପିଟାପିଟି । ଟୋକାମାନେ ଦୁଇ ଭାଗ ହୋଇଗଲେ । ସହରରୁ ଶିଖାଯାଇଥିବା କାଇଦା ଗୁଡ଼ାକ ଅନୁସାରେ ଗାଁ ଦାଣ୍ଡରେ ସେଦିନ ରାତିରେ ଏକ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଗଲା ।

 

ଏହିପରି ଏକ ସଙ୍କଟ ସମୟରେ ଗାଁର ଉପକାରୀ ମାମଲତକାରମାନେ ବାଧ୍ୟ ହୋଇ ସାହାଯ୍ୟ କରିବାକୁ ଆସିଲେ । ଟୋକାମାନଙ୍କର ନାଡ଼ିଗୁଡ଼ାକୁ ସେମାନେ ତ ସବୁଦିନେ ଚିପି ଚିପି ଆସିଛନ୍ତି । ତେଣୁ ସମାଧାନଟାଏ ବାହାର କରିବାଲାଗି ସେମାନଙ୍କୁ ମୋଟେ କଷ୍ଟ କରିବାକୁ ପଡ଼ିଲାନାହିଁ । ସେମାନେ କହିଲେ, ଉପରୁ ଆସିଥିବା ଟଙ୍କା ଡ୍ରାମାରେ ଖରଚ ହେବନାହିଁ କିମ୍ବା କାହାରି ଜଣକର ପକେଟକୁ ବି ଯିବନାହିଁ—ତାହା ସମସ୍ତଙ୍କର ପେଟକୁ ଯିବ । ସିଦ୍ଧାନ୍ତ ଅନୁସାରେ ଦିନେ ସମସ୍ତଙ୍କୁ ମିଶାଇ ଗୋଟାଏ ଭୋଜି ହେଲା । ସେଦିନ ଖାସି ମରାଗଲା ଏବଂ ତାହା ସମସ୍ତଙ୍କ ପେଟକୁ ଗଲା । ବିବାଦଗୁଡ଼ାକ ଫସରଫାଟିଗଲା ।

 

୦୨ । ୦୭ । ୮୦

☆☆☆

 

ଚାଳିଶିହଜାର ବାଘ

 

ଏହି ଶତାବ୍ଦୀଟା ଶେଷ ହେବା ବେଳକୁ ଆମ ଦେଶରେ ବାଘମାନଙ୍କର ସଂଖ୍ୟା ବଢ଼ି ବଢ଼ି କୁଆଡ଼େ ଚାଳିଶି ହଜାରଯାଏ ହୋଇଯିବ ବୋଲି ଏବେ ବିଶେଷଜ୍ଞମାନେ ହିସାବ କରି କହିଛନ୍ତି । ସେମାନେ ଏକଥା ବି କହିଛନ୍ତି ଯେ ସୁମାରି ଅନୁସାରେ । ସେତେବେଳେ ଆମ ଭାରତବର୍ଷରେ ହିଁ କୁଆଡ଼େ ସର୍ବାଧିକ ସଂଖ୍ୟାର ବାଘ ବାସ କରୁଥିବେ ।

 

ଯେଉଁ ଦେଶରେ ଯେତେ ବେଶୀ ଛେଳି, ସେହି ଦେଶରେ ହୁଏତ ସେତେ ବେଶୀ ବାଘ-। ଯେଉଁ ଦେଶରେ ଛେଳିଙ୍କର ସଂଖ୍ୟା ଚାଳିଶି କୋଟିରୁ ଅଧିକ, ସେହି ଦେଶରେ ଚାଳିଶିହଜାର ବାଘ ରହିବାଟା ଆଦୌ ଏକ ବିଚିତ୍ର କଥା ହେବ ନାହିଁ । ଛେଳିମାନଙ୍କୁ ସମ୍ଭାଳିବାକୁ ବାଘମାନଙ୍କର ଅବଶ୍ୟ ଏକ ପ୍ରୟୋଜନ ରହିଥିବ । ସେହି ମଣିଷବାଘମାନେ ଜଙ୍ଗଲ ଭିତରୁ ବାଘବାଘୁଣୀଙ୍କୁ ଧରିଆଣି ସେମାନଙ୍କଠାରୁ ଛୁଆ କରାଇବେ । ହକାରକୁ ସେମାନେ ଚାଳିଶିହଜାର କରାଇବେ-। ମଣିଷଗୁଡ଼ାକ କେଡ଼େ ଆନନ୍ଦରେ ଏହି ବାଘମାନଙ୍କୁ ଦେଖିବାକୁ ଯିବେ । ଖୁସି ହେବେ-। ଭୋକ ଭୁଲି ରହିବେ । ଦୁଃଖ ଭୁଲି ରହିବେ । ଠିକ୍ ଛେଳିଙ୍କ ପରି ରହିବେ । ସେମାନେ ଗୋଟାସୁଦ୍ଧା ଶାନ୍ତିରେ ରହିବେ । ଆମେ ସବୁ ଛେଳି ହୋଇ ରହିଥିଲେ କ’ଣ ହେଲା, ଆମ ନନ୍ଦନକାନନମାନଙ୍କରେ ଚାଳିଶିହଜାର ବାଘ ରହିଛନ୍ତି ବୋଲି ସେମାନେ କେଡ଼େ ଗର୍ବ ଅନୁଭବ କରିବେ ।

 

ସେହି ଜଙ୍ଗଲବାଘମାନଙ୍କୁ ଛାଡ଼ିଦେଲେ ଆମ ମଣିଷ ବସତିଗୁଡ଼ାକରେ ମଧ୍ୟ ଯେଉଁସବୁ ବାଘ ରହିଛନ୍ତି, ସେମାନଙ୍କୁ ସୁମାରି କରିବାର ଅକଲ ଆଜିଯାଏ ବି ଆମ ଦେଶରେ ସମ୍ଭବ ହୋଇପାରିନାହିଁ । ଆମ କଚେରିଗୁଡ଼ାକରେ, ଆମ ରାଜନୀତିରେ ଏବଂ ଆମ ସୁଧର୍ମାମାନଙ୍କର ସଭା ଭିତରେ ବାଘଗୁଡ଼ାକ ହିଁ ମଣିଷ ରୂପ ପକାଇ ବିଚରଣ କରୁଛନ୍ତି ବୋଲି ତ ଆମ ଦେଶଟାଯାକ ଏବେ ବି ଏପରି ଉତ୍କଟ ଭାବରେ ଗନ୍ଧାଇବାରେ ଲାଗିଛି । ସେହି ବାଘମାନଙ୍କୁ ଆମେ ଚିହ୍ନଟ କରିପାରିବା କେଉଁଦିନ ? ସେଥିପାଇଁ ଆମ ବିଶେଷଜ୍ଞମାନେ ହୁଏତ ଆମର କୌଣସି କାମରେ ଆସିବେ ନାହିଁ । ଛେଳିମାନେ ମଣିଷ ହେବାକୁ ମନ କଲେ ତାହା ସମ୍ଭବ ହେବ-

 

୦୫ । ୦୭ । ୧୯୮୦

☆☆☆

 

ଆମ କୁଟୁମ୍ବ ଆମ ବସୁଧା

 

ସେଦିନ ହିନ୍ଦୁଧର୍ମର ପାରାୟଣ କରାଯାଉଥିବା ଗୋଟିଏ ସଭାରେ ମହନୀୟ ବକ୍ତାମାନେ ମନ୍ତବ୍ୟ ଦେଇ କହିଲେ ଯେ ବସୁଧୈବ କୁଟୁମ୍ବକମ୍ ହେଉଛି ହିନ୍ଦୁଧର୍ମ ମୂଳ ସତ୍ୟ । ଏହାର ଅର୍ଥ ହେଉଛି ଯେ ସମସ୍ତ ବସୁଧାକୁ କୁଟୁମ୍ବ ପରି ମଣି ସେହି ଅନୁସାରେ ସାମୂହିକ ଜୀବନରେ ଗ୍ରହଣ ଏବଂ ଆଚରଣ କରିବା ହେଉଛି ହିନ୍ଦୁ-ମାର୍ଗର ପ୍ରକୃତ ପ୍ରେରଣା ।

 

ସେହି ସୂତ୍ରଟି ଅନୁସାରେ ଆମେ ସମସ୍ତେ ଏକାବେଳକେ ପୋଖତ ହୋଇ ରହିଥିବା ଜଣେ ଜଣେ ହିନ୍ଦୁ । ଶାସ୍ତ୍ରର ମତରେ ପ୍ରକୃତରେ ଯାହା ଉଚିତ ହୋଇଥାନ୍ତା, ସେକଥା ଶାସ୍ତ୍ରକାରମାନଙ୍କୁ ଅବଶ୍ୟ ଜଣାଥିବ; ମାତ୍ର ଆମେ କାଳକ୍ରମେ ଆମ କୁଟୁମ୍ବଟାକୁ ହିଁ ସମଗ୍ର ବସୁଧା ବୋଲି ଜ୍ଞାନ କରି ଶିଖିଛୁ । ଆମ କୁଟୁମ୍ବଟା ଲାଗି ଆମେ ସମସ୍ତ ବସୁଧାଟାକୁ ଗିଳିପକାଇବାରେ ଲାଗିଛୁ । ବସୁଧାଟାକୁ ହିଁ ଯାବତୀୟ ପୁରୁଷପଣିଆ ଦେଖାଇ ଆମ ନିଜ ଘରଭିତରେ ଆଣି ପୂରାଇବାକୁ ଆମେ ଧର୍ମ ବୋଲି ଗ୍ରହଣ କରି ନେଇଛୁ । ସରକାରୀ ଏଡ଼େବଡ଼ ଯନ୍ତ୍ରଟା ଯାଇ ହାକିମମାନଙ୍କ ଘରେ ପଶିଛି । ପଲଟନରେ ସୈନ୍ୟମାନେ ସେନାପତିମାନଙ୍କର ଘରେ ବେଠି ଖଟୁଛନ୍ତି । ବସୁଧାଟାଯାକ ବିଶାରଦ ସାମନ୍ତମାନଙ୍କର ଘରେ ରକ୍ଷିତାପଣ କରୁଛି ଏବଂ ସେହି ପାରିବାକୁ ହିଁ ଏବେ ସରକାର, ରାଷ୍ଟ୍ର ଓ ଦେଶ ବୋଲି କୁହାଯାଉଛି ଏବଂ ସେଗୁଡ଼ାକର କଣାଗୁଡ଼ାକୁ ଏକାବେଳକେ ଉଢ଼ୁଆଳ କରି ରଖି ସଭାଗୁଡ଼ାକ ଚାଲିଛି; ଧର୍ମ ଓ ସଂସ୍କୃତିକୁ ଅଚଳ ଘଷିଫଡ଼ା ପରି କାନ୍ଥମାନଙ୍କରେ ମାରିଦିଆଯାଇଛି । ଆମେ ସମସ୍ତେ ମୋହ-ନିଦ୍ରାରେ ପଶିଛୁ । ବନ୍ଧ୍ୟା ହୋଇ ରହିଛୁ । ।

 

ନିଜର ପାଚେରିଗୁଡ଼ାକର ସେ ପାଖରେ ଯାଇ ବସୁଧା । ମୋ’ କୁଟୁମ୍ବ ସେହି ବସୁଧା ଭିତରେ ଗୋଟିଏ । ଖାଲି ହିନ୍ଦୁଧର୍ମ ନୁହେଁ, ପୃଥିବୀର ସବୁ ଧର୍ମ ଏହି କଥାଟିକୁ କହିଯାଇଛନ୍ତି । ମାତ୍ର ନିଜର ଧର୍ମକୁ ମୁକୁଟ କରି ପିନ୍ଧି ଯେଉଁମାନେ ଜୀବନଟାକୁ ଅନ୍ଧାର ଭିତରେ ସୁଖରେ କଟାଇ ଦେବାକୁ ଚାହାନ୍ତି, ସେମାନେ କୁଟୁମ୍ବ ଭିତରେ ସାରା ବସୁଧାଟାକୁ ଆଣି ପୂରାଇବାର ତଣ୍ଡ କରୁଥାନ୍ତି-। ସେମାନେ ଆମ ସମସ୍ତଙ୍କୁ ଭଣ୍ଡୁର କରି ରଖିବାକୁ ଚେଷ୍ଟା କରୁଥାନ୍ତି ।

 

୧୩ । ୦୭ । ୧୯୮୦

☆☆☆

 

ଉନ୍ନତଧରଣର ସାରୁଚାଷ

 

ସେଦିନ ରେଡ଼ିଓ ଷ୍ଟେସନର କୃଷିସଂସାରରୁ ଉନ୍ନତଧରଣର ସାରୁଚାଷ ବିଷୟରେ କୁହାଯାଉଥିଲା । ଆଗେ ସାରୁକୁ ପରିବା ବୋଲି ଗଣା ଯାଉନଥିଲା । ବିଶେଷକରି ବିଲାତିଆଳୁ ଆମ ସଂସାର ଭିତରେ ପ୍ରବେଶ କରିବା ପରେ ସାରୁର ସବୁଯାକ ମହିମା ସତେଅବା ଏକାବେଳକେ ପୋଛି ହୋଇ ଚାଲିଗଲା । ଏବେ ଯେ । ଯାବତୀୟ ଉପାୟରେ ଓ ଯାବତୀୟ ଧନ୍ଦାରେ ସାରୁର ପ୍ରତିଷ୍ଠାକୁ ପୁନର୍ବାର ଫେରାଇ ଆଣିବାକୁ ଚେଷ୍ଟା କରାଯାଉଛି, ତାହା ଭାରି ଆନନ୍ଦର ବିଷୟ ।

 

ସମ୍ଭବତଃ ସେହିପରି ଏକ ଉତ୍ସାହରେ ପଢ଼ି ଆମ ଦେଶରେ ଗତ ଗୋଟାଏ ପୁରୁଷଧରି ସବୁଠାରେ ଖାଲି ସାରୁଚାଷ କରାଯାଉଛି ଓ ତାହାକୁ ହିଁ ଉନ୍ନତଧରଣର ଚାଷ ବୋଲି ଫଇସଲା କରିଦିଆଯାଉଛି । ଆମେ ଆଳୁ ଲଗାଉଛୁ; ସେଥିରୁ ସାରୁ ଫଳୁଛି । ଖୁବ୍ ଫଳୁଛି । ଉତ୍ପାଦନ ବଢ଼ିଲା ବୋଲି ଦେଖାଇହେଉଛି । ଗୋଟାଏ ବୁଦା ଆଳୁ ଲଗାଉ ଲଗାଉ ସେଥିରୁ ପାଞ୍ଚବୁଦା ହୋଇ ସାରୁ ହିଁ ମାଡ଼ିଯାଉଛି । ଗୋଟାଏ ଆମ୍ବଗଛ ଦୁର୍ଭାଗ୍ୟ ପଡ଼ିଲେ ଯେମିତି ପାଞ୍ଚଟା ଆମ୍ବଡ଼ା ଗଛର ଫଳ ଦିଏ, ପ୍ରାୟ ସେହିପରି ଇସ୍କୁଲ-କଲେଜଗୁଡ଼ାକ ଏବେ ପ୍ରାୟ ଗୋଟାଏ ଗୋଟାଏ ସାରୁବୁଦା ପରି ଦେଖାଯିବାକୁ ଆରମ୍ଭ କଲେଣି । ଲୋକପ୍ରତିନିଧିମାନେ ବି ସତେଅବା ବିଶେଷ ଭାବରେ ସାରୁ ହେବାକୁ ହିଁ ପୋଖତ ହୋଇ ଆସିଛନ୍ତି । କ୍ରମେ ମନ୍ତ୍ରୀମାନେ ବି ସାରୁ ପରି ଦିଶିଲେଣି । ଉପରେ ପେଣ୍ଟକୋଟ୍ ପିନ୍ଧି ହାକିମମାନେ ଭିତରେ ଗୋଟାସୁଦ୍ଧା ସାରୁ ହୋଇ ରହିଛନ୍ତି-। ନେତାମାନଙ୍କର କଥା, ଚଳଣି ଓ ଚାହାଣିଗୁଡ଼ାକ ମଧ୍ୟ ଖାଲି ସାରୁର ହିଁ ସ୍ଵାଦ ଆଣିଦେଉଛି-। ସମ୍ବାଦପତ୍ରଗୁଡ଼ାକ ବି ଆଖର ସାରୁଧର୍ମୀ ହୋଇ ବାହାରିଲେଣି; ସାରୁ ପରି ରୁମ୍‍ରୁମିଆ ଏବଂ ଶସ୍ତା ହୋଇଗଲେଣି ।

 

ସାରୁ ଯେତେ ଉନ୍ନତ ଧରଣର ହେଲେ ମଧ୍ୟ ତଥାପି ସେଇ ସାରୁ । ଫମ୍ପା ଯେତେ ଅଧିକ ଫୁଲିବାରେ ଲାଗିଥିଲେ ମଧ୍ୟ ତଥାପି ସେଇ ଫମ୍ପା । ଆମର ଲଜ୍ଜାହୀନତାଗୁଡ଼ାକ ଯେତେ ଉନ୍ନତ ଧରଣର ହୋଇଥିଲେ ମଧ୍ୟ ତାହା ତଥାପି ଲଜ୍ଜାହୀନତା ।

 

୦୬ । ୦୭ । ୧୯୮୦

☆☆☆

 

ମହାପ୍ରସାଦ ପୁରୀରୁ ଆସେ

 

ମହାପ୍ରସାଦ ପୁରୀରୁ ଆସେ; ସିଧା ପୁରୀରୁ ଆସେ; ଜଗନ୍ନାଥଙ୍କ ପାଖରୁ ଆସେ । ଏଠି ଆମ ରାଜ୍ୟମାନଙ୍କରେ ଆଉ ସବୁକିଛି ଜିନିଷ ରନ୍ଧାହୁଏ । ଖନ୍ଦାଗୁଡ଼ାକ ଏହିଠାରେ ହିଁ ଖୋଳାହୁଏ-। ପତରଗୁଡ଼ାକ ଏଇଠି ପଡ଼ିସାରିବା ପରେ ପୁରୀରୁ ବରାଦ ହୋଇ ଆମମାନଙ୍କ ସକାଶେ ମହାପ୍ରସାଦ ଆସେ । ସେହି ମହାପ୍ରସାଦକୁ ଆଗ ତୁଣ୍ଡରେ ମାରି ତାପରେ ଯାଇ ଆମେ ମଣୋହି କରି ବସୁ ।

 

ମହାପ୍ରସାଦକୁ ଯଥାର୍ଥରେ ମହା-ପ୍ରସାଦ ବୋଲି କୁହାଯାଇଛି । ଏହାକୁ କେବଳ ପ୍ରସାଦ ବୋଲି କହିବା ବା ଭାବିବା ଏକାନ୍ତ ଅବାଧ୍ୟତା ଏବଂ ଅମଣିଷପଣିଆର ପରିଚାୟକ । ଆମ ରାଜ୍ୟଗୁଡ଼ାକର ଭଲମନ୍ଦ, ହାନିଲାଭ, ସବୁ ସେହି ପୁରୀରେ ହିଁ ଜଗନ୍ନାଥ ଜାଣନ୍ତି । ସେଇ ସବୁ ଠିକ୍ କରନ୍ତି ଏବଂ ସେହି ଅନୁସାରେ ଆମ ଲାଗି ମହାପ୍ରସାଦ ପଠାନ୍ତି । ତାହାକୁ ସ୍ୱୀକାର କରିନେବାକୁ ହିଁ ହୁଏ; କାରଣ ସ୍ୱୀକାର କରିନେବା ବ୍ୟତୀତ ଆଉ ଅନ୍ୟ ଉପାୟ ନଥାଏ ।

 

ଲଢ଼େଇଗୁଡ଼ାକ ଏହି ରାଜ୍ୟମାନଙ୍କରେ ହୁଏ । ପଣ୍ଡାମାନେ ଏଇଠି ଭୋଟ ଲଢ଼ନ୍ତି । ଲଢ଼େଇରେ ଜୟଲାଭ କରି ପ୍ରତିନିଧି ବୋଲାନ୍ତି । କିନ୍ତୁ ତଥାପି କିଛି କରି ପାରନ୍ତି ନାହିଁ । ଯାହାଙ୍କୁ ଲୋକମାନେ ବାଛିଲେ, ନଅଟା ଲେଖାଏଁ ପହିଲିମାନଙ୍କ ପରାସ୍ତ କରି ଯେଉଁମାନେ ସାହିମାନଙ୍କରୁ କୁଣ୍ଡଳ ଓ କବଚ ଧାରଣ କରି ଆସିଲେ, ସେମାନେ ତଥାପି ଆପଣାର ଅକଲ ଲଗାଇ କିଛି କରିପାରନ୍ତି ନାହିଁ । ସେମାନେ ଅପେକ୍ଷା କରି ରହନ୍ତି । ସେମାନଙ୍କର ଦେଉଳଟିର ମୁଣ୍ଡିମାରିବା ଲାଗି ଅସଲ ଦଉଡ଼ିଟି ପୁରୀରୁ ଆସେ । ମହାପ୍ରସାଦ ପୁରୀରୁ ଆସି ପହଞ୍ଚେ । ତାପରେ ଯାଇ ସମସ୍ତଙ୍କର ଅକଲ ଥିବାପରି ମନେହୁଏ । ତା’ପରେ ସବୁ ସହଜ ହୋଇଯାଏ । ଅଙ୍କଗୁଡ଼ାକ ପଟପାଟ୍ ଛିଡ଼ିଯାଏ । ଜଗନ୍ନାଥଙ୍କର ଫତୁଆକୁ ସମସ୍ତେ ମହାପ୍ରସାଦ ବୋଲି ମାନିନିଅନ୍ତି । ତା’ପରେ ରଥ ଚାଲେ । ଗଣତନ୍ତ୍ର ବି ଚାଲେ । ଆମେ ସମସ୍ତେ ଚାଲୁଥିବାପରି ଅନୁଭବ କରୁ । ଆପଣାକୁ କୃତ୍ୟକୃତ୍ୟ ଅନୁଭବ କରୁ ।

 

୦୯ । ୦୭ । ୧୯୮୦

☆☆☆

 

ସମସ୍ତେ ଫାଷ୍ଟକ୍ଲାସ୍

 

ଓଡ଼ିଶାର ଗୋଟାଏ କେଡ଼େ ବଡ଼ କଲେଜର ଅଧ୍ୟକ୍ଷ ସେଦିନ ସଭାରେ ସମସ୍ତଙ୍କ ଆଗରେ କହୁଥିଲେ ଯେ, ଆଜିକାଲି ଶିକ୍ଷାର ଏହି କେନ୍ଦ୍ରମାନଙ୍କରେ କିପରି ପାଠପଢ଼ା ହେଉଛି ଓ କିପରି ପରୀକ୍ଷା ହେଉଛି, ତାହାର କୌଣସି ଠାବ ଠିକଣା ନାହିଁ । କିନ୍ତୁ ପରୀକ୍ଷାରେ ସମସ୍ତେ ଫାଷ୍ଟକ୍ଳାସ ପାଉଛନ୍ତି । ତାଙ୍କର ନିଜ କଲେଜକୁ ମଧ୍ୟ ସିଏ ସେହି ସୁମାରିରୁ ବାଦ ଦେଇ ନଥିଲେ । ସିଏ ଏକଥା ମଧ୍ୟ କହିଥିଲେ ଯେ, ଅଧ୍ୟାପକମାନେ ନିଜେ ହୁଏତ କେବେ ସେମାନଙ୍କ ଛାତ୍ରାବସ୍ଥାରେ ଫାଷ୍ଟକ୍ଳାସ୍ ପାଇନଥିବେ; ମାତ୍ର ପିଲାମାନଙ୍କୁ ଫାଷ୍ଟକ୍ଳାସ୍ ଦେବାରେ ସେମାନେ ସବୁବେଳେ ମୁକ୍ତହସ୍ତ ।

 

ଆମ ଅଧମ ସମାଜଟା ଭିତରେ ଆମେ ହୁଏତ କେହି ହେଲେ କୌଣସି କ୍ଳାସରେ ବିଶ୍ୱାସ କରୁନାହିଁ । ତେଣୁ ସମସ୍ତେ ଏକାବେଳକେ କେବଳ ସେହି ଫାଷ୍ଟକ୍ଳାସରେ ଯାଇ ସାମିଲ ହେବାକୁ ଚାହୁଛୁ । ଆମ ପାଖରେ ଆଦୌ କୌଣସି ପ୍ରମାଣ ନଥିଲେ ମଧ୍ୟ ଆମ ପ୍ରମାଣପତ୍ରଗୁଡ଼ିକ ଆମ ହାତରେ ଚର୍ଚ୍ଚ ଫାଷ୍ଟକ୍ଳାସ ହୋଇ ଝଟକିବାରେ ଲାଗିଛନ୍ତି । ସେହି ଫାଷ୍ଟକ୍ଳାସଙ୍କ ଭିତରୁ ଡାକ୍ତର ହେଉଛନ୍ତି, ଇଞ୍ଜିନିୟର ହେଉଛନ୍ତି, ହାକିମ ହେଉଛନ୍ତି ଓ ଅଧ୍ୟାପକ ବି ହେଉଛନ୍ତି । ଦେଶଟା ଗୋଟାସୁଦ୍ଧା ଫାଷ୍ଟକ୍ଳାସ ଚାଲିଛି ବୋଲି ମାର୍କା ମାରିଦିଆହୋଇଛି ଏବଂ ଆମେ ସମସ୍ତେ ମିଶି ପରସ୍ପରକୁ ଫାଷ୍ଟକ୍ଲାସ ଠକିବାରେ ଲାଗିଛୁ । ସମସ୍ତେ ବସନ ପିନ୍ଧିଛୁ, ଭୂଷଣ ପିନ୍ଧିଛୁ । ଚତୁର ବଚନଗୁଡ଼ାକୁ ଆୟତ୍ତ କରି ରଖିଛୁ ଏବଂ ସବୁଟିକୁ ମିଶାଇ କେଡ଼େ ମଣ୍ଡନ ହୋଇ ଦିଶୁଛୁ । ଭିତରେ ଯେତେ କଇଁଥା ହୋଇଯାଇଥିଲେ ମଧ୍ୟ ବାହାରକୁ ଗୋଟାସୁଦ୍ଧା ଟହଟହ ହୋଇ ରହିଛୁ ଏବଂ ସମସ୍ତେ ମିଶି ଦେଶଟାକୁ ଅନ୍ଧାର କରି ବସିଛୁ । ବାଟ ଓଗାଳି ବସିଛୁ । ଭିତରେ ଯେଉଁ ଶିଷ୍ଟତା ଏବଂ ଯେଉଁ ସାହସ ରହିଥିଲେ ଆମେ ବାହାରେ ଗଧ ନହୋଇ ଠକ ନହୋଇ ମଣିଷ ହୋଇପାରୁଥାନ୍ତୁ, ପରସ୍ପରର ସାଥୀ ହୋଇ ବାହାରିପାରୁଥାନ୍ତୁ, ଆମର ଉଦ୍ଧତତାଗୁଡ଼ାକ ଆମଠାରୁ ସେହି ଶିଷ୍ଟତା ଓ ସେହି ସାହସକୁ ହରଣ କରି ନେଇଯାଇଛି । ଆମକୁ ଭାରି ବହଳ କରିପକାଇଛି, ଭାରି ନିଲ୍ଲଜ କରି ରଖିଛି ।

 

୧୬ । ୦୭ । ୧୯୮୦

☆☆☆

 

ସାହିତ୍ୟ ଓ ଏକାଡେମୀ

 

ଆଗେ ସାହିତ୍ୟ ଥିଲା; ଏକାଡେମୀ ନଥିଲା । ଏକାଡେମୀ ଏବେ ହେଲା । ସରକାର ଯେତେବେଳେ ଏକାଡେମୀ ନାମରେ ଗୋଟିଏ ଅଲଗା ନିଧି ଗଢ଼ିବାକୁ ବାହାରିଲେ, ସେତେବେଳେ ସାହିତ୍ୟିକମାନେ ହିଁ ସମ୍ଭବତଃ ସବୁଠାରୁ ଅଧିକ ପରିମାଣରେ ପୁଲକ ପ୍ରକାଶ କରିଥିଲେ । ଏକାଡେମୀକୁ ସେମାନେ ସତେଅବା ଏକ ସ୍ଵୟଂବର ସଭା ବୋଲି ଭାବିଲେ ଓ କେତେ କେତେ ଆଶା ଏବଂ ଅଭିମାନକୁ ଧରି ସେମାନେ ତା’ ଭିତରକୁ ଯିବା ପାଇଁ ବାହାରିଲେ । ସେତେବେଳେ ସରକାରଙ୍କୁ ବି କମ୍ ପୁଲକ ଲାଗିନଥିବ ।

 

ସାହିତ୍ୟିକମାନେ ଏକାଡେମୀ ଭିତରେ ପଶି କ୍ରମେ ସେକ୍ରେଟରୀ ହେଲେ, ସଭାପତି ହେଲେ, ଉପସଭାପତି ବି ହେଲେ; ସେଠି ଚଉକିଗୁଡ଼ାକ ଉପରେ ବସି ସେମାନେ ବି ଅନ୍ୟ ଯେକୌଣସି ହାକିମଙ୍କ ପରି ଭାରି ଦକ୍ଷ ହେଲେ, ଭାରି ବିଚକ୍ଷଣ ହେଲେ । ସାହିତ୍ୟିକମାନେ ହାକିମ ହୋଇପାରିବେନାହିଁ ବୋଲି ସାଧାରଣତଃ ରହିଆସିଥିବା ଭ୍ରମଧାରଣାଟାକୁ ସେମାନେ ମିଛ ବୋଲି ପ୍ରମାଣ କରିଦେଲେ । ସାହିତ୍ୟିକ ଭାବରେ ସେମାନେ ଆଗରୁ ଯେଡ଼େ ସୁନ୍ଦର ଦିଶୁନଥିଲେ, ହାକିମ ହୋଇ ତା’ଠାରୁ ହୁଏତ ଅନେକ ଅଧିକ ସୁନ୍ଦର ଦିଶିଲେ । ସାହିତ୍ୟିକଠାରେ ସ୍ଵଭାବତଃ ଯେଉଁସବୁ ଲଜ୍ଜା ଓ ସମ୍ଭ୍ରମ ରହିଥାଏ, ସେଗୁଡ଼ାକୁ ପରିହାର କରି ସେମାନେ କେଡ଼େ ଝଳଝଳ ଓ ଝସକେତନ ହୋଇ ଦିଶିବାକୁ ଲାଗିଲେ । ବାହାରେ ଥିବା ଅନ୍ୟ ସାହିତ୍ୟିକମାନଙ୍କର ହୁଏତ ଭାରି ଈର୍ଷାର ପାତ୍ର ହେଲେ ।

 

ଏଥର ସରକାର ଜଣେ ସାହିତ୍ୟିକଙ୍କୁ ଯେ ଏକାଡେମୀର ସେକ୍ରେଟରୀ କରି ବାଛିଲେ ନାହିଁ, ସେଥିରେ ଆମର ଆଦୌ ବିଚଳିତ ହୋଇପଡ଼ିବା ଉଚିତ ନୁହେଁ । ସାହିତ୍ୟିକ ହାକିମ ହୋଇ ହାକିମଙ୍କ ଆସନରେ ବସି ଯେପରି ଅନେକ ସମୟରେ ଆଗ ହାକିମ ପରି ଦେଖାଯିବାକୁ ଚେଷ୍ଟା କରନ୍ତି, ପ୍ରାୟ ସେହି ନିୟମର ଅନୁବର୍ତ୍ତୀ ହୋଇ ଜଣେ ହାକିମ ସାହିତ୍ୟ ଏକାଡେମୀର ମହକୁମାରେ ବସି ଆଗ ଜଣେ ସାହିତ୍ୟିକ ମଣିଷ ପରି ଦେଖାଯିବାକୁ ଓ ଏପରିକି ବ୍ୟବହାର କରିବାକୁ ଯେ ହୁଏତ ଚେଷ୍ଟା କରିବେ, ଆମେ ସେପରି ଏକ ସମ୍ଭାବନାକୁ କଦାପି ଏକାବେଳକେ କାଟିଦେଇ ପାରିବା ନାହିଁ ।

 

୨୩ । ୦୭ । ୮୦

☆☆☆

 

ଅଣ୍ଡାରେ ବିଶ୍ୱରେକର୍ଡ଼

 

ଆମ ନନ୍ଦନକାନନରେ ଗୋଟାଏ କୁମ୍ଭିରିଣୀ ଏକାଥରକେ ଯେତେ ଅଣ୍ଡା ଦେଇଛି । ପୃଥିବୀରେ କୌଣସି କୁମ୍ଭିରିଣୀ ଆଉ କେବେ ଏକା ଥରକେ ସେତେ ସଂଖ୍ୟାରେ ଅଣ୍ଡା ଦେଇ ନଥିଲା ବୋଲି ଏବେ ଖବରକାଗଜରେ ବାହାରିଛି । କୁମ୍ଭୀର-ଶାସ୍ତ୍ରୀମାନେ ଅନେକ ଲାଗିଲାଗି ଏକଥା ସମ୍ଭବ କରିଛନ୍ତି । ଏକଥା ଆମ ଓଡ଼ିଶା ପକ୍ଷରେ ଆଦୌ କମ୍ ଗର୍ବର କଥା ନୁହେଁ । ଯେଉଁମାନେ ବିଶେଷ କୁମ୍ଭୀରପୋଖରୀମାନ ଖୋଳାଇ କୁମ୍ଭୀରିଣୀର ଅଣ୍ଡା ଦେବାଲାଗି ଏକ ବିଜ୍ଞାନସମ୍ମତ ସର୍ବୋତ୍ତମ ପରିବେଶ ସୃଷ୍ଟି କରି ପାରିଛନ୍ତି, ସେମାନେ ଆମର ପ୍ରକୃତରେ ଅଭିନନ୍ଦନୀୟ ।

 

ଗୋଟାଏ ବିଜ୍ଞାନ ରହିଛି ଯାହା ମଣିଷ ବିଷୟରେ ଭାବିବା ଆଗରୁ କୁମ୍ଭୀର ବିଷୟରେ ଭାବିଥାଏ । ହୁଏତ ଗୋଟାଏ ପ୍ରକାରର ବିଜ୍ଞାନୀ ବି ରହିଛନ୍ତି, ଯେଉଁମାନେ ମଣିଷମାନଙ୍କର କଥା ନ ଭାବି ଆଗ କୁମ୍ଭୀରମାନଙ୍କର କଥା ଭାବିଥାନ୍ତି । ଏମାନେ ପ୍ରକୃତରେ ମହାପୁରୁଷ । ମହାପୁରୁଷମାନେ ସଂସାର କଥା ଭାବନ୍ତି ନାହିଁ, ସେମାନେ ସଂସାରବିରାଗୀ ହୋଇ ସ୍ଵର୍ଗକଥା ଭାବନ୍ତି, ସେହି ସ୍ୱର୍ଗରେ ସେମାନେ ନନ୍ଦନକାନନର କଳ୍ପନା କରିଥାନ୍ତି ଓ ସେହି କଳ୍ପନାର ପୁଲକବାଣୀ ମାରି ଆମକୁ ଏଠୁ ଏକାବେଳକେ ଭୁଲାଇ ନେଇଯିବାକୁ ମନ କରିଥାନ୍ତି । ଏଠି କୁମ୍ଭୀରମାନଙ୍କର ଚର୍ଚ୍ଚା କରୁଥିବା ବିଜ୍ଞାନୀମାନଙ୍କୁ ଆମେ ହୁଏତ ସେହିପରି ଜଣେ ଜଣେ ଉଦାସୀ ମହାପୁରୁଷ ବୋଲି କହିପାରିବା । ସେହି ମହାପୁରୁଷମାନେ କୁମ୍ଭୀରମାନଙ୍କର ସେବାରେ କେତେ ବୁଦ୍ଧି ଓ କେତେ ଶ୍ରମ ଦିଅନ୍ତି । କୁମ୍ଭିରିଣୀମାନଙ୍କର ନିଜ ସନ୍ତାନଠାରୁ ବଳି ଅଧିକ ଯତ୍ନ ନିଅନ୍ତି ଏବଂ ସେମାନେ ଅଣ୍ଡା ଦେଲେ ସତେଅବା ଆପଣାର ସବୁ ସ୍ୱପ୍ନ ସଫଳ ହୋଇଗଲାପରି ଅନୁଭବ କରନ୍ତି ।

 

ଆଗ ମଣିଷ, ତା’ପରେ କୁମ୍ଭୀର । କୁମ୍ଭୀରମାନଙ୍କୁ ଯଦି ଆଦୌ ଏକ ପ୍ରୟୋଜନୀୟ ସାମଗ୍ରୀ ବୋଲି ଧରାଯାଏ, ତେବେ ତଥାପି ସେମାନଙ୍କୁ ମଣିଷମାନଙ୍କ ଲାଗି ହିଁ ଏକ ପ୍ରୟୋଜନୀୟ ସାମଗ୍ରୀ ବୋଲି କୁହାଯିବ । ଆମ ବିଜ୍ଞାନ ଯଦି ଏକଥାକୁ ପ୍ରକୃତରେ ବୁଝି ପାରୁଥାନ୍ତା ! ଆମ ବିଜ୍ଞାନୀମାନେ ଯଦି ଆମ ମଣିଷମାନଙ୍କ ପାଇଁ ଟିକିଏ ହେଲେ ଚିନ୍ତା କରି ପାରୁଥାନ୍ତେ !

 

୨୫ । ୦୭ । ୮୦

☆☆☆

 

ଟେକାମାରି ଜୀବନ ନେବା

 

ଇରାନରେ ସରକାରୀ ଧାର୍ମିକ ବୀରମାନେ ଚାରିଜଣ ମଣିଷଙ୍କୁ ଟେକା ମାରି ଫିଙ୍ଗିଫିଙ୍ଗି ଜୀବନରୁ ମାରିଦେଲେ । ଆଗ ସେମାନଙ୍କୁ ଅଣ୍ଟାଯାଏ ମାଟିରେ ପୋତିଦେଲେ, ତା’ପରେ ଟେକାପଥର ଫିଙ୍ଗି ସେମାନଙ୍କୁ ମାରିଲେ । ଅଭିନୟଟିକୁ ସଂପୂର୍ଣ୍ଣ କରିବାକୁ ଏହି କ୍ଷେତ୍ରରେ ଯେତେ ଅମାନୁଷିକ ଓ ନିର୍ଲଜ୍ଜ ହେବାକୁ ପଡ଼ିଥିବ, କେବଳ ଧର୍ମନାମରେ ହିଁ ହୁଏତ ମଣିଷ ସେତିକି ଅମାନୁଷିକ ଓ ନିର୍ଲଜ୍ଜ ହୋଇପାରିବା ସମ୍ଭବ ।

 

ସେହି ମଧ୍ୟ-ପ୍ରାଚ୍ୟର ଆଉ ଗୋଟାଏ ଧର୍ମଗ୍ରନ୍ଥରେ ସେଇ ଟେକା ଫୋପାଡ଼ି ମାରିବା ବିଷୟରେ ଏକ ଦ୍ଵିତୀୟ କାହାଣୀ ରହିଛି । ପଲେ ମଣିଷ ଜଣେ କୁଳଟା ରମଣୀକୁ ଧରି ଥରେ ଯିଶୁଖ୍ରୀଷ୍ଟଙ୍କ ପାଖରେ ପହଞ୍ଚିଲେ । କୁଳଟା ରମଣୀକୁ ଉଚିତ ଶାସ୍ତି ଦେବାପାଇଁ ସେମାନେ ତାକୁ ଟେକା ପକାଇ ମାରିଦେବାକୁ ଇଚ୍ଛା କରୁଥିଲେ । ପାପୀକୁ ତା’ର ପାପ ଲାଗି ଶାସ୍ତି ଦେବା, ତାହାହିଁ ତ ଧର୍ମ । ଯିଶୁଖ୍ରୀଷ୍ଟ ସେହି ପୁଣ୍ୟବାନ୍ ମଣିଷମାନଙ୍କୁ ମହା ହଇରାଣରେ ପକାଇଦେଲେ । ସିଏ କହିଲେ । ତୁମମାନଙ୍କ ଭିତରୁ ଯିଏ କେବେହେଲେ କୌଣସି ପାପ କରିନଥିବ ରମଣୀ ଆଡ଼କୁ ସେଇ ସର୍ବପ୍ରଥମ ଟେକାଟି ପକାଇବ । ଲୋକମାନେ ଅପଦସ୍ଥ ହେଲେ, ସେମାନଙ୍କ ଜ୍ଵର ଓହ୍ଲାଇଗଲା । ସେମାନେ ଗୋଟିଗୋଟି ହୋଇ ସେଠାରୁ ଅପସରି ଗଲେ ।

 

ଆମର ଆଧୁନିକ ଯୁଗ ହେଉଛି ବର୍ବରତା କମି କମି ଆସିବାର ଯୁଗ । ବର୍ବରତା କମି କମି ଗଲେ ମଣିଷ ଅଧିକ ସମ୍ବେଦନଶୀଳ ହୁଏ । ମାତ୍ର ଯେଉଁଠାରେ ମିଛ ଧର୍ମ କ୍ଷମତାର ଦଣ୍ଡଟାକୁ ହାତରେ ଧରି ସଂସାରକୁ ଭଲ କରିବା ପାଇଁ ବାହାରେ, ସେଠାରେ ଯୁଗ ସତେଅବା ପୁଣି ପଛକୁ ଚାଲିଯାଏ, ପୁଣି ଅନ୍ଧାରମୁହାଁ ହୋଇ ରହେ । ଅନ୍ଧାରମୁହାଁ ହୋଇ ରହିଥିଲେ ଗୋଟାଏ ଗୋଟାଏ ବିପ୍ଳବ ଯେ ବିଡ଼ମ୍ବିତ ହୋଇ ରହିଯାଏ, ଏହି ବିଂଶ ଶତାବ୍ଦୀର ଶେଷ ଭାଗରେ ମଧ୍ୟ ଆମକୁ ତାହାର ନାନା ନମୁନା ଦେଖିବାକୁ ମିଳୁଛି । ମାତ୍ର ଏସବୁ ନମୁନା ଦେଖି ଆମେ ଡରିଯିବା ନାହିଁ । ମୁଖାଗୁଡ଼ାକ ଆମକୁ ନାନା ପ୍ରକାରେ ଡରାଇବାରେ ଲାଗିଥିବେ । ମାତ୍ର ମଣିଷ ତଥାପି ତା’ର ଯଥାଯୋଗ୍ୟ । ପଥଟିକୁ ଅବଶ୍ୟ ବାଛିନେବ ।

 

୨୯ । ୦୭ । ୮୦

☆☆☆

 

ଏ ଶିଳ୍ପ ବୁଢ଼ା ହୋଇଗଲାଣି

 

ଆଜି ପ୍ରାୟ ଜୀବନଯାକ ମୂର୍ତ୍ତି ଗଢ଼ି ଗଢ଼ି ଆସିଥିବା ଜଣେ ଶିଳ୍ପୀ ଭାରି ଖେଦ କରି ମତେ କହିବାକୁ ଇଚ୍ଛା କରୁଥିଲେ ଯେ ଏ ଶିଳ୍ପ ଭାରି ବୁଢ଼ାହୋଇଗଲାଣି । ଶାସ୍ତ୍ରରେ ଲେଖା ଅଛି, ଶିଳ୍ପକଳା କୁଆଡ଼େ ବୁଢ଼ାମାନଙ୍କୁ ମଧ୍ୟ ଦୋହଲାଇ ଦେଇଯାଏ; ସବୁଜ, ଚଞ୍ଚଳ ଓ ସଜୀବ କରି ଦେଇଯାଏ । ଆମେ ବୁଢ଼ାମାନେ ଏ ଯୁଗରେ ଓଲଟି ସେହି ଶିଳ୍ପଟାକୁ ହିଁ ବୁଢ଼ା କରି ପକାଇଲୁଣି ।

 

ଆଗେ ମନ୍ଦିର କାନ୍ଥରେ ଖଞ୍ଜା ହୋଇ ରହିବାଲାଗି ଯେଉଁଭଳି ମୂର୍ତ୍ତିମାନ ତିଆରି ହେଉଥିଲା, ଏବେ ମଧ୍ୟ ଠିକ୍ ସେହି ଭଳି ମୂର୍ତ୍ତିଗୁଡ଼ାକ ତିଆରି ହେଉଛି । ଆଗେ ରାଧାକୃଷ୍ଣ ଯୁଗଳମୂର୍ତ୍ତି ତିଆରି ହେଉଥିଲେ, ବିଦ୍ୟାଧରୀ ନଟୀ ତିଆରି ହେଉଥିଲେ, ଶାସ୍ତ୍ର ଅନୁସାରେ ଅଭିସାରିକାମାନେ ତିଆରି ହେଉଥିଲେ । ଏବେ ମଧ୍ୟ ପ୍ରାୟ ସେହିଗୁଡ଼ାକ ତିଆରି ହେଉଛି । ଯୁଗ ବଦଳି ଗଲାଣି, ତଥାପି ଶିଳ୍ପର ବରାଦଗୁଡ଼ାକ ବଦଳିନାହିଁ । ଓଡ଼ିଶାର ପ୍ରାଚୀନ ଶିଳ୍ପକୁ ବଞ୍ଚାଇ ରଖିବା ପାଇଁ ଦରବାରୀମାନେ ବରାଦ ଦେଇ ଯାହାସବୁ ତିଆରି କରାଉଛନ୍ତି, ତାହା ଆମର ବର୍ତ୍ତମାନ ଜୀବନର ଆକାଶଗୁଡ଼ାକୁ ମୋଟେ ଖାପ ଖାଉନାହିଁ ।

 

ପଥର ଉପରେ ନିହାଣ ଚଳାଇ ଯିଏ ରାଧାକୃଷ୍ଣ ଗଢ଼ୁଛି, ସିଏ କ’ଣ ଗୋଟାଏ ପେଟୁଆ ଇଞ୍ଜିନିଅର କି ନିଶୁଆ କଣ୍ଟ୍ରାକ୍ଟର ତିଆରି କରି ପାରନ୍ତା ନାହିଁ ? ସିଏ କଣ ଏମିତି ଗୋଟାଏ ସତେଅବା ଜୀଇଥିବା ପରି ଦେଖାଯାଉଥିବା ମଢ଼ ତିଆରି କରି ପାରନ୍ତାନାହିଁ, ଯାହାକୁ କି ଏକାବେଳକେ ସାତଟା ଶାଗୁଣା ବେଢ଼ି ଖାଇବାରେ ଲାଗିଛନ୍ତି ? ସିଏ କ’ଣ ପଛରୁ ଫାଟିଯାଇଥିବା ଖଣ୍ଡେ ପେଣ୍ଟ ପିନ୍ଧିଥିବା କଳା ସରସର ଚାକର ପିଲାଟିଏ ଗଢ଼ି ଥୋଇଦେଇ ପାରନ୍ତାନାହିଁ, ଯିଏକି ଫୁଙ୍ଗୁଳା ହୋଇ ଶୀତରେ କମ୍ପୁଛି ? ଜୀବନକୁ ଆଘ୍ରାଣ କରି ପାରୁଥିବା ଶିଳ୍ପୀ ମାନେ ଆମ ଅଗଣା ଗୁଡ଼ାକରୁ କୁଆଡ଼େ ବିଦା ହୋଇ ଚାଲିଗଲେ କେଜାଣି ? ଆମ ଭିତରେ କ’ଣ ଏମିତି ଜଣେ ଶିଳ୍ପୀ ନାହିଁ, ଯିଏକି ଆମେରିକା ବା ବିଲାତର ଟୁରିଷ୍ଟମାନଙ୍କ ଲାଗି ମୂର୍ତ୍ତି ନଗଢ଼ି ଆମର ଏଇଠିକାର ଜୀବନକୁ ଘେନାଇଲା ଭଳି କିଛି ଅନ୍ୟପ୍ରକାର ଗଢ଼ିବ, ଯିଏକି ଆମର ଏଇଠିକାର ଜୀବନକୁ ଲୋଡ଼ି ବାହାରିବ, ଏଇଠି ମଣିଷ ଓ ତା’ ଜୀବନକୁ ନେଇ ସ୍ଵପ୍ନ ଦେଖିବ ?

 

୩୧ । ୦୭ । ୮୦

☆☆☆

 

ସାର୍ କାନ୍ଦିପକାଇଲେ

 

ନୂଆ ଚାକିରି ଓ ଅନ୍ୟ ଚାକିରି ପାଇ ଯୋଉଦିନ ସାର୍ ଆମ କଲେଜରୁ ଗଲେ, ସେଦିନ ସିଏ କାନ୍ଦିପକାଇଲେ । କଥା କହୁକହୁ ସତକୁ ସତ କାନ୍ଦି ପକାଇଲେ ।

 

ସେଦିନ ସାର୍‌ଙ୍କ ଲାଗି ଆମେ ଏକ ବିଦାୟସଭା କରିଥିଲୁ । ସେହି ସଭାରେ ଅନ୍ୟ ସାମାନେ ମଧ୍ୟ ଉପସ୍ଥିତ ଥିଲେ । ବିଦାୟୀ ସାର୍ କ’ଣ କହିବେ, ସେକଥା ଶୁଣିବା ଲାଗି ସମସ୍ତେ ଉଦ୍‍ଗ୍ରୀବ ହୋଇ ରହିଥିଲେ । ସଭାଟାଯାକ ସେଦିନ ଗୋଟା ସୁଦ୍ଧା ଗାମ୍ଭୀର୍ଯ୍ୟମୟ ହୋଇ ରହିଥିଲା-। ସାର୍ ଆମ କଲେଜରେ ଏତେ ଗୁଡ଼ାଏଦିନ ରହିଥିଲେ । ଆମେ ତାଙ୍କୁ ଆମର ଏଇ କୋଠା ଗୁଡ଼ାକର ପ୍ରକୃତ ମାଲିକ ବୋଲି ଧରିନେଇଥିଲୁ । ସାର୍‍ଙ୍କୁ ଛାଡ଼ି ଆମେ ସେଗୁଡ଼ାକର କୌଣସି କଳ୍ପନା ବି କରି ପାରୁନଥିଲୁ ।

 

ସାର୍ ତାଙ୍କ ଭାଷଣ ଦେବାଲାଗି ଉଠି ଠିଆ ହେଲେ । ସେ ଅନେକ କଥା କହିଲେ । ଏକାବେଳକେ ହୃଦୟକୁ ଜାଳିଦେଲା ପରି କହିଲେ । ଶେଷକୁ କହିଲେ, ମୁଁ ମୋ’ ଜୀବନଯାକ ଜଣେ ଶିକ୍ଷକ ହୋଇ ରହିଆସିଛି । ଶିକ୍ଷକ ହୋଇ ରହିବାକୁ ହିଁ ଭଲ ପାଇଆସିଛି । ଆଜି ଯେ ଅଣଶିକ୍ଷକ ଅନ୍ୟ ପଦରେ ଅନ୍ୟ ସ୍ଥାନକୁ ଯାଉଛି, ସେଥିରେ ମୁଁ ଆଦୌ ସୁଖୀ ନୁହେଁ । ଜୀବନଯାକ ଶିକ୍ଷକଟିଏ ହୋଇ ରହିଥିଲେ ହିଁ ଜୀବନରେ ମୁଁ ସବୁଠାରୁ ଅଧିକ ଆନନ୍ଦ ଲାଭ କରିଥାନ୍ତି ।

 

ଏହି ପରି କହୁକହୁ ସାର୍ କଇଁକଇଁ ହୋଇ ଆସିଲେ । ତାଙ୍କ ଆଖିରୁ ଲୁହ ବାହାରି ଆସୁଥିଲା ପରି ମନେ ହେଲା । ଆମେ ଦୁଇ ହଜାର ସରିକି ଛାତ୍ର କାବା ହୋଇ ଅନାଇ ରହି ଥାଉ-। ଗଛଗୁଡ଼ାକରେ ପତରଟିଏ ସୁଦ୍ଧା ହଲୁନଥାଏ । ଚାରିପାଖରେ ସତେଅବା । ଦିନ ପରି ଜଳୁଥିବା ଲମ୍ବା ଲମ୍ବା ଆଲୁଅଗୁଡ଼ାକ ନିଶ୍ଚଳ ହୋଇ ଅନାଇ ରହିଥାନ୍ତି । ଆମ । ସମସ୍ତଙ୍କୁ କେମିତି କେମିତି ଲାଗୁଥାଏ । ସତେଅବା ନାଟକ ଦେଖିଲା ପରି ଲାଗୁଥାଏ ।

 

ହଠାତ୍ ଆମ ମନଗୁଡ଼ାକ ବି ତରଳି ଆସିଲା । ଆମ ସହାନୁଭୂତି ଗୁଡ଼ାକରେ ହଠାତ୍ ପର ଲାଗି ଆସିଲା ପରି ମନେ ହେଲା । ଆମେ ଭାରି ବିକଳ ହୋଇ ମନେ ମନେ କହିବାକୁ ଲାଗିଲୁ, ଏଠି ଆମକୁ ପାଠ ପଢ଼ାଇବା ପାଇଁ ସାର୍‍ଙ୍କୁ ଯଦି ପ୍ରକୃତରେ ଏତେ ଭଲ ଲାଗୁଥିଲା, ତେବେ ସେ ଅନ୍ୟତ୍ର ଯିବାକୁ ଲୋଡ଼ିଲେ କାହିଁକି, ଅନ୍ୟ ରାଜ୍ୟକୁ ମନ କଲେ କାହିଁକି, ଯିବାକୁ ହକହକ ହେଲେ କାହିଁକି ?

 

୦୩ । ୧୮ । ୮୦

☆☆☆

 

ଆମ ସଂସ୍କୃତି ଆମ ରକ୍ତରେ

 

ଆମର ଅସଲ ସଂସ୍କୃତି ଆଉ କୋଉଠି ହେଲେ ନାହିଁ—ତାହା ଆମ ରକ୍ତରେ ରହିଛି । ଆମକୁ ଯେଉଁମାନେ ଜନ୍ମ ଦେଇଛନ୍ତି, ଆମକୁ ଏଡ଼ୁଟିରୁ ଏଡ଼ୁଟିଏ କରାଇଛନ୍ତି, ସେମାନେ କେବଳ ଆମର ବାପ ମାଆ ନୁହନ୍ତି, ସେମାନେ ଆମର ସବୁକିଛି । ସେମାନେ ଆଗ କହିବେ, ତାପରେ ଯାଇ ଆମେ ଯାହାକିଛି ହେବା । ଆମକୁ ଅଠର ପୂରି ଆହୁରି ଅଠର ପୂରିଲେ ମଧ୍ୟ ନିୟମ ଅନୁସାରେ ତାହାହିଁ ହେବ । ଆମେ ସାବାଳକ ହେଲେ ମଧ୍ୟ ତଥାପି ଏହି ପରି ନାବାଳକ ହୋଇ ରହିଥିବା । ତାହା ଆମ ଦେଶର ଗୌରବ, ଆମ ଦାଣ୍ଡର ଗୌରବ, ଆମ ସଂସ୍କୃତିର ଗୌରବ ।

 

ମୁଁ ରାଜନୀତି ଭିତରକୁ ଆସିବି କି ନାହିଁ, ସେ କଥା ଆଗ ମାଆ କହିବେ କି ବାପା କହିବେ । ମୁଁ ଭାରତର ପ୍ରଧାନମନ୍ତ୍ରୀ ପଦକୁ ଆଶା ରଖି ପିଢ଼ା ଉପରକୁ ଉଠିବି କି ନାହିଁ, ସେକଥା ମଧ୍ୟ ସେଇମାନେ କହିବେ । ମୁଁ ନେତା ହେବି କି ନାହିଁ, ଯଦି ହେବି ତେବେ କେଉଁ ସ୍ତରର ନେତା ହେବି ଓ ସେଥିଲାଗି କେତେ ମହଣ ଓଜନର ଗଦା ହାତରେ ଧରିବି, ସେକଥା ମଧ୍ୟ ଆଗ ମୋ ବାପା କହିବେ କି ମାଆ କହିବେ । ମୁଁ ନିଜେ ସେଗୁଡ଼ାକୁ ମନ କରୁଥିଲେ ଅଥବା ସେପରି ଭାବୁଥିଲେ ମଧ୍ୟ କଦାପି ମୋ ଆଡ଼ୁ କିଛି କହିବି ନାହିଁ । ଆଗ ମାଆଙ୍କ ତୁଣ୍ଡରେ କୁହାଇବି ଅଥବା ବାପାଙ୍କ ତୁଣ୍ଡରେ କୁହାଇବି । ସେହିମାନଙ୍କ ଦ୍ୱାରା ମଙ୍ଗୁଳା ହୋଇ ବେଦୀକୁ ଆସିବି ।

 

ମୁଁ ଗୋଟାଏ କିଛି ହୁଏ ବୋଲି ଯଦି ମୋର ସାଙ୍ଗମାନେ ଇଚ୍ଛା କରୁଥିବେ, ନାବାଳକୀ କଟାଇ ମୁଁ ଏଣିକି ସାବାଳକ ହୋଇ ସଭାରେ ବସେ ଓ ଶିଙ୍ଗ ଦେଖାଏ ବୋଲି ଯଦି ସେମାନଙ୍କର ମନ ହେବ, ତେବେ ସେମାନେ ଆଗ ସଭାଟିଏ କରିବେ, ଆଗ ପ୍ରସ୍ତାବଟିଏ ପାସ୍ କରିବେ । ସେହି ପ୍ରସ୍ତାବଟିରେ ମୁଁ ଅମୁକ ବା ଅମୁକଟିଏ ହେବାଲାଗି ମୋତେ ଅନୁମତି ଦେବା ସକାଶେ ମୋ’ ମାଆଙ୍କୁ ବା ବାପାଙ୍କୁ ଅନୁରୋଧ କରାଯାଇଥିବା ଏବଂ ସେହି ପ୍ରସ୍ତାବକୁ ଖବରକାଗଜରେ ଛପାଇ ଦିଆଯାଇଥିବ ।

 

ପ୍ରକୃତ ଗଣତନ୍ତ୍ରରେ ଏଗୁଡ଼ାକ ହୁଏତ ଭାରି ଗନ୍ଧିଆ କଥା । କିନ୍ତୁ ଆମ ପବିତ୍ର ପରମ୍ପରାଟି ମଧ୍ୟରେ ଏଇଟାହିଁ ଏକମାତ୍ର ବାସନା କଥା । ତେଣୁ ବାପା ବା ମାଆଙ୍କର ଅନୁମତି ଲୋଡ଼ା । ତା’ନହେଲେ ଦେଶ ମୋଟେ ଚଳିପାରିବନାହିଁ ।

 

୦୫ । ୦୮ । ୮୦

☆☆☆

 

ଅଖଣ୍ଡ ଭାରତ ଅନେକ ଖଣ୍ଡ

 

ଭାରତ କେବେହେଲେ ଅଖଣ୍ଡ ନଥିଲା; କେତେ ରାଜ୍ୟରେ ଓ କେତେ ଖଣ୍ଡରେ ବିଭାଜିତ ହୋଇ ରହିଥିଲା । ରାଜନୀତିକ ସ୍ୱାଧୀନତାର ଆନ୍ଦୋଳନ ଭାରତବର୍ଷକୁ ଗୋଟାଏ ଭୂମିରେ ପରିଣତ କଲା । ଗୋଟାଏ ଭୂମିରେ ଠିଆହୋଇ ଆମେ ଗୋଟାଏ ସ୍ଵପ୍ନ ବି ଦେଖିଶିଖିଲୁ । ଏକ ନୂଆ ଆଖିରେ ଆପଣାକୁ ଏକ ଜାତୀୟ ସମଷ୍ଟି ରୂପେ ଦେଖିଲୁ ।

 

ଭାରତ ରାଜନୀତିକ ସ୍ୱାଧୀନତା ପାଇବାର ତିନି ଦଶନ୍ଧି ପରେ ଦେଶ ପୁଣି ଯେପରି ଖଣ୍ଡଖଣ୍ଡ ହୋଇଯିବ ବୋଲି ମନେହେଉଛି । କେଉଁଠି ଝାଡ଼ଖଣ୍ଡର ଦାବୀ ହେଉଛି, ପୁଣି କେଉଁଠି ଉତ୍ତରାଖଣ୍ଡର ଦାବୀ ହେଉଛି । ଯେଉଁ ମହାପାତ୍ରମାନେ ମାରିନେଇଗଲେ, ସେମାନଙ୍କର ମୁକାବିଲା କରିବାକୁ ସାନ ସାନ ମହାପାତ୍ରମାନେ ଆପଣା ଲାଗି ଗୋଟିଏ ଗୋଟିଏ ଖଣ୍ଡର ଦାବୀ କରି ବାହାରିଛନ୍ତି । ପ୍ରତ୍ୟେକେ ଆପଣାଲାଗି ସାନସାନ ଅରାଟିଏମାନ କାଢ଼ି ନେଇ ସେଇଠି ବାଡ଼ ପକାଇ ଶାନ୍ତିରେ ରାଜ୍ୟଭୋଗ କରିବେ ବୋଲି ଭାବିଛନ୍ତି ।

 

ତଥାପି ରାଜନୀତି, ରାଜନୀତିକ ଦାବୀ ଓ ରାଜନୀତିକ ଦମନଗୁଡ଼ାକର ବାହାରେ ଗୋଟାଏ ଅଖଣ୍ଡ ଭାରତବର୍ଷ ଅବଶ୍ୟ ରହିଛି । ଏହି ଅଖଣ୍ଡ ଭାରତ ହେଉଛି ଦରିଦ୍ରମାନଙ୍କର ଭାରତ; ନିରକ୍ଷରମାନଙ୍କର ଭାରତ; ବଞ୍ଚିତମାନଙ୍କର ଭାରତ । ସେମାନେ ବଙ୍ଗାଳୀ ନୁହନ୍ତି କି ଆସାମୀ ନୁହନ୍ତି, ଝାଡ଼ଖଣ୍ଡୀ ନୁହନ୍ତି କି ଉତ୍ତରାଖଣ୍ଡୀ ନୁହନ୍ତି । ସେମାନେ ମଣିଷ ଧର୍ମ ନାମରେ, ଅଞ୍ଚଳ ନାମରେ ଏବଂ ଆଞ୍ଚଳିକ ସ୍ୱାର୍ଥ ନାମରେ ଏମାନଙ୍କୁ ଦରପଶୁ କରି ଅନ୍ଧାର ଭିତରେ ରଖାଯାଇଛି । ଏମାନଙ୍କର ମଙ୍ଗଳ କରିବାପାଇଁ ଯେଉଁ ନେତାମାନେ ବାହାରୁଛନ୍ତି, ସେମାନେ କେଡ଼େ ସୁନ୍ଦର ଭାବରେ ଉଆସଗୁଡ଼ାକ ଆଡ଼କୁ ମନକରି ସେଇଆଡ଼େ ଚାଲିଯାଉଛନ୍ତି । ମଣିଷକୁ ମୋଟେ ମନକରୁନାହାନ୍ତି ।

 

ଭାରତରେ ରାଜନୀତିକ ସ୍ଵାଧୀନତା ପରେ ଯେଉଁ ସାମାଜିକ ବିପ୍ଲବ ହୋଇଥାନ୍ତା, ନେତୃତ୍ୱର ଅଭାବରୁ ତାହା ଆଜି ମଧ୍ୟ ଅପେକ୍ଷା କରି ରହିଛି । ସେହି ବିପ୍ଲବ ଦ୍ୱାରା ହିଁ ଅସଲ ଅଖଣ୍ଡତାର ପ୍ରାଣପ୍ରତିଷ୍ଠା ହୋଇପାରିବ । ସେତେବେଳେ ଏହି ସବୁ ନାନା ଖଣ୍ଡର ଆନ୍ଦୋଳନ ପ୍ରକୃତରେ ଏକ ଫିସାଦ ବୋଲି ଧରାପଡ଼ିବ ।

 

୦୮ । ୦୮ । ୧୯୮୦

☆☆☆

 

ପାଶବିକ ସହିଷ୍ଣୁତା

 

ଏବେ ପାଶବିକ ଅତ୍ୟାଚାରର ସଂଖ୍ୟା ବଢ଼ିଯାଇଛି ବୋଲି ଖବରକାଗଜମାନଙ୍କରେ ଭାଳେଣି ପଡ଼ିଛି । ସେହିସବୁ ଖବର ଆମ ଆଖିକୁ କାଳେ ଦେଖା ନଯିବ ବୋଲି ସେଗୁଡ଼ାକୁ ଏଡ଼େ ଏଡ଼େ ଅକ୍ଷରରେ ଛାପି ଆମକୁ ଦେଖାଇଦିଆଯାଉଛି । ହରିଜନମାନଙ୍କ ଉପରେ ପାଶବିକ ଅତ୍ୟାଚାର ହେଉଛି, ଅସହାୟା ଅବଳାମାନଙ୍କ ଉପରେ ପାଶବିକ ଅତ୍ୟାଚାର ହେଉଛି । ଏଗୁଡ଼ାକ ଶୁଣି ଆମେ ଭାରି ଅସ୍ଥିର ହୋଇପଡ଼ୁଛୁ, ବିଚଳିତ ହୋଇପଡ଼ୁଛୁ ।

 

ଆମରି ଭିତରେ ହିଁ ଗୋଟାଏ ପଶୁ ଅଛି, ଯିଏ କି ଅତିରିକ୍ତ ପରିମାଣରେ ସହଛି । ସଂସ୍କୃତି ନାମରେ ଆମକୁ ଖାଲି ସହିଷ୍ଣୁ ହେବାପାଇଁ ଉପଦେଶ ଦିଆଯାଇଆସିଛି । ଯିଏ ପାଶବିକ ଭାବରେ ସହିଷ୍ଣୁ ହୁଏ, ସେଇ ମଉକା ପାଇଲେ ପାଶବିକ ଅତ୍ୟାଚାର କରିବାକୁ ମନ ବଳାଏ । ଆମେ ଯଦି ମଣିଷ ହୋଇଥାନ୍ତେ । ତେବେ ପଶୁଙ୍କ ପରି କଦାପି ସହୁନଥାନ୍ତେ କିମ୍ବା ପଶୁଙ୍କ ପରି କଦାପି ଅତ୍ୟାଚାର ବି କରୁନଥାନ୍ତେ ।

 

ଅନେକ ବର୍ଷ ତଳେ ମହାତ୍ମା ଗାନ୍ଧୀ କହିଥିଲେ ଯେ, ଯୋଉ ସମାଜରେ ଗୁଣ୍ଡାମି ସହିବାକୁ ମଣିଷ ରହିଥାଆନ୍ତି, ସେହି ସମାଜରେ ସତେଅବା ନିୟମତଃ ଗୁଣ୍ଡାମାନଙ୍କର ସୃଷ୍ଟି ହେବାରେ ଲାଗିଥାଏ । ଆମ ହରିଜନ ଓ ଆମ ଅସହାୟମାନଙ୍କୁ ଆମେ ଏପର୍ଯ୍ୟନ୍ତ ମଣିଷ ଭାବରେ ଦେଖିବାକୁ ହୁଏତ ଆରମ୍ଭ ହିଁ କରିନାହୁଁ । ସେମାନଙ୍କୁ ଆମେ ଯାବତ ଦୟା ଓ ଅନୁଗ୍ରହ ଦେଖାଇ ଆସିଛୁ, ତଥାପି ସେହି ଆଗପରି ହରିଜନ ଓ ଅସହାୟ କରି ରଖିଛୁ । ଅବଳାମାନଙ୍କୁ ଦୟା ଦେଖାଇଛୁ; ମାତ୍ର ସେମାନଙ୍କୁ ତଥାପି ଅବଳା କରିରଖିଛୁ । କାରଣ ହରିଜନ, ଅସହାୟ ଏବଂ ଅବଳାମାନେ ଯଦି ମଣିଷ ହୋଇଯିବେ, ଆମର ସମକକ୍ଷ ହୋଇଯିବେ, ତେବେ ଆମ ଭିତରର ପଶୁଟା ଆପଣା କୋପନପ୍ରବୃତ୍ତିଗୁଡ଼ାକୁ ଚରିତାର୍ଥ ପୁଣି କିପରି କରିବ ?

 

ପାଶବିକ ଅତ୍ୟାଚାରର ଏକ ଜନନୀ ହେଉଛି ପାଶବିକ ସହିଷ୍ଣୁତା । ଆଇନ କରି କିମ୍ବା ପୁଲିସ ଲଗାଇ ଏହି ଅତ୍ୟାଚାରକୁ ବନ୍ଦ କରି ହେବ ନାହିଁ । ଆମେ ନିଜକୁ ମଣିଷ ପରି ଅନୁଭବ କଲେ ଆମ ଉପରେ କେହି ଅତ୍ୟାଚାର କରିବାକୁ ସାହସ କରିବନାହିଁ । ଆମେ ନିଜେ ବି କଦାପି କାହାଉପରେ ଅତ୍ୟାଚାର କରିବାକୁ ଯିବାନାହିଁ ।

 

୧୦ । ୦୮ । ୮୦

☆☆☆

 

ଶିକ୍ଷାର ମାନବୃଦ୍ଧି

 

ଶିକ୍ଷାର ମାନବୃଦ୍ଧି କରିବା ପାଇଁ ରାଜ୍ୟପାଳ ଏବେ ବିଶ୍ୱବିଦ୍ୟାଳୟମାନଙ୍କର କୁଳପତିମାନଙ୍କର ଏକ ବୈଠକ ଡକାଇଥିଲେ । ରାଜ୍ୟପାଳଙ୍କୁ ଆମ ଶିକ୍ଷାବୋର୍ଡ଼ର ବିଧାନ ଅନୁସାରେ କୁଳାଧିପତି ବୋଲି କୁହାଯାଏ । ସେମାନେ ଯେ ଏକ ବୈଠକରେ ମିଳିତ ହୋଇଥିଲେ, ଖବରକାଗଜରେ ବାହାରିଥିବା ଫଟୋରୁ ଆମକୁ ତାହାର ପ୍ରମାଣ ମିଳିଗଲା ।

 

ଶିକ୍ଷାର ମାନବୃଦ୍ଧି ବିଷୟରେ ଆଲୋଚନା ହେଲାବେଳେ ଆଉ ଯେତେ ଯାହା କଥାର ଆଲୋଚନା ହୋଇଥିବ ପଛକେ, ସ୍ଵୟଂ କୁଳପତିମାନଙ୍କର ମାନବୃଦ୍ଧି ବିଷୟରେ କଦାପି କୌଣସି ଆଲୋଚନା ହୋଇନଥିବ । ନିଜେ ଶାନ୍ତ ଓ ସ୍ଥିର ହୋଇ ବସି ନିଜର ଆଲୋଚନା କରିବା, ପୁଣି ପରସ୍ପରର ମେଳରେ ନିଜ ନିଜର ଆଲୋଚନା କରିବା—ଆମର ମରଜୀବନର ଆୟତନଟି ଭିତରେ ସମ୍ଭବତଃ ତାହାହିଁ ସବୁଠାରୁ ବଡ଼ କଷ୍ଟକର ବିଷୟ । ତେଣୁ ମୁହଁରେ ତୁଣ୍ଡି ବନ୍ଧାହୋଇଥିବ, ବିବେକଗୁଡ଼ାକୁ ଲୁଚାଇ ରଖିଲା ଭଳି ମୁଣ୍ଡରେ ଏଡ଼େବଡ଼ ଗୋଟାଏ ଗୋଟାଏ ମୁକୁଟ ପିନ୍ଧାହୋଇଥିବ, ସମସ୍ତେ ବିଜନବିହାର କରିଥିବେ ଏବଂ କଫି ପିଇଥିବେ । ଏଗୁଡ଼ାକ ସେଇ ପୁରୁଣା ତାମସୀ, ସେଇ ପୁରାତନ ଆଳସ୍ୟ ।

 

ଯେଉଁମାନେ ଶିକ୍ଷାର ସିଂହାସନଟାକୁ ଲୋଡ଼ି ସିଂହାସନ ଉପରେ ଆସି ବସନ୍ତି, ସେମାନେ କସ୍ମିନ୍‍କାଳେ ଶିକ୍ଷାର କିଛି କରିପାରନ୍ତି ନାହିଁ । ବରଂ ଶିକ୍ଷାର ସାହୀଟାକୁ ନାନା ଅଶିକ୍ଷିତ ଆଡ଼ମ୍ବରରେ ଭଣଭଣ କରି ରଖିଥାନ୍ତି । ଜଣେ ଶିକ୍ଷିତ ମଣିଷ ଯୁଆଡ଼େ ଯାଏ ବା ଯେଉଁଠି ଯାଇ ବସେ, ସେଠାରେ ସିଏ ପ୍ରାୟ ସ୍ଵଭାବପ୍ରେରିତ ଭାବରେ ହିଁ । ସମ୍ବନ୍ଧିତ ହୋଇ ରହିଥିବା ସବୁକିଛିର ମାନବୃଦ୍ଧି କରାଏ । ଶିକ୍ଷାର ମାନବୃଦ୍ଧି କରାଏ, ଶ୍ରଦ୍ଧାର ମାନବୃଦ୍ଧି କରାଏ, ସମ୍ମାନର ଯୋଗ୍ୟ ହୁଏ ଓ ସମ୍ମାନର ଯୋଗ୍ୟ କରାଏ । ଗୋଟିଏ କଥାରେ କହିଲେ, ସିଏ ଜୀବନର ମାନବୃଦ୍ଧି କରାଏ ।

 

ଉଚ୍ଚ ଉଚ୍ଚ ପାହାଡ଼ ଉପରେ ଦେହରେ ଗୁଞ୍ଜରମାଳ ଲଦିହୋଇ କୁଳପତିମାନେ ବସିରହିଥିବାବେଳେ ତଥାପି ଯେ ଶିକ୍ଷାର ମାନ ଦିନକୁଦିନ ଗାତକୁ ଯାଉଛି, ସେକଥା ସ୍ଵୟଂ କୁଳପତିମାନଙ୍କର ସବାଆଗ ଭାବିବାର କଥା । ଏହି ଦେଶର କୁଳ ପାଇଁ ଓ ଭାଗ୍ୟ ପାଇଁ ନିଶ୍ଚୟ ଏକ ଦାୟିତ୍ୱ ରହିଥିବା ଜଣେ ଜଣେ ମଣିଷ ହିସାବରେ ସେମାନଙ୍କର ସାହସର ସହିତ ସବାଆଗ ସେଇ କଥା ଭାବିବାର କଥା । ପରିତ୍ରାଣର ଉପାୟ ସେହି ବାଟରେ ହିଁ ରହିଛି ।

 

୧୩ । ୦୮ । ୮୦

☆☆☆

 

ସତକଥା କିଏ କହିବ ?

 

ଏମାନେ କେହି ସତ କଥା କହିବେ ନାହିଁ । ଏମାନେ କୋଉ ତରଫର ହୋଇ କଦାପି ଦିଶିବେ ନାହିଁ । ଏମାନେ କଦାପି ଧରାପଡ଼ିବେ ନାହିଁ । ଭଦ୍ରଲୋକମାନେ କେବେ ସତ କଥା କହନ୍ତି ନାହିଁ । ଆକାଶଗୁଡ଼ିକ ଭାଙ୍ଗିପଡ଼ିଲେ ବା ଦେଶଟାଯାକ ଉଜୁଡ଼ିଗଲେ ମଧ୍ୟ ଏମାନେ କେବଳ ଭଦ୍ରଲୋକ ହୋଇ ରହନ୍ତି । ଶସ୍ତା ଓ ମହଙ୍ଗା ସବୁ ବଜାରରେ ଲାଭ ଖାଆନ୍ତି ।

 

ଯେଉଁମାନେ ଇସ୍ତଫା ଦେଇଦେଲେ, ସେମାନେ କେବେହେଲେ ସତକଥା କହିବେ ନାହିଁ । ଯେଉଁମାନେ ଇସ୍ତଫା ଦେବେ କି ନାହିଁ ବୋଲି ଭାବୁଛନ୍ତି, ସେମାନେ ବି ସତକଥା କହିବେ ନାହିଁ । ଯେଉଁମାନେ ଆଦେଶମାତ୍ରକେ ଦୋକାନଗୁଡ଼ାକ ବନ୍ଦ କରିଦେଲେ, ବା ଅନ୍ତତଃ ଦୋକାନର ସାଇନବୋର୍ଡ଼ଗୁଡ଼ାକୁ ବଦଳାଇଦେଲେ, ସେମାନେ ସତକଥା କହିବେ ନାହିଁ ଏବଂ ଯେଉଁମାନେ ଖବରକାଗଜର ସମ୍ପାଦକମାନଙ୍କୁ ପତ୍ରଲେଖି ଏମିତି ହେଲେ ଜନସାଧାରଣଙ୍କର କ୍ଷତି ହେବ ବୋଲି କହିବାରେ ଲାଗିଛନ୍ତି, ଏମାନେ ବି କେବେହେଲେ ସତକଥା କହିବେ ନାହିଁ । ସେମାନେ କେତେ କ’ଣ କହିବେ ଓ କଥା ସହିତ ଲଥାଗୁଡ଼ାକୁ ନେଇ ଖେଳୁଥିବେ ସିନା, ମାତ୍ର ସତକଥା କେବେହେଲେ କହିବେ ନାହିଁ । ସାଆନ୍ତମାନଙ୍କର ଦେଶରେ କେବେ ସତକଥା କୁହାହୁଏନାହିଁ । କେବେ ପତରଟିଏ ବି ହଲେ ନାହିଁ । ସତକଥା କହିଲେ ଯେ ସିଧା ଯାଇ ଉଆସଗୁଡ଼ାକୁ ବାଧିବ, ସମସ୍ତେ ସେହି କଥାଟିକୁ ଭଲ କରି ଜାଣିଥାନ୍ତି ।

 

ଭାରତବର୍ଷ ସାଧୁମାନଙ୍କର ଦେଶ; ସାଆନ୍ତମାନଙ୍କର ଦେଶ; ଭଦ୍ରମାନଙ୍କର ଦେଶ । ଏଠାରେ ଆଉ ଯାହାକିଛି ହେବ ପଛକେ ମାତ୍ର ଭଦ୍ରମାନେ ନିତି ଭଦ୍ର ହୋଇ ରହିଥିବେ । ଭଦ୍ରମାନେ ହିଁ ସବା ଉପରେ ରହିଥିବେ । ଗାଡ଼ି ଚଢ଼ୁଥିବେ, ଘୋଡ଼ା ଚଢ଼ୁଥିବେ, ହାତମୁଠା ବୁଲାଇ ଆଣିଲେ ହାତମୁଠା ପଇସାରେ ଭର୍ତ୍ତି ହୋଇ ଯାଉଥିବ । ସେମାନେ ଯୋଉଠି ଅଛନ୍ତି, ସେଇଠି କାଳେ କାଳେ ରହିଥିବେ । ଅଜ୍ଞାନ ଦେଶରେ ବିଜ୍ଞାନୀ ବୋଲାଉଥିବେ, ଗରିବଙ୍କ ଦେଶରେ ବଡ଼ଲୋକ ବୋଲାଉଥିବେ । ସେମାନଙ୍କୁ ଯେତିକି ସୁହାଉଥିବ କେବଳ ସେତିକି କଥାକୁ ସତକଥା ବୋଲି କୁହାଯାଉଥିବ । ଅସଲ ସତକଥା କେବେହେଲେ କୁହାହେବନାହିଁ; କାରଣ ଅସଲ ସତକଥା କୁହାହେଲେ କାଳ ଲେଉଟିଯିବ, ମଣିଷର ନିଦ ଭାଙ୍ଗିଯିବ,—ତାପରେ ଆଉ ସବୁ କ’ଣ ହେବ କେଜାଣି ?

 

୧୫ । ୦୮ । ୮୦

☆☆☆

 

ନିଜର ଶକ୍ତି ଉପଲବ୍‍ଧି କରିବା

 

ସୀମାନ୍ତ-ଗାନ୍ଧୀ ପୁଣି ଥରକ ପାଇଁ ଭାରତବର୍ଷ ଆସିଥିଲେ । ଗଲାବେଳେ ନିଜ ଶକ୍ତିର ଉପଲବ କରିବା ସକାଶେ ଉଦ୍‍ବୋଧନ ଦେଇଚାଲିଗଲେ ।

 

ମଣିଷର ନିଜର ଯେ ମୋଟେ କୌଣସି ଶକ୍ତି ନାହିଁ, ସେକଥା ଆମ ଦେଶରେ ଆବହମାନ କାଳରୁ ଆମକୁ କୁହାହୋଇଆସିଛି । ଆମ ଭିତରେ ଯେଉଁମାନେ ସବୁଠାରୁ । ବେଶି ବିଜ୍ଞ, ସବୁଠାରୁ ବେଶି ଚତୁର ଓ ସବୁଠାରୁ ବେଶି କ୍ଷମତାଶାଳୀ, ସେମାନେ କାଳେ କାଳେ ଆମର ଆଦୌ କୌଣସି ଶକ୍ତି ନାହିଁ ବୋଲି ଆମକୁ କହିଆସିଛନ୍ତି । । ଆମକୁ ଉଦ୍ଧାର କରିବା ପାଇଁ ଉପାୟ ସବୁବେଳେ ବାହାରୁ ଆସେ । ସେହି ଉପାୟ ଉପରୁ ଦୟାରୂପେ ଆସେ । ଆମେ ଯେତିକି ଅସହାୟ ହୋଇ ଅପେକ୍ଷା କରିବାକୁ ସମର୍ଥ ହେଉ ଏବଂ ଯେତିକି ଡହଳବିକଳ ହୋଇ ସହିବାରେ ଲାଗିଥାଉ, ବାହାରୁ ଆସୁଥିବା । ଶକ୍ତି ଆମପ୍ରତି କୁଆଡ଼େ ସେତିକି ଅଧିକ ପରିମାଣରେ ପ୍ରସନ୍ନତା ଦେଖାଇଥାଏ ।

 

ପ୍ରଜାମାନେ ଶକ୍ତିହୀନ ହୋଇ ରହିଲେ ରଜାମାନଙ୍କୁ ସବୁବେଳେ ଭାରି ଭଲ । ଏହି କାରଣରୁ ରଜାମାନେ ଶକ୍ତି ହୀନତାର ଅପାର ପ୍ରଶସ୍ତିମାନ ଗାନକରୁଥିବା ଶାସ୍ତ୍ରଗୁଡ଼ାକୁ ଆମପାଇଁ ବରାଦ ଦେଇ ଲେଖାଇଛନ୍ତି ଓ ଧର୍ମ ଏବଂ ଠାକୁରମାନଙ୍କର ଅନୁରୂପ ମଡେଲଗୁଡ଼ାକୁ ଆମ ଆଗରେ ଆଣି ଥୋଇଛନ୍ତି, ଅଥବା ଆମକୁ ତୁଚ୍ଛା ଶକ୍ତି ହୀନତାର ଝୋଳଗୁଡ଼ାକୁ ହାପୁଡ଼ାଇ ଆସିଥିବା ଆମର ଶାସ୍ତ୍ର, ଧର୍ମ ଓ ଠାକୁରକଳ୍ପନାଗୁଡ଼ାକ ତଦନୁରୂପ ଭାବରେ ଆମ ରଜାମାନଙ୍କୁ ଜନ୍ମ ଦେଇଛନ୍ତି, ସେକଥା ନିର୍ଭୁଲ କରି କହିବା ମୋଟେ ସହଜ ନୁହେଁ ।

 

ଆମଠାରୁ ଶକ୍ତି ହରଣ କରି ଆମର ଜୀବନ ଉପରେ ପ୍ରାୟ କଂସେଇ ହୋଇ ବସିଥିବା ପ୍ରବଳମାନେ ଆମର ଯାବତୀୟ ଭାଗ୍ୟକୁ ଆବୋରି ଧରି ଏବେ ମଧ୍ୟ ବସିଛନ୍ତି । ସେମାନେ ଆମ ଶାସନରେ ଅଛନ୍ତି, ଆମ ଭଣ୍ଡାରଘରମାନଙ୍କରେ ଅଛନ୍ତି; । ଆମ ଶିକ୍ଷାସ୍ଥାନଗୁଡ଼ାକରେ ରହିଛନ୍ତି, ଆମ ଦେବସ୍ଥାନଗୁଡ଼ାକରେ ମଧ୍ୟ ଘୋଡ଼ା ଚଡ଼ି ବୁଲୁଛନ୍ତି । ଏମାନେ ଆପଣାର ଶକ୍ତିଗୁଡ଼ାକ ବିଷୟରେ ଏତେବେଶି ଦମ୍ଭିଳ ଓ ନିଶ୍ଚିତ ହୋଇ ବସିଛନ୍ତି ଯେ ଏଠି ଆଉ କାହାରି ହୁଏତ କୌଣସି ଶକ୍ତି ରହିଥିବ ବୋଲି ମୋଟେ ଭାବିପାରୁନାହାନ୍ତି । ଆମକୁ ନିଜ ଶକ୍ତିର ଉପଲବଧି କରିବାକୁ କହିଲାବେଳେ ସୀମାନ୍ତ-ଗାନ୍ଧୀ କ’ଣ ଏଗୁଡ଼ାକୁ ପ୍ରକୃତରେ ଦେଖିପାରୁନଥିଲେ ?

 

୨୨ । ୦୮ । ୮୦

☆☆☆

 

ଚାକିରି ଓ ଚାଲେଞ୍ଜ

ଆମ ଭିତରୁ ଯିଏ ଏକାବେଳକେ କୌଣସି ଗୋଟିଏ ଭାରି ବଡ଼ ପଦବୀରେ ଯାଇ ବସିଯାଆନ୍ତି, ତାଙ୍କର ଫଟୋଟି କେଡ଼େ ଘଟଣ ହୋଇ ଖବରକାଗଜରେ ବାହାରେ । ବୁଢ଼ାଦିନରେ ମଧ୍ୟ ତାଙ୍କର ଏକ ସଂକ୍ଷିପ୍ତ ଜୀବନର ଉତ୍କଳ ବିବରଣୀ କେଡ଼େ ସଣ୍ଠଣା ସହିତ ସେହି ଫଟୋ ତଳେ ବାହାରିଥାଏ । ଏସବୁ ଦେଖି ସିଏ ନିଜେ ମଧ୍ୟ କେଡ଼େ ଖୁସି ହୋଇଯାଉଥିବେ, ଆପଣାର ତପସ୍ୟାଗୁଡ଼ାକ ଏକାବେଳକେ ସ୍ଵର୍ଗକୁ ଯାଇ ସ୍ପର୍ଶ କରିପକାଉଥିବା ପରି ଅନୁଭବ କରୁଥିବେ, ତାଙ୍କ ଜୀବନର କେତେ ଅତୃପ୍ତି ଏହି ଗୋଟାଏ ଦୁର୍ଗଜୟରେ ନାକୋଇ ହୋଇ ପଳାଉଥିବା ପରି ତାଙ୍କୁ ମନେହେଉଥିବ । ନିଜ ଭିତରେ ସିଏ ପ୍ରକୃତରେ କେଡ଼େ ଉଶ୍ୱାସ, କେଡ଼େ ପ୍ରଶସ୍ତ ଓ ଘଡ଼ିକ ଲାଗି ହେଲେ ମଧ୍ୟ କେଡ଼େ ଉଦାର ବି ଅନୁଭବ କରୁଥିବେ । ଘଡ଼ିକଲାଗି କେଡ଼େ ସୁନ୍ଦର ଦିଶୁଥିବେ ।

 

ମଣିଷ ତା’ର ଆପଣା ଯୋଗ୍ୟତା ଥିଲେ ତା’ର ବଡ଼ ଚାକିରିଟାକୁ ଗୋଟାଏ ବଡ଼ ଚାଲେଞ୍ଜ ରୂପେ ବି ଗ୍ରହଣ କରିପାରେ ଏବଂ ସେହି ଯୋଗ୍ୟତାଟି ନଥିଲେ ସିଏ ଚାଲେଞ୍ଜ ଗୁଡ଼ାକୁ ମଧ୍ୟ ଛାର ଗୋଟାଏ ଚାକିରି ପରି ଗ୍ରହଣ କରିପାରେ ଓ ଆମ ସମସ୍ତଙ୍କୁ ଭକୁଆ କରି ରଖିପାରେ । ଏମିତି ଗୋଟାଏ ଗୋଟାଏ ଧାତୁର ମଣିଷ ଅଛନ୍ତି, ଯେଉଁମାନେ ତଥାପି ମରିନଥାନ୍ତି; ତଥାପି ଆସନଗୁଡ଼ାକ ଉପରେ ନିଜେ କେତେଟା ବର୍ଷ ପାଇଁ ଶୋଭନ ହୋଇ ବସି ତା ପରେ ମରି-ହଜିଯିବାକୁ ମୋଟେ ନିଜ ସାଧନା ବୋଲି ଗ୍ରହଣ କରି ନଥାନ୍ତି । ସେମାନେ ଆହ୍ୱାନର ଜବାବ ଦିଅନ୍ତି; ତେଣୁ ଚାକିରିସ୍ଥାନଗୁଡ଼ାକୁ ଆହ୍ୱନ ପରି ଗ୍ରହଣ କରନ୍ତି । ଆଉ ଗୋଟାଏ ଗୋଟାଏ ଧାତୁର ମଣିଷ ଅଛନ୍ତି, ଯେଉଁମାନେ କି ସ୍ପଷ୍ଟ ଆହ୍ୱାନଗୁଡ଼ାକୁ ବି ନିକୃଷ୍ଟ ଚାକିରି ପରି ଗ୍ରହଣ କରନ୍ତି । ସେମାନେ ନିଜେ ବନ୍ଧ୍ୟା ହୋଇ ରହନ୍ତିନିଜ ମୁଣ୍ଡର ସିଙ୍ଗ ଗଣି ଗଣି କାଳ ବିତାଇ ଦିଅନ୍ତି । କୁକୁଡ଼ାଗୁଡ଼ାଙ୍କୁ କାଞ୍ଜିଆ କରି ରଖିଥାନ୍ତି ।

 

ଆମ ଦେଶର ଦୁର୍ଭାଗ୍ୟ ଯେ ଏଠି ଆମର ଅନେକ ଅଯୋଗ୍ୟ ମଣିଷ ଆମ ସାମୂହିକ ଜୀବନର ଆହ୍ୱାନଗୁଡ଼ାକୁ ତୁଚ୍ଛା ଗୋଟାଏ ଗୋଟାଏ ଚାକିରି ପରି ଗ୍ରହଣ କଲେ । ଆମ କୁଳର ଅତ୍ୟନ୍ତ ଦୁର୍ଭାଗ୍ୟ ଯେ, ଆମ କୁଳର ମହାମାନ୍ୟମାନେ ଆପଣାକୁ ସବାଆଗ ଜଣେ ଜଣେ ଚାକିରିଆ ପରି ଭାବିଲେ, ଆହ୍ୱାନଗୁଡ଼ାକର ଇଜ୍ଜତ ସାରିଲେ । ସେମାନେ ଆମ ବଗିଚାଗୁଡ଼ାକୁ ଉଜୁଡ଼ାଇ ଦେଲେ । ଆପଣାର କ୍ଷୁଦ୍ର ଉଲ୍ଲାସଗୁଡ଼ାକଲାଗି ଏଠି ଆମ ଆକାଶଗୁଡ଼ାକୁ ବି କ୍ଷୁଦ୍ରକରି ରଖିଲେ ।

 

୨୭ । ୦୮ । ୮୦

☆☆☆

 

ପ୍ରଚୁର ତୈଳର ସନ୍ଧାନ

 

ଓଡ଼ିଶାର ମହାନଦୀ ମୁହାଣରେ ପ୍ରଚୁର ତୈଳର ସନ୍ଧାନ ବୋଲି ଭୂଇଁଫୁଟାଇ ତୈଳ ଖୋଜିବୁଲୁଥିବା ବୈଜ୍ଞାନିକମାନେ କହିଛନ୍ତି । ଏହି ତୈଳ କୁଆଡ଼େ ବଙ୍ଗୋପସାଗର ଭିତରେ ପାଣିତଳେ ବି ମିଳିବାର ସମ୍ଭାବନା ରହିଛି ବୋଲି ସେମାନେ ଆମକୁ କହିଛନ୍ତି । ଏଗୁଡ଼ାକ ଭାରି ଶୁଭ ଖବର । ଆମ ବଙ୍ଗୋପସାଗରରେ ଯେତେ ପାଣି ରହିଛି, ସେଗୁଡ଼ାକ ଦୈବକୃପାର ବଳରେ ଯଦି ଏକାବେଳକେ ତୈଳରେ ପରିଣତ ହୁଅନ୍ତା, ତେବେ ତାହା କେଡ଼ ବଢ଼ିଆ କଥା ନ ହୁଅନ୍ତୁ ବୋଲି ଆମେ ହୁଏତ ବେଳେବଳେ ନିଶ୍ଚୟ ଭାବୁଥିବା ଓ ଏଠି ନିଶ୍ଚିତ ହୋଇ ବସିବାର ସ୍ଵପ୍ନ ଦେଖୁଥିବା ।

 

ବୈଜ୍ଞାନିକମାନେ କହନ୍ତି, ଆମ ଦେଶରେ ପ୍ରଚୁର ପ୍ରାକୃତିକ ସମ୍ପଦ ରହିଛି । ଆମ ଉତ୍ତର-ଓଡ଼ିଶାରେ ଲୁହା ଓ ଚୂନର ପଥର ମାଟି ଉପରେ ପଡ଼ିରହିଛି । ଏଗୁଡ଼ାକ ଆମ ସମସ୍ତଙ୍କ ଲାଗି କେଡ଼େ ଶୁଭ ଖବର । ଆମମାନଙ୍କ ଭିତରୁ ଯେଉଁମାନେ ମଣିଷକୁ ବାଦ୍ ଦେଇ ଦେଶର ସ୍ୱପ୍ନ ଦେଖୁଥିବେ, ସେମାନଙ୍କୁ ଏହି ଖବରଗୁଡ଼ାକ ହୁଏତ ଆହୁରି ଅଧିକ ନିର୍ମମ ହେବାରେ ଓ ଆହୁରି ଅଧିକ ଦମ୍ଭ କରିବାରେ ଭାରି ସାହାଯ୍ୟ କରୁଥିବ । ମଣିଷକୁ ବାଦ୍‍ ଦେଇ ଯେକୌଣସି ଦେଶରେ ମୋଟେ କିଛି ଗଢ଼ାହୋଇ ପାରେ ନାହିଁ, ଏକଥା ଆମ ଦାମ୍ଭିକମାନେ ମୋଟେ ବୁଝିପାରନ୍ତି ନାହିଁ ।

 

ସେହିପରି ଏକ ଦାମ୍ଭିକତା ଆମ ଦେଶରେ ଆମ ରାଜନୀତିକୁ ଗ୍ରାସିଛି, ଆମ ପାଠଗୁଡ଼ାକୁ ଗ୍ରାସିଛି ଓ ଆମର ନିର୍ମାଣଶାଳା ଗୁଡ଼ାକୁ ପ୍ରକୃତରେ ଭାରି ଅଯୋଗ୍ୟ କରି ରଖିଛି । ତାହା ଆମ ନେତାମାନଙ୍କୁ ମହାସୁଖବାଦୀ କରି ରଖିଛି,—ଆମର ଅନେକ ସଂକଳ୍ପକୁ କେବଳ କଥାରେ ହିଁ ସାରିଦେଇଛି । ବୈଜ୍ଞାନିକମାନେ କୌଣସି ଅନ୍ୟ ଫୁଲ ଶୁଙ୍ଘି ଘରୁ ବାହାରିଥିଲା ପରି ବାବୁ ହୋଇ ଫାଙ୍କିଦେବାକୁ ହିଁ ଅଧିକ ମନ କରୁଛନ୍ତି । ଆମ ଘରଟି ପ୍ରକୃତରେ କିପରି ଗଢ଼ାହେବ, ସେକଥା ଆଜିଯାଏ ଠିକ୍ ହୋଇନାହିଁ । ଅସାଧୁମାନେ ଆମକୁ ଯାହାକୁ ଯୋଜନା ବୋଲି ବିଶ୍ୱାସ କରିବାକୁ ବାଧ୍ୟ କରୁଛନ୍ତି, ସେଥିରେ ମାମଲତକାରମାନଙ୍କ ଲାଗି ଥାନ ରହିଛି ସିନା, ମଣିଷକୁ ବାହାରକୁ ନିକାଲି ଦିଆଯାଇଛି ଏବଂ ଏହିପରି ଏକ ଅସହାୟ ହାସ୍ୟାସ୍ପଦତା ମଧ୍ୟରେ ଯେତେବେଳେ ଆମ ଦେଶରେ ପ୍ରଚୁର ତୈଳର ସନ୍ଧାନ ମିଳିଛି, ତାହା ଆମର ଅସଲ ନାଡ଼ିଗୁଡ଼ାକୁ ଅଧିକ ଚିକିଟା ଓ ଅଧିକ କାଣ୍ଟିଆ କରି ରଖିବାରେ ଯେ ସାହାଯ୍ୟ କରିବ, ସେ କଥା କିଏ ମନାକରିପାରିବ ?

 

୩୦ ।୦୮ । ୮୦

☆☆☆

 

ଆମଠାରୁ କ’ଣ ବେଶି

 

ସେଦିନ ବାଇଶି ତେଇଶି ବର୍ଷର ଜଣେ ଯୁବକ ଆମ ଘରକୁ ଆସିଥିଲା । ତା’ ହାତରେ କେତେଗୁଡ଼ିଏ ଛପା କାଗଜ, ତା’ରି ବିଷୟରେ ସେଥିରେ କିଛି ବିବରଣୀ ଲେଖାଯାଇଛି । ପିଲାଟି ପିଲାଦିନରୁ ଅନାଥ—ଜନ୍ମରୁ କଥା କହିପାରେ ନାହିଁ, ପୋଷିବା ଲାଗି ତା’ ଘରେ ଦିଓଟି ଭାଇ ଓ ଗୋଟିଏ ଭଉଣୀ, ଇତ୍ୟାଦି ଇତ୍ୟାଦି । ତାକୁ ଏହି ସହରର ଓ ଆହୁରି ଅନେକ ସହରର କେତେ ଗଣ୍ୟମାନ୍ୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ ଦେଇଛନ୍ତି ବୋଲି ସୂଚନା ଦେଉଥିବା ଗୋଟାଏ ତାଲିକା ମଧ୍ୟ ତା’ପାଖରୁ ଦେଖିବାକୁ ପାଇଲି ।

 

ଆମେ ଯେଉଁମାନେ ଭିକ ମାଗୁନାହୁଁ, ଭିକ ମାଗୁଥିବା ଲୋକମାନଙ୍କୁ ଦେଖିଲେ ହୁଏତ ଭାରି ବିରକ୍ତ ହେଉ । ଆମେ କହୁ, ଏଗୁଡ଼ାକ ଠକ, ଏମାନଙ୍କୁ ଆଦୌ ପ୍ରଶ୍ରୟ ଦିଆଯିବା ଉଚିତ ନୁହେଁ । ଏହାଦ୍ଵାରା ଆମ ଦେଶରେ ଅକର୍ମଣ୍ୟପଣିଆ ବଢ଼ୁଛି ବୋଲି ଆମେ ଯୁକ୍ତିମାନ ବାଢ଼ିଦେଉଥାଉ । ଏମାନେ ମୋଟେ ସତକଥା କହୁନାହାନ୍ତି ବୋଲି ଆମେ କେଡ଼େ ଉତ୍ସାହରେ ସାବ୍ୟସ୍ତ କରିବାଲାଗି ଚେଷ୍ଟା କରିଥାଉ । ଏ ଦେଶରେ ଭିକ ମାଗୁଥିବା ଅଧିକାଂଶ ଅନ୍ଧ ଅନ୍ଧ ନୁହନ୍ତି, ଅଧିକାଂଶ ଖଞ୍ଜ ଓ ପଙ୍ଗୁ ପଙ୍ଗୁ ନୁହନ୍ତିଏହିପରି ନାନା ବର୍ଣ୍ଣନା ଆମର ଜିଭ ଆଗରେ ରହିଥାଏ । ଆମେ ଯେଉଁମାନେ ଏହିପରି ନାନା କିସମର ଭିକାରିମାନଙ୍କ ପ୍ରତି ଦୟା ପ୍ରଦର୍ଶନ କରୁ, ସେମାନେ ଦେଶ ପ୍ରତି, ସମାଜ ପ୍ରତି ଓ ଏପରିକି ସେହି ଭିକାରୀମାନଙ୍କ ପ୍ରତି ବି କୁଆଡ଼େ ଭାରି ଅନ୍ୟାୟ କରୁ ବୋଲି ସେହି ହିତବାଦୀମାନେ କହି ଥାଆନ୍ତି ।

 

ମୁଁ ବେଳେବେଳେ ଭାବେ, ଆମେ ଯେଉଁମାନଙ୍କୁ ଏସବୁ କହି ଘୃଣା କରୁଛୁ, ଏମାନେ କ’ଣ ଆମଠାରୁ ବେଶୀ ? ଏମାନେ କ’ଣ ଆମଠାରୁ ବେଶୀ ଠକ, ଆମଠାରୁ ବେଶୀ ଚାଲାଖ ଓ ଆମଠାରୁ ବେଶୀ ନକଲି ? ଭିକାରିମାନେ କଣ ଆମଠାରୁ ବେଶୀ ଚୋରି କରନ୍ତି, ଆମଠାରୁ ବେଶୀ ମୁହଁ ଟାଣ କରି କଥା କହନ୍ତି ? ଆମ ସଭ୍ୟତାର ଯାବତୀୟ ଶୈଳୀ ତୁଳନାରେ ଏମାନେ କ’ଣ ଅଧିକ ଅଭିନୟ ଜାଣନ୍ତି ? ଏଗୁଡ଼ାକ ନିଜକୁ ପଚାରିବସିବା ସମୟରେ ନିଜଆଡ଼କୁ ଅନାଇବାକୁ ହୁଏତ ଭାରି ଡର ମାଡ଼େ । ଅନ୍ଧାରଗୁଡ଼ାକ ଅନ୍ଧାର ପରି ଦିଶିଯାଏ ।

 

ଗୋଟାଏ ଦିନ ଆସୁଛି, ଯୋଉଦିନ ଏହି ଭିକାରିମାନେ ମଣିଷର ସମ୍ମାନ ପାଇବେ, ସେତେବେଳେ ଚୋରମାନେ ବି ସତକୁସତ ଧରାପଡ଼ିଯିବେ । ଆମର ଯୁକ୍ତିଗୁଡ଼ାକ ଏକାବେଳକେ ଧରା ପଡ଼ିଯିବ ।

 

୧୮ । ୦୯ । ୮୦

☆☆☆

 

ସୁଖ-ପରିବର୍ତ୍ତନ

 

ଗୁଡ଼ାଏ ନିୟମ-ସମ୍ବଳିତ ଗୋଟାଏ ନୋଟିସ ଜାରି କରିଦେଇ ଯେତେବେଳେ ଆମେ କୌଣସି ଧର୍ମଶାଳାକୁ ପ୍ରାୟ ରାତିକ ଭିତରେ ଏକ ଡାକ୍ତରଖାନାରେ ପରିଣତ କରିଦେବୁ ବୋଲି ବୀର ହୋଇ ବାହାରୁ, ସେତେବେଳେ ଆମକୁ ହୁଏତ ଭାରି ସିଆଣିଆ ବୋଲି କୁହାଯିବ ଏବଂ ଅପରପକ୍ଷରେ ଭାରି ବୋକା ବୋଲି ମଧ୍ୟ କୁହାଯିବ ।

 

ଏମିତି ଖାଲି ନିୟମଗୁଡ଼ାକୁ ବଦଳାଇଦେଇ ଆମେ ଏହି ଦେଶରେ କେତେ କେତେ ପରିବର୍ତ୍ତନକୁ ଆଣି ଭିଆଇଦେଲୁ ବୋଲି ଦମ୍ଭକରିଆସୁଛୁ । ଶିକ୍ଷାକ୍ଷେତ୍ରରେ ହାକିମମାନେ ଯେତିକି ଉନ୍ମତ୍ତତାର ସହିତ ନିୟମଗୁଡ଼ାକୁ ଜାରି କରିଦେଇ ଶିକ୍ଷାରେ ପରିବର୍ତ୍ତନ ନେଇ ଆସିଲେ ବୋଲି କହିବାକୁ ଚେଷ୍ଟା କରିଛନ୍ତି, ସେ ପର୍ଯ୍ୟନ୍ତ କୋଉଠି କିଛିହେଲେ ବଦଳିନାହିଁ; କେବଳ ଆମ ଅସାଧୁତାଗୁଡ଼ାକ ହିଁ ଧରାପଡ଼ିଯାଇଛି । ଠିକ୍‍ ସେହିପରି ଆମ ଡାକ୍ତରଖାନାରୂପୀ ଯୋଉ ଡିହଗୁଡ଼ାକରେ କୁକୁର ବୁଲୁଛନ୍ତି ଓ ଯେଉଁଠାରେ ଲୋଭାର୍ତ୍ତ ବାବୁମାନେ ମଣିଷର ଜୀବନକୁ ନେଇ କେଡ଼େ ଆନନ୍ଦରେ ଖଇକଉଡ଼ି ଖେଳିବାରେ ଲାଗିଛନ୍ତି, ତାହାକୁ ସତକୁସତ ଗୋଟାଏ ଡାକ୍ତରଖାନା ରୂପେ ସମ୍ଭବ କରିବାକୁ ରାଜଧାନୀରୁ ଆସୁଥିବା ସରକାରୀ ନିୟମ ଗୁଡ଼ାକ ଯଥେଷ୍ଟ ବୋଲି ଯଦି ଆମେ ପ୍ରକୃତରେ ଭାବୁଥିବା, ତେବେ ଆମକୁ ତୁଚ୍ଛା ଅସାଧୁ ବୋଲି କୁହାଯିବ ।

 

ଭାଗ୍ୟର କଥା, ଏହି ନିୟମଗୁଡ଼ାକ ଦ୍ୱାରା ପ୍ରକୃତରେ କିଛି ପରିବର୍ତ୍ତନ ହେବ ବୋଲି ସଂପୃକ୍ତ କେହି ଭାବୁନାହାନ୍ତି । କେଡ଼େ ସନ୍ତର୍ପଣରେ ସେହି ନିୟମଗୁଡ଼ାକୁ ତିଆରି କରୁଥିବା ଅଲିଅଳ ହାକିମମାନେ ବି ସେପରି ଭାବୁନାହାନ୍ତି । ଯଦି ଭାବୁଥାନ୍ତେ, ତେବେ ଖାଲି ନିୟମଗୁଡ଼ାକୁ ଜାରି କରିଦେଇ ଓ ଖାତା ପୂରାଇ ସେମାନେ ଅତ୍ୟନ୍ତ ରସ ବିବର୍ଜିତ ଭାବରେ କେବଳ ଏହି ରୋମାନ୍‌ସଟା ଭିତରେ କଦାପି ଲଣ୍ଡଭଣ୍ଡ ହୋଇ ରହିନଥାନ୍ତେ । ସେମାନେ ଆଉ କିଛି ଅବଶ୍ୟ କରୁଥାନ୍ତେ । ଆଉ କିଛି ଅବଶ୍ୟ ହେଉଥାନ୍ତେ;– ରଙ୍ଗ ଚଷମାଗୁଡ଼ାକୁ କାଢ଼ି ମଣିଷ ଓ ସମାଜ ଆଡ଼କୁ ଅନାଉଥାନ୍ତେ; ନିଜ ଆଡ଼କୁ ମଧ୍ୟ ଅନାଇ ପାରୁଥାନ୍ତେ । ନିଜକୁ ହସି ପାରୁଥାନ୍ତେ ।

 

ନିୟମ ଥାଏ, ତଥାପି ନିୟମ ନଥାଏ,—ଆପଣମାନେ ଯଦି ଏହି ବିଚିତ୍ର ଘଟଣାଟିକୁ ଅଙ୍ଗେ ନିଭାଇବାକୁ ଇଚ୍ଛା କରୁଥାନ୍ତି, ତେବେ ଆପଣ ବି ଧର୍ମଶାଳାକୁ ଆସିଲେ ତାହାର ପ୍ରମାଣ ପାଇପାରିବେ ।

 

୦୪ । ୦୯ । ୮୦

☆☆☆

 

ସ୍ଵୟଂ ଓ ସମ୍ପୂର୍ଣ୍ଣ

 

ବିଶ୍ୱବ୍ୟାଙ୍କ୍‍ ଦ୍ୱାରା ପ୍ରକାଶିତ ଗୋଟିଏ ସମୀକ୍ଷାରେ ଏବେ କୁହାଯାଇଛି ଯେ ଭାରତବର୍ଷ ଆଉ ଏକ ବୁଭୁକ୍ଷୁ ଦେଶ ହୋଇ ନରହି ଖାଦ୍ୟସାମଗ୍ରୀ ଦ୍ୱାରା ପରିପୂର୍ଣ୍ଣ ହୋଇ ରହିଥିବା ଏକ ଦେଶରେ ପରିଣତ ହେବାକୁ ଯାଉଛି । ଏହି ସ୍ଵୟଂସମ୍ପୂର୍ଣତାକୁ ବିଶ୍ୱବ୍ୟାଙ୍କ୍‍ର ପଣ୍ଡିତମାନେ ଭାରତବର୍ଷ ପକ୍ଷରେ ପ୍ରକୃତରେ ଏକ ବିରାଟ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି । ଆମର ହୃଦବୋଧ କରାଇଦେବା ଉଦ୍ଦେଶ୍ୟରେ ସେମାନେ ଆମ ହାତରେ ହିସାବ ଧରାଇଦେଇ କହିଛନ୍ତି ଯେ, ୧୯୭୮-୭୯ ମସିହାରେ ଭାରତବର୍ଷରେ ମୁଣ୍ଡପିଛା ବାର୍ଷିକ ୧୭୦ କିଲୋଗ୍ରାମର ଖାଦ୍ୟଶସ୍ୟ ବ୍ୟବହାର କରାଯାଇଛି ଏବଂ ଭାରତବର୍ଷର ଜଳବାୟୁ ଦୃଷ୍ଟିରୁ ବିଚାର କଲେ ଏହା ଆମ ପ୍ରୟୋଜନ ଲାଗି ନିଶ୍ଚିତଭାବରେ ଯଥେଷ୍ଟ ।

 

ହିସାବଗୁଡ଼ାକ ପ୍ରକୃତରେ ଭାରି ବଢ଼ିଆ ଏବଂ ଏଥିରେ ଏହି ଦେଶର ପଣ୍ଡିତମାନଙ୍କର ପେଟ ବି ନିଶ୍ଚୟ ପୂରିଯାଉଥିବ । ପଣ୍ଡିତମାନଙ୍କର ଗୋଟିଏ ବଡ଼ ଅସୁବିଧା ହେଉଛି ଯେ, ସେମାନେ ପ୍ରକୃତ ସ୍ଥିତିଗୁଡ଼ାକୁ କେବଳ ଏହି ହିସାବଗୁଡ଼ାକର ମାଧ୍ୟମରେ ହିଁ ଦେଖିଥାନ୍ତି । ସେମାନେ ହିସାବ ଗୁଡ଼ାକ ଦ୍ୱାରା ଯେତିକି ସମାଚାର । ପାଆନ୍ତି ଓ ଯେତିକି ଗଭୀରକୁ ଅବଗାହି ପାରନ୍ତି, ସେହି ପାଠ ଓ ଗାରଗୁଡ଼ାକର ସେପାଖକୁ ଆଉ ଆଦୌ କୌଣସି ସତ୍ୟ ରହିଛି ବୋଲି ମୋଟେ ମାନିବାକୁ ଇଚ୍ଛା କରନ୍ତି ନାହିଁ । ହିସାବଗୁଡ଼ାକରେ ସେମାନେ ସତେ ଅବା ଗଦ୍‍ଗଦ୍‍ ହୋଇଯାଆନ୍ତି ଓ ଏହାପରେ କୌଣସି ମଣିଷର ଆଉ କୌଣସି ସମସ୍ୟା ରହିବା ଉଚିତ ନୁହେଁ ବୋଲି ଅତ୍ୟନ୍ତ ନିଷ୍ଠାପର ଭାବରେ ବିଶ୍ୱାସ କରନ୍ତି ।

 

ବିଶ୍ୱବ୍ୟାଙ୍କ୍‍ର ବାବୁମାନେ ଭାରତବର୍ଷର ଠିକାଦାରମାନଙ୍କୁ ଲଗାଇ ଆପଣାର ହିସାବଗୁଡ଼ାକୁ ସଂଗ୍ରହ କରନ୍ତି । ଏହି ଠିକାଦାରମାନେ ସବୁବେଳେ ସ୍ୱୟସଂପୂର୍ଣ୍ଣ ହୋଇ ରହିଥାନ୍ତି । ସେମାନଙ୍କ ଘରେ କେବେହେଲେ ଶସ୍ୟର ଅଭାବ ନଥାଏ । ହିସାବର ଫର୍ଦଗୁଡ଼ାକୁ ତିଆରି କରିବା ଲାଗି କେବେ ବୁଦ୍ଧିର ବି ଅଭାବ ନଥାଏ । ଏମାନେ ଯେଉଁ ଆଧୁନିକତମ କୌଶଳଗୁଡ଼ାକର ପ୍ରୟୋଗ କରି ହିସାବ ସଂଗ୍ରହ କରନ୍ତି, ସେଗୁଡ଼ାକ ଜୀବନର ଅସଲ ଗଳିଗୁଡ଼ିକ ଭିତରେ ମୋଟେ ପ୍ରବେଶ କରିପାରେ ନାହିଁ । ଜୀବନର ଅସଲ ନାଡ଼ିଗୁଡ଼ାକୁ ମୋଟେ ଚିହ୍ନି ପାରେନାହିଁ । ସେଇଥିଲାଗି ଭାରତବର୍ଷରୁ ହିସାବ ଯାଇ ଆମେରିକାରେ ଖାତା ପୂର୍ଣ୍ଣ ହୁଏ ସତ, ମାତ୍ର ସେଥିରେ ଅପୂରା ପେଟ କେବେହେଲେ ପୂରେନାହିଁ ।

 

୦୮ । ୦୯ । ୮୦

☆☆☆

 

ଆମକୁ ଅନେକ ଦୂର

 

ଆମେ ଯାହାକୁ ଫର୍ମୋଜା ଦୀପ ବୋଲି କହୁଥିଲୁ, ଘଟଣାଟି ଏବେ ସେହିଠାରେ ଘଟିଛି-। ଫମୌଜାର ରାଜଧାନୀ ତାଇପେଇ ସହରରେ ଘଟିଥିବା ସେହି ଘଟଣାଟି ଏବେ ଏଠି ଖବରକାଗକମାନଙ୍କରେ ବାହାରିଛି ।

 

ସେଠାରେ ବିବାହ କରିବାର ତିରିଶି ବର୍ଷ ପରେ ମଧ୍ୟ କୌଣସି ଗୋଟିଏ ଦମ୍ପତିଙ୍କର କୌଣସି ସନ୍ତାନ-ସନ୍ତତି ହେଲେ ନାହିଁ । ଶେଷକୁ ପତ୍ନୀ ଆଉ ଅଧିକ ଅପେକ୍ଷା କରିବାକୁ ରାଜି ହେଲେ ନାହିଁ ଓ ପତି ଯେପରି ନିଃସନ୍ତାନ ହୋଇ ରହିବାର ଦୁଃଖରୁ ମୁକ୍ତ ହୋଇ ପାରିବେ, ସେଥିଲାଗି ସିଏ ଏକ ସଙ୍ଗତ ଉପାୟ ଚିନ୍ତା କରିବାକୁ ଲାଗିଲେ । ପତ୍ନୀଙ୍କର ବୟସ ସେତେବେଳକୁ ଷାଠିଏ ପୂରି ଏକଷଠି । ସିଏ ଆପଣା ପତିଙ୍କ ଲାଗି ଜଣେ ଦ୍ୱିତୀୟପତ୍ନୀ ଲୋଡ଼ି ଖବରକାଗଜରେ ଏବେ ବିଜ୍ଞାପନ ଦେଇଛନ୍ତି । ଯିଏ ଦ୍ୱିତୀୟପତ୍ନୀ ରୂପେ ତାଙ୍କ ସ୍ୱାମୀଙ୍କ ଘରକୁ ଆସିବେ, ତାଙ୍କ ଲାଗି ସେ ଯୌତୁକ ରୂପେ ଏକଲକ୍ଷ ସ୍ଥାନୀୟ ଡଲାର ମଧ୍ୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏସବୁ କରିବା ପଛରେ ତାଙ୍କର ଏକମାତ୍ର ଅଭିଳାଷ, ତାଙ୍କର ସ୍ୱାମୀ ଏକ ସନ୍ତାନ ଲାଭ କରିବେ । ଏଥିରେ ତାଙ୍କର ମଧ୍ୟ କମ୍ ଆନନ୍ଦ ହେବ ନାହିଁ ।

 

ଏସବୁ ଆଗେ ଧର୍ମ ବୋଲି ସ୍ଵୀକୃତ ହେଉ ନଥିଲା । ଏବେ ମଧ୍ୟ ପୃଥିବୀର ଅନେକ ସମାଜରେ ତାହା କଦାପି ଧର୍ମ ବୋଲି ସ୍ୱୀକୃତ ହେବ ନାହିଁ । ତାଇପେଇର ଭଦ୍ରମହିଳା ଯେଉଁ କାର୍ଯ୍ୟଟି କରିଛନ୍ତି, ଆମ ଭିତରୁ ହୁଏତ ଅନେକେ ତାହାକୁ ଏକ ସମାଜଗର୍ହିତ କାର୍ଯ୍ୟ ବୋଲି କହିବାକୁ ବାହାରିବେ । ମଣିଷ ପ୍ରଥମତଃ ଜଣେ ବ୍ୟକ୍ତି ହିସାବରେ ଯାହା କରିବାଲାଗି ଆଗ୍ରହ ପ୍ରକାଶ କରିବ, ଆମେ ଭାଗ୍ୟବାଦୀମାନେ ତାହାକୁ ହୁଏତ ମୋଟେ ସମର୍ଥନ କରିବାକୁ ମନ କରିବା ନାହିଁ ।

 

ଏସବୁ କଥା ଆମପାଇଁ ଏବେ ମଧ୍ୟ ଅନେକ ଦୂର ସୂତ୍ରଗୁଡ଼ାକୁ ମାନୁଥିବା ଅନେକଙ୍କ ଲାଗି ସୂତ୍ର ବାହାରେ ରହିଥିବା କଥା ଗୁଡ଼ାକ ପ୍ରକୃତରେ ଅନେକ ଦୂର । ତଥାପି ଏହିସବୁ ଘଟଣା ପୃଥିବୀରେ ଘଟିବାକୁ ଆରମ୍ଭ କଲାଣି । ଏହିସବୁ ଘଟଣା ଆଗକୁ ଆହୁରି ଅଧିକ ସଂଖ୍ୟାରେ ଘଟିବ-। ଶେଷକୁ ସେହିଗୁଡ଼ିକ ହିଁ ସ୍ଵାଭାବିକ ହୋଇଯିବ-। ସେତେବେଳେ ଶ୍ରଦ୍ଧାର ସଂଜ୍ଞା ବଦଳିଯିବ । ଗୃହ ଓ ଗୃହସ୍ଥ-ଧର୍ମର ସଂଜ୍ଞା ବଦଳିଯିବ । ଭଗବାନ ମୋଟେ କ୍ରୂଦ୍ଧ ହେବେ ନାହିଁ ।

 

୧୦ । ୦୯ । ୮୦

☆☆☆

 

ଷୋଳଶହ କୋଟିର ଶାହା

 

ଇରାନର ଶାହା ଭାବିଥିଲେ, ସିଏ ମୋଟେ ମରିବେ ନାହିଁ । ଏଇଠି ରହିବେ । ଏଇଠି ଆପଣା ଜୀବନକୁ ପଥର ଆଉ ସିମେଣ୍ଟ ପରି ଟାଣ କରି ରଖିବା ଲାଗି ସିଏ ଷୋଳଶହ କୋଟି ଟଙ୍କା ଜମା କରି ରଖିଥିଲେ । ସେହି ଷୋଳଶହ କୋଟି ଟଙ୍କାକୁ ସିଏ । ସାଙ୍ଗରେ ନେଇ ଯାଇ ପାରିଲେ ନାହିଁ । ଏଠି ଏହି ସଂସାରରେ ବି ଖର୍ଚ୍ଚ କରି ପାରିଲେ ନାହିଁ । ଟଙ୍କାଗୁଡ଼ିକ ଏଇଠି ଖତ ହୋଇଗଲା; ମାଟି ହୋଇ ପଡ଼ିରହିଲା ।

 

ରାଜା, ସମ୍ରାଟ୍ ଓ ଶାହା—ଏଗୁଡ଼ାକ ସେକାଳର କଥା । ସେହି କାଳର ଶାସ୍ତ୍ରର । କଥା; ସେକାଳେ ଯାହାକୁ ଧର୍ମ ବୋଲି କୁହାଯାଉଥିଲା, ସେହି ଅଧର୍ମର କଥା । ଇରାନର ଶାହା ବଞ୍ଚିଥିବାବେଳେ ନିଜକୁ ହୁଏତ ଇନ୍ଦ୍ରପରି ଭାବୁଥିଲେ । ଆପଣାର ଦେଶଟାକୁ ସିଏ ହୁଏତ ଗୋଟାଏ ଲମ୍ବାଚଉଡ଼ା ଇନ୍ଦ୍ରମୁଲକ କରି ଗଢ଼ିଦେବେ ବୋଲି ଭାବିଥିଲେ । ତାଙ୍କ ତେଲ ତାଙ୍କୁ ବାଇଆ କରିପକାଇଲା । ସିଏ ଷୋଳଶହ କୋଟିରେ ରହିଗଲେ । ମଣିଷର ଜୀବନ ଓ ମଣିଷର ମୂଲ୍ୟ କହିଲେ ଯେଉଁସବୁ ସ୍ୱପ୍ନକୁ ବୁଝାଏ, ସେଗୁଡ଼ାକୁ ଶାହା ମୋଟେ ସ୍ପର୍ଶ କରି ପାରିଲେ ନାହିଁ । ମଣିଷଲାଗି ଆଗକୁ ଯେଉଁ ଯୁଗ ଆସୁଛି, ସେଗୁଡ଼ାକ ସିଏ ମୋଟେ ବାରିପାରିଲେ ନାହିଁ । ସିଏ ଏହି ବିରାଟ ବିଶ୍ୱର ଘରେ ଅଘରିଆ ହୋଇ ରହି ଗଲେ । ଶେଷକୁ ଅଘରିଆ ହୋଇ ମଲେ ।

 

ଶାହାଙ୍କର ନିଜର ପିଲାପିଲି ଥିଲେ, ପତ୍ନୀ ବି ଥିଲେ । କିନ୍ତୁ ସେମାନଙ୍କୁ ସିଏ । ମଣିଷର ଆଖିରେ ଦେଖୁନଥିଲେ । ହୁଏତ କେବଳ ଗୋଟାଏ ଶାହାର ନାନା କୋପନ ଦ୍ୱାରା ପ୍ରପୀଡ଼ିତ ଏକ ଆଖିରେ ଦେଖୁଥିଲେ । ଶାହା ଛାଡ଼ିଯାଇଥିବା ଷୋଳଶହ କୋଟିର ସମ୍ପତ୍ତ ସେମାନଙ୍କୁ ସେମାନେ ସମ୍ମୁଖୀନ ହେବାକୁ ଯାଇଥିବା ପୃଥିବୀରେ ହୁଏତ ଆଦୌ କୌଣସି ସାହାଯ୍ୟ କରିବ ନାହିଁ । ଗୋଟାଏ ଶାହାର ପୁଅ, ଝିଅ ଓ ବିରାଦର ହୋଇ ସଂସାରରେ ଜନ୍ମ ହେବା ପ୍ରକୃତରେ ଯେ କେଡ଼େ ବଡ଼ ଦୁର୍ଭାଗ୍ୟର କଥା, ସେମାନେ ବର୍ତ୍ତମାନ ସେହି କଥାଟିକୁ ଅଙ୍ଗେ ନିଭାଇବେ । ସେମାନେ ନିଜେ ଆଉ କଦାପି ଶାହା ହେବାଲାଗି ମୋଟେ ମନ କରିବେ ନାହିଁ । ଷୋଳଶହ କୋଟିଠାରୁ ମଣିଷକୁ ଅଧିକ ମୂଲ୍ୟ ଦେଇଶିଖିବେ ।

 

୧୨ । ୦୯ । ୮୦

☆☆☆

 

ମୁଁ ଭଲରେ ରହିବି

 

ମୁଁ ଭଲରେ ରହିବି ନା ସମ୍ମାନର ସହିତ ରହିବି ? ନିଜକୁ ଏହି ପ୍ରଶ୍ନଟିକୁ ପଚାରିବାକୁ ପ୍ରକୃତରେ ବେଳେବେଳେ ଭାରି ଡର ମାଡ଼ୁଥିବ । କାରଣ ଠିକ ସେତିକିବେଳେ ହିଁ ଆମର ଅସଲ ପରୀକ୍ଷା ହୋଇଯାଉଥିବ । ଆମର ଅସଲ । ନାଡ଼ୀଗୁଡ଼ାକ ଧରା ପଡ଼ିଯାଉଥିବ । ଆମ ଭିତରେ ମେରୁଦଣ୍ଡ ବୋଲି ଗୋଟାଏ ପଦାର୍ଥ ରହିଛି କି ନାହିଁ, ତାହାର ପ୍ରମାଣ ମିଳିଯାଉଥିବ ।

 

ମୋର ଘର ଅଛି, ଚାକିରି ଅଛି, ପାଠ ଅଛି, ପଦବୀ ଅଛି । ମୁଁ କଟକରେ ରହିଛି ବା ଭୁବନେଶ୍ୱରରେ ରହିଛି । ଏଠାରୁ ମୋତେ ଯେପରି କେହି ହଟାଇ ନପାରିବେ, ସେଥିଲାଗି ମୁଁ ଉପରେ ଥିବା ଦିଅଁମାନଙ୍କୁ କେତେ ପ୍ରକାରେ ଶାନ୍ତ କରି ରଖିଛି, ଅର୍ଥାତ୍ କେତେପ୍ରକାର ହାତକରି ରଖିଛି । କିନ୍ତୁ ତଥାପି ମୋ’ଭିତରେ କୌଣସି ମେରୁଦଣ୍ଡ ନାହିଁ । ମୁଁ ଅଧ୍ୟାପକ, ମୁଁ ବାବୁ, ମୁଁ ଅଫିସର, ମୁଁ ସାହେବ; ତଥାପି ମୋର କୌଣସି ମେରୁଦଣ୍ଡ ନାହିଁ । ଭଲରେ ରହିବାକୁ ହିଁ ମୁଁ ଜୀବନର ସର୍ବୋତ୍ତମ ପ୍ରସାଦ ବୋଲି ମାନିଆସିଛି । ତେଣୁ ସମ୍ମାନରେ ରହିଲେ ଯାଇ ରହିଲା ପରି ରହିହୁଏ ବୋଲି ମୁଁ କୋଉଦିନୁ ପାସୋରିସାରିଲିଣି ।

 

ଉପର ହାକିମ ମୋର ଭାଗ୍ୟଧର । ସିଏ ମୋତେ ବେଜିତ୍‍ କରିପାରିବେ, ମୋତେ ଚାକର ପରି ବ୍ୟବହାର କରିପାରିବେ, ମୋତେ ବସାଇବେ ଉଠାଇବେ—ମୋର ବସ୍ତ୍ରହରଣ କରିବେ; ମୁଁ ତଥାପି ଭଲରେ ରହିବି । ସୁଖରେ ରହିବି । ବାହାରକୁ କେଡ଼େ କାଢ଼ୁଆ ପରି ଦିଶିବି । କିନ୍ତୁ ମୋ’ଭିତରେ ମେରୁଦଣ୍ଡ ବୋଲି ଗୋଟାଏ ପଦାର୍ଥ ଅଛି କି ନାହିଁ, ସେ ବିଷୟରେ କେବେହେଲେ ନିଜକୁ ପଚାରିବି ନାହିଁ । ବିବେକକୁ ବୁଝାଇ କହିବି ଯେ ଆଜିକାଲି ମେରୁଦଣ୍ଡକୁ ବଜାରରେ କେହି ପଚାରୁନାହାନ୍ତି, ମେରୁଦଣ୍ଡ ରହିବା ଦ୍ୱାରା ଏବେ ଖଡ଼ା ବି ସିଝୁନାହିଁ । ତେଣୁ ମୋର ମେରୁଦଣ୍ଡ ବୋଲି କିଛି ନରହିଲା ବୋଲି ସେଥିରେ ଦୁଃଖ କରିବାର କୌଣସି କାରଣ ନାହିଁ-

 

ଆମେ ଅଧିକାଂଶ ମଣିଷ ଏବେ ଭଲରେ ରହିବାକୁ ହିଁ ଧର୍ମ ବୋଲି ମାନିନେଲୁଣି । ଆମେ ପ୍ରକୃତରେ କେଡ଼େ ଭଲରେ ରହିଛୁ । ଆମ ବିଦ୍ୟାଗୁଡ଼ାକ କେଡ଼େ ବାଗରେ ଶୀତଳ ହୋଇ ରହିଯାଉଛନ୍ତି । ଭଲରେ ରହିଲେ ହିଁ ସମ୍ଭବତଃ ଆମକୁ ଅଧିକ ସମ୍ମାନ ମିଳୁଥିଲା ପରି ମନେ ହେଉଛି । ତେଣୁ ଅସଲ ସମ୍ମାନକୁ ପଚାରିବାକୁ ବେଳ ନାହିଁ । ବିପଣିଗୁଡ଼ାକ ଚମତ୍କାର ଭାବରେ ଚାଲିଛି । ତେଣେ ଭିତରର ମଣିଷଟାର କ୍ରମେ ଧ୍ଵଜଭଙ୍ଗ ହେବାରେ ଲାଗିଛି । ମଣିଷଗୁଡ଼ାକ ତୁଚ୍ଛା ଚାକିରିଆ ହୋଇ ରହିଛନ୍ତି ।

 

୧୮ । ୦୯ । ୮୦

☆☆☆

 

ମନ୍ତ୍ରୀ ହେବି କାହିଁକି ?

 

ମନ୍ତ୍ରୀ ଶିକ୍ଷା ବିଷୟରେ କହୁଥିଲେ । ଶିକ୍ଷାରେ ବିପ୍ଳବ କରିବା ପାଇଁ କହୁଥିଲେ । ଆମ ସମସ୍ତଙ୍କୁ ଏକ ନୂତନ ଓଡ଼ିଶା ଗଢ଼ିବା ସକାଶେ ସିଏ ଉଦବୋଧନ ଦେଉଥିଲେ ।

 

ଶିକ୍ଷାରେ ବିପ୍ଳବ କରିବି ଯଦି, ତେବେ ମନ୍ତ୍ରୀ ହେବାକୁ ଯିବି କାହିଁକି ? ଯଦି ମୁଁ ପ୍ରକୃତରେ ଏକ ନୂତନ ଓଡ଼ିଶା ଗଠନ ବା ନିର୍ମାଣ କରିବାକୁ ଚାହୁଁଥିବି, ତେବେ ମନ୍ତ୍ରୀ ହେବାକୁ ଆଦୌ ବା ଯିବି କାହିଁକି ? ମନ୍ତ୍ରୀର ଆସନରେ ବସି ଯେଉଁମାନେ ପ୍ରେମରେ ବାଉଳା ହୋଇ ଏସବୁ କଥା କହି ଚାଲିଯାଉଥାନ୍ତି, ସେମାନେ କେବେହେଲେ ଏସବୁ ପ୍ରଶ୍ନ ଆପଣାକୁ ପଚାରି ନଥାନ୍ତି । ସେମାନେ ହୁଏତ ଆପଣାକୁ ଆଦୌ କୌଣସି ପ୍ରଶ୍ନ ପଚାରି ନଥାନ୍ତି । ପ୍ରଶ୍ନ ପଚାରି ପ୍ରଶ୍ନର ଉତ୍ତର ଦେବାର ମାଧ୍ୟମରେ ବାଟ ଚାଲୁଥିବା ମଣିଷ କଦାପି ମନ୍ତ୍ରୀ ହେବାକୁ ଯାଏନାହିଁ ।

 

ଶିକ୍ଷାରେ ବିପ୍ଳବ କରୁ କରୁ ଅଥବା ନୂତନ ଓଡ଼ିଶା ଗଢ଼ୁ ଗଢ଼ୁ ମନ୍ତ୍ରୀଙ୍କ ପାଖରେ ଆସି ତାଙ୍କର ମନ୍ତ୍ରୀପଣଟା ହାବୁଡ଼ିଗଲା କି ? ନା ଆଗରୁ ସିଏ ଏସବୁ କିଛି କରୁନଥିଲେ, କିଛି ଭାବୁନଥିଲେ, କେବଳ ରାଜନୀତିରେ ଥିଲେ, ତା’ରି ଭିତରେ ଲଟରପଟର ହୋଇ ନିଜ ଲାଗି କୌଣସି ଶିକା ଛିଡ଼ିବାର ବେଳ ହୁଏତ ଆସିବ ବୋଲି ଅପେକ୍ଷା କରୁଥିଲେ । ସେମିତି ଏକ ବେଳ ପ୍ରକୃତରେ ଆସିଲା, ଶିକା ପ୍ରକୃତରେ ଛିଡ଼ିଲା ଏବଂ ଦାଣ୍ଡର ବିଧାନ ମାନି ମନ୍ତ୍ରୀ ଆମକୁ ଶିକ୍ଷାରେ ବିପ୍ଳବ କରିବା କଥା କହିଲେ; ନୂତନ ଓଡ଼ିଶା ଗଠନ କରିବା ବିଷୟରେ କହିଲେ । ତାଙ୍କ ଆଗରୁ ବି ସେହି ଦାସବଂଶର କେତେ ରାଜା ଆମକୁ ବିପ୍ଳବ କରିବାକୁ କହିଥିଲେ, ଘୋଡ଼ା ହେବାକୁ କହିଥିଲେ ଓ ହାତୀ ହେବାକୁ ବି କହିଥିଲେ । ମନ୍ତ୍ରୀ ଥିଲେ ବୋଲି ବକାରର ବିଧାନମାନି ଏସବୁ କହିଥିଲେ । ସେମାନଙ୍କର ମନ୍ତ୍ରୀ ପଦ ଚାଲିଯିବା ସଙ୍ଗେ ସଙ୍ଗେ ସେମାନେ କହିଥିବା କଥାଗୁଡ଼ାକ ମଧ୍ୟ କୁଆଡ଼େ ଉଡ଼ିଗଲା ।

 

ପୁଣି ସେଇ କଥା । ଯିଏ ଶିକ୍ଷାରେ ବିପ୍ଳବ କରିବ, ସିଏ କଦାପି ମନ୍ତ୍ରୀ ହେବାକୁ ଯିବନାହିଁ । ସଂସାରଯାକର କୌଣସି ଦେଶରେ ଶିକ୍ଷାରେ ବିପୁବ କରିଥିବା ମଣିଷ ମନ୍ତ୍ରୀ ହେବାକୁ ମନ କରିନାହାନ୍ତି । ସେମାନେ ବିପ୍ଳବକୁ ମନ କରିଛନ୍ତି । ମନ୍ତ୍ରୀଙ୍କୁ ସଭାକୁ ଡାକି ଆମେ ଯେଉଁମାନେ ମନ୍ତ୍ରୀଙ୍କ ମୁହଁରୁ ବିପ୍ଳବର କଥା କୁହାଉଛୁ ଓ ତାଙ୍କୁ ତାଙ୍କ ନକ ପାଖରେ ମିଛୁଆ କରୁଛୁ, ହୁଏତ ଆମେ ମଧ୍ୟ ଶିକ୍ଷାରେ ଆଦୌ କୌଣସି ବିପୁବ ଚାହୁନାହିଁ । ଆମକୁ ଏଇ ପୁରୁଣା ଓଡ଼ିଶାଟା ଭାରି ଭଲ ଲାଗୁଛି—ଗୋଳିପାଣି ପରି ଭାରି ସୁହାଉଛି ।

 

୨୧ । ୦୯ । ୮୦

☆☆☆

 

ଠାକୁରେ କ’ଣ ହୋଇଥିବେ ?

 

ଆମେ ଯାହା ନୋହୁ, ଠାକୁରେ ସମ୍ଭବତଃ ତାହାହିଁ ହୋଇଥିବେ କିମ୍ବା ଆମଭିତରୁ ଅନେକ ଭାଗ୍ୟବନ୍ତ ମଣିଷ ଯାହା ହୋଇପାରୁଛନ୍ତି ଓ ଯାହାଙ୍କର ମାହାଲଗୁଡ଼ାକ ଖାତାରେ ଲେଖା ହେଉଛି, ଠାକୁରେ ପ୍ରାୟ ସେହି ମାନଙ୍କପରି ହୋଇଥିବେ । ଅନ୍ତତଃ, ସେଇମାନଙ୍କର ନକ୍‌ସା ଅନୁସାରେ ନିଶ୍ଚୟ ତିଆରି ହୋଇଥିବେ ।

 

ଠାକୁରେ ମନ୍ତ୍ରୀ ହୋଇଥିବେ, ଭୁବନଗୋଟାକର ଈଶ୍ୱର ହୋଇଥିବେ । ସବୁ କରୁଥିବେ, କରାଉଥିବେ । ସୃଷ୍ଟିରୁ ସ୍ଥିତି ଓ ସ୍ଥିତିରୁ ପ୍ରଳୟ ଘଟାଉଥିବେ । ରାମବାଣରେ କଟାହୋଇ ତଥାପି ପୁଣି ଭେଣ୍ଡା ହୋଇ ଠିଆହୋଇଯାଉଥିବେ । ବିଷ୍ଣୁ ମାଇଲେ ଶିବଙ୍କ ପାଖକୁ ଧାଉଁଥିବେ ଓ ଶିବ ମାଇଲେ ବିଷ୍ଣୁଙ୍କର ରେଣୁ ଚୁମ୍ବନ କରୁଥିବେ । ଆମର ଭାଗ୍ୟଗୁଡ଼ାକ ବିଲକୁଲ ତାଙ୍କରି ହାତରେ ଥିବ । ତାଙ୍କରି ବରାଦ ଅନୁସାରେ ପାଞ୍ଚବର୍ଷ ଲାଗି ଆଉ ଗୋଟାଏ ପ୍ରକାରେ ନଚାହେଉଥିବ । ତଥାପି ଯୋଉଠି ଥିଲା, ଠିକ ସେଇଠି ରହିଥିବ ।

 

ଠାକୁରେ ଡାକ୍ତର ବି ହୋଇଥିବେ । ଦିହ ଅସୁଖ ହେଲେ ଆଗ ତାଙ୍କରି କଥା ମନେପଡ଼ୁଥିବ । ଆମ ଆୟୁଷଗୁଡ଼ାକ ଖାସ୍ ତାଙ୍କରି ହାତରେ ରହିଥିବ । ଆମକୁ ଏକା ସେଇ ମୃତସଞ୍ଜୀବନୀ ଜାଣିଥିବା ଏକମାତ୍ର କାଢ଼ୁଆ ପୁରୁଷ ବୋଲି ଦିଶୁଥିବେ । ତେଣ ତାଙ୍କର ଦାଢ଼ୁଆ ଚିକିତ୍ସାଗୁଡ଼ାକ ଯେଡ଼େ ମହରଗ ହେଲେ ମଧ୍ୟ ଆମେ ଅଟଳ ବିଶ୍ୱାସ ସହିତ ତାହାରି ମୁହଁକୁ ଅନାଇ ରହିଥିବା । ଆମ ଭାଗ୍ୟ ଅପେକ୍ଷା ଆମେ ତାଙ୍କୁ ଅଧିକ ବଡ଼ବୋଲି ମାନୁଥିବା ।

 

ଠାକୁରେ ହାକିମ ବି ହୋଇଥିବେ । ତାଙ୍କରି ପାଖରେ ସବୁଯାକ ବୁଦ୍ଧି ଜମା ହୋଇ ରହିଥିବ । ତାଙ୍କର ବାହନ ଥିବ । ଇନ୍ଦ୍ରଭୁବନ ଥିବ । ଐରାବତ ଓ ଉଚୈଶ୍ରବା ବି ଥିବେ । ସେମାନଙ୍କର ମୁହଁ ଗୁଡ଼ିକ ସତେଅବା ପାରିଜାତ ଫୁଲ ଦ୍ୱାରା ଖୁନ୍ଦାଖୁନ୍ଦି ହୋଇ ରହିଥିବା ପରି ଦେଖାଯାଉଥିବ । ସିଏ କଥା କହିଲାବେଳେ ଯେମିତି ଦିଶୁଥିବେ, କଥା ନ କହିଲାବେଳେ ମଧ୍ୟ ଠିକ୍ ସେମିତି ଦିଶୁଥିବେ । କିଛି କଲାବେଳେ ଯେମିତି ଦିଶୁଥିବେ, କିଛି ନ କଲାବେଳେ ମଧ୍ୟ ଅବିକଳ ସେହିମତି ଦିଶୁଥିବେ । ପାରାମାନେ ଆସୁଥିବେ, ପାରାମାନେ ଉଡ଼ି ଚାଲିଯାଉଥିବେ । କିନ୍ତୁ ଏମାନେ ଘୁଅଭାଡ଼ି ପରି ଯେମିତି ସେମିତି ରହିଥିବେ । ସେମିତି ମୁରୁକି ହସୁଥିବେ । ସେମିତି ଭ୍ରାନ୍ତିରେ ପକାଇ ରଖିଥିବେ । ତଥାପି ଦେଶଟାଯାକ ତାଙ୍କରି ଗମାତରେ ଚାଲିଥିବ ।

 

ମୋ’ ଭିତରେ ବି ଠାକୁରେ ଅଛନ୍ତି ବୋଲି ଯଦି ମୁଁ ଦିନେ ସୁରାକ ପାଇଯାଆନ୍ତି । ତେବେ ମୁଁ ଏହି ମନ୍ତ୍ରୀମାନଙ୍କୁ ଡେଇଁଯାଆନ୍ତି; ଏହି ଡାକ୍ତର, ଇଞ୍ଜିନିୟର, ହାକିମ ଆଉ ହୁକୁମାମାନଙ୍କୁ ଡେଇଁ କୁଆଡ଼େ ଚାଲିଯାଆନ୍ତି ।

 

୨୩ । ୦୯ । ୮୦

☆☆☆

 

ରାଜନାରାୟଣଙ୍କ ଭୁଲ

 

ରାଜନାରାୟଣ ନିଜର ଭୁଲ ମାଗିଲେ । ଯେତିକି ଉତ୍ତେଜିତ ହୋଇ ସେ ଏକଦା ଭୁଲ କରିଥିଲେ, ହୁଏତ ସେତିକି ଉତ୍ତେଜିତ ହୋଇ ଏବେ ଭୁଲ ମାଗିଲେ । ଉତ୍ତେଜିତ ହୋଇ ଦାଢି ବଢ଼ାଇଥିଲେ; ଉତ୍ତେଜିତ ହୋଇ ଦାଢ଼ି କାଟିଥିଲେ । ଉତ୍ତେଜିତ ହୋଇ । କବର ବାହାରିଯାଇଥିଲେ, ହୁଏତ ଠିକ୍ ସେହିପରି ଉତ୍ତେଜିତ ହୋଇ ହିଁ ସେ ପୁନର୍ବାର କ୍ଲବ୍ ଭିତରକୁ ଆସିବାକୁ ମନ କରୁଛନ୍ତି ।

 

ରାଜନାରାୟଣଙ୍କର ଦୁର୍ଭାଗ୍ୟ ଯେ, ସିଏ ପ୍ରଧାନତଃ ଉତ୍ତେଜିତ ଭାବରେ ହିଁ ନିଜର ଆୟୁଷ ସାରିଲେ; ଆମ ସମସ୍ତଙ୍କର ମହତ ସାରିଲେ । ତାଙ୍କର ଯାହା କିଛି । ତ୍ୟାଗ, ସଂସାରତ୍ୟାଗ ସମେତ, ସମ୍ଭବତଃ ଏହିପରି ଏକ ଉତ୍ତେଜନାରୁ ସେଗୁଡ଼ାକର ଜନ୍ମ । ବିଚାର ଭିତରେ ଯେତେବେଳେ ଅକାରଣରେ ଗୁଡ଼ାଏ ତାତି ପଶିଯାଏ, ସେତେବେଳେ ସେହି ତାତି କ୍ରମେ ବିଚାରଟାକୁ ବି ଗିଳିପକାଏ । ହୁଏତ ଏକପ୍ରକାରର ହୀନମନ୍ୟତା ହେତୁ ତାତିଗୁଡ଼ାକ ବାହାରେ ଆସି ଫୁଟିବାକୁ ପ୍ରଶ୍ରୟ ପାଆନ୍ତି । ସେହି ହୀନମନ୍ୟତା ଯେ ହୁଏତ କୋଉ ଗଭୀରରେ ଯାଇ ବାସକରୁଥାଏ, ଖୋଦ୍ ତାହାର ମାଲିକ ମଧ୍ୟ ତାହାର ସୁରାକ ପାଏନାହିଁ । ତାହାହିଁ ବାହାରକୁ କ୍ରୋଧ ହୋଇ ବାହାରେ, ଉଗ୍ର ତ୍ୟାଗ ହୋଇ ବାହାରେ, ତଥାକଥିତ ନିଃସ୍ୱାର୍ଥପର ଦ୍ବେଷ ହୋଇ ବାହାରେ, ସଂସାରକୁ ଛାରଖାର କରିଦିଏ । ସଂସାରଟାକୁ ମାରିପିଟି ନିଜର ଇଚ୍ଛା ଅନୁସାରେ ବଦଳାଇଦେବା ପାଇଁ, ସଂସାରରୁ ପଳାଇଯିବା ପାଇଁ ଇଚ୍ଛା ହୁଏ । ଭିତରର ତାତିଗୁଡ଼ାକ ଆମର ସକଳ ନିଷ୍ଠା ଓ ସକଳ ନ୍ୟାୟଯୁକ୍ତି ସତ୍ତ୍ୱେ ବାହାରେ ଆମର ଖଳତାରୂପେ ପ୍ରକଟ ହେବାରେ ଲାଗିଥାନ୍ତି ।

 

ଯିଏ ଅନୁତାପ କଲା, ସିଏ ଘରକୁ ଆସୁ । ରାଜନୀତିରେ ନପଶି ସିଏ ଘରକୁ ଫେରିଆସୁ । ସିଏ ପ୍ରକୃତିସ୍ଥ ହେଉ । ସମସ୍ତଙ୍କୁ ଆପଣାର କରିବାର ଯୋଗ୍ୟ ହେଉ । ନୀରବ ହୋଇଯାଉ । ଆପଣାକୁ ସ୍ପର୍ଶ କରିବାର ଯୋଗ୍ୟ ହେଉ । ବିଧାନ ମାନୁ । ଅସଲ ଘରକୁ ଫେରିଆସୁ ।

 

ରାଜନାରାୟଣ ହୁଏତ ଏକଥା ମୋଟେ କରିବେ ନାହିଁ । ସିଏ ହୁଏତ ସେହି ପୁରୁଣା ହାଟଗୁଡ଼ାକରେ ପୁଣି ଯାଇ ପଶିବେ, ପୁରୁଣା ଶୁଣ୍ଢିମାନଙ୍କ ପାଖରେ ପୁଣି ଯାଇ ଗେଲେଇହେବେ । ପୂର୍ବରୁ ସେହି ରାଜଧାନୀ-ବିଳାସର ପର୍ବଟି ପୁନର୍ବାର ଫେରିଆସୁ ବୋଲି ଆପଣାର ଉତ୍ତପ୍ତ ସଂକଳ୍ପଗୁଡ଼ାକ ପାଖରେ କେତେ ନେହୁରା ହେବେ । ପୁଣି ହାସ୍ୟାସ୍ପଦ ହେବେ । ଯୋଉ ଘୃଣା ଓ ଉଗ୍ରତା ଭିତରେ ମନ୍ଦାରଫୁଲରେ ଠେକା ବାନ୍ଧି ଡିହକୁ ଡିହ ଡେଉଁଥିଲେ, ପୁଣି ସେହିପରି ଡେଇଁବେ-। ସିଏ ଯୋଉଠି ଅଛନ୍ତି, ସେଇଠି ରହିଯିବେ; ଆମେସବୁ ଆଗକୁ ବାହାରିଯିବା ।

 

୨୬ । ୦୯ । ୮୦

☆☆☆

 

ବ୍ୟାପକ କ୍ରୀଡ଼ା–ଯୋଜନା

 

ଓଡ଼ିଶା ରାଜ୍ୟର ଭାଗ୍ୟ ପ୍ରକୃତରେ ଭାରି ଟାଣ, ଭାରି ଉଜ୍ଜ୍ୱଳ । ଏଠି ସରକାର ଆମ ସମସ୍ତଙ୍କ ଲାଗି ଏକ ବ୍ୟାପକ କ୍ରୀଡ଼ା-ଯୋଜନାର ଚିନ୍ତା କଲେଣି । ଏହି ଯୋଜନାରେ ଏକାବେଳକେ କୋଡ଼ିଏ କୋଟି ଟଙ୍କା ଖରଚ ହେବ । ସରକାରଙ୍କ ଭାଷାରେ ସର୍ବନିମ୍ନ ସ୍ତରଠାରୁ ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ କ୍ରୀଡ଼ାର ବିକାଶ ଲାଗି କେତେ କ’ଣ କରାଯିବ । ସେସବୁ ହୋଇଗଲେ ଆମେ ଖାଲି ଖେଳିବା, ବଳୁଆ ହୋଇ ଡେଇଁବା, ଦେଶବିଦେଶରେ ନାଆଁକରିବା । ବୋଇତ ଭସାଇ କ୍ରୀଡ଼ାର ସାଧବ ହୋଇ କେତେ କୁଆଡ଼େ ଯାତ୍ରାକରିବା ।

 

ଯୋଉ ରାଜ୍ୟରେ ଶହେରେ ଅଶୀ କଣ ଖାସ୍ କର୍ତ୍ତା ମାନଙ୍କର ହିସାବ ଅନୁସାରେ ଦାରିଦ୍ର୍ୟର ସୀମାରେଖା ତଳେ ରହିଥାନ୍ତି, ସେଠି ଯିଏ ସେହି ରାଜ୍ୟର ଲୋକଙ୍କ ଆଗରେ କ୍ରୀଡ଼ାର ଯୋଜନା ବିଷୟରେ କହେ, ସିଏ ପ୍ରକୃତରେ ରାଜ୍ୟକୁ ଧୋକା ଦେବା ପାଇଁ ଚାହୁଥାଏ । ମଣିଷ ଲାଗି କ୍ରୀଡ଼ାର ନିଶ୍ଚୟ ଦରକାର ଅଛି; କିନ୍ତୁ ତା ପୂର୍ବରୁ ଖାଦ୍ୟର ଦରକାର ଅଛି, କର୍ମ-ସଂସ୍ଥାନର ଦରକାର ଅଛି, ପିଲାମାନଙ୍କ ଲାଗି ପାଠ ପଢ଼ିବାର ଦରକାର ଅଛି । ସବୁ ମଣିଷ ପହିଲିମାନ ହେଲେ ଯେ ଦେଶ ଭାରି ସୁନ୍ଦର ଦିଶିବ, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ । ମାତ୍ର ଏସବୁ ହେବା ପୂର୍ବରୁ ଆଗ ପ୍ରତ୍ୟେକ ମଣିଷ ନିଜକୁ ମଣିଷ ବୋଲି ଅନୁଭବ କରିବାକୁ ଯାହା କିଛି ଅତ୍ୟାବଶ୍ୟକ, ସେହି ସବୁର ଅବଶ୍ୟ ବ୍ୟବସ୍ଥା ହୋଇପାରିବା ଉଚିତ । ତା’ ନହେଲେ ପ୍ରାଚୀନ ରୋମ ସାମ୍ରାଜ୍ୟରେ କେତେଜଣ ପହିଲିମାନ ବନୁ ବନ୍ତୁ ଯେପରି ରାଜ୍ୟର ସ୍ତମ୍ଭଗୁଡ଼ାକ ଭୁଷୁଡ଼ି ପଡ଼ିବାକୁ ବାଧ୍ୟ ହୋଇଥିଲା, ଆମେ ଏଠାରେ ମଧ୍ୟ ସେହି ଅବସ୍ଥାର ସମ୍ମୁଖୀନ ହେବା ।

 

ଆମର ନେତୃତ୍ଵ ଦେଶଲାଗି ଖାଦ୍ୟ, ବସ୍ତ୍ର ଓ କର୍ମର ଏକ ସମଗ୍ର ଯୋଜନା କରିପାରିବା ପୂର୍ବରୁ ଆଗ କ୍ରୀଡ଼ାର ଯୋଜନା ଯେ କରିବ ବୋଲି ଆଗ୍ରହ ଦେଖାଉଛି ଓ ଯାବତୀୟ ସୁବିଧା ଭୋଗକରୁଥିବା ଗେହ୍ଲାମାନଙ୍କୁ ବର୍ବର କରିବାକୁ ଯେ ମସୁଧା କରୁଛି, ତାହା ଆମ ସମସ୍ତଙ୍କ ପକ୍ଷରେ ଏକ ଲଜ୍ଜାର କଥା । ଆମ ଦେଶର ଶାସନ ଏବେ ମଧ୍ୟ ଏକ ଦରବାରୀ ସ୍ତରରେ ରହିଛି, ଏଥିରୁ ସେହି କଥାଟିର ପରିଚୟ ମିଳୁଛି । ଆମର ରାଜନୀତି ଯେ ଆମକୁ ଲଟା ଭିତରେ ନେଇ ପୂରାଇଲାଣି, କେବଳ ତାହାରି ପ୍ରମାଣ ମିଳୁଛି ।

 

କ୍ରୀଡ଼ାର ଯୋଜନା ଖୁବ୍ ହେଉ । କିନ୍ତୁ ତା ପୂର୍ବରୁ ଏଠି ପ୍ରତ୍ୟେକ ମଣିଷକୁ ଆଗ ମଣିଷ ବୋଲି ସ୍ୱୀକାର କରାଯାଉ । ଅନେକ ମଣିଷଙ୍କୁ ଅସ୍ୱୀକାର କରି ଆମର କ୍ରୀଡ଼ାବିତ୍ ଖିଆଲଗୁଡ଼ାକ ଥୋକେ ମଣିଷଙ୍କୁ ରାକ୍ଷସ କରି ଗଢ଼ିବାର ପାଞ୍ଚ ନକରୁ ।

 

୨୮ ୦୯ । ୮୦

☆☆☆

 

ସବୁଜ ବିପ୍ଳବ ଓ ଦାରିଦ୍ର

 

ଆମ ଗାଡ଼ି ଧାନକିଆର ମଝିରେ ଥିବା ରାସ୍ତାରେ ଚାଲିଯାଉଥିବା ସମୟରେ ଧାନକିଆରି ଆମ ଆଖିକୁ ଭାରି ସୁନ୍ଦର ଦେଖାଯାଏ । ମଧୁବାବୁ ସହରରେ ବସି କୃଷକ ବିଷୟରେ କବିତା ଲେଖୁଥିବା ସମୟରେ କୃଷକର ଜୀବନ ତାଙ୍କୁ ଭାରି ସରଳ ଓ ସୁଖପ୍ରଦ ବୋଲି ମନେହେଉଥିଲା । ସମ୍ଭବତଃ ସେହିପରି ଏକ ଉଲ୍ଲାସରେ ଭୁଲିଯାଇ ସେଦିନ କୃଷି-କଲେଜର ସୁଶୋଭିତ ମଞ୍ଚରେ ବସିଥିବା ସମୟରେ ଆମର ମନ୍ତ୍ରୀ କୃଷି ବିଷୟରେ କେତେ କଥା କହିଗଲେ ।

 

ମନ୍ତ୍ରୀ କହିଲେ, ସବୁଜ ବିପ୍ଲବଦ୍ଵାରା ହିଁ ଦେଶର ଦାରିଦ୍ର୍ୟ ଦୂର ହୋଇଯିବ । ସବୁଜ ବିପ୍ଳବର ଅର୍ଥ ହେଉଛି କୃଷିରେ ଅଧିକରୁ ଅଧିକ ଉତ୍ପାଦନ, ଅଧିକ ସାର, ଅଧିକ ପାଣି ଓ ଅଧିକ ବୈଜ୍ଞାନିକ ଜ୍ଞାନକୁ ଲଗାଇ ଗୁଣକ ଜାଗାରେ ପାଞ୍ଚଗୁଣ କି ସାତଗୁଣ ଅଧିକ ଉତ୍ପାଦନ । ଏଗୁଡ଼ାକ ଆମ ଭାରତବର୍ଷରେ ଗତ କେତେ ବର୍ଷ ହେଲା ଖୁବ୍ ହୋଇଛି; ଏବେ ମଧ୍ୟ ହେଉଛି । କୃଷି-କଲେଜଗୁଡ଼ାକ ଏହି ମହୋଦ୍ୟମରେ କେତେ କ’ଣ ସାହାଯ୍ୟ କରିଛନ୍ତି; ଏବେ ମଧ୍ୟ କରୁଛନ୍ତି । ତଥାପି ଏହାଦ୍ୱାରା ଦାରିଦ୍ର୍ୟ ଯେ ଦୂର ହୋଇନାହିଁ, ସେକଥା ବି ସେହି କୃଷିବିଶେଷଜ୍ଞମାନଙ୍କର ତୁଣ୍ଡରୁ ବାହାରିଛି । ହୁଏତ ଦାରିଦ୍ର୍ୟ ବଢ଼ିଛି । ଏହା ଫଳରେ ଆମ ଦେଶର କେତେ ସାନଚାଷୀ ନିଜ ଜମିଚାଖଣ୍ଡକୁ ବିକିବାକୁ ବାଧ୍ୟହୋଇ ଖେତରେ ମୂଲିଆ ହୋଇ ଆଉ କେଉଁ ବଡ଼ ଜମିମାଲିକର ଜମିରେ କାମ କରି ଜୀବିକାର୍ଜନ କରୁଛନ୍ତି ।

 

ଏହି ତଥାକଥିତ ସବୁଜ ବିପ୍ଲବ ଯେ ଦାରିଦ୍ର୍ୟ ଘୁଞ୍ଚାଇବାକୁ ମୋଟେ ଯଥେଷ୍ଟ ନୁହେଁ, ଏକଥା ପୃଥିବୀର କୃଷିତଜ୍ଞମାନେ ପ୍ରାୟ ସମସ୍ତେ କହିବାକୁ ଆରମ୍ଭ କଲେଣି । ଦାରିଦ୍ର୍ୟ ଭିତରେ ଆର୍ଥିକ ଦାରିଦ୍ର୍ୟ ଅନ୍ତର୍ଗତ ହୋଇ ରହିଛି ସତ, ମାତ୍ର ଦାରିଦ୍ର୍ୟ ହେଉଛି ଏକ ସମଗ୍ର ସମସ୍ୟା, ଏକ ସାମାଜିକ ସମସ୍ୟା ଓ ଏକ ମାନବିକ ସମସ୍ୟା । ଆମ ଦେଶର ଯେଉଁସବୁ ଜମିରେ ସବୁଠାରୁ ଅଧିକ ଫଳୁଛି, ସେଠି ପ୍ରକୃତ ଚାଷୀ ଜମିର ମାଲିକ ନୁହେଁ । ଜମିର ମାଲିକ ଯିଏ କି ପ୍ରକୃତ ଚାଷୀ ନୁହେ ବା ଚାଷୀ ହେବାକୁ ଆଦୌ ଇଚ୍ଛା ବି କରେନାହିଁ, ସିଏ ପଇସା ଲଗାଇ ଏକ ବ୍ୟବସାୟ ରୂପେ କୃଷି କରାଉଛି, ମୂଲିଆ ଲଗାଉଛି; ସରକାରୀ ବିହନ, ସରକାରୀ ସାର ଏବଂ ସରକାରୀ ଜ୍ଞାନରେ କୃଷି-ଉତ୍ପାଦନ ବଢ଼ାଉଛି । ଏହା କଦାପି ଦାରିଦ୍ର୍ୟ ଦୂର କରିବନାହିଁ । ଯେଉଁ ଦୂରତାଗୁଡ଼ାକ ଦୂର ହେଲେ ଏକ ଆଦର୍ଶ କୃଷିଭିତ୍ତିକ ସମାଜର ପ୍ରତିଷ୍ଠା ହେବ, ଏହା ସହ ଦୂରତାଗୁଡ଼ାକୁ ହୁଏତ ଆହୁରି ବଢ଼ାଇଦେବାରେ ସାହାଯ୍ୟ କରିବ । ସବୁକ ବିପ୍ଲବ ଦ୍ଵାରା ଭାରତବର୍ଷରେ ତାହାହିଁ ହୋଇଛି; ଅଧିକାଂଶ ଅବିକଶିତ ଦେଶରେ ତାହାହିଁ ହୋଇଛି ।

 

ମନ୍ତ୍ରୀମାନେ ଏହି କଥାଜାଣିବାକୁ ଚେଷ୍ଟା କରନ୍ତେ କି !

 

୦୪ । ୧୦ । ୮୦

☆☆☆

 

ଶନିଗ୍ରହର ଜୟନ୍ତୀ

 

ଓଡ଼ିଶାର ରାଜଧାନୀରେ ଆମ ସମସ୍ତଙ୍କର ଶୁଭେଚ୍ଛାକୁ ମହାସମାରୋହରେ ଏ ବର୍ଷ ଶନିଗ୍ରହର ଜୟନ୍ତୀ ଉତ୍ସବ ପାଳନ କରାଯିବ । ସେଥିଲାଗି ସଚେତନ ଶନିଭକ୍ତମାନେ ଉଦ୍ୟମ କରିବାକୁ ଆରମ୍ଭ କରିଦେଲେଣି ।

 

ଅନେକ ଦେବତା ଥାଆନ୍ତି, ଯେଉଁମାନଙ୍କୁ ଆମେ ସାଧାରଣତଃ ଅପଦେବତା ବୋଲି କହୁ । ସେହିପରି ଅନେକ ଗ୍ରହ ବି ଥାଆନ୍ତି, ଯେଉଁମାନଙ୍କୁ ଆମେ ସାଧାରଣତଃ ଦୁଷ୍ଟ ଗ୍ରହ ବୋଲି ହିଁ ଜାଣିଥାଉ । ଶନି ପାରମ୍ପରିକ ଭାବରେ ସେହିପରି ଏକ ଦୃଷ୍ଟ ଗ୍ରହ । ସମ୍ଭବତଃ ଅନୁମାନ କରାଯାଇପାରେ ଯେ, ଯେଉଁମାନେ ବାହାରକୁ ଶନିଭକ୍ତ ହୋଇ ବାହାରିଥାନ୍ତି, ସେମାନେ ଅଧିକାଂଶ ସମୟରେ ଭିତରେ ଶନି-ଭୀତ ହୋଇ ରହିଥାନ୍ତି । ସେମାନେ ଶନିକୁ ଡରନ୍ତି; ସେଥିଲାଗି ଶନିର ପୂଜା କରନ୍ତି । ଶନି ଉଦ୍ଦେଶ୍ୟରେ ‘ଅତ୍ରାଗଛ, ଇହ ତିଷ୍ଠ’ ବୋଲି କହନ୍ତି । କଲିଜାଭିତରେ ସେମାନେ କେବଳ ଆପଣାର ପ୍ରାଣଟିକୁ ଅର୍ଥାତ୍ ଆପଣାର ମଙ୍ଗଳଟିକୁ କୁଣ୍ଢାଇ କରି ଧରିଥାନ୍ତି । ଅସଲ ଭଗବାନଙ୍କ ଉପରେ ବିଶ୍ୱାସ ଉଣା ହୋଇଗଲେ ସଚରାଚର ଏହିପରି ହୋଇଥାଏ ।

 

ସମାଜ ଭିତରେ ଯେଉଁମାନେ ଅନ୍ୟମାନଙ୍କୁ ଗିଳିପକାଇ ଆପଣାର ବେକଗୁଡ଼ାକୁ । ଫୁଲାଇ କରି ବସିବାକୁ, ମଙ୍ଗଳ ବୋଲି ଭାବିବାକୁ ଓ କହିବାକୁ ଶିଖିଥାନ୍ତି, ସେମାନେ ଏହି ସଂସାରରୂପୀ ଆକାଶଗହଳରେ ଶନି ସଦୃଶ ବିଚରଣ କରୁଥାନ୍ତି । ସେମାନେ ଆପଣାକୁ ଲୋଡ଼ନ୍ତି; ଜୀବନକୁ ଲୋଡ଼ନ୍ତି ନାହିଁ । ପର୍ବତ ଚଢ଼ିବାକୁ ସେମାନଙ୍କର ମୋଟେ ମନ ନଥାଏ; ସେମାନେ ନିଜର ଗାଡ଼ଟିକୁ ଶହେ ଆଠଥର ବୁଜି ତାହାରି ଭିତରେ ଆପଣାର ଅର୍ଜିତ ବୈଡୁର୍ଯ୍ୟଗୁଡ଼ାକୁ ନେଇ ପୋତିରଖିବାକୁ ସବୁବେଳେ ଉତ୍ତପ୍ତ ହୋଇ ରହି ଥାନ୍ତି । ଯେତେ ପାଠ ପଢ଼ିଲେ ଓ ଯେତେ ବଡ଼ ଗାଦୀ ଉପରେ ଯାଇ ବସିଲେ ମଧ୍ୟ ସେମାନଙ୍କର ଅଭିପ୍ରାୟଗୁଡ଼ାକ ଆଦୌ ବଦଳେ ନାହିଁ । ଏମାନେ ସଂସାରରେ ସବୁଠାରୁ ଅଧିକ ଡରନ୍ତି, ସବୁଠାରୁ ଅଧିକ ଆଣ୍ଟ ଦେଖାନ୍ତି, ସବୁଠାରୁ ଅଧିକ ବର୍ଷରେ ଗୋଡ଼ ପକାଇ ଚାଲିବେ ବୋଲି ମନ କରୁଥାନ୍ତି ।

 

ଏହି ଶନିମାନେ ହିଁ ଶନିକୁ ଲୋଡ଼ନ୍ତି । ଯେଉଁମାନେ ମଣିଷ ସହିତ, ଜୀବନ ସହିତ, ନିଜ ଭିତରେ ରହିଥିବା ଅସଲ ବିବେକଟି ସହିତ କୌଣସି ସଖ୍ୟ କରିପାରନ୍ତି ନାହିଁ, ସବୁରି ଭିତରେ ଥାଇ ମଧ୍ୟ ଏକୁଟିଆ ହୋଇ ରହିଥାନ୍ତି, ସେହିମାନେ ହିଁ ଶନିର ପୂଜା କରନ୍ତି । ଶନି ଭିତରେ ଆପଣାର ପୂଜା କରନ୍ତି ।

 

୦୬ । ୧୦ । ୮୦

☆☆☆

 

ମୃତ୍ୟୁର ନୂଆ ନୂଆ କାରଣ

 

ସଂସାରରେ ଦୁଇ ପ୍ରକାର ଦେଶ ଅଛନ୍ତି । ସେହି ଅନୁସାରେ ଦୁଇପ୍ରକାରର ମଣିଷ ଅଛନ୍ତି । ଏବେ ଜଣା ପଡ଼ିଲାଣି ଯେ ସେହି ମଣିଷମାନେ ମରିବାର ବି ଦୁଇ ପ୍ରକାର କାରଣ ରହିଛି ବୋଲି କହି ଲେଣି ।

 

ଆୟୁଷ ପୂରିଲେ ମଣିଷ ମରେ ବୋଲି ଶାସ୍ତ୍ରମାନଙ୍କରେ ଆଗରୁ କୁହାହୋଇଆସିଛି । ଏବେ ବିଜ୍ଞାନ କହିବାକୁ ଆରମ୍ଭ କଲାଣି ଯେ, ଆୟୁଷ ବୋଲି ଗୋଟିଏ କଥା ଆଗରୁ ଲେଖାହୋଇ ରହିନଥାଏ ଓ ତେଣୁ ସେଇଟା ପୂରିଗଲେ ମଣିଷ ମରେନାହିଁ । ମଣିଷ ନିଜେ ଅନେକ ପରିମାଣରେ ତା’ରି ଆୟୁଷକୁ ପୂରାଏ; ତେଣୁ ମରେ ।

 

ଗରିବ ଦେଶମାନଙ୍କରେ ଯେଉଁଠି ଦଶରେ ନଅଜଣଙ୍କର ପେଟ ଶୁଖିବାରୁ ଦେହ । ଶୁଖେ ଓ ରୋଗ ପଶେ, ସେଠାରେ ମଣିଷମାନେ ପ୍ରଧାନତଃ କେଉଁ କେଉଁ ରୋଗରୁ ମରନ୍ତି, ସେ ବିଷୟରେ ଆମର ପରିଚିତ ପୁସ୍ତକଗୁଡ଼ାକରେ ଗବେଷଣା କରି କେତେ କଥା ଲେଖା ହୋଇ ଆସିଛି । ମାତ୍ର ଯେଉଁସବୁ ଦେଶରେ ମଣିଷମାନଙ୍କ ପାଖରେ ଚାହିଦାରୁ ଅଧିକ ରହିଛି, ଯୋଉଠି ପେଟଗୁଡ଼ାକ ପୂରିଗଲା ପରେ ମଧ୍ୟ ତଥାପି ଆଖି । ଆଗରେ କୁଢ଼ କୁଢ଼ ଖାଇବା ପଦାର୍ଥ ଗଦା ହୋଇ ରହିଛି, ସେଠାରେ ଉକ୍ତ ପୁସ୍ତକଗୁଡ଼ାକର ପାଠ ଆଉ ଖୁବ୍ ବେଶୀ କାମ ଦେଉନାହିଁ । କାରଣ ସେସବୁ ଦେଶରେ ପୁରୁଣା ରୋଗଗୁଡ଼ାକ ପ୍ରାୟ ହେଉନାହିଁ । ସେଠାରେ ନୂଆ ନୂଆ ରୋଗ ହେବାକୁ ଆରମ୍ଭ କଲାଣି । ମୃତ୍ୟୁର ନୂଆ ନୂଆ ନାନା କାରଣ ଆବିଷ୍କୃତ ହେଲାଣି ।

 

ତେଣେ ଲୋକମାନେ ଆଉ ଜର, ଝାଡ଼ାବାନ୍ତି ବା ବସନ୍ତରେ ମରୁନାହାନ୍ତି । ସେଠାରେ କୁଆଡ଼େ ଜଳଗହଳେ ସୃଷ୍ଟିନାଶ ହେବାର ସଙ୍କେତମାନ ମିଳିଲାଣି । ତେଣେ ଲୋକମାନେ ଖାଇ ଖାଇ ମରୁଛନ୍ତି; ଅର୍ଥାତ୍ ଅଧିକ ଖାଉଛନ୍ତି, ସେଇଥିରୁ ରୋଗ ହେଉଛି, ସେଇଥିରୁ ଲୋକ ମରୁଛନ୍ତି-। ଅଧିକ ଖାଇବାରୁ ମୋଟା ହେଉଛନ୍ତି । ମୋଟା ହେବାରୁ ଗରୁ ହେଉଛନ୍ତି ଓ ସେଇଥିରୁ ରୋଗମାନ ଉପୁଜୁଛି । ଉଦାହରଣ ସ୍ଵରୂପ, ପଶ୍ଚିମ ଜର୍ମାନୀରେ ଏବେ ଗୋଟିଏ ଅନୁସନ୍ଧାନରୁ ଜଣାଯାଇଛି ଯେ ସେଠାରେ ବହୁମୂତ୍ର, ରକ୍ତଚାପ ବୃଦ୍ଧି ଏବଂ ହୃତପିଣ୍ଡକ୍ରିୟା ବନ୍ଦ ହେବା ଦ୍ୱାରା କ୍ରମେ ଅଧିକରୁ ଅଧିକ ଲୋକ ମରୁଛନ୍ତି । କର୍କଟ ରୋଗର ବିପଦଠାରୁ ଗବେଷକମାନେ ମୃତ୍ୟୁର ଏହି ନୂଆ ନୂଆ କାରଣକୁ ଅଧିକ ବିପଦ ବୋଲି ମଣୁଛନ୍ତି ।

 

ଆମ ଦେଶରେ ଯେତେବେଳେ ସତ୍ୟଯୁଗ ଆସିବ, ଆମେ ବି କ’ଣ ସେତେବେଳେ ଠିକ୍ ଏମିତି ମୋଟା ହୋଇ ଗରୁ ହୋଇ ମରିବା ?

 

୦୯ । ୧୦ । ୮୦

☆☆☆

 

ମନୋଭାବ ବଦଳିଲେ

 

ମନ୍ତ୍ରୀ କହିଲେ, “ମନୋଭାବ ନ ବଦଳିଲେ ଆଦୌ କିଛି ହୋଇପାରିବ ନାହିଁ । ଦେଶରେ କୌଣସି ପରିବର୍ତ୍ତନ ହେବନାହିଁ । ଦେଶରେ ଯେତେ ସରକାରୀ କର୍ମଚାରୀ ଅଛନ୍ତି, ସେମାନଙ୍କ ଭିତରେ ସେବାର ମନୋବୃତ୍ତି ନ ରହିଲେ ଏବଂ ସେମାନେ ନିଜର ଦାୟିତ୍ୱକୁ ଅନୁଭବ ନକଲେ ଏଠି କୋଟି କୋଟି ଟଙ୍କା ଖର୍ଚ୍ଚ କରି ବଡ଼ ବଡ଼ କାର୍ଯ୍ୟକ୍ରମ ହାତକୁ ନେଲେ ମଧ୍ୟ ଆମ ଦେଶରେ ଆଦୌ କୌଣସି ପରିବର୍ତ୍ତନ ହେବନାହିଁ ।” ମନ୍ତ୍ରୀ କହୁ କହୁ ଉତ୍ସାହରେ କେତେ କ’ଣ କହି ଗଲେ ।

 

ମନୋଭାବ ବଦଳିଲେ କେହି କଦାପି ମନ୍ତ୍ରୀ ହେବନାହିଁ । ମନ୍ତ୍ରୀ ହେବାକୁ ମୋଟେ ମନ କରିବନାହିଁ । ସିଏ ଭୋଟ ମାମଲତ କରିବନାହିଁ, ସିଏ ଖଣ୍ଟ ହେବନାହିଁ, ବାବୁ ହେବନାହିଁ କି ଭେଶ ପିନ୍ଧିବ ନାହିଁ । ଆପଣ ପାଖରେ ସିଏ ସଚ୍ଚା ହୋଇ ରହିବ । ତେଣୁ ମୁଖା ପିନ୍ଧିବନାହିଁ । ବାରଟା ସଭାରେ ତେରଟା ଭାଷଣ ଦେବାକୁ ବି ଯିବନାହିଁ । ଆମ ସରକାରୀ କର୍ମଚାରୀଙ୍କ ଆଗରେ ଦର୍ପଣଟାକୁ ଦେଖାଇ ମନ୍ତ୍ରୀ ମହୋଦୟ ଯେତେବେଳେ ଉତ୍ତେଜିତ ଭାବରେ ଏହି କଥାଗୁଡ଼ାକ କହିଥିବେ, କର୍ମଚାରୀମାନେ ସେତେବେଳେ କ’ଣ ଭାବିଥିବେ କେଜାଣି ! ମିଛଟାରେ କାହିଁକି ହେଁସ ଧୁଆହେବାର କଥା ଉଠୁଛି ବୋଲି ଭାବି ସେମାନେ ହୁଏତ ଭାରି ଆଶ୍ଚର୍ଯ୍ୟ ହୋଇଥିବେ ।

 

ବୁଦ୍ଧଦେବଙ୍କର ମନୋଭାବ ବଦଳିଲା ପରେ ସିଏ ଉଆସ ଛାଡ଼ିଥିଲେ । ହଜରତ୍‍ ମହମ୍ମଦଙ୍କର ମନୋଭାବ ବଦଳିଯାଇଥିଲା ବୋଲି ସିଏ ବେପାର ଛାଡ଼ିଲେ । ମନୋଭାବ ବଦଳିଗଲା ବୋଲି ଖପରା ପକାଇ ଲହୁ ବୁହାଇବାକୁ ଯାଇଥିବା ଦୁଇଜଣ ମଣିଷ ଜଗାଇ ମାଧାଇ ହୋଇଗଲେ । ସେମାନେ ମନୋଭାବ ଅନୁସାରେ ବଦଳିଗଲେ । ବୋଲି ଲୋକେ ସେମାନଙ୍କୁ ବିଶ୍ଵାସ କଲେ; ସ୍ଵୀକୃତି ବି ଦେଲେ ।

 

ଭାରତବର୍ଷ ସ୍ଵାଧୀନତା ଲାଭ କରିବା ଦିନଠାରୁ ଏଠି ରଜାମାନେ ମନୋଭାବ ବଦଳିବା ବିଷୟରେ କେତେ କ’ଣ କହୁଛନ୍ତି । ମାତ୍ର ସେସବୁ ସତ୍ତ୍ୱେ ମନୋଭାବଗୁଡ଼ାକ ବିଗିଡ଼ିବାରେ ଲାଗିଛି-। ଉପରବାଲା ଯୋଉଥିରେ ହାତ ଦେଉଛନ୍ତି, ସେଗୁଡ଼ାକ ଖାଲି ବିଗିଡ଼ି ବିଗିଡ଼ି ଯାଉଛି; ଭୁବନେଶ୍ୱରର ଦୁର୍ଗନ୍ଧଗୁଡ଼ାକ ଆମ ଗାଆଁ ଚଉପାଢ଼ିଯାଏ ଆସିଲାଣି । ତଥାପି ମନୋଭାବ ନ ବଦଳିଲେ କିଛି ହେବନାହିଁ ବୋଲି କୁହାଯାଉଛି । ସମସ୍ତେ ଭାବୁଛନ୍ତି, ମୂର୍ଖଗୁଡ଼ାକ ହିଁ ଏପରି କହୁଛନ୍ତି । ମଞ୍ଚ ଉପରେ ଅଭିନୟ ଚାଲିଛି । କୁଆଡ଼େ କିଛିହେଲେ ବଦଳୁନାହିଁ । ଯେଉଁମାନଙ୍କର ଆଗ ବଦଳିବାର କଥା, ସେମାନେ ଦିନକୁ ଦିନ ଅଧିକ ନିର୍ଲଜ୍ଜ ଏବଂ ଅଧିକ ନିର୍ମମ ହେବାରେ ଲାଗିଛନ୍ତି ।

 

୧୧ । ୧୦ । ୮୦

☆☆☆

 

Unknown

ପୁଣି ଏକତ୍ର ହେବେ

 

ବିରୋଧୀଦଳମାନେ ପୁନର୍ବାର ଏକତ୍ର ହେବେ ବୋଲି ଖବରକାଗଜରେ ଘୋଷଣା କରି କହିସାରିଲେଣି । ସେମାନଙ୍କ ଭିତରେ ଏହି ଦିଗରେ କିଞ୍ଚିତ୍‍ ଧାଁ-ଧପଡ଼ ବି ଆରମ୍ଭ ହୋଇଗଲାଣି । ଯେଉଁମାନେ ଭୋଟରେ ହାରିଯିବା ପରେ ହୁଏତ ପରସ୍ପରର ସହଁ ଚାହାଁଚୁହିଁ ହେଉନଥିଲେ, ସେମାନେ ଏଣିକି ପାଖକୁ ପାଖକୁ ଲାଗିକରି ବସିବାକୁ ମନକଲେଣି । ଅପଡ଼ମାନେ ପଡ଼ ହେଲେଣି; କିନ୍ତୁ ତା’ ବୋଲି ଅଭାବଗୁଡ଼ାକ ଯେ ଭାବରେ ପରିଣତ ହୋଇଗଲା ବୋଲି ଲୋକେ ବିଶ୍ୱାସ କରିବେ, ସେମାନେ ଆଉ ଏପରି ଭାବିବାକୁ ଆରମ୍ଭ କରିନାହାନ୍ତି ତ ?

 

ଏମାନେ କେବେହେଲେ ଏକତ୍ର ନଥିଲେ । କ୍ଷମତାର ଅଠାଗୁଡ଼ାକ ଏମାନଙ୍କୁ ଏକାଠି ଗୋଟିଏ ଫାନୁଶ ଭିତରେ ଯୋଡ଼ିକରି ରଖିଥିଲା । ହଁ, ଭାରତବର୍ଷ ସ୍ଵାଧୀନ ହେବା ସମୟରେ ଏମାନେ ଗୋଟିଏ ଶିବିରରେ ଅବଶ୍ୟ ରହିଥିଲେ । ଭାରତବର୍ଷକୁ ନୂଆ କରି ତିଆରି କରିବା ଦାୟିତ୍ୱ ସେହିମାନଙ୍କ ହାତରେ ଥିଲା । ସ୍ଵାଧୀନତା-ପୂର୍ବର ରାଜନୀତିକ ସଂଗ୍ରାମଠାରୁ ସ୍ୱାଧୀନତାପରର ସାମାଜିକ ବିପୁବର ସଂଗ୍ରାମ ଯେ ଅଧିକ କଷ୍ଟକର ହେବ ଓ ଅଧିକ ପରୀକ୍ଷାର ସମ୍ମୁଖୀନ କରାଇବ, ମହାତ୍ମାଗାନ୍ଧୀ ସେତେବେଳେ ସେମାନଙ୍କୁ କେତେ କେତେ ଚେତାବନୀ ଦେଇଥିଲେ । ଏମାନେ ଦେଶକୁ ନିର୍ମାଣ ନକରି ଆପଣାର ନିର୍ମାଣ କଲେ । ସବୁ ସ୍ଥାନରେ ବ୍ରାହ୍ମଣ ହୋଇ ବସି ଥାନଗୁଡ଼ାକୁ ମାରା କଲେ । ପରୀକ୍ଷାରେ ଫେଲ୍‍ ହେଲେ । ଏମାନଙ୍କର ଅଯୋଗ୍ୟତାର ପରିପୂର୍ଣ ପ୍ରମାଣ ମିଳିବାକୁ ଗୋଟାଏ ପୁରୁଷ ଲାଗିଗଲା ।

 

ଗାନ୍ଧୀ ଗଲାପରେ ଏମାନଙ୍କର ଅସଲ ରୂପଗୁଡ଼ାକ ଗୋଟି ଗୋଟି ହୋଇ ଧରାପଡ଼ିଲା-। ଏଡ଼େବଡ଼ ଦେଶର ଭାଗ୍ୟ ଉପରେ ମାଲିକ ହୋଇ ବସିଥିଲେ ହେଁ ଏମାନେ ପ୍ରକୃତରେ ଯେ କେଡ଼େ ସାନ, ସେଇ କଥାଗୁଡ଼ାକ ଧରା ପଡ଼ିଗଲା । ଏମାନେ ଆଉ କଦାପି ଏକତ୍ର ହୋଇ ପାରିବେ ନାହିଁ । ପରସ୍ପରର ବାଣରେ କେବଳ ପରସ୍ପରକୁ କାଟିବେ । ନେତୃତ୍ୱର କ୍ଷେତ୍ରରେ ପୁରୁଣା ହଟିଯିବ । ରାଜନୀତିର ବିବେକ ଏକ ଅନ୍ୟ ପ୍ରକାରର ମସଲା ଦେଇ ତିଆରି ହେବ-। ଆଗାମୀ ଭାରତବର୍ଷ କଦାପି ଏମାନଙ୍କର ଅଙ୍କଗୁଡ଼ାକ ଦ୍ୱାରା ଧରାଦେବନାହିଁ । ଏମାନେ ସମସ୍ତେ ଗୋଟିଏ କିଆରିର ବାଳୁଙ୍ଗା ପରି ଲୋପ ପାଇଯିବେ ।

 

ତେଣୁ ଏମାନେ ଆଉ ଏକତ୍ର ହେବାକୁ ମନ ନ କରନ୍ତୁ । ଏମାନେ ମଣିଷ । ହେବାକୁ ମନ କରନ୍ତୁ । ନିଜ ଭିତରକୁ ଫେରିଯାଆନ୍ତୁ । ନୀରବ ହୁଅନ୍ତୁ । ଆଗାମୀ ଭାରତବର୍ଷକୁ ଆଶୀର୍ବାଦ କରନ୍ତୁ ।

 

୧୪ । ୧୦ । ୮୦

☆☆☆

 

ବିରିଡ଼ି ଆମ ମାମୁଘର ଗାଆଁ

 

ସେପାଖରେ ହାଟଠାରୁ ଏପାଖରେ ବୁଢ଼ୀଠାକୁରାଣୀଙ୍କ ପଯ୍ୟନ୍ତ କେଡ଼େ ଲମ୍ବା ଗାଆଁ ହେଉଛି ଏହି ବିରିଡ଼ି ଗାଆଁ । ଆଗ ଆମ ଗାଆଁର ନଈଟିକୁ ପାରିହୋଇ କୋଶେ ବାଟ ପଶ୍ଚିମକୁ ଗଲେ ସେଇ ବିଲୁଆଖାଇର ସେପାଖକୁ ବିରିଡ଼ି ଗାଆଁ । ନଈ ସେପାଖକୁ, ଆଗ ନାଳ, ତା ପରେ ଗାଆଁ । ଗାଆଁର ଏ ମୁଣ୍ଡରେ ବେଲବଣ ମଠ । ବୋଉ କହେ, ତା’ ଝିଅ ଦିନରୁ କୁଆଡ଼େ ସେହି ମଠ ରହିଛି । ସେମାନଙ୍କର ଝିଅଦିନେ ସେମାନେ ବାଲିକୁଦ ପାରିହୋଇ ବେଲବଣ ମଠର ବାରିରେ ପଶି ଖରାବେଳମାନଙ୍କରେ କେଡ଼େ ନିଦକରେ ଟଭା ଖାଇଛନ୍ତି, କରମଙ୍ଗା ଖାଇଛନ୍ତି ।

 

ଆମ ଗାଆଁ ଦଫାଦାର ଧୂଳଭାଇ ହାଟ କହିଲେ ସେହି ବିରିଡ଼ି ହାଟକୁ ହିଁ ବୁଝନ୍ତି । ତାଙ୍କ ବାପ ନଖି ବଡ଼ାପା ମଧ୍ୟ ଦଫାଦାର ଥିଲେ । ସେତେବେଳେ ସେଇ ବିରିଡ଼ି ହାଟ ତାଙ୍କୁ ବରଷରେ ବାର ମାସ ଚଳାଉଥିଲା । ବିକାଳିମାନଙ୍କଠାରୁ ମାଗୁଣିକରି ସିଏ ପୋଇଖାଡ଼ିଠାରୁ ବାଇଗଣି ପତର ପର୍ଯ୍ୟନ୍ତ ଯାବତୀୟ ଜିନିଷକୁ ବୋକଚା ବାନ୍ଧି କାନ୍ଧରେ ପକାଇ ଘରକୁ ଆଣୁଥିଲେ-। ଏବେ ସରକାରଙ୍କର ନିୟମ ବଦଳିଗଲାଣି, ଦଫାଦାର ଚାକିରି ଉଠିଗଲାଣି ସତ; ମାତ୍ର ଆମ ଧୂଳଭାଇଙ୍କର ଦଫା ଦାରୀ ତେବେସୁଦ୍ଧା ଯାଇନାହିଁ । ଅଭ୍ୟାସର ଦାସ ହୋଇ ମାୟା ଏଡ଼ି ନପାରି ସିଏ ଏବେ ମଧ୍ୟ ହାଟଦିନମାନଙ୍କରେ ବିରିଡ଼ି ହାଟକୁ ଯାଆନ୍ତି । ପରିବା ମାଗୁଣି କରନ୍ତି, ସଉଦା ମାଗୁଣି କରନ୍ତି । ଘରେ ଆସି ପହଞ୍ଚିବା ବେଳକୁ ରାତି ଛଅଘଡ଼ି ହୋଇଯାଇଥାଏ । ସାହି ଭାଇ ବି ତାଙ୍କ ପରିବା ଲାଗି ଅପେକ୍ଷା କରି ବସିଥାଆନ୍ତି ।

 

ସେଇ ବିରିଡ଼ି ଗାଆଁ—ପୋଖରୀମାନଙ୍କରେ ସେଇ କଇଁଫୁଲ, ବାଲିକୁଦଗୁଡ଼ାକ ଉପରେ ସେଇ ପୁନଙ୍ଗ ଗଛର ଅମଡ଼ା । ଏହି ବାଲିକୁଦ ଭିତରେ ରାଜନୀତି ପୂରାଇ ସେଗୁଡ଼ାକୁ କୋଉ ପାଷଣ୍ଡ ଏମିତି ଖଇଫୁଟା କରିପକାଇଲା ? ସେହି ପାଷଣ୍ଡ କୋଉଠୁ ବାହାରୁ ଆସିଲା ନା ଏଇଠି ଆମରି ଅଭାଗ୍ୟକୁ ଆମରି ଅନ୍ତୁଡ଼ିଶାଳରେ ଜନ୍ମ ହେଲା ? ବିରିଡ଼ିର ଶାନ୍ତିଭଙ୍ଗ କରି ବିରିଡ଼ିର ନାଆଁ ଆକି ଏମିତି ସଂସାରଯାକ ହାଟ ହୋଇଗଲା କିପରି; ହାଟ ହୋଇଗଲା କାହିଁକି ? ଯୋଉମାନେ ଆଜି ମଧ୍ୟ ହାଟପାଳି ଦିନ ହାଟ ସାରି ନିଜ ଗାଆଁକୁ ଯିବାପାଇଁ ବିଲୁଆଖାଇର ବାଲିକୁ ପାରି ହେଉଥିବେ, ସେମାନେ ସେହିକଥା ନିଜକୁ ପଚାରନ୍ତୁ । ଆମ ଗାଆଁର ସଂହତିଟିକୁ ଭାଙ୍ଗିବାଲାଗି ରାଜନୀତି କରୁଥିବା ଏ ବେପାରୀମାନେ କାହିଁକି କୁଆଡ଼ୁ ଆସିଲେ ? ଆମ ପିଲାମାନଙ୍କୁ ମୋହିନେଲେ, ସେମାନଙ୍କୁ ନିଶା ଖୁଆଇ ଅନ୍ୟଆଡ଼େ ମୋହିନେଲେ ? ମନ୍ତ୍ରୀ ମାନଙ୍କୁ ନେଇ ନୁହେଁ, ଆମ ଝଙ୍କା ବରଗଛ ତଳେ କେବଳ ନିଜକୁ ନେଇ ଅସଲ ପ୍ରଶ୍ନଗୁଡ଼ିକୁ ପଚାରିବା ପାଇଁ ସଭା ହେଉ ଓ ସେଠାରେ ଏହିସବୁ କଥା ପଡ଼ୁ ।

 

୦୪ । ୧୧ । ୮୦

☆☆☆

 

ତେଲ ଓ ଝୋଟ

 

ବଙ୍ଗଳାଦେଶରେ ପୃଥିବୀଯାକରେ ସବୁଠାରୁ ଅଧିକ ପରିମାଣରେ ଝୋଟ ଉତ୍ପନ୍ନ ହୁଏ-। ବଙ୍ଗଳାଦେଶ ପଛକୁ ଭାରତବର୍ଷ । ତା’ ପଛକୁ ଆଙ୍ଗୁଠିରେ ଗଣି ହୋଇ ଯିବାପରି ମାତ୍ର ଆଉ କେତୋଟି ଦେଶ । ଏହିମାନେ ହିଁ ସମଗ୍ର ପୃଥିବୀକୁ ଝୋଟ ବିକ୍ରି କରନ୍ତି । ଝୋଟରୁ ଅଖା ହୁଏ, ଦଉଡ଼ି ବଳାହୁଏ; ତେଣୁ ଝୋଟ ନହେଲେ ବାଣିଜ୍ୟ ଚଳିପାରେ ନାହିଁ ଏବଂ ଏହିପରି ଭାବରେ ପୃଥିବୀର ଦେଶଗୁଡ଼ିକ ଭାରତ ଓ ବଙ୍ଗଳାଦେଶ ଭଳି ଏହି କେତୋଟି ଦେଶ ଉପରେ ସଂପୂର୍ଣ୍ଣ ଭାବରେ ନିର୍ଭର କରିଥାନ୍ତି ।

 

ଏବେ ସମ୍ଭବତଃ ପ୍ରଥମଥର ପାଇଁ ପୃଥିବୀର ଝୋଟ ଉତ୍ପାଦନ କରୁଥିବା ଦେଶମାନଙ୍କର ଏକ ସମ୍ମିଳିତ ବୈଠକ ବସିଥିଲା । ସେଥିରେ ସମ୍ଭବତଃ ସଂପୃକ୍ତ ଦେଶଗୁଡ଼ିକର ଝୋଟ ବିଭାଗର ମନ୍ତ୍ରୀ ଓ କାରିନ୍ଦାମାନେ ଯୋଗ ଦେଇଥିବେ ଏବଂ ପାରସ୍ପରିକ ସମସ୍ୟା ଗୁଡ଼ିକ ବିଷୟରେ କେତେକ ଆଲୋଚନା କରିଥିବେ । ଏହି ବୈଠକରେ ବଙ୍ଗଳାଦେଶ ସରକାରଙ୍କ ପକ୍ଷରୁ ଏପରି ଗୋଟିଏ ପ୍ରସ୍ତାବର ଉତ୍‍ଥାପନ କରାଯାଇଥିଲା, ଯାହା ପ୍ରକୃତରେ ଉଲ୍ଲେଖଯୋଗ୍ୟ । ପ୍ରସ୍ତାବଟିରେ, ପୃଥିବୀରେ ପେଟ୍ରୋଲ ଉତ୍ପାଦନ କରୁଥିବା ଦେଶଗୁଡ଼ିକ ଏକାଠି ମିଶି ଯେମିତି ଏକ ସଂସ୍ଥା ଗଢ଼ିଛନ୍ତି, ସେହିପରି ଝୋଟ ଉତ୍ପାଦନ କରୁଥିବା ସରକାରମାନେ ଏକତ୍ର ଗୋଟିଏ ମେଣ୍ଟ ତିଆରି କରନ୍ତୁ ବୋଲି ମନ୍ତ୍ରଣା ଦିଆଯାଇଥିଲା । ତେଲର ମାଲିକ ଦେଶମାନେ ଏକାଠି ହେଲେ, ମନଇଚ୍ଛା ତେଲର ମୂଲ୍ୟ ବଢ଼ାଇଲେ, ପୃଥିବୀଯାକର ରାଜନୀତିକୁ ତୁଣ୍ଡି ବାନ୍ଧି ଟାଣିଲେ ଓ ପୃଥିବୀରେ ଧନୀ ହେଲେ । ସେହି ଆଶ୍ଚର୍ଯ୍ୟ ପ୍ରଦୀପର ପନ୍ଥାଟିକୁ ଅନୁସରଣ କରି ଝୋଟର ମାଲିକ ଦେଶମାନେ ବି ଗୋଟାଏ ମେଣ୍ଟ ବାନ୍ଧନ୍ତୁ ବୋଲି ସେହି ମନ୍ତ୍ରଣା ଦ୍ୱାରା ମସୁଧା କରାଯାଇଥିଲା । ହୁଏତ କଳ୍ପନା କରାଯାଇଥିଲା ଯେ ଏହି ପରି ଏକ ବାଣ ଫୁଟାଇଦେଇ ଭାରତ ଓ ବଙ୍ଗଳାଦେଶ ପ୍ରଭୃତି ଦେଶରେ ସମସ୍ତେ ଅମୀର ହୋଇଯିବେ । ଝୋଟ ବଜାରକୁ ନିଜର ଇଚ୍ଛା ଅନୁସାରେ ବସଉଠ କରାଇବେ, ବିଶ୍ୱ-ରାଜନୀତିର ନାକରେ କଡ଼ା ବାନ୍ଧି ଟାଣିବେ ।

 

ଭାଗ୍ୟର କଥା, ଭାରତ ସରକାର ସେଥିରେ ରାଜି ହେଲେନାହିଁ । ତେଣୁ ଅଭିସନ୍ଧିମୂଳକ ସ୍ଵପ୍ନଗୁଡ଼ାକ ପାଣିରେ ପଡ଼ିଲା । ସଂସାରରେ ଆମେ ସମସ୍ତେ ସମସ୍ତଙ୍କ ସହିତ ଏକାଠି ରହିବା, କେହି କାହାରି ବେକରେ ପଘା ବାନ୍ଧି ଟାଣିବାନାହିଁ, ଏହାହିଁ ଭବିଷ୍ୟତର ବିଶ୍ୱ–ରାଜନୀତି । ସେହି ଦିଗରେ ଭାରତବର୍ଷ ଯେ ଏକ ଲଗାମ ପରି କାର୍ଯ୍ୟ କଲା, ସେଥିରେ ଭାରତବାସୀ ହିସାବରେ ଆମର ଅବଶ୍ୟ ଗର୍ବ ଅନୁଭବ କରିବାର କଥା ।

 

୦୬ । ୧୧ । ୮୦

☆☆☆

 

ତୈଳଦମ୍ଭରେ ଗଳଦ୍‌ଘର୍ମ

 

ତୈଳର ଦେଶ ହେଉଛି ଅମୀରମାନଙ୍କର ଦେଶ । ସେଠି ଅମୀରମାନେ ଆପଣାକୁ ଭଗବାନଙ୍କଠାରୁ ମଧ୍ୟ ଅଧିକ କ୍ଷମତାଶାଳୀ ବୋଲି ମନେ କରନ୍ତି । ତେଣୁ ଆପଣାର ମର୍ଜି ଅନୁସାରେ ସେମାନେ ଯେତେବେଳେ ଯାହା କରନ୍ତି, ତାହାକୁ ହିଁ ଭଗବାନଙ୍କର ବୋଲି କହନ୍ତି; ନିଜର ଇଚ୍ଛା ଅନୁସାରେ ସେମାନେ ନିକ ଖିଆଲିଗୁଡ଼ାକ ଉପରେ ଭଗବାନଙ୍କର ଦସ୍ତଖତ ଓ ମୋହର ବ୍ୟବହାର କରିବାକୁ କଦାପି ପଶ୍ଚାତ୍‌ପଦ ହୁଅନ୍ତିନାହିଁ ।

 

ଇରାନ ଓ ଇରାକ ଦୁଇଟିଯାକ ଇସଲାମୀ ଦେଶ, ଦୁଇଟି ଅତି ପ୍ରାଚୀନ ସଭ୍ୟତାର ଦେଶ । ପୃଥିବୀର ସର୍ବଳ ପୁସ୍ତକ ଇରାକ ଦେଶରେ ଲେଖା ହୋଇଥିଲା ବାଲି ଐତିହାସିକମାନେ ଅନୁମାନ କରୁଛନ୍ତି । ଇରାନରେ ଗୋଟିଏ ଖାନଦାନୀ ରାଜତ୍ୱ କୁଆଡ଼େ ଗତ ପାଞ୍ଚହଜାର ବର୍ଷ ହେଲା ଚଳିଆସିଛି । ଏମାନେ ବର୍ତ୍ତମାନ ପରସ୍ପର ସହିତ ଯୁଦ୍ଧ କରୁଛନ୍ତି । ତେଲ ବିକି କଞ୍ଚାପଇସାରେ ସେମାନେ ଗତ କୋଡ଼ିଏ ବର୍ଷ ହେଲା ଯେତେ ଅସ୍ତ୍ର ଓ ଆୟୁଧ ବଜାରରୁ କିଣି ଘରେ ଭର୍ତ୍ତି କରିଥିଲେ, ସେମାନେ ବର୍ତ୍ତମାନ ଏକାଠି ମାତାଲ ହୋଇ ସେହିଗୁଡ଼ାକର ସଦ୍‌ବ୍ୟବହାର କରିବାରେ ଲାଗିଛନ୍ତି । ପୃଥିବୀର ବୃହତ୍ ଶକ୍ତିମାନେ ଏହି ଦୁଇଦେଶର ପଡ଼ିଆରେ ସେମାନେ ତିଆରି କରିଥିବା ବାଣର ଶକ୍ତିକୁ କଳନା କରି ଦେଖୁଛନ୍ତି । ଆଧୁନିକ ଇତିହାସର ବ୍ୟାଖ୍ୟାକାରମାନେ କହନ୍ତି ଯେ, ପୃଥିବୀରେ କୁଆଡ଼େ ମଝିରେ ମଝିରେ ଏମିତି ସାନସାନ ସ୍ଥାନୀୟ ଯୁଦ୍ଧମାନ ଲାଗିବ । ମହାସମରମାନ ମୋଟେ ହେବନାହିଁ । ସାନଦାନ ସମାନେ ବଡ଼ବଡ଼ କଂସଙ୍କର ବଜାରରୁ ବାଣ କିଣି ଏମିତି ଧରାପରା ହେବେ । ତେଣୁ ଏଣିକି ରାଜନୀତି ଓ କୂଟନୀତିର ଶୈଳୀଗୁଡ଼ାକ ବି କୁଆଡ଼େ ବଦଳିଯିବ ।

 

ଆପଣାର ତୈଳ ସମ୍ପଦକୁ ବିକି ଇରାକ ଓ ଇରାନରେ ମଣିଷର ସଂସାର ଅଧିକ ସୁନ୍ଦର ହୋଇ ପାରିଥାନ୍ତା । ସେଠି ପ୍ରାଚୀନ ସିନ୍ଧୁବାଦ ଅମଳର ରାତିଗୁଡ଼ିକ ପାହି ହୁଏତ ମଣିଷର ଯୁଗ ଆରମ୍ଭ ହୋଇଥାନ୍ତା । ଆଦିମ ଉଗ୍ରତାଗୁଡ଼ାକ ବିଦା ହୋଇ ଆଧୁନିକ ଦୃଷ୍ଟିସମ୍ପନ୍ନ ମଣିଷ ଲାଗି ଏକ ମୂଳଦୁଆ ପଡ଼ିପାରିଥାନ୍ତା । ମାତ୍ର ତୈଳ-ସମ୍ପଦକୁ ଦମ୍ଭ ବୋଲି ଗ୍ରହଣ କରି ଯେଉଁ ଅଳ୍ପମତି ଅଯୋଗ୍ୟମାନେ ସେଠି ବର୍ତ୍ତମାନ ଯୁଦ୍ଧ କରି ପରସ୍ପରର ସମ୍ପଦ ନଷ୍ଟ କରୁଛନ୍ତି, ସେମାନଙ୍କ ଦ୍ୱାରା ଏତେ କୀର୍ତ୍ତି ହୁଏତ କଦାପି ସମ୍ଭବ ହୋଇନଥାନ୍ତା । ତେଣୁ ସେଠି ଏକମାତ୍ର ସମ୍ଭାବନାରୂପେ କେବଳ ଅଫିମ ଆଉ ଅଫିମ ଭିତରେ ଯୁଦ୍ଧ ଲାଗିପାରିଲା । ଅଫିମର ଖୁମାଣଗୁଡ଼ାକ ମଣିଷର ସ୍ୱପ୍ନଗୁଡ଼ାକୁ ଗୋଟାସୁଦ୍ଧା ଗିଳିପକାଇଲା ।

 

୦୯ । ୧୧ । ୮୦

☆☆☆

 

ସାମାନ୍ୟ ଘଟଣାକୁ କେନ୍ଦ୍ର କରି

 

ଗୁଜରାଟର ଗୋଧାଠାରେ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଯେଉଁ ହତ୍ୟାଝଡ଼ା ଆରମ୍ଭ ହେଲା, ସେଥିରେ କେତେଜଣ ମଣିଷଙ୍କୁ ଜୀବନ ଦେବାକୁ ପଡ଼ିଲା । ଅଢ଼େଇମାସ ତଳେ ମୋରାଦାବାଦରେ ବି ଯେଉଁ ସାମାନ୍ୟ ଘଟଣାକୁ କେନ୍ଦ୍ରକରି କେତେଶହ ମଣିଷ ମଲେ, ତାହା ହୁଏତ ହିନ୍ଦୁ ଓ ମୁସଲମାନ ଉଭୟଙ୍କୁ ହସାଇବ । ସେହି ଘଟଣାରୁ ସେଠାରେ ଯେଉଁ ଉତ୍ତେଜନା ଏବଂ ଅନ୍ଧତାର ସୁଅ ବହିଲା, ତାହାର ପଟୁଗୁଡ଼ାକ ସେଠି ଭୂଇଁରୁ ଏପର୍ଯ୍ୟନ୍ତ ମଧ୍ୟ ଛାଡ଼ିନାହିଁ ।

 

ଏହି ଦେଶର ବର୍ତ୍ତମାନ ପରିସ୍ଥିତିକୁ ପ୍ରକୃତରେ ଏକ ଅସାମାନ୍ୟ ପରିସ୍ଥିତି ବୋଲି କହାଯିବ, ଯାହାଫଳରେ କି ସାମାନ୍ୟ ଘଟଣାଗୁଡ଼ିକୁ କେନ୍ଦ୍ରକରି ଏଠି ସାଙ୍ଘାତିକ କାଣ୍ଡମାନ ଘଟିଯାଉଛି, ମଣିଷଗୁଡ଼ାକ ପଶୁପରି ତାତି ଉଠୁଛନ୍ତି, ପୋଲିସମାନେ ବି ଭୁସ୍‍କରି ସେମାନଙ୍କୁ ଜବତ କରିବାକୁ ମାଡ଼ିଆସୁଛନ୍ତି । ସେହି ଅସାମାନ୍ୟ ପରିସ୍ଥିତି କୌଣସି ମନ୍ଦଗ୍ରହର ପରିଣାମ ନୁହେଁ, ଏହାକୁ ମଣିଷମାନେ ଦୀର୍ଘଦିନଧରି ଆପଣାର ଅଯୋଗ୍ୟତା ଏବଂ ଲୋଲୁପତା ଦେଇ ତିଆରି କରିଛନ୍ତି । ମଣିଷ, ଅନ୍ତତଃ କୌଣସି ସମାଜର ଅଧିକାଂଶ ମଣିଷ ଯେଉଁଠି ଭୂଇଁ ଉପରେ ବିଶ୍ୱାସ ରଖିଥାନ୍ତି, ସେଠାରେ ସାମାନ୍ୟ କାରଣଗୁଡ଼ାକୁ କେନ୍ଦ୍ର କରି କଦାପି କୌଣସି ଅସାମାନ୍ୟ କାଣ୍ଡ ଘଟେନାହିଁ । ଭୂଇଁ ଉପରେ ବିଶ୍ୱାସ ତୁଟିଗଲେ ମଣିଷ ମାରଣା ହୋଇଯାଏ, ତାପରେ ସେ ନିଜ ଭାଗ୍ୟକୁ ନିଜ ହାତରେ ନିଏ, ଆଖି ବୁଜି ସାମାନ୍ୟ ପ୍ରରୋଚନାରେ ବି ସିଙ୍ଗ ଭୂଷିଦେବ ବୋଲି ବାହାରେ । ଅନ୍ୟମାନଙ୍କର ବି ଯୋଡ଼ାଏ ଯୋଡ଼ାଏ ସିଙ୍ଗ ଥିବ ଓ ସେମାନେ ବି ନିଶ୍ଚୟ ଭୂଷିବାକୁ ବାହାରି ଆସିବେ ବୋଲି ସେତେବେଳେ ତା’ର କୌଣସି ହୋସ୍ ରହେନାହିଁ ।

 

ବର୍ତ୍ତମାନ ଆସ୍ଥା ରଖିପାରିବା ଭଳି ଆମ ଅନେକଙ୍କ ଗୋଡ଼ତଳେ ଆଦୌ କୌଣସି ଭୂଇଁ ନାହିଁ । ଦେଶରେ ହିନ୍ଦୁ ହୋଇ କେହି ନାହାନ୍ତି କି ମୁସଲମାନ ହୋଇ ବି କେହି ନାହାନ୍ତି । ସମସ୍ତେ ମାରଣା ହୋଇ ବାହାରିଛନ୍ତି । ସେମାନଙ୍କର ଆଖି ଆଗରେ ଘଟିଥିବା ଓ ଘଟୁଥିବା ଅନେକ ପ୍ରତାରଣା ସେମାନଙ୍କୁ କାଳକ୍ରମେ ଏପରି ମାରଣା କରି ପକାଇଛି । ତେଣୁ ଆପଣାକୁ ପ୍ରକୃତିସ୍ଥ କରି ଧରିରଖିପାରିବାର ଭୂମିଟି ସେମାନଙ୍କର ହାତରୁ ଛାଡ଼ିଯାଇଥିବା ପରି ଲାଗିଛି । ଅସନ୍ତୋଷ ଅତ୍ୟନ୍ତ ଆସ୍ଥାହୀନ ଓ ହତାଶ ହୋଇ ପଡ଼ିଲେ ଏହି ପରି ଘଟେ । ବ୍ୟକ୍ତିର ଜୀବନରେ ଘଟେ, ଜାତିର ଜୀବନରେ ଘଟେ ।

 

ଏକ ଅନ୍ୟ ସମୟ ଆସୁଛି । ପୁରୁଣା ମଞ୍ଚଗୁଡ଼ାକର ଦିନ ସରି ସରି ଆସୁଛି । ମାମୁଁମାନେ ଆପଣାର କାଳ ପୂରିବା ବିଷୟରେ ହୁଏତ ସଚେତନ ହୋଇ ଆସିଲେଣି । ତେଣୁ ଛଟପଟ ହେବାକୁ ଆରମ୍ଭ କଲେଣି । ଭୂଇଁ ତଥାପି ରହିଛି ।

 

୧୭ । ୧୧ । ୮୦

☆☆☆

 

ସରକାର ବଦ୍ଧପରିକର

 

ନାଗରିକମାନଙ୍କର ସମ୍ମାନ ଓ ନାରୀମାନଙ୍କର ଇଜ୍ଜତ ରଖିବାକୁ ସରକାର ବଦ୍ଧପରିକର ବୋଲି ସେଦିନ ଆମ ଗାଆଁ ପାଖ ସଭାରେ ବଡ଼ ମନ୍ତ୍ରୀ ଏଡ଼େ ପାଟିରେ କହିଲେ

 

ଦେଶକୁ ଗୋଟାସୁଦ୍ଧା ସରକାରୀ କରିଦେବାକୁ ସରକାର ପ୍ରକୃତରେ ବଦ୍ଧପରିକର । ବଢ଼ିପାଣିରେ ଆମେ ଭାସିଯାଉଥିବା ସମୟରେ ରାଜଧାନୀରୁ ଲଞ୍ଚ ପଠାଇବା ଲାଗି ସରକାର ବଦ୍ଧପରିକର । ଆମ ଭିତରୁ ଶହେରେ ପଞ୍ଚସ୍ତରି ଜଣଙ୍କୁ ଦରିଦ୍ର ଓ ନିରକ୍ଷର କରି ରଖିବାକୁ ସରକାର ବଦ୍ଧପରିକର । ଆମ ଟଙ୍କାକୁ କୋଡ଼ିଏ ପଇସାର ସ୍ତରରେ ଆଣି ପହଞ୍ଚାଇବାକୁ ସରକାର ବଦ୍ଧପରିକର । ଆମ ଭିତରେ ଧର୍ମଭାବ ବଢ଼ାଇବାକୁ, ଆମ ଦୁର୍ଭାଗ୍ୟର ଗାତ ଗୁଡ଼ାକୁ ସାହିତ୍ୟ ଓ ସଂସ୍କୃତିଦେଇ ବନ୍ଦ କରିବାକୁ ବି ସରକାର ବଦ୍ଧପରିକର । ଆମ ସିନେମା ଶିଳ୍ପକୁ ଏକ ସ୍ଵଦେଶୀ ଶିଳ୍ପରେ ପରିଣତ କରିବାକୁ ସରକାର ଏକାନ୍ତ ବଦ୍ଧପରିକର । ସମସ୍ତେ ନ ହେଲେ ମଧ୍ୟ ଅନ୍ତତଃ କେତେଜଣ ମଣିଷ ଯେପରି ମାତ୍ର ତିନିଘଣ୍ଟା ଭିତରେ ଏଠୁ ଦିଲ୍ଲୀରେ ଯାଇ ପହଞ୍ଚିପାରିବେ, ସେଥିଲାଗି ଆକାଶମାର୍ଗରେ ପିଚୁରାସ୍ତା ପକାଇବାକୁ ସରକାର ବଦ୍ଧପରିକର । ଏ ଦେଶରେ କେହି ଦୁଃଖୀ ରହିବେ ନାହିଁ, କେହି ଅନାହାରରେ ମରିବେ ନାହିଁ ବୋଲି ଭୁରୁଡ଼ାଙ୍କ ପରି କହିହେବାକୁ ମଧ୍ୟ ସରକାର ବଦ୍ଧପରିକର ।

 

ଆମକୁ ନାଗରିକ ବୋଲି କହି ଆମର ସମ୍ମାନ ରକ୍ଷା କରିବାକୁ କିମ୍ବା ଆମ ମାଆ ଭଉଣୀମାନଙ୍କୁ ନିଜର ମାଆ-ଭଉଣୀ ବୋଲି ଭାବି ସେମାନଙ୍କର ଇଜ୍ଜତ ରକ୍ଷାଲାଗି ବଦ୍ଧପରିକର ହେବା ଆଗରୁ ବିଚରା ମନ୍ତ୍ରୀମାନେ ଯଦି ନିଜେ ନିଜର ସମ୍ମାନ ରକ୍ଷା କରିପାରନ୍ତେ ଓ ନିଜର ଇଜ୍ଜତକୁ ମାନିପାରନ୍ତେ, ତେବେ ତାହା ଆମ ମହୁଡ଼ଟିକୁ କେଡ଼େ ସୁନ୍ଦର ଦିଶନ୍ତା ! ସ୍ଵାଧୀନ ଭାରତବର୍ଷରେ ଆମ ସରକାର ବୋଲାଇବାକୁ ଗଙ୍ଗାମାନେ ଆସିଛନ୍ତି, ଗାଙ୍ଗୀମାନେ ବି ଆସିଛନ୍ତି । ସେମାନେ ଏଡ଼େ କାଙ୍ଗାଳଙ୍କ ପରି ଆମ ଘରଗୁଡ଼ାକ ଭିତରେ ପଶିଛନ୍ତି ଯେ, ତଦ୍ୱାରା ନିଜେ ସମ୍ମାନ ହରାଇଛନ୍ତି, ଇଜ୍ଜତ ହରାଇଛନ୍ତି । ଏହି ଦେଶର ହାଉଆକୁ ବି ଦୂଷିତ କରିପକାଇଛନ୍ତି । ଏଠି ଯାବତୀୟ ବିଶ୍ୱାସକୁ ହତ୍ୟା କରିଛନ୍ତି । ଆମର ଏହି ବଜାରକୁ ଭଣ୍ଡୁର କରିଛନ୍ତି । ଏସବୁ କରି ସେମାନେ ଦିହଯାକ ପଙ୍କ ବୋଳି ହୋଇ କେଡ଼େ ସାନ ହୋଇ ନିଜର ଅସଲ ପରୀକ୍ଷାଗୁଡ଼ାକରେ ଫେଲ୍ ମାରିଛନ୍ତି ।

 

ଆମ ସରକାର ଆମ ବିଶ୍ୱାସର ଯୋଗ୍ୟ ହେଉ, ଆମ ଘରର ଯୋଗ୍ୟ ହେଉ । ତେବେଯାଇ ନାଗରିକମାନଙ୍କର ସମ୍ମାନ ରହିବ । କେବଳ ନାରୀ ମାନଙ୍କର ନୁହେଁ । ଆମ ସମସ୍ତଙ୍କର ଇଜ୍ଜତ ରହିବ ।

 

୨୯ । ୧୧ । ୮୦

☆☆☆

 

ଆଲଜିରିଆର ହିରୋ

 

ଆଲ୍‍ଜିରିଆର ବେନ ବେଲ୍ଲା ଖଲାସ ହେଲେ । ଅବଶ୍ୟ ଏକଥା ସତ ଯେ ତାଙ୍କୁ ଗତବର୍ଷ ବନ୍ଦିଶାଳାରୁ ଖଲାସ କରି ଦିଆଯାଇଥିଲା ଏବଂ ତାଙ୍କ ନିଜ ଗୃହରେ ଅନ୍ତରୀଣ ବନ୍ଦୀ କରି ରଖାଯାଇଥିଲା । ୧୯୬୫ ମସିହାରୁ ସେପର୍ଯ୍ୟନ୍ତ ସିଏ ଜେଲ ଭିତରେ ଥିଲେ । ଆଲ୍‍ଜିରିଆର ସ୍ୱାଧୀନତା ସଂଗ୍ରାମରେ ତାଙ୍କରି ଜଣେ ସହକର୍ମୀ ଏକଦା ତାଙ୍କୁ କାରାରୁଦ୍ଧ କରି କ୍ଷମତାକୁ ଆସିଥିଲେ । ଦୁଇ ନମ୍ବରରୁ ଏକ ନମ୍ବର ହେବାର ଆକାଂକ୍ଷାରେ ସେ ନିଜ ଗୁରୁଙ୍କ ଗୋଛି କାଟିଲେ-। ଗତବର୍ଷ ତାଙ୍କର ରାଜତ୍ୱ ସରିଲା; ତାଙ୍କର କାଳହେଲା । ତାଙ୍କ ପରେ ଯେଉଁମାନେ ସିଂହାସନକୁ ଆସିଲେ, ସେମାନେ କୃପାପରବଶ ହୋଇ ବେନ ବେଲ୍ଲାଙ୍କୁ ଜେଲରୁ ଖଲାସ କରି ଘରକୁ ଅନ୍ତରୀଣ କରିଆଣିଲେ । ସିଏ ଏତେଦିନକେ ଯାଇ ପୂର୍ଣ୍ଣ ଭାବରେ ମୁକ୍ତ ହେଲେ ।

 

ସାମ୍ରାଜ୍ୟବାଦର ଶେଷ ପର୍ଯ୍ୟାୟରେ ଉପନିବେଶଗୁଡ଼ିକୁ ସ୍ଵାଧୀନ ରାଷ୍ଟ୍ରରେ ପରିଣତ କରିବା ଲାଗି ପୃଥିବୀବ୍ୟାପୀ ଯେଉଁ ସଂଗ୍ରାମ ହୋଇଛି, ସେଥିମଧ୍ୟରୁ ଆଲ୍‍ଜିରିଆର ମୁକ୍ତି ସଂଗ୍ରାମରେ ହିଁ ସବୁଠାରୁ ଅଧିକ ରକ୍ତ ଜଳାହେଇଛି; ସବୁଠାରୁ ଅଧିକସଂଖ୍ୟକ ଲୋକ ମରିଛନ୍ତି । ସେତିକିବେଳେ ସଂଗ୍ରାମର ସେନାପତି ରହି ସଂଗ୍ରାମକୁ ଈପ୍‌ସିତ ପରିପୂର୍ଣତା ଆଡ଼କୁ ପରିଚାଳିତ କରିନେଇଛନ୍ତି ବେନ୍ ବେଲ୍ଲା । ସେତେବେଳେ ସମଗ୍ର ପୃଥିବୀ ଜଣେ ବୀରର ସମ୍ମାନ ଦେଇ ତାଙ୍କୁ ଦେଖିଛି, ତାଙ୍କର ନାୟକତ୍ୱରେ ସ୍ତମ୍ଭୀଭୂତ ହୋଇଛି । ଆଲ୍‍ଜିରିଆ ସ୍ଵାଧୀନ ହେବା ପରେ ଯେତେବେଳେ ବେନ୍ ବେଲ୍ଲା ସେଠାରେ ରାଷ୍ଟ୍ରମୁଖ୍ୟ ରୂପେ ଆସୀନ ହୋଇଛନ୍ତି, ସେତେବେଳେ ସମଗ୍ର ଜଗତ ତାଙ୍କର ସ୍ୱାଗତ କରିଛି ।

 

ତା’ପରେ ଆଲ୍‍ଜିରିଆର ନବଗଠନ ଆରମ୍ଭ ହୋଇଛି । ଦେଶକୁ ତଳଆଡୁ ନ ଗଢ଼ି ଉପରୁ ଜବରଦସ୍ତି ବଦଳାଇ ଦିଆଯିବାଲାଗି କେତେ ଚେଷ୍ଟା କରାଯାଇଛି । ବନ୍ଧୁକ ଓ ଖଣ୍ଡାର ବଳରେ ଆଦର୍ଶ ରାଷ୍ଟ୍ରର ନମୁନାଟାଏ ଆଣି ଲଦିଦେବାର କେତେ ଉତ୍ତେଜିତ ଉଦ୍ୟମମାନ ହୋଇଛି-। ତା’ପରେ ବନ୍ଧୁକଧାରୀ ସର୍ଦାରମାନେ ନିଜ ନିଜ ଭିତରେ ଲଢ଼ିବାକୁ ଆରମ୍ଭ କରିଦେଇଛନ୍ତି-। କ୍ଷମତା ଛଡ଼ାଇନେବାର ଓ କ୍ଷମତା ଆତ୍ମସାତ କରିବାର ନାନା ଦ୍ୱନ୍ଦ୍ୱଯୁଦ୍ଧ ଚାଲିଛି । ବେନ୍ ବେଲ୍ଲାଙ୍କୁ ପଦଚ୍ୟୁତ କରାଯାଇଛି; ସମ୍ମାନଚ୍ୟୁତ କରାଯାଇଛି ।

 

ବିଶ୍ଵ-ରାଜନୀତିରେ ଏହିପରି ଏକ ବିଚିତ୍ର ବିଡ଼ମ୍ବନାର ଏକାଧିକ ଦୃଷ୍ଟାନ୍ତ ରହିଛି । ବିଶେଷତଃ ଏସିଆ, ଆଫ୍ରିକା ଓ ଲାଟିନ୍ ଆମେରିକାରେ ଏହାର ଭଳି ଭଳି ଅଭିନୟ ହୋଇଛି । ଏବେ ବି ହେଉଛି । ରାଜନୀତି ଅମାନୁଷିକ ହୋଇ ରହିଛି, ନେତୃତ୍ଵ ଭିତରେ ଜ୍ୱର ଭର୍ତ୍ତି ହୋଇ ରହିଛି । ଦେଶ ଚୁଲିକୁ ଯାଉଛି, ଲୋକେ ବୁଲିକୁ ଯାଉଛନ୍ତି, ଆଦର୍ଶଗୁଡ଼ାକ ବି ଚୁଲିକୁ ଯାଉଛନ୍ତି । ନୂଆ ହିରୋମାନେ ବନ୍ଧୁକ ଉପରେ ଅଧିକ ଭରସା ରଖିବାକୁ ମନ କରୁଛନ୍ତି । ପ୍ରଜା-ଚକ୍ଷୁରେ ହିରୋମାନ ମୂଲ୍ୟରେ ମଧ୍ୟ ଭାରି ହ୍ରାସ ଘଟୁଛି । ହୁଏତ ସଂଗ୍ରାମୀ ବେନ୍ ବେଲ୍ଲା କ୍ଷମତା ଭିତରେ ନିଜକୁ ଅନ୍ଧ ଓ ପ୍ରଚଣ୍ଡ କରି ପକାଇବାରୁ ତାଙ୍କର ଏହି ଦଶା ହୋଇଛି । ତଥାପି ସିଏ ଆମ ସମସ୍ତଙ୍କର ମନେରହିବେ, ସଂଗ୍ରାମର ବନ୍ଧୁ ହୋଇ ମନେରହିବେ, ସାହସୀ ସେନାପତି ରୂପେ ମନେରହିବେ ।

 

୦୭ । ୧୨ । ୮୦

☆☆☆

 

ମହାଜନ–ସମାଶ୍ରିତମ୍

 

ଆଗେ ଓଡ଼ିଶାରେ ଆମ ସାହିତ୍ୟ ରାଜାମାନଙ୍କୁ ଆଶ୍ରୟକରି ରହୁଥିଲା । ରାଜାଙ୍କର ଅନୁଗ୍ରହ ହେଲେ ସାହିତ୍ୟର ଗଛରେ ଫଳ ଫଳୁଥିଲା । ରାଜା ସଭା ଯୋଗାଇ ଦେଉଥିଲେ, ଶ୍ରୋତା ଯୋଗାଇ ଦେଉଥିଲେ—ସେହି ସଭାରେ ସ୍ୱୟଂ ପୁରୁଷସିଂହ ଓ କନ୍ଦର୍ପରାଜ ହୋଇ ବସୁଥିଲେ, କବି ଠାକୁରମାନଙ୍କ ନାଆଁରେ କାବ୍ୟ ଲେଖି ରାଜାଙ୍କର କାମଜାଗରଣ କରୁଥିଲା ଏବଂ ରାଜା ହର୍ଷ ପୁଲକିତ ହୋଇ କାବ୍ୟକାରକୁ ତା’ ଉପକାର ସକାଶେ ଆଶୀର୍ବାଦ ଦେଉଥିଲେ, ଅସରପି ଦେଉଥିଲେ ।

 

ବହିଗୁଡ଼ାକ କହୁଛନ୍ତି ଯେ ସେହି ଯୁଗ ଚାଲିଗଲାଣି । ସେ ଯୁଗ ଯାଇନାହିଁ, ଅଛି । ଖାଲି ସେ କାଳର ବୁଢ଼ାମାନଙ୍କ ଭିତରେ ନୁହେଁ, ଏ କାଳରେ ନାନା ମନ୍ଦାଗ୍ନିର କବଳରେ ପଡ଼ି ଯେଉଁ ଟୋକାମାନେ ମଧ୍ୟ ଅକାଳରେ ବୁଢ଼ା ହେବାକୁ ମନକଲେଣି, ସେମାନଙ୍କ ଭିତରେ ବି ରହିଛି । ସେମାନେ କେଡ଼େ ସୁନ୍ଦର ଭାବରେ ଗୋଡ଼ ଭାଙ୍ଗି ଠିଆହୋଇ ଜାଣିଲେଣି, ହାତରେ ତାମ୍ବୁଳ ଧରାଇଦେଇ ଜାଣିଲେଣି, ମଲ୍ଲୀମାଳ ପିନ୍ଧାଇ ମନ ତୋଷି ଜାଣିଲେଣି । ମାଧୁର୍ଯ୍ୟଗୁଡ଼ାକୁ ଚାତୁର୍ଯ୍ୟର ସମବାଚ୍ୟ କରି ରଖିବାରେ ସେମାନେ ରୀତି-ଯୁଗର ଯାବତୀୟ ରୀତିକୁ ଟପିଗଲେଣି । ରୀତିଗୁଡ଼ାକ ଖାଲି ସଭାରେ ରହିଥିବା ସମୟରେ ହୁଏତ ତାହାଦ୍ଵାରା ଆଦୌ ଏତେ ବେଶି ବିଡ଼ମ୍ବନା ଘଟେ ନାହିଁ; ମାତ୍ର ସେହି ରୀତି ରାଜନୀତିର ଜଙ୍ଗଲ ଭିତରେ ଆସି ପଶିଲେ ସେଠାରେ ସାହିତ୍ୟ ଘରେ ସମସ୍ତଙ୍କ ସହିତ ଏକତ୍ର ଏକା ପଂକ୍ତିରେ ଯାଇ ବସିଥିଲେ ମଧ୍ୟ ମୋଟେ କାହାରିକୁ ଚିହ୍ନିହୁଏ ନାହିଁ । ଚାହାଣିଗୁଡ଼ାକ ଓ ହସଗୁଡ଼ାକ ଖାଲି କଣ୍ଟା ପରି ଫୋଡ଼ି ଫେଡ଼ି ଦିଅନ୍ତି । ବାହାଦୁରିଗୁଡ଼ାକ ଭୀରୁତାଗୁଡ଼ାକ ଭିତରେ ପଡ଼ି ଭଣଭଣ ହେଉଥାଏ । ପ୍ରଶସ୍ତିଗୁଡ଼ାକ କପଟତା ବୋଲି ଭାରି ଧରାପଡ଼ିଯାଉଥାଏ । ସାହିତ୍ୟିକତାର ଯାବତୀୟ ଦଉଡ଼ କଳାର ମଣ୍ଡପଟାକୁ ତୁଚ୍ଛା ଗୋଟାଏ କିଆବଣରେ ପରିଣତ କରି ରଖିଥାଏ ।

 

ସାହିତ୍ୟ ହେଉଛି ଜୀବନର ସନ୍ତକ, ଯୌବନର ସନ୍ତକ । ତାହା ବାଟ ଦେଖାଇବ । ପର୍ବତ ଡେଇଁବାର ସାହସ ଦେବ, ହିରଣ୍ମୟ ପାତ୍ରଗୁଡ଼ାକୁ ଭାଙ୍ଗିବାର ଉଦବୋଧନ ଦେବ । ସିଏ ମହାଜନକୁ ମାନିବ ନାହିଁ, ସିଏ କାହାରି ଆଶ୍ରୟକୁ ମାନିବ ନାହିଁ । ଯୋଉଁଠି ଯୁବଲେଖକ ମହାଜନ-ସମାଶ୍ରିତ ହୋଇ ରହିଛି, ସେଠି ଯୌବନକୁ ଗିଳିବା ପାଇଁ କୃତିମତା ପ୍ରକୃତରେ କେଡ଼େ ବଡ଼ ଫାନ୍ଦ ଯେ ନ ବସାଇଛି, ସେ କଥା ଆପଣ ଭାବିକରି କହିଲେ ।

 

୧୦ । ୧୨ । ୮୦

☆☆☆

 

ପ୍ରଳୟ-ପୟୋଧି-ଜଳେ

 

ତେଣେ ହୀରାକୁଦ ବନ୍ଧ ଥାଉ ଥାଉ ଯେ ଏଣେ ତଳେ ମହାନଦୀର ତ୍ରିକୋଣଭୂମିରେ ନଈଗୁଡ଼ାକର ବନ୍ଧ ଭାଙ୍ଗି ଗାଆଁଗଣ୍ଡା ଉଚ୍ଛନ୍ନ ହୋଇଗଲା, ତାହାକୁ କେବଳ କୌଣସି ଏକ ଭୂତର କାଣ୍ଡ ଛଡ଼ା ଆଉ କଣ କୁହାଯାଇ ପାରିବ ? କିମ୍ବା କେବଳ ଭଗବାନଙ୍କର ବରାଦ ବ୍ୟତୀତ ବି ଆଉ କ’ଣ କୁହାଯାଇ ପାରିବ ?

 

ଯୋଉଠି ମୁଣ୍ଡ ଉପରେ ଭୂତମାନେ ବସି ଶାସନ କରୁଥାନ୍ତି ଓ ଯାବତୀୟ ଦୁଃଖ ଲାଗି ଜୀବନର କବାଟଗୁଡ଼ାକୁ ମେଲାକରି ବସିଥିବା ଲକ୍ଷ ଲକ୍ଷ ଲୋକଙ୍କ ସକାଶେ ମୁଣ୍ଡ ଉପରେ କେବଳ ଭଗବାନଙ୍କୁ ଛାଡ଼ିଦେଲେ ଆଉ କେହିହେଲେ ନଥାନ୍ତି, ସେଠି ଏହିପରି ଭାବରେ ନଈବନ୍ଧ ଥାଇ ମଧ୍ୟ ନଈବନ୍ଧ ଭାଙ୍ଗେ ଓ ଘାଇ ହୁଏ, ଏହିପରି ଭାବରେ କୋଟି କୋଟି ଖରଚ ହୋଇ ମଧ୍ୟ ଗାଆଁଗଣ୍ଡା ଉଚ୍ଛନ୍ନ ହୋଇଯାଏ । ବଡ଼ଲୋକମାନେ ତତ୍‍କ୍ଷଣାତ୍ ଛୁଟିଯାଆନ୍ତି ଓ ରିଲିଫ୍‍ ବାଣ୍ଟନ୍ତି । ସିଆଣିଆ ଆଉ ଅସିଆଣିଆଙ୍କର ଏମିତି ଏକ ମୁହୂର୍ତ୍ତରେ ଭେଟ ହୋଇଯାଏ । କେତେକ ମଣିଷ ଯେ ତଥାପି ଦୟାବନ୍ତ ଏବଂ ଧର୍ମବନ୍ତ ହୋଇ ଆମ ଅରକ୍ଷିତମାନଙ୍କ ସହିତ ରହିଛନ୍ତି, ତାହାର ଏକ ପ୍ରମାଣ ମିଳିଯାଏ ।

 

ଗୋଟାଏ ଦେଶ ସ୍ଵାଧୀନ ହେବାର ତିରିଶ ବର୍ଷ ପରେ ବି ଯେଉଁ ଦେଶରେ ଅଧିକରୁ ଅଧିକ ମଣିଷ ତଥାପି ଏଡ଼େ ଅସହାୟ ହୋଇ ରହିଛନ୍ତି, ଭାଗ୍ୟ ଓ ଭଗବାନଙ୍କର ବରାଦକୁ ମାନି କଷଣ କାମୁଡ଼ି ରହିଛନ୍ତି, ସେହି ଦେଶର କର୍ଣ୍ଣଧାରମାନଙ୍କୁ ପ୍ରକୃତରେ ଭାରି କପାଳିଆ ବୋଲି କହିବାକୁ ହେବ । ଏଡ଼େ ଏଡ଼େ ସଙ୍କଟ ପଡ଼ୁଥିବା ବେଳେ ମଧ୍ୟ ସେମାନଙ୍କର ଭୂଇଁଗୁଡ଼ାକ ଯେ ମୋଟେ ଦୋହଲି ଯାଉନାହିଁ, ତାହାକୁ ସେମାନଙ୍କର କପାଳ ବୋଲି ହିଁ କହିବାକୁ ହେବ । ଗୋଟାଏ ସ୍ଵାଧୀନ ଦେଶରେ ଦୀର୍ଘ ଗୋଟାଏ ପୁରୁଷ ମଧ୍ୟରେ ହୁଏତ ସବା ଆଗ ଏହି ରାଜନୀତିକ ଚେତନାର ହିଁ ଅଭିବୃଦ୍ଧି ଘଟିଥାଆନ୍ତା । ଏଠି ଗୋଟାଏ ପୁରୁଷ ଭିତରେ ଯେଉଁମାନେ ମନକରି ରାଜନୀତିକୁ ଆସିଲେ, ଆପଣାର କାରବାରଗୁଡ଼ାକର ଜରିଆରେ ସେମାନେ ନାଲିପାନ ହେଲେ ଓ ଠିକିରି ହେଲେ ସିନା; କିନ୍ତୁ ଏ ଦେଶର ମଣିଷଗୁଡ଼ାକର ଗାଲରେ ଭଲକରି ଚୈତନ୍ୟ ମାରିଲେ । ମଣିଷମାନଙ୍କୁ ବକା କରି ରଖିଲେ ।

 

ଚୀନ ଦେଶରେ ଯଦି ହୋୟାଙ୍ଗ-ହେ ସମ୍ଭାଳି ରହି ପାରିଲା, ତେବେ ଭାରତରେ ଏତେଗୁଡ଼ାଏ ମତି ଓ ଏତେଗୁଡ଼ାଏ ସଂସ୍କୃତି ଥାଇ ମଧ୍ୟ ଛାର ମହାନଦୀଟା କାହିଁକି ଅକ୍ତିଆରକୁ ନଆସିପାରିଲା, ଯୁଗ ଯୁଗଧରି ପ୍ରଳୟ ଘଟାଇ ଆସିଥିବା ପାଣିଗୁଡ଼ାକ ମଣିଷର ମଙ୍ଗଳରେ ଲାଗି ନପାରିଲା କାହିଁକି ?

 

୧୨ । ୧୨ । ୮୦

☆☆☆

 

ସହଜକ ସମୀକରଣ

 

ସେଦିନ ବକ୍ତା କହିଲେ, ପ୍ରଥମେ ଭାରତବର୍ଷରେ ସୁନା ଫଳୁଥିଲା । ସେତେବେଳେ ସ୍ଵର୍ଣ୍ଣଯୁଗ ରାଜତ୍ଵ କରୁଥିଲା । ସମସ୍ତେ ସୁଖରେ ଥିଲେ, ସମସ୍ତେ ସଜ୍ଜନ ଥିଲେ; ଧର୍ମରେ ଥିଲେ, ଧାରା ଭିତରେ ରହିଥିଲେ । ଏଠାରେ ସ୍ଵର୍ଗର ଶାନ୍ତି ବିରାଜମାନ କରୁଥିଲା । ସ୍ଵୟଂ ଦେବତାମାନେ ହିଁ ଏହି ଦେଶକୁ ଭଲ ପାଉଥିଲେ । ଧର୍ମ, ଅର୍ଥ, କାମ ଓ ମୋକ୍ଷ ଚାରୋଟିଯାକ ବର୍ଗରେ ହିଁ ଦେଶଟାଯାକ ଉଜ୍ଜ୍ୱଳ ହୋଇ ରହିଥିଲା; ବର୍ଣ୍ଣାଢ୍ୟ ହୋଇ ରହିଥିଲା ।

 

ତା’ପରେ ଯବନମାନେ ଆସିଲେ । ଦେଶକୁ ଦୁର୍ଭାଗ୍ୟ ଘୋଟିଗଲା । ଆର୍ଯ୍ୟମାନଙ୍କର ସ୍ଵର୍ଗଭୂମି ଗୋଟା ସୁଦ୍ଧା ମାରାହୋଇଗଲା । ପତନ ଆରମ୍ଭ ହୋଇଗଲା । ଧର୍ମ ଗଲା, କର୍ମ ଗଲା, ମହତ ଗୁଡ଼ାକ ବି ଲଟା ଭିତରେ ଯାଇ ପଶିଲା । ଆର୍ଯ୍ୟ ସଂସ୍କୃତି ନଷ୍ଟ ହୋଇଗଲା । ଶୁଦ୍ଧମାନେ ଛୁଆଁ ହୋଇଗଲେ, ବର୍ଣ୍ଣସଙ୍କରମାନଙ୍କର ଉଦ୍‌ଭବ ହେଲା । ପବିତ୍ର ଭୂମି ପତିତ ହୋଇଗଲା !

 

ସବାଶେଷକୁ ରଙ୍ଗା ମୁହାଁ ଆସିଲେ । ସେମାନେ ବେପାର କରି ଆମର ଦେଶଟାକୁ । ପଦାନତ କରି ରଖିଲେ । ଫିରିଙ୍ଗୀ ମାନଙ୍କର ପବନ ବାଜି ଆମ ବାୟୁମଣ୍ଡଳଟା ହିଁ ଖରାପ ହୋଇଗଲା । ଆମର ସଂସ୍କୃତି ଗଲା, ସଂସ୍କାର ଗଲା, ଆଚାର ଗଲା, ଆଚରଣଗୁଡ଼ାକ ବିକୃତ ହୋଇଗଲା । ଆମ ପିଲାମାନେ ଆଉ ଘରକୁ ଲୋଭ ନକରି ମ୍ଳେଚ୍ଛପଣିଆକୁ ଲୋଡ଼ିଲେ । ଭ୍ରଷ୍ଟ ହେଲେ, ମୂଲ୍ୟହୀନକୁ ମୂଲ୍ୟ ବୋଲି କହିଲେ । ଅସାର ଭିତରେ ପଶିଲେ । ଦେଶର ଅଧଃପତନ ପୂର୍ଣ୍ଣବୃତ୍ତ ହେଲା ।

 

ଇତିହାସ କହିଲେ ଯେଉଁମାନେ ଏମିତି ସହଜ ଭାବରେ ଉପରୁ ତଳକୁ ଓହ୍ଲାଇଆସନ୍ତି ଏବଂ ଏହି ତଳକୁ ଓହ୍ଲାଇଆସିବା ଲାଗି ଅପରକୁ ଦୋଷ ଦିଅନ୍ତି, ସେମାନେ ସତେ ଭାରି ଅଳପରେ ସନ୍ତୁଷ୍ଟ ହୋଇ ଯାଆନ୍ତି । ନିଜ ଘରର ଝରକାଗୁଡ଼ାକୁ ହିଁ ସେମାନେ ଘରଲାଗି ସବୁଠାରୁ ବଡ଼ ପ୍ରମାଦ ବୋଲି କହନ୍ତି । ସେମାନେ ସଂକ୍ରମଣକୁ ଡରନ୍ତି, ସଂପ୍ରସାରଣକୁ ଡରନ୍ତି । ସେମାନେ ନିଶା ଖାଇ ଆପଣାର ସାନ କୂଅଟି ଭିତରେ ଅଳପ ହୋଇ ପଡ଼ିଥାଆନ୍ତି । ବୃହତ୍‍କୁ ଡରନ୍ତି ।

 

ଦେଶକୁ ଜାଣିବା, ଦେଶର ଇତିହାସକୁ ଜାଣିବା—ଅର୍ଥାତ୍‍ ଆପଣାର ବର୍ତ୍ତମାନକୁ ଏକ ଆହ୍ୱାନର ସମ୍ମୁଖୀନ କରାଇବା । ଆପେ ସେହି ଆହ୍ୱାନର ସମ୍ମୁଖୀନ ହେବା ଲାଗି ଯୋଗ୍ୟ ହେବା-। ଭାରତବର୍ଷ ଏପରି ଏକ ଦେଶ, ଯେଉଁଠି ପୃଥିବୀଯାକର ମଣିଷ ଓ ପଥିବୀଯାକର ସଂସ୍କୃତି ଗୋଟିଏ ଆକାଶର ବିସ୍ତାର ମଧ୍ୟରେ ପରସ୍ପରକୁ ସ୍ପର୍ଶ କରିଛନ୍ତି । ଆମେ ଯେଉଁମାନେ ତଥାପି ଅତୀତର ଏକ କଳ୍ପିତ ସ୍ୱର୍ଣ୍ଣଯୁଗକୁ ଝୁରି ଘୃଣାରେ ଫୁଲି ଏଠି ସେହି ଆକାଶକୁ ଖଣ୍ଡ ଖଣ୍ଡ କରିବାକୁ ମନକରୁଛୁ, ସେମାନଙ୍କୁ କେବଳ ହତଭାଗ୍ୟ ବୋଲି କହିବାକୁ ହେବ; ଅଧମ ବୋଲି କହିବାକୁ ହେବ ।

 

୧୯ । ୧୨ । ୧୯୮୦

☆☆☆

 

ସବୁ ଯୋଡ଼ିଯାଡ଼ି ହୋଇ ରହିଛି

 

ଏବେ ଚାଲିବାବେଳେ କେବଳ ଛୁରୀଗୁଡ଼ାକ ହିଁ ଚାଲୁଛି । କେଉଁ କାରଣରୁ ଛୁରୀ ଚାଲୁଛି, ସେକଥା ପଚାରିବାକୁ ବି ବେଳ ନାହିଁ । ଆପଣା ଭିତରୁ ସବୁଯାକ ବିଶ୍ୱାସ ଅତ୍ୟନ୍ତ ଦୟନୀୟ ଭାବରେ ବିଲୁପ୍ତ ହୋଇଗଲେ ଯେଉଁ ଅନ୍ଧତା ଓ ଅବିଶ୍ୱାସକୁ ମଣିଷ ବିଶ୍ୱାସ ବୋଲି ଜାବୁଡ଼ିଧରି ଦାଣ୍ଡକୁ ବାହାରେ ଓ ଗୋଟାଏ ଚୋଟରେ ହିଁ ଅସମାହିତଗୁଡ଼ିକର ସମାଧାନ କରିଦେବାକୁ ମନକରେ, ପ୍ରାୟ ସେହିପରି ଏକ ଅନ୍ଧତା ଏବଂ ଅବିଶ୍ୱାସ ସହିତ ଏବେ ଛୁରୀ ଚାଲିଛି-। ଛୁରୀଗୁଡ଼ାକ ମଣିଷକୁ ଏକାବେଳକେ କାବୁ କରିନେଇଛନ୍ତି । ମଣିଷକୁ ଏକାବେଳକେ ଗିଳିପକାଇଛନ୍ତି ।

 

ଏହି ଛୁରୀ ଚାଲିବା ସହିତ ସବୁ କିଛି ଯୋଡ଼ିଯାଡ଼ି ହୋଇ ରହିଛି । ମଣିଷର । ବିଶ୍ଵାସଗୁଡ଼ାକୁ ଭାଙ୍ଗି ତାକୁ ନିଜ ପାଖରେ ଅଣଆୟତ୍ତ କରିପକାଇବା ଲାଗି ନୀତିଠାରୁ ରାଜନୀତି ପର୍ଯ୍ୟନ୍ତ ଯେତେ ଯାହା ଷଡ଼ଯନ୍ତ୍ର କରିବାରେ ଲାଗିଛନ୍ତି ଓ ମଣିଷର ଇଜ୍ଜତ ନେଇ ତାକୁ ଗଧ କରି ଗଢ଼ିବାକୁ ଇଚ୍ଛାକରିଛନ୍ତି, ସେମାନେ ସମସ୍ତେ ପରସ୍ପର ସହିତ ଯୋଡ଼ିଯାଡ଼ି ହୋଇ ରହିଛନ୍ତି । ଗତ ତିରିଶି ବର୍ଷର ଝିଅଗୁଡ଼ାକୁ ଧରି ଆପଣ ଥିର ହୋଇ ନିଜ ଭିତରକୁ ଅନାଇବାକୁ ଚେଷ୍ଟା କରନ୍ତୁ, ଦେଖିବେ, ଏହି ସବୁଗୁଡ଼ାକ ହିଁ ସାଁବାଳୁଆଙ୍କ ପରି ଆମ ଜୀବନର ଦିହଟା ଉପରେ ଲେସି ହୋଇ ରହିଛନ୍ତି । ନେତା ରହିଛି, ଫାଙ୍କି ଦେଇଛି; ପୁଅ ପାଠ ପଢ଼ିଛି, ତଥାପି ତାକୁ ଚାକିରି ମିଳିନାହିଁ; ଯୋଉମାନେ ମଫସଲକୁ ଆସି କଥାର ମଣ୍ଡା ଗଢ଼ି ଅସଲ ମଣ୍ଡାଗୁଡ଼ାକୁ ରାଜଧାନୀରେ ଖାସ୍ ନିଜ ପାଇଁ ତୋଳିବାର ଫିକର କରିଛନ୍ତି, ସେମାନେ ସତେ ଅବା ବଡ଼ଦାଣ୍ଡମାନଙ୍କରେ କଟୁଆଳ ବନି କେଡ଼େ ଶୋଭା ପାଇଛନ୍ତି । ଧାର୍ମିକତା ଓ ଧର୍ମବ୍ୟସନ ଭିତରେ ଧର୍ମ ମାଡ଼ଖାଇଯାଇଛି, ରାଜନୀତିଗୁଡ଼ାକ ଅନେକ ଅଧର୍ମ ପତ୍ନୀ ଆଦରି ଜନକପୁରୀ ମାନଙ୍କରେ ଭଣ୍ଡାରମାଲିକ ହୋଇ ବସିଛନ୍ତି ।

 

ତା’ପରେ ଇସ୍କୁଲମାନଙ୍କରୁ ପାଠପଢ଼ା ବିଦାୟ ହୋଇଯାଇଛି । ଗଣେଶ ଓ ସରସ୍ୱତୀ ବଜାରକୁ ଆସିଛନ୍ତି, ଚୋରଘରେ ମେଢ଼ ସଜା ହୋଇ ଚନ୍ଦ୍ରକଳାର ଛାଞ୍ଚ ଦେଇ ଦେବୀମାନଙ୍କର ଯେଉଁ ମୂର୍ତ୍ତିମାନ ତିଆରି ହୋଇଛି, ତାହାରି ସାମନାରେ ଆହୁରି ଅଧିକ ଉଚ୍ଚ ହୋଇ ବସି ଆମର କୃତୀ କଳାକାରମାନେ ଛବିଳ ଗୀତଗୁଡ଼ାକ ବୋଲି ସଂପୃକ୍ତ ଓ ଅସଂପୃକ୍ତ ସମସ୍ତଙ୍କର କାମହର୍ଷଣ କରିବାର ଆୟୋଜନ କରିଛନ୍ତି । ଏହି ସବୁଯାକ ଏକାଠି ମିଶି ଆମ ସମସ୍ତଙ୍କର ସହଯୋଗରେ ଯେଉଁ ସମୁଦ୍ର-ମନ୍ଥନର ବରାଦ କରିଛନ୍ତି, ସେଇଥିରୁ ଲକ୍ଷ୍ମୀଦେବୀଙ୍କ ପରି ଏହି ଛୁରୀର ଆବିର୍ଭାବ ହୋଇଛି । ତେବେ ମନ୍ଥନରୁ ଜାତ ହୋଇଥିବା ଅମୃତଗୁଡ଼ିକ ପାନକରୁଥିବା ମହାମିତ୍ରମାନ ହଠାତ୍ ବିଷ ଦେଖି ହାଲିଆ ହୋଇ ପଡ଼ୁଛନ୍ତି କାହିଁକି ?

 

୨୨ । ୧୨ । ୮୦

☆☆☆

 

ଡର ଆଉ ଦୁଷ୍ଟାମି

 

ଆଗେ ବାହାରେ ଡର ଥିଲା, ଯାବତୀୟ ଦୁଷ୍ଟାମି ଭିତରେ ରହିଥିଲା । ଏବେ ଦୁଷ୍ଟାମିଗୁଡ଼ାକ ଫୁଟି ଫୁଟି ଏକାବେଳକେ ବାହାରକୁ ବାହାରିପଡ଼ୁଛି ଓ ଭିତରେ ଡର ଭର୍ତ୍ତି ହୋଇ ରହିଛି ।

 

କୋଉଟା ଅଧିକ ଭଲ ବା କୋଉଟା ଅଧିକ ଖରାପ, ସେକଥା କିଏ କହି ପାରିବ କେଜାଣି ? ଅନେକ ଲୋକ କହନ୍ତି, ଆଗେ ଯାହା ଥିଲା, ଭାରି ଭଲ ଥିଲା । ଭିତରେ ଯାହା ହୁଅନ୍ତୁ ପଛକେ, ଅନ୍ତତଃ ବାହାରେ ଲୋକମାନଙ୍କର ଡର ରହିଥିଲା, ସମ୍ଭ୍ରମ ରହିଥିଲା । ସମାଜ ସୁରୁଖୁରୁରେ ଚଳିଯାଉଥିଲା । ସାନ ବଡ଼କୁ ସହିପାରୁନଥିଲା ସତ; କିନ୍ତୁ ବାହାରକୁ ସାନ ଓ ସୁନାପୁଅ ହୋଇ ରହିଥିଲା । ଅନ୍ତତଃ କେତେଜଣ ଭାରି ସୁଖରେ ଥିଲେ । ଘରଗୁଡ଼ାକର ଖୁଣ୍ଟମାନ ଠିକ୍ ଅଛି ବୋଲି ମନେହେଉଥିଲା । ଆହୁରି କେତେ ଲୋକ କହନ୍ତି, ନାଇଁ, ଦୁଷ୍ଟାମିଗୁଡ଼ାକ ଭିତରେ ଲୁଚିକରି ରହିବା ଅପେକ୍ଷା ବରଂ ବାହାରକୁ ବାହାରି ପଡ଼ିବା ଭଲ । ଆଗକାଳର ଅନେକ ଲୋକ ଏବେ ମଧ୍ୟ ଅଛନ୍ତି, ଯେଉଁମାନେ ବାହାରକୁ ଗୋଟାସୁଦ୍ଧା ଭଦ୍ର; ମାତ୍ର ଭିତରେ ଗୋଟାସୁଦ୍ଧା ପାଜି । ସେମାନେ ଉପରେ କେଡ଼େ ନିଜର ବୋଲି ମନେହେବେ; ମାତ୍ର ଭିତରେ ଗୋଛିକାଟିବାରେ ଲାଗିଥିବେ ।

 

କିନ୍ତୁ ଅସଲକଥା ସେଇଟା ନୁହେଁ । ଡର ଆଉ ଦୁଷ୍ଟାମି ହୁଏତ ଗୋଟାଏ କଥା । ଡରୁଆ ମଣିଷ ହିଁ ଯାବତୀୟ ଦୁଷ୍ଟାମି କରନ୍ତି ଓ ଦୁଷ୍ଟଗୁଡ଼ାକ ହିଁ ଜରି ଡରି ମରୁଥାନ୍ତି । ଯିଏ ଡରେନାହିଁ, ତା ଲାଗି ଦୁଷ୍ଟାମି କରିବାର ବି ଆଦୌ କୌଣସି ଆବଶ୍ୟକତା ନଥାଏ । ନିଜ ଭିତରର ବାଟଟିକୁ ପରିଷ୍କାର କରି ଦେଖି ନପାରିଥିବା ପର୍ଯ୍ୟନ୍ତ ମଣିଷ ଭିତରେ ଯାବତୀୟ ଡର ଭର୍ତ୍ତି ହୋଇ ରହିଥାଏ-। ନିଜ ଭିତରେ ଅସଲ ସହଯାତ୍ରୀଟିକୁ ନପାଇଥିବା ପର୍ଯ୍ୟନ୍ତ ମଣିଷ ଯୁଆଡ଼େ ଯାଏ, ସିଆଡ଼େ ଖାଲି ଖୁରି ଖାଇବାରେ ଲାଗିଥାଏ, ଦୁଷ୍ଟାମି କରିବାରେ ଲାଗିଥାଏ । ସିଏ କାହାରି ପାଖରେ ବି ସିଧା ହୋଇ ଠିଆହୋଇ ପାରୁନଥାଏ, ତେଣୁ ମୁଖା ପିନ୍ଧି ଲୁଚି ରହି ଥାଏ ଓ ମଉକା ପାଇଲେ ଚୁମୁଟି ଦେଇ ଯିବାକୁ ମନକରୁଥାଏ ।

 

ଆମ ଦେଶର ବର୍ତ୍ତମାନ ରାଜନୀତିରେ କେତେ ଡର ଆଉ କେତେ ଦୁଷ୍ଟାମି ! ଚାଣକ୍ୟଙ୍କର ରାଜନୀତିଶାସ୍ତ୍ରରେ ରାଜାମାନଙ୍କୁ ଡରୁଆ ଆଉ ଦୁଷ୍ଟ ଦୁଇଟିଯାକ ହେବାକୁ ପରାମର୍ଶ ଦିଆଯାଇଛି । ରାଜାମାନେ କାହାକୁ ବିଶ୍ୱାସ ନକଲେ ଯାଇ କୁଆଡ଼େ ଯଥାର୍ଥରେ ନିରାପଦ ହୋଇ ରହିପାରିବେ ବୋଲି କୁହାଯାଇଛି । କିନ୍ତୁ ଏଣେ ଯେତିକି ଡରୁଥିବେ, ସେତିକି ଆପଣାର କ୍ଷମତାଗତ ଦୁଷ୍ଟାମିଗୁଡ଼ାକୁ ଦେଖାଇହେବାରେ ଲାଗିଥିବେ । ହାତରେ ସାମନ୍ତ ରହିଥିବେ, ସେନା ରହିଥିବେ, ଗୁଳି ଓ ବାରୁଦ ସବୁ ରହିଥିବ । ତଥାପି ସେମାନେ କାଳେ କ’ଣ ଘଟିବ ବୋଲି ସତର୍କ ହୋଇ ରହିଥିବେ, ଛାନିଆ ହୋଇ ରହିଥିବେ । ଶାସକମାନେ ଯେତେବେଳେ ଅଣ୍ଟା ଭିଡ଼ି, ଡରୁଆ ଆଉ ଦୁଷ୍ଟ ଦୁଇଟାଯାକ ହୁଅନ୍ତି, ସମ୍ଭବତଃ ସେତିକିବେଳେ ହିଁ ଚକ ବୁଲିଯିବାର ଅସଲ ବେଳ ଆସି ପହଞ୍ଚେ । ଚକ ବୁଲିଯାଇ ସବୁକିଛିକୁ ଓଲଟାଇଦିଏ ।

 

୨୫ । ୧୨ । ୮୦

☆☆☆

 

ଅଧ୍ୟାପକ ଏକ ଯୋଗାରୂଢ଼ ପଦ

 

କଲେଜରେ ପିଲାଙ୍କ ଉପରେ ପୋଲିସମାନଙ୍କ ଦ୍ୱାରା ଲାଠିମାଡ଼ ହେଉଥିଲା ଏବଂ ଅଧ୍ୟାପକମାନେ ଚାହିଁ ରହିଥିଲେ । ସମସ୍ତେ ଯେ ସମାନ କାରଣରୁ ଚାହିଁ ରହିଥିଲେ, ସେକଥା ଆଦୌ ନୁହେଁ । ଅଧ୍ୟାପକ ଅନେକ ପ୍ରକାରର; ତେଣୁ କାରଣଟି ଅନେକ ପ୍ରକାରର । କେତେ ଅଧ୍ୟାପକ ହୁଏତ ଭାବୁଥିଲେ ଯେ ଏଗୁଡ଼ାକ ହେଉଛି ଛାତ୍ରମାନଙ୍କର ମାମଲା । ତେଣୁ ଆଖି ଆଗରେ ଛାତ୍ରମାନେ ଲାଠିମାଡ଼ ଖାଇଲେ ମଧ୍ୟ ସେମାନଙ୍କର ଆଦୌ କିଛିହେଲେ କରିବାର ନାହିଁ-। ଛାତ୍ରମାନଙ୍କର ମାମଲାରେ ଆଚାର୍ଯ୍ୟମାନଙ୍କର ଆଦୌ କିଛିହେଲେ କରିବାର ନାହିଁ-। ସେମାନଙ୍କର ଛାତ୍ରମାନଙ୍କଠାରୁ ସର୍ବଦା ଊର୍ଦ୍ଧ୍ୱରେ ରହିବା ଉଚିତ ଏବଂ ଦୂରରେ ରହିବା ଉଚିତ-

 

ଆଉ କେତେ ଅଧ୍ୟାପକ ଭାବୁଥିଲେ, ସେମାନେ ହେଉଛନ୍ତି ସରକାରି ଚାକିରିଆ । ସେମାନଙ୍କ ବେକରେ ପଘା ବନ୍ଧାହୋଇଛି, କାନ୍ଧ ଉପରେ ଯୁଆଳି ପଡ଼ିଛି । ସେମାନଙ୍କର ଆଚରଣ କର୍ତ୍ତାମାନଙ୍କର ସନ୍ତୋଷଭାଜନ ହୋଇ ରହିଥିବା ଉଚିତ, କାଗଜସବୁ ଠିକ୍‍ ରହିଥିବା ଉଚିତ । ତେଣୁ ଅଧ୍ୟାପନା ବ୍ୟତୀତ ସେମାନଙ୍କର ଆଉ କୋଣସି ପଙ୍କରେ ବି ଗୋଡ଼ ପୂରାଇବା ଉଚିତ ନୁହେଁ । ଆହୁରି କେତେ ଅଧ୍ୟାପକ ଅଛନ୍ତ । ଯେଉଁମାନେ କି ଶିକ୍ଷକମାନଙ୍କର ଆନ୍ଦୋଳନ ଚାଲିଥିବାବେଳେ ନେତା ହୁଅନ୍ତି, ଆଗ ଶୋଭାଯାତ୍ରାରେ ବାହାରନ୍ତି, ହାତରେ କଳା ବ୍ୟାଜ୍ ପିନ୍ଧନ୍ତି ଓ ସରକାରୀ ମନ୍ତ୍ରୀମାନଙ୍କର ଖୋଲି ଆଗରେ ଧାରଣା ଦିଅନ୍ତି । କିନ୍ତୁ ଏଇଟା ତ ଛାତ୍ରମାନଙ୍କର ଆନ୍ଦୋଳନ । ଏଥିରେ ଆମର କର୍ତ୍ତବ୍ୟ କିଛି ରହିଛି ବୋଲି ଆମ ଆସୋସିଏସନ ଆମକୁ କିଛିହେଲେ କହିନାହିଁ । ତେଣୁ ଦୁଃଶାସନ ଆଖି ଆଗରେ ଦୌପଦୀକୁ ଲଙ୍ଗଳା କରୁଥିବାଟା ଅସହ୍ୟ ମନେହେଉଥିଲେ ମଧ୍ୟ ତଥାପି ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହିଁ ପଡ଼ିବ ।

 

ସବାଶେଷକୁ ଆଉ ଗୋଟିଏ ବର୍ଗର ଅଧ୍ୟାପକ ଏମିତି ବି ଥିବେ, ଯେଉଁମାନେ ବାହାରକୁ ଦେଖିବାକୁ ମଉନ ହୋଇ ଅନାଇ ରହିଥିବେ ସିନା, ମାତ୍ର ଭିତରେ ବେଶ୍ ଆନନ୍ଦ ଅନୁଭବ କରୁଥିବେ । ଏହି ପିଲାଗୁଡ଼ାକ କଲେଜ ଭିତରେ ସେମାନଙ୍କର କେତେ ଅସମ୍ମାନ ନ କରିଛନ୍ତି ! ସେମାନଙ୍କୁ କେତେ ଧରା ନପକାଇଛନ୍ତି, ଲୋକହସା ନକରିଛନ୍ତି । ତେଣୁ ବର୍ତ୍ତମାନ ପୋଲିସ ଆସି ସେମାନଙ୍କୁ ଆଚ୍ଛା ଶିକ୍ଷାଟାଏ ଦେଉଛି ବୋଲି ଭାବି ସେମାନଙ୍କୁ ହୁଏତ ବେଶ୍‍ ପୁଲକିତ ଲାଗୁଥିବ । ସେମାନେ ସତେ ଅବା ନିଜ ହାତରେ ହିଁ କୋଦଣ୍ଡ ବା ନାରାଚ ଧରିଥିବା ପରି ଅନୁଭବ କରୁଥିବେ ।

 

ଯେଉଁ ଅଧ୍ୟାପକ ଅଧ୍ୟାପକ ହେଲା ପରେ ବି ତଥାପି ଛାତ୍ର ହୋଇ ରହିଥାନ୍ତା, ଧର୍ମତଃ ସିଏ ଛାତ୍ରର ପକ୍ଷରେ ହିଁ ରହି ଥାନ୍ତା, ଛାତ୍ରମାନଙ୍କ ସହିତ ରହିଥାନ୍ତା, ଅଧ୍ୟାପନାର ଯାବତୀୟ ଘରେ ସିଏ ନିଜକୁ ଅବଶ୍ୟ ଜଣେ ପୁରୁଷ ବୋଲି ଅନୁଭବ କରନ୍ତା । ତା’ର କିଛି ନା କିଛି କର୍ତ୍ତବ୍ୟ ଅବଶ୍ୟ ରହିଛି ବୋଲି ଅନୁଭବ କରନ୍ତୁ । ସିଏ ବକା ହୋଇ ଖାଲି ଅନାଇ ରହନ୍ତା ନାହିଁ ।

 

୨୯ । ୧୨ । ୮୦

☆☆☆

 

ଲେଖକଙ୍କର ନିଜ ଭାଷାରେ

 

ଲେଖକ ସେଦିନ କେଡ଼େ ଭାବବିହ୍ୱଳ ଭାବରେ ନିଜକୁ ଭାରି ସାବାସ୍ ଦେଲା ପରି ହୋଇ କହିଲେ ଯେ ତାଙ୍କ ନିଜ ଭାଷା ଓଡ଼ିଆକୁ ଅଧିକରୁ ଅଧିକ ଭଲ ଭାବରେ ଶିଖିବେ ବୋଲି ସିଏ ବଙ୍ଗଳା ଓ ହିନ୍ଦୀ ପ୍ରଭୃତି କୌଣସି ଅନ୍ୟ ଭାଷାକୁ ଭଲକରି ଶିଖିବା ଲାଗି ମନ କଲେନାହିଁ । କୌଣସି ଭାଷା କାହାର ନିଜର ନୁହେଁ । ଯେଉଁଠାରେ ଯିଏ ଜନ୍ମ ହୁଏ, ସେଠାକାର ଭାଷା ତାହାରି ହୁଏ । ତେଣୁ ଭାଷା ଏକ ସମ୍ପତ୍ତି ନୁହେଁ; ଏହା ଏକ ଜଳବାୟୁ ଯାହା ଦେହରେ କେବଳ ଗୋଟିଏ ପ୍ରକାରର ଜଳବାୟୁ ଯାଏ, ଅନ୍ୟ କୌଣସି ପ୍ରକାରର ଜଳବାୟୁକୁ ଆସିବାମାତ୍ରକେ ଯିଏ ସୁକୁସୁକୁ ଖୁଁ–ଖୁଁ ହେବାକୁ ଆରମ୍ଭକରେ, ତାର ମଞ୍ଜିଟା ପ୍ରକୃତରେ ଭାରି ଦୁର୍ବଳ ହୋଇଥିବ । ଯିଏ ନିଜଟାକୁ ମୁକୁଟ ପରି ଧରିରଖିବ ବୋଲି ଆଉ ପାଞ୍ଚଟାଠାରୁ ଦୂରରେ ରହେ, ହୁଏତ ସେଗୁଡ଼ାକର ପାଖ ମାଡ଼ିଲେ ଡରେ, କାଳେ ଗିଳିହୋଇପଡ଼ିବ ବୋଲି ଆଶଙ୍କା କରୁଥାଏ, ତା’ର ସଂସାରଟା ପ୍ରକୃତରେ ଭାରି ଦରିଦ୍ର ହୋଇଥିବ ।

 

ଗୋଟାଏ ଭାଷା ଆଉ ପାଞ୍ଚଟା ଭାଷା ଲାଗି ଆଖି ଖୋଲିଦିଏ । ଗୋଟାଏ ସାହିତ୍ୟ ଆଉ ପାଞ୍ଚଟା ସାହିତ୍ୟକୁ ଭଲ ପାଇବା ଲାଗି ରସିଦ ଯୋଗାଇଦିଏ । ନିଜ ଭିତରେ ଯଦି ପ୍ରକୃତରେ କୋଉଠି ବାରୁଦ ବୋଲି କିଛି ରହିଥାଏ, ତେବେ ନିଆଁ ଦେଖିଲା ମାତ୍ରକେ ତାହା ବଳେ ବଳେ ସେହି ଆଡ଼କୁ ଆକୃଷ୍ଟ ହୋଇ ଆସେ । ମୋଟେ ଜାତି ବାରେ ନାହିଁ କି କାନ୍ଥ ବାରେନାହିଁ । ବାହାରକୁ ଡରିଲେ ମଣିଷ ଘରକୁ ବି ଡରେ ଏବଂ ସେଥିଲାଗି ଘରଟାକୁ ଭାରି ବିକଳରେ କାମୁଡ଼ି ଧରିଥାଏ ।

 

ସାହିତ୍ୟର ରୀତି ସଂପୂର୍ଣ୍ଣ ଅଲଗା । ସାହିତ୍ୟ ଭୟ ଭାଙ୍ଗେ, ସମ୍ବନ୍ଧ ବଢ଼ାଏ, ନିଜର ନିକିତିଗୁଡ଼ାକ ଲାଗି ନୂଆ ନୂଆ କେତେ ନକ୍ଷତ୍ରଙ୍କୁ ଡାକିଆଣେ । ଦୁଇଟା ଆଖି ଦୁଇ ସହସ୍ର ଆଖିରେ ପରିଣତ ହୋଇଯାଏ । ବାଟ ଭୁଲିଯିବାକୁ ଭଲ ଲାଗେ । ସ୍ୱକୀୟ ଆଉ ପରକୀୟ ମଧ୍ୟରେ, ନିଜର ଆଉ ଅନ୍ୟର ଭିତରେ ଆଦୌ କୌଣସି ପ୍ରଭେଦ ରହେନାହିଁ । ସେଇଥିଲାଗି ଯେକୌଣସି ଲେଖକ ବା ସାହିତ୍ୟିକ ଗୋଟିଏ ଭାଷାରେ ଲେଖୁଥିଲେ ମଧ୍ୟ ସିଏ ଧର୍ମତଃ ଅନ୍ୟ ଯେକୌଣସି ଭାଷାର ବି ଆଦରଧନ ହୋଇ ରହିଥାଏ । ତା’ ମୂଳ ଭୂଗୋଳ ବହିଟି କେତେବେଳେ ଯେ ହଜିଯାଏ, ସେକଥା ସିଏ ନିଜେ ବି ମନେ ରଖିପାରେନାହିଁ । ଓଡ଼ିଶାରେ ବି ଲେଖକମାନଙ୍କର ଠିକ୍ ସେଇଆ ହୋଇପାରୁଥାନ୍ତା । ନିଜର ଭାଷା, ନିଜର ଭୂମି ଏବଂ ନିଜର ଅନୁରାଗଗୁଡ଼ାକୁ ଯଥାର୍ଥ ଭାବରେ ସମଗ୍ର କରି ଦେଖୁଥିଲେ ତାହା ହେଉଥାନ୍ତା ।

 

ଯିଏ ପଡ଼ୋଶୀ ମାନଙ୍କୁ ନଚିହ୍ନେ, ସିଏ ଆପଣାକୁ ବା ଚିହ୍ନିଲା କେଉଁ ଦିନ ? ଯିଏ ଏହି ସମଗ୍ର ଆକାଶଟିକୁ ନଚିହ୍ନେ, ସିଏ ତା’ର ନିଜ ଆତ୍ମାଟିକୁ ବି ଚିହ୍ନିଲା କୋଉ ଦିନ ? ଯୋଉ ଘର ମଣିଷକୁ ସେଇ ଗୋଟିଏ ଘର ଭିତରେ କିଳି ରଖିବାକୁ କୁମନ୍ତ୍ରଣା ଦିଏ, ତାହା ଘର ନୁହେଁ, ତାହା ଏକ ଗର୍ତ୍ତ । ଦୁର୍ଭାଗ୍ୟହେତୁ ହିଁ ଲେଖକ ଏହିପରି ଏକ ଗାତ ଭିତରେ ଆସି ପଡ଼ିଯାଏ । ତା’ ଭାଷାର ମହତ ସରାଏ ।

 

୦୧ । ୦୧ । ୧୯୮୧

☆☆☆

 

କାରଣ କାହାଣ କାହାଣ

 

ଏବେ ଆମ ସମାଜରେ ଆଉ କେହି କୋଉଥିଲାଗି ଅପେକ୍ଷା ରଖିନାହାନ୍ତି—ବିଶୃଙ୍ଖଳ ହେଉଛନ୍ତି, ଅସାମାଜିକ ହେଉଛନ୍ତି, ବ୍ୟଭିଚାର କରୁଛନ୍ତି । ଏହାର କାରଣ ଜାଣିବା ଲାଗି କେତେ ଲୋକ ହଠାତ୍ ଭାରି ବ୍ୟସ୍ତ ହୋଇ ପଡ଼ୁଛନ୍ତି । ବ୍ୟସ୍ତ ହୋଇ ପଡ଼ିଲେ ମଣିଷ ସବୁ ଦେଖେ; ମାତ୍ର ନିଜକୁ ମୋଟେ ଦେଖିପାରେନାହିଁ । ଯିଏ ସମସ୍ୟାଟାର ଗୋଟାଏ ହାତପାଆନ୍ତା କାରଣକୁ ପାଇଯିବାମାତ୍ରକେ ତୁରନ୍ତ ସମାଧାନଟାଏ କରିପକାଇ ସଂସାରଟାକୁ ଏକ ସମସ୍ୟାହୀନ ସ୍ୱର୍ଗରେ ପରିଣତ କରିଦେବ ବୋଲି ଅସ୍ଥିର ହେଉଥାଏ, ସିଏ ଅସଲ ଦଉଡ଼ିଗୁଡ଼ାକୁ ମୋଟେ ହାତ ଭିତରେ ପାଇ ପାରେନାହିଁ । ଉତ୍ତେଜିତ ହେବାଟା ହିଁ ସାର ହୁଏ ।

 

କାରଣ କାହାଣ କାହାଣ; କାରଣ ମୁଁ, କାରଣ ତୁମେ, କାରଣ ସମସ୍ତେ । ଆମେ ଯୋଉମାନେ ଦେଶଲାଗି ସ୍ଵାଧୀନତା ଚାହୁଥିଲେ, ସେହି ସ୍ଵାଧୀନତା ପାଇବା ସକାଶେ ଲଢ଼ୁଥିଲେ ଓ ସ୍ୱାଧୀନତା ପାଇବା ପରେ ଖପ୍‍କରି ଭୋଗହାଣ୍ଡିଗୁଡ଼ାକ ଭିତରକୁ ଡେଇଁପଡ଼ିଲେ, ଏହାର କାରଣ ଆମେ ସମସ୍ତେ । ଆମେ ଯେଉଁମାନେ ଦେଶଟାକୁ ସୁନାରେ ରୂପାରେ ଗଢ଼ି ଥୋଇଦେବୁ ବୋଲି କ୍ଷମତାରେ ଆସିବାକୁ ମନକଲୁ, ଏବଂ କ୍ଷମତାକୁ ଆସିବା ପରେ ଗୋଟାସୁଦ୍ଧା ଲୋସଡ଼ି ପଡ଼ିଲୁ, ଆମେ ସମସ୍ତେ ଏହାର କାରଣ । ମଣିଷର ପେଟ ପୂରାଇବା ଆଗରୁ ଆମେ ଯେଉଁମାନେ ତାକୁ ସଂସ୍କୃତି କଥା କହିଲୁ, ସାହିତ୍ୟ କଥା କହିଲୁ, ଅଲଣା ଜାତୀୟତାର କଥାମାନ କହିଲୁ, ଆମେ ସମସ୍ତେ ବର୍ତ୍ତମାନର ଅନେକ ରୋଗ ପାଇଁ ଜୀବାଣୁଗୁଡ଼ାକୁ ଜନ୍ମଦେଲୁ ।

 

କାରଣ ଜାଣିଲେ ଯେ ସମସ୍ୟାଗୁଡ଼ାକର ସମାଧାନ ହୋଇଯାଏ, ସେକଥା ମୋଟେ ନୁହେଁ । କାରଣ ଜାଣିବା ପାଇଁ ଆମ ଦେଶରେ କମିଶନ ପରେ କମିଶନ ବସେ; କିନ୍ତୁ ସମସ୍ୟା ଗୋଟାଏ ବି ତୁଟେନାହିଁ । ମଣିଷମାନଙ୍କୁ ଅପଚରା ରଖି କୌଣସି ଯଥାର୍ଥ ସମାଧାନ ହୋଇ ପାରେନାହିଁ । ଗୋଟାଏ ଗୋଡ଼କୁ ରାଜନୀତି ଭିତରେ ରଖି ଓ ଆଉ ଗୋଟାଏ ଗୋଡ଼କୁ ସତେଅବା ଗୋଟାଏ ଲାଙ୍ଗୁଡ଼ ପରି ହଲହଲ କରି ସମସ୍ୟାର ସମାଧାନ ମିଳେନାହିଁ । ଯେଉଁ ପବନ ବର୍ତ୍ତମାନ ବୋହିବାକୁ ଆରମ୍ଭ କଲାଣି, ସେହି ପବନର ଗନ୍ଧ ବାରି ଅନାଗତର ପରିଧିଗୁଡ଼ାକୁ କଳିପାରିଲେ ଯାଇ ସମାଧାନ ପାଇଁ ସାହସ ହୁଏ ।

 

ଆମେସବୁ ଯେଉଁମାନେ ଏପର୍ଯ୍ୟନ୍ତ ରାଜନୀତି, ରାଜକୋଷ ଏବଂ ରାଜକାର୍ଯ୍ୟ ଜରିଆରେ ପ୍ରଧାନତଃ ଆପଣାକୁ ଗଢ଼ିଲେ, ଆପଣାର ପ୍ରତିଷ୍ଠା ବଢ଼ାଇଲେ, ଆମଦ୍ୱାରା ଜାତିର ବା ଦେଶର କିଛି ହୋଇ ପାରିବନାହିଁ । ଆମର ଅଯୋଗ୍ୟତାଗୁଡ଼ାକ ଗତ ତିରିଶବର୍ଷ ଭିତରେ ଦାଉଦାଉ ହୋଇ ଧରାପଡ଼ିଗଲା । ବର୍ତ୍ତମାନ ଆମରି ଚେଲାମାନେ ଆମରି ମନ୍ତ୍ରଗୁଡ଼ାକର ସାହାଯ୍ୟରେ ପୁରୁଣାଗୁଡ଼ାକୁ ତଥାପି ଜାବୁଡ଼ି ଓ ଡେର ଦେଇ ରଖିବାକୁ ଚେଷ୍ଟା କରୁଛନ୍ତି । ସେହି ଚେଷ୍ଟା ହିଁ ବ୍ୟର୍ଥ ହେବ । ବ୍ୟାଧିର ଅସଲ କାରଣମାନ ଜଣା ପଡ଼ିବା ସଙ୍ଗେ ସଙ୍ଗେ ଆମେ ବ୍ୟାଧିଗ୍ରସ୍ତମାନେ ବି ଭାରି ଶୋଚନୀୟ ଭାବରେ ଧରାପଡ଼ିଯିବା, ଦୂଏତ ସେଇଥିପାଇଁ ଭାରି ବ୍ୟସ୍ତ ହେବାରେ ଲାଗିଥିବା ।

 

୦୬ । ୦୧ । ୮୧

 

☆☆☆

 

ଗୋ-ସମ୍ବର୍ଦ୍ଧନା ସପ୍ତାହ

 

ଗୋ-ସମ୍ବର୍ଦ୍ଧନା ସପ୍ତାହ ଉପଲକ୍ଷେ ଯେଉଁ ମନ୍ତ୍ରୀ ଓ ବାବୁମାନେ ଖବରକାଗଜର ସନ୍ଦେଶ ଦେଇଥିଲେ, ସେମାନେ କେହି ଦିନେ ହେଲେ ବି ଗୋ-ସେବା କରିନଥିବେ, ସେମାନେ ଦିନେହେଲେ ଗାଈ ଚରାଇ ନଥିବେ, ଗୁହାଳ ପୋଛି ନଥିବେ କିମ୍ବା ଗାଈ ଦହିଁ ନଥିବେ । ଯଦି ଅକସ୍ମାତ୍ ସେମାନଙ୍କ ଘରେ ଗାଈ ଥିବ, ତେବେ ତାଙ୍କ ଘରେ ରହିଥିବା ଚାକର ଗାଈର କାମ କରୁଥିବ । ଗାଈ ଚାକର ମୁହାଁଉଥିବ, ଚାକର ଗୋବର ଉଠାଉଥିବ ଏବଂ ସେହି ଚାକର ହିଁ ଗାଈ ଦୁହୁଁଥିବ ।

 

ଆମ ଦେଶରେ ଯେଉଁମାନଙ୍କ ଘରେ ଜାତିଆ ଗାଈମାନେ ଅଛନ୍ତି, ସେମାନ ନିଜେ କେବେହେଲେ ଗାଈର କାମ କରନ୍ତି ନାହିଁ । ସେମାନେ ପଇସା ଦେଇ ଗାଲ କିଣିଥାନ୍ତି ଏବଂ ସେଇମାନେ ହିଁ କ୍ଷୀର ଖାଆନ୍ତି । ସେମାନେ ପଇସା ଦେଇ ଚାକର ରଖିଥାନ୍ତି, ସେହି ଚାକର ଗାଈର କାମ କରେ—ଗାଈକୁ ଖୁଆଏ, ଚରାଇନିଏ, ଗୁହାଳ ପୋଛେ; ଅର୍ଥାତ୍ ପ୍ରକୃତ ଗୋ-ସମ୍ବର୍ଦ୍ଧନା କରିବା ମଣିଷ ଆମ ଦେଶରେ ନିଜେ କ୍ଷୀର ଖାଏନାହିଁ । ଗାଈର ମାଲିକ ହିଁ କ୍ଷୀର ଖାଏ-। ମାଲିକ ପଇସା ଦେଇ ଗାଈ କିଣେ ।

 

ଆମ ଦେଶର ଅଧିକାଂଶ ସମ୍ବର୍ଦ୍ଧନା ପ୍ରାୟ ଏହିପରିଭାବରେ ହୁଏ । ଜମିର ମାଲିକ ଜମିର ଫସଲ ଖାଏ । ଯିଏ ଜମିରେ କାମ କରେ, କାଦୁଅରେ ଆଣ୍ଠୁମାଡ଼ି ବସି ବିଲ ବାଛେ ଓ ବେଉଷଣ କରେ, ସିଏ ହେଉଛି ମୂଲିଆ । ଯିଏ ଜମିର ମାଲିକ, ସିଏ ଜମିରେ କାମ କରେ ନାହିଁ । ସିଏ ଜମିକୁ ଭୋଗକରେ, ଜମିଠାରୁ ଯେତେ ଦୂରରେ ରହିଥିଲେ ମଧ୍ୟ ଜମିରୁ ଭାଗ ପାଏ । ଫୁଲ ବଗିଚାରେ ଯିଏ ଫୁଲ ଫୁଟାଏ; ଫୁଲଗଛ ଲଗାଏ, ମାଟି ତିଆରିକରେ, ଘାସ ସଫା କରେ, ଫୁଲ ବଗିଚା ଆମ ଦେଶରେ ତା’ର ନୁହେଁ । ଫୁଲବଗିଚା ବାବୁଙ୍କର । ବାବୁ ହେଉଛନ୍ତି ଫୁଲବଗିଚାର ମାଲିକ । ଫୁଲ ପାଇଁ ପୁରସ୍କାର ପାଇଲାବେଳେ ସେହି ବାବୁ ହିଁ ପୁରସ୍କାର ପାଆନ୍ତି । ଉଦ୍ୟାନର ଭଲ ଯତ୍ନ ନେଉଛନ୍ତି ବୋଲି ଖବରକାଗଜରେ ସେହି ବାବୁଙ୍କର ହିଁ ନାଆଁ ବାହାରେ ।

 

ଏଗୁଡ଼ାକ ସଭ୍ୟତା ନୁହେଁ, ଅସଭ୍ୟତା । ରସିକତା ନୁହେଁ, ଏଗୁଡ଼ାକ ବେରସିକତା । ପୁରୁଷ ପୁରୁଷ ଧରି ଆମ ଦେଶରେ ଏହି ଅସଭ୍ୟତାର ହିଁ ସମ୍ବର୍ଦ୍ଧନା ହୋଇ ଆସୁଛି । ଆଗକାଳେ କୃଷ୍ଣ ନନ୍ଦ ରାଜାଙ୍କର ପୁଅ ଥିଲେ । ସେହି କୃଷ୍ଣ ଗାଈ ଚରାଇ ଗୋଠକୁ ବି ଯାଉଥିଲେ । କୃଷ୍ଣ ଚାକର ନଥିଲେ; ସିଏ ଗୋପାଳ ଥିଲେ । ସ୍ଵାଧୀନ ଦେଶରେ ଠିକ୍ ସେହିପରି ହୋଇଥାନ୍ତା । ଗାଈ ସହିତ ଗାଈର ସେବା କରୁଥିବା ମଣିଷକୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଉଥାନ୍ତା । ଯିଏ ସମ୍ବର୍ଦ୍ଧନା ଦେଉଥାନ୍ତା, ସିଏ ନିଜେ ମଧ୍ୟ ଗାଈର ସେବା କରୁଥାନ୍ତା । ତେବେ ଆମ ରାଜଧାନୀର ବାବୁମାନେ ଗୋପାଳ ନ ହୋଇ ମଧ୍ୟ ତଥାପି ସରକାରୀ ଗୋପାଳନ ବିଭାଗର ମାଲିକ ଓ ମନ୍ତ୍ରୀ ବୋଲାଇବାର ନିର୍ଲଜ୍ଜ କାମ କେବେହେଲେ କରନ୍ତେ ନାହିଁ ।

 

୦୮ । ୦୧ । ୮୧

☆☆☆

 

ଆମେ ସବୁ ଅନ୍ଧ ହେବା ପରେ

 

ଭାରି ଭଲ କଲ ବାବୁ, ଆମକୁ ତୁମେମାନେ ଗୋଟାସୁଦ୍ଧା ଅନ୍ଧ କରି ରଖିଲା । ଏଣିକି ତୁମେ ନିଜେ ଅନ୍ଧ ହେଲେ ମଧ୍ୟ ଆମକୁ ନିର୍ବିଘ୍ନରେ ଶାସନ କରିପାରିବ । ଭଲ ହେଲା, ଆମର ଅପରାଧ ପାଇଁ ତୁମେ ଆମକୁ ଖାସ୍ କରି ଆମର ଜୀବନଯାକ ମନେରଖିବାପରି ଦଣ୍ଡ ଦେଲ; କାରଣ ତାହାଦ୍ୱାରା ତୁମେମାନେ ନିଜେ କରିଥିବା ଅପରାଧଗୁଡ଼ାକର ଦଂଶନ ଦ୍ୱାରା ମୋଟେ କଷ୍ଟ ପାଇବ ନାହିଁ ।

 

ମଣିଷଗୁଡ଼ାକ ଅନ୍ଧ ହେଲେ ରାଜାମାନଙ୍କୁ ଭାରି ପାଳକ ଆସି ପଡ଼େ । ସେମାନେ ଆମକୁ ଧର୍ମକଥା କହି ଅନ୍ଧ କରନ୍ତି । ଆମକୁ ପାଠ ପଢ଼ାଇ ଅନ୍ଧ କରନ୍ତି । ଆମକୁ ଉପଦେଶ ଦେଇ ଅନ୍ଧ କରନ୍ତି । ବ୍ୟାପକ କ୍ରୀଡ଼ା ଯୋଜନାମାନ ପ୍ରସ୍ତୁତ କରାଯାଏ, ସୁରା ପରିବେଷଣ କରାଇ ସମ୍ବାଦଗୁଡ଼ାକୁ ତୁଚ୍ଛା ଅସମ୍ବାଦରେ ପରିଣତ କରାଇଦିଆଯାଏ ଏବଂ ପଇସା ବିଞ୍ଚି ଭୋଟ ଦେବାକୁ ଯିବା ପୂର୍ବରୁ ଆମର ବିବେକଗୁଡ଼ାକୁ ବଡ଼ କୃତଜ୍ଞ ଓ ଉଦାର କରି ରଖାଯାଏ । ତା’ପରେ ଯେତେବେଳେ ହରିମାନେ ହରିମାନଙ୍କ ପଛରେ ଗୋଡ଼ାଇଥାନ୍ତି, ଗୁଣ୍ଡାମାନେ ଗୁଣ୍ଡାମାନଙ୍କ ସାଙ୍ଗରେ ଭୋଟ ଲଢ଼ିବାକୁ ବାହାରନ୍ତି, । ସେତେବେଳେ ଆମେ ଆଉ କିଛିହେଲେ ଦେଖିପାରୁନାହିଁ-। ସେତେବେଳେ ଆମକୁ ଆଉ କିଛିହେଲେ ଗନ୍ଧାଏ ନାହିଁ । ସବୁ ଉଷତ ଲାଗନ୍ତି । ସଂସ୍କୃତିଗୁଡ଼ାକ ନିଶାପରି ପିଇହୋଇଯାଏ । ଆଖି ଥାଇ ମଧ୍ୟ ଆଉ କିଛିହେଲେ ଦିଶେନାହିଁ; ଅଥବା, ଆଖି-। ଥାଇକରି ମଧ୍ୟ ଆମେ ଆଉ କିଛିହେଲେ ଦେଖିବୁ ନାହିଁ ବୋଲି ଏକ ସଂକଳ୍ପ କରି ବସିଯାଉ-

 

ଏ ଦେଶରେ ଅଳ୍ପସଂଖ୍ୟକ ଅନ୍ଧ ଅନେକ ସଂଖ୍ୟକ ଅନ୍ଧଙ୍କୁ ଅଡ଼ାଇ ଏକ ଆଦର୍ଶ । ରାଜ୍ୟକୁ ନେବାରେ ଲାଗିଛନ୍ତି । ଏହି ତାମସାକୁ ତାମସା ବୋଲି କହିବେ ବୋଲି । ଯେଉଁମାନେ ଶ୍ରଦ୍ଧା କରି ବାହାରୁଛନ୍ତି, ସେମାନଙ୍କୁ କେଡ଼େ ବାଗରେ ଏଠି ଶୀତଳ କରିଦିଆଯାଉଛି । ଆଖିଗୁଡ଼ାକୁ ଶାସ୍ତ୍ରର ଦଉଡ଼ି ଭିତରେ ଚଉକଷ କରି ବାନ୍ଧିଦିଆଯାଉଛି । ବାଟ ଦେଖାଇ ଆସିଥିବା ମହାତ୍ମାମାନଙ୍କୁ ମୁର୍ତ୍ତି ଭିତରେ ବାନ୍ଧି ଦିଆଯାଉଛି । ଆମେ ଅଳପ ଲୋକ ଏହି ଦେଶରେ ଯେ ଏତେବେଶି ଭୁଞ୍ଜିବାର ସୌଭାଗ୍ୟ ପାଇଛୁ, ସେହି ସତ୍ୟଯୁଗଟିକୁ ସମ୍ଭବ ହେଲେ ସବୁଦିନ ଲାଗି ବଜାୟ ରଖିବା ଲାଗି ଆମେ ଯଥାସମ୍ଭବ ସମସ୍ତଙ୍କୁ ଅନ୍ଧ କରି ରଖିଛୁ । ଆମର ଯାବତୀୟ ନୀତି ଆମର ଏହି ଅନ୍ଧ ଓ ବର୍ବର ଗହୀର ଗୁଡ଼ାକରେ ଶିଷ୍ଟାଚାର ରକ୍ଷା କରିବାରେ ଲାଗିଛି ।

 

ଆମେ ସମସ୍ତେ ଅନ୍ଧ ହେବାକୁ ଭାରି ଲାଭଜନକ ମନେକରୁଥିଲେ ମଧ୍ୟ ଆଖିଗୁଡ଼ାକ ତଥାପି ରହିଛି । ଆଖିଗୁଡ଼ାକ ଅପେକ୍ଷା କରିରହିଛନ୍ତି; ଧୈର୍ଯ୍ୟଶୀଳା ଜନନୀ ପରି ଅପେକ୍ଷା କରି ରହିଛନ୍ତି ।

 

୧୩ । ୦୧ । ୮୧

☆☆☆

 

କ୍ରୋଧ ପ୍ରକାଶ ଓ କାର୍ଯ୍ୟସାଧନ

 

ଖବରକାଗଜରେ ବାହାରିଛି ଯେ ସରକାରୀ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାରେ ସରକାରୀ ସଚିବାଳୟ ନାନା ଅହେତୁକ ବିଳମ୍ବ ଘଟିବାକୁ ଦେଇଛନ୍ତି ଓ ସରକାରୀ ମନ୍ତ୍ରୀ କ୍ରୋଧ ପ୍ରକାଶ କରିବା ପରେ ସେହି କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରାଯାଉଛି ।

 

ଆମ ଦେଶରେ ସରକାର ହେଉଛନ୍ତି ଏକ ଜମିଦାରୀ ସିରସ୍ତା । ଏଠାରେ ଆଇନଗୁଡ଼ାକ ଅର୍ଥାତ୍ ନିଷ୍ପତ୍ତିଗୁଡ଼ାକ ସବୁ ହେଉଛି କମ୍ପାନୀକା ମାଲ । ଏଠି ଉପରେ ମନ୍ତ୍ରୀ ଥାଆନ୍ତି ଓ ତାଙ୍କ ତଳକୁ ଅମଲାମାନେ ଥାକ ଥାକ ହୋଇ ରହିଥାନ୍ତି । ମନ୍ତ୍ରୀମାନେ ସବାଉପରେ ଥିବାରୁ ଜମିଦାର ପରି ଦେଖାଯାଉଥାନ୍ତି । ତଳେ ଯେଉଁମାନେ ଥାଆନ୍ତି, ଜମିଦାରଙ୍କ ଆଖିରେ ସେମାନେ ଗୁମାସ୍ତାଙ୍କ ପରି ଦେଖାଯାଉଥାନ୍ତି । ଅମଲାମାନେ ମନ୍ତ୍ରୀମାନଙ୍କ ଅପେକ୍ଷା ବେଶି ସ୍ଥାୟୀ । ତେଣୁ ସେମାନେ ସ୍ୱଭାବତଃ ଘରଟାକୁ ଆଗ ନିଜର ବୋଲି ଭାବନ୍ତି ଓ ତା’ପରେ ଯାଇ ମନ୍ତ୍ରୀଙ୍କର ବୋଲି ଭାବନ୍ତି । ମନ୍ତ୍ରୀମାନେ ତ ଠାକୁର; ସେମାନେ ଆସନ୍ତି, ଥିବା ପର୍ଯ୍ୟନ୍ତ ଭୋଗ ଖାଉଥାନ୍ତି, ସମୟ ହୋଇଗଲେ ଯାଆନ୍ତି । ଅନେକ ସମୟରେ ସମୟ ହେବା ଆଗରୁ ହିଁ ସମୟ ଗଡ଼ିଯାଏ । ତେଣୁ ଅମଲାମାନେ ସତଗୁଡ଼ାକୁ ନିଜ ପାଖରେ ରଖିଥାନ୍ତି । କେବଳ ଅନିତ୍ୟଗୁଡ଼ାକୁ ହିଁ ଫାଇଲ ଭିତରେ ପୂରାଇ ମନ୍ତ୍ରୀଙ୍କ ପାଖକୁ ନେବାଆଣିବା କରୁଥାନ୍ତି ।

 

ମନ୍ତ୍ରୀ କ୍ରୋଧ ପ୍ରକାଶ କଲେ, କାମ ହେଲା । ପିଲାଙ୍କର ଦରମା ଛାଡ଼ ପାଇଁ ପରୱାନା ଲେଖାଗଲା ଓ ପିଲାମାନଙ୍କୁ ଜେଲରୁ ଖଲାସ କରିଦେବା ପାଇଁ ଡାକ ପଠାଗଲା । ଆଗେ ଜମିଦାର କ୍ରୋଧ ପ୍ରକାଶ କଲେ ଗୁମାସ୍ତାମାନେ ଚେଙ୍ଗା ହୋଇ ଉଠୁଥିଲେ; ସତେଅବା ଧର୍ମରେ ରହିଥିବା ପରି ଆଚରଣ ଦେଖାଉଥିଲେ । ତାର ଆହୁରି ଆଗରୁ ରାଜା ରାଗିଲେ କୁଆଡ଼େ ଗର୍ଭିଣୀ ଗାଈମାନେ ସଙ୍ଗେ ସଙ୍ଗେ ପ୍ରସବ କରିପକାଉଥିଲେ । ଭାରି ଭଲ କଥା ଯେ, ଆମ ଦେଶରେ ଏବେ ମଧ୍ୟ ଆମ ମନ୍ତ୍ରୀ ମାନେ ଏହି ବିଧିଟି ଅନୁସାରେ କାର୍ଯ୍ୟ କରୁଛନ୍ତି । ସେମାନେ ଏହି ବିଧିଟି ଉପରେ ବିଶ୍ୱାସ ରଖିଛନ୍ତି । ସମ୍ଭବତଃ ଆଉ କୌଣସି ଅଧିକ ସ୍ୱାଭାବିକ ବିଧି ଏବଂ ବେଭାର ଲାଗି ଯୋଗ୍ୟ ହୋଇ ପାରୁନାହାନ୍ତି ବୋଲି ସେମାନେ ଏହି ବିଶ୍ୱାସଟି ପାଖରେ ପଡ଼ିରହିଛନ୍ତି ।

 

ମନ୍ତ୍ରୀ ଓ ଅମଲା ଉଭୟଙ୍କ ଦ୍ୱାରା ଦୂଷିତ ହୋଇ ରହିଥିବା ଏହି ଗୁହାଳକୁ ସଫା କରିବାର ଉପାୟ ଚିନ୍ତାକରି ଯୁଗକୁ ପରାମର୍ଶ ଦେବା ଲାଗି ଆମେ କ’ଣ ଗୋଟିଏ କମିଶନ ବସାଇବା ? ସାମନ୍ତ ମାନେ ସାମନ୍ତ ବାଦର ଗୁହାଳକୁ କେବେହେଲେ ସଫା କରି ପାରିବେ କି ? ନା ଏଥିଲାଗି ଏକ ଅନ୍ୟ ପ୍ରକାର ମଣିଷ ଦରକାର ପଡ଼ିବେ, ଯେଉଁମାନେ ଲାଜଗୁଡ଼ାକୁ ଲାଜ ବୋଲି ଅନୁଭବ କରିପାରୁଥିବେ ଓ ଆବୁଗୁଡ଼ାକୁ ଗେଲବସର ଦିହ ବୋଲି କହି ଦେଖାଇହେବାକୁ ଯେଉଁମାନଙ୍କୁ ମୋଟେ ମଜା ଲାଗୁନଥିବ ।

 

୧୮ ।୦୧ । ୮୧

☆☆☆

 

ଦେବୀ ଅଚେତା ହୋଇଗଲା ପରେ

 

ଦେବୀ କେଡ଼େ ସୁନ୍ଦର ଦିଶୁଥାନ୍ତି । ଆମ ବଜାର ଛକଟା ମଣିଷଙ୍କର ଗହଳିରେ ପୂରିରହିଥାଏ–ସୁନା ସାଜରେ ଦେବୀ ରାଜେଶ୍ୱରୀ ପରି ଦେଖାଯାଉଥାନ୍ତି । ତାଙ୍କ ଆଖିଦୁଇଟା ଭିତରେ ପୂରିରହିଥିବା ପ୍ରସନ୍ନତାଟି ଆଡ଼କୁ ଅନାଇଦେବା ମାତ୍ରକେ ଦେବୀ କେବଳ ଜନନୀ ବ୍ୟତୀତ ଆଉ କିଛି ପରି ମୋଟେ ଦିଶୁନଥାନ୍ତି । ଏତିକିବେଳେ ଗାଆଣସଭା ଆରମ୍ଭ ହେଲା । ମଞ୍ଚ ଉପରେ ଗାଇବାଦଳ ଭଳି ଭଳି ବାଜାଦାରମାନଙ୍କୁ ନେଇ ବସିଥାନ୍ତି । କେତେ ଯନ୍ତ୍ରପାତିରେ ଆଉ ଚକଚକ ତାରରେ ମଞ୍ଚ ଉପରଟା ଭାରି ଜମିକରି ରହିଥିଲା ପରି ଦିଶୁଥାଏ । ସାଜଗୁଡ଼ାକ ସାହେବମାନଙ୍କ ଦେଶରୁ ଆସିଥିବା କେଳାକେଳୁଣୀଙ୍କର ସାଜ ପରି ଦିଶୁଥାଏ । ଠିକ୍ ଏତିକିବେଳେ ଗୀତ ଆରମ୍ଭ ହେଲା । ରାତି ପ୍ରାୟ ତିନିଘଡ଼ି ହେବଣି । ଆମେସବୁ ଉଦ୍‍ଗ୍ରୀବ ଏବଂ ଉତ୍‍କର୍ଣ୍ଣ ହୋଇ ଚାହିଁ ରହିଥାଉ ।

 

ଆଗ ଭଜନ ହେଲା । ଚାରିପାଖରେ ଥିବା କୋଠାଗୁଡ଼ାକୁ ବି ବାଇଆ କରିଦେବା ଭଳି ଭଜନ । ଜଗନ୍ନାଥଙ୍କ ଭଜନ । ସମସ୍ତେ ନିମେଷକ ଭିତରେ ସତେ ଯେପରି ଆଉ କୁଆଡ଼େ ଚାଲିଗଲେ । ଏକାବେଳକେ ମୁଗ୍ଧ ହୋଇଗଲେ । ଏଥର ତୁମେ ସେମାନଙ୍କୁ ଯାହା ଶୁଣାଇବ, ସେମାନେ ସେହିପରି ମୁଗ୍‍ଧ ଭାବରେ ତାକୁ ଶୁଣିବେ; କିଛି ବାରି ପାରିବେ ନାହିଁ । ନିଶା ଖାଇଲେ ଯେମିତି ରାତିଦିନ ବାରି ହୁଏ ନାହିଁ, ଠିକ୍ ସେମିତି ।

 

ଭଜନଟା ଯାଇ ଦେବୀଙ୍କ କାନରେ ବି ବାଜିଥିବ । ସିଆଡ଼କୁ ମୁହଁ କରାଇ ବି ଗୋଟାଏ ପୁଙ୍ଗା ଏଡ଼େ ଉଚ୍ଚରେ ବନ୍ଧା ହୋଇ ରହିଥିଲା । ମୁଁ ହଠାତ୍ ଦେବୀଙ୍କ ଆଡ଼କୁ ଅନାଇ ଦେଖିଲି ଯେ ଦେବୀ ଅଚେତା ହୋଇ ସାରିଲେଣି । ପ୍ରଥମ ଭଜନଟି ଶୁଣୁ ଶୁଣୁ । ସିଏ ଅଚେତା ହୋଇ ସାରିଥିଲେ । ମଣିଷ ଅଚେତା ହେଲେ ଦେବୀ ଅଚେତା ହେବାକୁ । ଆଉ କେତେ ବେଳ ଲାଗିବ ?

 

ତା’ପରେ ଅସଲ ଗୀତଗୁଡ଼ାକ ଆରମ୍ଭ ହେଲା । ଏକାବେଳକେ ବଛା ବଛା ଗୀତ, ନୂଆ ନୂଆ ଗୀତ । ଏକାବେଳକେ ଅଣଆୟତ୍ତ କରିଦେଉଥିବା ଗୀତ । ମଞ୍ଚ ଉପରେ ପଲେ ବାବୁ ସେହିସବୁ ଗୀତ ବୋଲି କଟି ହଲାଇ ନିତମ୍ବ ଚଳାଇ ଡାରା ବଜାଇ ଝୁମୁରୁ ଝୁମୁରୁ ହୋଇ ନାଚୁଥାନ୍ତି । ଆଉ ସେମାନଙ୍କ ସମ୍ମୁଖରେ ବିସ୍ତୁତ ହୋଇ ରହିଥିବା ଜନସମାଜ ଏକାବେଳକେ ଅଚେତା ହୋଇ ନିଶାଗୁଡ଼ାକୁ ଶୋଷି ନେବାରେ ଲାଗିଥାଏ । ସେହି ଦୃଶ୍ୟ ପ୍ରକୃତରେ ଅପୂର୍ବ । ଗୀତରେ ଏକ ସମ୍ମୋହନକାରୀ ଶକ୍ତି ଅଛି ବୋଲି ବହିମାନଙ୍କରେ ଲେଖାହୋଇଛି । ମାତ୍ର ଏ ମଞ୍ଚା ଉପରର ଗୀତ ଯେ ଆପଣାର ବିଷଗୁଡ଼ାକୁ ପବନରେ ଗୋଳାଇ ଦେଇ ଦେବୀଙ୍କ ସମେତ ଆମ ସମସ୍ତଙ୍କୁ ଏପରି ଅଚେତା ଅର୍ଥାତ୍ ଚେଙ୍ଗା କରାଇ ଦେଇପାରେ, ସେଦିନ ମୁଁ ସେହି କଥାକୁ ଅଙ୍ଗେ ନିଭାଇଲି । କାନ ମୋଡ଼ି ହୋଇ ଘରକୁ ଆସିଲି ।

 

ଦେବୀଙ୍କୁ ଅଚେତା କରିଦେବାକୁ ପହିଲୁ ଗୋଟିଏ ଭଜନ ହିଁ ଯଥେଷ୍ଟ । ତା’ପରେ ଆମେ ପୂରା ସ୍ଵାଧୀନ । ଆମେ ଯାହା, ଏକାବେଳକେ ଛେରା ଭାବରେ ତାହାହିଁ ହେବାଲାଗି ସ୍ଵାଧୀନ ।

 

୨୦ ।୦୧ । ୧୯୮୧

☆☆☆

 

ସର୍ବୋଚ୍ଚ ସମ୍ମାନିତ ବ୍ୟକ୍ତି

 

ସର୍ବୋଚ୍ଚ ସମ୍ମାନିତ ବ୍ୟକ୍ତିମାନେ ଆପଣା ଘରେ ଥାଆନ୍ତି । ଖବରକାଗକ କାଢ଼ନ୍ତି, ପାଚେରି ଉପରେ ବସି ମଣିଷଗୁଡ଼ାକ ମଢ଼ ହେବାଯାଏ ଅପେକ୍ଷା କରିଥାନ୍ତି । ସମସ୍ତେ ସେମାନଙ୍କ ପାଖକୁ ପରାମର୍ଶ ଲୋଡ଼ି ଆସନ୍ତି । ଆଶୀର୍ବାଦ କାମନା କରି ଆସନ୍ତି । ସେମାନଙ୍କର ଜନ୍ମଦିବସଗୁଡ଼ାକ କମିଟି ଗଢ଼ାହୋଇ ପାଳନ କରାଯାଏ । ଆମ ସମସ୍ତଙ୍କ ଉପରେ ସେମାନେ ଉଜ୍ଜ୍ୱଳ ନୀଳମଣି ପରି ଶୋଭା ପାଉଥାନ୍ତି । ସରକାର । କମିଶନ ବସାଇବାକୁ ମନ କଲେ ଆଗ ଏହିମାନଙ୍କୁ ମନେପକାଏ ।

ସର୍ବୋଚ୍ଚ ସମ୍ମାନିତ ବ୍ୟକ୍ତିମାନଙ୍କର ବୟସ ଗଡ଼ିଯାଇଥାଏ । ବୟସ ଥିବାବେଳେ । ସେମାନେ କ’ଣ ସବୁ କରିଥିଲେ ବା ନ କରିଥିଲେ, ସେ କଥା ଆଉ କାହାରି ମନେ ନଥାଏ । ଏମାନେ ବୁଢ଼ା ହୋଇଯାଇଥିବାରୁ ଏମାନଙ୍କର ସବୁକିଛି ପଚାସଢ଼ି କେବଳ । ପ୍ରଜ୍ଞାରେହିଁ ପରିଣତ ହୋଇ ରହିଥିବ ଓ ତେଣୁ ଆମର ମୁଖରକ୍ଷା କରିବା ଲାଗି ଏମାନେ ଆମର ଭାରି କାମରେ ଲାଗିବେ ବୋଲି ଶାସକମାନେ ଏମାନଙ୍କୁ ସବୁବେଳେହିଁ ଶ୍ରଦ୍ଧାସ୍ଥାନରେ ରଖିଥାନ୍ତି । ଯେକୌଣସି କାରଣରୁ ନିଆଁଲାଗିଲେ ଏମାନେ ସତେଅବା ବାଲଟି ପରି କାମରେ ଆସନ୍ତି । ହୋମର ନିଆଁକୁ ମନ୍ତୁରାଇ ନିଭାଇଦେବା ସକାଶେ ଏମାନେ ଅନେକ ସମୟରେ ଶୁଦ୍ଧ ଗୋମୟର କାମ ଦେଇଥାନ୍ତି-। ଏହି ସର୍ବୋଚ୍ଚ ସମ୍ମାନିତ ବ୍ୟକ୍ତି ମାନେ ଦିନେ ସର୍ବୋଚ୍ଚ କ୍ଷମତାରେ ଥିଲେ । ବଳ ଥିଲା ବେଳେ ଅନେକ କଞ୍ଚା ଶିକାର କରିଥିଲେ । ଅନେକ ସୁଗ୍ରୀବଙ୍କ ସହିତ ମିତ୍ରତା କରିବେ ବୋଲି ଅନେକ ବାଳୀଙ୍କୁ ସେମାନେ ବଧ କରିଥିଲେ । ଅଳପରୁ ଅଧିକକୁ ଓ ତଳୁ ସର୍ବୋଚ୍ଚକୁ ଆସିବା ପାଇଁ ସେମାନଙ୍କୁ କେତେଥର ଖଲ୍ୟକାରର କାର୍ଯ୍ୟ ମଧ୍ୟ କରିବାକୁ ପଡ଼ିଥିଲା । ଆମ ଘରକୁ ଗୁଡ଼ାଏ ଗାତ ଓ ଗୁଡ଼ାଏ ମୂଷାମାଟିରେ ପରିଣତ କରିବାର ଭାଗବତରେ ସେମାନଙ୍କର ଅବଦାନ କୌଣସି ଗୁଣରେ କାହାରିଠାରୁ ବି କମ୍‌ ନୁହେଁ । ଏମାନେ ତାଙ୍କ ଜୀବନରେ କେତେ ଡେଇଁଛନ୍ତି, ଡିଆଇଁଛନ୍ତି, ଲୁଚିଛନ୍ତ, ଲୁଚାଇଛନ୍ତି । ଏଘର ଦାମୁଡ଼ିକୁ ନେଇ ସେଘର ବାରିପଟେ ବାନ୍ଧିଛନ୍ତି । ଏ ବିଲ ନଳିତାକୁ ନେଇ ସେ ବିଲରେ ପକାଇଛନ୍ତି । ଏମାନେ ଅନୁଭବରୁ ଶିଖିଛନ୍ତି । ସେଥିଲାଗି ସର୍ବୋଚ୍ଚ ସମ୍ମାନର ଅଧିକାରୀ ହୋଇ ପାରିଛନ୍ତି । ଆମ କଳିଯୁଗରେ ସେମାନେ ସର୍ବଥା ଅନୁକରଣୀୟ ହୋଇ ରହିଛନ୍ତି ।

ସର୍ବୋଚ୍ଚ ସମ୍ମାନିତ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରକୃତରେ କିଛି ହେବନାହିଁ । ଏମାନେ ବିଗତ ପଡ଼ିଆଗୁଡ଼ାକରେ ଯେତେ ମଲ୍ଳ ହୋଇ ପହିଲିମାନୀ କରିଥିଲେ ମଧ୍ୟ ଆମ ଅନାଗତ ସକାଶେ ଏମାନଙ୍କର ବୁଦ୍ଧି ମୋଟେ ପାଇବ ନାହିଁ । ଏମାନେ ଆମକୁ ଉପ୍ରୋଧ ଦେଖାଇ ଆମ ଆଗରେ ଅପରାଜିତା ମନ୍ତ୍ର ପଢ଼ିବେ । ହରିବଂଶ ବଖାଣିବେ । ଆମକୁ ହୁଏତ ଆଈ ମାଆଙ୍କ ପରି ରାଜକନ୍ୟା ଓ ରାଜପୁତ୍ରମାନଙ୍କ କଥା କହିବେ । ଆମର କବଚ ଓ କୁଣ୍ଡଳକୁ ଆମ ପାଖରୁ ନେଇଯିବାକୁ ଇଚ୍ଛା କରିବେ । ଆମ ସ୍ଵପ୍ନଗୁଡ଼ାକର କୌଣସି ଗୋଟିଏ ହେଲେ ସନ୍ତାନ ଏମାନଙ୍କ ପାଖରେ ନାହିଁ । ସେମାନେ ଆମର ବନ୍ଧୁ ହୋଇ ପାରିବେ ନାହିଁ । ସେମାନଙ୍କ ରାଜ୍ୟର କଉଡ଼ି ଆମର ଏହି ଗୋଟାସୁଦ୍ଧା ଅନ୍ୟ ପ୍ରକାର ଯାତ୍ରାରେ ମୋଟେ କାମ ଦେବ ନାହିଁ । ତେଣୁ ସର୍ବୋଚ୍ଚ ସମ୍ମାନିତ ବ୍ୟକ୍ତି ମାନଙ୍କୁ ଆମେ ବି ସର୍ବୋଚ୍ଚ ସମ୍ମାନ ଦେବା, ସମ୍ମାନ ଦେବାରେ ମୋଟେ କୌଣସି ତ୍ରୁଟି କରିବା ନାହିଁ । ମାତ୍ର ଆମ ଠାକୁରମାନଙ୍କୁ ଆମେ କଦାପି ସେମାନଙ୍କ ହାତକୁ ଟେକିଦେବା ନାହିଁ ।

୨୨ । ୦୧ । ୧୯୮୧

☆☆☆

 

ହିଂସାକାଣ୍ଡ ବିରୁଦ୍ଧରେ

 

ସରକାରମାନେ ହିଁ ଇତିହାସରେ ସବୁଠାରୁ ଅଧିକ ହିଂସାକାଣ୍ଡ କରିଛନ୍ତି । ସରକାରମାନେ ହିଁ ପୃଥିବୀରେ ହିଂସାକାଣ୍ଡ ଲାଗି ସବୁଠାରୁ ଅଧିକ ସହଯୋଗ ଦେଖାଇଛନ୍ତି; ହିଂସାକାଣ୍ଡର ଫସଲଟି ଆବଶ୍ୟକତା ଅନୁସାରେ ଫଳି ପାରିବ ବୋଲି ଜମିଗୁଡ଼ିକ ଉଚିତ ପ୍ରକାରେ ପାଗ କରିଛନ୍ତି; ପ୍ରସ୍ତୁତ କରି ରଖିଛନ୍ତି । କୌଣସି ସରକାରଙ୍କ ଶାସ୍ତ୍ରରେ ହିଂସାକାଣ୍ଡକୁ ଏକ ଗର୍ହିତ କାର୍ଯ୍ୟ ବୋଲି କହି ବର୍ଜନ କରାଯାଇନାହିଁ । ହଁ, ସରକାରମାନଙ୍କର ପ୍ରରୋଚନାରେ ରାଜ୍ୟର ନାଗରିକମାନଙ୍କ ସକାଶେ ଯେଉଁସବୁ ଶାସ୍ତ୍ର ତିଆରି ହୋଇଛି, ହିଂସାକାଣ୍ଡକୁ ସେଇଥିରେ ହିଁ ଏକ ଅକାଣ୍ଡ ବୋଲି କୁହାଯାଇଛି ଏବଂ ହିଂସାକାଣ୍ଡ କଲେ ଉଚିତ ଶାସ୍ତି ଦିଆଯିବ ବୋଲି ଧମକ ଦିଆଯାଇଛି ।

 

ଆମ ଏହି ଶତାବ୍ଦୀର ଜଣେ ପ୍ରଖ୍ୟାତ ମନୋବିତ୍‍ କହିଛନ୍ତି ଯେ କୌଣସି ସରକାର କେବେହେଲେ ହିଂସାକାଣ୍ଡର ବିରୋଧ କରେନାହିଁ । ମାତ୍ର, ଯାବତୀୟ ହିଂସାକାଣ୍ଡର ଅଧିକାରକୁ ତାହା କେବଳ ଆପଣାରହିଁ ଏକ ଏକଚାଟିଆ ବ୍ୟାପାର କରି ରଖିବାକୁ ଇଚ୍ଛା କରିଥାଏ । ତେଣୁ ତାହାରି ଆଖି ଆଗରେ, ତାହାର ସେହି ଏକଚାଟିଆ ଅଧିକାରକୁ ଚ୍ୟାଲେଞ୍ଜ କରି ଯଦି ଆଉ କେହି ହିଂସାକାଣ୍ଡ କରିବାକୁ ବାହାରେ, ତାହା ସରକାରଙ୍କୁ ପ୍ରକୃତରେ ଭାରି ଅପମାନଜନକ ବୋଧହୁଏ ଏବଂ ସେତେବେଳେ ସିଏ ତାହାକୁ ମୋଟେ ସହ୍ୟ କରି ପାରନ୍ତି ନାହିଁ । ଆମ ସରକାର ଏବେ ହିଂସାକାଣ୍ଡ ବିରୁଦ୍ଧରେ ଯେଉଁସବୁ ଶୋଭା, ପଟୁଆର ଏବଂ ଜାନିଯାତ୍ରାର ଆୟୋଜନ କରାଉଛନ୍ତି, ସେଗୁଡ଼ାକୁ ଆଉ କ’ଣ ପ୍ରକୃତରେ ସେହି କାରଣରୁ କରାଉଛନ୍ତି କି ?

 

ସରକାର ବାହାରେ ଯିଏ ଯେତେ ହିଂସାକାଣ୍ଡ କରିବା ପାଇଁ ମନକଲେ ମଧ୍ୟ ସେଥିରେ ସିଏ କଦାପି ସରକାରଠାରୁ ବଳି ଯିବନାହିଁ । ସରକାର ପାଖରେ ତଡ଼ା ଅଛି, ତଡ଼ାର ପ୍ରଯୁଜ୍ୟତା ଓ ଅପ୍ରଯୁଜ୍ୟତା ବିଷୟରେ ଆଇନଗୁଡ଼ାକୁ ମଧ୍ୟ ସେହି ସରକାର ସର୍ବତ୍ର କରିଛନ୍ତି ଓ ସେହି ଆଇନଗୁଡ଼ିକର ଗୋବିନ୍ଦ-ଭାଷ୍ୟ କେବଳ ସେହି ସରକାରଙ୍କୁ ହିଁ ଜଣାଅଛି । ସରକାରର ଅର୍ଥ ହେଉଛି ପ୍ରତିଷ୍ଠିତ କ୍ଷମତା, ସ୍ୱୀକୃତିପ୍ରାପ୍ତ ବର୍ବରତା । ବିଶେଷତଃ ଆମର ଏହି ମୂର୍ଖ ଦେଶରେ ଯତନନଗରର ସବୁଯାକ ଚିତ୍ରସେଣ ଏବଂ ଉଗ୍ରସେଣଙ୍କ ଲାଗି ମନଇଚ୍ଛା ତଣ୍ଡ ଲଗାଇବାକୁ ଓ ଦଣ୍ଡ ଦିଆଇବାକୁ ପ୍ରାୟ ପଡ଼ିଆଟାଯାକ ପଡ଼ିରହିଛି । ଏହି ପରିସ୍ଥିତିରେ ଅନ୍ୟମାନଙ୍କର ଯେକୌଣସି ଅବାଧ୍ୟତା କେବଳ ଗଧିଆ ବିରୁଦ୍ଧରେ ଛେଳିଛୁଆର ହିଂସାକାଣ୍ଡ ପରି ହିଁ ହେବାକୁ ବାଧ୍ୟ ହେବ । ତଥାପି ଗଧିଆ ଯେ ତାକୁ କେବେହେଲେ ବରଦାସ୍ତ କରିବ ନାହିଁ ଓ ସମସ୍ତଙ୍କୁ ଲୁହଲହୁ କରି ଛାଡ଼ିବ, ସେ କଥାଟି ମଧ୍ୟ ମାଳିକାରେ ଲେଖା ହୋଇ ରହିଛି ।

 

୨୫ । ୦୧ । ୧୯୮୧

☆☆☆

 

ସଦିଚ୍ଛା ଓ ସାହସ

 

ଖାଲି ସଦିଚ୍ଛା ରହିଥିଲେ ତାହା କଦାପି ଯଥେଷ୍ଟ ହେବନାହିଁ—ସଦିଚ୍ଛା ସାଙ୍ଗକୁ ସାହସ ରହିଥିବା ଆବଶ୍ୟକ । ଖାଲି ସାହସ ରହିଥିଲେ ବି ତାହା କଦାପି ଯଥେଷ୍ଟ ହେବ ନାହିଁ—ସାହସ ସାଙ୍ଗକୁ ସଦିଚ୍ଛା ରହିଥିବା ଆବଶ୍ୟକ । ଯଦି ଖାଲି ସଦିଚ୍ଛା ରହିଥାଏ ଓ ତା’ ସାଙ୍ଗକୁ ସାହସ ନଥାଏ, ତେବେ ମଣିଷ ବନ୍ଧ୍ୟା ହୋଇ ରହେ । ସିଏ ଖାଲି ସ୍ୱପ୍ନ ଦେଖେ, ସଂସାରଯାକର ମଙ୍ଗଳକାମନା କରେ । ମାତ୍ର ତଥାପି ଗୋବରଗଣେଶ ହୋଇ ପଡ଼ି ରହିଥାଏ । ତା’ଦ୍ୱାରା ଏହି ସଂସାରର ମୋଟେ କିଛି ହୋଇପାରେନାହିଁ । ଯଦି ଖାଲି ସାହସ ରହିଥାଏ ଓ ତା’ ସାଙ୍ଗକୁ ସଦିଚ୍ଛା ନ ଥାଏ, ତେବେ ମଣିଷ ଗୁଣ୍ଡା ହୁଏ । ତା’ ଦ୍ଵାରା ଭାଙ୍ଗି ବେଶି, ହୁଏତ କେଉଁଠି କିଛିହେଲେ ଗଢ଼ିହୁଏ ନାହିଁ । ଅନେକ ସମୟରେ ସିଏ ଆମ ସମସ୍ତଙ୍କଲାଗି ଆତଙ୍କ ହୋଇ ରହେ ।

 

ଆମ ଏ ଯୁଗରେ ବଡ଼ମାନଙ୍କର ସଦିଚ୍ଛା ଅଛି, ସାହସ ମୋଟେ ନା ହିଁ । ସେମାନେ ପୂର୍ଣ୍ଣ ସଦିଚ୍ଛା ସହିତ ଆମକୁ ଉପଦେଶ ଦେବାରେ ଲାଗିଛନ୍ତି; ମାତ୍ର ନିଜେ ନିରାପଦ ହୋଇ ରହିବାକୁ ହିଁ ଇଷ୍ଟ ବୋଲି ମନେକରୁଛନ୍ତି । ସେମାନଙ୍କର ସକଳ ସଦିଚ୍ଛା ସାହସ ଅଭାବରୁ କେବଳ ଏକ ରକ୍ଷଣଶୀଳତାରେ ପରିଣତ ହୋଇ ରହିଯାଉଛି । ଯେଉଁମାନଙ୍କର କେବଳ ସାହସ ଅଛି, ସେମାନଙ୍କଠାରୁ ଏହି ବଡ଼ମାନେ ଯୋଜନେ ବ୍ୟବଧାନରେ ରହିଯାଉଛନ୍ତି । ସେମାନଙ୍କର ସବୁଥିକୁ ସାହସ । ସେମାନେ ସବୁ କରିବାକୁ ପ୍ରସ୍ତୁତ, ସବୁ କରିବାକୁ ରାଜି । ଘରଟା ଭଲ ଲାଗୁନାହିଁ ବୋଲି ଭାବିଲା ମାତ୍ରକେ ସେମାନେ ଏକାବେଳକେ ଚାଳଟାକୁ ଓଲାରିପକାଇବାକୁ ଅଥବା କାନ୍ଥଗୁଡ଼ାକୁ ତାଡ଼ିଦେବାକୁ ବାହାରି ପଡ଼ିଛନ୍ତି । ସେଥିରେ ଏକ ତୃପ୍ତି ମିଳୁଛି ସତ; ମାତ୍ର କେଉଁଠି ହେଲେ କିଛି ବଦଳୁନାହିଁ । ସେମାନେ ଫୋପାଡୁଥିବା ପଥରଗୁଡ଼ାକ ସତେଅବା ଖାଲି ସମୁଦ୍ର ଭିତରେ ପଡ଼ି ବ୍ୟର୍ଥ ହୋଇ ଯିବାରେ ଲାଗିଛି ।

 

ଯାହା ହାତରେ ଏ ଯୁଗ ପ୍ରକୃତରେ ବଦଳିବ, ତା’ଠାରେ ସଦିଚ୍ଛା ଆଉ ସାହସ ଦୁଇଟିଯାକ ରହିବ । ତା’ର ସଦିଚ୍ଛା ତାକୁ ପ୍ରକୃତ ଦିଗଟିକୁ ଦେଖାଇ ଦେଇଯିବ । ତା’ର ସାହସ ତାକୁ ଅନେକ କପଟତାରୁ ବଞ୍ଚାଇ ରଖିବ, ଅନେକ ମିଥ୍ୟାର କବଳରୁ ତାକୁ ଉଦ୍ଧାର କରି ଆଣିବ । ସିଏ ଗୁଣ୍ଡା ହେବନାହିଁ କି ଫମ୍ପା ବି ହେବନାହିଁ । ସିଏ କଦାପି କାହାପାଖରେ ବିକା ବି ହୋଇ ପାରିବ ନାହିଁ । ତାକୁ କେହି ଭଣ୍ଡାଇ ପାରିବେ ନାହିଁ । ତାକୁ କେହି ହେଲେ ବୁଢ଼ା କରି ପାରିବେ ନାହିଁ ।

 

୩୧ ।୦୧ । ୧୯୮୧

☆☆☆

 

ରାତିକୁ ନିଶା କହନ୍ତି

 

ସବୁ ନିଶାତକ ରାତିକୁ ଲାଗେ ବୋଲି ରାତିକୁ ଆବହମାନ କାଳରୁ ନିଶା ବୋଲି କୁହାଯାଇଆସିଛି କି ? ମାତ୍ର ଯେଉଁମାନେ ଦିନ ରାତି ନିଶା ଖାଇ ବସିଥାନ୍ତି, ସେମାନେ ଦିନଟାକୁ ମଧ୍ୟ ନିଶା ପ୍ରାୟ ମଣନ୍ତି । ସେମାନେ କ୍ଷମତାରେ ଥାଆନ୍ତି, ସେମାନଙ୍କ ହାତରେ ପଇସା ଥାଏ, କେବଳ ବର୍ଷମାନଟା ବ୍ୟତୀତ ସେମାନେ ସତେଅବା ଆଉ । କୌଣସି କାଳକୁ ଆଦୌ ଦେଖି ପାରୁନଥାନ୍ତି । ସେମାନେ ଆଖି ଫିଟାଇବାମାତ୍ରକେ ଦଶଦିଗ ସେମାନଙ୍କୁ ସତେଅବା ନିଶା ପ୍ରାୟ ଦେଖାଯାଏ । ମଣିଷଗୁଡ଼ାକ ଗୋଡ଼ିପଥର ପରି ଦିଶନ୍ତି । ଦେଶଟା ସତେଅବା ଗୋଟାଏ ଖେଳପଡ଼ିଆ ପରି ଦେଖାଯାଏ । ଏମାନେ ଭୋଟ ଲଢ଼ନ୍ତି, ଭୋଟରେ ଜିତନ୍ତି ଓ ଅନ୍ଧାରଗୁଡ଼ାକର ମଥାନ ଉପରେ ବସି ଶାସନ କରନ୍ତି । କେଡ଼େ ଘଟଣ ହୋଇ ଦିଶନ୍ତି, ନୂଆ ନବତନ ହୋଇ ଦିଶନ୍ତି ।

 

ନିଶା ଖାଇ ଦିନକୁ ରାତି ପରି ଦେଖୁଥିବା ମାଦଳମାନେ କେବେ ଭୁଲ କରନ୍ତି । ନାହିଁ । ଦେଶଟା ଉପରେ ଶଗଡ଼ ମାଡ଼ିଗଲେ ମଧ୍ୟ ତଥାପି ସେମାନଙ୍କର ହିସାବଗୁଡ଼ାକ ଅନୁସାରେ ସବୁକିଛି ସୁଯୋଗ୍ୟ ଓ ସୁଚାରୁ ଭାବରେ ଚାଲୁଥାଏ । ମସନଦ ଗୁଡ଼ାକ ପୂରା ଜମାଟିଆ ଭାବରେ ଚାଲିଥାଏ । ଅମୀର ଓ ଉମରାଓମାନେ ଆଦେଶ ମୁତାବକ ଗଙ୍ଗା ହେଉଥାନ୍ତି, ଗାଙ୍ଗୀ ବି ହେଉଥାନ୍ତି । ରାସ୍ତା ବୋଲି ଆଦୌ କିଛି ନଥିଲେ ବି ଏବଂ ଗନ୍ତବ୍ୟସ୍ଥଳ ସମ୍ବନ୍ଧରେ କୌଣସି ଫଇସଲା ହୋଇ ନଥିଲେ ବି ସବୁକିଛି ଚାଲିବାପରି ଦେଖାଯାଉଥାଏ ।

 

ଆଗେ ନବାବମାନେ ଥିଲେ, ଏବେ ବି ନବାବମାନେ ଅଛନ୍ତି । ଆଗେ ରାଜ୍ୟଗୁଡ଼ାକ ଥିଲା, ଏବେ ସେଗୁଡ଼ାକୁ ଦେଶ ବୋଲି କୁହାଯାଉଛି । ଆଗେ ରାଜାମାନେ ସୈନ୍ୟବଳ ସାଙ୍ଗରେ ନେଇ ଅନ୍ୟ ରାଜ୍ୟଗୁଡ଼ିକୁ ଜୟକରି ସାମ୍ରାଜ୍ୟ ବଢ଼ାଉଥିଲେ । ଏବେ ଆମ ଅମଳର ରାଜାମାନେ ଭାଗ୍ୟଜୋରରେ ହିଁ ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି । ଏକାବେଳକେ ଚକ୍ରବର୍ତ୍ତୀ ହୋଇ ଯାଇ ପାରୁଛନ୍ତି । ଆଗେ ରାଜାମାନେ ଦରବାର ଚଳିବା ଲାଗି ସ୍ୱତନ୍ତ୍ର ଭାବରେ ବ୍ରାହ୍ମଣ ପୁରୋହିତ, କ୍ଷତ୍ରିୟ ସେନାପତି ଏବଂ ବୈଶ୍ୟ ବଣିକ ନିଯୁକ୍ତ ରଖୁଥିଲେ । ଏବେ ଆମ ରାଜାମାନେ ଅତ୍ୟନ୍ତ ଅବଲୀଳା କ୍ରମେ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ ସବୁ ହୋଇ ପାରୁଛନ୍ତି । ମଣିଷର ସଭ୍ୟତା ଅନେକ ଆଗକୁ ଯାଇ ପାରିଥିବାରୁ ଏକଥା ସମ୍ଭବ ହେଉଛି ।

 

ଏହି ରାତି ଭିତରେ ହିଁ ଦିନ ସଜ ହେଉଛି । ରାତିର ଗର୍ଭ ଚିରି ଉପରକୁ ବାହାରିବ ବୋଲି ଆଗାମୀର ନୂଆ ଚେର ତଥାପି ପ୍ରସ୍ତୁତ ହେବାରେ ଲାଗିଛି । ନିଶା ଖାଇ ସଚରାଚର କେବଳ ରାତି ହିଁ ଦେଖୁଥିବା ଦୈତ୍ୟମାନଙ୍କ ପେଟ ଭିତରେ ଯେ ଯାବତୀୟ ରାତ୍ରିର ଅସଲ ବୀଜଗୁଡ଼ାକ ସାଇତା ଓ ଥାଇତା ହୋଇ ରହିଛି, ଆଗାମୀ ଦିନଟି ସେହି ସତ୍ୟଟିର ଘୋଷଣା କରିବା ଲାଗି ଆସୁଛି । ଅତି ଶୀଘ୍ର ଆସୁଛି ।

 

୦୮ । ୦୨ । ୮୧

☆☆☆

 

କହିବା ଆଉ ଲେଖିବାର ଦ୍ୱନ୍ଦ

 

ସେଦିନ ବନ୍ଧୁ କହୁ କହୁ ଆପଣାକୁ କାହିଁକି ଏତେଗୁଡ଼ାଏ ଉଶ୍ୱାସ ଅନୁଭବ କଲେ କେଜାଣି, କହୁ କହୁ ବଲବଲ ହୋଇ ସେ କେତେ କଅଣ କହିଗଲେ । ହଲପ ପକାଇଲା ପରି କହିଲେ, ମୁଁ ପାଟିରେ ଅନେକ ମିଛକଥା କହିଛି; କିନ୍ତୁ ଲେଖିଲାବେଳେ କିଛି ମିଛ ଲେଖିନାହିଁ । ତାଙ୍କ ମୁହଁରୁ ଏକଥା ଶୁଣି ସେଦିନ ପଥରର ହୃଦୟରେ ମଧ୍ୟ ସହାନୁଭୂତି ଜନ୍ମିଥିବ । ସାହିତ୍ୟର ଅସଲ କରାମତି କୁଆଡ଼େ ସେଇଠି । ବାସ୍ତବତା ଯାହା ହୋଇଥାଉ ପଛକେ, ନିଜର କେତେ ଧାଡ଼ି ଲେଖାର ମାଧ୍ୟମରେ ଯିଏ ହୃଦୟକୁ ତରଳାଇ ଆଣି ପାରୁଥିବ, ସୁଧୀମାନେ ତାହାକୁ ହିଁ ଅସଲି ସାହିତ୍ୟ ବୋଲି କହିଯାଇଛନ୍ତି ।

 

ବନ୍ଧୁ କହିଲାବେଳେ ମିଛ କହି ଯେତିକି ପାପ କରନ୍ତି, ଲେଖିଲାବେଳେ ତୁଚ୍ଛା ସତଗୁଡ଼ାକ ଲେଖି ସମ୍ଭବତଃ ସେହି ପାପର ପ୍ରାୟଶ୍ଚିତ୍ତ କରନ୍ତି । କହିଲା ବେଳେ ସେମାନେ ଲାଙ୍ଗୁଳଗୁଡ଼ାକୁ ଏକାବେଳକେ ନିର୍ଘାତିଆ କରି ଲମ୍ବାଇ ଦିଅନ୍ତି । ମନର ଗୁମରଗୁଡ଼ାକୁ ଖୋଳିତାଡ଼ି ବୁଝୁଥିବା ମରମୀମାନେ କହନ୍ତି ଯେ ମଣିଷ ଚେଇଁଥିବା ସମୟରେ ଯୋଉ କଥାଗୁଡ଼ାକୁ କହି ପାରେନାହିଁ, ଶୋଇବା ଅବସ୍ଥାରେ ସେହି କଥାଗୁଡ଼ାକୁ ବିଳିବିଳେଇ ହୋଇ ସିଏ ଅନେକ କ୍ଷତିର ପୂରଣ କରେ । କଥା କହିଲାବେଳେ ଯୋଉ ଗଣ୍ଠିଗୁଡ଼ାକୁ ଭାରି ସାବଧାନତା ସହିତ ପକାଇରଖିବାକୁ ହୁଏ, ଶୋଇବାବେଳେ ସେହି ଗଣ୍ଠିଗୁଡ଼ାକ ଏକାବେଳକେ ସଲସଲ ହୋଇ ଫିଟିଯାଆନ୍ତି । ବନ୍ଧୁଙ୍କର ଲେଖିବା ଅବସ୍ଥାଟାକୁ ଆମେ ସେହି ନ୍ୟାୟରେ ଏକ ନିଦ୍ରିତାବସ୍ଥା ସହିତ ତୁଳନା କରିପାରିବା । ତାଙ୍କ ଲେଖିବାର ଦ୍ରବ୍ୟଗୁଣ ନିର୍ଣ୍ଣୟ କରିବାକୁ ଯାଇ ତାହାକୁ ଆମେ ପ୍ରାୟ ଏକ ବିରେଚକ ବୋଲି ଅନ୍ଦାଜ କରିପାରିବା ମାତ୍ରକେ ତାଙ୍କ ନିଜ ଜୀବନରେ ଯୋଉଟା ଏକ ବିରେଚକ ପରି କାର୍ଯ୍ୟ କରୁଛି ଓ ତାଙ୍କୁ ଉଶ୍ୱାସ ହୋଇଯିବାରେ ଏତେ ସାହାଯ୍ୟ କରୁଛି, ଆମ ଇତରମାନଙ୍କ ଲାଗି ତାହା ପ୍ରକୃତରେ କେଉଁ କାମରେ ଲାଗିବ ? ଆମେ ତାଙ୍କର କହିବା ନା ଲେଖିବା କେଉଁଟାକୁ ତାଙ୍କର ଅସଲ କଥା ଓ ଅସଲ ରୂପ ବୋଲି ଜାଣିବା । ତାଙ୍କୁ ଏହିପରି ଦୁଇମୁଣ୍ଡିଆ କରି ଜାଣିଲେ ଆମର ପ୍ରକୃତରେ କ’ଣ ଲାଭ ହେବ ? ସାହିତ୍ୟର ବା କ’ଣ ଲାଭ ହେବ ?

 

ଯାହାର କହିବା ଆଉ ଲେଖିବା ପ୍ରକୃତରେ ଗୋଟାଏ ଉଦରରୁ ବାହାରେ, ସେ ହିଁ ପ୍ରକୃତ ମଣିଷ । ତାର କହି ବା ଓ ଲେଖିବା ଉଭୟ ଯଥାର୍ଥ । ଯିଏ କହିବାବେଳକୁ ପୋଷାକୀ ହୋଇ ଲେଖିଲାବେଳକୁ ଆଠପହରୀ ପରି ଦିଶିବାର ପ୍ରୟାସ କରେ, ତା’ର କହି ବା ଆଉ ଲେଖିବା ହୁଏତ ଦୁଇଟିଯାକ ନକଲି, ଦୁଇଟିଯାକ ଖୁଦମିଶା, ଦୁଇଟାଯାକରେ ମୂଷାନଣ୍ଡି ଭର୍ତ୍ତି ହୋଇ ରହିଥାଏ । ବନ୍ଧୁ ଯଦି ନିଜର କହିବା ଆଉ ଲେଖିବାକୁ ଏକାଠି ମିଶାଇ ଖିଏ ସୂତାପରି ହୋଇପାରନ୍ତେ, ତେବେ ସିଏ ପ୍ରକୃତରେ କେଡ଼େ ସୁନ୍ଦର ନ ଦିଶନ୍ତେ, କେଡ଼େ ସହଜ ହୋଇ ନ ପାରନ୍ତେ !

 

୧୧ । ୦୨ । ୮୧

☆☆☆

 

ବଞ୍ଚିବା ଭାରି କଷ୍ଟ

 

ବନ୍ଧୁ କହିଲେ—ବଞ୍ଚିବା ଭାରି କଷ୍ଟ । ଆଗେ ଭାଗ୍ୟ ଯେମିତି ନଚାଉଥିଲା, ମଣିଷ ଠିକ୍ ସେହି ପ୍ରକାରେ ନାଚୁଥିଲା । ଦଇବ ଦଉଡ଼ି ହୋଇ ଯୁଆଡ଼େ ଟାଣୁଥିଲା, ମଣିଷ ବିଚରା ଠିକ୍ ସେହି ଆଡ଼କୁ ଯାଉଥିଲା । ତେଣୁ ମଣିଷର ଆଉ କୋଉ କଥାରେ ଶୋଚନା କରିବାକୁ କିଛି ନଥିଲା । ଦାୟିତ୍ୱ ବି କିଛି ନଥିଲା, ସମ୍ମାନ କିମ୍ବା ଅସମ୍ମାନର କୌଣସି ପ୍ରଶ୍ନ ହିଁ ନଥିଲା । ନାବାଳକ ମଣିଷର ସବୁ ବରାଦ ସେହି ଭଗବାନ କରିଦେଉଥିଲେ । ସେଇ ଆସନସ୍ଥ କରାଉଥିଲେ, ପୁଣି ଆସନଚ୍ୟୁତ ବି କରାଉଥିଲେ । ସ୍ୱର୍ଗ ଆଉ ନର୍କର ବିଧାନଗୁଡ଼ାକ ବି କେବଳ ତାଙ୍କରି ପାଞ୍ଜି ଅନୁସାରେ ହେଉଥିଲା ।

 

ଏ କାଳକୁ ସବୁ ଓଲଟିଗଲା । ମଣିଷ ଆପଣାକୁ ମଣିଷ ବୋଲି ଚିହ୍ନିବାକୁ ଆରମ୍ଭ କଲା-। ସାବାଳକ ହେଲା । ନିଜ ଭିତରେ ବି ଧର୍ମ ଆଉ ଅଧର୍ମକୁ ଅନୁଭବ କରି ଶିଖିଲା । ତା’ର ସମ୍ମାନବୋଧ ବୋଲି ଗୋଟାଏ ସମ୍ପଦ ସହିତ ପରିଚୟ ହେଲା । ଆଗେ ମାତ୍ର କେତେକ ମଣିଷ ଯାହା ଭୋଗ କରୁଥିଲେ, ଏଣିକି ପ୍ରତ୍ୟେକ ମଣିଷ ତାକୁ ଅଧିକାର କରିବାର ପରିସର ଭିତରକୁ ଆସିଲେ । ତେଣୁ ବଞ୍ଚିବାର ଶୈଳୀ ବଦଳିଗଲା । ପୁରୁଣା ଶୈଳୀରେ ବଞ୍ଚିବାକୁ ମନ କଲେ ବଞ୍ଚିବା ପ୍ରକୃତରେ ଭାରି କଷ୍ଟକର ହେଲା । ବିଶେଷକରି ଯେଉଁମାନେ ତୁଣ୍ଡରେ ନୂଆ କଥାମାନ କହିଲେ, ମାତ୍ର ଏଣେ ଜଙ୍ଘ ପର୍ଯ୍ୟନ୍ତ ପୁରୁଣାର ପଙ୍କଗୁଡ଼ାକ ଭିତରେ ବୁଡ଼ିକରି ରହିଲେ, ସେମାନଙ୍କ-। ଲାଗି ବଞ୍ଚିବା ଭାରି କଷ୍ଟକର ହେଲା । ଆପଣା ଭିତରେ ଜୀବନର ହିସାବ ନେଉଥିବା ପ୍ରଭୁଙ୍କ ପାଖରେ ସେମାନେ ଏ କୂଳର ହେଲେନାହିଁ କି ସେ କୂଳର ହେଲେନାହିଁ ।

 

ସେମାନେ ନୂଆ ବ୍ୟବସ୍ଥାଟି ଭିତରେ ନେତା ହେଲେ, ମନ୍ତ୍ରୀ ହେଲେ, ଅଧ୍ୟାପକ ହେଲେ, ହାକିମ ବି ହେଲେ । ସମାଜର ପ୍ରଚାରବିଭାଗର ଦାୟିତ୍ୱରେ ରହି ନୂତନର ପ୍ରସଙ୍ଗଗୁଡ଼ାକୁ କେଡ଼େ ଶସ୍ତାରେ ବିକ୍ରି କରି ବୁଲିଲେ । ବାହାରକୁ ଭାଣ୍ଡଙ୍କ ପରି ଦେଖାଗଲେ ଏବଂ ଭିତରେ ଆପଣା ପାଖରେ ହାରିଲେ । ପୁରୁଣାର ପେଡ଼ିଗୁଡ଼ାକୁ । ମୋଟେ ଛାଡ଼ିପାରିଲେ ନାହିଁ । ସେମାନେ ବାଆକୁ ଡରିଲେ, ବତାସକୁ ଡରିଲେ, । ବଦଳିକୁ ଡରିଲେ, ବାଟ ଚାଲିବାକୁ ବି ଡରିଲେ । ତୋଷାମଦ କଲେ, ତୋଷାମଦ ଲୋଡ଼ିଲେ । କେତେ ପଥରକୁ ଦିଅଁ ବୋଲି ବରଣ କରି ଅଧିଆ ପଡ଼ିଲେ । କେତେ ଲାଞ୍ଚ ଦେଲେ, କେତେ ଲାଞ୍ଚ ଖାଇଲେ । ନିଜ ପାଖରେ ଅପଦସ୍ଥ ହେଲେ, ବିଶ୍ୱାସ ହରାଇଲେ ।

 

ଏମାନଙ୍କ ପାଇଁ ବଞ୍ଚିବାଟା ପ୍ରକୃତରେ ଭାରି କଷ୍ଟ । ଯେଉଁମାନେ ପଦପଦକେ ଇଜ୍ଜତ ବିକି ଇଜ୍ଜତ ହରାଇବେ, ସେମାନେ ଯେଡ଼େ ବଢ଼ିଆ ପେଣ୍ଟ୍ କୋଟ୍ ପିନ୍ଧିଥିଲେ ମଧ୍ୟ ଆପଣାର ଅସଲ ବିବେକ ଓ ଅସଲ ଅକଲଟି ପାଖରେ ତୁଣ୍ଡିବନ୍ଧା ହୋଇ ରହିଥିବେ । ବାହାରେ ଉସ୍‍ମାନତାରା ହୋଇ ଛଇ ଦେଖାଉଥିଲେ ମଧ୍ୟ ଭିତରେ ଆପଣା ପାଖରେ ଭାରି ଅସରଣ ଦିଶୁଥିବେ, ଅଶୋଭନ ଦିଶୁଥିବେ । ଏମାନଙ୍କର ଗୋଡ଼ଗୁଡ଼ାକ ନିତି ବନ୍ଧା ହୋଇ ରହିଥିବ ।

 

୧୯ । ୦୨ । ୮୧

☆☆☆

 

ସତ୍ୟ ଓ ସାଂଘାତିକ

 

ସତ୍ୟ ଚିରଦିନ ସାଂଘାତିକ ଥିଲା, ତାହା ଆଜି ମଧ୍ୟ ସମାନ ଭାବରେ ସାଂଘାତିକ ହୋଇ ରହିଛି । ଆମ ରାଜନୀତିଗୁଡ଼ାକ ଯେ କେବଳ ଏକ ଦୁର୍ଦ୍ଦଣ୍ଡ ଧୂର୍ତ୍ତତାରେ ପରିଣତ ହୋଇଛି, ତାହା ସତ୍ୟ ଓ ସାଂଘାତିକ । ଶାସନ କରିବା କହିଲେ ଯେ କ୍ରମେ କ୍ଷମତାରେ ରହିବାକୁ ହିଁ ବୁଝାଇବାକୁ ଆରମ୍ଭ କଲାଣି, ତାହା ସତ୍ୟ ଓ ସାଂଘାତିକ । ସରକାରୀ ଦଳ ହେଉ ବା ବିରୋଧୀ ଦଳ ହୁଅନ୍ତୁ, ଏମାନେ ଯେ ପ୍ରକୃତରେ କେହି କାହାର ବିରୋଧୀ ନୁହନ୍ତି ଓ କ୍ଷମତା ଲାଗି ହିଁ ରାଜନୀତି ନାମରେ ସବୁକିଛି କରୁଛନ୍ତି, ଏକଥା ମଧ୍ୟ ସତ୍ୟ ଓ ସାଂଘାତିକ ।

 

ଗଉଣୀ ଗଉଣୀ ଟଙ୍କା ଖରଚ ହେଉଛି ଓ ତଥାପି ସ୍ଥାୟୀ ଭାବରେ ଏହି ଦେଶରେ ଯେ ଆଦୌ କୌଣସି ମୂଳଦୁଆ ପଡ଼ିପାରୁନାହିଁ, ଏକଥା ସତ୍ୟ ଓ ସାଂଘାତିକ । କମିଶନ ପରେ କମିଶନ ବସାଇ ଏଠି ଯେ ନିକିମା ଓ ପୋକରା ଲୋକମାନଙ୍କୁ ସାମୟିକ ଧନ୍ଦାଟାଏ ଯୋଗାଇ ଦିଆଯାଉଛି, ଏକଥା ସତ୍ୟ ଓ ସାଂଘାତିକ । ବାହାରେ ଧର୍ମ, ସଂସ୍କୃତି ଓ ଜାତୀୟତାର ଡାଲଖାଇ ଗାଉଥିବା ବଡ଼ମାନେ ଯେ ଭିତରେ କେବଳ ଆପଣାକୁ ହିଁ ମଣ୍ଡପ ଉପରେ ମଣ୍ଡାଇ ରଖିବା ପାଇଁ ଇଚ୍ଛା କରୁଛନ୍ତି, ତାହା ସତ୍ୟ ଓ ସାଂଘାତିକ ।

 

ପାଠଘରେ ପାଠ ନାହିଁ କି ପାଠୁଆର ପେଟ ଭିତରେ ମଧ୍ୟ ପାଠ ନାହିଁ । ମୁଠା ମୁଠା ଅସରପି ବୁଣା ହୋଇ ଯେଉଁ ଉଞ୍ଚା ଉଞ୍ଚ କୋଠାଘରମାନ ତିଆରି ହୋଇଛି ଓ ଯେଉଁଠି ଫେଶନପିନ୍ଧା ବାବୁମାନେ କେଡ଼େ ତୋରା ହୋଇ ବିଚରଣ କରୁଛନ୍ତି, ସେଠି ଖାଲି ଖଣ୍ଡିଆଭୂତ ଉଡୁଛି । ସେଠି ବାବୁମାନଙ୍କର ରାଜତ୍ୱ ଚାଲିଛି ଏବଂ ବାବୁମାନଙ୍କର ଆଦୌ କୌଣସି ପାଠ ଦରକାର ନାହିଁ । ସେହିମାନେ ହିଁ ଏଠି ଯାବତଚନ୍ଦ୍ରାର୍କ ବାବୁ ହୋଇ ରହିବେ ବୋଲି ପଣ କରି ବସିଛନ୍ତି । ଦେଶଯାକର ଗୁହାରି ଶୁଣିବାକୁ ଯୋଉ ଚଉଡ଼ା କାନ୍ଥର ଅଫିସମାନ ବସିଛି ଓ ଯେଉଁ ପାଠୁଆ ଅଫିସରମାନେ କେଉଁ ଅନ୍ୟ ଦେଶର ରାଜକନ୍ୟାର ପାଲରେ ପଡ଼ିଯାଇଥିବା ପରି ଏକାନ୍ତ ଉଦାସୀନ (ଉତ-ଆସୀନ) ହୋଇ ବସିଛନ୍ତି, ସେଠାରେ ଦେଶର କଥାଗୁଡ଼ାକ କିଛି ତୁଟୁନାହିଁ । ଗଣ୍ଠିଗୁଡ଼ାକ ଗୁରାଇ ଗୁରାଇ ହୋଇଯାଉଛି । ବେଳଗୁଡ଼ାକ ଖାଲି ଗଡ଼ିଯିବାରେ ଲାଗିଛି ।

 

ତଥାପି ବେଳ ଆସୁଛି । ବେଳ ଯେ ଆସୁଛି, ସେକଥା ପାଠୁଆମାନେ ବି ଜାଣିପାରିଲେଣି, ଚତୁରତମମାନେ ବି କାହାର ଗନ୍ଧ ପାଇସାରିଲେଣି । ସେମାନେ ତାହାକୁ ସତ୍ୟ ଏବଂ ସାଂଘାତିକ ବୋଲି ଜାଣିସାରିଲେଣି । ସଙ୍କଟମୋଚନ ଯେ ନନ୍ଦଘରେ ବଢ଼ୁଛି, ସେକଥା ଦୈତ୍ୟଘରେ ପୂରା ଜଣାପଡ଼ିଗଲାଣି । ସେଥିଲାଗି ପ୍ରତିକାର ବି ଖୋଜାହେଲାଣି । ତିରିଶିବର୍ଷ ଧରି ଯିଏ ଖାଲି ଫେଲ୍‍ ମାରି ମାରି ଆସିଲା, ସିଏ ଆଉ କି ପ୍ରତିକାର ଖୋଜି ପାଇବ ? ତେଣୁ କାଳ ହଟିଯିବ, ଦେଶ ରହିବ, ମଣିଷମାନେ ବି ରହିବେ । ଏହା ଏକାନ୍ତ ସତ୍ୟ ଓ ସାଂଘାତିକ ।

 

୦୬ । ୦୩ । ୮୧

☆☆☆

 

ଅହେତୁକୀ ହେତୁବାଦିତା

 

ଅନ୍ଧବିଶ୍ୱାସ ଥିଲା ଓ ଅନ୍ଧବିଶ୍ୱାସ ଅଛି । ଯେତେବେଳେ ନିଜକୁ ଅନ୍ଧବିଶ୍ୱାସ-ମୁକ୍ତ ହେତୁବାଦୀ ବୋଲାଉଥିବା ଚତୁର ଲୋକମାନେ ଅନ୍ୟମାନଙ୍କର ଅନ୍ଧବିଶ୍ୱାସଗୁଡ଼ାକୁ ଦୂର କରିବା ଲାଗି ଅଭିଯାନରେ ବାହାରନ୍ତି, ସେତେବେଳେ ଭଗବାନ ନିଶ୍ଚୟ ଉପରୁ ଥାଇ ଭାରି ହସୁଥିବେ । ଏହିମାନଙ୍କ ମାର୍କାର ଦଳେ ଲୋକ ଆମ ପୃଥିବୀରେ ସବୁବେଳେ ଥାଆନ୍ତି, ଯେଉଁମାନେ କି ସଂସାରଯାକର ମଣିଷଙ୍କୁ ଠିକ୍ ଧର୍ମକୁ ଆଣିବାକୁ ଚାହୁଥାନ୍ତି; ଠିକ୍ ବିଶ୍ୱାସକୁ ଓ ଠିକ୍ ବିବେକକୁ ଆଣିବାକୁ ଇଚ୍ଛା କରୁଥାନ୍ତି । ଇତିହାସ କହୁଛି, ଏମାନେ ଆପଣାକୁ ହିଁ ସବୁଠାରୁ ବଡ଼ ଅବିବେକୀ ବୋଲି ସାବ୍ୟସ୍ତ କରନ୍ତି ।

 

ଆମ ଦେଶରେ ଗାଆଁମାନଙ୍କରେ କେତେ କେତେ ଅନ୍ଧବିଶ୍ୱାସ ରହିଛି । ଅନେକ ଅକାରଣ ଅତିବିଶ୍ୱାସ ରହିଛି, ଯାହାକି ଉପରୁ ଗୋଟାଏ ଗୋଟାଏ ଅନ୍ଧବିଶ୍ୱାସ ପରି ଦେଖାଯାଉଛି-। ଏହିସବୁର ମୂଳରେ ଏକ ଅସହାୟତା ହିଁ କାରଣ ହୋଇ ରହିଛି । ତେଣୁ ସହରରୁ ଆମେ ଯେଉଁମାନେ ଅନ୍ଧବିଶ୍ୱାସ ଦୂର କରିବାକୁ ସେମାନଙ୍କ ପାଖକୁ ଏଡ଼େ ଆଗ୍ରହରେ ଧାଉଁଛୁ, ସେମାନଙ୍କୁ ଏହି ଅସହାୟତାର କାରଣଗୁଡ଼ିକୁ ଆଗ ଆବିଷ୍କାର କରିବାକୁ ପଡ଼ିବ । ତେବେ ଅନେକ କ୍ଷେତ୍ରରେ ଆମେ ତଥାକଥିତ ବୁଦ୍ଧିଯୁକ୍ତମାନେ ଯେ ସ୍ଵୟଂ ସେହିସବୁ ଅସହାୟତାର କାରଣ ହୋଇ ରହିଛୁ, କ୍ରମେ ସେକଥାଟି ମଧ୍ୟ ଆମର ଆଖିକୁ ଜଳଜଳ ହୋଇ ଦିଶିବାକୁ ଆରମ୍ଭ କରିବ-

 

ଆଧୁନିକ ବିଜ୍ଞାନ ଆସିଗଲେ ଯେ ଅନ୍ଧବିଶ୍ୱାସଗୁଡ଼ାକ ଦୂର ହୋଇଯାଏ, ସେକଥା ମଧ୍ୟ ମୋଟେ ଠିକ୍ ନୁହେଁ । ତଦ୍ୱାରା କେବଳ ପୁରୁଣା ଅନ୍ଧବିଶ୍ୱାସଗୁଡ଼ାକ ଯାଏ; ନୂତନ କେତେ କେତେ ଅନ୍ଧବିଶ୍ୱାସ ଆସି ତାହାର ସ୍ଥାନକୁ ଭରଣା କରେ । ଆଧୁନିକ ମଣିଷମାନେ ଆଧୁନିକ ଅନ୍ଧବିଶ୍ୱାସଗୁଡ଼ାକୁ ପାଟିରେ ବୁଜୁଳା କରି ପୂରାଇ ରଖିଥାନ୍ତି । ଅଶିକ୍ଷିତମାନଙ୍କର ଅନ୍ଧବିଶ୍ୱାସ ପରି ଶିକ୍ଷିତମାନଙ୍କ ଭିତରେ ମଧ୍ୟ କେତେ କେତେ ଅନ୍ଧବିଶ୍ୱାସ ଘରକରି ରହିଥାଏ; ସଭ୍ୟତା ଯେତେ ବଢ଼ିଲେ ବି ମୋଟେ ହଟେନାହିଁ ।

 

ତୋଷାମଦ କରି ବଡ଼ ହେବା ଗୋଟାଏ ଅନ୍ଧବିଶ୍ୱାସ । ତସ୍କରତା କରି ବଡ଼ ହେବା ମଧ୍ୟ ଗୋଟାଏ ଅନ୍ଧବିଶ୍ୱାସ । ଅଧିକ ପାଠ ପଢ଼ିଲେ ଆମର ସାହସ ଯେ ଅଧିକ । ହୁଏ, ଏପରି ଭାବିବା ମଧ୍ୟ ଏକ ଅନ୍ଧବିଶ୍ୱାସ । ଅଧିକ ପାଠ ପଢ଼ିଲେ ମଣିଷପଣିଆ ବଢ଼େ ବୋଲି ବିଶ୍ୱାସ କରିବା ହେଉଛି ସବୁଠାରୁ ବଳି ମାରାତ୍ମକ ଅନ୍ଧବିଶ୍ୱାସ । ହେତୁବାଦୀମାନେ ଆଗ ଏହିସବୁ ଅନ୍ଧବିଶ୍ୱାସ ବିରୁଦ୍ଧରେ ଲଢ଼ନ୍ତୁ । ସେମାନେ ନିଜ ନିଜ ଗଳିଟିକୁ ଆଗେ ସଫା କରନ୍ତୁ । ସହରଗୁଡ଼ାକୁ ଆଗ ଅନ୍ଧବିଶ୍ୱାସରୁ ମୁକ୍ତ କରନ୍ତୁ । ତା ହେଲେ ଗାଆଁ ଗୁଡ଼ାକୁ ମୁକ୍ତ କରିବାରେ ବି ସେମାନେ ଭାରି ସାହାଯ୍ୟ କରିପାରିବେ ।

 

୧୦ । ୦୩ । ୮୧

☆☆☆

 

ଜଗବନ୍ଧୁ ପରି ଜଣେ ସାମନ୍ତ

 

ସେଦିନ ସୂପକାର ଏବଂ ପ୍ରତିହାରୀମାନଙ୍କ ଭିତରେ ଗୋଳ ଲାଗିଲା । ତେଣୁ ଆନୁମାନିକ ପନ୍ଦର ହଜାର ଟଙ୍କାର ଅବଢ଼ା ବଢ଼ାହୋଇ ନପାରି ମନ୍ଦିର ବେଢ଼ାରେ ପୋତା ହେଲା-। ଦେବତାଙ୍କଠାରେ ଯାହା ଲାଗିହୋଇପାରେନାହିଁ, ବିଚରା ମଣିଷଙ୍କ ପାଖରେ ତ ତାହା ଲାଗିହୋଇପାରନ୍ତା । ଭାତକୁ ନଖାଇ ପୋତିଦେବାଟାକୁ ଆମ ଘରମାନଙ୍କରେ ନିଶ୍ଚୟ ଏକ ଅଲକ୍ଷଣା କଥା ବୋଲି କୁହାଯିବ । ଜଗନ୍ନାଥଙ୍କ ପାଇଁ ନିୟମ କରି ଦେଇଥିବା ମନୁଷ୍ୟସାମନ୍ତମାନେ ଲଗା ନ ହୋଇପାରୁଥିବା ଭାତକୁ ମାଟିରେ ପୋତିଦେବାର ବରାଦ କରି କାହିଁକି ଯେ ଏପରି ଏକ ଅଲକ୍ଷଣା କାମର ଦୃଷ୍ଟାନ୍ତ ଦେଖାଇଛନ୍ତି, ଜଗନ୍ନାଥକ୍ଷେତ୍ରରେ ଏପରି ଏକ ପ୍ରଶ୍ନ ପଚାରିବାଟା ମଧ୍ୟ ହୁଏତ ଏକ ଅପରାଧ ବୋଲି ଗଣା ହେଉଥିବ ।

 

ଠାକୁରଙ୍କ ନାମରେ କରାଯାଉଥିଲେ ମଧ୍ୟ ଏହା ଏକ ଅନ୍ୟାୟ । ଭଗବାନଙ୍କ ନାମରେ ଭଗବାନଙ୍କର ନୀତିର ବରାଦ କରୁଥିବା ମଣିଷମାନେ ଅନେକ ସ୍ଥଳରେ ଠିକ୍‍ ଏହିପରି ପାଷଣ୍ଡ ପରି ଆଚରଣ କରିଆସିଛନ୍ତି । ଯେଉଁ ଦେଶରେ ସ୍ଵୟଂ ଜଗନ୍ନାଥ ଠାକୁର ହୋଇ ବିଜେକରିଛନ୍ତି, ସେହି ଦେଶରେ ନିତି ଅଧିକାଂଶ ମଣିଷ ଭୋକିଲା ହୋଇ ରହି ଆସିଛନ୍ତି । ମଣିଷ ଆଉ ଭଗବାନଙ୍କର ମଝିରେ ରହି ଯେଉଁମାନେ ଜଗନ୍ନାଥଙ୍କୁ ଠିକ୍ ଆପଣା ପରି ଜଣେ ସାମନ୍ତ ବୋଲି ଭାବି ଉପରମୁହାଁ ହୋଇ ନିୟମଗୁଡ଼ାକ କରିଛନ୍ତି, ସେମାନେ ଜଗନ୍ନାଥଙ୍କର ମାହାତ୍ମ୍ୟ ଆଦୌ କିଛିହେଲେ ବୁଝିନାହାନ୍ତି ।

 

ଜଗନ୍ନାଥ ସାମନ୍ତ ନୁହନ୍ତି, ଜଗନ୍ନାଥ ଦେବତା । ସିଏ ମଣିଷମାନଙ୍କର ଦେବତା । ମଣିଷର ହୃଦୟରେ ମଧ୍ୟ ବିରାଜମାନ କରୁଥିବା ଦେବତା । ଯାହାକୁ ମଣିଷ ଆହାରରୂପେ ଗ୍ରହଣ କରିପାରିବ, ତାହା ପୋତାହେଉ ବା ଫୋପଡ଼ାହେଉ ବୋଲି ସିଏ କଦାପି ମନ କରିବେ ନାହିଁ । ମଣିଷକୁ ଅଭୁଞ୍ଜା ରଖି କୌଣସି ଠାକୁର କେବେହେଲେ ଭାତ ଫୋପାଡ଼ିବାକୁ ମନକରିବେ ନାହିଁ । ଆମ ଦେଶରେ ଠାକୁରଙ୍କୁ ଶୁଣ୍ଢିସାକ୍ଷୀ ରଖି ସାମନ୍ତମାନେ ମଣିଷମାନଙ୍କୁ ଏହି ପରି ବଡ଼ ନିର୍ମମ ଭାବରେ ଅଖିଆ ରଖିଆସିଛନ୍ତି । ଏହା ଏକ ଅପରାଧ । ଠାକୁରଙ୍କ ନାମରେ କରାଯାଉଥିଲେ ମଧ୍ୟ ଏହା ଅପରାଧ । ଯେଉଁ ସରକାର ନିଜର କର୍ମଚାରୀମାନଙ୍କୁ ଲଗାଇ ଏ କଥାରେ ସହଯୋଗ କରୁଛନ୍ତି, ସିଏ ମଧ୍ୟ ସେହି ଅପରାଧରେ ଅବଶ୍ୟ ଭାଗୀ ହେବେ ।

 

ସାମନ୍ତମାନଙ୍କର ଦିନ ସରିଆସୁଛି । ମଣିଷର ଦିନ ଆସୁଛି । ଏଣିକି ଠାକୁର ଆଉ ସାମନ୍ତମାନଙ୍କର କୋଠିଆ ହୋଇ କଦାପି ରହିବେ ନାହିଁ । ସିଏ ମଣିଷ ପାଖକୁ ମଣିଷର ହୋଇ ଦାଣ୍ଡକୁ ଆସିବେ । ଜଗନ୍ନାଥ ସତକୁ ସତ ଜଗତର ବନ୍ଧୁ ହେବେ ।

 

୧୩ । ୦୩ । ୮୧

☆☆☆

 

ଅର୍ଥହୀନ ଆନ୍ଦୋଳନ

 

କୌଣସି ଆନ୍ଦୋଳନ କଦାପି ଅର୍ଥହୀନ ନୁହେଁ । ଅବଶ୍ୟ ଯେଉଁମାନେ କ୍ଷମତାରେ ଥାଆନ୍ତି ଅର୍ଥାତ୍ ଯେଉଁମାନଙ୍କ ବିରୁଦ୍ଧରେ ଆନ୍ଦୋଳନ କରାଯାଉଥାଏ, ସେମାନେ ସେହି ସବୁ ଆନ୍ଦୋଳନକୁ ଅର୍ଥହୀନ ଆନ୍ଦୋଳନ ବୋଲି କହନ୍ତି । କାରଣ ସେହିସବୁ ଆନ୍ଦୋଳନ ହେଲେ ସେମାନେ ପ୍ରମାଦ ଗଣନ୍ତି ।

 

ବ୍ରିଟିଶ ସରକାରଙ୍କ ଅମଳରେ ଭାରତବର୍ଷରେ ଯେଉଁ ସ୍ଵାଧୀନତା ଆନ୍ଦୋଳନ ହେଉଥିଲା, ବ୍ରିଟିଶ ସରକାରଙ୍କର ବେବର୍ତ୍ତାମାନେ ସେହି ଆନ୍ଦୋଳନକୁ ଅର୍ଥହୀନ ବୋଲି କହୁଥିଲେ । ଦକ୍ଷିଣ ଆଫ୍ରିକାରେ ଏବେ ଗୋରା ସରକାରଙ୍କ ବିରୁଦ୍ଧରେ କଳାମାନଙ୍କର ଯେଉଁ ଆନ୍ଦୋଳନ ହେଉଛି, ତାକୁ ମଧ୍ୟ ସେହି ଦେଶର ଗୋରା ସରକାର ନିଶ୍ଚୟ ଏକ ଅର୍ଥହୀନ ଆନ୍ଦୋଳନ ବୋଲି କହୁଥିବେ । ଯିଏ କ୍ଷମତାରେ ଥାଏ, ତାକୁ ସବୁ ଠିକ୍ ଅଛି ବୋଲି ଅନୁଭବ ହେଉଥାଏ । କାରଣ ସିଏ ଆପଣା ବ୍ୟତୀତ ଆଉ କିଛିହେଲେ ଦେଖିପାରୁନଥାଏ ।

 

ଭାରତବର୍ଷକୁ ମଣିଷଙ୍କର ଏକ ଦେଶ କରି ଗଢ଼ିବାକୁ ଏଠାରେ ଏକାଧିକ ଆନ୍ଦୋଳନର ଆବଶ୍ୟକତା ରହିଛି । ସାମନ୍ତମାନେ ସେଗୁଡ଼ାକୁ ଅର୍ଥହୀନ ବୋଲି କହିଲେ ମଧ୍ୟ ସେଗୁଡ଼ିକର ଆବଶ୍ୟକତା ରହିଛି । ଏହି ଦେଶରେ ମଣିଷ ଯେତିକି ସଚେତନ ହେଉଛି, ସିଏ ସେତିକି ପରିମାଣରେ ଏହି ଦେଶରେ ଜାରି ହୋଇ ରହିଥିବା ଅସନ୍ତୋଷ ଏବଂ ଅସୁନ୍ଦରତାଗୁଡ଼ାକୁ ଆବିଷ୍କାର କରିବାକୁ ସମର୍ଥ ହେଉଛି ଏବଂ ସେଇଥିରୁ ହିଁ ଆନ୍ଦୋଳନ ଜନ୍ମଲାଭ କରୁଛି । ଏ ଦେଶ ଆହୁରି କେତେ ବଦଳିବ; ଏ ସମାଜ ଆହୁରି କେତେ ନା କେତେ ବଦଳିବ । ଶାସକମାନଙ୍କୁ ଏହି ଗୁହାଳ ଯେତେ ଆପଣାର ବୋଲି ମନେହେଉଥିଲେ ହେଁ ଏହି ଗୁହାଳ ତଥାପି ସଫା ହେବ । ଏହି ଅନ୍ଧାରଗୁଡ଼ାକୁ ତଥାପି ଅନ୍ଧାର ବୋଲି ଘୋଷଣା କରାଯିବ ଏବଂ ସେହି ଅନ୍ଧାର ବିରୁଦ୍ଧରେ ଆନ୍ଦୋଳନ ହେବ ।

 

ସମ୍ରାଟମାନେ ମଣିଷ ଦେଖନ୍ତି ନାହିଁ; ସେମାନେ ସାମ୍ରାଜ୍ୟଟାକୁ ହିଁ ଦେଖନ୍ତି । ଅନେକ ସମୟରେ ଆପଣାକୁ ମଧ୍ୟ ମଣିଷ ଭାବରେ ଦେଖିବା ପୂର୍ବରୁ ସେମାନେ ଆଗ ସମ୍ରାଟ ଭାବରେ ଦେଖନ୍ତି । ଚିରଦିନ ପର୍ଯ୍ୟନ୍ତ ଏହି ଆକାଶରେ ସବୁଠାରୁ ବଡ଼ ନକ୍ଷତ୍ର ହୋଇ ଜଳିବାକୁ ଇଚ୍ଛା କରୁଥାନ୍ତି । ସେଇଥିଲାଗି ଆଇନଗୁଡ଼ାକ ଆଦେଶ ଏବଂ ଅଧ୍ୟାଦେଶରେ ପରିଣତ ହୁଏ, ସେଇଥିଲାଗି ବହୁମତକୁ ଆଣି ଦୁଆରେ ଖୁଣ୍ଟରେ ବାନ୍ଧିରଖାଯାଏ । ତଥାପି ଆନ୍ଦୋଳନ ହୁଏ; ତଥାପି ଆଗକୁ ବାଟ ଫିଟ । ଶାସକମାନେ ପଛରେ ରହିଯାଆନ୍ତି; ଦେଶ ଆଗକୁ ଚାଲିଯାଏ । କାଳ ଆଗକ ଚାଲିଯାଏ । ମଣିଷର ବିଜୟ ହୁଏ । କେହି ଅଟକାଇ ପାରନ୍ତି ନାହିଁ ।

 

୧୯ ।୦୩ । ୮୧

☆☆☆

 

ମାଳା ଜପି ହେଲା କ’ଣ ?

 

ଜୀବନଯାକ ମାଳା ଜପି ଜପି ଆଖରକୁ ଯଦି କୌଣସି ବ୍ୟକ୍ତି ମାଳା ଜପି ହେଲା କ’ଣ ବୋଲି ଭାବିବାକୁ ଆରମ୍ଭ କରେ, ତେବେ ତା’ର ଦୁର୍ଭାଗ୍ୟକୁ ଆଉ ତୁଳନା ଦେବାକୁ ପ୍ରକୃତରେ କିଛି ନଥାଏ । କେଉଁଠି କଣ ଗୋଟାଏ ହୋଇଯିବ ବୋଲି ଯିଏ ମାଳା ଜପୁଥାଏ, ବାଟମୁଣ୍ଡକୁ ଆସି ସିଏ ହଠାତ୍ ଆଦୌ କିଛି ହେଲା ନାହିଁ ବୋଲି ଆବିଷ୍କାର କରେ ଓ ଆପଣା ପାଦ ଉପରେ ପ୍ରହାର କରିବାକୁ ମନକରେ । ମାଳା ଜପିବା ନାଆଁରେ ସିଏ ଯେ ପଳାଇଯିବା ବ୍ୟତୀତ ମୋଟେ କିଛି କରିନାହିଁ, ସେହି କଥାଟିକୁ ଅନୁଭବ କରିବା ମାତ୍ରକେ ସିଏ ଯେ କେବଳ ମାଳା ଜପିବାର ଧନ୍ଦାଟାକୁ ନିରର୍ଥକ ବୋଲି ମନେକରେ ତା ନୁହେଁ, ସିଏ ନିଜ ଜୀବନ । ମଧ୍ୟ ଗୋଟା ସୁଦ୍ଧା ବ୍ୟର୍ଥ ହୋଇଗଲା ବୋଲି ଅନୁଭବ କରିବାକୁ ଆରମ୍ଭ କରେ । ସିଏ ଆପଣାକୁ ଘୃଣା କରିବାକୁ ଆରମ୍ଭ କରେ ।

 

ଆମ ଦେଶରେ ଅନେକ ବ୍ୟକ୍ତି ଏକାବେଳକେ ଅନେକ ପ୍ରକାରର ମାଳା ଜପକରନ୍ତି । ରାଜନୀତିର ମାଳା କପକରନ୍ତି, ସାହିତ୍ୟର ମାଳା ଜପକରନ୍ତି, ଦେଶସେବାର ମାଳା କପକରନ୍ତି; ଶେଷକୁ ନିଜ ଦେହରେ ଆଉ ସବୁକିଛିକୁ ଘୋଡ଼ାଇ ରଖିପାରୁଥିବା ମାର୍କାଟାଏ ଲଗାଇବେ ବୋଲି ମନେକରି ଗୁରୁଦୀକ୍ଷା ନିଅନ୍ତି, ଗୁରୁମନ୍ତ୍ର ଗ୍ରହଣ କରନ୍ତି ଏବଂ ମାଳା ଜପନ୍ତି । ଏମାନେ ଗୁରୁଙ୍କୁ ଟପି ଆହୁରି ଅଢ଼େଇ କିଆରି ସେପାଖକୁ ଚାଲିଯାଇଥାନ୍ତି । ତଥାପି ଫେଲ୍ ମାରନ୍ତି, ଜୀବନ ପାଖରେ ପରାଭୂତ ହୋଇ ରହନ୍ତି, ନିଜ ପାଖରେ ସଂଶୟାତ୍ମା ହୋଇ ବିଚରଣ କରୁଥାନ୍ତି ।

 

ଯାହାର ଅସଲ ଶ୍ରଦ୍ଧାଟି ଯେଉଁଠି, ତାର ମାଳା ଜପିବା ବି ଠିକ୍ ସେଇଠି । ଆମର ମାର୍କାଗୁଡ଼ାକରୁ ଆମେ ଯେଉଁ ଗୁରୁଙ୍କର ଦୀକ୍ଷା ଗ୍ରହଣ କରିଛୁ ବୋଲି ଭାଣ କରୁଥାଉ ପଛକେ, ଆମର ଅସଲ ଘରଟି ଠିକ୍ ସେଇଠି । ଭାରତବର୍ଷରେ ମାଳା ଜପିବାର ଏକ ଲମ୍ବା ପରମ୍ପରା ରହିଆସିଛି । ମାଳା ଜପିବା ବିରୁଦ୍ଧରେ ପ୍ରତିବାଦର ମଧ୍ୟ ଏକ ଲମ୍ବା ପରମ୍ପରା ରହିଆସିଛି । ଗୁରୁଙ୍କୁ କାଟି ଓଲଟ ଗୁରୁମାନଙ୍କର ଏକ ପରମ୍ପରା ବି ରହିଆସିଛି । ତଥାପି ସିଦ୍ଧିଗୁଡ଼ାକ ହୁଏତ ସେହି ପରମ୍ପରାଗୁଡ଼ାକ ପାଖରେ ହିଁ ରହିଯାଇଛି । ମଣିଷ ଯେମିତି ଚିତା କାଟୁଥିଲା, ଆଜି ମଧ୍ୟ ପ୍ରାୟ ଠିକ୍‍ ସେମିତି ଚିତା କାଟିବାରେ ଲାଗିଛି—ଗୁରୁମାନେ ବକା ହୋଇ ଅନାଇ ରହିଛନ୍ତି ।

 

ମାଳା ଜପିବାର ଛଳକରି ଏମାନେ ଯଦି ଆପଣା ଭିତରେ ଏତେମନ୍ତେ ବିଭକ୍ତ ହୋଇ ରହିବାକୁ ମନ କରୁନଥାନ୍ତେ, ତେବେ ହୁଏତ ଆମ ସମସ୍ତଙ୍କର ଇଜ୍ଜତ୍ ରହନ୍ତା । ମାଳାଗୁଡ଼ାକର ମଧ୍ୟ ଇଜ୍ଜତ୍ ରହନ୍ତା । ମାଳା ଜପି ହେଲା କଅଣ ବୋଲି ଆଉ ମୋଟେ କହିବାକୁ ପଡ଼ନ୍ତା ନାହିଁ ।

 

୨୩ । ୦୩ । ୮୧

☆☆☆

 

ଆଚାର୍ଯ୍ୟକୁଳରେ ଆଚାର୍ଯ୍ୟ ନାହାନ୍ତି

 

ପ୍ରାଚୀନ ଯୁଗରେ ଶିକ୍ଷକ ବା ଗୁରୁମାନଙ୍କ ଲାଗି ସଂସ୍କୃତରେ ଦୁଇଟା ଶବ୍ଦ ଥିଲା—ଗୋଟିଏ ଆଚାର୍ଯ୍ୟ ଓ ଆରଟି ଉପାଧ୍ୟାୟ । ଯେଉଁମାନେ ଅଧ୍ୟାପନାକୁ ଜୀବନର ବ୍ରତ ଓ ଧର୍ମ ବୋଲି ଗ୍ରହଣ କରୁଥିଲେ ଓ ତାହାକୁ ନିଜ ସାଧନାର ଅଙ୍ଗରୂପେ ସ୍ୱୀକାର କରିନେଉଥିଲେ, ସେମାନଙ୍କୁ ସମସ୍ତେ ଆଚାର୍ଯ୍ୟ ବୋଲି କହୁଥିଲେ । ଅନ୍ୟ ପକ୍ଷରେ ଯେଉଁମାନେ ପାରିଶ୍ରମିକ ନେଇ ପାଠ ପଢ଼ାଉଥିଲେ, ଶାସ୍ତ୍ର ସେମାନଙ୍କୁ ଉପାଧ୍ୟାୟ ରୂପେ ଅଭିହିତ କରୁଥିଲା ।

 

ଏବେ ଖବରକାଗଜ ଜରିଆରେ ଆଚାର୍ଯ୍ୟକୁଳ ଗଢ଼ାଯାଇଛି; ମାତ୍ର ସେଥିରେ କେହି ଜଣେ ହେଲେ ଆଚାର୍ଯ୍ୟ ନାହାନ୍ତି । ପାରିଭାଷିକ ଅର୍ଥରେ ଉପାଧ୍ୟାୟ ଅବଶ୍ୟ ଅଛନ୍ତି; ମାତ୍ର ସେମାନଙ୍କୁ ଉପାଧ୍ୟାୟ ନକହି ଉପାଧିଆ ବୋଲି କହିଲେ ସମ୍ଭବତଃ ଅଧିକ ଯଥାର୍ଥ ହେବ । ସେମାନେ ପାଠ ପଢ଼ି ଉପାଧି ଆଣିଛନ୍ତି । ତେଣୁ ଉପାଧିଆ ହୋଇଛନ୍ତି, ଧନ୍ଦା ବା ବୃତ୍ତି ହିସାବରେ ପାଠ ପଢ଼ାଇବାକୁ ଆଦରିନେଇଛନ୍ତି । ନିଜର ପ୍ରକୃତ ଆଗ୍ରହ ରହିଥିବାରୁ ଯେ ସେମାନେ ଏହି ବୃତ୍ତଟିକୁ ଆଦରିନେଇଛନ୍ତି । ଅଧିକାଂଶ ସ୍ଥଳରେ ଏକଥା ମୋଟେ ଠିକ୍ ନୁହେଁ । ଏମାନଙ୍କୁ ଆଚାର୍ଯ୍ୟକୁଳ ବୋଲି ଧରିଲେ ଆମେ ପ୍ରକୃତରେ ଆଦୌ କୋଉ କୁଳର ବି ହେବା ନାହିଁ ।

 

ଅନେକ ବର୍ଷ ତଳେ ଆଚାର୍ଯ୍ୟ ବିନୋବା ବାଭେ ଆମ ଦେଶରେ ଶିକ୍ଷକମାନଙ୍କୁ ନେଇ ଏକ ଆଚାର୍ଯ୍ୟକୁଳ ଗଢ଼ିବା ବିଷୟରେ, ତାଙ୍କ ଅନୁପ୍ରେରିତମାନଙ୍କୁ ଏକ ପ୍ରସ୍ତାବ ଦେଇଥିଲେ । ତାହାରି ଆଶୀର୍ବାଦରେ ଆଗ ଜାତୀୟ ସ୍ତରରେ ଗୋଟାଏ ଆଚାର୍ଯ୍ୟକୁଳ ଗଢ଼ାହେଲା । ଏସବୁ କାମ କାଗଜପତ୍ରରେ ହେଲା । ଜାତୀୟ ସ୍ତରର ଗୋଟାଏ ବଡ଼ ସମ୍ମିଳନୀ ମଧ୍ୟ ସ୍ଵୟଂ ବିନୋବାଙ୍କ ଉପସ୍ଥିତିରେ ବସିଥିଲା । ତାହା ବକ୍ତୃତାଦ୍ୱାରା ହଳଦୀବୋଳା ହୋଇ କେଡ଼େ ଚମତ୍କାର ବି ଲାଗିଲା-। ଚାରମାନେ ମହୋତ୍ସାହରେ ବିଭିନ୍ନ ରାଜ୍ୟରେ ଏହି କୁଳର ଶାଖାମାନ ଗଢ଼ିଲେ । ବିଲେଇ କପାଳକ ଆମ ଓଡ଼ିଶାରେ ବି ଭାଗ ପଡିଲା । ଯେଉଁମାନଙ୍କର ବଡ଼ ବଡ଼ ଜଟା, ବଡ଼ ବଡ଼ ଶିକା, ଯେଉଁମାନେ ସବୁଠି ଥାଆନ୍ତି ଓ ତଥାପି କୋଉ କୁଳରେ ନଥାନ୍ତି, ସେହିମାନଙ୍କୁ ଧରିଆଣି ସଭା ମଣ୍ଡାଇ ଗୋଟାଏ କୁଳର ସ୍ଥାପନା ହେଲା । ସେହି ସମ୍ବାଦଟି ଖବରକାଗଜରେ ବାହାରିବା ପରେ କୁଳ ବୁଢ଼ା ହୋଇଗଲା, ଗଛଟା ଅଫଳନ୍ତି ହୋଇ ରହିଗଲା ।

 

ଆମେ ଯେଉଁମାନେ ଏହିପରି ଅଫଳନ୍ତି ଗଛଗୁଡ଼ାକର ରୋପଣ କରି ଜୀବନଟାଯାକ ସାରିଦେଲେ, ସେମାନଙ୍କ ଜୀବନରେ କେବେହେଲେ କୌଣସି ଚର୍ଯ୍ୟା ସମ୍ଭବ ହେବନାହିଁ । ଯଥାର୍ଥ ସଂଜ୍ଞା ଅନୁସାରେ ଶିକ୍ଷାରେ ହାତଦେବା ଅର୍ଥ ଏକ ବିପ୍ଳବରେ ହାତଦେବା । କିନ୍ତୁ ଏହି ଉପଦେଶଭାରି ବୁଢ଼ାମାନେ ଆଉ କି ବିପ୍ଳବ କରିବେ ? ତେଣୁ ଆମେ ଅନ୍ୟମାନଙ୍କୁ ନେଇ ଆମର କୁଳ ଗଢ଼ିବା ।

 

୨୬ ।୦୩ । ୮୧

☆☆☆

 

ସାହିତ୍ୟଲାଗି ଘର

 

ଆମ ରାଜ୍ୟରେ ସରକାର ଯେଉଁ ସଂସ୍ଥାଟି ଜରିଆରେ ସାହିତ୍ୟ କରନ୍ତି, ତାହାକୁ ଏକାଡେମୀ ବୋଲି କୁହାଯାଏ । ଆମ ଏକାଡେମୀର ସବୁ ଅଛି; ମାତ୍ର ନିଜର ବୋଲି କହିବାକୁ ଘର ଖଣ୍ଡେ ନାହିଁ । ଏକାଡେମୀ ଯୋଉ ଘରେ ବସୁଛି, ତାହା ଅନ୍ୟ କର୍ତ୍ତାମାନଙ୍କର ଘର । ଏକାଡେମୀ ସେହି ଡିହର ଗୋଟାଏ ଏକଣା ବାରି ଆଡ଼କୁ ଡେରା ପକାଇ କେଳାଙ୍କ ପରି ରହିଛି, କେଳାଙ୍କ ପରି ରାଜୁତି କରୁଛି । ଏଠା ଛାଡ଼ି ଅନ୍ୟତ୍ର ଚାଲିଯିବା ଲାଗି କେତେ ଥର ଆଦେଶ ହେଲାଣି, କେତେ ଝିଙ୍ଗାସ କରାଗଲାଣି; ମାତ୍ର ନିଜର କୌଣସି ଘର ଥିଲେ ସିନା ଏକାଡେମୀ ସେଠାକୁ ଯିବ ?

 

ଆମ ରାଜ୍ୟରେ ହାକିମମାନଙ୍କ ପାଇଁ କଚେରି ଓ ମହକୁମାଗୁଡ଼ାକ ପାଇଁ ଘରର ଆଦୌ କୌଣସି ଅଭାବ ନାହିଁ । ରାଜଧାନୀରେ ତୁଚ୍ଛା ମାଙ୍କଡ଼ାପଥରଗୁଡ଼ାକୁ ଫୁଟାଇ କେତେ ନୂଆ କୋଠାଘର ସତେଅବା କେଡ଼େ ଛନଛନିଆ ଝରଣାଟିଏ ପରି କୁଳୁକୁଳୁ ହୋଇ ବାହାରକୁ ବାହାରିଆସୁଛି ଓ ଆକାଶ ଭିତରକୁ ମାଡ଼ିଯାଉଛି । ମାତ୍ର ସାହିତ୍ୟ ଲାଗି ଘର ନାହିଁ । ସାହିତ୍ୟିକମାନେ ସତେଅବା କେଳା ହୋଇ ବୁଲୁଛନ୍ତି । ଯୋଉଠି ମୁଣ୍ଡ ଗୁଞ୍ଜିବାକୁ ଜଣେ ଥାନ ମିଳୁଛି, ସେମାନେ ସେଠି ସେହି ଗୃହସ୍ଥର ସ୍ଥାବର ସମ୍ପତ୍ତି ହୋଇ ରହିଛନ୍ତି । ଗୋଟାଏ ଗୃହସ୍ଥଠାରୁ ମନ ଛାଡ଼ିଯିବାପରେ ଆଉ ଗୋଟାଏ ଗୃହସ୍ଥ ପାଖରେ ଯାଇ ହାତ ପତାଉଛନ୍ତି, ଆଶ୍ରୟ ମାଗୁଛନ୍ତି ।

 

ଏଡ଼େ ବଡ଼ ଗୋଟାଏ ରାଜ୍ୟରେ ସାହିତ୍ୟ ଲାଗି ଘର ନାହିଁ, କଳା ଲାଗି ଘର ନାହିଁ କି ସଙ୍ଗୀତ ଲାଗି ଘର ନାହିଁ ।

 

ଏମାନେ ବାବୁମାନଙ୍କୁ ଆଶ୍ରା କରି ରହିଛନ୍ତି, ହାକିମମାନଙ୍କୁ ଆଶ୍ରା କରି ରହିଛନ୍ତି । ସଙ୍ଗୀତ ଓ ନୃତ୍ୟର ଗୁରୁମାନେ ସାମନ୍ତାଶ୍ରିତ ହୋଇ ଘୁଙ୍ଗୁର ଲଗାଇ ଫାସିଆ ଗଳାଇ ପୋଷା ହୋଇ ରହିଛନ୍ତି । କଳାକାରମାନେ ଆଗ କୋଉଠି କଳାହୀନମାନଙ୍କ ଗୋଦାମରେ ଚାକିରି କରି ତା’ପରେ ଯାଇ କଳା କରିପାରୁଛନ୍ତି । ସାହିତ୍ୟିକମାନେ ସିଂହାସନଗୋଡ଼ରେ ବନ୍ଧା ହୋଇ ରହିଛନ୍ତି; ଜରୁରୀ ଅବସ୍ଥାବେଳେ ଜରୁରୀ ସାହିତ୍ୟ ଲେଖୁଛନ୍ତି, ରାଜାମାନେ ପାରିଧିକୁ ଆସିଲେ ସେମାନଙ୍କ ପାଖରେ ନିଜର ରୁଚିଲା ଦ୍ରବ୍ୟଗୁଡ଼ିକୁ ନେଇ ଭେଟି ଚଢ଼ାଉଛନ୍ତି, ଜମିଦାରମାନଙ୍କର ଦରବାରରୁ ବରଷକୁ ବରଷ ଖଣ୍ଡୁଆ ଆଉ ଚନ୍ଦ୍ରଝୁମ୍ପା ଆଣି ପିନ୍ଧୁଛନ୍ତି, ସେଇଥିରେ ସତେଅବା ପ୍ରସବର ଆନନ୍ଦ ଅନୁଭବ କରୁଛନ୍ତି ।

 

ସାହିତ୍ୟର ଘରଟିଏ ରହିବ, କଳା ଓ ସଙ୍ଗୀତର ମଧ୍ୟ ଘରଟିଏ ରହିବ; ମାତ୍ର ଏହି ଘର ସରକାର ତିଆରି କରିଦେବେ ନାହିଁ । ସାହିତ୍ୟ ନିଜର ଘର ନିଜେ ତିଆରି କରିବ । ନିଜ ଲାଗି ଘର ଭଳି ଘରଟିଏ ତିଆରି କରିବାକୁ ମନାକଲେ ସିଏ ତାହା ଅବଶ୍ୟ କରି ପାରିବ । ମାତ୍ର ନୋଳି ଓ ଫାସିଆ ପିନ୍ଧି ପିଣ୍ଡା ଉପରେ ସବାବଡ଼ ଖଟୁଲିର ଗୋଡ଼ରେ ବନ୍ଧାହୋଇ ରହିବାକୁ ମନକରୁଥିବା ଚାରଣ-ଚକ୍ରବର୍ତ୍ତୀମାନେ କଦାପି ସାହିତ୍ୟଲାଗି ଘରଟିଏ ତିଆରି କରି ପାରିବେ ନାହିଁ । ସେମାନେ ଯଥାର୍ଥରେ କୌଣସି ଘରର ଯୋଗ୍ୟ ହୋଇ ପାରିବେ ନାହିଁ । ସେମାନେ କେବଳ ଭତ୍ତାର ଯୋଗ୍ୟ ହୋଇ ରହିଥିବେ; କେବଳ ଦୁସ୍ଥ ହୋଇ ରହିଥିବେ ।

 

୨୮ । ୦୩ । ୮୧

☆☆☆

 

ପୁତ୍ର-ପ୍ରୀତି ଆତ୍ମ-ପ୍ରୀତି

 

ଯୋଉମାନେ ସଂସାରରେ ନାନା ବାଟ ଥାଉ ଥାଉ ରାଜନୀତିକୁ ମନକରିଥାନ୍ତି, ରାଜନୀତିରେ ସବାବଡ଼ ପୀଢ଼ିଟି ଉପରେ ଯାଇ ବସିଥାନ୍ତି, ଅର୍ଥାତ୍ ସବୁଠାରୁ ଅଧିକ କ୍ଷମତାକୁ ଗୋଟାସୁଦ୍ଧା ଜାବୁଡ଼ି ରହିଥାନ୍ତି, ସେମାନଙ୍କ ଭିତରେ ଅତିରିକ୍ତ ଭାବରେ ଏକ ଆତ୍ମପ୍ରୀତି ରହିଥାଏ ସତ, ମାତ୍ର ସେମାନଙ୍କ ଭିତରେ ସେମାନଙ୍କୁ ଗୋଟାସୁଦ୍ଧା ଧରାପକାଇଦେବା ଭଳି ଏକ ପୁତ୍ର-ପ୍ରୀତି ମଧ୍ୟ ଯେ ରହିଥାଏ, ତାହା ସମ୍ଭବତଃ ଆମ ଭାରତୀୟ ରକ୍ତସଂସ୍କୃତିର ଏକ ଖାସ୍ ବିଶେଷ ବ୍ୟାପାର ଓ ବିଶେଷ ଲକ୍ଷଣ । ପୁତ୍ର କୁଆଡ଼େ ଏକ ବିଶେଷ ନରକରୁ ବାପକୁ ଉଦ୍ଧାର କରେ ବୋଲି ଭାରତର କୌଣସି ଶାସ୍ତ୍ରରେ ଲେଖା ହୋଇଛି । ମାତ୍ର ବଞ୍ଚି ଥାଉଁ ଥାଉଁ ଯୋଦ୍ଧା ବାପମାନେ ଯେ ନିଜ ପୁଅ ପାଇ ଏକ ମଜବୁତ ଆସ୍ଥାନର ବରାଦ କରିଦେଇ ବିଚରା ପୁଅମାନଙ୍କୁ ଭବିଷ୍ୟର ଯାବତୀୟ ଅନିଶ୍ଚୟତାର ଅନ୍ଧାର ମଧ୍ୟରୁ ଉଦ୍ଧାର କରି କୌଣସି ଏକ ଥଳ ଉପରେ ବସାଇ ଦେଇଯାଆନ୍ତି, ତାହା ଆମ ଦେଶର ରାଜନୀତିରେ ଏକ ନବ୍ୟ ନ୍ୟାୟ ପରି ଏବେ ଦେଖାଦେଇଛି ।

 

ଏହି ବ୍ୟଭିଚାରରେ କାଶ୍ମୀରର ଶେଖ ଅବଦୁଲ୍ଲା ହେଉଛନ୍ତି ଅନ୍ୟତମ ଅଭିନେତା, ଅନ୍ୟତମ ଯୋଦ୍ଧା । ସିଏ ବି ଆପଣାର ପୁଅ ଲାଗି ଘର, ବାରି, ଦୁଆର ଓ ଦାଣ୍ଡଗୁଡ଼ାକୁ ଆଗରୁ ଲେପାଇଦେଇ ଯିବାକୁ ଚାହାନ୍ତି । ହୁଏତ ଏପରି କରି ସିଏ ଆପଣାର ପୁଅଟି ଜରିଆରେ ଆଉ କିଛିଦିନ ସତେଅବା ଏକ ଜାଗ୍ରତ ଭୂତ ହୋଇ ବଞ୍ଚିରହିବାକୁ ଚାହାନ୍ତି । ମାତ୍ର ଗୋଟିଏ ଦେଶର ଭବିଷ୍ୟ ନିୟତି ଉପରେ ଓ ରାଜନୀତିର ଭବିଷ୍ୟ ଗତିଟି ଉପରେ ତାଙ୍କର ଯେ ପ୍ରକୃତରେ କେତେ କମ୍ ବିଶ୍ୱାସ ହୁଏତ ସବୁଦିନ ରହିଥିଲା, ସେକଥା ସମସ୍ତଙ୍କ ଆଗରେ ଭାରି ସ୍ପଷ୍ଟ ହୋଇଯାଉଥିବ । ଶେଖ୍ ଅବଦୁଲ୍ଲା ଓ ତାଙ୍କ କାଟର ଆଉ ଅନ୍ୟମାନେ ଭାରତୀୟ ରାଜନୀତିରେ ଏପରି ଗୋଟିଏ ଗୋଷ୍ଠୀର ପ୍ରତୀକ ହୋଇ ରହିଛନ୍ତି, ଯେଉଁମାନେ କି ଦେଶର ଆଳରେ ସବୁ କଥାରେ ଆଗ ଆପଣାକୁ ଚାହିଁଛନ୍ତି, ମରିବାକୁ ଭାରି ଡରିଛନ୍ତି ଓ ଅତି ଛୁଆଙ୍କ ପରି ପୁଅର ଭରସାରେ ଅମର ହୋଇ ରହିବାକୁ ଇଚ୍ଛାକରିଛନ୍ତି ।

 

ମଣିଷ ନିଜ ଜୀବନରେ ଛୁଇଁପାରିଲା ପରି କିଛି ଅର୍ଜନ କରି ପାରିନଥିଲେ ତାହାର ଏହିପରି ଦଶା ହୋଇଥାଏ । ଏବଂ, ଏପରି ମହାନ ବାପାମାନଙ୍କର ପୁଅମାନେ ପ୍ରକୃତରେ କେଡ଼େ ଭାଗ୍ୟହୀନ । ସେମାନେ ଜୀବନରେ କିଛି ଲାଗି ଯୁଝିବେ ନାହିଁ, କିଛି ହେବାକୁ ମନ କରିବେ ନାହିଁ । ତାଙ୍କ ଲାଗି ହାଣ୍ଡିଗୁଡ଼ାକ ଆଗରୁ ଥୁଆ ହୋଇ ରହିଥିବ । ସେମାନେ ସେଗୁଡ଼ାକ ଭୋଗକରିବେ ଓ ସୁରୁଖୁରୁରେ ମରିବେ । ସେମାନେ ନିଜେ କିଛି ହାସଲ କରିଥିଲେ ବା କୌଣସି ବାଟ ଚାଲିଥିଲେ ବୋଲି କୋଉଠି ହେଲେ ଲେଖା ହୋଇ ରହିବ ନାହିଁ । ଭାରତୀୟ ରାଜନୀତି ଏହିପରି ଗୁଡ଼ାଏ ଅଯୋଗ୍ୟ ଓ ଅଣ୍ଟା ନଥିବା ଗେହ୍ଲାଙ୍କୁ ଯେ ତିଆରି କରିବାରେ ସାହାଯ୍ୟ କରୁଛି, ତାହା ଆମ ସମଗ୍ର ଘରଟି ଲାଗି ମଧ୍ୟ ଏକ ଅପବାଦ ନୁହେଁ କି ?

 

୩୧ । ୦୩ । ୮୧

☆☆☆

 

ରାଜା ଓ ଶୂଦ୍ରମୁନି

 

ପ୍ରାୟ ପାଞ୍ଚଶହ ବର୍ଷ ତଳେ ମହାଭାରତର ଉପନ୍ୟାସକାର ସାରଳାଦାସ ନିଜକୁ ଶୂଦ୍ରମୁନି ବୋଲି ଘୋଷଣା କରିଥିଲେ । ସେତେବେଳେ ଓଡ଼ିଶାରେ କପିଳେନ୍ଦ୍ର ଦେବ ରାଜତ୍ଵ କରୁଥିଲେ । କପିଳେନ୍ଦ୍ର ଦେବ ସୂର୍ଯ୍ୟବଂଶୀ ଥିଲେ; ମହାପ୍ରତାପୀ ଥିଲେ । ମାତ୍ର ସିଏ ଯେ କେବେ ସାରଳାଦାସଙ୍କୁ ସଙ୍ଖାଳିବା ପାଇଁ ଅଭିନବ-ବାରାଣସୀ କଟକରୁ ସଗହଣ ତାଙ୍କଯାଏ ଯାଇଥିଲେ, ଆମ ଇତିହାସରେ ତାହାର କୌଣସି ଉଲ୍ଲେଖ ନାହିଁ ।

 

ଏବେ ସାରଳାଦାସଙ୍କର ଦିନଟିକୁ ସହରରେ ଜୟନ୍ତୀ ବୋଲି କୁହାଯାଉଛି । ସେଦିନ ସହରରୁ ରାଜାମାନେ ଧୂମଶକଟରେ ବସି କବିଙ୍କର ଗ୍ରାମପୀଠକୁ ଯାଉଛନ୍ତି, ସଭା କରୁଛନ୍ତି, କଥାରେ ମାଟି ଗାଳୁଛନ୍ତି ଓ ସେହି ମାଟିରୁ ଚଣ୍ଡ କାଢ଼ି ସହରରେ ଖବରକାଗକମାନଙ୍କୁ ଆଣି ଦେଉଛନ୍ତି । ସାରଳାଦାସ କବି ଥିଲେ, ଯଥାର୍ଥରେ ମୁନି ଥିଲେ; ସିଏ ଜାତିଗତ ଭାବରେ ମୋଟେ ଶୂଦ୍ର ନଥିଲେ । ତଥାପି ଆପଣାକୁ ଶୂଦ୍ରମୁନି ବୋଲି ପରିଚିତ କରାଇଥିଲେ । ଏବେ ତାଙ୍କୁ ଶଙ୍ଖୋଳି ଆସିବା ଲାଗି ଗହଳ ଲଗାଇ ଯାଉଥିବା ରାଜାମାନେ କେବେହେଲେ ମୁନି ହେବାକୁ ମଙ୍ଗିବେ ନାହିଁ । ସେମାନେ ହାତୀ ପରି ମଲେ ମଧ୍ୟ ତଥାପି ଲକ୍ଷେ ଟଙ୍କାର ରାଜା ହୋଇ ରହିବାକୁ ଅବଶ୍ୟ ମନକରିବେ ଏବଂ ହୁଏତ ଶୂଦ୍ର ଘରେ ଜନ୍ମ ହୋଇଥିଲେ ମଧ୍ୟ ଓ ନାନା ଶୂଦ୍ର ପଦବୀରେ ରାଜଭାଗ ନେଉଥିଲେ ମଧ୍ୟ ସେମାନେ କଦାପି ଆପଣାକୁ ଶୂଦ୍ର ବୋଲି କହିବେ ନାହିଁ । ସେମାନେ ନିଜକୁ ବ୍ରାହ୍ମଣ ବୋଲି ଦେଖାଇହେବେ, ମହାବଳୀ ବୋଲି ଦେଖାଇହେବେ । ଅସଲ ବ୍ରାହ୍ମଣ ହେଲେ ଯାଇ ଆପଣାକୁ ଶୂଦ୍ର ବୋଲି ଘୋଷଣାକରିବାକୁ ବି ଯଥାର୍ଥ ସାହସ । ଆସିଥାଏ । କବି ସାରଳା ଦାସଙ୍କର ସେହି ସାହସ ଥିଲା । ଆମ ରାଜାମାନେ କେବଳ ରାଜା ହୋଇ ହିଁ ରହିବେ, ଶିଙ୍ଗଗୁଡ଼ାକୁ ଠିକ୍ ରାଜାଙ୍କ ପରି ଉପରକୁ କରି ରଖିଥିବେ ।

 

ରାଜାମାନେ ଶୂଦ୍ରମୁନିଙ୍କୁ ଶଙ୍ଖାଳିବାକୁ ଗଲାବେଳେ ମଧ୍ୟ ଗୋଟାସୁଦ୍ଧା ରାଜଦର୍ପରେ ଯାଆନ୍ତି, ମର୍ଦ୍ଦରାଜ ହୋଇ ଯାଆନ୍ତି । ସେମାନଙ୍କୁ ପାଇ ମଣ୍ଡଣିଗୁଡ଼ାକ କୃତକୃତ୍ୟ ହୁଏ । କବି କୁଆଡ଼େ ଭୁଲିହୋଇଯାଆନ୍ତି; ଅଥବା, କବି ନାଲି ଗାଲିଚା ହୋଇ ତଳେ ପଡିଥାନ୍ତି ଓ ରାଜାମାନେ ତାହାରି ଉପର ଦେଇ ସଭାକୁ ଯାଆନ୍ତି । ଭାଷଣ ଦିଅନ୍ତି, ଦୟାର କଥା କହନ୍ତି; ରାଜ୍ୟରେ କବିମାନଙ୍କର ଯେ କେତେ ଆଦର କରାଯାଉଛି, ସେମାନଙ୍କୁ ଘେରି ବସିଥିବା ମଳୁମାନଙ୍କୁ ସେହି କଥା ଶୁଣାଇ କେତେ ଆଶାର ସଞ୍ଚାର କରାନ୍ତି । ଜାତିର ସବୁଯାକ ପୁରୁଷ ଏକାବେଳକେ ପାଣି ପାଇଗଲା ପରି ମନେହୁଏ । ମୁହୂର୍ତ୍ତକର ପୁଲକରେ ଆମ ଦେଉଳବେଢ଼ାରେ ଆସି ପଶିଥିବା ଅଲକ୍ଷଣା ମାନଙ୍କୁ ଭୁଲିହୋଇଯାଏ । ଜୟନ୍ତୀ ଯାଏ; ଜୟନ୍ତୀ ଆସେ ।

 

ଶୂଦ୍ରମୁନି ଆଗ ମୁନି । ଶୂଦ୍ର ମୁନି ଆଗ ଶୁଦ୍ର । ସିଏ ସାଧକ । ସିଏ ଅନେକ ଅନାଚରଣକୁ ଅବଜ୍ଞା କରିଥିବା ଜଣେ ସାଧକ । ସିଏ କୌଣସି ରାଜାର ନୁହନ୍ତି । କୌଣସି କଟକର ନୁହନ୍ତି । ତାଙ୍କ ସହିତ ହୃଦୟର ଭୂମିରେ ଯେଉଁମାନଙ୍କର ନାଡ଼ ଲାଗିରହିଛି, ସିଏ କେବଳ ସେହିମାନଙ୍କର ।

 

୦୪ । ୦୪ । ୮୧

☆☆☆

 

ଏଇଟା କାହା ଯୁଗ ?

 

ଆଗେ ମଙ୍ଗରାଜମାନେ ଥିଲେ; ସାରିଆ, ଭଗିଆ ବି ଥିଲେ । କିନ୍ତୁ ଯୁଗଟା ମଙ୍ଗରାଜମାନଙ୍କ ହାତରେ ରହିଥିଲା । ସାରିଆ ଆଉ ଭଗିଆ ବୋକା ହୋଇ କାନ୍ଦୁଥିଲେ; ମଙ୍ଗରାଜମାନେ ମାରିନେଉଥିଲେ । କାଳ କୁମ୍ଭୀର କିମ୍ବା ବାଘ ହୋଇ ନ ଆସିବା ପର୍ଯ୍ୟନ୍ତ ପୂର୍ଣ୍ଣ ପରାକ୍ରମରେ ମଣିଷ ଉପରେ ଉପଦ୍ରବ କରିବାରେ ଲାଗିଥିଲେ । ଏବେ ମଙ୍ଗରାଜମାନେ ନାହାନ୍ତି-। କିନ୍ତୁ ସାରିଆ ଭଗିଆ କାହାନ୍ତି ? ଏ ଯୁଗଟା ବି କାହା ହାତରେ ଅଛି ? ଦେଶ କୋ ଉଦିନୁ ସ୍ଵାଧୀନ ହୋଇସାରିଲାଣି ।

 

ସାରିଆ ଆଉ ଭଗିଆଙ୍କ ଗାଆଁରେ ଯେଉଁମାନେ ବୁଦ୍ଧିଆ ଓ ସିଆଣିଆ ହୋଇ ରହିଥିଲେ, ସେମାନେ ଗାଆଁରୁ ମୁକାମ ନେଇ ସହରଯାଏ ଆସିଲେଣି, ଲୋକପ୍ରତିନିଧି ବୋଲାଇ କେତେପ୍ରକାରେ ଆସନସ୍ଥ ହେଲେଣି । ସେମାନେ ସମସ୍ତେ ମଙ୍ଗରାଜମାନଙ୍କ ପରି ହେବାପାଇଁ ମନ କରି ସହରକୁ ଆସିଛନ୍ତି । ସେମାନଙ୍କର ଶତ୍ରୁ ପୁରୁଣା ମଙ୍ଗରାଜମାନେ କୁଆଡ଼େ ମରିଉଡ଼ି ଗଲେଣି । ସେମାନଙ୍କ ଘରୁ ହୁଏତ ରୁଅ ବାଉଁଶ ଖସିଗଲାଣି । ମାତ୍ର ସିଆଣିଆ ଭାଇଗ ଆଉ ଭଗିଆମାନେ ପୂର୍ଣ୍ଣ ଅନୁକରଣରେ ମଙ୍ଗରାଜମାନଙ୍କ ପରି ହେବାରେ ଲାଗିପଡ଼ିଛନ୍ତି । ସେମାନେ ମଙ୍ଗରାଜ-ମହଲର ସବୁଯାକ ଚତୁରପଣ ଶିଖିସାରିଲେଣି । ଆଗେ କେବଳ ବଡ଼ମାନେ ଠକୁଥିଲେ, ବଡ଼ମାନେ ଚୋରିକରୁଥିଲେ, ବଡ଼ମାନେ ଧର୍ମ କରୁଥିଲେ, ସମାଜଟାକୁ ଶୃଙ୍ଖଳାରେ ରଖିଥିଲେ । ଏବେ ବଡ଼ମାନଙ୍କ ପରି ହେବାକୁ ମନ କରୁଥିବା ସାନମାନେ ବି ଠକିଲେଣି, ଚୋରି କଲେଣି ଏବଂ ଅନାଚାରଗୁଡ଼ାକ ସାର୍ବଜନୀନ ହୋଇ କ୍ରମେ ଧର୍ମରେ ପରିଣତ ହୋଇଗଲାଣି । ଉପରୁ ତଳଯାଏ ସମସ୍ତେ ସେହି ନୂତନ ଧର୍ମରେ ଦୀକ୍ଷିତ ହୋଇସାରିଲେଣି । ଖଣ୍ଡିଆମାନଙ୍କ ସହିତ ଗୋଠଯାକ ବି ମାତିଲେଣି । ସାନ ବଡ଼ ସବୁରି ଘରୁ ଉଚ୍ଚାକାଂକ୍ଷୀମାନେ ହାତରେ ଛୁରୀ ଧରି ଧୂରନ୍ଧର ହୋଇ ଶୀଘ୍ରାତିଶୀଘ୍ର ମଙ୍ଗରାଜ ହେବେ ବୋଲି ମନକରି ରାସ୍ତାକୁ ବାହାରିଲେଣି । ଯୁଗ ଛାନିଆ ହୋଇ ଲଟାରେ ପଶିଛି ।

 

ଏ ଯୁଗଟା ବି ପାରହୋଇଯିବ । ସାରିଆ ଆଉ ଭଗିଆଙ୍କ ଭିତରୁ ଯୋଉଁମାନେ ମଙ୍ଗରାଜମାନଙ୍କ ପରି ହେବାକୁ ମନକରି ମଙ୍ଗରାଜମାନଙ୍କ ଲଢ଼ିବାକୁ ବାହାରିବେ ନାହିଁ, ଯେଉଁମାନେ ଶତ୍ରୁ ସହିତ ଯୁଝିବେ ବୋଲି ଗୋଟାସୁଦ୍ଧା ଶତ୍ରୁ ପରି ସିଆଣିଆପାଗଲ ହେବାକୁ ମୋଟେ ମନ କରିବେ ନାହିଁ—ସେହିମାନେ ଆଗାମୀ ଯୁଗ ଲାଗି ବିହନ ହୋଇ ରହିବେ । ଅମଣିଷମାନଙ୍କ ସହିତ ଲଢ଼ିବାପାଇଁ ଅମଣିଷ ନୁହେଁ, ମଣିଷ ହେବାକୁ ହୁଏ । ଗାଆଁକୁ ସୁନ୍ଦର ଓ ସମ୍ପନ୍ନ କରି ଗଢ଼ିବାକୁ ହେଲେ ସହରର ଛତରା କୌଶଳଗୁଡ଼ାକୁ ଶିଖି ଗାଆଁରେ ପାଷଣ୍ଡ ହେବାକୁ ପଡ଼େନାହିଁ । ଆମ ଭିତରୁ ଯେଉଁମାନେ ସବାଆଗ ଏହି ଅସଲ କଥାଟିରୁ ବୁଝିବେ, ମେରୁଦଣ୍ଡଗୁଡ଼ାକୁ ସବାଆଗ ନିଜ ଭିତରେ ଅନୁଭବ କରିବେ, ସେହିମାନେ ହିଁ ପ୍ରକୃତ ବିହନ ହୋଇ ରହିବେ । ସେମାନେ ଯୁଗକୁ ବଦଳାଇବେ, ନୂଆ ଯୁଗ ତିଆରି କରିବେ । ଯୁଗ ମଣିଷ ମାତ୍ରକେ ସମସ୍ତଙ୍କର ହୋଇ ରହିବ ।

 

୧୦ । ୦୪ । ୮୧

☆☆☆

 

ପୁଅ କହୁଛି...

 

ପୁଅ କହୁଛି, ସିଏ ଆଉ କିଛି ହେବନାହିଁ, ଅମିତାଭ ବଚନ ହେବ । ଆଉକିଛି ହେବାରେ ମୋଟେ କିଛି ଲାଭ ନାହିଁ ବୋଲି ସିଏ କହୁଛି । ହିସାବଗୁଡ଼ାକୁ ସିଏ ମୁହେଁ ମୁହେଁ ପଇଟାଇ ରଖିଛି । ଜଣେ ଡାକ୍ତର ବା ଇଞ୍ଜିନିୟର ହେଲେ ସିଏ ଯେତିକି ଟଙ୍କା କମାନ୍ତା, ଅମିତାଭ ବଚନ ହୋଇପାରିଲେ ତା'ଠାରୁ ଯଥେଷ୍ଟ ଅଧିକ କମାଇ ପାରିବ । ପୁନଶ୍ଚ, ଡାକ୍ତର ବା ଇଞ୍ଜିନିୟର ପରି କାହାର ଅଧୀନ ହୋଇ ରହିବାକୁ ପଡ଼ିବ ନାହିଁ ବା ଏତେ ଅଧିକ ଖଟିବାକୁ ବି ପଡ଼ିବନାହିଁ । ଏହିପରି ମନସ୍ଥ କରି ପୁଅ ପାଠପଢ଼ା ନସରୁଣୁ ମଧ୍ୟ ତା’ର ସାଧନା ଆରମ୍ଭ କରିଦେଲାଣି । ଅମିତାଭ ବଚ୍ଚନଙ୍କୁ ପାଇବା ବୋଲି ତପସ୍ୟାରେ ବସିଗଲାଣି ।

 

ଅମିତାଭ ବଚନ ଅଧିକ ଟଙ୍କା କମାଇବାକୁ ଅଭିନେତା ହେବାକୁ ଠିକ୍ କରିଥିଲେ ଅଥବା ଅଭିନେତା ହେବାକୁ ମନକରି ଅଭିନେତା ହୋଇଥିଲେ, ସେକଥା ତାଙ୍କୁ ପଚାରିଲେ ଜଣାପଡ଼ିବ । ମାତ୍ର ପୁଅ ଅଧିକ ଟଙ୍କା ଚାହେଁ, ସହଜରେ ଅଧିକ ଟଙ୍କା ଚାହେଁ, ସହଜରେ ବଡ଼ ହୋଇ ସହଜରେ ନାଆଁ କରିବାକୁ ଚାହେଁ । ଇଏ ଗୋଟାଏ ଏକାବେଳକେ ଅଲଗା ରୀତି; ବାଟ ନଚାଲି ପହଞ୍ଚି ଯିବାର ରୀତି, ଭଲ ନପାଇ ବାହାହୋଇ ପଡ଼ିବାର ରୀତି । ଏହି ରୀତିରେ ଅନେକ ମଣିଷ ଅଧ୍ୟାପକ ହୋଇଯିବା ମାତ୍ରକେ ହିଁ ପଣ୍ଡିତ ହୋଇଯିବେ ବୋଲି ଧରିନେଇଥାନ୍ତି, ବଳଦ ହେବା ମାତ୍ରକେ ହିଁ ସେମାନଙ୍କ ମୁଣ୍ଡରେ ବଳେ ଶିଙ୍ଗ ଉଠିଯିବ ବୋଲି ଶରଧା ରଖିଥାନ୍ତି ।

 

ମୋ’ ପୁଅ ମୋ’ରି ପରି ହେଉ ବୋଲି ମୁଁ ଆପଣା ମନ ଭିତରେ କେତେ ସ୍ୱପ୍ନ ଦେଖି ଆସିଥିଲି । ପୁଅ ମୋତେ ପ୍ରତ୍ୟାଖ୍ୟାନ କରି ଅମିତାଭ ବଚନ ପରି ହେବାକୁ ମନସ୍ଥ କଲା । ହୁଏତ ମୋତେ ପ୍ରତ୍ୟାଖ୍ୟାନ କରିବାକୁ ହିଁ ଅମିତାଭ ବଚନଙ୍କୁ ଆଦରିଲା । ହଁ, ସମ୍ଭବତଃ ଆପଣାକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିବ ବୋଲି ସିଏ ଆପଣା ପାଖରୁ ଲୁଚି ପଳାଇ ବଜାର ଭିତରେ ସବାଆଗ ଯାହାକୁ ଦେଖିଲା ତାକୁ ଆଦରିନେଲା

 

ଅବଶ୍ୟ ଏକଥା ବି ସତ ଯେ ପୁଅ ବଡ଼ ହୋଇ କେବେହେଲେ ଅମିତାଭ ବଚନ ହେବନାହିଁ । ସେ ହେଉ ହେଉ ହୁଏତ ଆଉ କ’ଣ ହୋଇଯିବ; ଯାହା ହେବାକୁ ମନ କରିଥିଲା, ତାହା ହୋଇ ପାରିଲା ନାହିଁ ବୋଲି ଜୀବନଯାକ ଭାରି ସନ୍ତାପିତ ହେବ । ଅମିତାଭ ବଚନକୁ ଝୁରୁଥିବ । ତେଣେ ନିଜ ପଥରଟିକୁ ମୁଣ୍ଡଉପରେ ମୁଣ୍ଡାଇ କରି ଠିଆ ହୋଇଥିବ । ସେହି ପଥରଟାକୁ ଅଭିଶାପ ଦେବାରେ ଲାଗିଥିବ । ଡାକ୍ତର ହୋଇଥିବ, ତଥାପି ଡାକ୍ତର ହେବ ବୋଲି ନିଜକୁ ଅଭିଶାପ ଦେଉଥିବ । କେତେ ଦେଉଳ ଭିତରେ ପ୍ରାୟ ଅଣନିଃଶ୍ୱାସୀ ହୋଇ ପ୍ରବେଶ କରୁଥିବ, ତଥାପି ନିଜର ଖୋଜିଲା ଦିଅଁଟାକୁ ଛାଡ଼ି ଆସିଥିବା ପରି ସମ୍ମୁଖରେ ବସିଥିବା ଦିଅଁକୁ ଅଭିଶାପ ଦେଉଥିବ । ମାଠିଆରୁ ଚାଉଳ ସରିଆସୁଥିବା ପରି ମୁହଁଟାକୁ ସବୁବେଳେ ଭଣଭଣ କରି ରଖିଥିବ ଏବଂ କେବେ ମୋ’ର ପୁଅ ହୋଇ ଜନ୍ମ ହୋଇଥିଲା ବୋଲି ମନେ ପକାଇବାକୁ ତା’ପାଖରେ ମୋଟେ ବେଳ ବି ନଥିବ ।

 

୧୮ । ୦୪ । ୮୧

☆☆☆

 

ମୁଁ ଯିବି କେମିତି ?

 

ଯୋଉଠି ସାହିତ୍ୟ ସମ୍ମିଳନୀ ହେଉଥିଲା, ସେହି ଜାଗାଟା ରାଜଧାନୀଠାରୁ ଅନେକ ଦୂର, ତଥାପି ସମ୍ମିଳନୀ ଯେଉଁଠି ହେଉ ପଛକେ, ସଭାପତିଙ୍କୁ ତ ସେଠାକୁ । ଯେମିତି ହେଲେ ଯିବାକୁ ହେବ । ତା’ ନହେଲେ ସମ୍ମିଳନୀକୁ ମାନିବ କିପରି ? ତେଣୁ ଅଧସ୍ତନ ସରବରାକାରମାନେ କାର୍ଯ୍ୟକ୍ରମଟିଏ ପ୍ରସ୍ତୁତ କରି ସବାଆଗ ସଭାପତିଙ୍କ ଘରକୁ ଗଲେ । ସଭାପତି ମଉନ ହୋଇ ସବୁଟି ଉପରେ ଆଖି ପକାଇନେଲେ ଏବଂ ଆଖି ପକାଇ ନେବାପରେ କ୍ଷଣକ ଲାଗି ପୁଣି ମଉନ ରହିଲେ । ତାପରେ ଗମ୍ଭୀର ହୋଇ କହିଲେ, ହେଲା ଯେ, କିନ୍ତୁ ମୁଁ ଯିବି କେମିତି ?

 

ରାଜଧାନୀରୁ ପଚାଶ କି ଷାଠିଏ ମଣିଷ ଯାଉଛନ୍ତି । ଶଗଡ଼େ କାଗଜପତ୍ର ବି ଯାଉଛି । ସେମାନେ ଯେମିତି ଯିବେ, ସଭାପତି ବି ଠିକ୍ ସେମିତି ଯିବେ । ସରକାରୀ ବସ୍ ଭଡ଼ାରେ ନିଆଯିବ, ତାହାରି ଭିତରେ ସମସ୍ତେ ଏକା ମୁଥକେ ଯିବେ, ଏକାମୁଥକେ ଫେରିବେ । ସାଆନ୍ତଙ୍କୁ ସେକଥା ଜଣାଥିଲା । ସିଏ ସେଇଥିଲାଗି ମୁଁ ଯିବି କେମିତି ବୋଲି ପଚାରିଲେ । ତାଙ୍କୁ ମନାଇବାକୁ ଯାଇଥିବା କର୍ମକର୍ତ୍ତା କହିଲେ, ନାଇଁ ସାର, ଆପଣ ବସରେ ଯିବେ ନାହିଁ । ବସରେ ଆମେ ସମସ୍ତେ ଯିବୁ । ଅନ୍ୟମାନେ ବି ଯିବେ । କିନ୍ତୁ ବିଶିଷ୍ଟ ଅତିଥିମାନଙ୍କ ସହିତ ଆପଣ ଟ୍ୟାକ୍‌ସିରେ ଯିବେ । ଟ୍ୟାକ୍‌ସିରେ ଆସିବେ । କିଛି ଅସୁବିଧା ହେବନାହିଁ । ଅଧିକ ଶୀଘ୍ର ପହଞ୍ଚି ପାରିବେ ।

 

ସଭାପତି ତଥାପି ଅମଙ୍ଗିଲାପରି ମୁହଁ କଲେ । ଆଖିକୁ ଆହୁରି ଛୋଟିଆ ଓ ଆହୁରି ତେରେଛା କରିଦେଇ କହିଲେ, ନାଇଁ, କାହାସାଙ୍ଗରେ ଏକାଠି ଗଲେ ମୋତେ ମୋଟେ ଭଲଲାଗିବ ନାହିଁ । ମୋପାଇଁ ଏକୁଟିଆ ଯିବାର ବ୍ୟବସ୍ଥା ହୋଇପାରିଲେ ମୁଁ ଯିବି । ଏ କଥାଟିର ବିଶଦ ଅର୍ଥ ହେଉଛି ଯେ, ସଭାପତି ବଡ଼ିଭୋରରୁ ଗୋଟାଏ ଗାଡ଼ିରେ ଏକୁଟିଆ ବସି ପ୍ରସ୍ଥାନ କରିବେ ଓ ଦିନଯାକର ପୁରୋଧାପଦ ତୁଲାଇ ପୁନର୍ବାର ଏକୁଟିଆ ତାଙ୍କର ବାସଭବନକୁ ପ୍ରତ୍ୟାବର୍ତ୍ତନ କରିବେ । ପୁଣି ପରଦିନ କାଉ ରାବିଲା ବେଳକୁ ଘରୁ ବାହାରିବେ । ଏହିପରି ତିନିଦିନଯାକ ଛଅମୁଥା ଯିବାଆସିବା ହେବ । ତେବେଯାଇ ହେବ ।

 

ଶେଷକୁ ହୁଏତ ମଝିମଝିଆ କୋଉଠି ହେଲେ ଦରଦାମ୍ ଛିଡ଼ିଥିବ ଏବଂ ସଭାପତି ଯାଇଥିବେ । ଆମ ଗରିବ ଓଡ଼ିଶାରେ ଏମିତି ପୁଞ୍ଜାଏ ଦି’ପୁଞ୍ଜ ସାହିତ୍ୟିକ ବା ସଭାପତି ରହିଲେ ସାହିତ୍ୟ ପ୍ରକୃତରେ ଭାରି ନାକେଦମ୍ ହୋଇ ଯାଆନ୍ତା । ମଣିଷ ପ୍ରତି ଶରଧା ବଢ଼ିଲେ କୁଆଡ଼େ ସାହିତ୍ୟିକ ହେବାକୁ ମନ ହୁଏ । ଏବେ ସାହିତ୍ୟିକମାନେ ବୟସରେ ଓ ବହପରେ ଯେତେ ବଡ଼ ହେଉଛନ୍ତି, ଇତର ମଣିଷଗୁଡ଼ାକ ତାଙ୍କୁ ବୋଧହୁଏ ସେତିକି ଅଧିକ ଗନ୍ଧାଉଛନ୍ତି । ଅନ୍ୟ ସାହିତ୍ୟିକମାନେ ଇତର ପରି ଲାଗୁଛନ୍ତି । ସଉତୁଣୀପରି ଲାଗୁଛନ୍ତି । ସେମାନଙ୍କ ସହିତ ଏକା ସାଙ୍ଗରେ କୋଉଠି ବସିଥିବାବେଳେ ସେମାନଙ୍କର ନିଶଗୁଡ଼ାକ ଆପଣାର ନିଶଟାଠାରୁ ତଥାପି ବଡ଼ ହୋଇ ଦିଶୁଛି । ଆଗେ ସାମନ୍ତମାନେ ଯେମିତି ଥିଲେ, ଏବେ ମଧ୍ୟ ପ୍ରାୟ ସେମିତି ହୋଇ ରହିଛନ୍ତି । ସାହିତ୍ୟର ପଂକ୍ତିରେ ମଧ୍ୟ ସେମାନେ ମନେ ମନେ ଅଲଗା ପତରରେ ଖାଉଛନ୍ତି ଓ ଅଲଗା ଗୋହରିରେ ହଗୁଛନ୍ତି । ତେଣେ ଯାବତୀୟ ସାହିତ୍ୟକୁ ସମ୍ଭବ କରୁଥିବା ପୁରୁଷଟି ସୁକୁଟି ଦେଖିବାରେ ଲାଗିଛି, ହସିବାରେ ଲାଗିଛି ।

 

୨୪ । ୦୪ । ୮୧

☆☆☆

 

ବାପୀର ବିଷାଦଯୋଗ

 

ସେଦିନ ଭାରି ଅଚାନକ ଭାବରେ ବାପୀ ସହିତ ଦେଖାହେଲା । ଏଗାର କି ବାର ବରଷ ହେବ, ସପ୍ତମ ପାରିହୋଇ ଏବର୍ଷ ଅଷ୍ଟମକୁ ଆସିଛି । କୋଉଠି ଥିଲା କେଜାଣି, କେତେବେଳେ ଆସି ମନକୁ ମୋ ଆଗରେ ବସି ସାରିବାପରେ ଯାଇ ମୁଁ ତାକୁ ଦେଖିଲି । ମୁଁ ତାକୁ କିଛି ପଚାରିବା ପୂର୍ବରୁ ହିଁ ସିଏ କଥା କହିଲା । ତା’ ଭିତରେ କେତେ ଆଡ଼ର କେତେ କଥା ଖଣି ପଡ଼ି କୁହୁଳି କୁହୁଳି ରହିଥିଲା କେଜାଣି ? ଏବଂ କେଡ଼େ ସ୍ୱାଭାବିକ ଓ ନିଶ୍ଚଳ ଭାବରେ ସିଏ କଥା ପରେ କଥାଗୁଡ଼ାକୁ କହିଚାଲିଗଲା । ମୁଁ ତା’ରି ଭିତର ଦେଇ ଏବେ ଆମ ପରିବାରମାନଙ୍କରେ ବଢ଼ୁଥିବା ଓ ଆମ ଇସ୍କୁଲମାନଙ୍କରେ ପଢ଼ୁଥିବା ପିଲାମାନଙ୍କୁ ଜାଣିବା ଲାଗି ଚେଷ୍ଟା କରୁଥିଲି ।

 

ବାପୀ କହିଲା, ତାକୁ ଇସ୍କୁଲ ଭଲ ଲାଗୁନାହିଁ । କାରଣ ତା’ ସାର୍‍ମାନଙ୍କର ଇସ୍କୁଲରେ ମୋଟେ ମନ ନାହିଁ । ଗ୍ରାମସେବକମାନେ ରୁଟିନ୍ ଅନୁସାରେ ବ୍ଳକ୍ ଅଫିସକୁ ଆସିବା ପରି ସେମାନେ ଗାଧୁଆବେଳେ ଇସ୍କୁଲକୁ ଆସୁଛନ୍ତି ଓ ଛାଇଲେଉଟିଲାବେଳକୁ ଇସ୍କୁଲରୁ ଯାଉଛନ୍ତି । ସେମାନଙ୍କର ଅସଲ ବଜାର ହେଉଛି ସେମାନଙ୍କ ଘରେ । ଜଣେ ସାର୍‍ଙ୍କ ଘରେ ଚାଳିଶ ପଚାଶ ଲେଖାଁ ପିଲା ଟିଉସନ ହେଉଛନ୍ତି । ସିନ୍ଦୂରା ନଫାଟୁଣୁ ସେହିମାନଙ୍କର ମେଳିରେ ସାର୍‍ମାନଙ୍କର ଘର ଫାଟିଯାଉଛି । ସେମାନଙ୍କ ଲାଗି କସରତ କରି ସାରି ଇସ୍କୁଲକୁ ଆସିବାବେଳକୁ ସାର୍‍ମାନଙ୍କ ଦିହରେ ଆଉ କୌଣସି ବଳ ରହୁନାହିଁ । ସେମାନେ ହାଲିଆ ହୋଇ ଇସ୍କୁଲକୁ ଆସୁଛନ୍ତି । ବାଗୁଡ଼ିଖେଳରେ ମରିଥିବା ଖେଳାଳିମାନଙ୍କ ପରି ଆସି କ୍ଲାସରେ ବସୁଛନ୍ତି । ପାଠ ଯାହା ପଢ଼ାଉଛନ୍ତି, ସେଗୁଡ଼ାକ ପିଲାମାନଙ୍କୁ ମୋଟେ ପାଠ ବୋଲି ଲାଗୁନାହିଁ । ସେଗୁଡ଼ାକ ପିଲାମାନଙ୍କ ଉପରେ ସତେ ଯେପରି ଗୋଟାଏ ଗୋଟାଏ ବୋଲୁଅ ପରି ଆସି ପଡ଼ୁଛି । ଏମିତିଆ ସାର୍‍ମାନଙ୍କୁ ଦେଖିଲେ କବାଟ ବନ୍ଦ କରି ଚାଲି ଆସିବାକୁ ଇଚ୍ଛା ହେଉଛି । ଏମାନେ ସତେଅବା ଆଉ କୁଆଡ଼େ ଯାଉ ଯାଉ ବାଟ ଭୁଲି ଏଣେ ଚାଲିଆସୁଛନ୍ତି ଓ ଏଠାରେ ଘରଗୁଡ଼ାକୁ ମାରା କରି ରଖିଛନ୍ତି । ବାପୀ ଗପିଚାଲିଥାଏ, ଆଉ ମୁଁ ଭାବୁଥାଏ, ଯେଉଁ ଅସଲ ବିଷାଦଟି ତାକୁ ବାହାରେ ଏଡ଼େ ମୁଖର କରି ପାରିଛି, ସେହି ବିଷାଦର ଔଷଧ ବାପାକୁ କିଏ ଆଣି ଦେବ ?

 

କିଏ ବାପୀକୁ ପ୍ରକୃତ ବିଶ୍ୱାସ ଦେଇ କହିପାରିବ ଯେ ଆଗାମୀ ଯୁଗଟା ହେଉଛି ତାହାରି ଯୁଗ ? ଏହି ଦେଶଟା ମଧ୍ୟ ତାହାରି ଦେଶ । ସେଇ ଫୁଟି ଉଠି ପାରିବ ବୋଲି ଆମ ବଗିଚାଗୁଡ଼ାକୁ ନେଇ ଯାବତୀୟ କାରବାର । କିଏ ତାକୁ ନିର୍ଭର ଦେଇ କହିପାରିବ ଯେ ସିଏ ପାଠୁଆ ନହେଉ ପଛକେ, ମଣିଷ ହେଉ; ବଡ଼ଲୋକ ନହେଉ ପଛକେ, ମେରୁଦଣ୍ଡବିଶିଷ୍ଟ ହେଉ; ସିଏ ସିଆଣିଆ ନହେଉ ପଛକେ, ଅନ୍ତତଃ ନିକ ପାଖରେ ସାଧୁ ହେଉ । ଅନ୍ୟମାନଙ୍କ ପାଖରେ ନିଭୀକ ହେଉ । ନିଜେ ନିଜର ବନ୍ଧୁ ହୋଇପାରୁ, ନିଜର ଅସଲ ଯୁଦ୍ଧଗୁଡ଼ିକୁ ନିଜେ ଲଢ଼ିପାରୁ । ଆମ ଆଖିରେ ଚାବୁକ ପିଟି ଯୋଉ ଗୋଦାମଗୁଡ଼ାକ ଏଡ଼େ ଆଡ଼ମ୍ବରରେ ଗଢ଼ିଉଠୁଛନ୍ତି, ସେଗୁଡ଼ାକ ଯେ ଅସଲ କୁରୁକ୍ଷେତ୍ର ନୁହନ୍ତି, ସେକଥା ବାପୀକୁ କିଏ କହିବ ? ତା’ର ବିଷାଦଯୋଗକୁ କିଏ ଭାଙ୍ଗିପାରିବ ?

 

୨୯ । ୦୪ । ୮୧

☆☆☆

 

Unknown

ଫଗୁଖେଳ ଓ ସଂସ୍କୃତି

 

ଫଗୁଖେଳ ଫାଲ୍‍ଗୁନ ମାସରେ । ଆମ ସଂସ୍କୃତିର ଉପାଖ୍ୟାନଗୁଡ଼ାକ ଅନୁସାରେ ଏହି ସମୟରେ ସ୍ୱୟଂ ଗୋବିନ୍ଦ ମଧ୍ୟ ଦୋଳଗୋବିନ୍ଦ ପାଲଟିଯାଆନ୍ତି । ଭଗବାନଙ୍କୁ ନିକର ଆଖ୍ୟାୟିକା ଅନୁସାରେ ସଭାରେ ସଜାଇ ବାହାରକରି ଆଣିବା ପରେ ମଣିଷର ଅତିରିକ୍ତତା ଗୁଡ଼ାକରେ ଆଉ କୌଣସି ବାଇସ ରହେ ନାହିଁ । ସିଏ ଭଣ୍ଡାମିଗୁଡ଼ାକୁ ପର୍ବ ବୋଲି ପାଳନ କରେ । ଔଦ୍ଧତ୍ୟଗୁଡ଼ାକୁ ଅତୀତର ନାଲି-ନେଳି ଲଗାଇ ବୁଝାଇବାକୁ ଆରମ୍ଭକରେ ।

 

ହୋଲିଖେଳ ହୋଇ ଆମ ବଜାରଗୁଡ଼ାକ ରଙ୍ଗପଚପଚ ହେବା ଆଗରୁ ଖବରକାଗଜମାନଙ୍କରେ ହୋଲି ବିଷୟରେ ଲେଖାମାନ ବାହାରେ । ପଣ୍ଡିତମାନେ କାବ୍ୟ ଓ ସାହିତ୍ୟରୁ ଉଦ୍ଧୃତିମାନ ବାହାରକରି ଆମ ସଂସ୍କୃତିର ଏହି ମହାନ ପର୍ବଟି ବିଷୟରେ କେତେ କ’ଣ ଭୂଷଣ ଓ ଭୂଭୂଷଣ ଲଗାଇ କହନ୍ତି । ଏବଂ ତା’ପରେ ବଜାରରେ ହୋଲିଖେଳ ହୁଏ । ନଳାରୁ ପଙ୍କ ଉଝୁଳା ହୋଇ ଜୀବନ ଭିତରେ ପଶେ, ଆମ ଘର ଭିତରେ ପଶେ । ଆମେ ସମସ୍ତେ ଦୋଳଗୋବିନ୍ଦ ସାଜି ଖଚଡ଼ାମି ଆରମ୍ଭ କରୁ । ଏହି ବିବର୍ଣ୍ଣ ସମାଜର ଖଣ୍ଡିଆ ଦାଣ୍ଡଗୁଡ଼ାକରେ ଷଣ୍ଢଙ୍କ ପରି ଦଉଡ଼ି ଦାଣ୍ଡଗୁଡ଼ାକୁ ଆହୁରି ନିର୍ଲଜ୍ଜ କରୁ । ଆମର ଯେ ନିଜର କେବେ କୌଣସି ସାଂସ୍କୃତିକ ମୂଳ ଥିଲା ବା ଅଛି, ଘଡ଼ିକ ସକାଶେ ସେକଥାକୁ ଏକାବେଳକେ କେଡ଼େ ଆନନ୍ଦରେ ଭୁଲିଯାଉ ଏବଂ ଏହିପରି ଭାବରେ ଭୁଲି କେଡ଼େ ଆନନ୍ଦ ପାଉ । ଚେରଗୁଡ଼ାକୁ ମାୟାତୁଲ୍ୟ ମଣି ତାହାର ଫାନ୍ଦରୁ ବାହାରିଆସି ଆମେ ଅନ୍ତତଃ ଘଡ଼ିକ ସକାଶେ ଉଲଗ୍ନ ହୋଇ ଦିଶିବାରେ କେତେ ଆନନ୍ଦ ପାଉ ।

 

ଯେଉଁମାନେ ସଂସ୍କୃତିକୁ ନେଇ କେଡ଼େ ଉଲ୍ଲାସରେ ପଲ୍ଲବୀ କରନ୍ତି, ସେମାନେ ଅତୀତ ସହିତ ଆମର ବର୍ତ୍ତମାନକୁ ଏକାଠି କରି ତାହାରି ଗବାକ୍ଷଟି ଦେଇ ଆମ ଭୂମିଟିକୁ ଦେଖି ପାରୁଥିଲେ ଆମର କେତେ ଲାଭ ହେଉନଥାନ୍ତା ! ଭାରତରେ ସମ୍ଭବତଃ ଯୁଗେ ଯୁଗେ ଅଧିକ ମଣିଷ ଅନ୍ଧାର ଭିତରେ ରହିଥିଲେ, ଶୀତା ହୋଇ ରହିଥିଲେ ଓ ଅଳ୍ପସଂଖ୍ୟକ ମଣିଷ ଦାଣ୍ଡରେ ଫଗୁ ଖେଳି ସଂସ୍କୃତି ପାଳୁଥିଲେ, ଦୋଳଗୋବିନ୍ଦ ବନୁଥିଲେ ଓ ଖେଚଡ଼ାମି କରୁଥିଲେ । ସେହି ଖେଚଡ଼ାମିଗୁଡ଼ାକୁ ଏକ ବୈଧାନିକ ସଙ୍ଗତି ଓ ଯୁକ୍ତ ଆଣି ଦେବାଲାଗି ଭାଗବତ ଲେଖା ହେଉଥିଲା, ଗୀତଗୋବିନ୍ଦର ଘୋଳିଆ ପକାଇ ଘାଇଗୁଡ଼ାକୁ ସୃଷ୍ଟି କରାଯାଉଥିଲା ଓ ପଣ୍ଡିତମାନଙ୍କୁ ତାହାକୁ ହିଁ ସଂସ୍କୃତି ବୋଲି ଲେଖିବାକୁ ବାଧ୍ୟ କରାଯାଉଥିଲା ।

 

ଯୋଉମାନେ ଦିନକ ଲାଗି ଦାଣ୍ଡରେ ଗୋଟାଏ ଗୋଟାଏ କଂସ ସାଜି ହୋଲି ଖେଳି ବାହାରନ୍ତି ଓ ବରଷଯାକ ଉଲଗ୍ନ ହୋଇ ନପାରୁଥିବାର ଦୁଃଖ ମେଣ୍ଟାନ୍ତି, ସେମାନେ ଅସଲ ବସନ୍ତର କଥା କଣ ଜାଣିଥିବେ, ସେମାନେ କ’ଣ ଜାଣିବେ ? ସେମାନେ ଗୋବିନ୍ଦଙ୍କୁ ଭିଡ଼ିଆଣି ଆପଣାର ନିର୍ଲଜ୍ଜ ରଙ୍ଗବାଲିଟି ଗୁଡ଼ାକ ଭିତରେ ପକାଇ ଦେଇ ତାଙ୍କୁ ଆପଣାପରି କରିଦେବା ବ୍ୟତୀତ ଆଉ କ'ଣ କରିପାରିବେ ? ପଣ୍ଡିତମାନେ ଅବଧାନ ହୁଅନ୍ତୁ !

 

୦୫ । ୦୫ । ୮୧

☆☆☆

 

ନେତୃତ୍ୱହୀନ ଅବସ୍ଥା

 

ଦେଶ କ୍ରମଶଃ ଏକ ନେତୃତ୍ୱହୀନ ଅବସ୍ଥା ଭିତରକୁ ଗତି କରୁଛି ବୋଲି ଏପର୍ଯ୍ୟନ୍ତ ଆମ ଇଜ୍ଜତଗୁଡ଼ାକୁ ଅଣ୍ଟାରେ ଘାଗୁଡ଼ିମାଳ କରି ବାନ୍ଧି ଆମ ଉପରେ ଅର୍ଥାତ୍ ଆମ ସାହିତ୍ୟ, ସଂସ୍କୃତି, ରାଜନୀତି ଓ ଅର୍ଥଭଣ୍ଡାର ଗୁଡ଼ାକ ଉପରେ ନେତାଗିରି କରି ଆସିଥିବା ବୃଦ୍ଧମାନେ କେତେ ସୁନ୍ଦର କରି କହିବାକୁ ଆରମ୍ଭ କଲେଣି । ଆମ ଦେଶର ରାଜନୀତିକ ନେତୃତ୍ୱ ବ୍ୟର୍ଥତାର ସମ୍ମୁଖୀନ ହୋଇଛି ଏବଂ ପ୍ରଶାସନ ତଥା ବୈଧାନିକ କ୍ଷେତ୍ରରେ ମଧ୍ୟ ବ୍ୟର୍ଥତା ପରିଲକ୍ଷିତ ହେଲାଣି ବୋଲି ସେମାନେ ଭାଙ୍ଗିପଡ଼ୁଥିବା ଡାଳଗୁଡ଼ାକ ଉପରେ ତିଆରି ହୋଇଥିବା ମଞ୍ଚାଉପରୁ ଥାଇ ଆମକୁ ସଚେତନ କରାଇ ଦେଉଛନ୍ତି ।

 

ଆଜି ଯେଉଁମାନେ ଆମ ବର୍ତ୍ତମାନର ଏହି ନେତୃତ୍ୱହୀନ ଅବସ୍ଥାକୁ ଦେଖି ଉତ୍ତେଜିତ ପିଲାଙ୍କ ପରି ଏତେ ପାଟି କରୁଛନ୍ତି, ଏତେଦିନ ଯାଏ ସେହିମାନେ ହିଁ ଆମର ନେତା ହୋଇ ରହିଥିଲେ । ସେହିମାନେ ନିଜର ସବୁ ଗୁଣିଗାରେଡ଼ି ଦେଇ ଗଢ଼ିଥିବା କାଣୀ କୁଣ୍ଢେଇମାନେ ହିଁ ବର୍ତ୍ତମାନ ଆମ ଉପରେ ତଥାପି ନେତା ହୋଇ ବସିଛନ୍ତି । ନାତିମାନେ ଆଉ ପାରୁନାହାନ୍ତି । କାରଣ ଏହି ନାତିମାନଙ୍କର ନାଡ଼ଗୁଡ଼ାକ ଅଜାମାନଙ୍କ ସହିତ ହିଁ ସବୁଠାରୁ ଅଧିକ ପରିମାଣରେ ଲାଗିଛି । ଅଜାମାନେ ସେ କଥାମାନ ମୋଟେ ବୁଝି ପାରୁନାହାନ୍ତି । ସେମାନେ ହୁଏତ ଭାବୁଛନ୍ତି, ନାତିମାନେ କଥାରେ ଅକଥାରେ ସେଇମାନଙ୍କୁ ବଡ଼ଠାକୁର କରି ମାନୁଥାନ୍ତେ । କଠୋଉ କରି ସେହିମାନଙ୍କୁ ସିଂହାସନ ଉପରେ ରଖି ରାଜ୍ୟର ଶାସନ ଚଳାଉଥାଆନ୍ତେ । ତେବେଯାଇ ସବୁକିଛି ସଣ୍ଠଣା ଲାଗୁଥାନ୍ତା, ସଣ୍ଠଣା ଦେଖାଯାଉଥାନ୍ତା । ମାତ୍ର ଚଗଲା ଚେଲାମାନେ ବେଳେବେଳେ ସେକଥା ନ କରୁଥିଲା ପରି ଅଜାମାନଙ୍କୁ ଲାଗୁଛି ।

 

ପୁରୁଣା ନେତୃତ୍ୱ ଆଉ କାମ ଦେଉନାହିଁ । ନୂଆ ନେତୃତ୍ୱ ଗଢ଼ା ହେଉଛି । ସ୍ଵାଧୀନତା ପରେ ନୂଆ ଆଖି ନେଇ ଯେଉଁ ନୂଆ ନେତୃତ୍ୱ ଗଢ଼ା ହୋଇଥାନ୍ତା, ତାହାକୁ । ନାନା ଫିସାଦରେ ଆମ ବଂଶର ବାପାମାନେ ଓ ଅଜାମାନେ ହିଁ ଫୁଲ ସୁଙ୍ଘାଇ କାବୁକରି ରଖି ଆସିଛନ୍ତି । ଏବେ ଗୁଣିଆମାନେ ଧରା ପଡ଼ିଯାଉଛନ୍ତି । ବାଉଁଶ ଭିତରେ ରହିଥିବା ଫମ୍ଫାଗୁଡ଼ାକ ଧରପଡ଼ି ଯାଉଛି । ପୁରୁଣାଗୁଡ଼ାକ ପାଚିଲା ପତର ହୋଇ ଝରିପଡ଼ୁଛି । ସେଗୁଡ଼ାକ ଆହୁରି ସଢ଼ିବ । ଆହୁରି ପଚିବ । ତା’ପରେ ସେହିମାନଙ୍କର ଅର୍ଗଳକୁ ଚିରି ଏଠି ଅଙ୍କୁରୋଦଗମ୍ ହେବ । ଆପଣା ପୁରୁଷାର୍ଥର ପରିଚୟ ଦେବାଲାଗି ଡକରା ହୋଇ ଆସିଥିବାବେଳେ ଯେଉଁମାନେ ପ୍ରଧାନତଃ ନାନା ପାଜିପଣର ସୁଆଙ୍ଗଗୁଡ଼ାକ ଦେଖାଇ ଆମକୁ ଚିତା କାଟିଛନ୍ତି, ସେମାନେ କଦାପି ନୂଆ ତୋଟାର ନୂଆ ଅଙ୍କୁରଗୁଡ଼ାକୁ ଚିହ୍ନି ପାରିବେନାହିଁ । କେବଳ ପାଚିଲା ପତର ହୋଇ ସେମାନେ ମୁକ୍ତି ପାଇବେ । ଆହୁରି ସଢ଼ିବେ, ଆହୁରି ପଚିବେ, ତେବେଯାଇ ହୁଏତ ଆପଣାକୁ କୌଣସି କାମରେ ଲଗାଇ ପାରିବେ ।

 

୦୯ । ୦୫ । ୮୧

☆☆☆

 

ପାଠ କୋଉଠି ପଢାହେଉଛି ?

 

ପାଠ କୋଉଠିହେଲେ ପଢ଼ା ହେଉନାହିଁ । ସାନ ପିଲାଟିକୁ ପଚାରିଲେ ବି ସିଏ ଏକଥା ତତ୍‍କ୍ଷଣାତ୍ କହି ଦେଇପାରିବ; ମାତ୍ର ବଡ଼ମାନେ ସେକଥା ମୋଟେ ବିଶ୍ୱାସ କରିବାକୁ ରାଜି ନୁହନ୍ତି-। ସେମାନେ କହୁଛନ୍ତି, ପିଲାମାନେ ଏଥର ନିଜ ନିଜର ବାରାକ୍‍କୁ ଫେରିଯାଆନ୍ତୁ, ପାଠ ପଢ଼ନ୍ତୁ, ନିଜର ଭବିଷ୍ୟ ଗଢ଼ନ୍ତୁ, କେତେ କାହାର ମୁଖ ଉଜ୍ଜ୍ୱଳ କରନ୍ତୁ ଇତ୍ୟାଦି ଇତ୍ୟାଦି । ପିଲାମାନେ ଧର୍ମଘଟ କଲେ, ପାଠ ପଢ଼ିଲେ ନାହିଁ । ତେଣୁ ସେମାନଙ୍କର ଏତେ ଏତେ କ୍ଷତିମାନ ହେଲା ବୋଲି ସେମାନେ ହିସାବ କରି କହୁଛନ୍ତି । ସେମାନେ ଜଙ୍ଗଲରେ ହାତୀମାନଙ୍କୁ ସୁନା ହାତୀ କରିବାକୁ ମନ କରୁଛନ୍ତି ।

 

ଅଧ୍ୟାପକମାନେ କହନ୍ତୁ, ସେମାନେ ପାଠ ପଢ଼ାଉଛନ୍ତି ନା ଚାକିରି କରିଛନ୍ତି, ବିଦ୍ୟାଦାନ କରୁଛନ୍ତି ନା ଶିକ୍ଷା-ବିଭାଗରୂପକ ଗୋଟାଏ ଅବର୍ଜିଆ ଜମିଦାରୀର ତୋଷାମଦ କର୍ମ କରି କରି କ୍ରମେ କୁର୍ମ ହୋଇଯିବାକୁ ହିଁ ଆପଣାର ଅସଲ ସଂସାରଧର୍ମ ବୋଲି ଗ୍ରହଣ କରିସାରିଲେଣି । ଇସ୍କୁଲମାନଙ୍କରେ ଯେଉଁମାନେ ମାଷ୍ଟର ହୋଇଛନ୍ତି, ସେମାନେ ବି କହନ୍ତୁ, ସତକୁ ସତ ପାଠ ପଢ଼ାଉଛନ୍ତି ନା ଇସ୍କୁଲରେ ଯଥାସମ୍ଭବ ଅଧିକ ଫାଙ୍କିଦେଇ ଘରେ ଗଧମାନଙ୍କୁ ମଣିଷ କରାଇ ପରୀକ୍ଷାରେ ପାସ୍ କରାଇବାରେ ଲାଗିଛନ୍ତି । ପ୍ରଭାତୀ ଟିଉସନ—ବଜାରମାନ ଖୋଲି ସେଇଥିରୁ ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ ଲାଭ କରିବାର ସଇତାନୀ ଫନ୍ଦାରେ ମାତିଛନ୍ତି । ପିଲାମାନଙ୍କୁ ପଚରାଯାଉ, ସେମାନଙ୍କୁ ପ୍ରକୃତରେ କିଏ ଏହି ଦେଶର ଭବିଷ୍ୟ ବୋଲି ଦେଖୁଛି, କୋଉଠି କୌଣସି ଭବିଷ୍ୟ ଅଛି ବୋଲି କିଏ ବିଶ୍ୱାସ କରୁଛି । ସାମନ୍ତମାନେ ଯଦି ଭବିଷ୍ୟ ବିଷୟରେ ଆଜି ବିଶ୍ୱାସ କରିବାକୁ ଆରମ୍ଭ କରନ୍ତେ, ତେବେ ବର୍ତ୍ତମାନଗୁଡ଼ାକୁ କାମୁଡ଼ିଧରି କଦାପି ଅମଣିଆ ଧରା ବଳଦ ପରି ଏତେଗୁଡ଼ାଏ ପଦାରେ ପଡ଼ୁନଥାନ୍ତେ । ବର୍ତ୍ତମାନକୁ ସମ୍ଭାଳି ରଖିବାକୁ ସେମାନେ କଦାପି ପୋଲିସଗୁଡ଼ାଙ୍କୁ ରାତି ଅଧରେ ଭବିଷ୍ୟ ହରଣ କରିବାକୁ ହୁକୁମ ଦେଇ ପଠାନ୍ତେ ନାହିଁ । ଅଧ୍ୟାପକମାନେ ବା ଯଦି ଭବିଷ୍ୟ କଥା ଚିନ୍ତା କରୁଥାନ୍ତେ, ତେବେ ସେମାନେ ଗୋଟାଏ ଗୋଟାଏ ରଙ୍ଗବର୍ଣ୍ଣ ତାନ୍ତ୍ରିକ ସାଧକଙ୍କ ପରି ନଦିଶି ଗୁରୁଙ୍କ ପରି ଦେଖାଯାଆନ୍ତେ । ସେମାନଙ୍କୁ ଦେଖିଲେ ପଥରଗୁଡ଼ାକ ବି ସେମାନଙ୍କୁ ଗୁରୁ ବୋଲି ଅନୁଭବ କରିପାରନ୍ତେ ।

 

ପାଠ କୋଉଠି ପଢ଼ା ହେଉନାହିଁ । ପାଠ ନାମରେ ସମାଜର କେତେଟା ଚତୁରଙ୍କୁ ପାଠୁଆ ବେଶ ପିନ୍ଧାଇ ଦେଇ ମନଇଚ୍ଛା ଅମଣିଷ ହେବାକୁ ଛାଡ଼ି ଦିଆଯାଉଛି । ନିଧୁମ ବୁଢ଼ାମାନଙ୍କୁ ତଥାପି ଯୁବକ ପରି ଅନୁଭବ କରିବାର ଔଦ୍ଧତ୍ୟ ଦେଖାଇବା ଲାଗି ବିଶ୍ୱବିଦ୍ୟାଳୟ ନାମରେ ଗୁଡ଼ାଏ ଜଙ୍ଗଲୀ କୋଠାଘର ତିଆରି କରି ରଖାଯାଇଛି । ଯିଏ ପ୍ରକୃତରେ ପାଠ ପଢ଼ିବାକୁ ମନକରିବ, ସିଏ କଦାପି ସେହି କୋଠାଘରମାନଙ୍କୁ ମନ କରିବନାହିଁ, ସିଏ ଏହି ଦ୍ରୋଣମାନଙ୍କୁ ବିଦ୍ୟାରେ ଅସଲ ଦ୍ରୋହୀ ବୋଲି ଚିହ୍ନି ରଖିବ । ମଣିଷର ସାହସ ନେଇ ସିଏ ଆଉ କିଛିକୁ ମନକରିବ ।

 

୧୩ । ୦୫ । ୮୧

☆☆☆

 

ପଚାଶହଜାର ପରମାଣୁ ବୋମା

 

ଆମ ପୃଥିବୀରେ ପଚାଶହଜାର ପରମାଣୁ ବୋମା ଏବେ ମହଜୁଦ ହୋଇ ରହିଲାଣି ବୋଲି ଖବରକାଗଜରେ ବାହାରିଛି । ଏସବୁ କୌଣସି ଗୋଟିଏ ଦେଶରେ ନାହିଁ, ପୃଥିବୀର ଥିଲାବାଲାମାନେ ଅକ୍ଷୌହିଣୀ ଟଙ୍କା ଖରଚ କରି ଏହି ବୋମାଗୁଡ଼ାକୁ ସଜାଡ଼ିକରି ରଖିଛନ୍ତି । ସେଗୁଡ଼ିକୁ ସେମାନେ ପରସ୍ପର ପ୍ରତି ପ୍ରୟୋଗ କରିବେ ଓ ତାହାର ଫଳ ସ୍ୱରୂପ ସମସ୍ତେ ମରିବେ ବୋଲି ସେଗୁଡ଼ାକୁ ତିଆରି କରି ରଖିଛନ୍ତି । ।

 

ପରମାଣୁ ବୋମାକୁ ମଣିଷ ତିଆରି କରିନାହିଁ, ଭୀରୁମାନେ ତିଆରି କରିଛନ୍ତି । ଏହାକୁ କୌଣସି ବୈଜ୍ଞାନିକ ତିଆରି କରିନାହାନ୍ତି । ଅମଣିଷ ସିଦ୍ଧିଲୋଭୀମାନେ ତିଆରି କରିଛନ୍ତି । ମୋଟେ ଦୁଇଶହ କି ତିନିଶହ ବର୍ଷ ଆୟୁଷ ହୋଇଥିବା ଜାତୀୟତାବାଦ ଏହି ଭୀରୁମାନଙ୍କୁ ଓ ସିଦ୍ଧିଲୋଭୀ ବିଜ୍ଞାନଚରମାନଙ୍କୁ ଗୋଟିଏ ଜୁଆଳିରେ ଆଣି ବାନ୍ଧିଛି । ସେମାନେ ବିଭିନ୍ନ ଦେଶରେ ବସି ଓ ଅଲଗା ଅଲଗା ଯୋଜନା କରି ପୃଥିବୀଯାକ ସମସ୍ତଙ୍କୁ ଏକାବେଳକେ ମାରିଦେବେ ବୋଲି ମସୁଧା କରୁଛନ୍ତି, ମୃତ୍ୟୁଦୂତଙ୍କ ପରି ଆମ ଭିତରେ କେଡ଼େ ଦମ୍ଭରେ ବିଚରଣ କରୁଛନ୍ତି । ଭିତରେ ଜର ଭର୍ତ୍ତିହୋଇ ରହିଥିଲେ ଓ ଜୀବନ ପ୍ରତି ଏକ ଅନିଚ୍ଛା ପ୍ରବଳ ହୋଇ ରହିଥିଲେ ମଣିଷ ବାହାରେ ଯେତିକି ଦମ୍ଭ ଦେଖାଏ, ଏମାନେ ସେତିକି ଦମ୍ଭ ସହିତ ଆପଣାକୁ କେବଳ ଜାଲଗୁଡ଼ାକ ଭିତରେ ଅଣନିଃଶ୍ଵାସୀ କରି ରଖିଛନ୍ତି । ଆପଣାର ଉତ୍ତପ୍ତତାଗୁଡ଼ାକ ପାଖରେ ଏମାନେ ଆପଣାକୁ ବିକ୍ରି କରିଦେଇଛନ୍ତି ।

 

ଏହି ବୋମାଗୁଡ଼ାକ ପ୍ରକୃତରେ କେଉଁଦିନ ଆମ ଉପରେ ପଡ଼ିବ କି ନାହିଁ, ସେକଥା କେହି ହିସାବ କରି କହି ପାରିବେନାହିଁ । ଆରପଟର ବୋମାରୁ ଆପଣାକୁ ସୁରକ୍ଷିତ କରି ରଖିବା ପାଇଁ ଏପଟ ମଧ୍ୟ ବୋମା ତିଆରି କରୁଛନ୍ତି ବୋଲି ପୃଥିବୀରେ ବୋମାର ସବୁ ଘର ଭିତରୁ ନୀତିବାକ୍ୟ ଶୁଣିବାକୁ ମିଳୁଛି । ଏମାନେ କେହି ହେଲେ ମରିବାକୁ ଚାହାନ୍ତି ନାହିଁ । ଏମାନେ ବଞ୍ଚିବାକୁ ଚାହାନ୍ତି । ପୃଥିବୀଯାକ ସମସ୍ତେ ମରି ପଦା ହୋଇଗଲେ ମଧ୍ୟ ଏମାନେ ହୁଏତ ଏକା ବଞ୍ଚି ରହିବାକୁ ଚାହାନ୍ତି । ଭୀରୁ ପ୍ରବଳ ହେଲେ ଅନେକ ସମୟରେ ବୋକାଙ୍କ ପରି ଭାବେ, ବୋକାଙ୍କ ପରି ବିଜ୍ଞାନ ଚଷେ । ସଂସାରର ସର୍ବନାଶ କରୁଥାଏ ।

 

ପୃଥିବୀରେ ସକଳ ଦେଶରେ ଅଧିକସଂଖ୍ୟକ ମଣିଷ ତଥାପି ଏପରି ଅଛନ୍ତି, ଯେଉଁମାନେ ନିଜେ ବଞ୍ଚି ରହିବେ ବୋଲି ଅନ୍ୟମାନଙ୍କୁ ମୂଳପୋଛ କରିଦେବାକୁ ଚାହାନ୍ତି ନାହିଁ । ଯେଉଁମାନେ ସମସ୍ତଙ୍କ ସହିତ ଏକାଠି ବଞ୍ଚି ରହିବାକୁ ଚାହାନ୍ତି, ପୃଥିବୀ ସେହିମାନଙ୍କ ସକାଶେ ତିଷ୍ଠି ରହିଛି । ସେହିମାନଙ୍କ ସକାଶେ ଧର୍ମ ରହିଛି, ଇନ୍ଦ୍ର ଜଳବୃଷ୍ଟି କରୁଛି । କେବେ ବୋମାଗୁଡ଼ାକ ପଡ଼ି ସେମାନେ ବିଲୁପ୍ତ ହୋଇଗଲେ ମଧ୍ୟ ପରବର୍ତ୍ତୀ ସୃଜନଟି ଲାଗି ସେହିମାନେ ହିଁ ଦୃଷ୍ଟାନ୍ତ ହୋଇ ରହିବେ । ସେହିମାନଙ୍କ ତପସ୍ୟା ଆମକୁ ଭୀରୁମାନଙ୍କର ଚକ୍ରାନ୍ତରୁ ବଞ୍ଚାଇରଖିବ । ମଣିଷ ତଥାପି ବଞ୍ଚି ରହିଥିବ । ବିଧାତାର ସକଳ ଯୋଜନାର ସବାଆଗରେ ରହିଥିବ ।

 

୧୫ । ୦୫ । ୮୧

☆☆☆

 

ଭବିଷ୍ୟତ ଉଜ୍ଜ୍ୱଳ

 

ସେଦିନ ଓଡ଼ିଆ ସାହିତ୍ୟର କବିତା ବିଷୟରେ ଓଡ଼ିଶାର ଏକ ସହରରେ ସରକାରଙ୍କ ଆନୁକୂଲ୍ୟରେ ଯେଉଁ ସେମିନାର ହୋଇଥିଲା ସେଥିରେ ଓଡ଼ିଆ ଆଧୁନିକ କବିତାର ଭବିଷ୍ୟତ ଅତ୍ୟନ୍ତ ଉତ୍କଳ ବୋଲି ସୁଧୀମାନେ ମତ ଦେଲେ । ସେହି ମତ ବଡ଼ ବଡ଼ ଅକ୍ଷରରେ ଖବରକାଗଜରେ ବାହାରିଥିଲା ।

 

ଓଡ଼ିଆ କବିତାର ବର୍ତ୍ତମାନ ବିଷୟରେ ସମ୍ଭବତଃ ଏତେ ସ୍ପଷ୍ଟ ଭାବରେ ସେଠାରେ କେହି କୌଣସି ମତବ୍ୟକ୍ତ କରିନଥିଲେ । ବର୍ତ୍ତମାନ ଆମ ଦେଶରେ ଯେଉଁମାନେ କବିତା ଲେଖନ୍ତି, ସେମାନେ ହୁଏତ ବର୍ତ୍ତମାନଟାକୁ ଯେତିକି ଦ୍ୱିଧାମୟ ବୋଲି ଅନୁଭବ କରନ୍ତି, ସେତିକି ଅଧିକ ଉତ୍ସାହର ସହିତ ଭବିଷ୍ୟତଟାକୁ ଭାରି ଉଜ୍ଜ୍ୱଳ ବୋଲି କହିବାକୁ ମନ କରିଥାନ୍ତି । ବର୍ତ୍ତମାନଟା ଦ୍ୱାରା ହଡ଼ବଡ଼େଇ ଯାଇ ଆମ ବଡ଼ମାନେ ଯେପରି ପିଲାଙ୍କ ଆଗରେ କେଡ଼େ ଉତ୍ସାହରେ ଆମ ଅତୀତଟା ଭାରି ବଡ଼ ଥିଲା ବୋଲି ନାକକୁ ଛିଞ୍ଚାଡ଼ି କହନ୍ତି, ଏଇଟା ମଧ୍ୟ ହୁଏତ ପ୍ରାୟ ସେହିପରି ଏକ କଥା ।

 

କବିତା ସାହିତ୍ୟରୁ ଅଲଗା ନୁହେଁ, ସାହିତ୍ୟ ଜୀବନରୁ ବି ଅଲଗା ନୁହେଁ । ଭବିଷ୍ୟତ ବର୍ତ୍ତମାନଠାରୁ ଅଲଗା ନୁହେଁ । ବର୍ତ୍ତମାନ ପ୍ରତି ଆମର ଭୂମିକାଟି ଯେତିକି ପୁରୁଷୋଚିତ ହୋଇଥିବ, ତାହାହିଁ ଆମ ଭବିଷ୍ୟତକୁ ଏକ ନିର୍ଦ୍ଦିଷ୍ଟ ରୂପ ଦେବାରେ ସବୁଠାରୁ ଅଧିକ ସାହାଯ୍ୟ କରିବ । ଏହି ବର୍ତ୍ତମାନର ସମଗ୍ର ପଟଟି ଉପରେ ଜଣେ ଜଣେ ମଣିଷ ହିସାବରେ ଆମର ଭୂମିକା ଯାହା, ଆମର କବିତାର ଅସଲ ମୂଲ୍ୟାଙ୍କନ ମୂଳତଃ ତାହାରି ଉପରେ ହେବ । ବର୍ତ୍ତମାନଟାକୁ ଡରି ତାହାର ସମ୍ମୁଖୀନ ହେବାଟାକୁ ପ୍ରମାଦ ବୋଲି ଗଣି ଯଦି ଆମେ ଆହୁରି କେତେ କ’ଣ ଅନୁରକ୍ତି ଦ୍ୱାରା ବାଧ୍ୟ ହୋଇ ଜୀବନ ଭିତରୁ ପଳାଇ ଯାଉଥିବା, ତେବେ ଆମର କବିତାଗୁଡ଼ାକ ମଧ୍ୟ ପ୍ରଧାନତଃ ଏକ ପଳାୟନର ସନ୍ତକ ହୋଇ ରହିବ ଏବଂ କୌଣସି ପ୍ରକାର ପଳାୟନର ଭବିଷ୍ୟତ କେବେହେଲେ ଉଜ୍ଜ୍ୱଳ ହୋଇ ନପାରେ । ଆମେ ତାହାକୁ ଯେତେ ନୂଆ କାମ ଦେଇ ରଞ୍ଜାଇ ରଖିବାକୁ ଚେଷ୍ଟା କଲେ ମଧ୍ୟ ତଥାପି ତାଳିଗୁଡ଼ାକ ଭିତରୁ ଅସଲ ଦେହଟି ପଦାରେ ପଡ଼ିଯିବାକୁ ଅବଶ୍ୟ ବାଧ୍ୟ ହେବ ।

 

ରାତିର ଭବିଷ୍ୟ ଗୋଟାଏ ଦୃଷ୍ଟିରୁ ବିଚାର କରି ଦେଖିଲେ ନିଶ୍ଚୟ ଉତ୍କଳ । କାରଣ ରାତି ପରେ ପରବର୍ତ୍ତୀ ସକାଳଟି ମଧ୍ୟ ରହିଛି । ରାତ୍ରିର ଜୀବଗୁଡ଼ାଙ୍କର ଅସଲ ପରୀକ୍ଷା ସେଇଠି ସେମାନେ ଯଦି ଏହି ରାତ୍ରିକୁ ସକାଳ ଲାଗି ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରୁଥିବେ, ତେବେ ସେମାନଙ୍କର ସେହି ବ୍ରତଟି ହିଁ ସବୁକିଛିକୁ ଉଜ୍ଜ୍ୱଳ କରିଦେବ । ରାତିର ମୃତ୍ତିକା ଭିତରୁ ଜନ୍ମଲାଭ କରି ଆମ କବିତା ମଧ୍ୟ ମନ କଲେ ନିଜକୁ ସକାଳଯାଏ ପ୍ରଳମ୍ବିତ କରିଦେଇ ପାରିବ । ତେବେ ତାହା ଏହି ରାତ୍ରିର ଅର୍ଗଳଗୁଡ଼ାକୁ ନିଶ୍ଚୟ ପାର ହୋଇଯିବ ।

 

୧୮ । ୦୫ । ୮୧

☆☆☆

 

ରାଜନୀତି ବ୍ୟବସାୟ ହେଲାଣି

 

ରାଜନୀତି ଭାରତବର୍ଷରେ ଏକ ବ୍ୟବସାୟରେ ପରିଣତ ହୋଇଗଲାଣି ବୋଲି ଭାରତର ରାଷ୍ଟ୍ରପତି ଏବେ କୌଣସି ଉପଲକ୍ଷ୍ୟରେ କହିଛନ୍ତି । ଯେଉଁ ଗୁହାଳ ଭିତରେ ପଶି ସିଏ ସାଧାରଣ ଏକ କୃଷକ ପରିବାରରୁ ବାହାରି ରାଜଧାନୀ ଦିଲ୍ଲୀଯାଏ ଆସିଛନ୍ତି ଓ ରାଷ୍ଟ୍ରର ପତି ହୋଇ ପାରିଛନ୍ତି, ରାଷ୍ଟ୍ରପତି ଏପରି କହି ସେହି ଗୁହାଳଟିର ହିଁ ନିନ୍ଦା କରିଛନ୍ତି ।

 

କେବଳ ରାଜନୀତି ନୁହେଁ, ଭାରତବର୍ଷରେ ପ୍ରାୟ ଯାବତୀୟ ଜୀବନକ୍ଷେତ୍ର ପ୍ରାୟ ଏକ ବ୍ୟବସାୟରେ ପରିଣତ ହେଲାଣି । ଆମ ସମସ୍ତଙ୍କର ପୂର୍ଣ୍ଣ ସମ୍ମତି ସହିତ ହିଁ ତାହା ଯେ ଏପରି ହୋଇଛି, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ । ଦେଶରୂପୀ ମାଟିର ଅବୟବଟାରେ ଆମେ ଯେଉଁ ଅଳ୍ପ କେତେଜଣ ଏଠି ଯାବତୀୟ ଆୟୋଜନରେ ସବା ଆଗରେ ରହିଛୁ, ଆମରି ସମ୍ମତି ନେଇ ଏବଂ ହୁଏତ ଆମରି ସମୃଦ୍ଧି ସକାଶେ ହିଁ ସବୁକିଛି ବ୍ୟବସାୟରେ ପରିଣତ ହୋଇଗଲାଣି । ଆମର ଶିକ୍ଷା, ଆମର ଆଦର୍ଶ, ଆମର ସେବା ଓ ସର୍ବୋପରି ଆମ ରାଜନୀତିଧନ୍ଦା, ସବୁକିଛି ଗୋଟାଏ ଗୋଟାଏ ବ୍ୟବସାୟ ହେଲାଣି । କଥା କହିବାଟା ମଧ୍ୟ କେତେକ ଆସନରେ ତୁଚ୍ଛା ବ୍ୟବସାୟ ହୋଇ ସାରିଲାଣି । ଏବେ ଆମେ ଅଧିକ ଚତୁର ହେଲୁଣି । ଆପଣାର ଲାଭ ପାଇଁ ସବୁଯାକ ଆକାଶକୁ ମଧ୍ୟ କଣା କରିଦେବାକୁ ବାହାରିଲୁଣି ।

 

ଲାଜ ଥିଲେ କୁଆଡ଼େ ମୋଟେ ବ୍ୟବସାୟ ହୁଏ ନାହିଁ । ବ୍ୟବସାୟର ଫନ୍ଦା ଭିତରେ ପଡ଼ି ଆମେ କ୍ରମେ ଆମ ଲାଜଗୁଡ଼ାକୁ ମଧ୍ୟ ବାହାର କରି କୁଆଡ଼େ ମନ କୁଆଡ଼େ ଫିଙ୍ଗି ଦେଇ ଆସିଲୁଣି । ସେଥିଲାଗି ଆମ ନିଜକୁ ନିନ୍ଦା ଓ ଝିଙ୍ଗାସ କରି କହିବାକୁ ମଧ୍ୟ ଆମକୁ ଆଉ ମୋଟେ ଲାଜ ମାଡ଼ୁନାହିଁ । ଆହୁରି ଅଧିକ ନିର୍ଲଜ୍ଜତାର କଥା ହେଉଛି ଯେ, ସେହି ବ୍ୟବସାୟଗୁଡ଼ିକର ଉତ୍ସବସଭାରେ ବସି ସତେଅବା ଭାରି ବିମୋହିତ ଉତ୍ସାହର ସହିତ ଆମେ ବ୍ୟବସାୟଗୁଡ଼ାକର ନିନ୍ଦା କରିବାରେ ଲାଗିଛୁ ।

 

ଯିଏ ବ୍ୟବସାୟ କରିବାକୁ ପ୍ରକୃତରେ ମନ ନକରୁଥିବ, ସିଏ କଦାପି ବ୍ୟବସାୟ ଭିତରେ ରହିବ ନାହିଁ । ଯିଏ ନିଜର ରୋଗଟି ବିଷୟରେ ଅବହିତ ହେବ, ପ୍ରକୃତ ମଣିଷ ହୋଇଥିଲେ ସିଏ ରୋଗର ପ୍ରତିକାର କରିବାକୁ ବାହାରିବ । ଯିଏ ଏହି କଥାଗୁଡ଼ିକୁ ଆଗ କରିବ, ସେଇ ନେତୃତ୍ଵ ଦେବ । ଆମ ଉପରେ ଏବେ ବାଜପକ୍ଷୀ ପରି ଆବୋରି ହୋଇ ବସି ରହିଥିବା ଓ ଦିଗ ଗୁଡ଼ାକୁ ଅନ୍ଧାର କରି ରଖିଥିବା ନେତୃତ୍ୱଗୁଡ଼ାକ ଆପଣାର ଅସଲ ଶକ୍ତିଟିକୁ ହରାଇ ବସିଲେଣି-। ସେଥିଲାଗି ଦେଶ ଏକ ପରବର୍ତ୍ତୀ ନେତୃତ୍ୱ ଲାଗି ଅପେକ୍ଷା କରିରହିଛି । ବର୍ତ୍ତମାନର ମାତାଲମାନେ ଦିନେ ନା ଦିନେ ଯିବେ । ଯେତେ ସିଆଣିଆ ପାଗଲ ହେଲେ ମଧ୍ୟ ଏମାନେ ଯିବେ । ଅନ୍ୟମାନେ ଆସିବେ । ଏକ ଅନ୍ୟ ରୀତି ଓ ଅନ୍ୟ ସଂହତି ଆସିବ । ଆମେ କୋଟି କୋଟି ମଣିଷ ସେତେବେଳେ ନିଜର ଦେଶକୁ ନୂଆ କରି ଆବିଷ୍କାର କରିବା । ବ୍ୟବସାୟୀ ମାନେ ଗୋଟି ଗୋଟି ହୋଇ ଧରା ପଡ଼ିଯିବେ ।

 

୨୪ । ୦୫ । ୮୧

☆☆☆

 

ସାନ ପରିବାର, ସୁଖୀ ପରିବାର

 

ସାନ ପରିବାର ସୁଖୀ ପରିବାର । ସ୍ଵାମୀ ସ୍ତ୍ରୀ, ଦୁଇଟି ପିଲା; ପୁଅଟିଏ ଝିଅଟିଏ ହେଲେ ଆହୁରି ବଢ଼ିଆ । ଖୁବ୍ ବେଶି ହେଲେ ତିନୋଟି ପିଲା । ତିନୋଟିରୁ ଅଧିକ କଦାପି ନୁହେଁ । ତାହାହେଲେ ବେଶି ସୁଖ ମିଳିବ, ଜୀବନର ହାଣ୍ଡିଗୁଡ଼ାକୁ ଅଧିକ ଉପଭୋଗ କରିହେବ । ଭବିଷ୍ୟ ବିଷୟରେ କୁଆଡ଼େ ଅଧିକ ନିଶ୍ଚିତ ଭାବରେ ଚିନ୍ତା କରିହେବ । ପିଲାଏ ପାଠ ପଢ଼ିପାରିବେ, ଜୀବନରେ ମୋଟେ ଦୁଃଖ ପାଇବେ ନାହିଁ, ଜୀବନରେ ଭାରି ସୁରୁଖୁରୁ ହୋଇ ଆଗକୁ ଆଗକୁ ଯାଇପାରିବେ, ଇତ୍ୟାଦି ଇତ୍ୟାଦି ।

 

ସାନ ପରିବାର ସାନ ସୁଖର ପରିବାର । ମୋ’ ଟଙ୍କା ଖାଲି ମୋରି ପିଲାଏ ଭୋଗିବେ, ମୋର କୋଠାରେ ଖାଲି ମୋ ପିଲାମାନେ ରହିବେ । ମୋ’ଜମିଗୁଡ଼ାକ ଖାଲି ମୋର ହୋଇ ରହିବ-। ଦାଣ୍ଡରେ ଯାହା ହେଉଥାଉ ପଛକେ, କବାଟକୁ କିଳିଦେଇ ମୁଁ ନିଜର ସାନ ପରିବାରଟିକୁ ନେଇ ସୁଖ କରିବି, ଅର୍ଥାତ୍ ଭଲ ଖାଇବି, ଭଲ ପିନ୍ଧିବି, ମନ ଆନନ୍ଦରେ କମାଇବି ଏବଂ ମନ ଆନନ୍ଦରେ ସଞ୍ଚିବି । କାହାଣୀର ଦସ୍ୟୁ ରତ୍ନାକର ସମ୍ଭବତଃ ଏମିତି ଗୋଟିଏ ସାନ ପରିବାରକୁ ନେଇ ବାଉଳା ହୋଇ ରହିଥିଲା । ଏବେ ବି ଆମେ ଆମର ଏହି ତଥାକଥିତ ସାନ ପରିବାରଟି ଲାଗି ଚୋରି କରୁଛୁ, ତସ୍କରପଣ କରୁଛୁ, ଠାକୁର ମନ୍ଦିରକୁ ଯାଉଛୁ, ଧର୍ମ କରୁଛୁ, ଭଲମଣିଷ ହେବାକୁ ଚେଷ୍ଟା କରୁଛୁ, ଘରଯାକ ସମସ୍ତଙ୍କୁ ବସାଇ ରାମାୟଣ ଓ ମହାଭାରତ ଶୁଣୁଛୁ । ମନବୋଧ ଚଉତିଶା ପଡ଼ିଲାବେଳେ ଆମ ଆଖିରୁ ଧାର ଧାର ଲୁହ ବୋହିଯାଉଛି ।

 

ସାନ ପରିବାରର ବିଚାର ଏକ ବର୍ବର ବିଚାର । ଏହି ସାନ ପରିବାରର ବିଚାର ସଂସ୍କୃତିକୁ ଖାଇଛି । ଜୀବନର ସତ୍ୟଗୁଡ଼ାକୁ କେଡ଼େ ସିଆଣିଆପଣରେ ତୁଚ୍ଛା ମୂର୍ତ୍ତି କରି ବସାଇଦେଇଛି । ସେମାନଙ୍କ ନାଆଁରେ ସଂସାରଯାକର ଧନକୁ କେବଳ ନିଜ ଘରେ ଆଣି ପୂରାଇବ ବୋଲି ସିଏ କେତେ ବ୍ରତ ଓ କେତେ କାଷ୍ଠା କରିବାରେ ଲାଗିଛି । ଧୂର୍ତ୍ତ ଆଉ ପାଜିମାନେ ଏହା ଫଳରେ ବେଶି ଉଧେଇବାର ମଉକା ପାଇଛନ୍ତି । ସାନ ପରିବାର ଭିତରେ ରହି ରହି ମଣିଷର ଆଖି କ୍ରମେ ଭାରି ସାନ ହୋଇ ଆସିଚି । ମଣିଷର ଭଲ ପାଇବାଟା ବି ସାନ ଗଡ଼ିଆଟି ଭିତରର ଭଲପାଇବାରେ ପରିଣତ ହେଲାଣି । ଆଦର୍ଶଗୁଡ଼ାକ ଅଳିଆ ପରି ଲାଗିଲେଣି ।

 

ସାନ ପରିବାର ସୁଖୀ ପରିବାର ନୁହେଁ । ସାନ ପରିବାରର ବିଚାର ଗତକାଲିର ବିଚାର, ନଜର ଆଉ ଅକଲଗୁଡ଼ାକୁ ପାଚେରିଘେରା କରି ରଖିବାର ବିଚାର । କାଲି ଯେଉଁ ପୃଥିବୀ ଆସିବ, ସେଥିରେ ମଣିଷର ପରିବାର ଠିକ୍ ପୃଥିବୀ ପରି ବଡ଼ ହେବ । ସେହି ବଡ଼ ପରିବାରଟି ଭିତରେ ହିଁ ସିଏ ନିଜ ଦେଶକୁ ଦେଖିବ, ନିଜ ଭବିଷ୍ୟତକୁ ଦେଖିବ ଓ ନିଜକୁ ମଧ୍ୟ ଦେଖିବ । ମଣିଷର ଯୁଗ ସେତିକିବେଳେ ଆସିବ ।

 

୨୯ । ୦୫ । ୮୧

☆☆☆

 

ରାମାୟଣ ବିନା

 

ରାମାୟଣ ବିନା ଭାରତୀୟ ସଂସ୍କୃତି କଦାପି ତିଷ୍ଠି ପାରିବ ନାହିଁ ବୋଲି ଦିନ ପ୍ରାୟ ଅଧରାତିବେଳକୁ ବଡ଼ ମନ୍ତ୍ରୀ ରାମଲୀଳା ସଭାରେ କହିଲେ । ଅଧରାତି ପରେ ଯେଉଁଠାରେ ସଭା ଜମେ, ସେଠାକୁ ଲୋକମାନେ ସଂସ୍କୃତି ବିଷୟରେ ଯେତ ଶୁଣିବାକୁ ଆସି ନଥାନ୍ତି, ତା’ଅପେକ୍ଷା ଅନେକ ଉତ୍ସାହରେ ନାଟ ଦେଖି ଆସିଥାନ୍ତି । ସଂସ୍କୃତିକ ସକଳ ଶରଧା ସହିତ ଏକ ନାଟରେ ପରିଣତ କରିବା, ତାହା ଖାସ୍ ଆମ ଯୁଗର ଏକ ବିଶେଷ କରାମତି ।

 

ଭାରତୀୟ ସଂସ୍କୃତି ସବୁକିଛି ବିନା ନିଶ୍ଚୟ ତିଷ୍ଠି ରହିବ, କିନ୍ତୁ ରାମାୟଣ ବିନା କଦାପି ତିଷ୍ଠି ପାରିବ ନାହିଁ । ସାଧୁତା ବିନା ସଂସ୍କୃତି ତିଷ୍ଠି ରହି ପାରିବ; ମାତ୍ର ରାମାୟଣ ବିନା କଦାପି ତିଷ୍ଠି ରହି ପାରିବ ନାହିଁ । ଆମେ ସବୁ ବାବୁବେଶ ପିନ୍ଧି ରାସ୍ତାରେ ଲଙ୍ଗଳା ହୋଇ ନାଚିବା, କ୍ଷମତାର ଖପରାଗୁଡ଼ାକୁ ବେକରେ ମାଳକରି ପିନ୍ଧି ଦିନ ଦି’ପହରେ ଭାଲୁ ହୋଇ ବାହାରିବା, ସୀମାତିକ୍ରମ କରି ଅଯୋଗ୍ୟ ହେବା ପଛକେ, ଭାରତୀୟ ସଂସ୍କୃତ ତଥାପି ତିଷ୍ଠି ରହିବ; ମାତ୍ର ରାମାୟଣ ବ୍ୟତୀତ କଦାପି ତିଷ୍ଠି ରହିବନାହିଁ । ମଣିଷର ଇଜ୍ଜତ୍‍ ଯିବ, ରାଜନୀତିର ବେଭାରଗୁଡ଼ିକ ଲଟାରେ ଯାଇ ପଶିବେ, ଶିକ୍ଷା ନାମରେ ଅଶିକ୍ଷାର ପଗଡ଼ିମାନେ ଆକାଶରେ ଉଡ଼ିବେ ଓ ଆଚାର୍ଯ୍ୟମାନେ ଶେଠମାନଙ୍କ ପରି ଦିଶିବେ ପଛକେ, ତଥାପି ସଂସ୍କୃତି ରହିବ; ମାତ୍ର ରାମାୟଣ ବିନା ଭାରତୀୟ ସଂସ୍କୃତି କଦାପି ତିଷ୍ଠି ରହି ପାରିବ ନାହିଁ ।

 

ପ୍ରକୃତ ସଂସ୍କୃତି ଥିଲେ ରାଜାମାନେ ଆଗ ମଣିଷ ହୁଅନ୍ତି, ତା’ପରେ ଯାଇ ରାଜା ହୁଅନ୍ତି-। ସଂସ୍କୃତି ଥିଲେ ଅସାଧୁ ହେବାକୁ ଲାଜ ମାଡ଼େ, ପାଜି ହେବାକୁ ଲାଜ ମାଡ଼େ, ମଣିଷଗୁଡ଼ାଙ୍କ ଉପରେ ଘୋଡ଼ା ମଡ଼ାଇ ଦେବାକୁ ହୁଏତ ସବୁଠାରୁ ବେଶି ଲାଜମାଡ଼େ । ସଂସ୍କୃତି ଥିଲେ କୃତ୍ରିମତା କମେ, ଆଡ଼ମ୍ବର କମେ, ନବାବୀ ଦେଖାଣିଗୁଡ଼ାକ ବି ନଥାଏ । ବର୍ତ୍ତମାନ ଆମ ଦେଶରେ ଏଗୁଡ଼ାକ ସବୁ ଅଛି, ତା’ ସହିତ ଭାରତୀୟ ସଂସ୍କୃତି ମଧ୍ୟ ରହିଛି ଏବଂ ଭଗବାନଙ୍କର ଅପୂର୍ବ ବରାଦ ଅନୁସାରେ ରାତିଅଧରେ ନାଟସଭାରେ ବସି ଭାରତୀୟ ସଂସ୍କୃତିର ସ୍ମରଣ କରାଇବା ଲାଗି ଆମର ଏଠି ନାଟୁଆ ହୋଇ ବଡ଼ମଣିଷମାନେ ମଧ୍ୟ ଅଛନ୍ତି । ସ୍ଵୟଂ ରାମଚନ୍ଦ୍ରଙ୍କ ଅମଳରେ ଅଯୋଧ୍ୟାର ପ୍ରଜା ମାନେ ମଧ୍ୟ କେବେହେଲେ ଏତେବେଶି ଭାଗ୍ୟବାନ୍ ହୋଇ ରହି ନଥିବେ ।

 

୦୪ । ୦୬ । ୮୧

☆☆☆

 

ବିଧାନସଭା ଓ ଯୋଗ

 

ବିଧାନସଭାରେ ବିଧାନ ଗଢ଼ାହୁଏ । ବିଧାନ ଭଙ୍ଗା ହୁଏ ଓ ବିଧାନ ଗଢ଼ା ବି ହୁଏ । ପୁରୁଣା ବିଧାନ ଭଙ୍ଗା ହୁଏ ଓ ନୂଆ ବିଧାନ ଗଢ଼ାହୁଏ । ଏଥର ବିଧାନସଭାରେ ଯୋଗ ବିଷୟରେ ଚର୍ଚ୍ଚା ହେବ; ଯୋଗ ବିଷୟରେ ଆଇନ ହେବ । ଅଶାନ୍ତି ଭିତରେ ଶାନ୍ତି ଲାଗି ଉପାୟ ଖୋଜା ହେବ । ବିଛାମାନଙ୍କୁ ବଶ କରିବାର ମନ୍ତ୍ର ଖୋଜା ହେବ । ଭବିଷ୍ୟତକୁ ବନ୍ଧା କରି ରଖିବା ଲାଗି ବର୍ତ୍ତମାନର ପ୍ରତିନିଧିମାନେ ନୂଆ ଫର୍ମୁଲା ବାହାର କରିବେ । ସାଧୁ ସନ୍ନ୍ୟାସୀମାନଙ୍କର ଆଶୀର୍ବାଦ ଲାଭ କରି ସେମାନେ ନିଜର ବିବେକ ସହିତ ଦେଶର ବିବେକଟିକୁ ମଧ୍ୟ ବଶ କରି ରଖିବେ । ଚକଗୁଡ଼ାକ ଯେମିତି ମୋଟେ ବୁଲିନଯିବ, ସେଥିଲାଗି ସେମାନେ ଯୋଗବଳରେ ଦିଗଗୁଡ଼ିକୁ ପୂରା କିଳି ରଖିବାକୁ ପାଞ୍ଚ କରିବେ ।

 

ଭାରତବର୍ଷରେ ଯୋଗ ଅନେକ ଆଗରୁ ଥିଲା । ଏହି ବିଧାନସଭା ଗୁଡ଼ାକର ଭିଆଣ ହେବା ପୂର୍ବରୁ ଯୋଗ ଥିଲା । ଯୋଗ ଏକ ସାଧନାରୂପେ ରହିଥିଲା, ଯୋଗୀମାନଙ୍କ ଲାଗି ଏକ ଐଶ୍ୱର୍ଯ୍ୟ ହୋଇ ରହିଥିଲା । ସେହି ଯୋଗୀମାନେ ହୁଏତ କେବେହେଲେ କୌଣସି ବିଧାନସଭାକୁ ମନ କରୁନଥିଲେ । ଆମ ବିଧାନସଭା ଗୁଡ଼ାକ କେଉଁ ହରକତ ଓ କେଉଁ ଅସାମର୍ଥ୍ୟର ଦହଗଞ୍ଜରେ ପଡ଼ି ଯେ ଏବେ ଯୋଗକୁ ମନ କରିବାକୁ ପାଞ୍ଚ କଲେଣି, ସେଗୁଡ଼ାକ ଯୋଗବଳରେ ଜାଣିବା ମଧ୍ୟ ଭାରି ଦୁଷ୍କର ହୋଇପଡ଼ିବ ।

 

ଯିଏ ଯୋଗକୁ ମନ କରିବ, ସିଏ କଦାପି ବିଧାନସଭାକୁ ମନ କରିବ ନାହିଁ । ସିଏ ଜୀବନକୁ ମନ କରିବ, ମଣିଷକୁ ମନ କରିବ । ତା’ର ନିଜ ପରିଧିଗୁଡ଼ିକରୁ ବାହାରି ଡେଣା ଲଗାଇ ସିଏ କଦାପି ରାଜଧାନୀ ଯାଏ ଆସିବନାହିଁ । ଆଇନଦ୍ଵାରା ଜୀବନକୁ କଦାପି ବଦଳାଇ ହେବନାହିଁ ବୋଲି ବିଶ୍ୱାସ ପକ୍‍କା ହେଲେ ଯାଇ ଜଣେ ବ୍ୟକ୍ତି ଯୋଗକୁ ମନ କରିବ । ଆଇନ କରି ଯଦି ସମାଜକୁ ବା ତାହାର ରୀତିଗୁଡ଼ାକୁ ବଦଳାଇ ହେଉଥାନ୍ତା, ତେବେ ବୈଧାନିକମାନେ ହିଁ ଇତିହାସରେ ଶ୍ରେଷ୍ଠ ଯୋଗୀ ବୋଲି ସାବ୍ୟସ୍ତ ହୋଇଥାନ୍ତେ । ଚାଣକ୍ୟ ଯୋଗୀରାଜା ବନିଥାଆନ୍ତେ-। ସ୍ଵୟଂ ପାତଞ୍ଜଳି ମଧ୍ୟ ହୁଏତ ଆପଣାର ବିଶ୍ୱାସ ବଦଳାଇ ନେପୋଲିଅନଙ୍କର ଟିଉସନ-ମାଷ୍ଟର ହୋଇ ଆସିଥାନ୍ତେ ।

 

ବିଧାନସଭା ବିଧାନସଭାର କାର୍ଯ୍ୟ କରୁ । ଯୋଗ ଯୋଗର କାର୍ଯ୍ୟ କରିବ । ବିଧାନୀମାନେ ଯୋଗକୁ ନେଇ ଆପଣା ଗୁହାଳରେ ବାନ୍ଧିରଖିବାକୁ ମନକଲେ କେବଳ ନିଜେ ବିଡ଼ମ୍ବିତ ହେବା ହିଁ ସାର ହେବ । ଅଭିପ୍ରେତ ଚକଗୁଡ଼ିକ ତଥାପି ବୁଲିଯାଉଥିବ ।

 

୨୦ । ୦୬ । ୮୧

☆☆☆

 

ଅତ୍ୟାଧୁନିକ ସହର

 

ଭୁବନେଶ୍ୱର ଅଚିରେ ଏକ ଅତ୍ୟାଧୁନିକ ସହର ହୋଇ ତିଆରି ହେବ ବୋଲି ସରକାରୀ କର୍ତ୍ତାମାନେ ମନ୍ତ୍ରଣା କରି ଠିକ୍ କରିଛନ୍ତି । ପ୍ରାଚୀନ ସହର ଭୁବନେଶ୍ୱର ଏକଦା ନୂଆ ରାଜଧାନୀରେ ପରିଣତ ହୋଇଥିଲା । ଗତ କେତେ ବର୍ଷ ଭିତରେ ନୂଆ ରାଜଧାନୀ ନିପଟ ପୁରୁଣା ହୋଇ ଯାଇଥିଲେ ମଧ୍ୟ ଏବେ ବି ଅନେକ ଲୋକ ଏପଟ ଭୁବନେଶ୍ୱରଟାକୁ ନୂଆ ରାଜଧାନୀ ବୋଲି ବୁଝନ୍ତି । ଖୁବ୍‍ ସମ୍ଭବ, ସେହି ନୂଆ ରାଜଧାନୀଟି ହିଁ ଏଥର ଅତ୍ୟାଧୁନିକ ହୋଇ ତିଆରି ହେବ ।

 

ଆମ ଦେଶରେ ନାନା ସାମାଜିକ ଓ ଅସାମାଜିକ କାରଣ ହେତୁ ଆଧୁନିକ ଜୀବନ କହିଲେ ବାବୁମାନଙ୍କର ଜୀବନକୁ ବୁଝାଏ । ଆଧୁନିକ ସୁଖସ୍ୱାଚ୍ଛନ୍ଦ୍ୟ କହିଲେ ବାବୁମାନଙ୍କର ସୁଖସ୍ୱାଚ୍ଛନ୍ଦ୍ୟକୁ ବୁଝାଏ । ଆଧୁନିକ ସଂସ୍କୃତି କହିଲେ ବାବୁମାନଙ୍କର ସଂସ୍କୃତିକୁ ବୁଝାଏ । ଆଧୁନିକ ସାହିତ୍ୟ କହିଲେ ଅଧିକତର ସ୍ଥଳରେ ବାବୁମାନ କରୁଥିବା ଓ ଚରୁଥିବା ସାହିତ୍ୟକୁ ବୁଝାଏ । ଅର୍ଥାତ୍ ଆଧୁନିକତା କହିଲେ ପ୍ରାୟ ଏକ ଆଧୁନିକ ସାମନ୍ତବାଦକୁ ବୁଝାଏ । କହିବା ବାହୁଲ୍ୟ, ଭୁବନେଶ୍ୱରକୁ ଏକ ଅତ୍ୟାଧୁନିକ ସହର କରି ଗଢ଼ିବା ବିଷୟରେ ଯେଉଁ ନୂଆ ଖିଆଲ ବାହାରିଛି, ତାହା ବିଶୁଦ୍ଧ ଭାବରେ ସାମନ୍ତମାନଙ୍କର ମଥାରୁ ହିଁ ବାହାରିଛି ।

 

ଭାରତବର୍ଷରେ ସହରଗୁଡ଼ାକର କାହାଣୀ ଏକ ବିଚିତ୍ର କାହାଣୀ । କେତେକ ଅସ୍ୱାଭାବିକ କାରଣରୁ ଯେଉଁଠାରେ ଲୋକମାନଙ୍କର ଭିଡ଼ଟା ହଠାତ୍ ଅତ୍ୟଧିକ ପରିମାଣରେ ବୃଦ୍ଧିପାଏ, ଭାରତବର୍ଷରେ ସେହିଠାରେ ଏକ ସହରର ସୃଷ୍ଟି ହୋଇଯାଏ । ପ୍ରାୟ ବାଧ୍ୟ ହେଲାପରି ଏଗୁଡ଼ାକର ସୃଷ୍ଟି ହୁଏ । ତେଣୁ ଆମ ଦେଶରେ ସହରର ଜୀବନ କହିଲେ ପ୍ରଧାନତଃ ଏକ ବିଚିତ୍ର କିସମର ଧର୍ମଶାଳାର ଜୀବନକୁ ବୁଝାଏ; ଯୋଉଠି କେହି କାହାରିକୁ ପଚାରେ ନାହିଁ; ଅଥଚ ଭୋଗ ଓ ବିଳାସର ନଈ ଛୁଟୁଥାଏ । ବଡ଼ କୋଠାମାନ ତିଆରି ହୁଏ । ଭାତ କୁଢ଼ାଇ ଖାଇହେବାଭଳି କଳା ମୁଗୁନିପଥର ପରି ଚକଚକ ପାଲିଶ ରାସ୍ତାମାନ ତିଆରି ହୁଏ, ଆନନ୍ଦ କରିବାଲାଗି ଓ ପଇସା ବିଞ୍ଚିବାଲାଗି ଭଳିକୁଭଳି ବଜାର ବସେ, ଭଳିକୁଭଳି ବଜାରୀ ବାହାରନ୍ତି; କିନ୍ତୁ ମଣିଷ କେଉଁଠି ହେଲେ ନଥାନ୍ତି ।

 

ଭୁବନେଶ୍ୱର ତୁମ ରାଜଧାନୀ ହୋଇଥିଲେ ମଧ୍ୟ ସେଠାରେ ତଥାପି ମଣିଷ ଅଛନ୍ତି । ସେମାନେ ତୁମ ବାସନ ମାଜୁଛନ୍ତି, ତୁମକୁ ଚାହା କରିଦେବେ ବୋଲି ସକାଳୁ କୋଇଲା ଭାଙ୍ଗି କୁହୁଳା ପକାଉଛନ୍ତି, ରାସ୍ତାକଡ଼ରେ ପଲାମାରି ଟୋକେଇ ତଲେଇ ବୁଣୁଛନ୍ତି, ତୁମଲାଗି ରିକ୍‍ସା ଚଲାଉଛନ୍ତି । କେବେ ସେମାନଙ୍କର ମଧ୍ୟ ସମୟ ଆସିବ ବୋଲି ସେମାନେ ତାବଦା ହୋଇ ଦିନରାତି ବିତାଉଛନ୍ତି ଓ ଅପେକ୍ଷା କରି ରହିଛନ୍ତି । ତୁମ ଅତ୍ୟାଧୁନିକ ସହରର ମାନଚିତ୍ରରେ ତୁମେ ସେମାନଙ୍କ ଲାଗି ଥାନ ରଖିବଟି ? ତୁମ ସହର ବଜାର, ମଉଜ ଆଉ ଆରାମର ଯୋଜନା ଭିତରେ ତୁମେ ସେମାନଙ୍କୁ ବି ମଣିଷ ବୋଲି ଗଣିବ ତ ?

 

୨୫ । ୦୬ । ୮୧

☆☆☆

 

ରଜାମାନେ ଅମର ରହିବେ

 

ଏହି ଦେଶରେ ରଜାମାନେ ନିଶ୍ଚୟ ଅମର ରହିବେ । ସେମାନେ କାଳକାଳରୁ ଅଛନ୍ତି ଏବଂ କାଳକାଳକୁ ମଧ୍ୟ ରହିବେ । ମଣିଷ ତା’ନିଜ ଭିତରେ ନିଜକୁ ଛୋଟ ବୋଲି ଦେଖୁଥିବା ପର୍ଯ୍ୟନ୍ତ ବାହାରେ ଆପଣାକୁ କେତେ କେତେ ଉପାୟରେ ରଜା ବୋଲି ଦେଖାଇହେବାକୁ ଚେଷ୍ଟା କରୁଥିବ ଏବଂ ତା’ପାଇଁ ବେହରଣ ରଣ ଖଟି ଉଲ୍ଲାସ ଅନୁଭବ କରିବାକୁ ଯୁଗେ ଯୁଗେ ଆପଣାକୁ ନାନା କାରଣରୁ ଛୋଟ ମନେକରୁଥିବା ବୃହତ୍ ଲାଙ୍ଗୁଳବିଶିଷ୍ଟ ଗୁଣୀମାନେ ବି ରହିଥିବେ । ଶଠମାନଙ୍କ ସହିତ ଶାଠ୍ୟ କାଳେ କାଳେ ରହିଥିବ । ସାହିତ୍ୟସଭାଗୁଡ଼ାକ ଭାରି ଚମତ୍କାର ଭାବରେ ଶଠସଭା ହୋଇ ରହିଥିବ । ରମଣ କରିବାଲାଗି ହୁଏତ ସାମର୍ଥ୍ୟ ନଥିବ, ତଥାପି ରମଣସାମଗ୍ରୀଗୁଡ଼ାକ ଚତୁର୍ଦ୍ଦଶ ବର୍ଗରେ ସଜା ହୋଇ, ଫେର ଟେକା ହୋଇ ରହିଥିବ ।

 

ଓଡ଼ିଶାରେ ଆଗେ କୁଆଡ଼େ ଖାଲି ରଜାମାନଙ୍କ ସକାଶେ ହିଁ ସାହିତ୍ୟ ରହିଥିଲା । ଆମ ଏହି ଶତାବ୍ଦୀର ଆରମ୍ଭରେ କବିବର ରାଧାନାଥ ରାୟ ଓଡ଼ିଶାରେ ସାହିତ୍ୟର ଉପକାର କରିବାକୁ ଚାରିଟା ଛଅଟା ରଜା ମହଜୁଦ ରହିଥିଲେ ସାହିତ୍ୟ ଅଗ୍ରଗତି କରିନଥାନ୍ତା ବୋଲି କେତେ ଖେଦ ପ୍ରକାଶ କରିଛନ୍ତି । ଓଡ଼ିଶାର ଭାଗ୍ୟ ଯେ ଭାରତବର୍ଷ ସ୍ଵାଧୀନତା ପାଇବାପରେ ଏଠି ଯାବତୀୟ ଗୁଣର କର୍ଷଣଗୁଡ଼ାକ ମୁଖ୍ୟତଃ ରାଜ– ଆଶ୍ରିତ ହୋଇ ରହିଛି । ଯାହାର ପଇସା ଅଛି, କ୍ଷମତା ଅଛି, ଗାଦୀ ଅଛି ବା କିଛି ନହେଲେ ମୁହଁଟାଏ ବି ଅଛି, ତାହାରି ଆଶ୍ରା କରି ଦରବାରରେ ଥରେ ଚନ୍ଦନ ବୋଳି ହୋଇ ବସିଆସିଲେ ଆମ ସାହିତ୍ୟ ଭିତରେ ରହିଥିବା ଯାବତୀୟ ଜରା ଅନ୍ତତଃ ଘଡ଼ିକଲାଗି ଭେଣ୍ଡା ପାଲଟିଯାଉଥିବା ପରି ଅନୁଭବ କରୁଛି । ସେହି ଘଡ଼ିକର ଅଲିଅଳ ଭିତରେ ଜରାସନ୍ଧଗୁଡ଼ାକ ମଧ୍ୟ ଜୀଅନ୍ତା ଦୁଷ୍ମନ୍ତଙ୍କ ପରି ଦେଖାଯାଉଛନ୍ତି । ମାଣିକ ଗଉଡୁଣୀ ଜଗନ୍ନାଥଙ୍କ ଗୋଡ଼ ଅଗକୁ ନିଜ ବକ୍ଷୋଜରେ ଲଗାଇ କାମଭକ୍ତିର ଅନୁଗ୍ରହ ପାଇଥିଲା ପରି ଆମ ସାହିତ୍ୟିକମାନେ ଅନ୍ତତଃ ଦଣ୍ଡକଲାଗି ମୋହ ହୋଇ ଆସିପାରୁଛନ୍ତି ।

 

ଏହି ରଜାମାନେ ସବୁଦିନେ ରହିବେ । ଏହି ରଜାମାନେ ସବୁଦିନେ ରହି ଥାଆନ୍ତୁ । ଆମେ ଟିକିଏ ପାଣି ପାଉଥାଉ ।

 

୨୮ । ୦୬ । ୮୧

☆☆☆

 

ଆମକୁ କିଏ ପଚାରେ ?

 

ବନ୍ଧୁ କହୁଥାନ୍ତି, ମୁଁ ଶୁଣୁଥାଏ । ପୂଜ୍ୟ–ପୂଜାର ଏକ ମାମଲତକାରିଆ ବରାଦରେ ସିଏ ସେଦିନ ଗାଡ଼ିରେ ବସି ମହାପୁରୁଷଙ୍କର ପୀଠକୁ ଯାଇଥିଲେ । ସିଏ ମୁଖ୍ୟବକ୍ତା ହୋଇ ଯାଇଥିଲେ-। ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ହୋଇ ଯେଉଁମାନେ ଯାଇଥିଲେ, ସେମାନେ ତାଙ୍କ କାଟର ନୁହନ୍ତି । ଅର୍ଥାତ୍ ସେମାନେ ବକ୍ତା ହିସାବରେ କିଛି କହିବେ ନାହିଁ; ବିଷୟ ଉପରେ ବି କିଛି କହିବେ ନାହିଁ । ସେମାନେ ଯାହା କହିବେ, ତାହାକୁ ହିଁ ଅମୃତତୁଲ୍ୟ ଗ୍ରହଣ କରାଯିବ । ସେମାନେ ମନ୍ତ୍ରୀ, ସେମାନେ ନେତା, ସେମାନେ ହାକିମ; ସେମାନେ ମହାପୁରୁଷମାନଙ୍କଠାରୁ ଅନେକ ଅଧିକ ବଡ଼-। ମଣ୍ଡଣିଗୁଡ଼ାକ ମୁଖ୍ୟତଃ ସେହି ମାନଙ୍କ ପାଇଁ ହୋଇଥିଲା । ଗାଆଁର ସ୍ଥାନୀୟ ସଂସ୍କୃତିପ୍ରେମୀ ଧୁରନ୍ଧରମାନେ ମୁଖ୍ୟତଃ ସେହିମାନଙ୍କୁ ଡାକିବାର ବରାଦରେ ମହାପୁରୁଷଙ୍କ ପୀଠରେ ଏତେ ଆୟୋଜନ କରିଥିଲେ ।

 

ସଭା ହେଲା । ମନ୍ତ୍ରୀମାନେ ସଚରାଚର ଯେଉଁପରି ସଭା କରନ୍ତି, ଠିକ୍‍ ସେହିଭଳି ଏକ ସଭା । ମଣିଷମାନେ ମନ୍ତ୍ରୀଙ୍କୁ ଦେଖି ମହାପୁରୁଷଙ୍କୁ ଭୁଲିଗଲାପରି ମନେହେଉଥାନ୍ତି । ସଭାମଞ୍ଚ ଉପରକୁ ବାବୁମାନେ ବିଜେହୋଇ ଯିବାପରେ ସଭାର କାର୍ଯ୍ୟ ଆରମ୍ଭ ହେଲା । ଫୁଲମାଳ ପଡ଼ିଗଲା । ସ୍ଵାଗତ ବନ୍ଦନା କରାହେଲା । ସେତେବେଳେ ମୁଖ୍ୟବକ୍ତାଙ୍କୁ ଆଉ କିଏ ମନେରଖୁଛି ? ମୁଖ୍ୟବକ୍ତା ତଥାପି ଆତ୍ମସ୍ଥ ହୋଇ ଓ ଯଥାସମ୍ଭବ ପ୍ରକୃତିସ୍ଥ ରହି ଜନତାଙ୍କ ମେଳରେ ନିଜ ଲାଗି ଖଣ୍ଡ କୋଣ ବାଛିନେଇ ସେଇଠି ବସିଥାନ୍ତି । ଜଣେ ମନ୍ତ୍ରୀ କହିଲେ, ଆଉ ଜଣେ ମନ୍ତ୍ରୀ କହିଲେ । ସେମାନେ କରତାଳିଗୁଡ଼ାକ ଉପରେ ଭରାଦେଇ ବସିସାରିବା ପରେ ହଠାତ ବରକନ୍ଦାଜମାନଙ୍କ ଭିତରୁ ଜଣେ ଅନ୍ଦାଜିଆ କରି ପଚାରିଲେ, “ଜଣେ ମୁଖ୍ୟବକ୍ତା ଆସିଥିଲେ ପରା ? ସିଏ କୁଆଡ଼େ ଗଲେ ? ତାଙ୍କୁ ଡାକ । ମୁଖ୍ୟ ବକ୍ତାଙ୍କର ଖୋଜା ପଡ଼ିଲା । ସିଏ ଆବିର୍ଭୂତ ହେଲେ ଏବଂ ଯନ୍ତ୍ର ଉପରେ ମୁହଁଟାକୁ ପୋତିଦେଇ ଭାଷଣ ଆରମ୍ଭ କଲେ । ଯେତେବେଳେ ମନ୍ତ୍ରୀମାନେ ହଠାତ୍ ହୃଦୟଙ୍ଗମ କଲେ ଯେ ସେମାନଙ୍କ ପାଖରେ ଆଉ ସମୟ ନାହିଁ । ସେମାନେ ସେହି ଅନୁସାରେ ଜନତା ଉଦ୍ଦେଶ୍ୟରେ ନିଜ ନିଜର ଦଇନି ଜଣାଇ ଯୋଡ଼ହସ୍ତ ହୋଇ ସଭାମଞ୍ଚ ତ୍ୟାଗ କଲେ । ସଭାର ଅଧେ ମଣିଷଙ୍କୁ ସେମାନେ ସେମାନଙ୍କ ପଛରେ ଟାଣିନେଲେ । ସଭାର ଅଭିଭାବକମାନେ ମଧ୍ୟ ମୁଖ୍ୟବକ୍ତାଙ୍କୁ ମହାପୁରୁଷଙ୍କ ଜିମା ଛାଡ଼ିଦେଇ ମନ୍ତ୍ରୀମାନଙ୍କ ପଛରେ ଦଉଡ଼ିଲେ ।

 

ବନ୍ଧୁ ଉପସଂହାର କରି କହିଲେ, “ଯୋଉଠି ଏତେ ବଡ଼ ବଡ଼ ମଣିଷଙ୍କୁ ଡକାଯାଇଥିଲା, ସେଠି ଆମକୁ କିଏ ପଚାରେ ?”

 

୨୯ । ୦୬ । ୮୧

☆☆☆

 

ଗୀତା ଓ ସାମ୍ୟବାଦ

 

କୃଷ୍ଣଙ୍କର ଚରଣରେ ସକଳ ତୀର୍ଥ ବିଦ୍ୟମାନ ରହିଥିବାରୁ ଭକ୍ତ ଉଦ୍ଧବ ଆଉ ବଦରିକାଶ୍ରମକୁ ମନକଲେ ନାହିଁ ବୋଲି ପୁରାଣରେ ଏକ ଉପାଖ୍ୟାନରେ କଥା ରହିଛି । ଗୀତାରେ ଗୋଟାସୁଦ୍ଧା ସାମ୍ୟବାଦ ରହିଛି, ତେଣୁ ସାମ୍ୟବାଦ ବୋଲି ଆଉ କୌଣସି ପଦାର୍ଥକୁ ମନକରିବା ଲାଗି ଆଉ ମୋଟେ କୌଣସି ପ୍ରୟୋଜନ ନାହିଁ ବୋଲି ଆମର ବଡ଼ମାନେ ପ୍ରାୟ ସେହିପରି ଏକ ପ୍ରେରଣା ଦ୍ୱାରା ପ୍ରେରିତ ହୋଇ କହିଥାନ୍ତି ଓ ତା’ପରେ ସତେ ଅବା ପୂର୍ଣ୍ଣକାମ ହୋଇ ଶୋଇବାକୁ ଯାଆନ୍ତି ।

 

ମଣିଷକୁ ଶୀତଳ କରି ରଖିବାର କ୍ଷେତ୍ରରେ ଯୁଗେ ଯୁଗେ ଧର୍ମଶାସ୍ତ୍ରଗୁଡ଼ାକର ଅନେକ ଅବଦାନ ରହିଛି । ଗୀତା ଭିତରେ ଆମକୁ ଶୀତଳ ଓ ଆତ୍ମସନ୍ତୁଷ୍ଟ କରି ରଖିବା ଭଳି କୌଣସି ମସଲା ପ୍ରକୃତରେ ଥାଉ ବା ନଥାଉ; କିନ୍ତୁ ଏହି କଥାଟି ଏକାନ୍ତଭାବରେ ସତ ଯେ ଆମ ସମସ୍ତଙ୍କୁ ଯଥାସମ୍ଭବ ଅଧିକ କାଳ ପର୍ଯ୍ୟନ୍ତ ଶୀତଳ କରି ରଖିବା ପାଇଁ ଆମ ଦେଶର ଚତୁରମାନେ ଗୀତାଦି ଅନେକ ଶାସ୍ତ୍ରକୁ ଭାରି ସଫଳତାର ସହିତ ବ୍ୟବହାର କରିଛନ୍ତି । ଗୀତାର କଥା ପଡ଼ିଲେ ଯେଉଁମାନଙ୍କର ସବାଆଗ ସାମ୍ୟବାଦ କଥା ମନେ ପଡ଼େ ଏବଂ ସାମ୍ୟବାଦର ପ୍ରସଙ୍ଗ ପଡ଼ିଲେ ଯେଉଁମାନେ ଆଗ ଗୀତାକୁ ସ୍ମରଣ କରନ୍ତି, ସେମାନଙ୍କୁ ପ୍ରକୃତରେ ମହାମାନବ ବୋଲି କହିବାକୁ ହେବ । ଏମାନେ ପ୍ରକୃତରେ ଗୀତାରେ ନଥାନ୍ତି କି ସାମ୍ୟବାଦରେ ମଧ୍ୟ ନଥାନ୍ତି । ସାମ୍ୟବାଦକୁ ଡରୁଥାନ୍ତି ଏବଂ ଗୀତାକୁ ପୂଜା କରୁଥାନ୍ତି; ଅଥବା ସାମ୍ୟବାଦକୁ ଡରୁଥାନ୍ତି ବୋଲି ସେମାନେ ଗୀତାକୁ ପୂଜା କରୁଥାନ୍ତି ଓ ଗୀତାର ଉଲୁଗୁଣା ଦେଇ ସଂସାରଯାକକୁ ଶୀତଳ କରି ରଖିବେ ବୋଲି ବାହାରିଥାନ୍ତି ।

 

ଏ ଦେଶରେ ସାମ୍ୟବାଦର ପ୍ରତିଷ୍ଠା କରାଇବେ ବୋଲି ଯେଉଁ କର୍ତ୍ତାମାନେ ଏକଦା କ୍ଷମତା ଭିତରେ ପଶିଥିଲେ, ସେମାନେ ସାମ୍ୟବାଦକୁ ଭୁଲିଲେ ଓ ସାମନ୍ତ ହୋଇ ରହିଲେ । ଏବେ ସେହିମାନେ ହିଁ ଆମ ସଂସ୍କୃତି ସଭାମାନଙ୍କରେ ବସି ଗୀତା କଥା କହୁଛନ୍ତି, ଗୀତା ଭିତରେ ସାମ୍ୟବାଦ ରହିଛି ବୋଲି କହି ଆମକୁ ଭଣ୍ଡାଇବାକୁ ଚେଷ୍ଟା କରୁଛନ୍ତି । ଆମକୁ ଗଞ୍ଜାଇ ଖୁଆଇ ମଣକରି ରଖୁଛନ୍ତି । ଗୋଟାଏ ଦେଶ ପାଇଁ, କୋଟି କୋଟି ମଣିଷଙ୍କ ପାଇଁ ରାଜନୀତି ଏବଂ ରାଜ୍ୟ-ଶାସନ ଜରିଆରେ ଯେଉଁ ସାମ୍ୟବାଦ ପ୍ରତିଷ୍ଠା କରିବାର କଳ୍ପନା କରାଯାଇଛି, ଗୀତାର ଭଉଁରି ବୁଲାଇ ଆମକୁ ସେହି ସାମ୍ୟବାଦକୁ କେହି ଆଣିଦେଇ ପାରିବେ ନାହିଁ । ସାମନ୍ତ ସବୁକାଳେ ସାମ୍ୟବାଦର ଅଯୋଗ୍ୟ ହୋଇ ରହିଥିବେ ଏବଂ ଗୀତାର ମଧ୍ୟ ଅଯୋଗ୍ୟ ହୋଇ ରହିଥିବେ । ଗୀତାର ମାଧ୍ୟମରେ କଦାପି ସାମ୍ୟବାଦ ଆସିବ ନାହିଁ, କିନ୍ତୁ ସାମନ୍ତମାନେ ଯାଇ ଆମ ଦେଶରେ ମଣିଷର ଶାସନ ସମ୍ଭବ ହେଲେ ଆମେ ଗୀତାକୁ ମଧ୍ୟ ନୂତନ ମୂଲ୍ୟ ଦେଇ ବୁଝିବାର ଯୋଗ୍ୟ ହୋଇପାରିବା । ସେଦିନ ଯାଇ ଆମେ ଆମର ଅସଲ ମାଟିଟିକୁ ବୁଝିବା; ଅସଲ ଆକାଶଗୁଡ଼ିକୁ ମଧ୍ୟ ବୁଝିବା ।

 

୧୬ । ୦୭ । ୮୧

☆☆☆

 

ପିତାମାତାଙ୍କ ସମ୍ମତି ବିନା

 

ବିଶ୍ୱବିଦ୍ୟାଳୟର ବେଢ଼ା ଭିତରେ ଯାହା ପଢ଼ାଯାଏ, ତାହାକୁ ସ୍ନାତକୋତ୍ତର ପାଠ ବୋଲି କହନ୍ତି । ଏହି ପାଠକୁ କେବଳ ଛାତ୍ରମାନେ ନୁହନ୍ତି, ଛାତ୍ରୀମାନେ ମଧ୍ୟ ପଢ଼ନ୍ତି । ସେମାନଙ୍କୁ ନେଇ ପ୍ରସ୍ତୁତ କରାଯାଇଥିବା ଏକ ସର୍ବେକ୍ଷଣରୁ ଏବେ ଜଣାଯାଇଛି ଯେ, ଓଡ଼ିଶାରେ ସ୍ନାତକୋତ୍ତର ପାଠ ପଢ଼ୁଥିବା ଝିଅମାନେ ପିତାମାତାଙ୍କ ସମ୍ମତି ବିନା ବିବାହ କରିବାକୁ ମୋଟେ ଇଚ୍ଛା କରନ୍ତି ନାହିଁ; ତେଣୁ ବାପମାଆ ସେମାନେ ଯେଉଁଠାରେ ଅର୍ଥାତ୍ ଯାହାକୁ ବିବାହ କରନ୍ତୁ ବୋଲି ଇଚ୍ଛା କରିବେ, ଆମ ପାଠୋଈ ଝିଅମାନେ ସେହିଠାରେ ଅର୍ଥାତ୍ ସେହି ବ୍ୟକ୍ତିଙ୍କୁ ବିବାହ କରିବାକୁ ହିଁ ସବୁଠାରୁ ଅଧିକ ନିରାପଦ ବୋଲି ମନେକରନ୍ତି ।

 

ଏଇଟା ଜଣାଶୁଣା କଥା ଯେ, ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ରୀମାନେ ସାଧାରଣତଃ ଯେଉଁ ଭାତହାଣ୍ଡିର, ଶହେରୁ ନବେଜଣ ଓଡ଼ିଆ ଝିଅ ମୋଟେ ସେହି ଭାତହାଣ୍ଡିର ନୁହନ୍ତି । ଓଡ଼ିଶାର ଆଦିବାସୀ ସମାଜର ଝିଅମାନଙ୍କୁ ନେଇ ଏହି ସର୍ବେକ୍ଷଣଟି କରାଯାଇଥିଲେ ଆମକୁ ହୁଏତ ଅନ୍ୟପ୍ରକାର ତଥ୍ୟ ମିଳିଥାନ୍ତା । ତେଣୁ ଏହାକୁ ହିଁ ସବୁ ଓଡ଼ିଆ ଝିଅଙ୍କର ସାଧାରଣ ମତ ବୋଲି କଦାପି କୁହାଯାଇପାରିବନାହିଁ । ବିଶ୍ୱବିଦ୍ୟାଳୟ ସ୍ତରରେ ପାଠ ପଢ଼ୁଥିବା ଝିଅମାନଙ୍କୁ ପଚାରି ବୁଝିଲେ ହୁଏତ ନିଶ୍ଚୟ ଜଣାପଡ଼ିବ ଯେ, ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ପିତାମାତାଙ୍କର ସମ୍ମତିରେ ହିଁ ପାଠ ପଢ଼ିବାକୁ ଆସନ୍ତି, ସେହି ପିତାମାତାଙ୍କର ସମ୍ମତି ଅନୁସାରେ ପାଠ ଛାଡ଼ନ୍ତି ଏବଂ ପୂର୍ଣ୍ଣ ସମାରୋହରେ ପିତାମାତାଙ୍କର ସମାଜଗତ ସ୍ଥାନ ଓ ସମ୍ମାନ ଅନୁସାରେ ହିଁ ସେମାନଙ୍କର ଠାବ ଓ ନିର୍ଦ୍ଦେଶ ଅନୁସାରେ ବାହା ହେବାକୁ ମଧ୍ୟ ଯାଆନ୍ତି ।

 

ଆମ ଝିଅମାନେ ପାଠ ପଢ଼ିବାର ଫେଶନ ଚଳିବା ପୂର୍ବରୁ ସେମାନେ ମୂଲ୍ୟଦୃଷ୍ଟିର ସ୍ତରରେ ଯେମିତି ଥିଲେ, ବର୍ତ୍ତମାନ ପାଠ ପଢ଼ିବାର ଫେଶନ ଚଳିବା ପରେ ମଧ୍ୟ ପ୍ରାୟ ଗୋଟାସୁଦ୍ଧା ସେମିତି ହୋଇ ରହିଛନ୍ତି । ଆମ ସମାଜର ପୁରୁଖା ଏବଂ ପ୍ରବୀଣମାନେ ସବୁଦିନ ସର୍ବପ୍ରଥମେ ନିରାପଦ ଜୀବନର କାମନା କରୁଥିଲେ । ଏବେ ମଧ୍ୟ ମୂଳତଃ ସେଇଆ କରୁଛନ୍ତି । ପାଠ ଯେ ମଣିଷକୁ ଅଧିକ ସାହସର ଯୋଗ୍ୟ କରାଏ, ଅଧିକ ଦାୟିତର ଯୋଗ୍ୟ କରାଏ ଓ ଅଧିକ ପୁରୁଷାର୍ଥର ଯୋଗ୍ୟ କରାଏ; ସେ କଥା ଆମ ଦେଶର ପାଠୁଆ ପୁଅମାନେ ଯେତେବେଳେ ବୁଝିପାରିନାହାନ୍ତି, ସେତେବେଳେ ଝିଅମାନଙ୍କ କଥା ପୁଣି କିଏ ପଚାରୁଛି ? ତେଣୁ ପାଠୁଆମାନେ ସବାଆଗ ଭଲରେ ରହିବାକୁ ଇଚ୍ଛା କରୁଛନ୍ତି । ମଉଜ କରିବାବେଳେ ସେମାନେ ଆପଣାକୁ ଯେଡ଼େ ସ୍ଵାଧୀନ ବୋଲି ମନେକରୁଥିଲେ ମଧ୍ୟ ଜୀବନର ଯାବତୀୟ ନିଷ୍ପତ୍ତି ଗ୍ରହଣ କରିବା ସମୟରେ ସେମାନେ ଆଉ କାହା ଉପରେ ନିର୍ଭର କରିବାକୁ ହିଁ ନିରାପଦ ମଣୁଛନ୍ତି । ବିଜ୍ଞତା ବୋଲି ମଣୁଛନ୍ତି ।

 

୧୭ । ୦୭ । ୮୧

☆☆☆

 

ସତେଇଶି ହଜାର ଗାଆଁ

 

ଓଡ଼ିଶା ରାଜ୍ୟର ସତେଇଶିହଜାର ଗାଆଁରେ ମଣିଷଙ୍କ ଲାଗି ଏ ପର୍ଯ୍ୟନ୍ତ ପିଇବା ପାଣିର ବ୍ୟବସ୍ଥା ହୋଇନାହିଁ ବୋଲି ସରକାର ହିସାବ ଏକାଠି କରି କହିଛନ୍ତି । ଏସବୁ ଗାଆଁର ଲୋକମାନେ ନିଶ୍ଚୟ ଭୋଟ ଦେଉଥିବେ, ଏମାନଙ୍କର ନିର୍ବାଚିତ ପ୍ରତିନିଧିମାନେ ନିଶ୍ଚୟ ଭୁବନେଶ୍ୱରକୁ ଆସି ନାନା ମାମଲତ କରୁଥିବେ । ତଥାପି ଯେଉଁ ଲୋକମାନେ ସେମାନଙ୍କୁ ପାଦୁକା ପିନ୍ଧାଇ ରାଜଧାନୀଯାଏ ପଠାଇଛନ୍ତି, ସେମାନଙ୍କର ଗାଆଁରେ ଯେ ଏପର୍ଯ୍ୟନ୍ତ ପିଇବା ପାଣିର ବ୍ୟବସ୍ଥା ହୋଇନାହିଁ, ସେକଥା ସେହି ପ୍ରତିନିଧିମାନଙ୍କୁ ଜଣା ଅଛି କି ନାହିଁ କେଜାଣି ?

 

ଯେଉଁସବୁ ଗାଆଁକୁ ଏପର୍ଯ୍ୟନ୍ତ ପିଇବା ପାଣି ଯାଇନାହିଁ, ସେସବୁ ମୁଖ୍ୟତଃ ନିଶ୍ଚୟ ଯେ ହରିଜନ ଓ ଆଦିବାସୀ ଗାଆଁ ହୋଇଥିବେ, ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ । ଆମ ସମାଜର ପୁରୁଣା ସଂସ୍କାର ହରିଜନ ଓ ଆଦିବାସୀଙ୍କୁ ନିତି ଯାହା କରି ରଖିଆସିଥିଲା, ଏବେ ଆମେ ସ୍ୱାଧୀନତା ଲାଭ କରିବାର ଚଉତିରିଶି ବର୍ଷ ପରେ ମଧ୍ୟ ସେମାନଙ୍କୁ ପ୍ରାୟ ସେଇଆ କରିରଖିଛି ଓ ପ୍ରାୟ ସେହି ଆଖିରେ ଦେଖୁଛି । ହରିଜନ ଓ ଆଦିବାସୀଙ୍କର ପ୍ରତିନିଧି ହୋଇ ଯେଉଁମାନେ ଶାସନ ଭିତରକୁ ଆସିଥିଲେ, ଖାସ୍ ସେହିମାନଙ୍କର ବୋଝକୁ ମୁଣ୍ଡରେ ଧରି ଆସିଥିଲେ, ସେମାନେ ଇତିମଧ୍ୟରେ ବାବୁ ହୋଇସାରିଲେଣି, ଆପଣାକୁ ଶୁଦ୍ଧ କୁହାଇଲେଣି, ସଭ୍ୟ ବି କୁହାଇଲେଣି । ସେମାନେ ଆପଣା ମୋକ୍ଷର ବିଧାନ କରି ସମ୍ପନ୍ନତାର ସ୍ଵର୍ଗ ଭିତରକୁ ଉଠିଆସିଲେଣି । ସେମାନଙ୍କ ତାଲୁକା ବା ମୁଠାରେ କେଉଁଠି କୋଉ ଅଧମମାନଙ୍କୁ ପିଇବା ପାଣି ମିଳୁଛି କି ନାହିଁ, ସେମାନେ ତାହାର ହିସାବ ରଖିବାର ହୃଦୟଟିକୁ କାଳକ୍ରମେ ହରାଇବସିଲେଣି । ଆଦିବାସୀ ଓ ହରିଜନଙ୍କ ପାଇଁ ଅଣଆଦିବାସୀ ଓ ଅଣହରିଜନ ନେତୃତ୍ୱ ଖରଚ କରୁଥିବା କୋଟି କୋଟି ଟଙ୍କାକୁ ଜଳଯାଏ କଦାପି ଯିବାକୁ ନଦେବାର ଚକ୍ରାନ୍ତରେ ସେମାନେ ନିମିତ୍ତ ପରି କାର୍ଯ୍ୟ କରୁଛନ୍ତି ।

 

ରାଜନୀତିର ଘୋଷଣାପତ୍ରରେ ଆମ ଦେଶରେ ସବୁ ମଣିଷକୁ ମଣିଷ ବୋଲି ଗ୍ରହଣ କରାଯାଇସାରିଥିଲେ ମଧ୍ୟ ଆମ ନେତୃତ୍ୱର ଅସଲ ସଂସ୍କାରସ୍ଥାନଗୁଡ଼ିକରେ ଏବେ ମଧ୍ୟ ପୂର୍ବର ସେହି ନୃଶଂସତାଗୁଡ଼ିକ ଭାରି ଟାଣ ହୋଇ ରହିଛି । ସାନ ସାନ ହୋଇ ରହିବ, ବଡ଼ମାନଙ୍କର ଅନୁଗ୍ରହ–ଭିକ୍ଷୁ ହୋଇ ରହିବ । ସିଏ ଈଶ୍ୱରବିଶ୍ୱାସୀରେ ରହିବ, ଭାଗ୍ୟବିଶ୍ୱାସୀ ହୋଇ ରହିବ । ନିଜେ ଆଖି ଫିଟାଇ ଅନାଇଲେ ଯେ ପାରା ଜଗତଟା ଜଳଜଳ ହୋଇ ଦେଖାଯାଏ, ତାକୁ ଏହି ପାଠଟିକୁ କେବେହେଲେ କୁହାଯିବନାହିଁ । ସିଏ ପାଣି ପାଇଁ ଯେମିତି ଚିରଦିନ ଇନ୍ଦ୍ରଙ୍କ ଉପରେ ନିର୍ଭର କରିଆସିଥିଲା, ବର୍ତ୍ତମାନ ପିଇବା ପାଣି ପାଇଁ ମଧ୍ୟ ତାକୁ ଠିକ୍‍ ସେହିପରି ଇନ୍ଦ୍ରମାନଙ୍କ ଉପରେ ନିର୍ଭର କରି ରହିବାକୁ ପଡ଼ିବ । ନାଳରୁ, ନଈରୁ, ଚୁଆରୁ ପାଣି ନ ନେଇ ପିଇବା ପାଣିର ଯେ ଏକ ସୁସ୍ଥତର ବ୍ୟବସ୍ଥା ସମ୍ଭବ ହୋଇପାରିବ, ତାକୁ କଣ୍ଟା ଫୋଡ଼ି ଦେଲାପରି ସେହି କଥାଟିକୁ କହିଦେବା ଲାଗି ହୁଏତ କେବେହେଲେ କେହି ଆସିବେ ନାହିଁ ।

 

୨୧ । ୦୭ । ୮୧

☆☆☆

 

ପୃଥିବୀରେ ରେକର୍ଡ ରହିବ

 

କର୍ଣ୍ଣାଟକ ରାଜ୍ୟରେ ବିଷାକ୍ତ ମଦ ପିଇ ଏକାବେଳକେ ଯେତେ ମଣିଷ ମଲେ, ସାରା ପୃଥିବୀରେ ଆଉ କେବେହେଲେ ଏହି କାରଣରୁ ଏକାବେଳକେ ଏତେ ଲୋକ ମରି ନଥିଲେ । ତେଣୁ ହିସାବ ରଖୁଥିବା ଲୋକମାନେ ଏହାକୁ ଏକ ବିଶ୍ୱରେକର୍ଡ ବୋଲି କହୁଛନ୍ତି । ସେମାନଙ୍କର କହି ବାରେ ଆଦୌ କୌଣସି ଭୁଲ୍ ନାହିଁ ।

 

ବିଷାକ୍ତ ମଦ ପିଇ ଯେଉଁମାନେ ମଲେ, ଏକ ବିଶ୍ଵ ରେକର୍ଡ ହିସାବରେ ସେମାନଙ୍କ କଥା ସମସ୍ତେ ଜାଣିଲେ, ଆଶ୍ଚର୍ଯ୍ୟ ହେଲେ । କେବଳ ଭାରତବର୍ଷ ଭଳି ଦେଶରେ ହିଁ ଏଭଳି ଏକ ଘଟଣା ଘଟିପାରେ ବୋଲି ହୁଏତ କିଞ୍ଚିତ୍‍ ଶୋଚନା ବି କଲେ; କିନ୍ତୁ ବିଷାକ୍ତ ମଦ ପିଇ ଏହି ଦେଶରେ ଯେଉଁମାନେ ତଥାପି ବଞ୍ଚିରହିଛନ୍ତି, ସେମାନଙ୍କର ଏକ କଳନା କାହିଁ କେଉଁଠି କରାଯାଉଛି ? କିଏ କ୍ଷମତାର ମଦ ପିଇ ତଥାପି ବଞ୍ଚିଛି, ଲକ୍ଷ୍ମୀମନ୍ତ ହୋଇ ବସିଛି । କିଏ ପଇସାର ମଦ ପିଇଛି, ପଇସା ଆଣୁଛି ଓ ପଇସା ବିଞ୍ଚିବାରେ ଲାଗିଛି । ତଜ୍ଜନିତ ଯାବତୀୟ ବିଷକୁ ହଜମ କରି ବେଶ୍ ଥାକୁଲୁ ଥାକୁଲୁ ହୋଇ ବସିଛି, ଆଉ କିଏ ରାଜନୀତିରୂପକ ମଦ ପିଇ କେଡ଼େ ସୁନ୍ଦର ଭାବରେ ବଞ୍ଚିଛି, ଚନ୍ଦ୍ରକଳା ପରି ବଢ଼ିବାରେ ଲାଗିଛି, ଭାଗ୍ୟ ଓ ଗାରିମାର ପ୍ରାୟ ସବୁଯାକ ଆକାଶକୁ ଗ୍ରାସ କରିପକାଇବା ଲାଗି ସତେବା ପଣକରି ବସିଛି । ମଦ ବ୍ୟତୀତ ସିଏ ଆଉ କିଛି ହେଲେ ପିଇନାହିଁ, ତଥାପି ବଞ୍ଚିଛି । ତଥାପି ଦୀର୍ଘାୟୁଷ ହୋଇ ରହିଛି ।

 

ପ୍ରତିନିଧି ହୋଇ ମଧ୍ୟ ଯିଏ ଏହି ଦେଶରେ ମଣିଷଙ୍କ ଦୁଃଖଗୁଡ଼ାକୁ ବଧିର ହୋଇ ରହିଛି, ଅଧ୍ୟାପକ ହୋଇ ମଧ୍ୟ ଯିଏ ପାଠ ପଢ଼ାଉନାହିଁ, ମଣିଷଙ୍କଠାରୁ ବିଶ୍ୱାସ ପାଇ ମଧ୍ୟ ଯିଏ ମଣିଷମାନଙ୍କର ବିଶ୍ୱାସଭାଜନ ହୋଇପାରୁନାହିଁ, ସିଏ ମଦ ପିଇନାହିଁ ତ ଆଉ କ’ଣ କରିଛି ? ଏହିଭଳି ଲୋକଙ୍କର ସଂଖ୍ୟା ଆମ ଦେଶରେ ଅସୁମାରି ହୋଇ ରହିଛି । ମଦୁଆମାନେ ଦେଉଳ ତୋଳାଉଛନ୍ତି । ମଦୁଆ ଠାକୁରଙ୍କୁ ଘେରି ବସି ନାମଭକ୍ତି-ସଂକୀର୍ତ୍ତନ କରୁଛନ୍ତି । ମଦୁଆମାନେ ଭାଡ଼ି ଉପରେ ଭାଡ଼ି ତିଆରିକରି ମଥାନଗୁଡ଼ାକ ଉପରେ ଯାଇ ବସିଛନ୍ତି । ସେମାନେ ସାହିତ୍ୟ କରୁଛନ୍ତି, ସଂସ୍କୃତି କରୁଛନ୍ତି, ପୁଲିସ ହୋଇଛନ୍ତି, ତୋର ବି ହୋଇଛନ୍ତି । ଚୋର ହୋଇ ଚୋରି କରୁଛନ୍ତି, ପୁଲିସ ହୋଇ ଚୋରକୁ ଗୋଡ଼ାଉଛନ୍ତି । ମଣିଷମାନଙ୍କୁ ମାଡ଼ି-ମକଚି ଘୋଡ଼ା ଛୁଟାଇ ସତେଅବା ଜଗତଯାକ ଜୟ କରିବାକୁ ବାହାରିଛନ୍ତି । ମଦଗୁଡ଼ାକ ଯେତେ ବିଷାକ୍ତ ହେଲେ ମଧ୍ୟ ଏମାନେ ତାହାକୁ ବେଶ୍ ହଜମ କରିନେଇପାରୁଛନ୍ତି । ସମଗ୍ର କାଳଟାକୁ ପାଟିରେ ପକାଇଦେଇ ପାରୁଛନ୍ତି । ଉପରେ ମୁକୁଟ ପିନ୍ଧି ମଉଡ଼ମଣି ହୋଇ ବସିଛନ୍ତି । ଏମାନଙ୍କ ଦିନ କେବେ ଆସିବ କେଜାଣି ?

 

୨୪ । ୦୭ । ୮୧

☆☆☆

 

ତୁମେ ଯେଉଁ ଦଳର ହୁଅ ପଛକେ

 

ତୁମେ ଯେଉଁ ଦଳର ହୁଅ ପଛକେ, ସାଧୁ ହୁଅ; ଅର୍ଥାତ୍ ଚୋରି କରନାହିଁ । ତୁମ ଦଳଗୁଡ଼ାକରେ ଯେ ତୁମର ଅହଂଟା ବ୍ୟତୀତ ଆଉ କିଛିହେଲେ ନାହିଁ, ସେକଥା ଦେଶବାସୀ ଜାଣିସାରିଲେଣି । ତଥାପି ସେମାନେ ତୁମକୁ ଭୋଟ ଦେଉଛନ୍ତି; ଅର୍ଥାତ ଦେଶରେ ଅସଲ ପରିବର୍ତ୍ତନଟି ଆସିବା ପର୍ଯ୍ୟନ୍ତ ସେମାନେ ତୁମରି ଦ୍ୱାରା ଯେକୌଣସି ପ୍ରକାରେ କାମ ଚଳିଯାଉ ବୋଲି ଇଚ୍ଛା କରୁଛନ୍ତି । ତୁମଦ୍ୱାରା ଯେ ଆଦୌ କୌଣସି ପରିବର୍ତ୍ତନ ହେବନାହିଁ, ସେକଥା ଦେଶବାସୀଙ୍କ ସମେତ ତୁମ ନିଜକୁ ମଧ୍ୟ ଖୁବ୍‍ ଭଲ ଭାବରେ ଜଣାଅଛି । ତୁମେ ପ୍ରକୃତରେ ଯେତିକି, ଅନୁଗ୍ରହ କରି ନିଜକୁ ସେତିକି ବୋଲି ଚିହ୍ନ । ସେହି ଗାରଗୁଡ଼ାକର ଭିତରେ ରହି ନିଜକୁ ଆତଯାତ କର । ତୁମେ ଯେତେଥର ଏହି ଘରଗୁଡ଼ାକ ଭାଙ୍ଗି ଯେତେ ନୂଆ ଦଳ ଗଠନ କର ପଛକେ, ଯେତେବେଳେ ଯେଉଁଠାରୁ ଯାଇ ଯେଉଁଠାରେ ପଶିବାକୁ ମନକର ପଛକେ, ତଥାପି ସାଧୁ ହୁଅ, ଅର୍ଥାତ୍ ଲମ୍ପଟଗିରି କରନାହିଁ । ତୁମେ ସୀମାଗୁଡ଼ାକୁ ଲଙ୍ଘନ କରନାହିଁ; ଅର୍ଥାତ ଆପଣାକୁ ଏହି ଦେଶଟାଠାରୁ ବଡ଼ ବୋଲି ମନେ କରନାହିଁ । ଏହି ଦେଶର ଭାଗ୍ୟକୁ ସତେଅବା ଗୋଟାଏ ଖେଳନା ପରି ଏପଟ ସେପଟ ଗଢ଼ାଇ ତୁମେ ନିଜ ଘରଗୁଡ଼ାକୁ ବଢ଼ାଇବାରେ ଏତେବେଶି ଲାଗିଯାଅ ନାହିଁ । କାରଣ ତୁମ ପରେ ମଧ୍ୟ ଏହି ଦେଶ ରହିବ । ଏଠି ମଣିଷ ରହିବେ-। ଏହି ଆକାଶଗୁଡ଼ାକ କଦାପି ଗୋଟାସୁଦ୍ଧା ଭାଙ୍ଗିପଡ଼ିବେନାହିଁ । ଏହି ମାଟି କଦାପି ଗୋଟା ସୁଦ୍ଧା ବନ୍ଧା ହୋଇ ରହିବ ନାହିଁ । ତୁମର ରାଜନୀତି ବ୍ୟତୀତ ଆଉ ଏକ ରାଜନୀତି ତଥାପି ଦେଶରେ କାର୍ଯ୍ୟ କରୁଛି ଯାହାକି ଆଗାମୀ ଆବାଦଟି ଲାଗି ଜମିକୁ ପାଗ କରି ରଖୁଛି, ଆଗାମୀ ଫସଲଟି ଲାଗି ବିହନ ସାଇତି ରଖୁଛି ।

 

ତୁମେ ଏ ଦେଶର କେହି ନୁହଁ । ଯଥାର୍ଥରେ ବିଚାର କରି ଦେଖିଲେ ତୁମର ଆପଣା ଦେଶ ବୋଲି କୋଉଠି ଆଦୌ କିଛି ହେଲେ ନାହିଁ । ତୁମେ ଯୋଉ ସ୍ୱର୍ଗ ବା ନର୍କକୁ ଯିବ ପଛକେ, କେବଳ ଆପଣାର ଧୁଷଗୁଡ଼ାକୁ ଉଡ଼ାଇବା ବ୍ୟତୀତ ଆଉ କିଛିହେଲେ କରିପାରିବନାହିଁ । ତୁମେ ଯେତିକି, ଅନୁଗ୍ରହ କରି କେବଳ ସେତିକିରେ ରହ । ଆପଣାର ଗଡ଼ିଆଟି ଭିତରେ ବିହାର କରୁଥାଅ, ଲାଞ୍ଜ ପିଟି ପ୍ରମତ୍ତ ହେଉଥାଅ ଓ ତାହାରି ଭିତରେ ମର, ବିସ୍ମୃତ ହୋଇଯାଅ । ତୁମର ବିଷଗୁଡ଼ାକ ଆମ ଭିତରକୁ ମୋଟେ ବ୍ୟାପିନଯାଉ । ତୁମକୁ ଆମେ ଏହିପରି ଗଡ଼ିଆଗୁଡ଼ାକ ଭିତରକୁ ନିର୍ବାଚିତ କରି ପଠାଉଥାଉ ଓ ତୁମେ ସେହି ଗଡ଼ିଆ ଭିତରେ ହିଁ ଲଟରପଟର ହୋଇ ରହିଥାଅ । ଏକେ ଆରେକକୁ କାମୁଡ଼, ଝୁଣ, ପଦାରେ ପକାଅ, ବେଜିତ୍ କର । ଗଡ଼ିଆ ବାହାରେ ଯେ ଭୂଇଁ ଅଛି, ସେକଥା ତୁମର କେବେହେଲେ ମନେ ନପଡ଼ୁ । ଭଗବାନ ଆମକୁ ସେହି ଦୁର୍ଦଶାରୁ ସବୁଦିନ ରକ୍ଷା କରିଥାନ୍ତୁ । ତୁମେ ଯେଉଁ ଦଳର ଓ ଯେଉଁ ମାର୍କାର ବର୍ବର ହୋଇଥାଅ ପଛକେ, ଯେତିକିରେ ଅଛି, ସେତିକିରେ ରହ । ତୁମର ମୁହୂର୍ତ୍ତଟି ଗଡ଼ିଯିବା ପର୍ଯ୍ୟନ୍ତ ସେଇଠି ଭୋଳ ହୋଇ ପଡ଼ିଥାଅ । ବୁଢ଼ା ହୁଅ । ଅତ୍ୟାସକ୍ତ ହୋଇ ଭୋଗକର । ଆମେ ତୁମ ସତ୍ତ୍ୱେ ବି ଆମ ବାଟରେ ପ୍ରସ୍ତୁତ ହେଉଥାଉ । ଏ ରାତିଗୁଡ଼ାକ ପାହିଯିବା ପରେ ଯେଉଁ ଅଭିନବ ଅନ୍ୟ ସକାଳଟି ଆସିବ, ଆମେ ତାହାରିଲାଗି ପ୍ରସ୍ତୁତ ହେବାରେ ଲାଗିଥାଉ-

 

୦୩ । ୦୮ । ୮୧

☆☆☆

 

ଓଡ଼ିଆରେ କହି ଆସେନାହିଁ

 

ଓଡ଼ିଆ ବାବୁମାନଙ୍କୁ ଓଡ଼ିଆରେ କହିଆସେ ନାହିଁ । ଘରେ ଓଡ଼ିଆ ଭାଷାରେ ବଢ଼ି ଆସିଥିବା ଅଧ୍ୟାପକ କୌଣସି ଏକ ନିର୍ଦ୍ଦିଷ୍ଟ ବିଷୟରେ ବିଶେଷ ଜ୍ଞାନଅର୍ଜନ କରିସାରିବା ପରେ ସେହି ଜ୍ଞାନକୁ ସିଏ ଓଡ଼ିଆରେ ପ୍ରକାଶ କରିପାରେନାହିଁ । ଶ୍ରୋତାମାନେ ସମସ୍ତେ ଓଡ଼ିଆ ହୋଇଥିଲେ ମଧ୍ୟ ଓ ଭଲ ଭାବରେ ଇଂରାଜୀ ବୁଝିନପାରୁଥିଲେ ମଧ୍ୟ ସିଏ କେବଳ ଇଂରାଜୀରେ କହିବାକୁ ଇଚ୍ଛା କରେ, ଏପରି କରି ସିଏ ଆଦୌ କୌଣସି ଅଭଦ୍ର ଆଚରଣ କରିଛି ବୋଲି ମୋଟେ କଳ୍ପନା କରିପାରେ ନାହିଁ ।

 

ସିଏ ଓଡ଼ିଆରେ କହିବାକୁ ଡରେ । ଇଂରାଜୀ ବହିରୁ ପାଠଗୁଡ଼ାକୁ ପଡ଼ିଥାଏ ବୋଲି ସେହି ଇଂରାଜୀରେ ହିଁ ସେଗୁଡ଼ାକ ଉଦ୍‍ଗାରି ପକାଇବାକୁ ସିଏ ବିଜ୍ଞତମ ପନ୍ଥା ବୋଲି ଗ୍ରହଣ କରିନେଇଥାଏ । ସିଏ ଯାହା ପଢ଼ିଥାଏ, ହୁଏତ ତାହାକୁ ମୋଟେ ହଜମ କରି ପାରିନଥାଏ । ନିଜେ ପରଖି କରି ଦେଖିନଥାଏ ଓ ନିଜସ୍ୱ କରିପାରିନଥାଏ । ସେଇଥିଲାଗି ଯେମିତି ଗିଳିଥାଏ, ସେମିତି ଉକାଳି ଦେବାକୁ ହିଁ ସବୁଠାରୁ ନିରାପଦ ବୋଲି ମଣୁଥାଏ । ସିଏ ଯାହା କହେ, ତାହାକୁ ସିଏ ହୁଏତ ବାସ୍ତବରେ ଅନୁଭବ କରିନଥାଏ; ସେଗୁଡ଼ାକ ବାସ୍ତବ ମଣିଷଙ୍କ ଲାଗି ଉଦ୍ଦିଷ୍ଟ ବୋଲି କେବେହେଲେ ଭାବିନଥାଏ; ତେଣୁ ଉପରେ ଉପରେ ଉଡ଼ୁଥାଏ । କାହାରି ପାଖରେ ଧରାଦେବାକୁ ଇଚ୍ଛା କରୁନଥାଏ । ସେଇଥିରେ ନିଜକୁ ବାହାଦୂର ବୋଲି ବିଚାରୁଥାଏ । ଆମେ ସବୁ ବିକା ହୋଇ ଅନାଇଥାଉ ।

 

ଗତ ଗୋଟାଏ ପୁରୁଷ ହେଲା ଦେଶଟାଯାକ ତା’ର ଗୁଣୀ, ମାନୀ, ଜ୍ଞାନୀ ଓ ବିଜ୍ଞାନୀମାନଙ୍କ ଆଡ଼କୁ ଏହି ଭଳି ବିକା ହୋଇ ଅନାଇଛି । ସିଏ ପଇସା ଖରଚ କରି ସେମାନଙ୍କୁ ପାଳୁଛି, ମାତ୍ର ସେମାନେ ତା’ର କମିଟି ଲାଗି ଆଦୌ କୌଣସି କାମରେ ଲାଗୁନାହାନ୍ତି । ବିଜ୍ଞାନୀମାନଙ୍କ ସହିତ ବିଜ୍ଞାନ ଦୂର ହୋଇ ରହିଛି । ଦରିଦ୍ର ଦେଶ ପଡ଼ିଆ ଗାଈଗୁଡ଼ାକୁ ପୋଷିବାକୁ ବାଧ୍ୟ ହେଉଛି ।

 

ଜ୍ଞାନ ମଣିଷର କାମରେ ନଲାଗି ମଣିଷ ଉପରେ ସବାର ହୋଇ ରହିଛି । ଜ୍ଞାନୀମାନେ ଅଭିମାନୀ ହୋଇ ରହିଛନ୍ତି । ଜୀବନର ଗୁହାରିଗୁଡ଼ାକ ତା’ର ଦୁଆର ପର୍ଯ୍ୟନ୍ତ ମୋଟେ ଯାଇପାରୁନାହିଁ । ଅଧିକାଂଶ ମଣିଷ ମ୍ଳେଚ୍ଛ ହୋଇ ରହିଛନ୍ତି । ଭୂଇଁରୁ ଦଶହାତ ଛାଡ଼ି ଓଡ଼ିଆରେ କହି ନଆସୁଥିବା ବାବୁମାନେ ମଧ୍ୟ ଅଲୋଡ଼ା ହୋଇ ରହିଛନ୍ତି ।

 

ଏହି ଅଭଦ୍ରତାର ସମାପ୍ତି ଘଟିବା ଉଚିତ । ସାଆନ୍ତପଣର ସମାପ୍ତି ଘଟିବା ଉଚିତ । ଯେଉଁମାନେ କୌଣସି ବିଷୟରେ ଏକ ବିଶେଷ ଜ୍ଞାନଅର୍ଜନ କରିଛନ୍ତି ଓ ବିଶେଷ ଗବେଷଣା କରୁଛନ୍ତି, ସେମାନଙ୍କ ଦ୍ୱାରା ଉପକୃତ ହେବା ଲାଗି ଦେଶର ନିଶ୍ଚିତ ଭାବରେ ଏକ ଅଧିକାର ରହିଛି-। ଅସଲ ନେତୃତ୍ୱ ସେହି ଅଧିକାରଟିକୁ ବାସ୍ତବରେ ପରିଣତ କରିଥାନ୍ତା । ଏହି ଦେଶରେ ଅସଲ ସଂହତି ଲାଗି କ୍ଷେତ୍ର ତିଆରି ହୋଇଥାଆନ୍ତା । ଆମ ସାହେବମାନେ ସବୁ ପାଠ ଓ ସବୁ ଚତୁରତାର ଅଧିକାରୀ ହୋଇ ରହିଥିବା ପର୍ଯ୍ୟନ୍ତ ସେକଥା କଦାପି ହୋଇପାରିବନାହିଁ ।

 

ଆମର ଏହି ଘର ମୋଟେ ଘର ପରି ଲାଗିବନାହିଁ । ଗେହ୍ଲାମାନେ ଆହୁରି ଗେହ୍ଲା ହେବାରେ ଲାଗିଥିବେ । ଆମରି ମେଳରେ ଥାଇ ମଧ୍ୟ ସେମାନେ ଆମ ନିଜ ଭାଷାରେ ଆମ ସହିତ କଥା କହୁ ନଥିବେ-। ଏହି ଦୁର୍ଦ୍ଦିନ କେବେ ଯିବ ? ଆମ ଜ୍ଞାନୀ ମାନେ କେବେ ଘରକୁ ଫେରିଆସିବେ ?

 

୦୭ । ୦୮ । ୮୧

☆☆☆

 

ସ୍ଥାୟୀ ସାମରିକ ଶାସନ

 

ଶାସକମାନେ ଏବେ ସାମରିକ ହେବାଲାଗି ଭାରି ମନ କଲେଣି । ଶାସନ ସାମରିକ ହୋଇପାରିଲେ ଯାଇ ଯେ ସ୍ଥାୟୀ ହୋଇପାରିବ, ସେମାନେ ସେହି କଥାଟି ଉପରେ ଭାରି ବିଶ୍ୱାସ କଲାପରି ମନେହେଉଛି । ହାଟରେ ବଳଦ ନକିଣି ସେମାନେ ଅସ୍ତ୍ରଶସ୍ତ୍ର କିଣିବାକୁ ଅଧିକ ମନ କରୁଛନ୍ତି । ବିଲରେ ଧାନ ଗହମ ନ ଲଗାଇ ସେମାନେ ଗୁଳିବାରୁଦର ବିହନ ବୁଣୁଛନ୍ତି ଓ ଆହୁରି ଅଧିକ ଗୁଳି ଓ ବାରୁଦ ମିଳିବ ବୋଲି ଆଶା କରୁଛନ୍ତି । ଶକ୍ତି କହିଲେ ସେମାନେ ଅଧିକରୁ ଅଧିକ ପରିମାଣରେ ଏହି ଆଧୁନିକ ତଡ଼ା ବାଡ଼ି ଗୁପ୍ତି ଓ ଫାର୍ଶାର ଶକ୍ତିକୁ ହିଁ ବୁଝୁଛନ୍ତି । ଦେଶ ଅର୍ଥାତ୍ ଶାସନ ଏହିପରି ଭାବରେ ତୀକ୍ଷ୍‍ଣ ଦନ୍ତବିଶିଷ୍ଟ ହେଲେ ଯାଇ ଦେଶର ଶକ୍ତି ବୃଦ୍ଧି ପାଇବ ବୋଲି ସେମାନେ ପ୍ରଜାମାନଙ୍କୁ ବୁଝାଉଛନ୍ତି; ପ୍ରଜାମାନଙ୍କୁ ଭାରି ଭଣ୍ଡାଇ ରଖିଛନ୍ତି । ଯୁଦ୍ଧଶକ୍ତି ବଢ଼ିଲେ ଦେଶର ଭୋକ, ଦାରିଦ୍ର୍ୟ ଅଶିକ୍ଷା ଓ ରୋଗର ଯାବତୀୟ ଦୁର୍ଦ୍ଦଶା ଦୂର ହୋଇଯିବ ବୋଲି ସେମାନେ ଧର୍ମ ପୁସ୍ତକର ରାଣ ପକାଇ କହିବାରେ ଲାଗିଛନ୍ତି । ମଣିଷଗୁଡ଼ାକ ଏହିପରି ଭାବରେ ବୋକା ହୋଇଛନ୍ତି । ଭୋକ ଭୁଲି ରହିଛନ୍ତି । ବଶ ହୋଇ ରହିଛନ୍ତି ।

 

ଶାସକମାନେ ମଣିଷମାନଙ୍କୁ ଡରୁଛନ୍ତି । ହୁଏତ ସେହି କାରଣରୁ ହିଁ ସେମାନଙ୍କୁ ନାନା ମିଛ ଉତ୍ତେଜନାର ମହୁ ପିଆଇ ବଶ କରି ରଖିବେ ବୋଲି ଇଚ୍ଛା କରୁଛନ୍ତି । ମଣିଷକୁ ଡରମାଡ଼ିବା ମାତ୍ରକେ ତା’ ହାତଟା କୁଆଡ଼େ ଅଜାଣତରେ ଯାଇ ପକେଟ ଭିତରେ ଥିବା ପିସ୍ତଲଟାକୁ ଯାବୁଡ଼ିକରି ଧରେ । ସାମରିକ ଶାସକମାନେ ମଣିଷଙ୍କୁ ଡରୁଛନ୍ତି, ମଣିଷଙ୍କର ଆଖି ଫିଟିବାକୁ ଡରୁଛନ୍ତି । ତେଣୁ ଅନ୍ଧାରଗୁଡ଼ାକୁ ଅସଲ ବୋଲି ମାନୁଥିବା ଧର୍ମଶାସ୍ତ୍ରଗୁଡ଼ାକୁ ସେମାନେ ସମର୍ଥନକାରୀ ନଜିର ପରି ବ୍ୟବହାର କରୁଛନ୍ତି । ମଣିଷ ଉପରକୁ ଯାଇ ଯାଇ ଗୋଟାଏ ଅତିମାର୍ଜିତ ବର୍ବର ହୋଇପାରୁଛି ଏବଂ ତଳକୁ ଯାଇଯାଇ ସେ ଭାରି ଚମତ୍କାର ଭାବରେ ଏକ ଅଫିମଖିଆ ନୌକର ହୋଇପାରୁଛି । ସାମରିକ ଶାସନରେ ବନ୍ଧା ହୋଇ ପଡ଼ିଥିବା ଦେଶଗୁଡ଼ାକୁ ଅନାଇଲେ ଆଗ ସେହି କଥାଟି ଭାରି ଦିଶି ଦିଶି ଯାଉଛି ।

 

ଆଗକୁ ଯେଉଁ ଅସଲ ସମରଟି ଆସୁଛି, ତାହାହିଁ ଯାବତୀୟ ସାମରିକ ଶାସନର ଅସ୍ଥାୟୀତ୍ୱକୁ ଜଳଜଳ କରି ପ୍ରମାଣିତ କରିଦେବ । ନୌକରମାନଙ୍କୁ ଅତିକ୍ରମ କରି ମଣିଷ ତା ଭିତରେ, ସବୁ ମଣିଷଙ୍କ ଭିତରେ ଯେଉଁ ଅସଲ ମଣିଷଟି ରହିଛି, ସେଇ ଅସଲ ସମରଟି ଲଢ଼ିବାକୁ ଯାଉଛି । ଡରୁଆ ଶାସକ ଓ ମହାଶାସକମାନଙ୍କ ବିରୁଦ୍ଧରେ ହିଁ ସେହି ସମରଟି ଲଢ଼ା ହେବ । ଯେଉଁ ପୃଥିବୀରେ ଆଦୌ କୌଣସି ସାମରିକ ଶାସନର ଆବଶ୍ୟକତା ରହିବ ନାହିଁ, ସେହି ଭଳି ଏକ ପୃଥିବୀକୁ ସମ୍ଭବ କରିବା ଲାଗି ଆଗାମୀ ସମର ଆପଣାକୁ ପ୍ରସ୍ତୁତ କରିବାରେ ଲାଗିଛି । ସେହି ସମର ଜାତି ଓ ଦେଶର ଯାବତୀୟ ବାଡ଼କୁ ଭାଙ୍ଗିଦେବ । ପ୍ରତ୍ୟେକ ଦେଶରେ ତାହା ବର୍ବରତା, ବଶ୍ୟତା ଏବଂ ଭୟ ବିରୁଦ୍ଧରେ ଲଢ଼ିବ । ମଣିଷ ପାଇଁ ଲଢ଼ିବ । ଏକ ନୂତନ ସଂସାର ଓ ଜୀବନ ଲାଗି ଲଢ଼ିବ ।

 

୧୨ । ୦୮ । ୮୧

☆☆☆

 

ବାଳକେ ଯେସନେ କ୍ରୀଡ଼ନକ ପାଇଁ

 

ଉପଦେଶଗୁଡ଼ାକ ହେଉଛି ଖେଳନା, ଯାହାକୁ ନେଇ ଆମ ଦେଶର ଉଚ୍ଚପଦସ୍ଥ ବ୍ୟକ୍ତିମାନେ ଭାରି ଖେଳନ୍ତି । ଏହିପରି ଖେଳିବାକୁ ସେମାନେ ସତେଅବା ଭାରି ଭଲପାଆନ୍ତି । ସେମାନେ ପିଲାମାନଙ୍କ ଆଗରେ, ବାଳୁତମାନଙ୍କ ଆଗରେ ଖେଳନ୍ତି । ସେମାନେ ଯେ ଆଦୌ ବାଳୁତ ନୁହନ୍ତି, ଆଦୌ ଅପରିପକ୍ଵ ନୁହନ୍ତି, ପିଲାମାନଙ୍କୁ ସେହିପରି ଏକ ପ୍ରତ୍ୟାୟ ଆଣିଦେବାକୁ ସେମାନେ ଦୃଷ୍ଟମନରେ ଖେଳିବାରେ ଲାଗିଥାନ୍ତି ।

 

ଅପାରଗ ମଣିଷ ଉପଦେଶଗୁଡ଼ାକୁ ନେଇ ପିଲାମାନଙ୍କ ଆଗରେ ଖେଳିବାକୁ ଯାଏ । ଅପରିପକ୍ୱ ମଣିଷ ହିଁ ଆପଣାର ଅପରିପକ୍ଵତାଗୁଡ଼ାକୁ ଲୁଚାଇ ରଖିବାର ମତଲବ ନେଇ ଉପଦେଶଗୁଡ଼ାକୁ ଧରି ପିଲାଙ୍କ ଆଗରେ ଖେଳିବାକୁ ମନ କରେ । ଯିଏ ପିଲାଦିନେ ମୋଟେ ପିଲା ହୋଇ ପାରିନଥାଏ ଓ ତେଣୁ ବୟସ୍କ ଅବସ୍ଥାରେ ମଧ୍ୟ ତଥାପି ବାଳବତ୍ ବର୍ବରାଚରଣ କୁରିଥାଏ, ପିଲାମାନଙ୍କୁ ସମ୍ମୁଖରେ ପାଇବା ମାତ୍ରକେ ତା’ଭିତରେ ସବାଆଗ ଉପଦେଶଗୁଡ଼ାକୁ ହିଁ କଅଁଳି ଉଠିବାକୁ ଆରମ୍ଭ କରନ୍ତି ଓ କ୍ରୀଡ଼ାନକରୂପେ ବ୍ୟବହୃତ ହୁଅନ୍ତି । ଆଚରଣଗୁଡ଼ାକୁ ଜୀବନଠାରୁ ଅଲଗା କରିନେଇ ସେଗୁଡ଼ାକୁ ଖାଲି ଉପଦେଶର ଜର୍ସି ପିନ୍ଧାଇ ଯେତେବେଳେ ଧର୍ମ ଓ ଶାସ୍ତ୍ର ସହିତ ଭାରି ଲଜ୍ଜାକର ଭାବରେ ଯୋଡ଼ି ଦିଆଯାଏ, ଉପଦେଶମାନେ ସମ୍ଭବତଃ ସେତିକିବେଳେ କ୍ରୀଡ଼ନକ ପରି ବ୍ୟବହୃତ ହୁଅନ୍ତି । ଆମ ଦେଶରେ ହୁଏତ ଅତ୍ୟନ୍ତ ଚିରାଚରିତ ଭାବରେ ସେହିପରି ହୋଇଆସିଛି । ଏବେ ଅଧିକ ଉତ୍ତେଜନା ସହିତ ସେକଥା ହେଉଛି ।

 

ଏ ଦେଶର ପିଲାମାନେ ଚାରିପାଖକୁ ଅନାଇଦେବା ମାତ୍ରକେ ହିଁ ଅନୁକରଣୀୟ ମଣିଷମାନେ ଦିଶିଯାଉଥାନ୍ତେ, ଅନୁକରଣୀୟ ଅଧ୍ୟାପକମାନେ ଦିଶିଯାଉଥାନ୍ତେ, ଅନୁକରଣୀୟ ନେତା ଦିଶିଯାଉଥାନ୍ତେ ଓ ଅନୁକରଣୀୟ ଗୁରୁଜନମାନେ ବି ଦିଶିଯାଉଥାନ୍ତେ । ତେବେ ଉପଦେଶଗୁଡ଼ାକର ହୁଏତ ଆଦୌ କୌଣସି ଆବଶ୍ୟକତା ରହନ୍ତା ନାହିଁ । ବୟସ୍କମାନେ ଲାଜ ଲୁଚାଇବା ସକାଶେ ସେଗୁଡ଼ାକୁ ନେଇ ଖେଳିବାର ମଧ୍ୟ ଆଉ କୌଣସି ପ୍ରୟୋଜନ ଅନୁଭବ କରନ୍ତେ ନାହିଁ । ସମ୍ପର୍କଗୁଡ଼ାକ, ପ୍ରେରଣାଗୁଡ଼ାକ ଏବଂ ବିଶ୍ୱାସଗୁଡ଼ାକ ଅନେକ ଅଧିକ ପରିମାଣରେ ସୁସ୍ଥ ହୋଇପାରିଥାନ୍ତା । ଚତୁରତା ବଜାରର ମସ୍ତରାମମାନଙ୍କୁ ଆଉ ଏପରି ପିଲାଙ୍କ ସଭାକୁ ଆସି ମୋଟେ ହାସ୍ୟାସ୍ପଦ ହେବାକୁ ପଡ଼ନ୍ତା ନାହିଁ ।

 

ମଣିଷ ଆପଣା ପାଖରେ ଯେତିକି ହାରେ, ବାହାରେ ସିଏ ହୁଏତ ସେତିକି ଅଧିକ ପ୍ରଗଳ୍‍ଭ ହୁଏ । ଆପଣା ଭିତରେ ରହିଥିବା ଦୁଷ୍ଟଟାର ସମ୍ମୁଖୀନ ନ ହୋଇ ତାକୁ ଯେତିକି ଡରିବାରେ ଲାଗିଥାଏ, ସିଏ ବାହାରେ ଆପଣାକୁ ସେତିକି ଭଲ ବୋଲି ଦେଖାଇହୁଏ । ମାତ୍ର ଅସଙ୍ଗତିଗୁଡ଼ାକ ତଥାପି ଧରାପଡ଼ିଯାଆନ୍ତି । ପିଲାମାନେ ବି ଠିକ୍‍ ଖେଳ ଦେଖିବା ପରି ସେହି ଉପଦେଶଗୁଡ଼ାକୁ ଶୁଣନ୍ତି ଏବଂ ସେଗୁଡ଼ାକୁ ସେହି ଖେଳପଡ଼ିଆରେ ଛାଡ଼ିଦେଇ ଘରକୁ ଆସନ୍ତି । ଯୁଗଯାକ ଏକ ଅପ୍ରତ୍ୟୟର ଯୁଗ ହୋଇ ରହିଯାଏ । ସମ୍ମାନଗୁଡ଼ାକ ପ୍ରଦର୍ଶନୀରେ ପରିଣତ ହୁଅନ୍ତି-। ପିଲାମାନେ ବାଧ୍ୟ ହୋଇ ବଡ଼ମାନଙ୍କୁ ସହ୍ୟ କରନ୍ତି । ବଡ଼ ହୋଇ ସେହି ବଡ଼ମାନଙ୍କର ପନ୍ଥା ଅନୁସରଣ କରନ୍ତି ।

 

୧୩ । ୦୮ । ୮୧

☆☆☆

 

ଛାତ୍ରାବାସର ଆବାସିକତା

 

କଲେଜମାନଙ୍କରେ ପୂର୍ବ-ପଶ୍ଚିମ ଓ ଉତ୍ତର-ଦକ୍ଷିଣ ହୋଇ କେତେ ଛାତ୍ରାବାସ ରହିଥାଏ । ସେଗୁଡ଼ାକର ରକ୍ଷଣାବେକ୍ଷଣ ସକାଶେ ଅଧ୍ୟାପକମାନେ ଅଧିକା ଭତ୍ତା ପାଇ ତତ୍ତ୍ୱାବଧାରକ ଭାବେ ନିଯୁକ୍ତ ହୋଇ ରହିଥାନ୍ତି । ତଥାପି ଛାତ୍ରାବାସଗୁଡ଼ାକ ଯେ ମୂଳତଃ ଗୋଟିଏ ଗୋଟିଏ ଆବାସ, ଛାତ୍ରାବାସଗୁଡ଼ାକୁ ଅନାଇଲେ ସେହି ତତ୍ତ୍ୱଟିକୁ ମୋଟେ ଅବଧାରଣା କରିହୁଏନାହିଁ । ସେଠି ବଡ଼ ସହିତ ସାନମାନଙ୍କର କୌଣସି ସଂଯୋଗ-ବିନ୍ଦୁ ନଥାଏ । ଉଭୟ ପକ୍ଷ ନିଜ ନିଜର ସ୍ଵାଧୀନତାଗୁଡ଼ିକୁ ଆଦରିକରି ରହିଥାନ୍ତି । ଭାରି ଏକଶିଙ୍ଗିଆ ହୋଇ ରହିଥାନ୍ତି । ଉପରେ ଭଦ୍ରତାଗୁଡ଼ାକ ରହିଥାଏ, କୃତ୍ରିମତାଗୁଡ଼ାକ ଭାରି ପ୍ରବଳ ଭାବରେ ରହି ଥାଏ; ତଥାପି ସମ୍ପର୍କ ବୋଲି କିଛି ନଥାଏ । ତଦ୍ଭାବଧାରକମାନେ ଯେତିକି ନିର୍ବାସିତ ହୋଇ ରହିଥାନ୍ତି, ଛାତ୍ରମାନେ ବି ପ୍ରାୟ ସେତିକି ଅରକ୍ଷିତ ହୋଇ ରହିଥାନ୍ତି ।

 

ପିଲାମାନେ ଖାଇବେ ବୋଲି ଛାତ୍ରାବାସରେ ହୋଟେଲ ଚାଲେ । ପିଲାମାନେ ଛୁଟିରେ ଘରକୁ ଗଲେ ଏହି ହୋଟେଲଗୁଡ଼ାକ ବନ୍ଦ ହୋଇଯାଏ । ରୋଷେଇଘରଗୁଡ଼ାକର ଛାତିରେ ଚିଲ ବସନ୍ତି, ଅଗଣାରେ କାଉ ଉଡ଼ନ୍ତି । ଛୁଟିରେ କେତେକ ପିଲା ଛାତ୍ରାବାସରେ ରହନ୍ତି; ମାତ୍ର ତଥାପି ଛାତ୍ରାବାସର ହୋଟେଲ ବନ୍ଦ ରହେ । ପିଲା ମାନେ ବଜାରରେ ଥିବା ଅନ୍ୟ ହୋଟେଲମାନଙ୍କରେ ଖାଇବାକୁ ଯାଆନ୍ତି, ଯାହା ମନ ତାହା ଖାଆନ୍ତି କିମ୍ବା ସେମାନେ ଯେଉଁ କୋଠରୀ ଗୁଡ଼ିକରେ ରହୁଥାନ୍ତି, ତାହାରି ଭିତରେ ରୋଷେଇବାସର ଏକ କାମଚଳା ବ୍ୟବସ୍ଥା କରିନିଅନ୍ତି; ବୁଦ୍ଧିକୁ ଯେପରି ଜୁଟେ, ସେହିପରି ବ୍ୟବସ୍ଥାଟିଏ କରିନିଅନ୍ତି । ବ୍ୟବସ୍ଥା କି ଅବ୍ୟବସ୍ଥା ବାରିବା ଲାଗି କାହାରି ହେତୁ ନଥାଏ ।

 

କଲେଜ ଛୁଟି ହୁଏ, ପିଲାମାନେ ଘରକୁ ଯାଆନ୍ତି । ହୋଟେଲ ବନ୍ଦ ରହେ । କଲେଜ ଖୋଲିବା ଆଗରୁ ପିଲାମାନେ ପୁନର୍ବାର ଛାତ୍ରାବାସକୁ ଆସନ୍ତି । କିଏ ଦିନକ ଆଗରୁ ଆସେ, ଆଉ କିଏ ତିନିଦିନ ଆଗରୁ ଆସି ପହଞ୍ଚିଯାଇଥାଏ । ତଥାପି ହୋଟେଇ ଖୋଲେନାହିଁ, କଲେଜ ଖୋଲିବାର ସାତଦିନ ପର୍ଯ୍ୟନ୍ତ କୁଆଡ଼େ ହୋଟେଲ ଖୋଲେନାହିଁ । ପିଲାମାନେ ବଜାରରେ ଖାଆନ୍ତି, ଦୁଇଗୁଣ ଅଧିକ ପଇସା ଦେଇ ଖାଆନ୍ତି, ଶସ୍ତାରେ ଖାଇବାକୁ ପାଇବେ ବୋଲି ଅଖାଦ୍ୟ ବି ଖାଆନ୍ତି । ଛାତ୍ରାବାସ ତରଫରୁ ଖାଇବାର ବ୍ୟବସ୍ଥା ହେବାପାଇଁ ଅନେକଦିନ ଲାଗିଯାଏ ।

 

ଛାତ୍ରାବାସ ଏପରି ହୋଇଥାନ୍ତା, ଯେଉଁଠାରେ କି ଯେତେବେଳେ ଆସିଲେ ମଧ୍ୟ ଆବାସିକମାନେ ଖାଇବାକୁ ପାଇପାରୁଥାନ୍ତେ । ଖାଇବା ଲାଗି ସେମାନଙ୍କୁ ଆଉ ବଜାରକୁ ଯିବାକୁ ପଡ଼ନ୍ତା ନାହିଁ । କିଏ କେଉଁଦିନ ଛାତ୍ରାବାସରେ ପହଞ୍ଚିବ, ସେହି କଥାକୁ ସିଏ ଆଗରୁ ତତ୍ୱାବଧାରକଙ୍କୁ ଜଣାଇ ଦେଉଥାନ୍ତା ଓ ସେହି ଅନୁସାରେ ଖାଇବାର ବ୍ୟବସ୍ଥା ହୋଇପାରୁଥାନ୍ତା । ଆହୁରି କେଡ଼େବଡ଼ କଥା ହୁଅନ୍ତା, କଲେଜ ଖୋଲିବାର ପୂର୍ବ ଦିନଟିରେ ତତ୍ତ୍ୱାବଧାରକ ଯଥାସମ୍ଭବ ଅଧିକ ସମୟ ଲାଗି ଛାତ୍ରାବାସରେ ହିଁ ରହନ୍ତେ ଓ ଘରୁ ଆସୁଥିବା ଛାତ୍ରମାନଙ୍କୁ ସ୍ୱାଗତ ଜଣାଇପାରନ୍ତି ! ତେବେ ଛାତ୍ରାବାସ ବି ଘର ପରି ଲାଗନ୍ତା । ଗୁରୁଜନମାନେ ନିଜର ଜନ ପରି ଲାଗନ୍ତେ । ପିଲାମାନେ ରୁଷିଲେ ଆଉ ଝରକାର କାଚ ଭାଙ୍ଗିବାକୁ ହୁଏତ ଆଦୌ ମନ କରନ୍ତେ ନାହିଁ ।

 

୨୬ । ୦୮ । ୮୧

☆☆☆

 

ଶରଣାଗତି-ରହସ୍ୟମ୍

 

ଦିନ ଥିଲା, ଯେତେବେଳେ ଆମେ ଏମାନଙ୍କୁ ଦେଶର ଜଣେ ଜଣେ କର୍ଣ୍ଣଧାର ବୋଲି ବିଚାର କରୁଥିଲୁ । ଗାନ୍ଧୀ, ନେହେରୁ ଓ ଶାସ୍ତ୍ରୀଙ୍କ ପରେ ଏଇମାନେ ଆମ ଦେଶକୁ ସମ୍ଭାଳି ନେବେ ବୋଲି ଭାବି ଆମେ ଶ୍ରଦ୍ଧାର ସିଡ଼ିରେ ଏମାନଙ୍କୁ କେତେ ଉପରେ ନେଇ ବସାଇଥିଲୁ । ଆମର ସେଇ ଭାବନା ମିଥ୍ୟା ପ୍ରମାଣିତ ହେଲା ।

 

ପୁରୁଣା ନେତୃତ୍ୱର ଦିନଗୁଡ଼ାକ ଯେତିକି ସରି ସରି ଆସୁଛି, ଆମ ଆଗରେ ଏମାନଙ୍କର ଅସଲ ସ୍ୱରୂପଟି ସେତିକି ପରିଷ୍କାର ହୋଇ ଧରାପଡ଼ିଯିବାରେ ଲାଗିଛି । ଏମାନେ ଦେଶର କୌଣସି ସେବା କରିବାଲାଗି ରାଜନୀତି ଭିତରକୁ ଆସିନଥିଲେ । ଦେଶର ଭବିଷ୍ୟ ବିଷୟରେ ଏମାନଙ୍କର ମନରେ ଆଦୌ କୌଣସି ଚିତ୍ର ନଥିଲା । ନିଜ ବ୍ୟତୀତ ଏମାନଙ୍କ ଆଗରେ ଅନ୍ୟ କୌଣସି ଲକ୍ଷ୍ୟ ନଥିଲା । ବାହାରେ ଯେତେ ବଡ଼ ରଣପା ଚଢ଼ି ବୁଲୁଥିଲେ ମଧ୍ୟ ଏମାନେ ନିଜ ଭିତରେ ସବୁଦିନ ହୁଏତ ସଂକଳ୍ପହୀନ ହୋଇ ରହିଥିଲେ । ଆମେ ଏମାନଙ୍କୁ ଶାସକର ପଗଡ଼ି ପିନ୍ଧାଇଲୁ । ଏମାନଙ୍କୁ ଦିଲ୍ଲୀରେ ନେଇ ବସାଇଲୁ । ମାତ୍ର ଏମାନେ କେବେହେଲେ ଆମର ଚିନ୍ତା କରିନଥିଲେ । ଏମାନେ ଯେ କୋଉ ଇଷ୍ଟଦେବତାଙ୍କ ପାଖରେ ନସରପସର ହେଉଥିଲେ, ସେହି କଥାଟା ଏବେ ଯାଇ ଜଣା ପଡ଼ିଲା ।

 

କାଳ ଏମାନଙ୍କୁ କ୍ଷମତାରୁ ହଟାଇଦେବା ପରେ ଯାଇ ଏମାନଙ୍କର ଅସଲ ଗୁମରଟି ଜଣା ପଡ଼ିଲା । କ୍ଷମତାଚ୍ୟୁତ ହୋଇ ଏମାନେ ହୁଏତ ଦଣ୍ଡେ ହେଲେ ଥୟ ଧରି ରହି ପାରିଲେ ନାହିଁ-। ଯେଉଁମାନେ କ୍ଷମତାରେ ରହିଲେ, ସେମାନଙ୍କର ଦୁଆରେ ଶରଣ ପଶିବାକୁ ବାହାରିଲେ-। ସେମାନଙ୍କ ଦେହରେ ଯେ ମେରୁଦଣ୍ଡ ବୋଲି ମୋଟେ କିଛି ନାହିଁ, ଏକାନ୍ତ ବିଗଳିତ ଭାବରେ ଆପଣାକୁ ପ୍ରାୟ ଗୋଟାସୁଦ୍ଧା ବିବସନ କରି ସେମାନେ ତାହା ଦେଖାଇ ଦେଲେ । ଆମର ମୋହଭଙ୍ଗ ହେଲା-। ସେମାନେ ପୁଣି ଆସନ ପାଇବାର ଲୋଭରେ ଏ ପିଢ଼ାରୁ ସେ ପିଢ଼ା ଉପରକୁ ଡେଇଁପଡ଼ିଲେ । ଭାଗ୍ୟର ପୁନଃପରୀକ୍ଷା ଲାଗି ଦାନ୍ତରେ ତିରଣ ଧରିଲେ ଓ ଆଶ୍ରୟ ଭିକ୍ଷା କଲେ-। ଆଶ୍ରୟ ଦେଲାବାଲାର ପ୍ରୟୋଜନ ନଥିଲେ ମଧ୍ୟ ତାହାର ସେବା କରିବେ ବୋଲି ଠିଆ ହୋଇ ରହିଲେ । କାଳ ହସିଲା; କାଳ ଲୋକହସା ହେଲା ।

 

ଅବଲୀଳାକ୍ରମେ ଏ ଦଳରୁ ଯାଇ ସେ ଦଳରେ ପଶିବାର ଯାବତୀୟ ମତଲବ ଭିତରେ ଏମାନଙ୍କର ଯେକୌଣସି ପ୍ରକାରେ କ୍ଷମତାରେ ରହିବାର ଲାଳସାଟା ହିଁ ପ୍ରଚଣ୍ଡ ହୋଇ ରହିଛି । ଏମାନଙ୍କ ଜୀବନରେ ଆଉ କୌଣସି ସଂଗ୍ରାମ କରିବାର କୌଣସି ଯୋଜନା ନାହିଁ । ସେମାନେ ଦରକାର ପଡ଼ିଲେ ଦେଶଟାକୁ ଯୋଉଠି ସେଇଠି ଛାଡ଼ିଦେଇ ଚାଲିଯିବେ ପଛକେ, ମାତ୍ର ଆପଣା ଗାତଟି ପ୍ରତି ଅବଶ୍ୟ ଅନୁରକ୍ତ ହୋଇ ରହିଥିବେ । ଏକ ଅପାରଗ ନେତୃତ୍ୱ ଶେଷରେ ଆସି ଏଇଠି ଧରାପଡ଼ିବ ବୋଲି ହୁଏତ ବିଧିନିର୍ଦ୍ଦିଷ୍ଟ ହୋଇ ରହିଥିଲା । ଏହି ନେତୃତ୍ୱ ଏଇଠି ରହିଯିବ, ଆପଣା ଲାଳସାଗୁଡ଼ାକର ଦେହରେ ବାକି ମାଡ଼ ଖାଇଯିବ । ପୁରୁଣା ଦରବାରଗୁଡ଼ାକ ଭାଙ୍ଗିଯିବ । ଏକ ଅନ୍ୟ ମୁହୂର୍ତ୍ତର ଆହ୍ୱାନ ଆସିବ । ଆମେ ସେହି ମୁହୂର୍ତ୍ତଟି ଲାଗି ପ୍ରସ୍ତୁତ ହେବା । ଧରା ପଡ଼ିଯାଇଥିବା ଆସକ୍ତମାନଙ୍କୁ ଭୁଲିଯିବା, ସେମାନଙ୍କୁ କ୍ଷମା କରି ଆଗକୁ ବାହାରିଯିବା ।

 

୨୮ । ୦୮ । ୮୧

☆☆☆

 

ଦୁଇଟି ପୁରୁଷର କଥା

 

ସ୍ଵାଧୀନତା ସଂଗ୍ରାମ ଚାଲିଥିବା ସମୟରେ ଯେଉଁମାନେ ଆମ ଓଡ଼ିଶାରେ ସାଧାରଣ କ୍ଷେତ୍ରରେ ରହିଥିଲେ ଓ ପରିବର୍ତ୍ତନର ସ୍ୱପ୍ନ ଦେଖୁଥିଲେ, ସେମାନେ ଘୋର ଦାରିଦ୍ର୍ୟ ଏବଂ ଅର୍ଥକଷ୍ଟ ମଧ୍ୟରେ କାଳ କଟାଉଥିଲେ । ଅନ୍ତତଃ ଆପଣାର କୁଟୁମ୍ବଟିକୁ ପୋଷିବା ଲାଗି ସେମାନଙ୍କୁ କେତେପ୍ରକାରେ ଚିନ୍ତିତ ରହିବାକୁ ପଡ଼ୁଥିଲା ଓ କେତେପ୍ରକାର ଧନ୍ଦାରେ ହାତ ଦେବାକୁ ପଡ଼ିଥିଲା । ତଥାପି ସେମାନେ ପ୍ରଥମେ ସଙ୍କଳ୍ପବଦ୍ଧ ସଂଗ୍ରାମୀ ଥିଲେ; ତାପରେ ଯାଇ ସଂସାରୀ ଥିଲେ । ଏହିପରି ଜଣେ ସଂଗ୍ରାମୀଙ୍କୁ ସେ ସେହି ପ୍ରଥମ କାଳରେ କେତେ ଆର୍ଥିକ ଅନାଟନ ସହିବାକୁ ପଡ଼ିଥିଲା, ଖବରକାଗଜରେ ତାଙ୍କରି ଏକ ପତ୍ର ଜରିଆରେ ସେହି କଥାଟି ବାହାରିଛି ।

 

ସ୍ଵାଧୀନତା ଆସିଲା । ସେକାଳରେ କେତେ କଷ୍ଟ ସହିଥିବା ସଂଗ୍ରାମୀମାନେ ନେତା ହେଲେ । ସ୍ୱାଧୀନ ଭାରତରେ ଆସନର ସ୍ୱୀକୃତି ପାଇଲେ । କେତେ କେତେ ପଦ ପାଇଲେ ଏବଂ ଆପଣାର ସନ୍ତାନମାନଙ୍କୁ ସେମାନେ ଅନ୍ୟ ପ୍ରକାରେ ଗଢ଼ିଲେ । ସେମାନଙ୍କୁ ଉଚ୍ଚ ପାଠ ପଢ଼ାଇଲେ, ଉଚ୍ଚ ଚାକିରି ଦିଆଇଲେ, ମହୀରେ ମହୀପତି କରାଇଲେ । ଯେଉଁମାନଙ୍କର ବାପମାନେ ଦାରିଦ୍ର୍ୟ ସହ୍ୟ କରିଥିଲେ, ସେମାନେ ପଦସ୍ଥ ହୋଇ ଲକ୍ଷ୍ମୀଙ୍କୁ ଭୋଗ କଲେ । ଏହି ଦୁଇଟିଯାକ ପୁରୁଷ ଉପରେ ଅବଲୋକନ କରିବାକୁ ବାହାରିଲେ ହିଁ ମନରେ କେତେ ଭାବନାର ଉଦ୍ରେକ ହୋଇଥାଏ । ଏ ପୁରୁଷ ଏବଂ ସେ ପୁରୁଷ ମଧ୍ୟରେ କେତେ ଯେ ଅନ୍ତର ହୋଇଗଲା, ସେହି କଥା ଭାବି ବେଳେବେଳେ ଭାରି ଆଶ୍ଚର୍ଯ୍ୟ ବି ଲାଗେ ।

 

ସେ କାଳର ସେହି ପୁରୁଷର ବ୍ୟକ୍ତିମାନେ ସ୍ୱେଚ୍ଛାରେ କଷ୍ଟ ସହୁଥିଲେ । ଆହୁରି ଅଧିକ କେଉଁ ସମ୍ପଦଟିଏ ପାଇଥିବା ପରି ସେମାନେ ପୃଥିବୀର ସାଧାରଣ ମଣିଷମାନେ ଲୋଡ଼ୁଥିବା କେଡ଼େ କେଡ଼େ ସମ୍ପଦକୁ ତୁଚ୍ଛ ମଣି ଛାଡ଼ି ଚାଲିଆସିଥିଲେ । ସେମାନେ ଏକ ସ୍ୱପ୍ନ ଲାଗି ଜୀବନ ବଞ୍ଚୁଥିଲେ ଓ ସେଥିଲାଗି ସଂସାରଯାକରେ ଆପଣାକୁ ସବୁଠାରୁ ବଡ଼ ଧନୀ ବୋଲି ମନେକରୁଥିଲେ । ସେମାନଙ୍କର ସନ୍ତାନମାନେ ଆଜି ବଡ଼ ଥାନମାନଙ୍କରେ କେଡ଼େ ସମ୍ପନ୍ନ ହୋଇ ବସିଛନ୍ତି, ସ୍ଵାଧୀନତା ପରେ ଦେଶକୁ ଆସିଥିବା ସମ୍ପନ୍ନତାର ସୂବା ବଡ଼ ଥାଳୀ ଗୁଡ଼ାକୁ ଭୋଗକରୁଛନ୍ତି । ସେମାନେ ଆପଣାର ହର୍ମ୍ୟମାନ ଗଢ଼ି ସେଇଥିରେ ବାସ କରୁଛନ୍ତି । ସେମାନଙ୍କ ସଂସାରରେ ଅନ୍ୟମାନଙ୍କ ଲାଗି ହୁଏତ ଆଦୌ କୌଣସି ସ୍ଥାନ ନାହିଁ । ସେମାନେ ଖାଲି ଉପଦେଶ ଦେଇ ବୁଲୁଛନ୍ତି । ସେମାନେ କୌଣସି ଜୀବନ ବଞ୍ଚୁନାହାନ୍ତି, ସଫଳ ହେବାକୁ ହିଁ ଧର୍ମ ବୋଲି ଧରିନେଇଛନ୍ତି ଏବଂ ଉପଦେଶ ଦେଇ ବୁଲୁଛନ୍ତି । ଆମକୁ ଧର୍ମକଥା କହୁଛନ୍ତି, ସଂସ୍କୃତି-କଥା କହୁଛନ୍ତି, ଆହୁରି କଷ୍ଟ ସହିବାକୁ କହୁଛନ୍ତି । ଆମ ସମାଜରେ ସୁନା ଓ ରୂପାର ମଣିଷ ହୋଇ ବସିଛନ୍ତି । ସେ ପୁରୁଷର ଦାରିଦ୍ର୍ୟ ଏବଂ ଏ ପୁରୁଷର ପ୍ରାଚୁର୍ଯ୍ୟ,—ଦୁଇଟା ମଧ୍ୟରୁ ମଣିଷକୁ ତା’ର ଗଭୀରତର ସ୍ତରରେ ଯଥାର୍ଥରେ ଜଣେ ମଣିଷ ହୋଇ ରହିବାକୁ କୋଉଟା ଅଧିକ ସାହାଯ୍ୟ କରେ କେଜାଣି ?

 

୦୯ । ୦୯ । ୮୧

☆☆☆

 

ଧନୀ ଦରିଦ୍ର ସମ୍ମିଳନୀ

 

ଆମ ପୃଥିବୀରେ ଧନୀ ରାଷ୍ଟ୍ର ଅଛନ୍ତି, ଦରିଦ୍ର ରାଷ୍ଟ୍ରମାନେ ବି ଅଛନ୍ତି । ସାମ୍ରାଜ୍ୟ ଓ ଉପନିବେଶ ବଢ଼ାଇ ଗତ ଶତାବ୍ଦୀରେ ଯେଉଁ କେତୋଟି ଦେଶ ପୃଥିବୀର ବାଣିଜ୍ୟକୁ ଗୋଟାସୁଦ୍ଧା ନିଜର ବାଣିଜ୍ୟ କରି ରଖିଥିଲେ, ବର୍ତ୍ତମାନ ଉପନିବେଶଗୁଡ଼ାକ ଚାଲିଯିବା ପରେ ମଧ୍ୟ ସେହି ଦେଶମାନେ ଧନୀ ଦେଶ ହୋଇ ରହିଛନ୍ତି ।

 

ପୃଥିବୀର ସଉଦା କାରବାର ପ୍ରଧାନତଃ ସେହିମାନଙ୍କର ନୀତି ଅନୁସାରେ ଚାଲିଛି । ସେହିମାନଙ୍କର ମୁଦ୍ରାରେ ଏବେ ମଧ୍ୟ ଅଧିକ ଦାନ୍ତ ରହିଛି । ଆଗେ ଯେଉଁ ସବୁ ଦେଶ ଉପନିବେଶ ଥିଲେ ଓ ଏବେ ସ୍ୱାଧୀନ ହୋଇଛନ୍ତି, ସେମାନେ ଏବେ ମଧ୍ୟ ପ୍ରଧାନତଃ ସେହି ପୁରୁଣା ଧନୀ ଦେଶମାନଙ୍କର ବଜାରନୀତି ଦ୍ୱାରା ପରିଚାଳିତ ହେଉଛନ୍ତି । ପ୍ରଧାନତଃ ସେହିମାନଙ୍କର ଅନୁକରଣ କରୁଛନ୍ତି, ଏପରିକି ନିଜ ନିଜ ସାନ ଅଞ୍ଚଳ ଓ ମଣ୍ଡଳଗୁଡ଼ିକରେ ସେହିମାନଙ୍କ ପରି ମହାଜନ ହୋଇ ରହିବାର ଆକାଂକ୍ଷା ବି ରଖିଛନ୍ତି । ଏହିସବୁ ଦେଶର କ୍ଷମତାସୀନ ମୁଖ୍ୟମାନେ ନିଜକୁ ଦରିଦ୍ର ଦେଶମାନଙ୍କର ପ୍ରତିନିଧି ବୋଲି କହୁଥିଲେ ମଧ୍ୟ ନିଜର ମଞ୍ଜ ଭିତରେ ଠିକ୍ ସେହିମାନଙ୍କ ପରି ହେବାକୁ ଇଚ୍ଛା କରୁଛନ୍ତି ।

 

ଏହିପରି ଏକ ପୃଷ୍ଠଭୂମି ଉପରେ ଧନୀ ଓ ଦରିଦ୍ର ଦେଶର ରାଷ୍ଟ୍ରପ୍ରତିନିଧିମାନଙ୍କୁ ନେଇ ସମ୍ମିଳନୀମାନ ବସୁଛି । ଧନୀ ରାଷ୍ଟ୍ରମାନେ ଋଣ ଦେଉଛନ୍ତି; ସେହି ଋଣରୁ କିଏ ଅଧିକରୁ ଅଧିକ ଆଣିପାରିବ, ସେଥିଲାଗି ଦରିଦ୍ରମାନଙ୍କ ଭିତରେ ପ୍ରତିଯୋଗିତା ଚାଲିଛି । ଫଳରେ କେତେ ଗଣ୍ଠିରେ ବାନ୍ଧି ହେବାକୁ ପଡ଼ୁଛି, କେତେ ମିଛ ବନ୍ଧୁତାର ଭାଣ ବି କରିବାକୁ ପଡ଼ୁଛି । କେତେ କୂଟନୀତିର ଅନୀତି ଭିତରେ ଛନ୍ଦି ହୋଇ ରହିବାକୁ ପଡ଼ୁଛି । ତଥାପି ଦରିଦ୍ର ଦେଶରେ ଅଧିକାଂଶ ଲୋକଙ୍କର ଦାରିଦ୍ର୍ୟ ଘୁଞ୍ଚୁନାହିଁ । ସେସବୁ ଦେଶରେ ରାଜନୀତିକ, ଆର୍ଥିକ ଓ ଆହୁରି ଅନେକ ପ୍ରକାର ପରତାର ନୂଆ ନୂଆ ଭଉଁରୀମାନ ସୃଷ୍ଟି ହେବାରେ ଲାଗିଛି । ସଂସାରରେ ମହାଜନମାନଙ୍କର ହିଁ ସିରସ୍ତା ବଢ଼ିବାରେ ଲାଗିଛି; ମହାଜନମାନଙ୍କର ସଭ୍ୟତାରୀତି ଗୁଡ଼ାକ ବିଶ୍ୱମୟ ଗ୍ରାସ କରିବାର ବାଟମାନ ଖୋଲିଯାଉଛି ।

 

ପୃଥିବୀରେ ସବୁ ଦେଶରେ ମଣିଷ ଅଛନ୍ତି; ଏବଂ ଅଧିକାଂଶ ଦେଶରେ ସେହି ମାନଙ୍କ ଦ୍ଵାରା ମନୋନୀତ ହୋଇଥିବା ଓ ସେହି ମଣିଷମାନଙ୍କର ଯଥାର୍ଥ ହିତ ଚାହୁଥିବା ରାଷ୍ଟ୍ରମୁଖ୍ୟମାନେ ଏପର୍ଯ୍ୟନ୍ତ ସମ୍ଭବ ହୋଇ ନାହାନ୍ତି । ଅଧିକାଂଶ ସ୍ଥଳରେ ମଣିଷମାନଙ୍କୁ ଅନ୍ଧାରରେ ରଖି, ଅଫିମ ଖୁଆଇ ରାଷ୍ଟ୍ରମୁଖ୍ୟମାନେ ରାଷ୍ଟ୍ରଶାସନରେ ଯାଇ ବସିଛନ୍ତି । ତେଣୁ ଧନୀ ଦରିଦ୍ରଙ୍କର ତଥାକଥିତ ବହ୍ୱାଡ଼ମ୍ବରମୟ ସମ୍ମିଳନୀ ଦ୍ୱାରା ପୃଥିବୀର ଅଧିକାଂଶ ମଣିଷଙ୍କର ବିଶେଷ କିଛି ଲାଭ ହେଉନାହିଁ-। ତିମିର ପଛକୁ ତିମିର ଲାଗିରହିଛି । ଆହୁରି ଅଧିକ ତିମିର ଘୋଟିଆସିଲାପରି ମନେହେଉଛି-

 

ମଣିଷଲାଗି, ମଣିଷର ପ୍ରକୃତ ମଙ୍ଗଳଲାଗି ଏକ ନୂଆ ଅର୍ଥନୀତି ଦରକାର, ନୂଆ ରାଜନୀତି ଦରକାର । ବିଶ୍ୱର ଯାବତୀୟ କ୍ଷେତ୍ରରେ ମଣିଷଠାରୁ ମଣିଷକୁ ଦୂରଛଡ଼ା କରି ରଖିଥିବା ଯାବତୀୟ ପ୍ରକାରର ସାମନ୍ତବାଦର ବିଲୋପ ଦରକାର । ଏହି ପୁରୁଣାଗୁଡ଼ାକ ଆଉ ମୋଟେ କାମ ଦେବନାହିଁ । ପୁରୁଣା ମହାଜନମାନେ କ୍ରମେ ମିଉଜିଅମର ସାମଗ୍ରୀ ହୋଇ ରହିବେ । ଦେଶ, ଜାତି, ଜାତୀୟତା ପ୍ରଭୃତି ଶବ୍ଦର ପୁରୁଣା ସଂଜ୍ଞାଗୁଡ଼ିକ କଟିଯିବ । ସେହି ମୋହଭଙ୍ଗର ମୁହୂର୍ତ୍ତଟି ନିକଟ ହୋଇ ଆସୁଛି । ସେତେବେଳେ ଧନୀ ଓ ଦରିଦ୍ରଙ୍କର ସମ୍ମିଳନୀ ବସାଇବାକୁ ଆଉ କୌଣସି ଆବଶ୍ୟକତା ନଥିବ । ସେତେବେଳେ ମଣିଷର ସମ୍ମିଳନୀ ବସିବ ।

 

୧୨ । ୦୯ । ୮୧

☆☆☆

 

ହସ ହିଁ ମହୌଷଧ

 

ସେଦିନ ଏକ ସରସ ସଭାର ସାନ୍ଧ୍ୟାପବନରେ ସମ୍ମାନିତ ଅତିଥିଙ୍କର ଆସନରେ ବସି ବକ୍ତ । ହସକୁ ହିଁ ମହୌଷଧ ବୋଲି କହିଲେ । ସ୍ଵୟଂ ମୋଟେ ନହସି ଅର୍ଥାତ୍ ଅତ୍ୟନ୍ତ ଗମ୍ଭୀର ଭାବରେ ବକ୍ତା ଏହି କଥାଟିକୁ କହିଲେ ଏବଂ ଶ୍ରୋତାମାନେ ଅତ୍ୟନ୍ତ ଗମ୍ଭୀର ଭାବରେ ତାହାକୁ ଶୁଣିଲେ । ଘନ ଘନ କରତାଳି ଦେଲାବେଳେ ମଧ୍ୟ ସେମାନେ ମୋଟେ ନହସି ଭାରି ଗମ୍ଭୀର ଭାବରେ ବକ୍ତାଙ୍କର ଉକ୍ତିଟିକୁ ସମର୍ଥନ ଜଣାଉଥିଲେ ।

 

ହସ ହିଁ ମହୌଷଧ । ଆମ ସ୍ଥିତିଗୁଡ଼ାକର ଯାବତୀୟ ବେମାରିକୁ ହସ ମହୌଷଧ । ଯାବତୀୟ ନୈରାଶ୍ୟ ଲାଗି ମହୌଷଧ । ଆମର ଏହି ଯୁଗର ଯାବତୀୟ ଅଡୁଆ ଭିତରେ ରହି ମଧ୍ୟ ଯିଏ ହସରୂପୀ ମହୌଷଧ ନିତ୍ୟ ସେବନ କରୁଛି, ସିଏ ଅଶେଷ ବେମାରି ଦ୍ୱାରା ଗୁରେଇ–ତୁରେଇ ହୋଇ ରହିଥିଲେ ମଧ୍ୟ ତଥାପି ବେମାରିଟାକୁ ମୋଟେ ଭୋଗ କରୁନାହିଁ । ବେମାରି ଭିତରେ ବି ହସୁଛି, ସଫଳ ହୋଇ ପାରିଥିବାରୁ ହସୁଛି, ସମ୍ରାଟ ହୋଇ ପାରିଥିବାରୁ ହସୁଛି ଏବଂ ହସି ପାରୁଛି ବୋଲି ଆପଣା ଭିତରେ ରହିଥିବା ରାକ୍ଷସଟା ସହିତ ସହାବସ୍ଥାନ କରିପାରୁଛି । ବିବେକର ଦଂଶନ ତାକୁ ମୋଟେ ଦଂଶନ କରିପାରୁନାହିଁ । ସିଏ ସାହିତ୍ୟ କରୁଛି, ସଂସ୍କୃତି କରୁଛି, ଧର୍ମ କରୁଛି । ବଚନ ବଖାଣୁଛି, ପ୍ରବଚନରେ ଜନମନ ମୋହୁଛି । ମଣିଷମାନଙ୍କୁ ସତେଅବା ରାଜବୈଦ୍ୟ ପରି ହସରୂପୀ ମହୌଷଧିର ସନ୍ଧାନ ବତାଇଦେଉଛି । ଯୁଗଟାଯାକକୁ ଥଣ୍ଡାକରି ଖୁସ୍‍ମିଜାଜ କରି ରଖିବାକୁ ତାହାର ପରାମର୍ଶଗୁଡ଼ାକ ଅଶେଷ ପରିମାଣରେ କାମ ଦେଉଛି । ଘାଆଗୁଡ଼ାକ ଆଉ ମୋଟେ ଘାଆ ପରି ମନେହେଉନାହିଁ ।

 

ଗୋଟାଏ ହସ ଭୁଲିଯିବା ପାଇଁ ହସାଯାଏ । ଦୁଃଖ ଭୁଲିଯିବାକୁ ହସାଯାଏ, ଲାଜ ଭୁଲିଯିବାକୁ ହସାଯାଏ; ଜଣେ ମଣିଷ ହିସାବରେ ନିଜର ଇଜ୍ଜତ ରଖିବା ଯେ ସର୍ବପ୍ରଥମେ ସେହି ମଣିଷର ହିଁ କର୍ତ୍ତବ୍ୟ, ସେହି କଥାଟିକୁ ଭୁଲିପାରିବା ଲାଗି ହସାଯାଏ । ଆସନସ୍ଥ ବଡ଼ମାନେ ପରାହତ ସାନମାନଙ୍କ ପାଇଁ କେତେମନ୍ତେ ଏହି ହସର ବରାଦ କରିବାରେ ଲାଗିଥାନ୍ତି । ସେହିମାନେ ହିଁ ହସକୁ ମହୌଷଧ ବୋଲି କହନ୍ତି । ଆଉ ଗୋଟାଏ ହସ ଅଛି; ଯାହାକୁ କି ମଣିଷ ଆପଣା ଶକ୍ତିର ପରିଚୟ ପାଇଲେ ହସି ଶିଖେ । ତା’ପରେ ସିଏ କାବୁ ହୋଇ ରହିବାକୁ ମନା କରିଦିଏ । ସିଏ ନିଜର ଇଜ୍ଜତକୁ ଅନୁଭବ କରି ଶିଖେ । ବଡ଼ ଆସନମାନଙ୍କରେ ବସିଥିବା ସାନମଣିଷମାନଙ୍କୁ ସାନ ବୋଲି ଚିହ୍ନି ଶିଖେ ଏବଂ ଏପରି ଏକ ଅନ୍ୟ ଦିନର କଳ୍ପନା କରୁଥାଏ, ଯେଉଁଦିନ କି ଚଉକି ଅପେକ୍ଷା ମଣିଷକୁ ଅଧିକ ବଡ଼ ବୋଲି ସ୍ୱୀକାର କରାଯିବ । ମଣିଷକୁ ମଣିଷର ସମ୍ମାନ ମିଳିବ । ଯେଉଁଦିନ ଆମ ଜୀବନର ଦାଣ୍ଡଗୁଡ଼ାକୁ ପ୍ରଧାନତଃ ଏକ ହାସ୍ୟାସ୍ପଦ ତାମସାରେ ପରିଣତ କରି ରଖିଥିବା ଚତୁରମାନେ ନିଜକୁ ସବାଆଗ ମଣିଷ ବୋଲି ଚିହ୍ନିବେ, ମଣିଷକୁ ଲୋଡ଼ିବେ, ମଣିଷ ସହିତ ସହଯୋଗ ବି କରି ଶିଖିବେ ।

 

୨୧ । ୦୯ । ୮୧

☆☆☆

 

କାଞ୍ଜି ପଶିଲା ସବୁରି ଘରେ

 

ଯେତେବେଳେ ରାଜନୀତି ମଣିଷ ପାଇଁ ହୁଏ, ସେତେବେଳେ ରାଜନୀତି ଆପଣାର ମହତ ଜଗି ରହିଥାଏ । ମଣିଷକୁ ଆଗରେ ରଖେ । ନିଜେ ତା’ପଛରେ ଯାଇ ରହିଥାଏ; ମାତ୍ର ଯେତେବେଳେ କେତେକ ମଣିଷଙ୍କର କ୍ଷମତାଲାଳସା ଆପଣାକୁ ରାଜନୀତି ନାମରେ ପ୍ରତିଷ୍ଠିତ କରାଇବାକୁ ମନ କରେ, ସେତେବେଳେ ସେହି ରାଜନୀତି ସତେଅବା କାଞ୍ଜି ହୋଇ ସବୁରି ଘରେ ଯାଇ ପଶିବାକୁ ଅସ୍ଥିର ହୋଇପଡ଼େ । ତାହା ଆଉ ନିଜର ମହତସୀମା ଗୁଡ଼ାକ ଭିତରେ ମୋଟେ ଧୈର୍ଯ୍ୟ ଧରି ରହି ପାରେନାହିଁ । ସବୁରି ଦିହରେ ନାହୁଡ଼ ମାରିବାକୁ ବାହାରେ । ଆପଣାର ମହତ ସାରେ । ଭାରି ହାସ୍ୟାସ୍ପଦ ହୁଏ । ଆସନଗୁଡ଼ାକ ଯେଡ଼ିକି ଉଚ୍ଚ ଓ ବହୁବ୍ୟାପୀ ହୋଇ ସାହାଣ ମାଡ଼ିବସିଥାନ୍ତି, ଆସନ ଉପରେ ବସିଥିବା ଆୟୁଧଧାରୀ ଦିଅଁଗୁଡ଼ାକ ସେତିକି ପଦାରେ ପଡ଼ିଯାଉଥାନ୍ତି ।

 

କ୍ଷମତା ଅନେକ ସିଦ୍ଧିଲାଭ କରିପାରେ; ମାତ୍ର ସେହି କ୍ଷମତା ନାନା କାରଣରୁ ନିଜକୁ ଏକ ଲାଳସାରେ ପରିଣତ କରି ପକାଇଲେ ତାହା କ୍ରମେ ନିର୍ବୋଧ ହେବାକୁ ଆରମ୍ଭ କରେ । ହାତରେ ଧରିଥିବା କାଠିଗୁଡ଼ାକୁ ତାହା ସବୁ ପାଲିରେ ନେଇ ପକାଇବାକୁ ମନ କରେ, ସବୁ ଖେଳରେ ସାର ପକାଇ ଦିଗ୍‍ବିଜୟ କରିବ ବୋଲି ଆଣ୍ଟ କାଢ଼େ । ସ୍ଵାଧୀନ ଭାରତରେ ଗତ ୨୫ ବର୍ଷର ରାଜନୀତିକ କ୍ଷମତାର ଇତିହାସ ହେଉଛି ଏହି ପରମହାସ୍ୟକର ନିର୍ବୋଧତାର ଇତିହାସ । ଏହା ଫଳରେ ରାଜନୀତି ଦ୍ଵାରା ଆମ ଦେଶରେ ଓ ଆମ ଭାଗ୍ୟରେ ଯେତିକି ସମ୍ଭବ ହୋଇଥାନ୍ତା, ସେତିକି ମଧ୍ୟ ସମ୍ଭବ ହୋଇପାରିନାହିଁ । ଆପଣା କ୍ଷେତ୍ରରେ ଅସମର୍ଥ ହୋଇ ବନ୍ଧ୍ୟାମାନେ ଆହୁରି ନାନା କ୍ଷେତ୍ରରେ ଯାଇ ଶୁଆ ନଚାଇବାକୁ ମନ କରୁଛନ୍ତି । ସମସ୍ତଙ୍କୁ ଫାଶରେ ପକାଇ ବନ୍ଧ୍ୟାତ୍ଵର ଦୀକ୍ଷା ଦେବାପାଇଁ କେଡ଼େ ଉତ୍ସାହ ଦେଖାଉଛନ୍ତି ।

 

ଯେତେବେଳେ ସାହିତ୍ୟିକ ବି ସାହିତ୍ୟକୁ ନ ଲୋଡ଼ି ଆଗ କ୍ଷମତାକୁ ଲୋଡ଼େ, ବିଦ୍ୱାନ୍ ବିଦ୍ୟାକୁ ନଲୋଡ଼ି ଆଗ କ୍ଷମତାକୁ ଲୋଡ଼େ ଏବଂ ପୁରୁଷ ପୌରୁଷକୁ ନ ଲୋଡ଼ି ଆଗ ଫାଶିଆଗୁଡ଼ାକୁ ଲୋଡ଼େ, ରାଜାଙ୍କଠାରୁ ପାଟଚଦର ପାଇବାକୁ ହିଁ ଯେତେବେଳେ ସିଏ ନଶ୍ୱର ଜୀବନର ଏକମାତ୍ର ଈଶ୍ୱରତ୍ନ ବୋଲି ଭାବିବାକୁ ଆରମ୍ଭ କରେ, ଫାଶଟି ପଡ଼ିବାମାତ୍ରକେ ସିଏ ଭାରି ତରତର ହୋଇ ତାହାରି ଭିତରକୁ ଆପଣାର ବେକ ଦେଖାଇଦିଏ । ଫାଶିଆ ପିନ୍ଧି ବସିବାକୁ ହିଁ ବିଜୟ ବୋଲି ଭାବେ । ସିଏ ବିକ୍ରି ହୋଇଯାଏ । ସୁନା ବିକି ତମ୍ବା ଓ ପିତଳ କିଣେ, ଆପଣା ଭିତରେ ସୁନାପୁଅଟି ବ୍ୟତୀତ ଆଉ କୋଉଠି ହେଲେ କିଛି ନାହିଁ ବୋଲି ଜିଭଟିକୁ କାଢ଼ି ବେକଟିକୁ ଟେକି ଦେଖାଇ ଦେବାଲାଗି ସଭାକୁ ଯାଏ । ସାହିତ୍ୟ କିପରି ଲେଖାହେବା ଉଚିତ, ସେହି ବିଷୟରେ ପରାମର୍ଶମାନ ଶୁଣେ । ସିଏ ବି ବନ୍ଧ୍ୟାତ୍ଵକୁ ଆଦରିନିଏ ।

 

ସବୁ ଗ୍ରାସ କରିବାକୁ ନିର୍ବୋଧ କ୍ଷମତାନିଶାର କ୍ଷୁଦ୍ରତା ଏବଂ ଆପଣାର ପଗଡ଼ିଟିକୁ ନେଇ ଜହାଁପନାମାନଙ୍କର ଖଟୁଲି ଗୋଡ଼ ପାଖରେ ରଖିଦେଇ ଆସିବାକୁ ସୁରତି ପାଇବା ପରି ମନେକରୁଥିବା ଶ୍ରୀମନ୍ତ ଓ ଗୁଣବନ୍ତମାନେ ଯେତେବେଳେ ପରସ୍ପରର ସାଙ୍ଗ ହୁଅନ୍ତି, ସେତେବେଳେ ମଣିଷ ଭିତରେ ଥିବା ଦେବତାମାନେ ନିଶ୍ଚୟ ଆଖିରୁ ଲୁହ ଗଡ଼ାଇ କାନ୍ଦୁଥିବେ ।

 

ପରମସ୍ରଷ୍ଟା ହୁଏତ ଆଉ ଥରେ ଅନ୍ୟ ରୀତିରେ ଏକ ନୂଆ ସୃଷ୍ଟି ଲାଗି ବିଚାର କରୁଥିବେ । ଯୁଗ ସର୍ବଂସହା ଜନନୀ ପରି ସେହି ନୂତନ ସୃଷ୍ଟିଲାଗି ଅପେକ୍ଷା କରି ରହିଥିବ । ଅନ୍ଧାର ଭିତରେ ତଥାପି ଲୁଚିରହିଥିବା ଆଲୋକ ଆପଣାକୁ ଏକ ନୂତନ ଅସ୍ତ୍ରରୂପେ ତିଆରି କରିବାରେ ଲାଗିଥିବ ।

 

୦୪ । ୧୦ । ୮୧

☆☆☆

 

ଶୋଭନୀୟ ଅଶୋଭନୀୟ

 

ଏକ ଅଧୋଗତ ସମାଜ ଏବଂ ଅନ୍ଧକାର–ଉତ୍‌ପୀଡ଼ିତ କାଳରେ ଯେଉଁମାନେ ବଡ଼ ଆସନରେ ବସି ଶୋଭନୀୟ ହୋଇ ଦିଶୁଥାନ୍ତି, କେବଳ ସେଇମାନେ ହିଁ ଶୋଭନୀୟ ଅଶୋଭନୀୟ ବିଷୟରେ ସ୍ଵପ୍ନ ଦେଖନ୍ତି ଓ ସ୍ୱପ୍ନଲବ୍‍ଧ ଖିଆଲଗୁଡ଼ାକୁ ସଭା ସମିତିରେ କହି ବୁଲନ୍ତି-। ସାମୂହିକ ଜୀବନର ଅସଲ ଅଶୋଭା ଓ ଅସଲ ଲଜ୍ଜାଗୁଡ଼ାକ ଏହି ବଡ଼ମାନଙ୍କର ଆଖିକୁ ଆଦୌ ଦିଶେନାହିଁ । ଏମାନେ ନିଜେ ଯେ ଏହି କାଳଟା ମଧ୍ୟରେ ଅନେକ ଅଶୋଭା ଓ ଅନେକ ଲଜ୍ଜାର କାରଣ ହୋଇ ରହିଛନ୍ତି, ଅନେକ ଅବର୍ଜିଆକୁ ଦୃଢ଼ମୂଳ ଓ ସହନୀୟ କରି ରଖିବାକୁ କ୍ଷେତ୍ରପାଳ ପରି କାର୍ଯ୍ୟ କରୁଛନ୍ତି, ସେମାନେ ସେହି କଥାଟିର କଳ୍ପନା ହିଁ କରିପାରନ୍ତି ନାହିଁ । ମୋହରେ ପଡ଼ି ଆପଣାକୁ ସକଳ ମୋହରୁ ମୁକ୍ତ ବୋଲି ବିଚାରୁଥିବା ମଣିଷ ସେଥିଲାଗି କିପରି ବା ସମର୍ଥ ହୁଅନ୍ତା-?

 

ସେଦିନ ଜଣେ କ୍ଷେତ୍ରକର୍ତ୍ତା ଆମ ସହରର ଯୁବକ ଯୁବତୀମାନେ ଶୋଭନୀୟ ପୋଷାକପତ୍ର ପରିଧାନ କରିବା ଉଚିତ ବୋଲି ଯୁକ୍ତି ବାଢ଼ି କେତେକଥା ଲେଖିଲେ । ମଣିଷ ଶୋଭନୀୟ ଦିଶିଲେ ଯେ ଭିତରେ ମଧ୍ୟ ଅଶୋଭନୀୟ ହୋଇଥାଏ ଏବଂ ଅଶୋଭନୀୟ ଦିଶିଲେ ଭିତରେ ମଧ୍ୟ ଶୋଭନୀୟ ହୋଇପାରେ, ତାଙ୍କର ଲେଖାଟିର ଏ ମୁଣ୍ଡରୁ ସେ ମୁଣ୍ଡଯାଏ ଏହି ବିଷୟରେ ଏକ ନିରୀହ ଅଜ୍ଞାନ ଭର୍ତ୍ତି ହୋଇ ରହିଥିଲା । ଅନେକସମୟରେ ଭିତରଟାକୁ ଲୁଚାଇ ରଖିବାକୁ ମଧ୍ୟ ବାହାରର ପରିହିତ ପୋଷାକ ଆମକୁ ଭାରି ସାହାଯ୍ୟ କରିଥାଏ । ରାଜପୋଷାକ ପିନ୍ଧିଲେ ସବୁ ରାଜା କଦାପି ବିଚାରବନ୍ତ ହୁଅନ୍ତି ନାହିଁ କିମ୍ବା ପୋଲିସର ପୋଷାକ ପିନ୍ଧିଲେ ସେହି ବିଭାଗର ଆଜ୍ଞାକର୍ତ୍ତା ଏବଂ ଆଜ୍ଞା ପାଳନକର୍ତ୍ତାମାନେ କଦାପି ସେହି କାରଣରୁ ହିଁ ସାଧୁ ହୋଇ ଯାଆନ୍ତି ନାହିଁ । ତଥାପି ଭେକକୁ ଧର୍ମ ବୋଲି ବିଶ୍ୱାସ କରୁଥିବା ନିଷ୍ଠାପରମାନେ ଭେକଟାକୁ ହିଁ ଏତେଗୁଡ଼ାଏ ମହତ୍ତ୍ୱ ଦେବାକୁ ଭଲପାଆନ୍ତି ।

 

ଉଦ୍ଧତ ମଣିଷର ପୋଷାକ ଉଦ୍ଧତ ହେବାକୁ ହିଁ ବାଧ୍ୟ ହୁଏ । ଅନ୍ଧାରରେ ଚୋରି କରି ବାହାରିଥିବା ମଣିଷ ଯେପରି ବାଛି ବାଛି କଳା ରଙ୍ଗର ପୋଷାକ ପିନ୍ଧ, ପ୍ରାୟ ଠିକ୍‍ ସେହିପରି । ତେଣ ଚୋର ପିନ୍ଧିଥିବା ପୋଷାକକୁ ଶୋଭନୀୟ ବା ଅଶୋଭନୀୟ ବୋଲି ବିଚାର ନକରି ଚୋରକୁ ଚିହି ହିଁ ତା’ର ପୋଷାକଟାକୁ ଚିହ୍ନିବା ହୁଏତ ଅନେକ ଅଧିକ ଯୁକ୍ତିଯୁକ୍ତ ହୋଇଥାଏ । ଆମ ସମାଜରେ ଅଧିକ ମଣିଷ ଅଶିକ୍ଷିତ, ଅଳପ ମଣିଷ ଶିକ୍ଷିତ । ଅଧିକ ମଣିଷ ଅଭାବପୀଡ଼ିତ, ଅଳପ ମଣିଷ ଧନୀ । ଶିକ୍ଷିତ ଓ ଧନୀମାନେ ଅଧିକ ଚତୁର । ସେହିମାନଙ୍କ ପାଖରେ ହିଁ ଅଧିକ କ୍ଷମତା ରହିଛି । ଧର୍ମଘରଗୁଡ଼ାକରେ ବି ସେମାନଙ୍କ ଲାଗି ବିଶେଷ ଘଣ୍ଟମାନ ପିଟା ହେଉଛି । ତେଣୁ ପରେ ଅନ୍ୟ ଗାଈ ଅଧିକ ସଂଖ୍ୟାରେ ଥିଲେ ମଧ୍ୟ ପାଟଗାଈର ବେକରେ ଯେପରି ଗୋଟାଏ ବିଶେଷ ଘାଗୁଡ଼ି ବାନ୍ଧି ତାକୁ ଅଲଗା କରି ଚିହ୍ନାଇ ଦେବାକୁ ପଡ଼େ, ଠିକ୍‍ ସେହି ପରି ଆମ ଚତୁରମାନେ ଅଲଗା ପୋଷାକ ପିନ୍ଧି ସମସ୍ତଙ୍କ ଭିତରେ ଅଧିକ ମତ୍ତ ଓ ଅଧିକ ଉଦ୍ଧତ ହୋଇ ଦିଶିବାକୁ ଏଡ଼େ ଉତ୍ସାହ ଦେଖାଉଛନ୍ତି । ଏହାଦ୍ଵାରା ଆମ ଭିତରର କେତେ ଶୂନ୍ୟତା ଓ କେତେ ଦୀନତା ଯେ ଘୋଡ଼ାଇ ହୋଇ ରହିଯାଇ ପାରୁଛି; ସେକଥା ଆମ ସମସ୍ତଙ୍କୁ ଭାରି ଭଲକରି ଜଣାଅଛି ।

 

ଆମେ ଯେମିତି ଚାହୁଁଛୁ, ଆମ ଦୋକାନଗୁଡ଼ାକ ଆମକୁ ସେହିପରି ମାଲ ଆଣି ଯୋଗାଇ ଦେଉଛନ୍ତି । ଉଚିତ ଥାନରେ ଏକ ଉଚିତ ପ୍ରୟୋଜନ ମେଣ୍ଟାଇବା ଲାଗି ଯାହା ଦରକାର ହୁଏ, ତାହାହିଁ ଶୋଭନୀୟ । ଉଦ୍ଧତତା ଗୁଡ଼ାକ ଆହୁରି ଅଧିକ ପାଚିଲେ ସିନା ଉଦ୍ଧତତାର ସରିବା ବେଳ ଆସି ପହଞ୍ଚିବ !

 

୧୧ । ୧୦ । ୮୧

☆☆☆

 

ନିଆଁ ଲଗାଇଦିଅନ୍ତି

 

ଭାରତୀୟ ରାଜନୀତିରେ ସମସ୍ତଙ୍କର ପ୍ରାୟ ଅଜା ପରି ହୋଇ ବସିଥିବା ଓ ଆଖି ଆଗରେ ଦେଶର ଡିହଟିରୁ ଖଣ୍ଡ ଖଣ୍ଡ ହୋଇ ଅତଡ଼ା ଖସୁଥିବାର ଦେଖୁଥିବା ଆଚାର୍ଯ୍ୟ କୃପାଳିନୀ ଖବରକାଗଜରେ ଏବେ ବିବୃତ୍ତ ଦେଇ କହିଛନ୍ତି ଯେ, ତାଙ୍କର ଯଦି ଟୋକା ବୟସ ହୋଇଥାଆନ୍ତା, ତେବେ ସିଏ ଏହି ଦେଶରେ ନିଆଁ ଲଗାଇଦିଅନ୍ତେ ।

 

ଯଦି ତାଙ୍କର ଏତିକି କଥା କରିବାକୁ ଥିଲା, ତେବେ ଆଚାର୍ଯ୍ୟ କୃପାଳିନୀ ତାହାକୁ ଖବରକାଗଜର ଏକ ବିବୃତ୍ତରୂପେ କାହିଁକି କହିଲେ କେଜାଣି ? ସବୁଠାରୁ ଭଲକଥା ହୋଇଥାନ୍ତା, ଯଦି ସିଏ କେତେଜଣ ଟୋକାଙ୍କୁ ଡାକି ସେହିମାନଙ୍କ ଆଗରେ ଏହି କଥାଟିକୁ କହିଥାନ୍ତେ; କିନ୍ତୁ ଟୋକାମାନଙ୍କ ଭିତରୁ ଭାରତବର୍ଷରେ ଆଜି କିଏ କାହିଁକି ତାଙ୍କ କଥାକୁ ଶୁଣିବାକୁ ଯିବେ ଯେ ସିଏ ସେମାନଙ୍କୁ ସାହସ କରି ପାଖକୁ ଡକାଇବେ ? ବୟସରେ ବୁଢ଼ା ହେଲେ ମଧ୍ୟ ତଥାପି ମଣିଷ ଭିତରେ କୌଣସି ଏକ ସ୍ଥାନରେ ଟୋକା ବସି ରହିଥାଏ । ତରୁଣଟାଏ ଜୀଇକରି ରହିଥାଏ । ହୁଏତ ତାହାରି ପାଖରେ ଆପଣାର କୌଣସି ହିସାବ ଦେଇନପାରି ଆପଣାକୁ ବୃଦ୍ଧ ଓ ଅସମର୍ଥ ବୋଲି ମନେ କରୁଥିବା ଆଚାର୍ଯ୍ୟ କୃପାଳିନୀ ଭାରି କୁଦ୍ଧ ଓ ଆତ୍ମରୁଦ୍ଧ ଭାବରେ ଏପରି ଗୋଟାଏ ତାତିଲା କଥା କହି ପକାଇଲେ । ସେହିକଥା ତାଙ୍କ ଭିତରର ତାତିଟାକୁ ଆହୁରି ବୈକଲ୍ୟ ଆଣିଦେବ ସତ; ମାତ ଆଉ କାହାକୁ ହେଲେ ତତାଇବାରେ ଆଦୌ କୌଣସି ସାହାଯ୍ୟ କରିବ ନାହିଁ ।

 

ଆଚାର୍ଯ୍ୟ କୃପାଳିନୀ ଭାରତର ସ୍ଵାଧୀନତା ପାଇଁ ଲଢ଼ିଥିଲେ । ସେହି ପ୍ରଥମ ଲଢ଼େଇ ପରେ ଆହୁରି ଅନେକ ଲଢ଼େଇ ତଥାପି ଯେ ବାକୀ ରହିଥାଏ, ସେକଥା ସ୍ୱାଧୀନ ଭାରତର ପ୍ରଥମ ନେତାମାନେ ଯେପରି ଅବଲୀଳାକମେ ଭୁଲିଗଲେ, ସେକଥା ଆଚାର୍ଯ୍ୟ କୃପାଳିନୀ ମଧ୍ୟ ସ୍ୱୟଂ ଅଙ୍ଗେ ନିଭାଇଛନ୍ତି ।

 

ସେତେବେଳେ ସିଏ ମୋଟେ ବୁଢ଼ା ହୋଇନଥିଲେ । ସିଏ ଇଚ୍ଛା କରିଥିଲେ ତାଙ୍କ ଅନ୍ତରଙ୍ଗ ସମକକ୍ଷମାନଙ୍କର ଛାଉଣିରେ ସେତେବେଳେ ନିଶ୍ଚୟ ନିଆଁ ଲଗାଇଦେଇ ପାରିଥାନ୍ତେ । ମାତ୍ର ସିଏ ତଥାପି ସାଆନ୍ତମାନଙ୍କ ଉପରେ ବିଶ୍ଵାସ କଲେ, ମିଛ ଦିଅଁଗୁଡ଼ା ଙ୍କର ଭୋଗ ଖାଇବାରେ କେତେ ସାହାଯ୍ୟ କଲେ । ଅସଲ ବେଳଗୁଡ଼ାକୁ ଗଡ଼ାଇଦେଲେ । ତଦ୍ୱାରା ନିଜ ପାଖରେ ସିଏ ଯେଉଁ ଅପରାଧ କଲେ, ବର୍ତ୍ତମାନ ସେହି ଗ୍ଳାନିର ନିଆଁ ତାଙ୍କୁ ହୁଏତ ଏତେ କଲବଲ କରୁଛି ଯେ, ସିଏ ଏକାବେଳକେ ବିକଳ ହୋଇ ଘରେ ନିଆଁ ଲଗାଇଦେବାକୁ ମନ କରୁଛନ୍ତି ।

 

ଆଚାର୍ଯ୍ୟ କୃପାଳିନୀଙ୍କଠାରୁ ଏହି ଦେଶ ଅନେକ ବଡ଼ । ତାଙ୍କର ଯେଉଁ ଦାୟାଦମାନେ ବର୍ତ୍ତମାନ ଆପଣାର ନାନା ଦୁରାତ୍ମତା ଦ୍ୱାରା ଯୁଗଟାକୁ ଗୋଟାସୁଦ୍ଧା ଗିଳି ପକାଇବାକୁ ବାହାରିଛନ୍ତି, ସେମାନଙ୍କଠାରୁ ମଧ୍ୟ ଏହି ଦେଶ ଅନେକ ବଡ଼ । ଏହି ଦେଶ ଅବଶ୍ୟ ରହିବ, କାଳକାଳକୁ ରହିବ । ଦୂରାତ୍ମାମାନେ ବିଦା ହୋଇ ଚାଲିଯିବେ । ମେଘଗୁଡ଼ାକ କୁଆଡ଼େ ଉଡ଼ି ପଳାଇଯିବେ । ଆକାଶଟା ସବୁଦିନ ପାଇଁ ରହିଥିବ । ଚିହ୍ନିବା ମଣିଷ ପାଇଁ ଏକ ଆହ୍ୱାନ ହୋଇ ରହିଥିବ । ସୃଜନଶୀଳ ନେତୃତ୍ୱ ଲାଗି ଅନେକ ସ୍ୱପ୍ନର ଏକ ଆଲମ୍ବନ ହୋଇ ରହିଥିବ । ଯିଏ ଆପଣାର ଯୁଗଟାକୁ ସବୁଯାକ ଯୁଗ ବୋଲି ଭାବି ଭ୍ରମ କରିବାରେ ଲାଗିଥାଏ ଓ ଆପଣାର ଅପାରଗତାରେ ସଂପୂର୍ଣ୍ଣ କାଳଟାକୁ ଭାଗୀ କରିବାକୁ ଚେଷ୍ଟା କରୁଥାଏ, ସିଏ ତା’ ବେଳଟି ଗଡ଼ିଗଲେ ବିସ୍ମୃତ ହୋଇଯିବ । ମାତ୍ର ଦେଶ ରହିଥିବ; ଯାହା ସତ୍ୟ, ତାହା ସ୍ଥିର ହୋଇ ରହିଥିବ ।

 

୧୫ । ୧୦ । ୮୧

☆☆☆

 

ମଣିଷର କାମ କିଏ କରୁଛି ?

 

ପ୍ରତ୍ୟେକ ମଣିଷ ନିଜ ପାଇଁ ବଞ୍ଚିଛନ୍ତି । ଖୁବ୍‍ ବେଶି ହେଲେ ନିଜର ପରିବାର ପାଇଁ ବଞ୍ଚିଛନ୍ତି । ପରିବାରକୁ ଗୋଟା ସୁଦ୍ଧା ନିଜର ବୋକଚା ଓ ବୋଝ, ଅଥବା ସିଦ୍ଧି ଓ ସମ୍ପତ୍ତି ଭାବୁଛନ୍ତି ବୋଲି ସେମାନେ ପରିବାର ପାଇଁ ବଞ୍ଚିଛନ୍ତି । ଏତିକି ଭିତରେ ବଞ୍ଚି ରହିବା ପାଇଁ ସେମାନେ ଯାବତୀୟ କଷଣ ଖଟୁଛନ୍ତି, ଯାବତୀୟ ଫିକର ଓ ଯାବତୀୟ ଧନ୍ଦାରେ ପଶିଛନ୍ତି । ହୁଏତ ସେଇଥିପାଇଁ ଡାକ୍ତର ଡାକ୍ତରର କାମ କରୁଛି, ଓକିଲ ଓକିଲର କାମ କରୁଛି, ଚାକିରିଆ ଚାକିରିଆର କାମ କରୁଛି । ବ୍ୟବସାୟୀ ବ୍ୟବସାୟ କରୁଛି, ଚାଷୀ ଚାଷ କରୁଛି, ହାଟବାଲା ହାଟ ବସାଇଛି । ଆଉ ଟିକିଏ ଲମ୍ବା ପରିଧି ଦେଇ କହିଲେ, ସାହିତ୍ୟିକ ସାହିତ୍ୟ କରୁଛି, ସଙ୍ଗୀତଜ୍ଞ ସଙ୍ଗୀତ କରୁଛି, ଅଧ୍ୟାପକ ଅଧ୍ୟାପନା କରୁଛି । ରାଜନୀତିବାଲା ରାଜନୀତି କରୁଛି, ଖବରକାଗଜର ନାୟକ ଓ ପଟ୍ଟନାୟକମାନେ ଖବରଗୁଡ଼ାକରେ ବାନା ଉଡ଼ାଉଛନ୍ତି । କିନ୍ତୁ ମଣିଷର କାମ କିଏ କରୁଛି ? ସାହିତ୍ୟ, ସଙ୍ଗୀତ, ରାଜନୀତି ଓ ଖବରକାଗଜ ମଣିଷର ହିଁ କୌଣସି ନା କୌଣସି ପ୍ରୟୋଜନ ମେଣ୍ଟାଇବା ପାଇଁ ଏହି ସବୁକିଛିର ଭିଆଣ ହୋଇଥିଲା । ମଣିଷର ସାମୂହିକ ଗୁଜରାଣଗୁଡ଼ାକ ସକାଶେ ଚାକିରି ଓ ଅଫିସଗୁଡ଼ାକର ପ୍ରୟୋଜନ ହୋଇଥିଲା ଏବଂ ଖାସ୍ ମଣିଷ ପାଇଁ ସ୍ଵପ୍ନ ଦେଖିବାକୁ ଅର୍ଥାତ୍ ମଣିଷକୁ ନବ ନବ ଜନ୍ମ ଲାଗି ଅଧିକରୁ ଅଧିକ ଯୋଗ୍ୟ କରିନେବା ଲାଗି ହିଁ ସାହିତ୍ୟ, ସଙ୍ଗୀତ ଓ କଳା ଆଡ଼କୁ ବାସନା କରାଯାଇଥିଲା । ଯାହାଲାଗି ଏହି ସବୁ କିଛିର ବରାଦ ହୋଇଥିଲା, ସିଏ କାଳକ୍ରମେ କୋଉ ଗହନ ଭିତରେ ପୋତିହୋଇ ରହିଲା; ସାହିତ୍ୟ ଅଧିକ ହେଲା, ସଙ୍ଗୀତ ବଢ଼ିଲା, ରାଜନୀତିର ଛଞ୍ଚାଣଗୁଡ଼ାକ ଜୀବନର ଯାବତୀୟ ଗଛରେ ବସା ବାନ୍ଧିବାକୁ ଆସିଲେ । ଚାକିରିଆମାନେ ବାବୁ ହୋଇ ଛାତି ଉପରେ ଆସି ବସିଲେ, ଡାକ୍ତରମାନେ ବଡ଼ଲୋକ ହେଲେ, ଅଧ୍ୟାପକମାନେ ଗୋଟାଏ ଗୋଟାଏ ତୁଚ୍ଛା ସାହେବ ପରି ଦିଶିଲେ । ଏମାନେ ସମସ୍ତେ ଅତ୍ୟନ୍ତ ନିଷ୍ଠାପର ଭାବରେ କେବଳ ନିଜର କାମଟିକୁ କରିବାରେ ଲାଗିଛନ୍ତି, ନିଜର ଗୁଣେକୁ ଅଠର ହଜାର ଗୁଣ କରିବାଲାଗି କେତେ କଲବଲ ହେଉଛନ୍ତି । ମାତ୍ର ମଣିଷର କାମ କିଏ କରୁଛି ?

 

ମାତ୍ର ମଣିଷ କଣ କୋଉଠି ବାହାରେ ଅଛି ଯେ ଏମାନେ ଅଲଗାକରି ତା’ର କାମ କରୁଥାନ୍ତେ ? ଏମାନଙ୍କ ଭିତରେ ବି ମଣିଷ ରହିଛି । ଅନ୍ୟମାନଙ୍କୁ ଆଦୌ ମଣିଷ ପରି ନ ଦେଖିବାର ପାପର ଦଣ୍ଡସ୍ୱରୂପ ସେମାନେ ନିଜ ଭିତରର ମଣିଷକୁ ମଧ୍ୟ ସତେଅବା ଆଉ ମୋଟେ ଚିହ୍ନି ପାରୁନାହାନ୍ତି । ଏମାନେ ଅସଲ ଘରଟିର କବାଟ ବନ୍ଦ କରି ରଣପା ପିନ୍ଧି ସଂସାର ମନ୍ଥୁଛନ୍ତି । ଭିତରେ ଆପଣାକୁ ସତେଅବା ଅରକ୍ଷିତ ଓ ଦୟନୀୟ ବୋଲି ଭାବୁଥିବାରୁ ମୁଁ ବାହାରେ ପ୍ରକୋପ ଦେଖାଇ କ୍ଷତିପୂରଣ କରୁଛନ୍ତି । ଆପଣା ପାଖରେ ଅତ୍ୟନ୍ତ ସ୍ପର୍ଶକାତର ହୋଇ ରହିଛନ୍ତି ବୋଲି ବାହାରେ ଯାହାକୁ ଦେଖୁଛନ୍ତି, ଖାଲି ଗିଳି ପକାଇବାକୁ ମନ କରୁଛନ୍ତି । ମଣିଷ ଅପୁଛା ହୋଇ ରହିଯାଉଛି, ଅସଲ ଉଦ୍‍ଘାଟନଗୁଡ଼ାକ ଅପଚରା ହୋଇ ରହିଯାଉଛି ।

 

୧୯ । ୧୦ । ୮୧

☆☆☆

 

ଆବାସିକ ଆଦିବାସୀ ସ୍କୁଲ

 

ରାଜ୍ୟର ପ୍ରତ୍ୟେକ ବ୍ଲକରେ ଅନ୍ତତଃ ଗୋଟିଏ କରି ଆବାସିକ ବିଦ୍ୟାଳୟ ଖୋଲାଯିବ ବୋଲି ସଂପୃକ୍ତ ମନ୍ତ୍ରୀ ସଭାରେ ଘୋଷଣା କରିଛନ୍ତି । ରାଜ୍ୟର ସବୁ ବ୍ଲକରେ ତ ଆଦିବାସୀ ନାହାନ୍ତି; ତେଣୁ ଖୁବ୍‍ସମ୍ଭବ ଆଦିବାସୀ ବାସକରୁଥିବା ବ୍ଲକ୍‍ମାନଙ୍କରେ ଏହିଭଳି ଏକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ଆଖି ଆଗରେ ରଖି ମନ୍ତ୍ରୀ ଘୋଷଣାଟିକୁ କରିଛନ୍ତି ।

 

ଯେଉଁମାନେ ସର୍ବପ୍ରଥମେ ଏହି ଭୂମିରେ ବାସ କରୁଥିଲେ, ସମ୍ଭ୍ରମ ରକ୍ଷାକର ଏବେ ଅଣଆଦିବାସୀମାନେ ସେହିମାନଙ୍କୁ ହିଁ ଆଦିବାସୀ ବୋଲି କହୁଛନ୍ତି । ଇତିହାସର ସେହି ପ୍ରଥମ କାଳରୁ ହିଁ ଭାରତବର୍ଷର ହିନ୍ଦୁମାନେ ଆଦିବାସୀମାନଙ୍କୁ ସାନ ବୋଲି ଦେଖିଆସିଛନ୍ତି । ଏବେ ମଧ୍ୟ ଆମ ଅନେକଙ୍କ ଆଖିରେ ସେମାନେ ସେହିପରି ସାନ ହୋଇ ରହିଛନ୍ତି । ସେମାନଙ୍କୁ ଉପରୁ ଥାଇ ଅନେକ ବିଶେଷ ଅନୁଗ୍ରହ ଦିଆଯିବାର ବ୍ୟବସ୍ଥା ହେଉଛି । ଉଦାର ଅଣଆଦିବାସୀମାନେ ସେମାନଙ୍କ ପାଇଁ କୋଟି କୋଟି ଟଙ୍କା ଖରଚ କରିବାର ଅଟକଳ କରୁଛନ୍ତି । ତଥାପି ସେମାନଙ୍କୁ ସମକକ୍ଷ ବୋଲି ଗ୍ରହଣ କରିନେଇପାରିନାହାନ୍ତି । ସେମାନଙ୍କୁ ମଣିଷ ବୋଲି ସ୍ୱୀକାର କରିନାହାନ୍ତି-

 

ଭାରତୀୟ ସମାଜ ଆଜି ମଧ୍ୟ ଉଚ୍ଚ-ନୀଚ ନାନା ବାରଣ ଦ୍ୱାରା ବିଭକ୍ତ ହୋଇ ରହିଛି-। ନୀଚ ହୋଇ ରହିଥିବା ପ୍ରତ୍ୟେକ ଜାତି ସହିତ ଆପଣାର ତୁଳନା କରି ଉଚ୍ଚ ହୋଇ ରହିଥିବା ପ୍ରତ୍ୟେକ ଜାତି ଆପଣାକୁ ସତେଅବା ଗୋଟାଏ ବ୍ରାହ୍ମଣ ପରି ଭାବୁଛି ଓ ଅଲଗା ହୋଇ ରହିଛି-। ତଳେଥିବା ଲୋକଙ୍କୁ ଶୋଷଣ କରୁଛି, ତଥାପି ଅଲଗା ହୋଇ ରହିଛି । ସେହି ସମାଜରେ ଅଣଆଦିବାସୀମାନେ ଯେ ବାହାରେ ଥିବା ଓ ଆଟବିକ ହୋଇ ରହିଥିବା ଆଦିବାସୀମାନଙ୍କୁ ମୋଟେ ସମକକ୍ଷ ମଣିଷ ପରି ଦେଖିବେ ନାହିଁ, ସେଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି-?

 

ଆଦିବାସୀମାନଙ୍କ ଭିତରୁ ଏବେ କେତେଜଣ ଅଫିସର ହେଲେଣି, ମନ୍ତ୍ରୀ ହେଲେଣି । ଆମେରିକାର ଗୋରାମାନେ ଏକଦା କେତେଜଣ କଳାଙ୍କୁ ବଡ଼ ପଦରେ ରଖି କଳାଗୋରା ସମସ୍ୟାର ଯେଉଁ ସମାଧାନ କରିଦେବେ ବୋଲି ଭାବିଥିଲେ, ପ୍ରାୟ ସେହିପରି ବଡ଼ ପଦ ପାଇଥିବା ଆଦିବାସୀମାନେ ଆପଣାକୁ ମୋକ୍ଷପ୍ରାପ୍ତ ନବଦୀକ୍ଷିତ ପରି ଭାବୁଛନ୍ତି । ନିଜକୁ ଆଦିବାସୀ ବୋଲି କହିବାକୁ ବି ସେମାନଙ୍କୁ ଖରାପ ଲାଗିଲାଣି । ଯେଉଁମାନେ ସେମାନଙ୍କୁ କିଣିଆଣିଛନ୍ତି, ସେମାନେ ତାଙ୍କରି ହୋଇ ରହିଛନ୍ତି । ପୋଷାହାତୀ ହୋଇ ରହିଛନ୍ତି ।

 

ଆଦିବାସୀମାନଙ୍କ ଭିତରେ ସାମାଜିକ ବିଘଟନଜନିତ ନୂଆ ନୂଆ ରୋଗ ନେଇ ଭର୍ତ୍ତି କରିବାର ସଂକ୍ରାମକ କୀଟପରି କାମ କରୁଛନ୍ତି । ସେମାନେ ନିଜର ସଂସ୍କୃତି ଛାଡ଼ି କୋଉଦିନୁ ଆମ ସାଙ୍ଗରେ ଆସି ବସିସାରିଲେଣି । ଆମରି ପରି ଦିଶି ଆମରି ମନ ମୋହିବାରେ ବ୍ୟସ୍ତ ଅଛନ୍ତି ।

 

ଆବାସିକ ଆଦିବାସୀ ବିଦ୍ୟାଳୟମାନଙ୍କରେ ଆଦିବାସୀ ଶିକ୍ଷକ ରହିବେ ନା ଆଦିବାସୀମାନଙ୍କୁ ନ୍ୟୁନ ବୋଲି ଭାବୁଥିବା ଅଣ-ଆଦିବାସୀମାନେ ସେଠାକୁ ଶିକ୍ଷକ ହୋଇ ଯିବେ-? ସେମାନେ ଆଦିବାସୀ ସଂସ୍କୃତିକୁ ସମ୍ମାନ ଦେଖାଇପାରିବେ କି ? ନା ଆପଣା ସମାଜର ଅସ୍ୱାଭାବିକତାଗୁଡ଼ାକୁ ସାଙ୍ଗରେ ନେଇ ଆଦିବାସୀମାନଙ୍କ ଭିତରେ ଅଧିକ ବିକୃତିର କାରଣ ହେବେ ? ଆଦିବାସୀମାନଙ୍କୁ ହିନ୍ଦୁକରି ଆଣିବା, ପରୋକ୍ଷରେ ଏହାହିଁ କ’ଣ ପୂର୍ବବତ୍‍ ଆଦିବାସୀ ଆବାସିକ ବିଦ୍ୟାଳୟଗୁଡ଼ିକର ଅଭିପ୍ରାୟ ହୋଇ ରହିବ ? ସରକାର ସଂପୃକ୍ତ ସମସ୍ତଙ୍କୁ ଏକାଠି ବସାଇ ଆଗ ଏହିସବୁ କଥାର ଏକ ନିଷ୍କପଟ ଆଲୋଚନା କରନ୍ତୁ ଓ ଏକ ନିଷ୍ପତ୍ତିରେ ଉପନୀତ ହୁଅନ୍ତୁ ।

 

୨୪ । ୧୦ । ୮୧

☆☆☆

 

ଲାଙ୍ଗୁଳ ଓ ନାହୁଡ଼

 

ଏପାଖରେ ଗୋଟାଏ ନାହୁଡ଼, ସେପାଖରେ ଗୋଟାଏ ଲାଙ୍ଗୁଳ । ଆଗପଟେ ନାହୁଡ଼, ପଛପଟକୁ ଲାଙ୍ଗୁଳ । ଯାହାର ଯେତେବଡ଼ ଲାଙ୍ଗୁଳ, ତାହାର ସେତେବଡ଼ ନାହୁଡ଼ । ଏହିପରି ଭାବରେ ମଣିଷମାନଙ୍କର ଆମର ଏହି ଯୁଗରେ ଦୁଇଟା ରୂପ । ଉପରବାଲାଙ୍କ ପାଖରେ ଲାଙ୍ଗୁଳ ଓ ତଳବାଲାଙ୍କ ଲାଗି ନାହୁଡ଼ । ବଡ଼ମାନଙ୍କ ପାଖରେ ଲାଙ୍ଗୁଳ ଏବଂ ସାନମାନଙ୍କ ଲାଗି ନାହୁଡ଼ । ଅନେକ ସମୟରେ ମନେହୁଏ, ଲାଙ୍ଗୁଳ ଆଉ ନାହୁଡ଼ ସତେଅବା ସେଇ ଗୋଟାଏ ଜିନିଷ । ଲାଙ୍ଗୁଳଜନିତ ଲଜ୍ଜାଟା ସତେଅବା ନାହୁଡ଼ରୂପୀ ଉଗ୍ରତାଦ୍ୱାରା ସର୍ବଦା ହିଁ ଏକ କ୍ଷତିପୂରଣ କରିବାଲାଗି ବ୍ୟସ୍ତ ହୋଇ ରହିଥାଏ, ମଣିଷକୁ ଭାରି ହନ୍ତସନ୍ତ ଓ ବିକଳ କରି ରଖିଥାଏ ।

 

ହୁଏତ ଆଗ ଲାଙ୍ଗୁଳ, ତାପରେ ନାହୁଡ଼ । ଆଗ ଗ୍ଲାନି, ତା’ପରେ ଉଗ୍ରଭାଗ । ଆପଣାକୁ ନେଇ ଆଗ ଏକ ହୀନମନ୍ୟତା, ତା’ପରେ ଆପଣାକୁ ଅନେକ ବଡ଼ ଓ ଅନେକ ଚଣ୍ଡ ବୋଲି ପ୍ରମାଣ କରିବାର ଏକ ଅତ୍ୟୁଗ୍ରତା, ଅର୍ଥାତ୍ ଅତିବ୍ୟଗ୍ରତା । ସେଇଥିଲାଗି ଆମ ସମାଜରେ ଯାହାର ଲାଙ୍ଗୁଳ ନ ଥାଏ, ତା’ଲାଗି ଗୋଟାଏ ନାହୁଡ଼ର ମଧ୍ୟ ଆଦୌ କୌଣସି ଆବଶ୍ୟକତା ନଥାଏ । ସିଏ ଆପଣା ସହିତ କୌଣସି କଜିଆ କରେନାହିଁ, ତେଣୁ ନିଜପ୍ରତି ତା’ର ଆଦୌ କୌଣସି ଗ୍ଳାନିଭାବ ନଥାଏ ଏବଂ ସେଥିଲାଗି ନାହୁଡ଼ ମାରିବାର କୌଣସି ଅପଧନ୍ଦା ଭିତରେ ସିଏ ମୋଟେ ପଶିନଥାଏ-। ଲାଙ୍ଗୁଳଟାକୁ ନେଇ ସମାକୁଳ ହୋଇ ରହିଥିବା ମଣିଷ ହୁଏତ ସେହି ଲାଙ୍ଗୁଳଟାକୁ ଲୁଚାଇ ରଖିବ ବୋଲି ଗୋଟାଏ ନାହୁଡ଼ ଦରକାର କରୁଥାଏ । ସିଏ କ୍ଷମତା ଇଚ୍ଛା କରେ, ସବାବଡ଼ ଚଉକୀକୁ ଆଶା କରିଥାଏ, ଆପଣାର ବଡ଼ପଣିଆଗୁଡ଼ାକ ଭିତରେ ଆପଣା ପାଖରେ ଭାରି ସାନ ଓ ହୀନମାନ ହୋଇ ରହିଥାଏ । ତା’ର ନାହୁଡ଼ଗୁଡ଼ାକ ବାହାରକୁ ଯେତେ ଭୟାନକ ହୋଇ ଦିଶୁଥାନ୍ତି, ତା’ଭିତରେ ତା’ର ଲାଙ୍ଗୁଳଟା ମଧ୍ୟ ହୁଏତ ସେତିକି ମୋଟା ଓ ସେତିକି ସାଉଁଳିଆ ହୋଇ ରହି ଥାଏ-। ତେଣୁ ନାହୁଡ଼ଗୁଡ଼ାକୁ ଦେଖି ଦୟାବି ଲାଗେ, ସହାନୁଭୂତି ଦେଖାଇବାକୁ ମନ ହୁଏ-

 

ଆମ ବିଚିତ୍ର ସମାଜରେ ରାଜନୀତି ଭିତରେ ନାହୁଡ଼ ଓ ଲାଙ୍ଗୁଳ ପରସ୍ପରକୁ ଆଦରି ନେଇ ଭାରି ଚମତ୍କାର ଭାବରେ ରହିଯାଇଥାନ୍ତି, ଭାରି କଉତୁକିଆ ଦିଶନ୍ତି । ଯେଉଁମାନେ ଦିଲ୍ଲୀରେ ଲାଙ୍ଗୁଳ ଦେଖାନ୍ତି, ଏଠି ଭୁବନେଶ୍ୱରରେ ସେହିମାନେ ହିଁ ନାହୁଡ଼ ଦେଖାଇବାରେ ଲାଗିଥାନ୍ତି । ଆମର ଏଠି ଅନେକ ସାହିତ୍ୟିକ ଅଛନ୍ତି, ଯେଉଁମାନେ ଦିନଯାକ ଚାକିରିଆ ହୋଇ ରାତିରେ ସାହିତ୍ୟ ଉପରେ ଘୋଡ଼ା ଚଢ଼ନ୍ତି; ଦିନଯାକ ଲାଙ୍ଗୁଡ଼ ଜାକିଜାକି ରାତିରେ ସାହିତ୍ୟ ମାଧ୍ୟମରେ ନାହୁଡ଼ ମାରନ୍ତି; ଦିନଯାକ ପ୍ରତ୍ୟାଖ୍ୟାତ ହୁଅନ୍ତି । ରାତିରେ ପ୍ରେମ କରନ୍ତି । ଦିନରେ ଅତ୍ୟନ୍ତ ଭାବପ୍ରବଣ ଭାବରେ ଭାଗ୍ୟକୁ ଆଦରି ନିଅନ୍ତି ଓ ରାତିରେ ଅତ୍ୟନ୍ତ ଭାବପ୍ରବଣ ଭାବରେ ଫୁଲମାଳ ପକାଇ ସଭାରେ ବସନ୍ତି । ଦିନରେ ଗାତରେ ପଶିଥାନ୍ତି ଓ ରାତିରେ ଆମକୁ ମହାକାଶର ପୁରାଣବାର୍ତ୍ତା ଆଣିଦିଅନ୍ତି ।

 

ଅସଲ ମଣିଷର ଲାଙ୍ଗୁଳ ନଥାଏ କି ନାହୁଡ଼ ମଧ୍ୟ ନଥାଏ । ଅସଲ ନେତାର ଏହି ଦୁଇଟା ଭିତରୁ କୌଣସି ଗୋଟିଏ ହେଲେ ବି ନଥାଏ । ଅସଲ ପ୍ରେମ ଲାଙ୍ଗୁଳ ଜାକେ ନାହିଁ କି ନାହୁଡ଼ ମଧ୍ୟ ମାରିବାକୁ ମନ କରେନାହିଁ । ଅସଲି ସାହିତ୍ୟ ଅଧିକରୁ । ଅଧିକ ନିକଟବର୍ତ୍ତୀ ହୋଇ ଆସିବାର ବାସନା ରଖିଥାଏ, ଲାଙ୍ଗୁଳ ଅଥବା ନାହୁଡ଼ କୌଣସିଟାର ଆଶ୍ରୟ ଗ୍ରହଣ କରି ତାହା ଦୂରବର୍ତ୍ତୀ ହୋଇ ମୋଟେ ରହିବାକୁ ଇଚ୍ଛା କରେନାହିଁ ଏବଂ ଅସଲ ଶିକ୍ଷକ, ସିଏ ଏକାବେଳକେ ପାଖରେ ଆସି ବସେ, ଏକାବେଳକେ ପାଖରେ ନେଇ ବସାଏ, ସ୍ୱାଭାବିକ ଭାବରେ ନିଏ ଓ ଦିଏ, ଗୋଟାସୁଦ୍ଧା ବନ୍ଧୁ ହୋଇ ରହିଥାଏ ।

 

୦୩ । ୧୧ । ୮୧

☆☆☆

 

ହିନ୍ଦୁଧର୍ମ ଯାଉ, ଧର୍ମ ରହୁ

 

ଭାରତବର୍ଷରେ ଏବେ କେତେ ଜାଗାରେ ହିନ୍ଦୁମାନଙ୍କୁ ମୁସଲମାନ କରିଦିଆଯାଉଛି । ଗୌତମ ବୁଦ୍ଧଙ୍କର ଜୀବନ ସନ୍ଦେଶକୁ ଗୋଟାଏ ତୁଚ୍ଛା ଧର୍ମରେ ପରିଣତ କରି ତାହାକୁ ହିଁ କାମୁଡ଼ି କରି ରହିଥିବା ବୌଦ୍ଧମାନେ ମଧ୍ୟ ବିଗତ କେତେ ବର୍ଷ ହେଲା ହିନ୍ଦୁମାନଙ୍କୁ ସେମାନଙ୍କର ମଉରସୀ ସାଆନ୍ତମାନଙ୍କ ପାଖରୁ ଖସାଇ ନେଇ ବୌଦ୍ଧ କରିଦେବାର ଏକ ଅଭିଯାନ ଚଳାଇଛନ୍ତି । ସଂସାରଯାକ ସମସ୍ତେ ହିନ୍ଦୁ ହୋଇଗଲେ ହିନ୍ଦୁଧର୍ମର ଅସଲ ବିଜୟ ଘୋଷିତ ହୋଇପାରନ୍ତା ବୋଲି ଏକ ଲାଳସ ସ୍ୱପ୍ନ ଦେଖିଆସିଥିବା ହିନ୍ଦୁମାନେ ଏଥିରେ ଭାରି ଛାନିଆ ହୋଇପଡ଼ିଛନ୍ତି । ସେମାନେ ଆପଣାର ବାଡ଼ଗୁଡ଼ାକୁ ହଠାତ୍ ମଜବୁତ କରିବାକୁ ବ୍ୟଗ୍ର ହୋଇ ପଡ଼ିଲେଣି ।

 

ଆମର ଏହି ନାନା ବିକୃତିଗ୍ରସ୍ତ ପ୍ରଚଣ୍ଡମାନଙ୍କର ପୃଥିବୀରେ ହିନ୍ଦୁଧର୍ମ ବଢ଼ୁଛି, ଇସଲାମ ବଢ଼ୁଛି, ଖ୍ରୀଷ୍ଟିଆନ ଧର୍ମ ବଢ଼ୁଛି । କେତେ ନୂଆ ପାଟ ପିନ୍ଧି ନୂଆ ପରିତ୍ରାଣକାରୀମାନେ ଏଠି ଗହଳ ଲଗାଇ ଦେଉଳ ତୋଳାଇ ବସିଛନ୍ତି । ତଥାପି ପୃଥିବୀରୁ ଧର୍ମର ବିଲୋପ ହେବାରେ ଲାଗିଛି । ନାମଗୁଡ଼ାକ ପଛରେ ହୋଇଛି । ନାମଗୁଡ଼ିକର ଭିଆଣ ଏହି ମଣିଷମାନେ ହିଁ କରିଛନ୍ତି । ଉଗ୍ର ମଣିଷମାନେ ସବୁ ଯୁଗରେ ମଣିଷଗୁଡ଼ାଙ୍କୁ ଗିଳିପକାଇବା ପାଇଁ ରୂପ ଓ ନାମର ପ୍ରତିଯୋଗିତାରେ ବାହାରିଛନ୍ତି । ପୃଥିବୀରେ ପଇସା ବଢ଼ିବା ସଙ୍ଗେ ସଙ୍ଗେ ସେହି ପ୍ରତିଯୋଗିତାଗୁଡ଼ାକ ମଧ୍ୟ ପରମ ଉତ୍ସାହରେ ବଢ଼ିଛି । ମାତ୍ର ଜୀବନର ଅସଲ କେନ୍ଦ୍ରଗୁଡ଼ାକ ହାତଛଡ଼ା ହୋଇଯାଉଛି, ଅସଲ ସୂତ୍ରଗୁଡ଼ାକ ଛିଣ୍ଡି ଛିଣ୍ଡି ଯାଉଛି । ପ୍ରସାଦଖିଆର ନିଶାଗୁଡ଼ାକ ବଢ଼ିବା ସଙ୍ଗେ ସଙ୍ଗେ ମଣିଷ ଜୀବନ ବଞ୍ଚିବାର ଅସଲ ପ୍ରସାଦ ଏବଂ ଅସଲ ଆଶୀର୍ବାଦଗୁଡ଼ାକରୁ ବଞ୍ଚିତ ହେବାରେ ଲାଗିଛି । ସେତେବେଳେ ଟଙ୍କା ଖରଚ କରି ଧର୍ମର ଢୋଲ ଭିତରକୁ ଅଧିକରୁ ଅଧିକସଂଖ୍ୟକ ମଣିଷଙ୍କୁ କିଣିଆଣି ଆନନ୍ଦ ଅନୁଭବ କରିବା ହିଁ କେତେକ କେନ୍ଦ୍ରଚ୍ୟୁତଙ୍କ ଲାଗି କ୍ଷତିପୂରଣର ଏକମାତ୍ର ପନ୍ଥା ବୋଲି ଦେଖାଯାଉଛି ।

 

ହିନ୍ଦୁଧର୍ମ ପଛକେ ଯାଉ, ଧର୍ମ ରହିଥାଉ । ଏହି ମାର୍କାଗୁଡ଼ାକ ପଛକେ ଯାଆନ୍ତୁ; ମାତ୍ର ମଣିଷ ମଣିଷ ହୋଇ ରହୁ । ମନ୍ଦିରଗୁଡ଼ାକ ଭିତରକୁ ପଛକେ ଆଉ କେହି ନଯାଆନ୍ତୁ; ମାତ୍ର ମଣିଷ ଜୀବନଧର୍ମର ଏକ ଅନୁରାଗମୟ ଭୂମି ଉପରେ ସବୁ ମଣିଷଙ୍କୁ ସ୍ୱୀକାର କରିନେଇପାରିବାର ଭାଜନ ହେଉ । ଶାସ୍ତ୍ରଗୁଡ଼ାକ ଅପୂଜା ହୋଇ ରହନ୍ତୁ ପଛକେ, ମଣିଷ ଆଉ ମଣିଷକୁ ଈର୍ଷା ନକରୁ । ଭୀରୁମାନେ ସାହସୀ ହୁଅନ୍ତୁ, ନିଜ ଭିତରେ ମେରୁଦଣ୍ଡଗୁଡ଼ାକୁ ଅନୁଭବ କରି ଶିଖନ୍ତୁ । ମଣିଷକୁ ତା’ର ଯଥାର୍ଥ ପ୍ରତିଷ୍ଠାଗୁଡ଼ାକୁ ଦେବାରେ ପୃଥିବୀର ଧର୍ମଗୁଡ଼ାକ ଭାରି ଅସମର୍ଥ ଓ ଅପ୍ରଶସ୍ତ ବୋଲି ପ୍ରତିପାଦିତ ହୋଇଛନ୍ତି । ସେଥିଲାଗି ପୃଥିବୀର ଅସଲ ଧର୍ମସ୍ଥମାନେ ଧର୍ମଗୁଡ଼ାକର ବାଡ଼କୁ ଡେଇଁ ବାହାରକୁ ଚାଲିଯିବା ଲାଗି ହିଁ ଏକ ଆବଶ୍ୟକତା ଅନୁଭବ କରିଛନ୍ତି । ପଇତା ପକାଇଲେ ଯେ ଜଣେ ମଣିଷ ମୋଟେ ବ୍ରାହ୍ମଣ ହୋଇଯାଏ ନାହିଁ, ପଇତାଗୁଡ଼ାକୁ ପକାଇ ଆପଣାର ଅବ୍ରାହ୍ମଣତ୍ୱକୁ ଲୁଚାଇ ରଖିଥିବା ଆତୁର ଓ ଚତୁରମାନେ ସେହି କଥାଟିକୁ ଖୁବ୍‍ ଭଲଭାବରେ ଜାଣିଛନ୍ତି ।

 

ଯେଉଁ ପୃଥିବୀ ଆସୁଛି, ସେଠି ଧର୍ମ ନିଶ୍ଚୟ ରହିବ—ମାର୍କାଗୁଡ଼ାକ ମୋଟେ ରହିବେ ନାହିଁ । ମାର୍କାଗୁଡ଼ାକୁ ହିଁ ମର୍କତପ୍ରାୟ ମଣୁଥିବା ଭୀମ ଓ ଜରାସନ୍ଧମାନଙ୍କର କାଳ ଲୁଚି ପଳାଇଯିବ-

 

୦୬ । ୧୧ । ୧୯୮୧

☆☆☆

 

ତ୍ରୁଟିଶୂନ୍ୟ ଇତିହାସ

 

ଜାତୀୟ ଆନ୍ଦୋଳନର ଏକ ତ୍ରୁଟିଶୂନ୍ୟ ଇତିହାସ ଲେଖାଯାଉ ବୋଲି ଏବେ କେତେ ଜଣ ବ୍ୟକ୍ତି ପୁନର୍ବାର ଏକ ଆହ୍ୱାନ ଜଣାଇଛନ୍ତି । ଆମ ଦେଶରେ ସରକାରଙ୍କ ତରଫରୁ ଟଙ୍କା ଖରଚ ହୋଇ ସ୍ୱତନ୍ତ୍ର ଲୋକମାନଙ୍କୁ ନିଯୁକ୍ତ କରାଯାଇ ଜାତୀୟ ଆନ୍ଦୋଳନର ଇତିହାସ ଲେଖାହେବା ପାଇଁ ଆଗରୁ ଏକ ଦରବାରୀ ଉଦ୍ୟମ ହୋଇସାରିଛି । ଯେତେବେଳେ ଯେଉଁମାନେ କ୍ଷମତାକୁ ଆସିଛନ୍ତି, ସେତେବେଳେ ସେମାନେ ସେହି ଆନ୍ଦୋଳନର ଇତିହାସ ଲେଖାଯିବା ସକାଶେ ଟଙ୍କାର ବରାଦମାନ କରିଛନ୍ତି, ଇତିହାସରେ ସେଇମାନେ ବଡ଼ ହୋଇ ଦିଶିବେ ବୋଲି ଇତିହାସକାରମାନଙ୍କୁ କେତେ ପ୍ରକାରେ ପ୍ରଭାବିତ କରିଛନ୍ତି । ଏହି ଇତିହାସ ଦ୍ୱାରା ହୁଏତ କିଞ୍ଚିତ୍ ଅମର ହୋଇ ରହିବାର ଲାଳସାରେ ସେମାନେ ତାହାରି ଭିତରେ ଟିକିଏ ସବାଆଗ ବା ସବା ବଡ଼ ହୋଇ ଲେଖାହୋଇ ରହିବେ ବୋଲି କେତେ ବ୍ୟାକୁଳତା ଦେଖାଇଛନ୍ତି । କିଏ ଇତିହାସକୁ ଲେଖାଇ ତାହାକୁ ଗଭୀର ମାଟିତଳେ ଖଣି ପକାଇ ରଖିଛି । ଆଉ କିଏ ହୁଏତ ନିଜେ ଖଣି ପଡ଼ି ଅମର ରହିବ ବୋଲି ସେହି ପୋତା ଇତିହାସକୁ ବାହାର କରି ଅଲଗା ପ୍ରକାରେ ଲେଖାଇବାକୁ ବି ଭାରି ମନକରିଛି । ମଣିଷଗୁଡ଼ାକ ଏହିପରି ଭାବରେ ଅମର ରହିବା ଲାଗି ଆକୁଳତା ପ୍ରକାଶ କରି ଜାତୀୟ ଆନ୍ଦୋଳନର ଇତିହାସକୁ ସତେ ଅବା ଏକ ପେଡ଼ିପରି ବ୍ୟବହାର କରିଛନ୍ତି । ଇତିହାସ ଏକ ପେଡ଼ି ନୁହେଁ, ତାହା ଏକ ପ୍ରେରଣା । ଆମ ସମସ୍ତଙ୍କୁ ଯାହା ଆହୁରି ଆଗକୁ ଯିବାଲାଗି ପ୍ରେରଣା ଦିଏ, ତାହାହିଁ ଇତିହାସ । ସ୍ଵାର୍ଥୀ ମଣିଷଗୁଡ଼ାଙ୍କର ଶିଙ୍ଗଗୁଡ଼ାକୁ ଗୌଣ କରି ଓ ଜାତିର ଭାଗ୍ୟ ଓ ଭବିଷ୍ୟଗୁଡ଼ାକୁ ଯାହା ଅଗ୍ରସ୍ଥାନ ଦେଇ ଅତୀତର ଅବଲୋକନ କରିବାକୁ ଚେଷ୍ଟା କରେ, ତାହାହିଁ ଯଥାର୍ଥ ଇତିହାସ । ସେହି ଇତିହାସକୁ କ୍ଷମତାସୀନ ଶାସକମାନେ ମୋଟେ ଆଗ୍ରହ କରନ୍ତି ନାହିଁ । ସଂଗ୍ରାମକୁ ସେମାନେ ଏକ ଅନବଚ୍ଛିନ୍ନ କ୍ରମୋତ୍ତର ପ୍ରକ୍ରିୟା ବୋଲି ମୋଟେ ଗ୍ରହଣ କରି ପାରନ୍ତି ନାହିଁ । ସଂଗ୍ରାମରୂପୀ ଗଛରେ ସେହିମାନେ ହିଁ ଶ୍ରେଷ୍ଠ ଫଳ; ତେଣୁ, ଇତିହାସ ସେହିମାନଙ୍କ ଯାଏ ଆସି ସେଇଠି ବନ୍ଦ ହୋଇ ରହୁ, ସେମାନେ ଅନେକ ସମୟରେ ଏହି ଭଳି ଲଡ଼ୁ ଖାଇ ବସିଥାନ୍ତି ଓ ଅମରତ୍ୱ ଭୋଗ କରୁଥାନ୍ତି ।

 

ଭାରତବର୍ଷରେ ସଂଗ୍ରାମ ସରିନାହିଁ । ଆନ୍ଦୋଳନର ରାଜନୀତିକ ପର୍ଯ୍ୟାୟଟି ସରିଛି, ସାମାଜିକ ଅସଲ ପର୍ଯ୍ୟାୟଟି ଏପର୍ଯ୍ୟନ୍ତ ବି ଯଥାର୍ଥ ଭାବରେ ଆରମ୍ଭ ହୋଇନାହିଁ । ଯେଉଁମାନେ ପ୍ରଥମ ପର୍ଯ୍ୟାୟଟି ପରେ ରାଜନୀତିକୁ ମଠପ୍ରାୟ କରି ତାହାରି ଭିତରେ ଆପଣାର ସଂସାରଗୁଡ଼ିକୁ ଫାନ୍ଦି ରହିଯାଇଛନ୍ତି, ସେମାନେ ଆମର ଜାତୀୟ ଆନ୍ଦୋଳନଟିରୁ ଓହରି ଯାଇଛନ୍ତି ବୋଲି ଧରିନେବାକୁ ହେବ । ଯିଏ ନିଜର ସଫଳତାକୁ ଜାତିର ସଫଳତା ବୋଲି ଭ୍ରମ କରୁଛି, ହୁଏତ ସିଏ ସେହି ଆନ୍ଦୋଳନରୁ ଓହରିଯାଇଛି । ଆନ୍ଦୋଳନ ଯେ ମୋଟେ ସରିନାହିଁ, ସେହି ପରିପ୍ରେକ୍ଷୀରେ ହିଁ ଜାତୀୟ ଆନ୍ଦୋଳନର ଇତିହାସ ଲେଖାଯାଉ । କ୍ଲାନ୍ତ କ୍ଷମତାସୀନମାନେ ଓହରିଯାଆନ୍ତୁ, ଏବେ ମଧ୍ୟ ସଂଗ୍ରାମରତ ହୋଇ ରହିଥିବା ସୈନିକମାନେ ସେହି ଇତିହାସକୁ ଲେଖନ୍ତୁ । ଯେଉଁ ଇତିହାସ ମଣିଷକୁ ଶୁଆଇପକାଏ, ଗୁଡ଼ାଏ ମିଛ ଗର୍ବରେ ଫୁଲାଇପକାଏ ଓ ଗୁଡ଼ାଏ ମିଛପୂଜା କରାଇ ଶିଖାଇବାର ଷଡ଼ଯନ୍ତ୍ର କରେ, ତାହା ଆଦୌ ଇତିହାସ ନୁହେଁ । ତାହା ମଣିଷ ଉପରେ ଅଫିମ ପରି କାର୍ଯ୍ୟ କରେ, ମଣିଷକୁ ଭୀରୁ କରିପକାଏ ।

 

୧୦ । ୧୧ । ୮୧

☆☆☆

 

ନବାବ୍‌ ଓ ତାଙ୍କ ବେଗମ୍‌ମାନେ

 

ନାନାଭାବରେ ଭକ୍ତି କରିବା ଭିତରେ ରାଧାଭାବରେ ଭକ୍ତି କରିବାର ମଧ୍ୟ ଏକ ଉଲ୍ଲେଖ ରହିଛି । ଅନ୍ୟତ୍ର ଏହାକୁ କାମଭକ୍ତି ବୋଲି କୁହାଯାଇଛି । ଆମ ଓଡ଼ିଶାର ରାୟ ରାମାନନ୍ଦ ଭକ୍ତିର ଏହି ରୀତିଟିକୁ ସର୍ବପ୍ରଥମେ ଏକ ତାତ୍ତ୍ୱିକ ମାଂସଯୁକ୍ତ ଅବୟବ ଦେଇଥିଲେ ଓ ସ୍ଵୟଂ ଶ୍ରୀଚୈତନ୍ୟ ଦକ୍ଷିଣକୁ ଯାଇ ସେଇଟି ବିଷୟରେ ତାଙ୍କଠାରୁ ଆପଣାର ହୃଦବୋଧ କରାଇଥିଲେ ବୋଲି ଏକ କାହାଣୀ ମଧ୍ୟ ରହିଛି । ନିଜକୁ ରାଧା ବୋଲି ଅନୁଭବ କରି କୃଷ୍ଣଙ୍କର ପରିଚର୍ଯ୍ୟାରେ ଆପଣାକୁ ଖଟାଇବା, ଏହାହିଁ ଅସଲ ମାଧୁର୍ଯ୍ୟ । ଆଉସବୁ କୁଆଡ଼େ ବାହ୍ୟ, କେବଳ ଏଇଟା ହିଁ ସବୁ ବାଦ୍ୟର ସେପାଖକୁ ।

 

ଓଡ଼ିଶାରେ ଆମର ଏହି ଅମଳରେ ଅନେକ ସାହିତ୍ୟକାର ଅଛନ୍ତି, ଯେଉଁମାନେ ରାଧାଭାବରେ ହିଁ ଉପାସନା କରୁଥିବା ପରି ମନେହୁଅନ୍ତି । ସେମାନେ ନବାବମାନଙ୍କୁ ହିଁ ଇହସାଂସାରିକ ଲୀଳାରେ କୃଷ୍ଣ ବୋଲି ଗ୍ରହଣ କରିନେଇଥାନ୍ତି । ସାହିତ୍ୟ ପାଖରେ ଦୋଚାରୁଣୀ ହୋଇ ନବାବମାନଙ୍କ ପାଖରେ ବେଗମ୍‍ ହେବାକୁ ଯାଆନ୍ତି । ସାହିତ୍ୟର ଇଲାକାରେ କିଛି କରିବା ପୂର୍ବରୁ ଆଗ ନବାବମାନଙ୍କୁ ଲୋଡ଼ନ୍ତି । ନବାବମାନେ ନଥିଲେ ସାହିତ୍ୟରୂପକ ସୁରତି ଯେ ମୋଟେ ସମ୍ଭବ ହୋଇପାରୁନଥାନ୍ତା, ଅନ୍ତତଃ ନବାବମାନଙ୍କ ପାଖରେ ସେମାନେ ଏହି ପରି ଏକ ଦଇନି ବାଢ଼ିବାରେ ଲାଗିଥାନ୍ତି । ସାହିତ୍ୟକୁ ମଲ୍ଲୀମାଳ କରି ଗୁନ୍ଥି ନବାବମାନଙ୍କ ବେକରେ ପିନ୍ଧାଇବାକୁ ଯାଆନ୍ତି । ସରସ୍ୱତୀ ଓ ତାଙ୍କର ଗଣମାନେ ବୋକା ହୋଇ ଅନାଇଥାନ୍ତି ।

 

ଆମ ଭାଷାରେ ଓ ଭୂଇଁର ଅନେକ ସାହିତ୍ୟିକ ପୁଣି ଏଇଟାକୁ ଆଧୁନିକ ରୀତି ବୋଲି ମାନନ୍ତି । ସେମାନେ ଆଧୁନିକ କବିତା ଲେଖନ୍ତି, ଆଧୁନିକ ଗଳ୍ପ ଓ ଉପନ୍ୟାସ ଲେଖନ୍ତି, ଆଧୁନିକ ନାଟକ ଓ ପ୍ରବନ୍ଧମାନ ଲେଖନ୍ତି; ମାତ୍ର ସେମାନଙ୍କର ସବୁ ଭାବ ଉପରେ ସେହି ବେଗମ୍–ଭାବଟା ହିଁ ସବୁଠାରୁ ମୁଖ୍ୟ ଭାବ ଓ ସବୁଠାରୁ ଉଗ୍ର ଭାବ ହୋଇ ରହି ଥାଏ । ନବାବମାନେ ଆସନ୍ତି, ଯାଆନ୍ତି । ନବାବମାନେ ବଦଳନ୍ତି । ଆଜିର ନବାବ ନସୀବ ବଦଳିଗଲେ ରାସ୍ତାର ଭିକାରି ହୁଅନ୍ତି । ମାତ୍ର ଗାଦୀରେ ବସିଥିବା ଲୋକମାନଙ୍କୁ ହିଁ ବେଗମମାନେ ନବାବ ବୋଲି ଗ୍ରହଣ କରନ୍ତି ଓ ସେମାନେ ଗାଦୀ ଭୋଗକରୁଥିବା ପର୍ଯ୍ୟନ୍ତ ସେହିମାନଙ୍କୁ କର୍ତ୍ତା ବୋଲି ଆଦରିନିଅନ୍ତି । ସାହିତ୍ୟକୁ ତାମ୍ବଳ ପରି ବ୍ୟବହାର କରନ୍ତି, ନବାବମାନଙ୍କୁ ତାମ୍ୱୁଳ ଭୁଞ୍ଜାନ୍ତି

 

ଆପଣା ଭିତରେ ସତେ ଅବା କୋଉଠି ଗୋଟାଏ ନବାବକୁ ଲୋଡ଼ୁଥାନ୍ତି ବୋଲି ଏମାନେ ସାହିତ୍ୟକୁ ନ ଲୋଡ଼ି ସବାଆଗ ନବାବମାନଙ୍କୁ ଲୋଡ଼ନ୍ତି । ରାଧା ଅହଙ୍କାରିଣୀ ହେଲେ ଆପଣା ଭିତରେ କୃଷ୍ଣଙ୍କୁ ଲୋଡ଼େନାହିଁ; ମାତ୍ର ସବୁ ଗୋପୀଙ୍କ ଭିତରେ ଆପଣାକୁ ଶ୍ରେଷ୍ଠ ଗୋପୀ ବୋଲି ଦେଖାଇହେବାକୁ କୃଷ୍ଣଗହଣ ଭିତରେ ଅବିରତ ନସରପସର ହେବାରେ ଲାଗିଥାଏ । ଆମ ବେଗମ୍‍ଧର୍ମୀ ସାହିତ୍ୟିକମାନେ ସେହିପରି ଭାବରେ ହୁଏତ ନବାବମାନଙ୍କୁ ଯେତେ ନ ଲୋଡ଼ନ୍ତି, କିଏ ସବାଆଗ ଯାଇ ନବାବମାନଙ୍କର ପାଖରେ ପହଂଚି ପାରିବ ଓ ସେମାନଙ୍କୁ ସବା ଆଗ ସଭାକୁ ଡାକିଆଣିପାରିବ, ଅଧିକତର ପରିମାଣରେ ସେଇଥିଲାଗି ବ୍ୟଗ୍ର ଓ ଆତୁର ହୋଇ ରହିଥାନ୍ତି ।

 

ଏହି ରୀତିରେ ଦଉଡ଼ିବା ଦ୍ଵାରା ସାହିତ୍ୟ ମଧ୍ୟରେ ମିଛଗୁଡ଼ାକ ହିଁ ସତ ବୋଲି ଦିଶନ୍ତି ଏବଂ ସାହିତ୍ୟିକ ବିଶ୍ୱାସଗୁଡ଼ାକ ଏକ କୃତ୍ରିମ ଅନ୍ୟଚର୍ଯ୍ୟାରେ ପରିଣତ ହୋଇ ରହିଥାଏ । ସାହିତ୍ୟିକ ବେଗମ୍ ହେବାକୁ ମନ ନକଲେ ଯାଇ ସେହି କଥାଟିକୁ ବୁଝିପାରନ୍ତା, ଲାଜଗୁଡ଼ାକୁ ଲାଜ ବୋଲି ଜାଣନ୍ତା ।

 

୨୪ । ୧୧ । ୮୧

☆☆☆

 

ଅକ୍ତିଆରହୀନ

 

ଛାତ୍ର, ଶିକ୍ଷକ କିମ୍ବା ସରକାର, ଆଜି କାହାରି ଆଉ ନିଜ ଉପରେ କୌଣସି ଅକ୍ତିଆର ନାହିଁ । ସମ୍ଭବତଃ ସେହି କାରଣରୁ ହିଁ ସେମାନଙ୍କର ପରସ୍ପର ଉପରେ ମଧ୍ୟ ସତେ ଅବା କୌଣସି ଅକ୍ତିଆର ନାହିଁ । ଅକ୍ତିଆରହୀନ ହୋଇଥିବାରୁ ହିଁ ସରକାର ଅଡ଼ୁଆରେ ପଡ଼ିଯିବା ମାତ୍ରକେ ସବାଆଗ ପୋଲିସବାହିନୀକୁ ସ୍ମରଣ କରୁଛନ୍ତି । ଅକ୍ତିଆରହୀନ ହୋଇଥିବାରୁ ହିଁ ଆମ ଛାତ୍ରମାନେ ମଉକା ପାଇବାମାତ୍ରକେ ଲାଙ୍ଗୁଳରେ ନିଆଁ ଲଗାଇଦେଇ ପିଢ଼ାକୁ ପିଢ଼ା ଡେଇଁବାରେ ଲାଗିଛନ୍ତି ଏବଂ, ଶିକ୍ଷକମାନଙ୍କର କଥା ନ କହିବା ହିଁ ଭଲ । ମୂଳତଃ ସେଇମାନେ ଅକ୍ତିଆରହୀନ ହୋଇ ପଡ଼ିଛନ୍ତି ବୋଲି ଆମ ଫସଲକିଆରୀ ଗୁଡ଼ାକରେ ବାଳୁଙ୍ଗା ମାଡ଼ିଯାଇଛି । ଆମର ବିଦ୍ୟାସ୍ଥାନଗୁଡ଼ାକରେ ଷଣ୍ଢମାନେ ଲଢ଼େଇ କରିବାକୁ ସାହସ କରିପାରୁଛନ୍ତି ଏବଂ ସେହି କାରଣରୁ ହିଁ ଆକାଶରେ କୌଣସି ମେଘ ନଥାଇ ମଧ୍ୟ ବର୍ଷା ହୋଇଯାଉଛି, କୌଣସି ଉଦ୍ଦେଶ୍ୟ ନଥାଇ ମଧ୍ୟ ବିପ୍ଲବ ହୋଇଯାଉଛି, ଦେଉଳଗୁଡ଼ାକରେ ଭୋଗରାଗ ଓ ନୀତିଗୁଡ଼ାକ ଚାଲିଥିବା ସମୟରେ ହିଁ ଦେଉଳ ଉପରେ ଚଡ଼କ ପଡ଼ିଲା ପରି ମନେହେଉଛି । ଝଡ଼ବତାସ ଛାଡ଼ିଗଲା ପରେ ମିଛଟାରେ ଖଣ୍ଡିଆଦଣ୍ଡିଆ ହୋଇ ପଡ଼ିଥିବା ସଂପୃକ୍ତ ପକ୍ଷୀମାନେ ବିବୃତ୍ତି ଦେବାରେ ଲାଗିଛନ୍ତି, ଆପଣାର କଳା ହାତଗୁଡ଼ାକରେ ମୁହଁ ଲୁଚାଇବାକୁ ଯାଇ ମୁହଁଗୁଡ଼ାକୁ ଆହୁରି ଅଧିକ କଳା କରିପକାଉଛନ୍ତି । ଏକ ଆରେକୁ ଦୋଷ ଦିଆଦେଇ ହେଉଛନ୍ତି । ଦୋଷଗୁଡ଼ାକ ସମ୍ଭବତଃ ସଙ୍ଗରେ ଯାଇ ପଶିଥିବାରୁ କେହି ଆଉ ସେଗୁଡ଼ାକର କୌଣସି ପ୍ରତିକାର କରିପାରୁନାହାନ୍ତି । ଅତ୍ୟନ୍ତ ଅସହାୟ ଭାବରେ ସେମାନେ ଗୋଟିଏ ଝଡ଼ ପରେ ପୁଣି ଆଉ ଗୋଟିଏ ଝଡ଼ ଆସିବା ପର୍ଯ୍ୟନ୍ତ ତଥାକଥିତ ସାଧାରଣ ଜୀବନ ବା ସାଧାରଣ ରୁଟିନ୍‍ଗୁଡ଼ାକ ଭିତରକୁ ବାହୁଡ଼ିଆସୁଛନ୍ତି । ମନ୍ଦିରମାନଙ୍କରେ ପୁଣି ଶଙ୍ଖ ବାଜୁଛି ।

 

ଆମର ବିଦ୍ୟା ଆମକୁ ଆପଣା ଉପରେ ଅଧିକ ଅକ୍ତିଆର ଆଣିଦେଇ ପାରୁଥାନ୍ତା । ଶାସନ କରିବାକୁ ଆସିଥିବା ବ୍ୟକ୍ତିମାନଙ୍କର ଅଭିଜ୍ଞତା ବଢ଼ିବା ସଙ୍ଗେ ସଙ୍ଗେ କିଞ୍ଚିତ୍‍ ବିବେକ ବି ବଢ଼ୁଥାନ୍ତା । ମାତ୍ର ତାହା ମୋଟେ ହୋଇପାରୁନାହିଁ । ତଥାପି ପାଠନାମକ ଗେହ୍ଲାପୁଅ ଖେଳିବ ଓ ଗେହ୍ଲା ହୋଇ ରହିବ ବୋଲି ବିହାରମାନଙ୍କରେ ବଡ଼ ବଡ଼ କୋଠା ତିଆରି ହେବାକୁ ଲାଗିଛି । ଆଚାର୍ଯ୍ୟମାନେ ପାଉଥିବା ମୋଟା ଦରମା ଓ ମୋଟା ଆସନଗୁଡ଼ାକ କେତେବେଳେ ଯେ ସେମାନଙ୍କୁ ତୁଚ୍ଛା ବିବେକହୀନ କରିପକାଉଛି, ସେକଥା ସେମାନେ ନିଜେ ମଧ୍ୟ ଜାଣିପାରୁନାହାନ୍ତି ଏବଂ ସରକାର ବୋଲି ଯେଉଁ ବ୍ୟକ୍ତିମାନେ ଦଉଡ଼ିଗୁଡ଼ାକୁ ସମ୍ଭାଳିବାକୁ ଯାଉଛନ୍ତି, ସେମାନଙ୍କର ନିଜ ଗୋଡ଼ରେ ନିଜର ନାଲଗୁଡ଼ିକୁ ବାଡ଼େଇ ବାଡ଼େଇ ସେମାନଙ୍କର ବୟସ ଅତିକ୍ରାନ୍ତ ହୋଇଯାଉଛି ।

 

ସେମାନେ ଆଉ ଏବେ କୌଣସି ସ୍ୱପ୍ନ ଦେଖୁନାହାନ୍ତି । କାହାରି ଆଗରେ ହୁଏତ ଏକ ଦିଗ୍‍ବଳୟ ବୋଲି ଆଉ କିଛିହେଲେ ନାହିଁ । ସେଇଥିଲାଗି କୋପନ ପ୍ରବୃତ୍ତଗୁଡ଼ାକ ଅଧିକରୁ ଅଧିକ ହୋଇ ମାତିବାରେ ଲାଗିଛି । ଓଲିଆ ଗୋରୁମାନେ କୁଆଡ଼େ ସ୍ୱଭାବର ତାଡ଼ନାରେ ପଡ଼ି ଭାରି ମାରଣା ହୁଅନ୍ତି । ନିଜ ଭିତରେ ବଡ଼ ଅକ୍ତିଆରହୀ ନ ହୋଇ ଯେଉଁମାନେ ବାହାରେ ମାରଣା ହୋଇ ବାହାରିଛନ୍ତି, ସେମାନଙ୍କୁ ଅକ୍ତିଆରର ଅକଲ ଆଣିଦେବାକୁ କୋଉ ଗନ୍ଧମାଦନରେ ଓଷଦ ଅଛି କେଜାଣି ?

 

୦୯ । ୧୨ । ୮୧

☆☆☆

 

ପ୍ରଭାବ ରୋକିବା ଲାଗି

 

ରୁଷିଆର ପ୍ରଭାବ ରୋକିବା ଲାଗି ଆମେରିକା ପାକିସ୍ତାନକୁ ସାମରିକ ସାହାଯ୍ୟ ଦେଉଛି । ଆମେରିକାର ପ୍ରଭାବକୁ ରୋକିବା ଲାଗି ରୁଷିଆ ସିରିଆ ଓ ଲିବିୟା ପ୍ରଭୃତି ଦେଶରେ ସାହାଯ୍ୟ ଆକାରରେ କେତେ କେତେ ସାମରିକ ସରଞ୍ଜାମ ନେଇ ଭର୍ତ୍ତି କରିବାରେ ଲାଗିଛି । ସେଇ ପ୍ରଭାବ ରୋକିବା ଲାଗି ପୃଥିବୀର ଚାରିଆଡ଼େ ଏବେ ପରମାଣୁ ଖନ୍ଦାମାନ ଖୋଳାହେବାରେ ଲାଗିଛି । ଆଉ ଅଳପରେ କାହାରି ମନ ବୁଝୁନାହିଁ । ତେଣୁ ସାନ ସାନ ବନ୍ଧୁକକୁ ବଡ଼ ବଡ଼ ବୋମାରେ ପରିଣତ କରିବାଲାଗି ସଂସାରର ସବୁଠାରୁ ବେଶି ଟଙ୍କା ଆଜି ଯୁଦ୍ଧବରାଦର ପ୍ରୟୋଗଶାଳାମାନଙ୍କରେ ଖର୍ଚ୍ଚ ହେବାରେ ଲାଗିଛି । ବୁଦ୍ଧିଆ ବିଜ୍ଞାନୀମାନେ ବଛା ହୋଇ ଆସି ଏହି କାମରେ ଲାଗିଛନ୍ତି ।

 

ରୁଷିଆରେ ସାମ୍ୟବାଦ ଚାଲିଛି, ଆମେରିକାରେ ଗଣତନ୍ତ୍ର ଚାଲିଛି । ଗଣତନ୍ତ୍ରକୁ ରୋକିବାଟା ହିଁ ଆଜି ରୁଷିଆ ଆଖିରେ ସାମ୍ୟବାଦକୁ ଆହୁରି ଅଧିକ ଜଗତଜିତା କରିବାର ପ୍ରଧାନତମ ପନ୍ଥା ବୋଲି ଦେଖାଯାଉଛି ଏବଂ ସାମ୍ୟବାଦକୁ ରୋକିବାଟା ହିଁ ଗଣତନ୍ତ୍ରକୁ ଶକ୍ତିଶାଳୀ କରି ରଖିବା ଲାଗି ଆମେରିକାର ପ୍ରଧାନ ପନ୍ଥା ହୋଇଛି । ଏହିପରି ଭାବରେ ବିବାଦଟା କ୍ରମେ ସାମ୍ୟବାଦ ଏବଂ ଗଣତନ୍ତ୍ର ଉଭୟଙ୍କୁ ଛାଡ଼ି ରୁଷିଆ ଆଉ ଆମେରିକା ଭିତରେ ଲାଗିଥିବା ଏକ ଜମିଦାରିଆ ଝଗଡ଼ାରେ ପରିଣତ ହେଲାଣି । ପଥିବୀର ବିଭିନ୍ନ ଦେଶରେ ସେହି ଝଗଡ଼ାଟାକୁ ଲଢ଼ିବା ସକାଶେ ଅନ୍ୟମାନଙ୍କୁ ବି ଠିକା ଦିଆଗଲାଣି । ଆମ ପୃଥିବୀରେ କାଙ୍ଗାଳମାନଙ୍କର କେବେ କୌଣସି ଅଭାବ ଘଟେନାହିଁ । ତେଣୁ ଠିକା ଦେବା ଓ ଠିକା ନେବାର ରାଜନୀତି ପ୍ରଚଣ୍ଡ ସଫଳତା ସହିତ ଚାଲିଛି । ପୃଥିବୀର ପେଟକୁ ଦାନା ନଥିଲେ ମଧ୍ୟ ପୃଥିବୀର ସରକାରମାନେ ପାଞ୍ଚଟାଯାକ ମହାଦେଶରେ ଆପଣାର ସାମରିକ ଅମାରଗୁଡ଼ାକୁ ଭର୍ତ୍ତି କରିବାରେ ଲାଗିଛନ୍ତି ।

 

ପୃଥିବୀର ଜନଗଣ ରୁଷିଆକୁ ଚାହାନ୍ତି ନାହିଁ କି ଆମେରିକାକୁ ବି ଚାହାନ୍ତି ନାହିଁ । ସେମାନେ ସାମ୍ୟବାଦ ଚାହାନ୍ତି, ଗଣତନ୍ତ୍ରକୁ ମଧ୍ୟ ଚାହାନ୍ତି । ସେମାନେ ଉଭୟଦ୍ୱାରା ପ୍ରଭାବିତ ହେବାକୁ ଚାହାନ୍ତି । ରୁଷିଆ ଓ ଆମେରିକାର ସରକାର ଦୁହେଁ ଯାକ କ୍ଷମତାର ପ୍ରତୀକ । ପୃଥିବୀର ଲୋକେ କ୍ଷମତାକୁ ବର୍ଜନ କରିବାକୁ ଚାହାନ୍ତି । କ୍ଷମତା ଯିବ, ଲୋକମାନେ ରହିବେ । ସାମ୍ୟବାଦ ଏବଂ ଗଣତନ୍ତ୍ର ଦୁହେଁ ରହିବେ । ପୃଥିବୀର ଦୁଇ ବ୍ୟୂହରେ ଦୁଇଟା ଅଲଗା ଅଲଗା ଶକ୍ତି ରୂପେ ନୁହେଁ, ମଣିଷକୁ ଅଗ୍ରସର କରାଇ ନେଉଥିବା ପରସ୍ପରର ପରିପୂରକ ଦୁଇଟି ପ୍ରେରଣା ହୋଇ ରହିବେ । ପ୍ରକୃତ ସାମ୍ୟବାଦକୁ ସେତେବେଳେ ଏକ ଗଣତନ୍ତ୍ର ବୋଲି କୁହାଯାଇପାରିବ ଓ ପ୍ରକୃତ ଗଣତନ୍ତ୍ରକୁ ଏକ ସାମ୍ୟବାଦ ବୋଲି ବି କୁହାଯାଇ ପାରିବ । ମାତ୍ର ମଣିଷଠାରୁ କ୍ଷମତାର ନିଶା ଗଲେ ଯାଇ ସେକଥା ସମ୍ଭବ ହେବ । ଜୀବନରେ ଅନୁରାଗ ବଢ଼ିଲେ ଯାଇ ପୃଥିବୀରେ ତାହା ସମ୍ଭବ ହେବ । ସେ ପର୍ଯ୍ୟନ୍ତ, ବର୍ତ୍ତମାନର ଏହି ଯୁଦ୍ଧମୁହାଁ ଗଣତନ୍ତ୍ର ବା ଯୁଦ୍ଧମୁହାଁ ସାମ୍ୟବାଦ କୋଉ ଗୋଟାକ ବି ମଣିଷର ମୋଟେ କୌଣସି କାମରେ ଲାଗିପାରିବ ନାହିଁ ।

 

୧୩ । ୧୨ । ୮୧

☆☆☆

 

ଗାଆଁ ଲୋକ ଗାଆଁରେ ରହନ୍ତୁ

 

ଭାରତବର୍ଷରେ ଗାଆଁର ଲୋକମାନେ ଗାଆଁରେ ରହନ୍ତୁ, ସେମାନେ କୃଷିର ଉନ୍ନତି କରିବା ସଙ୍ଗେ ସଙ୍ଗେ ନିଜ ଆର୍ଥିକମାନର ଉନ୍ନତି କରନ୍ତୁ ବୋଲି ଭାରତବର୍ଷର ପ୍ରଧାନମନ୍ତ୍ରୀ ଏକ ପରାମର୍ଶ ଦେଇଛନ୍ତି । ରାଜ୍ୟସଭାରେ ଏକ ଭାଷଣ ଦେଇ ସେ ଏକଥା କହିଛନ୍ତି । ଯେଉଁମାନେ ରାଜ୍ୟସଭାରେ ସଦସ୍ୟ ହୋଇ ବସନ୍ତି, ସେମାନେ କେହି ଗାଆଁଲୋକ ନୁହଁନ୍ତି । ସେମାନେ କେହି କୃଷି କରନ୍ତି ନାହିଁ ଓ ଆପଣାର ଉନ୍ନତିବିଧାନ କରିବାଲାଗି ସେମାନଙ୍କୁ କଦାପି ନିଜର ଆର୍ଥିକମାନ ବଢ଼ାଇବା ଲାଗି ନିଜେ ଉଦ୍ୟମ କରିବାକୁ ପଡ଼େନାହିଁ । ସେମାନଙ୍କର ଆର୍ଥିକ ମାନ ଆଗରୁ ବଢ଼ିକରି ଥାଏ ଓ ତାହା ହୁଏତ ସେହିପରି ଏକ ବୃଦ୍ଧିଯୁକ୍ତ ସ୍ତରରେ ସର୍ବଦା ରହିବା ଉଚିତ ବୋଲି ଅନୁଭବ କରି ସେମାନେ ଚେଷ୍ଟା କରି ରାଜ୍ୟସଭାକୁ ଯାଇଥାନ୍ତି ।

 

ଅବଶ୍ୟ ଏକଥା ମଧ୍ୟ ସତ ଯେ, ରାଜ୍ୟସଭାରେ ଯେଉଁମାନେ ସଦସ୍ୟ ହୋଇ । ବସିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଜନ୍ମ ଭାରତବର୍ଷର କୌଣସି ନା କୌଣସି ଗାଆଁରେ ହୋଇଛି । ଏହି ଦେଶରେ ଗାଆଁଲୋକେ ଗାଆଁକୁ ଛାଡ଼ି ସହରକୁ ଯିବାଦ୍ୱାରା ହିଁ ଆମ ସହରଗୁଡ଼ିକ ସମ୍ଭବ ହୋଇଛି । ଗାଆଁଲୋକେ ସହରକୁ ଗଲେ କୃଷିକର୍ମ ଛାଡ଼ନ୍ତି । ଅନ୍ୟ ଯଜମାନିମାନ ଧରନ୍ତି । ଗାଆଁର ପିଲା ସହରକୁ ପାଠ ପଢ଼ିବାକୁ ଯାଇ ଗାଆଁକୁ ଛାଡ଼େ । ସାହେବମାନଙ୍କଠାରୁ କୃଷିବିଜ୍ଞାନର ଶାସ୍ତ୍ରମନ୍ତ୍ରଗୁଡ଼ାକ ଶୁଣିସାରିବା ପରେ ନିତାନ୍ତ ନିର୍ବୋଧ ନ ହୋଇଥିଲେ କେହି କଦାପି ପୁନର୍ବାର କୃଷିକର୍ମକୁ ମନ କରନ୍ତି ନାହିଁ । ସିଆଣିଆମାନେ କୃଷିଜାତ ଦ୍ରବ୍ୟଗୁଡ଼ିକୁ ନଗଦ ପଇସା ଦେଇ କିଣନ୍ତି ଓ ଖାଆନ୍ତି; ମାତ୍ର ନିଜେ କୃଷି କରନ୍ତି ନାହିଁ । ସବୁଠାରୁ ଯିଏ ତଳେ ଥାଏ, ସିଏ ସହରକୁ ଯାଇପାରେ ନାହିଁ, ସେଇ ବାଧ୍ୟ ହୋଇ କୃଷିକାର୍ଯ୍ୟ କରେ । ଅଧିକାଂଶ ସ୍ଥଳରେ ସିଏ ଆଉ କାହାର କମିରେ କୃଷିକାର୍ଯ୍ୟ କରେ । ଯିଏ ଜମିର ମାଲିକ, ସିଏ ବି କଟକରେ ଘର କରି କଟକରେ ଥାଏ ।

 

ତଥାପି ଭାରତବର୍ଷରେ ଏହି ଗାଆଁ ଲୋକମାନଙ୍କର ସଂଖ୍ୟା ହିଁ ଅଧିକ । ଏମାନଙ୍କ ଲାଗି ସହରବାଲା ଯୋଜନା କରନ୍ତି । ଅଧିକ ଫସଲ ଫଳାଇବାର ଯାବତୀୟ ସାଧନ ଏମାନଙ୍କ ଲାଗି ସହରବାଟେ ଗାଆଁକୁ ଆସେ । ସହରୀ ଅଫିସରମାନେ ଏମାନଙ୍କୁ ସବୁ ସୁବିଧା ଯୋଗାଇଦେବା ସକାଶେ ଭତ୍ତା ଖାଇ ସେହି ସହରରେ ରହିଥାନ୍ତି । ସଚିବାଳୟ ଠାରୁ ସବାବଡ଼ ସଭାଯାଏ କୃଷି ସହିତ ଅପଡ଼ା ହୋଇ ରହିଥିବା ଇତରମାନେ କୃଷିର ଉନ୍ନତିଲାଗି ଗାଆଁ ଲୋକଙ୍କୁ ଉପଦେଶ ଦେଉଥାଆନ୍ତି ।

 

ଗାଆଁର ଲୋକେ ଅବଶ୍ୟ ଗାଆଁରେ ରହିବେ । ମାତ୍ର ସହରବାଲାଙ୍କର ଉପଦେଶକୁ ମାନିକରି ନୁହେଁ, ଆପଣାର ଗାଆଁକୁ ଆପଣାର ସଂସାର ବୋଲି ଗ୍ରହଣ କରିଥିବାରୁ ହିଁ ସେମାନେ ଗାଆଁରେ ରହିବେ । ସେମାନେ ଆପଣାର ସେହି ସଂସାରଟିକୁ ବଦଳାଇବା ପାଇଁ ଗାଆଁରେ ରହିବେ । ସେମାନେ ସବୁଯାକ ସିଆଣିଆ, ସବୁଯାକ ଠକଙ୍କୁ ଭଲକରି ଚିହ୍ନିବେ; ମାତ୍ର ସେଥିଲାଗି ଯେଉଁ ସାମାଜିକ ବିପ୍ଳବର ଆବଶ୍ୟକତା ରହିଛି, ସହରର ବୁଦ୍ଧିଆ ଅମାରଗୁଡ଼ାକରେ ସେହି ବିପ୍ଳବର ବିହନ ଖୋଜିବାକୁ ଗଲେ ତାହା କେବେହେଲେ ମିଳିବ ନାହିଁ । ସେହି ବିହନ ଗାଆଁରେ ରହିଛି । ବର୍ତ୍ତମାନ ତ ଗାଆଁର ଲୋକଙ୍କୁ ବୃଦ୍ଧି ଦେବା ପାଇଁ ସେହି ସହରର ହିଁ ବିପ୍ଳବୀମାନଙ୍କୁ ଗାଆଁକୁ ଯିବା ପଡ଼ୁଛି । ରାଜନୀତିକ ଦୋକାନମାନ ସହରରେ ଥାଇ ହିଁ ଗାଆଁରେ ବଣିଜ କରିବାକୁ ଯାଉଛନ୍ତି । ଗାଆଁ ଲୋକେ ଗାଆଁରେ ରହିବାକୁ ଯେତେ ମନ କଲେ ମଧ୍ୟ ସହରୀମାନଙ୍କର ଜାଲରେ ପଡ଼ିଯାଉଛନ୍ତି ଓ କେଡ଼େ ସୁନ୍ଦରଭାବରେ କାବୁ ହୋଇ ରହୁଛନ୍ତି । ଗାଆଁରେ ଖୋଲା ହେଉଥିବା ସ୍କୁଲ ଆଉ କଲେଜଗୁଡ଼ାକ ସହର ସକାଶେ ଦାଦନ ଶ୍ରମିକ ସଂଗ୍ରହ କରିବାର କେନ୍ଦ୍ର ହୋଇଛି । ସହରର ବଜାରୀ ଗୁଣଗୁଡ଼ାକ ନୂଆ ନୂଆ ଗୀତ ଆକାରରେ ଯାଇ ଗାଆଁ ଦାଣ୍ଡକୁ ବି ଭଣ୍ଡୁରା କରିବାରେ ଲାଗିଛି । ଏଗୁଡ଼ାକ ପୁରା ବଦଳିବ । ଗାଆଁର ନେତୃତ୍ୱ ହିଁ ଏଗୁଡ଼ାକୁ ବଦଳାଇବ । ସହରୀମାନେ ଯେ ଗାଆଁକୁ ସବୁବେଳେ ଡରନ୍ତି, ସେତେବେଳେ ଯାଇ ସେହି କଥାଟି ପ୍ରମାଣିତ ହୋଇଯିବ ।

 

୨୧ । ୧୨ । ୮୧

☆☆☆

 

ନଖ ଦର୍ପଣେନ

 

ନଖ ମଣିଷମାତ୍ରକେ ସମସ୍ତଙ୍କର ଅଛି । ମାତ୍ର ଦର୍ପଣ କେତେଜଣଙ୍କ ପାଖରେ ଅଛି ? ଆମ ଦେଶରେ କେତେକ ଲୋକ ଅଛନ୍ତି, ଯେଉଁମାନେ କି ନିଜ ପାଖରେ ନିଜେ କେଡ଼େ ଛୋଟ ହୋଇ ଦିଶୁଥିଲେ ମଧ୍ୟ ବାହାରକୁ ଏଡ଼େ ଏଡ଼େ ନଖ ବାହାରକରି ସଂସାରକୁ ଯାଆନ୍ତି । ଯୁଆଡ଼େ ଯାଆନ୍ତି, ତେଣେ ଛାରଖାର କରିଦିଅନ୍ତି । ଯେଉଁଠାରେ ସବୁକିଛି ନୂଆ ହୋଇ ଗଢ଼ା ହେବ ବୋଲି ଅପେକ୍ଷା କରି ରହିଥାଏ, ସେଠି ସେମାନେ ଏଡ଼େ ଏଡ଼େ ଦାନ୍ତ ଓ ଏଡ଼େ ଏଡ଼େ ନଖ ବାହାରକରି ଦର୍ପଣଗୁଡ଼ାକୁ ଗୋଟି ଗୋଟିକରି ଭାଙ୍ଗିଦେବାରେ ଲାଗିଥାନ୍ତି । ଏମାନଙ୍କୁ ରାଜ୍ୟରେ ରାଜା ବୋଲି କୁହାଯାଏ, ସଭାରେ ପଣ୍ଡିତ ବୋଲି କୁହାଯାଏ, ଦାଣ୍ଡରେ ହାକିମ ବୋଲି କୁହାଯାଏ, ପଙ୍କପୋଖରୀରେ ନେତା ବୋଲି କୁହାଯାଏ । ଠାକୁରମାନେ ଗୋଟାସୁଦ୍ଧା ଏହିମାନଙ୍କ ପଟର ହୋଇ ରହିଥାନ୍ତି । ଏଇମାନେ ଇଚ୍ଛା କଲେ ଟଙ୍କାଗୁଡ଼ାକ ଗଛରେ ଫଳି ସିଧା ଅଣ୍ଟି ଭିତରକୁ ଅଜାଡ଼ି ହୋଇପଡ଼େ । କଳିଯୁଗରେ ଏମାନଙ୍କୁ ଇନ୍ଦ୍ର ବୋଲି କୁହାଯାଏ । ଏମାନେ ଭାଗ୍ୟଧର ବନି ଦିଗ ଓ ଦାଣ୍ଡିଗୁଡ଼ାକୁ ଆଣ୍ଟରେ ମାଡ଼ିବସିଥାନ୍ତି ।

 

ଏହି ମଣିଷମାନେ ହିଁ ଦର୍ପଣକୁ ସବୁଠାରୁ ଅଧିକ ପରିମାଣରେ ଭୟ କରନ୍ତି । ମଣିଷ ଜନ୍ମ ହେଲାବେଳେ ନିଜ ଭିତରେ ଗୋଟାଏ ଦର୍ପଣ ନେଇ ଜନ୍ମ ହୋଇଥାଏ ବୋଲି ଏମାନେ କୋଉକାଳୁ ପାସୋରି ପାରିଥାନ୍ତି । ତେଣୁ ନିଜକୁ ମୋଟେ ଦେଖି ପାରନ୍ତି ନାହିଁ ଏବଂ ନିଜକୁ ଦେଖି ପାରନ୍ତି ନାହିଁ ବୋଲି ସେମାନେ ଆଉ କାହାକୁ ବି ଦେଖି ପାରନ୍ତି ନାହିଁ ।

 

ଏହି ଦର୍ପଣଭଙ୍ଗା ମଣିଷମାନେ ହୁଏତ ସବୁ କାଳରେ ରହିଥିଲେ । ଆମ ଏ ଯୁଗରେ ସମ୍ଭବତଃ ଅତି ଅଧିକ ପରିମାଣରେ ରହିଛନ୍ତି ବୋଲି ଏହି ଦେଶରେ ବେଳେବେଳେ ସେମାନଙ୍କ ବ୍ୟତୀତ ଏଠାରେ ସତେଅବା ଆଉ କେହି ହେଲେ ନଥିବା ପରି ମନେ ହେଉଛି । ଏମାନେ ଆମ ଭାଗ୍ୟର ସବୁଯାକ କୋଠାକୁ ମାଡ଼ିବସିଛନ୍ତି । ସାହିତ୍ୟ, ସଂସ୍କୃତି, ସଭ୍ୟତା, ଧର୍ମ, ଆଚାର ଓ ବିବେକ—ଏଗୁଡ଼ାକୁ ସମ୍ପତ୍ତି ମନେ କରି ସେମାନେ କେବଳ ନିଜେ ଭୋଗ କରିବେ ବୋଲି ଫାଶ ମେଲାଇ ବସିଛନ୍ତି । ଗୋଟାସୁଦ୍ଧା ଲଙ୍ଗଳା ହୋଇଥିଲେ ମଧ୍ୟ ଲୁଗା ପିନ୍ଧିଥିବା ପରି ଦିଶୁଛନ୍ତି । ଗୋଟାସୁଦ୍ଧା ଭୀରୁ ହୋଇଥିଲେ ମଧ୍ୟ ଉପରକୁ ଭାରି ସାହସୀଙ୍କ ପରି ଦିଶୁଛନ୍ତି । ଅଭିନୟଗୁଡ଼ାକ ମୋଟେ କୃତ୍ରିମତା ପରି ଲାଗୁନାହିଁ । ସମସ୍ତେ ଚାକିରିଆ ବନି ସେମାନଙ୍କର ପାଦତଳେ ଖଟୁଛନ୍ତି । ତୁଚ୍ଛା ମେସିନ୍‌ଗୁଡ଼ାକୁ ପରମ ପ୍ରେମର ସହିତ କାମୁଡ଼ି ଧରିଛନ୍ତି । ଦର୍ପଣର ଅଭାବଟାକୁ ମୋଟେ ଅନୁଭବ କରୁନଥିବା ପରି ମନେ ହେଉଛନ୍ତି ।

 

ତଥାପି ଦର୍ପଣଗୁଡ଼ାକର ହିଁ ଅଭାବ ରହିଛି । ଆମ ଦେଶରେ ସବୁ ଅଭାବ ଉପରେ ଏହି ଦର୍ପଣର ଅଭାବଟା ହିଁ ସବୁଠାରୁ ବଡ଼ ଅଭାବ ହୋଇ ରହିଛି । ଯେଉଁ ଦର୍ପଣଗୁଡ଼ାକ ଦ୍ଵାରା ଆମେ ନିଜକୁ ନିଜେ ଦେଖି ପାରନ୍ତେ, ସେହି ଦର୍ପଣଗୁଡ଼ିକର ଅଭାବ ରହିଛି । ଯେଉଁ ଦର୍ପଣଗୁଡ଼ାକୁ ଅନୁଭବ କରିପାରିଲେ, ସେମାନେ ବାହାରକୁ ଯେଡ଼େ ଅକିଞ୍ଚନ ଆଉ ହୀନଶିରୀ ହୋଇ ରହିଥିଲେ ମଧ୍ୟ ତଥାପି ନିଜ ଭିତରେ ରହିଥିବା ଆପଣାର ଶକ୍ତିମନ୍ତ୍ର, ସମର୍ଥ ଓ ବିରାଟ ରୂପଟିକୁ ଦେଖି ପାରନ୍ତେ, ଆଜି ଆମ ଯୁଗରେ ଅଧିକାଂଶ ମଣିଷଙ୍କ ପାଇଁ ସେହି ଦର୍ପଣଗୁଡ଼ିକର ଅଭାବ ରହିଛି । ଯେଉଁ ଦର୍ପଣଟିକୁ ଲୋଡ଼ି ସେଥିରେ ଆପଣାକୁ ଥରେ ଅପ୍ରମତ୍ତ ଭାବରେ ଦେଖିବାକୁ ମନ କରିପାରିଲେ, ବର୍ତ୍ତମାନ ଉପରକୁ ଏତେ କ୍ଷମତା, ଏତେ ପଇସା ଓ ଏତେ ବୀରପଣ ଦେଖାଇ ହୋଇ ନିଜର ନଖ ଓ ଦାନ୍ତଗୁଡ଼ାକୁ ହିଁ ଆପଣାର ପରମସମ୍ବଳ ବୋଲି ମନେ କରୁଥିବା ବ୍ୟକ୍ତିମାନେ ଆପଣାର ଅସଲ ପରିଚୟଟିକୁ ନିଜ ଭିତରେ ପାଇପାରନ୍ତେ ଓ ଆପଣାକୁ ସବାଆଗ ଜଣେ ଜଣେ ମଣିଷ ବୋଲି ଅନୁଭବ କରିପାରନ୍ତେ, ଏବେ ସେହି ଦର୍ପଣଟିର ସବୁଠାରୁ ଅଧିକ ଅଭାବ ହୋଇଛି ।

 

ଦର୍ପଣଗୁଡ଼ାକ ଆମ ହାତପାଆନ୍ତାରେ ରହିଛି । ଆମ ହୃଦୟ ଭିତରେ ରହିଛି । ମଣିଷକୁ ମଣିଷ ସହିତ ଏକାଠି ବାନ୍ଧି ରଖିଥିବା ଡୋରଗୁଡ଼ାକ ଭିତରେ ରହିଛି । ଦର୍ପଣ ଆମ ନଖ ଉପରେ ରହିଛି । ଆମକୁ ଏକାବେଳକେ ସବାବଡ଼ କରି ଦେଖାଇବାକୁ ଆମ ଚାରିପାଖରେ ଯୋଉ ପାଚେରିଗୁଡ଼ାକୁ ଆଗେ ଆମର ଅସଲ ଅବଲମ୍ବନ ଓ ଅସଲ ସ୍ତମ୍ବରୂପେ ଠିଆ କରି ରଖିଛୁ, ସେହି ପାଚେରିଗୁଡ଼ାକୁ ଭାଙ୍ଗି ପକାଇଲେ ଆମକୁ ଆମ ଦର୍ପଣଟି ଆପେ ଆପେ ଦିଶିଯିବାକୁ ଆରମ୍ଭ କରିବ ଏବଂ ସେହି ଦର୍ପଣ ଉପରେ ହିଁ ଆମେ ନିଜକୁ ଫେରି ପାଇବା, ପରସ୍ପରକୁ ଫେରି ପାଇବା, ଆମ ଦେଶକୁ ଫେରି ପାଇବା, ହାତ ଛାଡ଼ି ଯାଇଥିବା ଏହି କାଳକୁ ଫେରି ପାଇବା । ବାଟ ହୁଡ଼ି ଯାଇଥିବା ଆମର ଅନୁରାଗଗୁଡ଼ାକୁ ମଧ୍ୟ ଫେରି ପାଇବା । ଆମେ ନିଜର ଅସଲ ଘରଗୁଡ଼ିକୁ ଫେରି ପାଇବା, ଅସଲ ମନ୍ତ୍ରଗୁଡ଼ିକୁ ବି ଫେରି ପାଇବା ।

 

ଦୋଳ ପୂର୍ଣ୍ଣିମା, ୧୯୮୨

Image